Satya Prakash
Uncategorised

ସହବାସ ସମ୍ବନ୍ଧ

ସହବାସ ସମ୍ବନ୍ଧ
—-Dr Satya Prakash Sethy
ଶୀତଳ ବାପାମାଆଙ୍କର ଏକମାତ୍ର ଅଲିଅଳି କନ୍ୟା। ପାଖକୁ ସାନ ଭାଇଟିଏ ଅଛି ଯେ, ସେ କିନ୍ତୁ ଭାରି ଛୋଟ। ଏବେ ବି ସ୍କୁଲ ଜୀବନ ତା’ର ସରି ନାହିଁ। ଆହୁରି ଗୋଟେ କି ଯୋଡ଼େ କ୍ଲାସ୍ ବାକି ରହିଛି। ଉଭୟ ବାପାମାଆ ତ ଚାକିରିଆ ନା ସେଇଥିଲାଗି ବହୁ ବିଳମ୍ବରେ ଅନ୍ୟ ଗୋଟେ ସନ୍ତାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ କେତନ ଡେରିରେ ଜନ୍ମଲାଭ କଲା।ସେଇ କେତନ ସହିତ ତା’ର ଟିକିଏ ଭଲ ସମ୍ବନ୍ଧ, ତା ସହ ସେ ଟିକିଏ ଖୋଲିକି ହସେ, ଭଲରେ କଥାହୁଏ।

ଏହି ଶୀତଳ ଜନ୍ମହେବା ପରେ ତାକୁ ମଣିଷ କରିବା ପାଇଁ ବାପାମାଆ ଦୁଇଟା ଯାକ ଆନେକ କଷ୍ଟ ଉଠାଇଛନ୍ତି। ଧାଈ ପାଖରେ ରହି ରହି ସେ ଏକରକମର ବଢିଛି। କାରଣ ଏଇଟା ଏକଦମ୍ ସତ କଥା ଯେ ଯେଉଁଠି ଉଭୟ ଦମ୍ପତ୍ତି ଚାକିରୀ କରନ୍ତି ସେଠି ପିଲାଛୁଆ ଟିକିଏ ହଇରାଣ ହରକତ ହୋଇଯାଆନ୍ତି, କାହିଁକିନା ପିଲା ସମ୍ଭାଳିବା ସହଜ ପାଠ ନୁହେଁ । ଏଇ ଶୀତଳ ପାଇଁ କ’ଣ ତାଙ୍କୁ କମ୍ ତ୍ୟାଗ ଓ କଷ୍ଟ କରିବାକୁ ପଡିଛି କି, ତଥାପି କଷ୍ଟେମଷ୍ଟେ ତାକୁ ମଣିଷ କରିଛନ୍ତି। ତେଣୁ ଆଉ ଗୋଟେ ପିଲା ପାଇଁ ଆଦୌ ମନ ବଳାଉ ନଥିଲେ।
ତେବେ ଶୀତଳ ଏକୁଟିଆ ଏକୁଟିଆ ସବୁବେଳେ ଅନୁଭବ କଲାରୁ, ଭାରି ଜିଦ୍ କଲା। ତେଣୁ ଘରକୁ ନବାଗତ ଅତିଥି ଭାବେ କେତନ ଆସିଥିଲା।

ଯାହାବି ହେଉ ସେମାନେ ପିଲାମାନଙ୍କୁ ଅର୍ଥରେ କେବେ ଅଭାବ ରଖି ନାହାଁନ୍ତି। ବଡ଼ ବଡ଼ ସ୍କୁଲ କଲେଜରେ ସବୁ ପଢ଼ାଇଛନ୍ତି। ଛୁଆ ଦୁଇଟାର ବି ଭାରି ତେଜ୍ ଦିମାଗ। ଟ୍ୟୁସନ ସାର୍ ତ ଯାହାକୁ ଯେତେ, ତେଣୁ ପାଠ କାହିଁକି ପଢ଼ିବେ ନାହିଁ।କିନ୍ତୁ ସମୟ। ଅବଶ୍ଯ ପିଲାମାନଙ୍କୁ ଏତେ ସମୟ ସେମାନେ ଦେଇ ପାରନ୍ତି ନାହିଁ। ସେଇଟାରେ କାହାରି ସେମିତି ଭୁଲ ନାହିଁ, ଯାହା ପରିସ୍ଥିତିର। ତେଣୁ ପିଲାମାନେ ଟିକିଏ ଜିଦିଆ ଓ ଫୁଲାଫାଙ୍କିଆ। ସେମାନେ ସେମାନଙ୍କ ମନକୁ ଯାହା ଆସିବ ତା କରିବେ, କିନ୍ତୁ ବାପାମାଆଙ୍କ କଥାକୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। ଅବଶ୍ଯ ସାନ ପିଲାଟା କଥା ଟିକିଏ ଅଲଗା କିନ୍ତୁ ଶୀତଳ ଜମା କାହା କଥା ଶୁଣିବ ନାହିଁ। ତା’ର ଯାହା ଇଚ୍ଛା ସେ ସେୟା କରେ ।

ସେ ଏତେ ଚିଡ଼ଚିଡ଼ା କାହିଁକି କି, ଏ ବାପାମାଆ ଦୁଇଜଣ ପରା ଦିନେ ବି ବିଦ୍ୟାଳୟର ଅଭିଭାବକ ସଭାକୁ ଯିବେ ନାହିଁ। କହିଲେ କହିବେ କ’ଣନା ସମୟ ନାହିଁ ନତୁବା ଚାକିରୀରେ ଛୁଟି ନାହିଁ। ଇଏ କହିବେ ବାପାଙ୍କୁ କହ, ସେ କହିବେ ମାଆଙ୍କୁ କହ। ତେଣୁ ରାଗିକି ଶୀତଳ କେବେ କାହାକୁ ଆଉ କିଛି କହେ ନାହିଁ। ତା କହିବା କଥା ହେଉଛି – “ତୁମେମାନେ ତ ବାପାମାଆ ହୋଇ ମୋତେ ସମୟ ଦେଉ ନାହଁ, ମୁଁ କାହିଁକି ଭଲମନ୍ଦ କଥାରେ ତୁମକୁ ପଚାରିବି। ତେଣୁ ମୋର ଯେଉଁଟା ଇଚ୍ଛା ମୁଁ ସେଇଟା ହିଁ କରିବି। ଏଥିପାଇଁ କାହାର ପରାମର୍ଶ ମୋତେ ଲୋଡ଼ା ନାହିଁ।”

ଝିଅ ଛୁଆଟା ହୋଇକି କ’ଣ ଏମିତି ହେଲେ ଚଳିବ? ବାପାମାଆ ଦିଟା ସେଇଥିପାଇଁ ସବୁବେଳେ ରାୟ ରାୟ ହୁଅନ୍ତି। ହେଲେ ଶୀତଳର କ’ଣ ଯାଏ ଆସେ, ତାକୁ କିଛି ଫରକ୍ ପଡେ ନାହିଁ।
ସେଦିନ ସେ ଥରେ କହିଲା -” ଯେମିତି ହେଲେ ବିଦ୍ୟାଳୟ ବାର୍ଷିକୋତ୍ସବକୁ ଦୁଇ ଜଣଯାକ ଯିବ। କାହିଁକିନା ମୁଁ ସ୍କୁଲ ଚାମ୍ପିଅନ୍ ଭାବେ ଏଥର ଟ୍ରଫି ପାଇବି। “

ସମସ୍ତେ ହଁ ହାଁ ମାରିଲେ, ହେଲେ କେହି ଭଲା ଯାଇଥା’ନ୍ତେ। ସେଇଥିରେ ଶୀତଳ ମୁହଁ ଫୁଲାଇ ଢେର୍ ଦିନ ହେବ ପଦେ ପଦେ ଶୁଣାଇଲା ପଛେ ହେଲେ ବାପାମାଆ ସହ ଠିକ୍ ରେ କଥା ହେଲା ନାହିଁ। ତେଣୁ ବାପାମାଆ, ଇଏ ତା ଉପରେ ସେ ଇଆ ଉପରେ ଦୋଷ ଲଦାଲଦି ହେଲେ – ତୁମେ ଗଲନି, ତୁମେ ଗଲନି ହୋଇ ।ହେଲେ ବାସ୍ତବରେ କେହି ତ ଗଲେ ନାହିଁନା।

ପ୍ଲସ୍ ଟୁ ପରେ ଶୀତଳ ଚାହୁଁ ଥିଲା ରାଜସ୍ଥାନ ଯାଇ ଡାକ୍ତରୀ ପାଠ ପାଇଁ କୋଚିଂ ନେବ। କିନ୍ତୁ ଇଏ କେହି ରାଜିହେଲେ ନାହିଁ। କହିଲେ – “ଏ ଥର ପାଇଲୁ ନାହିଁ ତ, ଝିଅ ଛୁଆଟା ଆଉ କାହିଁକି ସମୟ ବରବାଦ କରିବୁ, ବରଂ ଇଞ୍ଜିନିଅରିଂ ପାଇଛୁ ଏନ୍ ଆଇ ଟି ରାଉରେକଲାରେ ଏଡମିଶନ କରି ଦେ। “

ଠିକ୍ କଥା ଯେ ଇଞ୍ଜିନିୟରିଂ କିଛି ଖରାପ କଥା ନୂହେଁ। କିନ୍ତୁ ଢେର୍ ଦିନଯାଏ ଶୀତଳର ମନ ମୋଟେ ମାନିଲା ନାହିଁ। ସେ ଖାଲି ଫଁ ଫଁ ହେଲା। ତେଣୁ ବାପାମାଆଙ୍କ ସହ ଭଲରେ ବି ଆଉ କଥା ହୁଏ ନାହିଁ। ତା’ର ଏଇ ରାଗଟା ବଡ଼ ହେଲା ଯାଏ ରହିଲା। ତା’ର ଗୋଟିଏ ଅଭିଯୋଗ -” ତୁମେ ତୁମର ତୁମ ଇଚ୍ଛାର ପରିପୂର୍ତ୍ତି ପାଇଁ ସବୁ କରିବ, ହେଲେ ଆମର କଣ କିଛି ଇଚ୍ଛା ନାହିଁ। ହେଲେ ନା, ଏମାନେ ପରା କାହାରି ଇଚ୍ଛାକୁ ସମ୍ମାନ ଦେବେ ନାହିଁ।”
ପ୍ରକୃତ କଥା ସମସ୍ତଙ୍କର ଗୋଟେ ଚାହାତ ଥାଏ, ଇଚ୍ଛା ବୋଲି ଯାହାକୁ କୁହନ୍ତି। ସେଇଟା ପୂରଣ ନହେଲେ ମନରେ ଗୋଟେ ଅବସୋସ ରହିଯାଏ, ଯାହା ଶୀତଳ କ୍ଷେତ୍ରରେ ଘଟିଥାଇ ପାରେ ।

ଯାହାବି ହେଉ ଇଞ୍ଜିନିଅରିଂ ସରିଗଲା। କ୍ୟାମ୍ପସ୍ ସିଲେକ୍ସନ ବି ହେଲା। ସେ ଏବେ ବାଙ୍ଗାଲୋରରେ ସଫ୍ଟ ଓୟାର ଇଞ୍ଜିନିୟର। ଦରମା ଢେର୍। ସେତିକିରେ ତା’ର ଖୁସି ଯେ – ଯାହାହେଉ ତାକୁ ଆଉ ଘରେ ରହିବାକୁ ପଡ଼ିଲା ନାହିଁ। କାହିଁକିନା ବାପାମାଆଙ୍କୁ ସେ ଏତେ ସୁଖ ପାଏ ନାହିଁ।
ବାସ୍ତବରେ ପିଲାଟି ଦିନରୁ ସେ ନିଜକୁ ଭାରି ନିଃସଙ୍ଗ ଓ ଏକାକୀବୋଧ କରେ ।କାହିଁକିନା ସେ ସ୍ନେହ ମମତା ଠିକ୍ ରେ ପାଇ ନାହିଁ। ସତରେ ଏ ଜୀବନରେ କ’ଣ ଅଛି କହିଲେ? ଖାଲି ସ୍ନେହ ମମତା ଟିକକ ନା ଆଉ କିଛି? ସଂସାରରେ ରହି ଯଦି ସ୍ନେହ ମମତା ଟିକକ ନପାଇଲ ତେବେ ଜୀବନଟା ଅସାର ହେବା କଥା ନିଶ୍ଚୟ ହେବ। ସେଇଥିପାଇଁ କୁହାଯାଏ ନାହିଁକି-ଏ ସଂସାର ହେଉଛି ସ୍ନେହ ମମତାରେ ବନ୍ଧା।ସେଥିରୁ ଟିକେ ଊଣା ହୋଇଗଲେ ସବୁ ହେବେ ବଣା। ଏ ଭବ ସାଗରଟା ଚାରିଆଡ଼େ ଅନ୍ଧକାର ହିଁ ଅନ୍ଧକାର ଦିଶିବ।

ତେବେ ଶୀତଳର ଆଉ କୌଣସି କଥାକୁ ଏତେ ଉଦବେଗ ନାହିଁ। ଅବଶ୍ଯ ଦିନ ଥିଲା ସେ ବାପାମାଆଙ୍କୁ ଦିନେ କି ଘଡିଏ ନଦେଖିଲେ ରହିପାରେ ନାହିଁ, ତେଣିକି ସେମାନଙ୍କ ପାଖରେ ସମୟ ଥାଉ କି ନଥାଉ। ଆଜି କିନ୍ତୁ ସେ କଥା ନାହିଁ। ତା ସାଙ୍ଗସାଥି ଭଲ ତ ସେ ଭଲ। ବାପାମାଆ ଡାକିଲେ ବି ସେ ଘରକୁ ଆଉ ସେତେ ଯାଏ ନାହିଁ, ଖାଲି ଯାହା କେତେବେଳେ କେମିତି ଥରେ ଅଧେ ଯାହା। କାହିଁକିନା ଆଗରୁ ସିନା ସିଏ ଖାଲି ଝିଅ ପିଲାଙ୍କ ସହ ମିଶୁଥିଲା, ଏବେ ପରା ଚାକିରୀ କଲାଣି, ତେଣୁ ପୁଅଝିଅ ଉଭୟଙ୍କ ସହ ମିଶେ। ଯେତେବେଳେ ଯିଏ ସମୟ ଦେଲା ସେ ତା ସହ ସୁଖଦୁଃଖ ବାଣ୍ଟେ, ନିଜ ସମସ୍ୟା ବିଷୟରେ ମଧ୍ୟ ଅବଗତ କରାଏ। ତେଣୁ ତା’ର ଏବେ ସାଙ୍ଗମାନେ ସର୍ବସ୍ୱ। ସେମାନଙ୍କୁ ସେ ଅଧିକ ସମୟ ଦିଏ। ଏମିତି ଏମିତି ଜୀବନଟା ବଡ଼ ଗତିଶୀଳ ହୋଇ ଧାଉଁଥିଲା।

ଏହା ଭିତରେ ବୟସ ତାକୁ ଆସି ଅଠେଇଶି ଧରିଲାଣି, ସେ ଜାଣିପାରି ନାହିଁ। ଏଇ ସହରୀ ପାଠୁଆ ପିଲାଗୁଡ଼ାକ ପରା ସେୟା। ଏମାନଙ୍କର ସହଜରେ ଦାୟିତ୍ଵ ଜ୍ଞାନ ଆସେ ନାହିଁ, କାହିଁକିନା ଏମାନେ ଜୀବନରେ କଷ୍ଟ କ’ଣ ଶିଖିଲେ ନାହିଁ। ବେଶ୍ ସହଜ ସରଳ ଭାବେ ଏମାନଙ୍କର ଜୀବନ ଗଢ଼ା ହୋଇଥାଏ। ତେଣୁ ସଂସାର ଜ୍ଞାନ ଏମାନଙ୍କର ଟିକିଏ କମ୍।
ହେଲେ ଯେତେବେଳେ ଘନ ଘନ ଘରୁ ଫୋନ୍ ଆସିଲା କି – “ତୁରନ୍ତ ଘରକୁ ଆସେ। ତୋ ପାଇଁ ବରପାତ୍ର ଠିକ୍ ହୋଇଛି। ତୋର ବାହାଘର ହେବ।” ସେତେବେଳେ ଯାଇ ଶୀତଳର ଚେତା ପଶିଲା ଯେ – “ବୟସ ଗଡ଼ି ଯାଉଛି, ସେ ବିବାହଯୋଗ୍ୟା ହୋଇ ସାରିଲାଣି। “

ଏତେବେଳେ ଶୀତଳ ମନରେ ଭାବାନ୍ତର ସ୍ରୁଷ୍ଟି ହେଲା। ସେ କାହିଁକି ବାପାମାଆଙ୍କ ପ୍ରସ୍ତାବରେ ରାଜି ହେବ? ତା’ର କୋଉ କଥା ସେମାନେ ରଖିନ୍ତି ଯେ? ଭଲରେ ସମୟ ଟିକେ ଦେଇ ନାହାଁନ୍ତି ତ ଆଉ ଅନ୍ୟ କଥା ଛାଡ଼। ତେଣୁ ସେ ବାପାମାଆଙ୍କ କଥାକୁ ଟାଳିଲା। ସେମାନେ ଡାକି ଡାକି ଥକିଲେ, ଇଏ ଆଦୌ ଘରକୁ ଗଲା ନାହିଁ କି ତାଙ୍କ କଥା ପ୍ରତି କିଛି କର୍ଣ୍ଣପାତ କଲା ନାହିଁ। ମନେମନେ ଭାବିଲା – ନିଜେ ନିଜେ ସେ ତା ଜୀବନ ସାଥି ଚୟନ କରିବ। ତେଣୁ ଅଭିଯାନ ଆରମ୍ଭ କରିଦେଲା। ଅତୀତରେ କୋଉ ଟୋକା ତା ପଛରେ ପଡ଼ି ନାହାଁନ୍ତି ଯେ ସେ କଥା ନୂହେଁ, କିନ୍ତୁ ସେ ତାକୁ ହେୟଜ୍ଞାନ କରେ। ସେଥିପ୍ରତି ସେ ସେତେ ଧିସା ଦେଇ ନାହିଁ। ତା’ର ତ ଗୋଟେ ଲକ୍ଷ୍ୟ ପାଠ ପଢିବ, ଚାକିରୀ କରିବ, ବାପା ମାଆଙ୍କ ସହିତ ପ୍ରତିଯୋଗିତା କରି ଅଧିକ ରୋଜଗାର କରିବ, ଭଲ କାମ କରି ପ୍ରୋମୋସନ ନେଇ ଉଚ୍ଚ ପଦବୀରେ ବସିବ। ବାସ୍ ଏଇ ଏତିକି ହେଉଛି ଜୀବନ ବୋଲି ସେ ଆଗରୁ ବୁଝିଥିଲା।

ଏବେ ବୁଝୁଛି- ଲମ୍ବା ଜୀବନଟାକୁ ବୋହି ନେବାକୁ ହେଲେ ଜୀବନ ସାଥିଟିଏ ବି ଦରକାର, ଯାହା ସହ ସେ ସବୁକଥାରେ ସହଭାଗୀତା ଓ ସହଯୋଗୀତା କରିପାରିବ।
ଏଥର ମନେ ପଡ଼ିଲା – ତାରି ଅଫିସରେ ଗୌରବ କେମିତି ଆଦୌ ତା ପିଛା ଛାଡେ ନାହିଁ। ସବୁବେଳେ ତା ପାଖରେ ନସର ପସର ହେଉଥିବ। ଘର ଲୋକଙ୍କ ପାଇଁ ତାକୁ କିଛି କିଣିବାର ଥିଲେ, ତାକୁ ଅଠର ଥର ମାର୍କେଟ ଡାକିକି ନିଏ, କୁହେ ମୋ ମାଆଭଉଣୀ ପାଇଁ ଏଇଟା ଟିକେ ଚଏସ୍ କରିଦେଲ। ପୁଣି ଏକାଠି କେତେବାର ହୋଟେଲ୍ ରେସ୍ତୋରାଁରେ ବେଶ୍ ପାର୍ଟି କରିଛନ୍ତି। ଶୀତଳର କାହିଁ ଏବେ ତା ପ୍ରତି ଖୁବ୍ ଧ୍ୟାନ ଆକର୍ଷିତ ହୋଇଗଲା। ସେ ତ ଆଧୁନିକା ଝିଅ ତେଣୁ କଥା କହିବାରେ ଏତେଟା ଡର ବା ସଙ୍କୋଚ ବୋଧ ତା’ର ନାହିଁ। ସେଦିନ ସିଧା ଯାଇ ଗୌରବକୁ କହିଲା – “ଆଜି ମୁଁ ତୁମକୁ ଗୋଟେ ଟ୍ରିଟ ଦେବି। ମୋ ସହ ହୋଟେଲ ଯିବ? “

ଗୌରବ ତ ସେମିତିକା ପିଲା। ତେଣୁ ତା ମନ ଆଜି ବହୁତ ଖୁସି – “ଯାହା ହେଉ ଏ ରଣଚଣ୍ଡୀ ଆଜି ଗେହ୍ଲେଇକି କଥା ହେଲା। ପୁଣି ତା ତରଫରୁ ଟ୍ରିଟ ଦେବାକୁ ଡାକୁଚି।”

ଏଇଟା ନିଶ୍ଚୟ ତା ମନରେ ଉତ୍ସୁକତା ଭରି ଦେଇଥିବ। ହୋଟେଲରେ ଭଲ ଭଲ ଡିସ୍ ମଗେଇଦେଲା ପରେ ଖାଉ ଖାଉ ଶୀତଳ କହିଲା -” ତୁମେ ମୋତେ ପସନ୍ଦ କର?”

-“ହଁ, ଖୁବ୍ ପସନ୍ଦ କରେ।”

-” ବାହାହେବାକୁ ଚାହିଁବ?”

-” (ଟିକେ ଆଗ ପଛ ଭାବିକି)ହଁ… ନିଶ୍ଚୟ… ଯଦି ତୁମର କିଛି ଆପତ୍ତି ନଥାଏ। “
ବାସ୍ ସେଇ ସେତିକି। ପ୍ରେମ ହୋଇ ଗଲା। ଆଉ କେହି କାହାକୁ ଦଣ୍ଡେ ଘଡିଏ ଛାଡ଼ିଲେ ନାହିଁ। ପ୍ରେମ ନିଶାରେ ପୂରା ମତୁଆଲା ରହିଲେ। ଉଭୟ ଉଭୟଙ୍କ ଫ୍ଲାଟ୍ କୁ ଯିବା ଆସିବା ଗତି ବିଧି ବି ବଢ଼ିଲା। ଜୀବନକୁ ଉପଭୋଗ କରିବା ଆରମ୍ଭ କରିଦେଲେ। ବିଦେଶ ମାଟି ତ, କେହି ରୋକ୍ ଟୋକ କରିବାକୁ ଘର ଲୋକ ନାହାଁନ୍ତି। ଏଇ ସୁଯୋଗରେ ଗୌରବ ବାଙ୍ଗାଲୋରରେ ଗୋଟେ ଫ୍ଲାଟ୍ କିଣିଲା, କିନ୍ତୁ ଅଧା ପଇସା ଶୀତଳ ବି ଦେଇଛି। ରୁଣ ରାଶି ବି ଉଭୟ ଶୁଝୁଛନ୍ତି।
ଘରେ ମାଆ କଥାଟା କାହା ପାଖରୁ ନା କାହା ପାଖରୁ ଶୁଣିଲେ। କହିଲେ – “କଥା ତାହେଲେ ଢେର୍ ବାଟ ଆଗେଇ ଯାଇଛି। ଠିକ୍ ଅଛି ତୁ ତ କାହାରି କଥା ଶୁଣିବୁ ନାହିଁ, ତୋତେ ଏଇଲାଗେ କହିଲେ ତୁ କ’ଣ ଆମ କଥାରେ ଆଉ ସେ ଟୋକାକୁ ଛାଡ଼ି ପାରିବୁ। ତେବେ ତାକୁ କହ ସେ ବାହାହେଉ। କେବେ ବାହାଘର ହେବ ତାକୁ ମୋ ସହ କଥା କରା।”

ଟୋକାକୁ ଯେତେବେଳେ ଶୀତଳ କହେ – “ମାଆ ସହ କଥା ହୁଅ, ତୁମ ଘରେ ବି କୁହ, କେବେ ଆମେ ବାହା ହେବା ସ୍ଥିର କର। “
ଗୌରବ ଆଉ ନାଁ ଗନ୍ଧ ଧରେ ନାହିଁ। ଖାଲି ତ କଥାଟାକୁ ଏଣୁତେଣୁ କହି କାଟିଲା। ଶେଷରେ ଏ କମ୍ପାନୀ ଛାଡ଼ି ହାଇଦରାବାଦରେ ଆଉ ଗୋଟେ କମ୍ପାନୀରେ ଯୋଗ ଦେଲାଣି। ଏଣିକି ଶୀତଳ ସହିତ ସମ୍ପର୍କ ବି ସେମିତି ସେମିତି। ଫୋନ୍ ରେ ଏଣୁତେଣୁ କହି କାଟି ଦିଏ ନହେଲେ ମୋଟେ ଉଠାଏ ନାହିଁ। ଶୀତଳ ଜାଣିଲା ପରିସ୍ଥିତି ସଙ୍ଗିନୀ ହେବାକୁ ଯାଉଛି। ତେଣୁ ତା ମୁଣ୍ଡ ଆଉ କାମ କଲା ନାହିଁ। ସେ ବାଧ୍ୟ ହୋଇ ଗୌରବର ବାପା ମାଆ ସହ ଫୋନ୍ ରେ କଥା ହେଲା। କହିଲା – “ଆମେ ସହବାସ ସମ୍ବନ୍ଧରେ ରହି ସାରିଲୁଣି। ଏବେ ସେ ଦୂରେଇ ଯାଉଛନ୍ତି। ଦୟାକରି ଆପଣମାନେ ଆମର ବାହାଘର କରାନ୍ତୁ।”

ଏତିକିରେ ଗୌରବ ବାପା ତ ଯାହା କହିଲେ କହିଲେ, କିନ୍ତୁ ତା ମାଆ – “ଛତିରୀ! ବେଶ୍ୟା!! ବାରବୁଲି!!! ତୋତେ ଆମ ଘରେ ବୋହୂ କରିବୁ” କହି ଫୋନ୍ କାଟିଦେଲେ ଯେ ଆଉ ଆଦୌ ଉଠାଉ ନାହାଁନ୍ତି।

ଗୌରବ ବି ତାଙ୍କ ବାପମାଆ ଠାରୁ କ’ଣ ଗାଳି ଖାଇଲେ କେଜାଣି ସେ ଶୀତଲକୁ ବଡ଼ ଜୋର୍ ରେ ଗାଳିଗୁଲଜ କରି ଫୋନ୍ କୁ ବ୍ଲକ କରି ଦେଇଛନ୍ତି। ଶୀତଳର ସମସ୍ତ ଚେଷ୍ଟା ଏବେ ବିଫଳ।

ଶୀତଳ ଦିନେ ଖବର ପାଇଲେ- ଗୌରବ ବାହା ହେବା ପାଇଁ ବଲାଙ୍ଗୀର ଯାଇଛନ୍ତି। ସେ ତୁରନ୍ତ ଖବର ପାଇ ଫ୍ଲାଇଟ୍ ଧରି ଭୁବନେଶ୍ବରରେ ପହଁଞ୍ଚିଲେ ବାପାମାଆଙ୍କୁ କାନ୍ଦିକାଟି ସବୁକଥା କହିଲେ। ବାପା ମାମୁ, ପିଉସା ସମସ୍ତଙ୍କୁ ଡାକି ବଲାଙ୍ଗୀର ବାହାରିଲେ। କିନ୍ତୁ ପହଞ୍ଚିଲା ବେଳକୁ ବାଟ ପାନ ଦୋକାନରୁ ଖବର ପାଇଲେ – ତାଙ୍କ ଘରେ ଆଜି କେହି ନାହାଁନ୍ତି, ଦ୍ଵାର ମୁହଁରେ ତାଲା ପଡ଼ିଛି। କାହିଁକିନା ତାଙ୍କ ପୁଅର ଆଜି ସମ୍ବଲପୁରରେ ଗୋଟେ ଝିଅ ସହ ସମ୍ବଲପୁର ଠାରେ ଲଗ୍ନ ହେଉଛି।”

ମୁହଁ ଛତୁ ହୋଇଗଲା। ଘରକୁ ଫେରି ଆସି ସମସ୍ତେ ବୈଠକିଖାନାରେ ବସି ପଡ଼ିଲେ । କାହାରି ମୁହଁରୁ କଥା ବାହାରୁ ନଥାଏ । ଶୀତଳ ମାଆଙ୍କୁ କୁଣ୍ଢାଇ ଧରି ଭୋ ଭୋ ହୋଇ କାନ୍ଦୁଛି। ମାଆ ବି ଆର୍ତ୍ତନାଦରେ ଚିତ୍କାର କରୁଛନ୍ତି। କିନ୍ତୁ ଶୀତଳ ଉପରେ ଦୋଷ ଲଦୁଛନ୍ତି। ଏକଥା ଶୁଣିଶୁଣି ବାପା ମାଆ ଉପରେ ବି ତାନତୋଡ଼ ଦେଖାଉଛନ୍ତି।

ପିଉସା କିନ୍ତୁ ବୟସ୍କ ଲୋକ, ସେ ଭାରି ହିସାବୀ। କହିଲେ – “ତୁମେ ଦୋଷ ଛଡାଛଡି ହୋଇ ଆଉ ବାହାନାବାଜି ମାର ନାହିଁ। ତୁମ ସମସ୍ତଙ୍କ ଘନପଣ ମୁଁ ବୁଝିଲିଣି । ମୋତେ ଖାଲି କୁହ – ଛୁଆଟା କାହିଁକି ଆଜି ନିଜ ଇଚ୍ଛାରେ ଏତେ ବଡ଼ ନିଷ୍ପତ୍ତି ନେବାକୁ ସାହସ କଲା। ତୁମେ ଦିଜଣ ବାପାମାଆ ହୋଇଛ ପରା ସ୍ନେହମମତାର ଛୁଆକୁ ବାନ୍ଧିକି ରଖିଥାନ୍ତ ସିନା । ହେଲେ ସେତକ କଲ ନାହିଁ। ଖାଲି କ’ଣନା – ପଇସା। ଆମର ପଇସା ଅଛି ତେଣୁ ସବୁ କିଣି ପାରିବୁ। ସେମିତି ହୁଏ ନାହିଁ। ବାସ୍ତବରେ ସ୍ନେହ ମମତାଟା ବଡ଼। ସେଇ ସେତକ ରହିଲେ ଦୁନିଆଟା ଉପରେ କର୍ତ୍ତୁତ୍ବ ରହେ, ସମସ୍ତେ ଠିକଣା ବାଟରେ ଚାଲନ୍ତି। ତା ଅଭାବରେ ଦୁନିଆରେ ଏମିତି ହଟ୍ଟଗୋଳ ସବୁବେଳେ ଲାଗିରହେ ଆଉ ଲାଗି ରହିଥିବ। କେହି କିଛି କରିପାରିବ ନାହିଁ। ଏବେ ବି ବେଳକାଳ ଅଛି ସବୁ ସୁଧୁରି ଯାଅ, ନହେଲେ ଆହୁରି କେତେ ସବୁ ଅଘଟନ ଘଟିବ। “
ଶୀତଳ ଆଡକୁ ଦୃଷ୍ଟି ଫେରାଇ ପୁଣି କହିଲେ -” ତୁ ବି ମାଆ ଶୀତଳ ବୁଝୁ। ଭଲ ପାଇବାଟା ଏମିତି ଜିନିଷ ନୂହେଁ ଯେ ଗୋଟେ ଥର ହୋଟେଲରେ ବସି କହିଦେଲେ – “ମୁଁ ତୋତେ ଭଲ ପାଏ, ତୁ ମୋତେ ଭଲ ପାଉ?” ସମ୍ପର୍କଟା ହୋଇଯାଏ ନାହିଁ। ଏଥିପାଇଁ ଲମ୍ବା କସରତ କରିବାକୁ ପଡ଼େ। ତେବେ ଯାଇ ଭଲ ପାଇବାଟା ବୃଦ୍ଧି ଘଟେ। ମୁଁ କହୁ ନାହିଁ ଭଲ ପାଇବାଟା ଖରାପ ଜିନିଷ, କିନ୍ତୁ ତୋ ତରିକାଟା ଭୁଲ ଥିଲାରେ ମାଆ!

ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଗଲା। ମଉନେ ସମ୍ମତି ଲକ୍ଷଣ। ହେଲେ ପରିସ୍ଥିତି ବଡ଼ ବିପର୍ଯ୍ୟୟ ଆଡ଼କୁ ଟାଣୁଥିଲା।

ହେଲେ ଶେଷ ବାଣୀତକ ପିଉସାଙ୍କର ଭାରି ଶାନ୍ତିପ୍ରଦ ଥିଲା। କହିଲେ – ତଥାପି ମୁଁ କହୁଛି, କିଛି ବି ହାତରୁ ପାଞ୍ଚେ ଖସି ନାହିଁ। କାହିଁକିନା ମୁଁ ଏପର୍ଯ୍ୟନ୍ତ ମୋ ବୁଦ୍ଧିବାଟ କିଛି ଲଗାଇ ନାହିଁ। ମୁଁ ବି ମନେମନେ ଚାହୁଁଥିଲି ତୁମେମାନେ ଏମିତି ପାନେ ପାନେ ପାଅ, ଠିକିଲେ ପୁଅ ବୁଦ୍ଧି ଅକଲ ବଳେ ଶିଖିବ। ସେଥିପାଇଁ ମୁଁ ପରାଜିତ ସୈନିକର ପରାଭବ ନେଇ ନୀରବରେ ଫେରି ଆସିଲି। ତେବେବି ମୁଁ ଦେଖୁଛି, ପରିସ୍ଥିତିକୁ କେମିତି ଲଗାମ୍ ଦେଇ ହେବ। ଏବେ ସମସ୍ତେ ଖାଇପିଇ ଶାନ୍ତିରେ ଶୁଅ। ମୁଣ୍ଡ ଆଗ ଥଣ୍ଡା ହେଉ। ହେଲେ ଥଣ୍ଡା ମସ୍ତିଷ୍କରେ ଉପାୟଟା ନିଶ୍ଚୟ ଭାବ ।

Related posts

Pandit Tarago

satya

ଭୁଲ କି ଭୁଲ

satya

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

Login

X

Register