Satya Prakash
Uncategorised

ପାଇଚ୍ଛା

ପାଇଛ୍ଛା
——by ସତ୍ୟ ପ୍ରକାଶ ସେଠୀ
ପାଇଚ୍ଛା।ଏକ ଅଦ୍ଭୁତ ଚରିତ୍ର। ବାସ୍ତବରେ ସେ ବାଦଶାହା। ଗାଁ ଟାଉଟରଙ୍କ ଭିତରେ ସେ ପାଇଚ୍ଛା। ଦଣ୍ଡକେ ବାର ଘର ଭାଙ୍ଗି ତେର ଘର ଯୋଡ଼ି ଦେବାର କ୍ଷମତା ତା’ର ଅଛି । ତେଣୁ ଗାଁ ଗୋଟାକରେ ତା’ର ଭାରି ନାଁ। ନାଁ କ’ଣ କି ହୋ! ଗୋଟେ ଡର ।କାରଣ ଯଦି ପାଇଚ୍ଛାକୁ ହାତରେ ନ ରଖି ପାରିଲ ତେବେ ନିଶ୍ଚୟ ମଲ ଜାଣ । ତେଣିକି ଯମ ଯନ୍ତ୍ରଣା ଭୋଗିବାକୁ ପଡ଼ିପାରେ। ଯେମିତି ହେଲେ ସେ ତୁମକୁ ଅଡ଼ୁଆରେ ପକାଇବ। ତା ବୁଦ୍ଧିକୁ ମାନିବାକୁ ପଡ଼ିବ। ବୁଦ୍ଧିର ସବୁତକ ଗନ୍ତାଘର ସେ। ତାକୁ ନ ଧରିଲେ କୌଣସି ସମସ୍ୟାର ସମାଧାନ ହେବ ନାହିଁ। ଆହୁରି ବରଂ ଅଡୁଆ ସୂତା ପରି ସବୁତକ ସମସ୍ୟା ବୁଣି ହୋଇ ପଡିବ, ହେଲେ ସମାଧାନର ବାଟ ଫିଟିବ ନାହିଁ ।
ପାଇଚ୍ଛା ପାଗଳା ବା’ର ପୁଅ। ତା’ ମୁଣ୍ଡଟା କିନ୍ତୁ ପାଗଳା ନୂହେଁ। ଗଣେଶ ମୁଣ୍ଡିଆ। ଭାରି ଟାଣ। ବିଦ୍ୟା ବୁଦ୍ଧିର ଠଣା। ସବୁ କଥାର ହେତୁ ନିରୂପଣ କରିବାରେ ସେ ସିଦ୍ଧହସ୍ତ । ରାଜା ଭଳି ତା’ର ଚେହେରା। ତେଣୁ ବାପା ମାଆ ଯଥାର୍ଥରେ ଜାଣିଶୁଣି ତା ନାଁ ପାଇଛ୍ଛା ରଖିଥିଲେ। ପୁଣି ପାଇଛ୍ଛା ନାଁର ସାର୍ଥକତା ତାକୁ ରକ୍ଷା କରିବାକୁ ହେବ ନା! ସେଥିପାଇଁ ତା’ର ମନରେ ଗୋଟେ ଗର୍ବ। ପ୍ରବିଣତା ଓ ଚତୁରତା ତା’ର ପାଇଚ୍ଛାପଣ। ସେଣିକି ସେ ଶିଆଳ ବୁଦ୍ଧିଆ ହେଉ ବା ଗଣେଶ ବୁଦ୍ଧିଆ। ବୁଦ୍ଧିମତ୍ତା ତା’ ର ଗୁଣ। ପିଲାଟି ଦିନରୁ ଗୋଟେ ଗୋଡ଼ ତା’ର ଛୋଟ। ତେଣୁ ଛୋଟେଇ କି ଚାଲେ। କିନ୍ତୁ ପେଙ୍ଗେଇ ପେଙ୍ଗେଇ ଝପଟେଇକି ଚାଲି ନିମିଷକେ ସେ ଗାଁ ଗୋଟାକ ବୁଲି ଆସିବ। ଚାଲିରେ ତାକୁ କେହି ପାରିବେ ନାହିଁ। ଗାଁଟାଯାକର ଖବର ତା’ ପାଖରେ।କାହା ବାଡ଼ିରୁ କଖାରୁ ଚୋରି ହେଲା, କାହା ପୋଖରୀରୁ ମାଛ କିଏ ଚୋରେଇ ନେଲା, କେଉଁ ଭାଇ ଭାଇ ଭିତରେ କଳି ତକରାଳ ହେଲା ବା ଯା ଯା ଭିତରେ ଝଗଡ଼ା ଝାଣ୍ଟି – ସବୁ ଖବର ତା ପାଖରେ। ପଚାରି ବସିଲେ ସେ ପରା ପାଲା ଗାୟକ ଭଳି ସବୁ ଗାଇ ଦେବ। ସେ ପୁଣି ପାଲା ଦଳରେ ଶ୍ରୀପାଳିଆ ଓ କୀର୍ତ୍ତନ ଦଳର ମୁଖିଆ। କଣ୍ଠଟା ତା’ ର ଟିକିଏ ମୋଟା ହୋଇଥିବାରୁ ହରି ନାମ ସେ ଭଲ ଧରେ। ବିନା ମାଇକରେ ବଡ଼ ପାଟିରେ ଭଲ ସ୍ଵର କରେ। ତା’ ରଡିରେ ଗାଁ ଗୋଟାକ ଦୁଲୁକି ଉଠେ। ସେ ନାମକରା ସ୍ଵର ସମ୍ରାଟ। ତେଣୁ ତା’ର ଖାତିର ବେଶି।
ପାଇଚ୍ଛା ପାଲା ଗାଇବାକୁ ଅଧିକାଂଶ ବେଳେ ଯାଏ। ପୁଣି ଫଗୁ ମାସରେ ଚାରିଆଡ଼େ କୀର୍ତ୍ତନ ଉତ୍ସବ ଲାଗିଯାଏ। ସେ କୀର୍ତ୍ତନ ଦଳ ଧରି ସଙ୍କୀର୍ତ୍ତନରେ ବାହାରି ପଡ଼େ। ଭଲ ଦୁଇ ପଇସା ମିଳେ ଓ ତା’ ସହିତ ବି ବକ୍ସି। ସେଇ ସେତିକିରେ ସେ ବର୍ଷକ ପାଇଁ ଅମଳ ସଂଗ୍ରହ କରେ। ନିଅଣ୍ଟିଆ ପଡ଼ିଲେ ତାକୁ ଚିନ୍ତା ଅନୁକୋଟି ଘାରେ। ତେଣୁ ସେ ପର ଛିଦ୍ର ଖୋଜେ। ପରଷ୍ପରକୁ କଳି ଲଗାଇ ଫାଇଦା ନେବାକୁ ଚେଷ୍ଟା କରେ। ଏଇଟା ବି ତା’ର ଗୋଟେ ରୋଜଗାରର ପନ୍ଥା। ଜୀବନ ନିର୍ବାହ କରିବାର ମାଧ୍ୟମ।
ହେଲେ ଯେତେବେଳେ ତା’ ପାଖରେ କାମ ଧନ୍ଦା କିଛି ନ ଥାଏ ସିଏ ବୋକାଙ୍କ ପରିକା ନିଜ ଦାଣ୍ଡ ପିଣ୍ଡାରେ ବସି ପଡ଼ିଥାଏ। ଗୋଡ ଉପରେ ଗୋଡ଼ ପକାଇ ଦେଇ କାନ୍ଥକୁ ବା ଖୁଣ୍ଟକୁ ଆଉଜି ସେ ବସି ରହି ଆକାଶକୁ ଚାହିଁ ରହିଥାଏ। ପୁଣି ପାତି ମାଙ୍କଡ଼ ଭଳିଆ ଏପଟ ସେପଟକୁ ଚାହିଁ ରହି କ’ଣ ସବୁ ନିରିକ୍ଷଣ କରୁଥାଏ। ନତୁବା ବେଳେବେଳେ ଦାନ୍ତ ନିକୁଟେଇ ନିଜକୁ ନିଜେ ହସୁଥାଏ ବା ମେଞ୍ଚାଏ ଖଣ୍ଡ କ’ଣ ଭାବୁଥାଏ। ତା’ର ଏହି ଭାବମୂର୍ତ୍ତିଟା କିନ୍ତୁ ଭାରି ବିପଦଜ୍ଜନକ। କାରଣ ସେ ଯେତେବେଳ ପିଣ୍ଡାରେ ବସି ଗୁରୁ ଗମ୍ଭିର ହୋଇ କ’ଣ ଭାବେ ସେତେବେଳ କାହାରି ନା କାହାରି ଭେକାଳ ନିଶ୍ଚିତ ବୁଡେ। ତାଙ୍କର ଏହି ଭାବପୂର୍ଣ୍ଣ ମୁଦ୍ରାଟି ଅନ୍ୟର ବିନାଶ କାଳକୁ ଟାଣି ଆଣେ।
ସେ ଯେତେବେଳେ ଏହି ଭାବ ରାଜ୍ୟରୁ ବାହାରନ୍ତି ସଳଖି ଛିଡ଼ା ହୁଅନ୍ତି। ତା’ପରେ ସନ୍ଧ୍ୟା ଅବନତ ହେଲା କ୍ଷଣି ସିଧା ବାଟ କାଟନ୍ତି ଘୋଷ ବୁଢ଼ାର ଢେଙ୍କି ଶାଳକୁ। ସେଇ ଢେଙ୍କି ଶାଳ ହେଲା ଘୋଷ ବୁଢ଼ାର ଗୁମୁଟି ବା ଗାଁ ମାମଲତକାରଙ୍କ ଟୁଙ୍ଗି। ସେଇଠି ଘୋଷ ବୁଢୀ ନାଲି ଚା ସାଙ୍ଗକୁ ମୁଡ଼ି ଦୁଇଟା ଭସେଇ ଆଣି ଦେଇଯାଏ ଆଉ ତା’ ସାଙ୍ଗକୁ କଠେ ବିଡ଼ି। ବିଡ଼ି ଧୂଆଁ ଛାଡ଼ୁଛାଡୁ ପାଇଚ୍ଛା ଆରମ୍ଭ କରେ ଅମୁକ କଥାକୁ ସମୁକ ହେଲା। ଗାଁ ଗୋଟାକର ହାଲଚାଲ ନେଲା ପରେ ପରବର୍ତ୍ତୀ ଖସଡା ପ୍ରସ୍ତୁତ ହୁଏ।
ଏହି ଘୋଷ ବୁଢ଼ା ହେଲା ଗାଁ ମାମଲତକାର ମାନେ ମୁଣ୍ଡିଆଳୁ। ଯାହାକୁ ଗାଁ ମୁଖିଆ କହନ୍ତି। ଗାଁ ନ୍ୟାୟ ଦରବାରରେ ତା କଥାଟା ରହେ। ସେ ଉଭୟ ପକ୍ଷଙ୍କୁ ଶୁଣି ଶେଷରେ ଶୁଣାଣୀ ଶୁଣାନ୍ତି। ତାଙ୍କ ନିଷ୍ପତ୍ତିଟା ଶେଷ ନିଷ୍ପତ୍ତି। ତାକୁ ଅବମାନନା କଲେ କୋର୍ଟ କଚେରୀ ଚକ୍କରରେ ପଡ଼ି ହରଡ଼ଘଣାରେ ପଡ଼ି ଛଟପଟ ହେବା ସାର ସିନା ହୁଏ କିନ୍ତୁ ଫଳ କିଛି ମିଳେ ନାହିଁ। ତେଣୁ ଘୋଷ ବୁଢ଼ା ନିଷ୍ପତ୍ତି ବିରୁଦ୍ଧରେ ଯିବାର ସାହସ ସମସ୍ତଙ୍କର ହୁଏ ନାହିଁ। ଘୋଷ ବୁଢ଼ାର ନିଷ୍ପତ୍ତିକୁ ବଦଳେଇବା ଲୋକ କେବଳ ପାଇଚ୍ଛା।କାରଣ ସେ କଥାକୁ ରୋଇ କି ଏମିତି ଥୋଇ ଦେଇଥିବ ଯେ ବିଶ୍ବାସ ନ କଲା ଲୋକ ତା କଥାକୁ ବିଶ୍ବାସ କରିବାକୁ ବାଧ୍ୟ। ସଜ ମାଂସରେ ପୋକ ପକାଇ ଦେବା ଲୋକ ସେ। ତେଣୁ ତା ମନ୍ତ୍ରଟା ଭଲ କାମ କରେ। ଲୋକ ପରା ନିଜ ହାନିଲାଭ ପାଇଁ ଘୋଷ ବୁଢ଼ାକୁ ଛାଡି ଆଗ ତା’ର ଦ୍ୱାରସ୍ଥ ହୁଅନ୍ତି। ନ ହେଲେ ସେ ନ୍ୟାୟର ମଙ୍ଗଟାକୁ ଏମିତି ମୋଡ଼ି ଦେଇଥିବ ଯେ ଆଉ ନିଜ ସପକ୍ଷରେ ନ୍ୟାୟ ଯିବା ମୁସ୍କିଲ୍ ହୋଇଯିବ। ଯେତକ ଘର ଭଙ୍ଗା ଓ ନ୍ୟାୟଗିଳା କାମ ସବୁ ତା’ର। ଅର୍ଥ ପାଇଁ ସବୁ କାମ ସେ କରିପାରେ। କଳାକୁ ଧଳା କରି ସଙ୍ଗେସଙ୍ଗେ ସେ ଛିଡ଼ା କରି ଦେବ। ସେ ପାରିବାରପଣ ତା ପାଖରେ ଅଛି। ତେଣୁ ତ ସେ ଓସ୍ତାଦଙ୍କର ଓସ୍ତାଦ। ସବୁ ଗାଁରେ ଏମିତିକା ଦଳେ ଲୋକ ଥାଆନ୍ତି। ଏମାନେ ନ୍ୟାୟ ନିଶାପରେ ଭାରି କାର୍ପଟଦାର। ଘରେ ପଛେ ଛିଣ୍ଡା କର୍ପର୍ଦ୍ଦ ଖଣ୍ଡେ ନ ଥାଉ କିନ୍ତୁ ସଭା ସମିତିରେ ଭାରି ଭାଷଣ ମାରନ୍ତି। ଯେମିତିକି ସାତ ଖଣ୍ଡ ଜାହାଜ ୟାଙ୍କର ଚାଲିଛି। ୟାହାପ ଭାରି ଫୁଟାଣିଆ। ଖାଲି ଫୁଟାଣି ଟିପ୍ପଣୀ ଝାଡ଼ିବେ। ଆହୁରି ଏମାନେ ପାଠସାଠ ଦୁଇ ଅକ୍ଷର ପଢ଼ିଥିଲେ ଦୁନିଆଟାକୁ ଖାଲି ଉଠାଉଥାନ୍ତେ ଆଉ ପକାଉଥାନ୍ତେ। ଦଇବ ଏମାନଙ୍କୁ କେମିତି ସହିଛି କେଜାଣି।
ସେଦିନ ଘଟଣାକ୍ରମେ ଗୋଟେ ଘଟଣା ଘଟିଲା। ଶାବି ଖୁଡୀ ସହ ପାଇଚ୍ଛା ସ୍ତ୍ରୀ ପାକିଲିର ଗୋଟେ ଛୋଟ ଘଟଣାକୁ କେନ୍ଦ୍ର କରି ଝଗଡ଼ା ହେଲା। ପିଲାଖେଳ ଓ ଧୂଳିଘରକୁ ନେଇ ତାଙ୍କର ଏଇ କଳି। ପ୍ରତି ମାଆ ନିଜ ମାତୃତ୍ୱର ଦ୍ୱାହି ଦେଇ ନିଜ ଛୁଆ ସପକ୍ଷରେ ଯୁକ୍ତି ବାଢନ୍ତି। ଏହା କିଛି ନୂଆ କଥା ନୂହେଁ। ସବୁ ସ୍ୱାଭାବିକ। ପୁରୁଣା ପାଠର ଆଲୋଚନା। ତେବେ ପାଇଚ୍ଛାର ରାଗ ବ୍ରହ୍ମ ଚଣ୍ଡାଳ। ସେ ନିଜ ସ୍ତ୍ରୀର ଏହି ହାରଟାକୁ ସହଜରେ ଗ୍ରହଣ କରି ପାରିଲା ନାହିଁ। କାରଣ ଗାଁ ଗୋଟାକର ତା’ର ଖାତିରି। ତାକୁ ଡରରେ ସହଜରେ କେହି ହୁଡନ୍ତି ନାହିଁ। ମନେ ମନେ ଉପାୟ ପାଞ୍ଚିଲା। ତାକୁ ପାନେ ଚଖେଇବାକୁ ଯୋଜନା କଲା।
ତା ପର ଦିନ ବିଲକୁ ହଳ କରିବାକୁ ଗଲା।। ଯେତେବେଳେ ସବୁ ହଳିଆ ହଳ କରି ଘରକୁ ଫେରିଲେ, ତା’ପରେ ଯାଇ ସେ ହଳ ବଳଦ ଫିଟେଇଲା। ନିଛାଟିଆ ଖରା ବେଳ, କେହି କୁଆଡ଼େ ନାହାନ୍ତି। ଏଇ ସୁଯୋଗରେ ଗାମୁଛାରେ ବାନ୍ଧି ରଖିଥିବା କୁରାଢ଼ି ଖୋଲିଲା।ସେଥିରେ ଶାବି ଓ ଭୈରବ ହିଡ ମଝିରେ ଥିବା ଭୁଣ୍ଡା ପଳାଶ ଗଛଟାକୁ ଚୋଟ ମାରି ତଳେ ପକାଇ ଦେଲା। ଗଛଟାକୁ ଗଡ଼ କରି ସବୁ ଶାବି ବିଲରେ ଥୋଇଲା। ସେଇଥିରୁ ଝଟାମଟା କେରେ ଉଠାଇ ଆଣି ମଧ୍ୟ ଶାବି ପାଳ ଭିତରକୁ ଫିଙ୍ଗି ଦେଇ ଆସିଲା।
ଘଟଣାଟା ଆଉ କିଛି ବୁଝା ପଡ଼ିଲା ନାହିଁ। ହେଲେ ଗାୟଳ ଛୁଆ ଯେତେବେଳେ ଗୋରୁ ଆଡ଼େଇ ଘରକୁ ଫେରିଲେ ଚାରିଆଡ଼େ ପ୍ରଘଟ କରିଦେଲେ ଯେ ଭୈରବ ହିଡରୁ ଗଛଟା କାଟି ଶାବି ନେଇଯାଇଛି। ତା ବିଲରେ ଗଛଟା ପଡିଛି। ଏତିକିରେ ପ୍ରଳୟ। ଭୈରବ ସ୍ତ୍ରୀ ବେଲ ଓ ଶାବି ଲଢ଼ାଲଢ଼ି ହୋଇ ଖଣ୍ଡିଆ ଖାବରା ହେଲେ। ଆରୋପ ପ୍ରତ୍ୟାରୋପ ଚାଲିଥାଏ। ହେଲେ ପାଇଚ୍ଛା ଦାଣ୍ଡ ପିଣ୍ଡାରେ ବସି ଦାନ୍ତ ନିକୁଟି ଥାଏ, ଯେମିତି ପୁଅ ମୋର କିଛି ଜାଣି ନାହିଁ। କଳିଆ ନାରଦଙ୍କ ଓସ୍ତାଦି ଏମିତି। ଏମିତି ଚକ୍ରବ୍ୟୁହ ରଚି ଅନ୍ୟମାନଙ୍କ ମଧ୍ୟରେ କଳି ଲଗାଇ ନିଜେ ମଜା ଦେଖନ୍ତି ବା କେତେବେଳେ ପ୍ରତିଶୋଧ ନିଅନ୍ତି।
କଥାଟା ବଡ ଆକାର ଧରିବାରୁ ରାତିକୁ ଗାଁ ନିଶାପ ହେଲା। ପ୍ରଥମେ ସାବ୍ୟସ୍ତ କରିବାକୁ ହେଲା ଗଛ କାହାର। କେହି କେହି କହିଲେ ମଝି ହିଡରେ ଥିବାରୁ ଗଛଟା ଉଭୟଙ୍କର ଅଧା ଅଧା ଭାଗ। କିନ୍ତୁ ପାଇଚ୍ଛା କହିଲା – ଭୈରବ ବିଲକୁ ତଳ ମୁହାଁ ହୋଇ ଶାବି ବିଲକୁ ପାଣି ଆସେ। ତେଣୁ ଉପର ବିଲ ଯାହାର ହିଡ କତି ତାହାର ଅର୍ଥାତ୍ ବିଲର ତଳପଟ ମରାମତି ଉପର ମୁଣ୍ଡ ବିଲବାଲା କରୁଥିବାରୁ ତଳ ମୁଣ୍ଡ ହିଡ ଉପର ବିଲବାଲାର। ତେଣୁ ଭୈରବର ଏ ହିଡ ହୋଇଥିବାରୁ ଗଛଟା ବି ଭୈରବର। ତେଣୁ ଶାବିକୁ ଗଛର ଦାମ୍ ବାବଦକୁ ଦ୍ୱିଗୁଣା ଭୈରବକୁ ଦେବାକୁ ହେବ। ପୁଣି ଜୋରିମାନା ବାବଦକୁ ଗାଁ ଠାକୁରାଣୀ ପାଇଁ 2000 ଜୋରିମାନା ଓ କାଇଲି ବାବଦକୁ ବେକରେ ଗାମୁଛା ପକାଇ 108 ଥର ଉଠ ବସ୍ ହେବ। ଘୋଷ ବୁଢ଼ା ଏ କଥାକୁ ସମର୍ଥନ କରିବାରୁ ଗାଁ ନିଶାପଟା ସେଇଠି ସେତିକିରେ ସରିଲା ।ଶାବି ଶତଚେଷ୍ଟା କରି ରାଣ ନିୟମ ଖାଇ ମଧ୍ୟ ନିଜ ନିର୍ଦ୍ଦୋଷତାର ପରିଚୟ ଦେଇ ପାରିଲା ନାହିଁ। ଦାୟ ଜୋରିମାନା ଦେଇ କାନ ମୁଣ୍ଡ ଆଉଁଷି ହୋଇ ରହିଲା।
ଆଉ ଦିନକର ଘଟଣା। କ’ଣ ଗୋଟେ କଥା ପଡ଼ୁପଡ଼ୁ ନଖିଆ ଦିନେ ତେରିମେରି ହୋଇ କ’ଣ ଟିକିଏ ପାଇଚ୍ଛାକୁ କହି ଦେଇଥିଲା। ପାଇଚ୍ଛା ନାଲି ଆଖି ଦେଖାଇବାରୁ ସେ ଭୁଲ୍ ମାଗି ସେଠୁ ଗଲା। ତଥାପି ପାଇଚ୍ଛାର ମନ ବୁଝିଲା ନାହିଁ। ସେ ତାକୁ ପାନେ ଚଖେଇବାକୁ ମସୁଧା କରୁଥାଏ। ଦିନେ ବଳିଆ ଅଖାରେ ପୂରାଇ ଖଳାରେ ଧାନ ରଖିଥାଏ। ସନ୍ଧ୍ୟା ହୋଇଯିବାରୁ ଘର ଭିତରକୁ ନେଇ ପାରି ନ ଥାଏ। ଏ ସୁଯୋଗ ଉଣ୍ଡି ରାତି ଅଧରେ ପାଇଛ୍ଚ୍ଛା ସେଠୁ ଗୋଟେ ମୁଣି ଧାନ ଆଣି ନଖିଆ ପିଣ୍ଡାରେ ରଖିଲା ଆଉ ଗୋଟେ ମୁଣି ଧାନ ଆଣିବାକୁ ଯାଇଥିଲା ଗୋଡ ମୋଡି ତଳେ ପଡ଼ିଗଲା। ଖଣ୍ଡିଆ ଖାବରା ହେଲା ତ ହେଲା ଗୋଡଟା ଏକାବେଳକେ ଦୁଇ ଖଣ୍ଡ।। ଚିରାଡି ଛାଡି ଡାକିଲା। ଲୋକ ରୁଣ୍ଡ ହେଲେ। ଘଟଣା ବୁଝୁବୁଝୁ ନଖିଆକୁ ଚୋରରେ ସାବ୍ୟସ୍ତ କରିବା ପାଇଁ ସେ ଏମିତି ହୀନ ଉପାୟ ଅବଲମ୍ବନ କରୁଥିଲା। ହେଲେ ସେ କ’ଣ ଜାଣିଥିଲା ଚୋର ପାଇଁ ସବୁବେଳେ ଅନ୍ଧାର ରାତି ହୋଇ ନ ଥାଏ। ଦିନେ ନା ଦିନେ ସେ ଧରାପଡ଼େ। ତା’ର ସବୁ କାରନାମା ପଦାକୁ ଆସେ। ପାଇଛ୍ଛା ଭାଗ୍ୟରେ ବି ସେଇ ପରି ଦୁର୍ଦ୍ଦଶା ଆସିଲା। ସତ କଥା ଜାଣିଲା ପରେ କେହି ତାକୁ ଡାକ୍ତରଖାନା ନେଲେ ନାହିଁ। ସେଇଠି ପଡ଼ି ସେ ଛଟପଟ ହେଉଥାଏ। ଓଲଟି ତାକୁ କବଲେଇ କି ପଚାରିଲେ ଆଉ ସବୁ କ’ଣ କାରନାମା ଜୀବନ ତମାମ ସେ କରିଛି। ସେଦିନ ବିପଦରେ ପଡି ସବୁ ସତକଥା ପାଇଚ୍ଛା ବକିଗଲା। ସମସ୍ତଙ୍କର ଗୋଡ଼ହାତ ତଳେ ପଡ଼ି ଭୁଲ ମାଗିଲା। କହିଲା-” ଜୀବନରେ ଆଉ ଏମିତିକା କାମ ସେ କେବେବି କରିବି ନାହିଁ। ହେଲେ ଏଇ ଥରଟା ତାକୁ କ୍ଷମା ଦେଇ ମେଡ଼ିକାଲ ନେଇ ଯାଅ” । ସମସ୍ତେ ନାଇଁ ନାଇଁ ହେଉଥିଲେ, ହେଲେ ଘୋଷ ବୁଢ଼ା କହିବାରୁ “ସେ ଭଲ ହୋଇ ଫେରିଲେ ତା କଥା ଗାଁ ନିଶାପ ବସି ବୁଝା ହେବ” , ସେ ଡାକ୍ତରଖାନା ବୁହା ହୋଇଗଲା।ନିଜ ଉପରେ ପଡିଲେ ମଣିଷ ଚେଙ୍କେ।

Related posts

ଟୀକାକରଣ

satya

ସର୍ବପଲ୍ଲୀ

satya

ଦୂର ଶିକ୍ଷା ଦିବସ

satya

Leave a Comment

Login

X

Register