Satya Prakash
ଗଳ୍ପ

ବାଘ the tiger

କାରଖାନାର ଧୂମ କୁଣ୍ଡଳୀ ମୋଡ଼ି ମୋଡ଼ି ହୋଇ ଆକାଶକୁ ଉଠି ଥାଏ। ସତେକି ଅଜଗର ସାପଟାଏ ଉପରକୁ କାୟା ବିସ୍ତାର କରିଛି।ଗୋଟାଏ ଅପନ୍ତରା ବଣୁଆ ମଣିଷ, କୁଆଡେ ଯାଇଥିଲା କେଜାଣି, ଥକ୍କା ହୋଇ ବସିପଡ଼ ଥାଏ, ଏକ ଅନତି ଦୂରରେ, ଗୋଟାଏ ଟାଙ୍ଗଣା ଭୂଇଁ ଉପରେ, ଗୋଟିଏ ପଥର ମୁଣ୍ଡିଆ ଉପରେ, ଆଉ ଆଁଟା କରି ଉପରକୁ ଚାହିଁ ରହିଥାଏ, ପୁଣି ଗୁଣୁ ଗୁଣୁ ହୋଇ କଅଣ ବକୁଥାଏ। ସତେ ଯେମିତି ନିର୍ନିମେଷ ନେତ୍ରରେ ଆକାଶକୁ ଚାହିଁ ରହି, ଜୀବନର ଅଙ୍କ କଷୁଥାଏ। ଅବା କଷ୍ଟିଆ ଅଙ୍କ ଭିତରେ ସମାଧାନର ପନ୍ଥାଟା ହଜାଇ ବାସୁଥାଏ ତ ପୁଣି କେତେବେଳେ ସବୁ ଭୁଲ ହୋଇଯାଉଥାଏ, ମୁଣ୍ଡ ହଲାଇ ଖାଲି ନାଇଁ ନାଇଁ କରୁଥାଏ ବା ନୀରବରେ ହେତୁ ନିର୍ଣୟ କରିବାରେ ଆତ୍ମନିମଗ୍ନ ରହି ସେଇଥିରେ ମଜ୍ଜି ଯାଇଥାଏ। ହେତୁ ନିରୂପଣ କରିବା ସତେ ଅବା କଷ୍ଟିଆ, ଦୁରୂହ ବେପାର। ମୁହେଁ ମୁହେଁ ଅଙ୍କ କଷୁଥିଲା ପରି ମୁଣ୍ଡଟାକୁ ଖାଲି ଏପଟ ସେପଟ କରି କଅଣ ଗାର ଟାଣୁଥାଏ। ମିଶାଣ ଫେଡାଣ କରୁଥାଏ। ପୁଣି ସବୁ ଭୁଲ ହୋଇଯାଉଥାଏ। ସେଥିରେ ସେ ସହମତି ଜୁଟାଇ ପାରୁନଥାଏ। ତେଣୁ ମୁହଁଟାକୁ କୁଞ୍ଚିତ କରୁଥାଏ। ମୁଁ ମୋ ନବୁଝିଲା ପଣ ଭିତରେ, କିଛି ବୁଝି ପାରୁ ନଥାଏ।
ଏଥର ଆଉ ଟିକିଏ ପାଖକୁ ଆସି ଲକ୍ଷ୍ୟ କଲି। ନା.. ଏଥର ସେ ଅଙ୍କ କଷୁଥିଲା ପରି,କାହିଁ ମନେ ହେଉ ନାହିଁ। ତା’ହେଲେ ସେ ଏକା ଏକା ସେଠି ବସି ରହି,କଅଣ କରୁଛି? ପାଖରେ ତ କେହି ନାହାଁନ୍ତି?? କାହା ସହ ଏତେ ସମୟ ଧରି, ସେ କି ଗପ କରୁଛି??? ତେବେ କ’ଣ ଧୂମ କୁଣ୍ଡଳୀ ଭିତରେ ସେ ଜୀବନର ନକ୍ସା ଆଙ୍କୁଥାଏ???? ତା ଜୀବନଟା ସଚିତ୍ର ହୋଇ ତା ଆଖି ସାମ୍ନାରେ ଭାସି ଉଠୁଥାଏ। ଗୁଣୁ ଗୁଣୁ ହୋଇ ଏଣୁ ତେଣୁ କ’ଣ ସବୁ ଗପି ଉଠୁଥାଏ। ମନେ ମନେ ବେଳେ ବେଳେ ହସି ଉଠୁଥାଏ। ପୁଣି କାନ୍ଦି ଉଠୁଥାଏ। ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥାଏ – କେବଳ ତା’ରି ଆଡକୁ। ମନରେ ଉଙ୍କି ମାରୁଥାଏ ପ୍ରଶ୍ନ ଗୁଚ୍ଛ,ଦ୍ଵନ୍ଦ ଦେହେଳୀ, ଅନେକ ଭାବନା-“କାହିଁକି, କାହିଁକି ତା’ମନରେ ଆଜି ଏତେ ପ୍ରଶ୍ନ, ଏତେ ଭାବନା, କ’ଣ ତା’ର ହଜିଛି, କ’ଣ ସେ କେଉଁଠାରେ ଖୋଜୁଛି? “ମୁଁ ଯେ ଏତବେଳ ଯାଏଁ, ତା ଅଲକ୍ଷ୍ୟରେ ତା’କୁ ଦେଖୁଥାଏ, ସେ କିନ୍ତୁ ଠଉରାଇ ପାରୁ ନଥାଏ। ଦୂରରୁ ତା’କୁ ଦେଖି,ସମ୍ପୂର୍ଣ୍ଣ ପଢିବାକୁ ଯେଣୁ ଅସମର୍ଥ ହେଲି, ଏଥର ବେଶ୍ ସନ୍ତର୍ପଣ ସହକାରେ ଆହୁରି ଟିକିଏ ପାଖକୁ ଆସିଗଲି। ଆସ୍ତେ ଆସ୍ତେ ତା’ମନର ଭାବ ପଢିବାକୁ ଚେଷ୍ଟା କରୁଥାଏ। ଏବେକୁ ଜାଣିବାକୁ ଅହେତୁକ କୌତୁହଳ ଜାଗିଲାଣି। ମାଡ଼ି ଗଲି ତା ପାଖକୁ ଆଉ ବେଶ୍ ନରମ ଗଳାରେ ପଚାରିଲି – “କିଏ ତୁମେ, କାହିଁକି ଏମିତି ଉଦୁଉଦିଆ ଖରାବେଳଟାର ପଥର ମୁଣ୍ଡିଆଟା ପରି ଏଠି ଏମିତି ବସି ରହିଛ? କଣ ତୁମର ହଜିଛି, କାହାକୁ ତୁମେ ଅନିସା କରିଛ? ସିଏ କିଛି କହିଲାନି। କୁଆଡ଼େ କିଛି ଅନେଇଲାନି। ମୋତେ ଚାହିଁଲା ନାହିଁ। ସେ ଯେ ତା’ଭାବନା ରାଜ୍ୟରେ ଖେଳି ବୁଲୁଥାଏ, ଏତେବେଳେ ବା ସେଠି ଆମର ସ୍ଥାନ କାହିଁ? ମୁଁ ଟିକିଏ ତାକୁ ହଲାଇ ଦେଇ କହିଲି.. ଲୋକଟା ଅପ୍ରତିଭ ହୋଇଗଲା।ମୋ ଆଡ଼କୁ ଟିକିଏ ଚାହିଁ ଦେଇ, ପୁଣି ଚୁପ୍ ହୋଇଗଲା। ମୁଁ ପୁଣି ପଚାରିଲି ତୁମେ କି ନିକମା ମଣିଷ? କାମ ଖୋଜିବାକୁ ଏଠିକି ଆସିଛ??
ଏଥର ସେ ଟିକିଏ ରାଗିଗଲା। ଶିଙ୍ଗ ଶିଙ୍ଗିଆ ଅରଣା ମଇଁଷି ପରି ଫଁ ଫଁ ହୋଇ ମୋ ଆଡ଼କୁ ସଣ୍ଢା ଟେକି ଚାହିଁଲା। ମୁଁ ଟିକିଏ କଅଁଳେଇ ପଚାରିଲି ତୁମର କଣ ହୋଇଛି, ମୋତେ କହିବନି? ମୁଁ ପରା ଦରଦୀ ଗାଳ୍ପିକଟିଏ ।ମୋ ଗଳ୍ପ ପାଇଁ ଚରିତ୍ରଟିଏ ଖୋଜୁଛି। ହୃଦୟସ୍ପର୍ଶୀ ହେଲେ ଲେଖି ବସିବି!। ତୁମେ ସିନା ତୁମ ମନର ଚିତ୍ରକର, ହେଲେ ମୁଁ ପରା ସମାଜର ଚିତ୍ରକର। ଚିତ୍ର ଆଙ୍କିବି। ତୁମ ହୃଦୟର ଭାଷାକୁ ତୂଳୀରେ ରଙ୍ଗ ଦେବି। ସିଏ ବା କାହିଁକି ଶୁଣିବ? କାଲା ନିଶ୍ଚୟ ହୋଇଥିବ, ନହେଲେ ଜଡ଼ା ନିଶ୍ଚୟ ହୋଇଥିବ।
ହଠାତ୍ ଧନୁଶରଟା ଉପରେ ମୋର ଆଖି ପଡିଗଲା। ପାଟିରୁ ଅକସ୍ମାତ୍ ବାହାରି ପଡ଼ିଲା -” ଏଁ ଏଠି କ’ଣ ପଡ଼ିଛି, କେହି ବୋଧେ ଛାଡ଼ି ଯାଇଛି।”ଲୋକଟା ଏଥର ପାଟି ଖୋଲିଲା। ଖାଲି ପଦେ କହିଲା -” ମୁଁ ବାଘ ଶୀକାର କରିବି “। ମୁଁ ହସ ସମ୍ଭାଳି ପାରିଲି ନାହିଁ, ଫେଁ’କିନା ହସି ଦେଲି ।ମନେ ମନେ ଭାବୁଥାଏ-“ଲୋକଟା ରଖିବାକୁ ଜାଗା ପାଇଲାନି ଯେ,ପଥର ମୁଣ୍ଡିଆ ତଳେ ଛୁପେଇ ରଖିଛି।” ଲୋକଟା – “ତା’କୁ ଧର ନାହିଁ, ସର୍ପ ଗରଳ ଲେପ ଦିଆଯାଇଛି। ଭାରି ବିଷାକ୍ତ। ଦେହ ମୁଣ୍ଡ ଘାରି ଯିବ। “ମୁଁ କିଛି ବୁଝି ପାରିଲିନି।ଦିନ ଦ୍ୱିପ୍ରହରଟାରେ, ପୁଣି କାରଖାନାର ଘର୍ ଘର୍ ଶବ୍ଦ ଭିତରେ ବାଘ କେଉଁଠୁ ଆସିବ? ଲୋକଟା ନିଶ୍ଚୟ ପାଗଳ।
ଲୋକଟା ମୋ ଭାବନାକୁ ବୋଧହୁଏ ପଢ଼ିନେଲା। ଭାରି ଚାଲାକ। କହିଲା –
” ମୁଁ ପାଗଳ ନୂହେଁମ ବାବୁ। ମୁଁ ସତ କହୁଛି ସେ ଶରଟାକୁ ଆଉ ଛୁଇଁବ ନାହିଁ।”
ମୋତେ ଭାରି ବ୍ୟସ୍ତ ଲାଗିଲା। ଭାବିଲି – ମୁଣ୍ଡଟାକୁ ଚାପି ଧରିବି କି? ନା.. ଏଥର ପକେଟରୁ ସିଗାରେଟ୍ ଖୋଲିଲି। ଦିଆସିଲ୍ ଲଗାଇଲି। ଲୋକଟା ଇସାରା କଲା -” ମୋତେ ଖଣ୍ଡେ।”ସିଗାରେଟ୍ ଖୋଳଟାଯାକ ତା’ହାତକୁ ବଢାଇ ଦେଲି। ସେ ଖଣ୍ଡେ ନେଇ ଥୋଇଦେଲା। ଏଥର ଆତ୍ମ ପ୍ରତୀୟର ସହକାରେ ପଚାରିଲି -” ସେ ବାଘଟା କେଉଁଠି ଅଛି? “ଲୋକଟା କହିଲା – “ସହରରେ।”
-କେତେବେଳେ ଆସେ?
-ଏମିତି କେବେ କେବେ। ବର୍ଷ ଛଅ ମାସରେ ଥରେ ।
-କେଉଁଠି ରହେ?
ଡାକ ବଙ୍ଗଳାରେ।
-କ’ଣ କରେ?
-କଞ୍ଚା ମାଂସ ଖାଇ ସେଠୁ ଚାଲିଯାଏ।
-ତା’ପରେ
ଏଥର ଲୋକଟା ବିସ୍ତ୍ରୁତ ବର୍ଣନା କରି ଚାଲିଲା-
ଏପାଖ ବସ୍ତିରେ ତା’ଘର। ସାରିଆ ତା’ସ୍ତ୍ରୀ। ସେ ଫ୍ଯାକ୍ଟ୍ରିକୁ ରାତି ଡ୍ୟୁଟିରେ ଚାଲିଯାଏ। ସକାଳ ହେଲେ ଘରକୁ ଫେରି ଆସେ। – “ସେଦିନ ସାରିଆ ଏକୁଟିଆ ଥାଏ। ବାଘଟା ଡାକ ବଙ୍ଗଳା ଧରି ଯାଇଥାଏ। ତା’ର ଦଳେ ଚତୁର ବିଲୁଆ ଥାଆନ୍ତି। ଶିକାରର ସନ୍ଧାନ ସବୁ ତା’କୁ ଦିଅନ୍ତି। ସ୍ତ୍ରୀ ମୋର ଏକୁଟିଆ ଘରେ ଥାଏ। ଘନା ଅନ୍ଧକାର ଘୋଟିଆସେ। ଯିଏ ଯୁଆଡ଼େ ଶୋଇଯାଏ। ନିସ୍ତବଧତା ମାଡ଼ି ଆସେ। ସ୍ତ୍ରୀକୁ ମୋର ଏକୁଟିଆ ପାଇ ବାଘ ତା ‘ଉପରେ ଝାମ୍ପି ପଡ଼େ। ବାହାରେ ବିଲୁଆ ଜଗି ବସେ। ବାଘ ରାତି ସାରା ଆମ୍ପୁଡ଼ି କାମ୍ଫୁଡ଼ି, ତା’ର ଧାରୁଆ ନଖରେ, ସ୍ତ୍ରୀକୁ ମୋର କ୍ଷତାକ୍ତ କରେ। ଦେହ ସାରା ରକ୍ତର ଛିଟା, ଅସୁମାରି ଦାଗ।”
ମନରେ ତା’ର ବିଦ୍ରୋହର ଦାବାଗ୍ନି। ଦେହରେ ପ୍ରଚଣ୍ଡ ଅଗ୍ନି ସ୍ଫୁଲିଙ୍ଗ। ଆଖିରେ ଲେଲିହାନ ଶିଖା। ଅଶାନ୍ତିର ଦାବାନଳ। ପ୍ରତିଶୋଧର ବହ୍ନି-ସର୍ବାଙ୍ଗେ ବେଶ୍ ପରିସ୍ଫୁଟ।
” ବାଘ ପୁଣି ଜଙ୍ଗଲକୁ ଫେରିଯାଏ ସକାଳୁ ଆସି ଦେଖେ ତ ସ୍ତ୍ରୀ ମୋର ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଛି। ଜାକିଜୁକି ହୋଇ ଲୁଗା ଗୁଡେଇ ହୋଇ ଧରିଛି। ଧକେଇ ଧକେଇ କାନ୍ଦୁଛି। ଛୁଇଁବାକୁ ଗଲାରୁ ବାରଣ କଲା। ପଚାରିଲାଠୁଁ ଡାକ ବଙ୍ଗଳା ଆଡକୁ ହାତ ବଢାଇଲା। ଧାଇଁ ଯାଇ ଦେଖେ ତ, ବାଘ ନାହିଁ। ଜଙ୍ଗଲ ଭିତରକୁ ପଳାଇଛି। ଫେରି ଆସି ଦେଖିଲି ସ୍ତ୍ରୀ ମୋର ସର୍ପ ଗରଳ ପିଇ ନୀଳ ପଡ଼ିଯାଇଛି। ଦମେ କାନ୍ଦିଲି। ତା’ପରେ ନୀରବ ରହିଲି। ସେଇଦିନୁ ନିତି ଏଇଠି ବସି ବାଘକୁ ଖୋଜୁଛି। ପାଇଲେ, ଗୋଡ଼ାଇ ଗୋଡ଼ାଇ ହାଣିବି । ନିଶ୍ଚୟ ଦିନେ ଆସିବ, ମୁଁ ବାଘ ଶୀକାର କରିବି। ”
ମୋ ମୁଣ୍ଡ ଖାଲି ଘାଇଁ ଘାଇଁ ହେଉଥାଏ। ଭାବୁଥାଏ – ବାଘ କାହିଁକି ଅନ୍ୟକୁ ଦୁଃଖ ଦେଇ ସୁଖ କିଣେ। କାହିଁକି ନିଜର ଆହାର ଭଲମନ୍ଦ ପାଇଁ ଅନ୍ୟ ପ୍ରାଣୀକୁ ଶୀକାର କରେ।, ଏମିତି କେତେ ସଂସାର ଅଯଥା ଉଚ୍ଛନ୍ନ କରେ। ନିଜର କ୍ଷୁଧା ନିବାରଣ ପାଇଁ କେତେ ନୀରିହାଙ୍କୁ ବଳି ଚଢାଏ। ଶୀକାରଟାଏ ପାଇଲେ ଗୋଡ଼ାଇ ଗୋଡ଼ାଇ ଧରେ। ପୁଣି କେତେବେଳ ଘୋଷାରି ଘୋଷାରି ନେଇ ଯାଏ -ଜଙ୍ଗଳକୁ। କିନ୍ତୁ ବଣୁଆ ଆଦିବାସୀ ଲୋକଟା ପରି ଅନେକ ଅଶାନ୍ତ ଗ୍ରହ ହୋଇ ଘୂରି ବୁଲେ। ସୁବିଧା ପାଇଲେ ବାଘ ମୁଖା ପିନ୍ଧା ସହରୀ ବାଘକୁ ନିଶ୍ଚୟ ଦିନେ ଶୀକାର କରିବେ। ଗୋଡ଼ାଇ ଗୋଡ଼ାଇ ହାଣିବେ ।
ଲୋକଟା ଏକା ଢୋକକେ ଯେମିତି ସବୁ ନିଶେଷି ପକାଇ ଏତେବେଳ ଯାଏଁ କହିଚାଲିଥିଲା। ହଠାତ୍ ଗୋଟାଏ ବିରାଟ ଦୀର୍ଘ ନିଶ୍ଵାସ….. ପରିସମାପ୍ତିର କି ଆତ୍ମ ତୃପ୍ତିର-ତାହା ତ ମୁଁ କହିପାରିବିନି, ହୁଏତ ଆପଣମାନେ…?

Related posts

ଦୀର୍ଘ ନିଶ୍ଵାସର ଅନ୍ତରାଳେ

satya

ସରଗ ତଳେ

satya

ରୋଡ଼ ଛାପ ହିରୋ

satya

2 comments

kumar pintu 24th August 2018 at 3:42 am

beautiful story

Reply
satya 24th August 2018 at 3:59 am

Thanks for your appreciation

Reply

Leave a Comment

Login

X

Register