ସତ୍ୟ ପ୍ରକାଶ ସେଠୀଙ୍କ ଗଳ୍ପ ସଂକଳନରେ ଚଉଦଟି ଗଳ୍ପ ରହିଛି । ଏସବୁ ଗଳ୍ପ ପଢ଼ିବା ପରେ ମୋର ହୃଦ୍ବୋଧ ହୋଇଛି ଯେ କବିତା ଅପେକ୍ଷା ସେ ଗଳ୍ପ ଜଗତରେ ଅଧିକ ଖ୍ୟାତି ଅର୍ଜ୍ଜନ କରିବେ । ଗଳ୍ପ ବା ଉପନ୍ୟାସର କାନ୍ଭାସ୍ ଭିନ୍ନ ଭିନ୍ନ ହେଲେ ମଧ୍ୟ ସମଜାରେ ଘଟୁଥିବା ଘଟଣାବଳୀ, ମଣିଷର ସ୍ୱପ୍ନ, ସୁଖ, ଦୁଃଖ, ଆବେଗ, ଅଭିଜ୍ଞତା ଓ ଅନୁଭୂତିକୁ ଛାଡ଼ି କଥା ସାହିତ୍ୟ ତିଷ୍ଟିବା ସମ୍ଭବ ନୁହେଁ । ଲେଖକ ଯେ ତଳ ପାହାଚରେ ଥିବା ଲୋକମାନଙ୍କ ସଂଘର୍ଷ, ସୁଖ, ଦୁଃଖ ଏବଂ ଯନ୍ତ୍ରଣା ପ୍ରତି ଅଧିକ ସଚେତନ ତାହା ପ୍ରଥମ କେତୋଟି ଗଳ୍ପରୁ ସ୍ପଷ୍ଟ ବାରିହୋଇ ପଡ଼େ । ସବା ତଳ ଥାକ ଉପରେ ସବା ଉପର ଥାକରେ ଥିବା ଗୋଷ୍ଠୀର ଓଜନ ବେଶି ପଡ଼େ । ଉପରେ ଥିବା ଲୋକେ ମଉଜ ମଜଲିସ୍ କରିବାକୁ ଯାଇ ଧୀରେ ଧୀରେ ଶୋଷକ ପାଲଟି ଯାଆନ୍ତି ଏବଂ ତଳେ ଥିବା ମଣିଷମାନେ ଉପରର ବୋଝ ବୋହି ଚାଲିବାକୁ ସେମାନଙ୍କର ନିୟତି ବୋଲି ସବୁ କଷଣ ସହ୍ୟକରି ଯାଆନ୍ତି । ସମାଜର ଉତ୍ପାଦନ ପ୍ରକ୍ରିୟାରେ ଶ୍ରମିକମାନେ ହିଁ ଉତ୍ପାଦକ; ଆଦେଶ ଦେଉଥିବା ଲୋକ କେବଳ ପରିଚାଳକ । କିନ୍ତୁ ଏହି ପରିଚାଳକ ମାନେ ହିଁ ସବୁ ଲାଭ, ଶୁଭ, ଓ ପୁଞ୍ଜିର ଅଧିକାରୀ । ଉତ୍ପାଦନ କରୁଥିବା ଲୋକମାନେ ସଂଭ୍ରାନ୍ତ ମାନଙ୍କ ସବୁ ଉତ୍ପୀଡ଼ନ ସହ୍ୟ କରି ବଞ୍ଚିଥାଆନ୍ତି । ବିଶୁନି ଗୋପୀନାଥ ମହାନ୍ତିଙ୍କ ଶୁକ୍ରଜାନୀ ବା ଭଗବତୀ ଚରଣ ପାଣୀଗ୍ରାହୀଙ୍କ ‘ମୃଗୟା’ର ଘିନୁଆ ହୋଇ ନପାରେ ସତ କିନ୍ତୁ ବିଦ୍ରୋହର ଆଭାସ ଦେଇଛି ।
ପ୍ରଥମ ତିନୋଟି ଗଳ୍ପରେ ଲେଖକ ପ୍ରମାଣ କରଦେଇଛନ୍ତି ଯେ ଗଳ୍ପ ଲେଖିବାର ଶୈଳୀ ତାଙ୍କର ନିଆରା । ସାଧାରଣ ଲୋକଙ୍କୁ ବାଦ ଦେଇ ଆମ କଥା ସାହିତ୍ୟରେ ମଧ୍ୟବିତ୍ତଙ୍କ ଅଧିକ ପ୍ରସାର ଘଟିଥିଲେ ହେଁ ଗରିବ ଲୋକଙ୍କର ସବୁକଥା ଏପର୍ଯ୍ୟନ୍ତ କୁହାଯାଇ ପାରିନାହିଁ । ମାର୍କ୍ସ ସେମାନଙ୍କୁ ବାଟ ଦେଖାଇଛନ୍ତି । ଉତ୍ପୀଡନ ସହି ନ ଯାଇ ବିଦ୍ରୋହ କରିବା ପାଇଁ ଗ୍ୟାରିବାଲ୍ଡି କହି ଯାଇଛନ୍ତି । କହିଯାଇଛନ୍ତି ଗାନ୍ଧି । ଲେଖକ ସବୁ ଦୁଃଖ ଓ କାତରତାକୁ ଭାଗ୍ୟ ଫଳ ଭାବି ଗ୍ରହଣ କରି ନ ନେଇ ନିର୍ଯ୍ୟାତିତ ମାନଙ୍କ ହାତରେ ସେଥିରୁ ନିଷ୍କୃତ ପାଇବାର ବାଟ ଜଣାଇ ଦେଇପାରିଥାନ୍ତେ; ତଥାପି ମୁଁ ଆଶା କରୁଛି ତାଙ୍କର କଲମ ମୁନରେ ଥିବା ସର୍ଜନାତ୍ମାକତାକୁ ସେ ଯଦି ସେଇ ନୁଖୁରା, ମଳି ମୁଣ୍ଡିଆ, ପେଜୁଆ, ଅଖିଆଙ୍କୁ ବାଟ ଦେଖାଇବା ନିମନ୍ତେ ବ୍ୟବହାର କରନ୍ତି, ତେବେ “କିଛି କଥାରେ” ସେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିବେ ।
ଦାରିଦ୍ର୍ୟ, ଯୈାତୁକ ସମସ୍ୟା, ଶୋଷଣ ଇତ୍ୟାଦି ସାମାଜିକ ବ୍ୟାଧି ଦୂର କରିବା ପାଇଁ ସାହିତ୍ୟକୁ ମାଧ୍ୟମ ଭାବେ ବ୍ୟବହାର କରିବାର ପ୍ରଚୁର ସୁଯୋଗ ଅଛି । “ଶୀତଳ ତୁଣ୍ଡୀର” ଆରମ୍ଭ ପରି ଶେଷ ହେଲାନାହିଁ । ଆମ ସ୍ୱୟଂ ସହାୟିକା ଗୋଷ୍ଠୀ” ଫିଚର ହୋଇ ରହିଗଲା, ଗଳ୍ପ ହେଲାନାହିଁ । “ଆଲୋକର ଅନ୍ତରାଳେ” ଚିରା ଚରିତ ପ୍ରେମ କାହାଣୀ । କିନ୍ତୁ “ବୋଉଲୋ ମୁଁ କାଗଜ ଖାଉଛି”, “ମାଟି ମା’, “ନାସ୍ତିବାଣୀ”, “ଭୋଦେଇ ଖରା”, ଅସ୍ତାଚଳର ସୂର୍ଯ୍ୟ” ପ୍ରଭୁତି ସଫଳ ଗଳ୍ପ ।
ସାହିତ୍ୟର ଭାଷା ଛାଡ଼ି ତୁଣ୍ଡର ଭାଷା ପ୍ରୟୋଗ କରିବା ଶୈଳୀ ଅଧିକ ଅଧିକ ଆଦୃତ ହେଉଛି ଗଳ୍ପ, ଉପନ୍ୟାସ କବିତା ଲେଖାରେ । ତୁଣ୍ଡର ଭାଷା ବ୍ୟବହାର କରି ଗଳ୍ପ ଲେଖିବାର ସାମର୍ଥ୍ୟ ଲେଖକ ଆୟତ୍ତ କରିନେଇଛନ୍ତି । ସେହି ଧାରା ବଜାୟ ରଖିବା ସହିତ ଗଳ୍ପର ଗଠନକୁ ଅଧିକ ସାନ୍ଦ୍ର କରିବା, ଗଳ୍ପ ମାଧ୍ୟମରେ ଗୋଟିଏ ବିଷୟ ଉତ୍ଥାପନ କଲାବେଳେ ସେଥିରେ ସବୁବେଳେ ନ ହେଲେ ମଧ୍ୟ ବେଳେବେଳେ ଗୋଟେ ବାଟ ଦେଖାଇବା ଲୋଡ଼ା ହୁଏ । ସେହିପରି ଅନୁଭୂତି ଅନ୍ତରଙ୍ଗ ଓ ମାର୍ମିକ ହେଲେ ଏବଂ ବିଷୟ ବସ୍ତୁ ଅଧିକ ଜୀବନ ଧର୍ମୀ ହେଲେ ପାଠକ ଅନୁଭବ କରିବ ଯେ ତାହାରି ଅନ୍ତରଙ୍ଗ ଅନୁଭବ ହିଁ ଗଳ୍ପରେ ପ୍ରକାଶ ପାଇଛି । ଏପରି ଦୃଷ୍ଟାନ୍ତ ପ୍ରଥମ କେତୋଟି ଗଳ୍ପରେ ଅଛି ।
କବିତା ଓ ପ୍ରବନ୍ଧ ଠାରୁ ଗଳ୍ପରେ ଯେ ଲେଖକ ଅଧିକ ଅନୁଭବ ଓ ଅଭିଜ୍ଞତା ଦେଖାଇଛନ୍ତି ତାହା କହିବା ଉଚିତ ହେବ । ସେହିପରି ଠାଏ ଠାଏ ତାଙ୍କ ବର୍ଣ୍ଣନା ଶୈଳୀ ଅଧିକ ପ୍ରାଞ୍ଜଳ ଓ ଶକ୍ତିଶାଳୀ । “ମାଟି ମା’ ରେ ସେ ଲେଖିଛନ୍ତି “ସେହି ବାଳିଆ ରାସ୍ତାଟା ଉପରେ ଓହଳି ଓହଳି ଚାଲିଛି ବିଶୁ କାଳିଆ ବିଲିବିଲି ଦେହ, ପାଉଁଶିଆ ଚର୍ମ, ଜଟାଳିଆ ମୁଣ୍ଡ, ଲମ୍ବା ଲମ୍ବା ଦାଢ଼ି । ଫାଙ୍ଗୁଳା ଛାତି, ଓ ସେଏଁକା ହାତ ତଳେ ଚିରା ଝୁଲିଟିଏ ଯାହା ତାହାର ସମ୍ବଳ”, ଏଇପରି ଅନେକ ଯାଗାରେ ଗାଁ ମଣିଷ ତୁଣ୍ଡର ରସାଳ ବର୍ଣ୍ଣନା ରହିଛି । ଆଉ କେତେକ ଜାଗାରେ ମଧ୍ୟ ବର୍ଣ୍ଣନା ଶୈଳୀ ଚମତ୍କାର ।ସତ୍ୟ ପ୍ରକାଶ ସେଠୀ ନୂତନ ଗାଳ୍ପିକ । ତାଙ୍କର ରଚନା ଶୈଳୀରେ ପ୍ରତିଶ୍ରୁତି ଥିବା ମୁଁ ଲକ୍ଷ୍ୟ କରିଛି । ତାଙ୍କୁ ଆଶୀର୍ବାଦ କରିବା ସହିତ ସେ ମଣିଷର, ସମାଜର ଓ ଜୀବନର ସମସ୍ୟାକୁ ସତ୍ୟ ନିଷ୍ଠ ଭାବେ ନିରୀକ୍ଷଣ କରନ୍ତୁ ଓ ଅନୁଭବ କରନ୍ତୁ– ଏହା ଆଶା କରିବା ସହିତ ଗଳ୍ପରେ ତାହା ସାବଳୀନ ଭାବେ ପ୍ରକାଶ ପାଉ ଏୟା ଆଶା କରିବି ।
ଷ୍ଟେସନ ସ୍କୋୟାର ଶୁଭ କାମନା କରୁଛି
ବନେଶ୍ୱର
(ସାତକଡ଼ି ହୋତା)
ସଭାପତି, ଲେଖକ ସାମୁଖ୍ୟ, ଓଡ଼ିଶା