ଉତ୍ସର୍ଗ
——–
ଆମେ ଦୁଇ ଭାଇ ଓ ତିନି ଭଉଣୀ ବାପାମାଆଙ୍କର କ୍ରୋଡମଣ୍ଡନ କରି ଜନ୍ମ୍ ହୋଇଥିଲେ ହେଁ ମୋର ସବୁଠାରୁ ପ୍ରିୟ, ମୋର ପ୍ରିୟ ଭଉଣୀ- ମୋ ମଝିଆ ଭଉଣୀ, ମାନେ- ବିମଳା ଦେଇ, ଯିଏ ମୋର ସମସ୍ତ ଅଳି ଅର୍ଦ୍ଦଳି ସହିଛି ଓ କୋଡ଼େଇ କାଖେଇ ମୋତେ ଏଡେଟେରୁ ଏଡୁଟେ କରିଛି। ସତ କହିବାକୁ ଗଲେ ମୋ ପିଲା ଦିନର ଅଧିକଂଶ ସ୍ମୃତି ତାହାରି ପାଖରେ ଜମାଟ ବାନ୍ଧିଛି। ମୁଁ ପାଠ ପଢିଲି କି ନପଢିଲି, ଖାଇଲି କି ନଖାଇଲି, ଶୋଇଲି କି ନ ଶୋଇଲି ଓ ସାଙ୍ଗ ମାନଙ୍କ ସହ କେତେ ଦୃଷ୍ଟ ହେଲି – ସବୁ ହିସାବ କିତାବ ତା ‘ପାଖରେ। ସେ ହିଁ ମୋର ଦୈନନ୍ଦିନ ପଞ୍ଜିକା ଲେଖେ ଓ ବାପା ବୋଉଙ୍କୁ ତା’ର ଧାରା ବିବରଣୀ ଶୁଣାଏ। ପୁଣି ପ୍ରତ୍ୟେହ କାର୍ଯ୍ୟକ୍ରମ ସ୍ଥିର କରେ ଓ ଭବିଷ୍ୟତ କର୍ମପନ୍ଥା ନିରୂପଣ କରେ। ଏବେ ତା’ ପିଲାମାନେ ବଡ଼ ହୋଇଗଲେଣି ସତ- ତଥାପି ଏ ଯାଏଁ ସେ ମୋତେ ପାଶୋରି ପାରିନାହିଁ। ମୋତେ ଦଣ୍ଡେ ନଦେଖିଲେ ତା ‘ମନ ଡହଳ ବିକଳ ହୋଇଯାଏ। ସେ ସମସ୍ତଙ୍କୁ ରୋକଠୋକ୍ ଶୁଣେଇଦିଏ – ମୋ ବାବୁଲା କଥା ଉଠିଲେ କୌଣସି କଥା ମୁଁ ସାଲିସ୍ କରିପାରିବି ନାହିଁ।
ସେହି ଆଦରଣୀୟା ଭଉଣୀକୁ ଏ ପୁସ୍ତକ – “ବିଶେଷ ବିଶେଷତା” – ଉତ୍ସର୍ଗ କରି ତା’ ରୁଣ ଶୁଝିବାକୁ ମୁଁ ପ୍ରୟାସୀ ମାତ୍ର। ଦେଇଲୋ! ତୁ ଯେଉଁଠି ଥା’ ଓ ଯେମିତି ଥା’ ହେଲେ ଭଲରେ ଥା’। ତୋ କଥା ମାନି ଏବେ ଲେଖନୀ ଧରିଛି ଯେ ଧରିଛି, ତୋହରି ଆଶିର୍ବାଦରୁ ସେ ଲେଖନୀ ଅବାରିତ ରହୁ।
(ଇତି)
ମୁଁ ପରା ତୋହରି ସେଇ ସାନଭାଇ
-ବାବୁଲା
(ସତ୍ୟ ପ୍ରକାଶ ସେଠୀ)
ସଂକ୍ଷେପରେ….
——————–
କବି ଆଦ୍ୟାନ୍ତ ଏକ ସାମାଜିକ ପ୍ରାଣୀ, ତେଣୁ ସେ ସାମାଜିକ ସମସ୍ୟା ବା ଘଟଣା ପ୍ରତି ଏତେଟା ଉଦାସୀନ ହୋଇ କେବେ ବି ରହିପାରେନା। ତା ଚାରିପଟେ ଘଟୁଥିବା ପ୍ରତିଟି ଘଟଣା ଉପରେ ତା’ର ତିକ୍ଷ୍ଣ ନଜର ଥାଏ। ଅହରହ ସେ ଆଖିଫାଡ଼ି ଦେଖୁଥାଏ କେଉଁଠି କ’ଣ ଘଟିଗଲା। ସେହି ଘଟଣା ଗୁଡିକ ମଧ୍ୟରୁ ଯେତେବେଳେ ସେ କେତକ ବିଶେଷ ଘଟଣାରେ ବିଶେଷ ବିଶେଷତା ଦେଖେ ସେତେବେଳେ ସେ ତାକୁ ସାହିତ୍ୟିକକୃତିରେ ରୂପରେଖ ଦିଏ।ବେଳେବେଳେ ସେହି ଘଟଣାଗୁଡ଼ିକ ଉପରେ ତା’ର ଧ୍ୟାନ ବାଣ୍ଟି ହୋଇଯାଏ ଓ ଯାହାର ଭାବନା ତାକୁ ବିଶେଷ ଭାବେ ଆନ୍ଦୋଳିତ ବା ଉଚ୍ଚାଟିତ କରି ବ୍ୟସ୍ତବିବ୍ରତ କରିପକାଏ। ତେଣୁ ତା ଭିତରେ ଭାବୁକତା ଆସିଯିବା ସ୍ୱାଭାବିକ। ସେ ଭାବନାରେ ବହରି ଯାଇ କିଛି ଗୋଟେ ଲେଖି ବସେ, ଯାହା ସୁନ୍ଦର ସାହିତ୍ୟର ରୂପ ପରିଗ୍ରହ କରେ। ଉଦ୍ଦେଶ୍ଯ – ତା’ର ଆଭିମୁଖ୍ୟରେ ସମାଜର ଆଭିମୁଖ୍ୟ ବଦଳି ଯାଆନ୍ତା କି? ସାମାଜିକ ସମସ୍ୟା ଗୁଡ଼ିକ ଅଚିରେ ନିରାକରଣ ହୋଇଯା’ନ୍ତା କି? – ଇତ୍ୟାଦି ଅନେକ ପ୍ରଶ୍ନଗୁଚ୍ଛ। ତେଣୁ ସେ ସମାଜର ବାର୍ତ୍ତାବହ ହୋଇ ବାର୍ତ୍ତା ଦିଏ।
ଓଡ଼ିଶାରେ ବାର ମାସରେ ତେର ଯାତ। ପୁଣି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଦିବସ ଓ ମହାପୁରୁଷଙ୍କ ସ୍ମୃତି ସମାରୋହ ପାଳିତ ହୋଇଥାଏ। ସେହି ଦିବସ ଗୁଡିକର ମାହାତ୍ମ୍ୟ ଓ ଗୁରୁତ୍ଵ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ – ଏ କଥା ଅନସ୍ୱୀକାର୍ଯ୍ୟ। କାରଣ ସେହି ଦିବସଗୁଡ଼ିକ ପାଳନ ଅବସରରେ ଏକ ନିର୍ଦ୍ଧିଷ୍ଟ ବାର୍ତ୍ତା ସମାଜକୁ ଯାଇଥାଏ, ଯାହା ନିଶ୍ଚିତପକ୍ଷେ ଶିକ୍ଷଣୀୟ ହୋଇଥାଏ ଓ ଉପାଦେୟ ମଧ୍ଯ। ଏହିଭଳି କେତେକ ବିଶେଷତାକୁ ନେଇ ଏଥିରେ କେତେକ ବିଶେଷ କବିତା ସ୍ଥାନ ପାଇଛି, ଯାହା ସବୁଗୁଡ଼ିକ ଗୀତି କବିତା। ତେଣୁ ଗୀତିମୟତା ଓ ପଠନ ମାଧୁର୍ଯ୍ୟ ରକ୍ଷା କରିବା ପାଇଁ କିଛିଟା ପ୍ରୟାସ ନିଶ୍ଚିତ ହୋଇଛି। ପ୍ରତିଟି କବିତା କୌଣସି ନା କୌଣସି ଦିବସ ପାଳନ ସମାରୋହ ସହିତ ନିଜର ସମ୍ପୃକ୍ତି ଯୋଡ଼ି ବସିଥାଏ। ଏଣୁ ଏହା ପାଠକ ମାନଙ୍କର ବ୍ୟବହାରିକ ଜୀବନରେ ଆବଶ୍ୟକତାରେ ଆସିପାରେ ଓ ଶିକ୍ଷଣୀୟ ମଧ୍ୟ ହୋଇପାରେ।
ଆଜିର ଏହି ପୁସ୍ତକ ପ୍ରକାଶନ ଅବସରରେ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି, ଯେଉଁମାନେ ମୋ ସାହିତ୍ୟିକ ଜୀବନକୁ ନେଇ ବେଶ୍ ଖୁସି ଜଟାନ୍ତି, ଧନ୍ୟବାଦ ଦେବାକୁ ଚାହିଁବି ସେ ସମସ୍ତଙ୍କୁ ଯେଉଁମାନେ ଉକ୍ତ କବିତାଗୁଡ଼ିକୁ ବିଭିନ୍ନ ପତ୍ର ପତ୍ରିକା ଓ ସାମାଜିକ ମାଧ୍ୟମରେ ପ୍ରକାଶନ ବେଳେ ପଢି ମତାମତ ଓ ଭଲପାଇବା ଦେଇ କବିତା ଗୁଡିକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ମୋ ଭିତରେ ଗୋଟେ ଆତ୍ମବିଶ୍ବାସ ଭରିଦେଇ ପାରିଛନ୍ତି, କୃତଜ୍ଞତା ଜଣାଇବାକୁ ଚାହିଁବି ପ୍ରକାଶକଙ୍କୁ ଯିଏ ମୋ ଉପରେ ଭରସିଲାପଣ ଜାହିର କରି କବିତା ଗୁଡିକୁ ପରସି ଦେଇଛନ୍ତି ପାଠକଙ୍କୁ ଏହାର ବିଚାର ପାଇଁ। ଶେଷରେ ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ।
-କବି
(ସତ୍ୟ ପ୍ରକାଶ ସେଠୀ)
ଅଭିମତ
କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।
“ବିଶେଷତା ” ତାଙ୍କର ଏକ ନିଆରା ସୃଷ୍ଟି, ଯହିଁରେ ବିଭିନ୍ନ୍ ମହାପୁରୁଷ ମାନଙ୍କର ମହାନୀୟତା ଓ ଗୁଣାବଳୀର ବ୍ୟାଖ୍ୟାନ ସଙ୍ଗେ ସଙ୍ଗେ ବିଭିନ୍ନ୍ ଜାତୀୟ ଓ ଆନ୍ତର୍ଜାତୀୟ ଦିବସର ଗୁରୁତ୍ଵ ଓ ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା ମଧ୍ଯ ରହିଛି। ଏଗୁଡ଼ିକ ବ୍ୟାବହାରିକ ଜୀବନରେ ଯେତିକି ଆବଶ୍ୟକ ସେତିକି ମଧ୍ୟ ଉପାଦେୟ। ଏହି ଛନ୍ଦୋବଦ୍ଧ ଗୀତିକବିତା ଗୁଡ଼ିକରେ ବେଶ୍ ଗୀତିମୟତା ଫୁଟି ଉଠିଛି। ଏଥିରେ ପାଠକୀୟ ଆବେଦନ ମଧ୍ୟ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ
ସୂଚୀପତ୍ର
————
1.ଅଭୂଲା ପ୍ରୀତି
2.ଗୁରୁ ଦିବସ
3.ଉତ୍କଳ ଦିବସ
4.ହୋଲିରେ ହୋଲି
5.ନୂଆ ବରଷ
6.ଭଲ ପାଇବାଟି ବଳୀ
7.ଗୋଲାପ ଦିବସ
8.ବିଶ୍ଵ ମହିଳା ଦିବସ
9.ବନୀକରଣ
10.ମେ ଦିବସ
11.ଶ୍ରମିକ ଦିବସ
12.ଶିଶୁ ଶ୍ରମିକ ଦିବସ
13.ଆୟୁଷ୍ମାନ୍ ଭାରତ ଦିବସ
14.ବିଶ୍ଵ ଶିଶୁ ଦିବସ
15.ଆନ୍ତର୍ଜତୀୟ ବୌଦ୍ଧିକ ସମ୍ପଦ ଦିବସ
16.ବିଶ୍ଵ ଧରିତ୍ରୀ ଦିବସ
17.ଆନ୍ତର୍ଜାତୀୟ ଅଗ୍ନିଶମ ଦିବସ
18.ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ
19.ଜାତୀୟ ପଞ୍ଚାୟତିରାଜ ଦିବସ
20.ତପ୍ତ ଧରିତ୍ରୀ
21.ପୁସ୍ତକ ଓ କପି ରାଇଟସ୍ ଦିବସ
22.ପ୍ରେସ୍ ସ୍ଵାଧୀନତା ଦିବସ
23.ଆବିଷ୍କାର ସୁରକ୍ଷା ଆଇନ୍
24.ଆନ୍ତର୍ଜତୀୟ ନର୍ସ ଦିବସ
25.ଜାତୀୟ ପ୍ରଯୁକ୍ତବିଦ୍ୟା ଦିବସ
26.ଅକ୍ଷୟ ତୃତୀୟା
27.ଦମା
28.ସନ୍ତ୍ରାସବାଦ ନିରୋଧ ଆଇନ୍
29.ରେଡ୍ କ୍ରସ ଦିବସ
30.ନିଶା
31.ତମାଖୁ
32 ବିଶ୍ଵ ଏଡସ୍ ଟୀକା ଦିବସ
33.ବିଶ୍ଵ ମ୍ୟୁଜିୟମ ଦିବସ
34.ଜୀବ ବିଭିଦତା ଦିବସ
35 ମୁଣ୍ଡବିନ୍ଧା
36.ବିଶ୍ଵ ଟେଲିକମ ଦିବସ
37.ପ୍ରେରଣାର ଉତ୍ସ
38.କିଛି ଜାଣ ନାହିଁ ତାତ
39.ଯୋଗା ଯୋଗ ଓ ସଂଯୋଗ
40.ପ୍ରତ୍ୟୁଦ୍ଗମନ
41.ବୃକକ୍
42.କେହି ଦେଲେ ନାହିଁ ମୂଲ
43.ନିସର୍ତ୍ତ ବନ୍ଧୁତା
44.ଅନାଥ
45.ହସ ଖୁସି ପରିବାର
46.ପୀଡା ହୟାନ୍ତକ
47.ସହଜ ନିୟମ
48.ବାବା ସାହେବ
49.ଗୀତ ଗୋବିନ୍ଦ ଓ ଜୟଦେବ
50.ମଧୁ ବାରିଷ୍ଟର
51.ଅବଦୁଲ୍ କାଲାମ
52.ଲାଲା ବାହାଦୁର ଶାସ୍ତ୍ରୀ
53.ଗାନ୍ଧୀ ଜୟନ୍ତୀ
54.ଉତ୍କଳ ମଣି
55.ଶ୍ରଦ୍ଧା ସୁମନର ପାତ୍ର
56 ବନ୍ଧୁ ପ୍ରିୟ ସଖା
57.ଅଟଳ ମହାମେରୁ
59ଅଟଳଜୀ ଫେରି ଆସ ତୁମେ
60.ଗଙ୍ଗ ଶିଉଳୀ
61.ବେଦାଗ ବାଦଶାହ
62 ଜୀବନ ଯାତ୍ରା ଓ ଅଟଳ ଏକ ଆଲେଖ୍ୟ
63. ଆନ୍ତର୍ଜାତୀୟ ଅଗ୍ନିଶମ ଦିବସ
64 ବିଶ୍ଵ ଧରିତ୍ରୀ ଦିବସ
65. ବନୀକରଣ
1.ଅଭୁଲା ପ୍ରୀତି
ବରଷକେ ଥରେ ଆସିଥାଏ ପୁଣି
ରକ୍ଷା ବନ୍ଧନ ଉତ୍ସବ
ଭାଇ ଭଉଣୀର ମନରେ ଜଗାଇ
ଚିର ହରଷ ଉଲ୍ଲାସ।। 1
ଖୁସିରେ ତାଙ୍କର ମନ ଦୋଳାଟି ତ
ନାଚି ଉଠେ ପରା କେତେ
କି ସୁନ୍ଦର ପ୍ରୀତି ନିଆରା ପଣିଆ
ନାହିଁ ତା’ର ତୁଲେ କିଏ।। 2
ଏମିତି ଗଭୀର ଆନ୍ତରିକପୂର୍ଣ୍ଣ
ସେତେ ମଧୁର ସମ୍ପର୍କ
ଦେଖି ନାହିଁ କେବେ ସୃଷ୍ଟିରେ କେଉଁଠି
ଏତେ ଶାନ୍ତ ସ୍ନିଗ୍ଧ ଭାବ।। 3
ଈଶ୍ବରଠିଁ ରଖି ସମର୍ପଣ ଭାବ
କାକୁସ୍ଥ ପରାଏ ହୋଇ
ଭାଇ ପାଇଁ ମାଗେ ଶୁଭାଶିଷ କେତେ
ରକ୍ଷା କବଚ ବାନ୍ଧି।। 4
କୃଷ୍ଣ ବଳରାମ ଭଉଣୀ ସୁଭଦ୍ରା
ହୁଅନ୍ତି ଆଦର୍ଶ କେବା
ଭାଇ ଭଉଣୀର ପବିତ୍ର ସମ୍ପର୍କ
ବିସ୍ମୃତ ହୁଏନି କାଆଁ।। 5
ଯୁଗେ ଯୁଗେ ଭାଇ ଆଜିର ଦିବସେ
ଶପଥଟି ନିଏ ବସି
ଭଉଣୀଟି ପାଇଁ ହୋଇବଟି ସାହା
ଜୀବନ ପଛକେ ବାଜି।। 6
ରାକ୍ଷୀ ତୁ ରହିଥା’ ହୋଇ ମୂକ ସାକ୍ଷୀ
ଜଣ ପାଇଁ ଆନ ଝୁରୁ
ଭାଇ ଭଉଣୀର ପବିତ୍ର ସମ୍ପର୍କ
ନ ତୁଟି ସେ ରହିଥାଉ।। 0
2.ଗୁରୁ ଦିବସ
ହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ
ତୁମ ଜନ୍ମ ଦିବସଟି
ତୁମେ ଉତ୍ସର୍ଗୀକୃତ ରଖିଗଲ ଯେଣୁ
ଯଶ କିର୍ତ୍ତୀ ଗୌରବଟି।।1
ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ
ଶିକ୍ଷା ମାନ ବଢାଇଲ
ତୁମେ ରାଜନେତା ଛାତ୍ରବତ୍ସଳ ଯେ
ଶିକ୍ଷାବିତ୍ ଦାର୍ଶନିକ।। 2
ତୁମ ଜନ୍ମ୍ ଦିନ ବିଶ୍ଵ ଗୁରୁ ଦିନ
ରୂପେ ପାଳିତ ବିଶ୍ୱରେ
ଭାରତୀୟତାର ଜୟଗାନ ହେଲା
ଧନ୍ଯ ଗୁରୁ କୂଳ ତୁମେ।। 3
ଗୁରୁ ସମାଜର ଶ୍ରେଷ୍ଠ ବିଭବଟି
ଯାହା ହାତ କରଣୀରେ
ଗଢ଼ା ପରା ଦେଶ ଭବିଷ୍ୟତ ପିଢି
ତାହାଙ୍କୁ ସମ୍ମାନ କରେ।। 4
ହେ ଛାତ୍ରବତ୍ସଳ ଶିକ୍ଷକ ସାମାଜ
ଦେଶକୁ ତୁମେ ଜରୁରୀ
ଛାତ୍ର ସମାଜକୁ ଉଦ୍ଭାସିତ କର
ଆଲୋକ ବର୍ତ୍ତିକା ଜାଳି।। 0
3.ଉତ୍କଳ ଦିବସ
ଏପ୍ରିଲ୍ ପହିଲା ଓଡ଼ିଶା ପାଇଲା
ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା
ସେଦିନଟି ଥିଲା ଉଣେଇଶି ଶହ
ଛତିଶ ମସିହା ପରା।। 1
ଭାଷା ଭିତ୍ତିକ ପ୍ରଦେଶ ଗଠନ
ନିଷ୍ଫଳ ହୋଇଲା ଜାଣେ
ଆହୁରି କେତକ ଓଡ଼ିଆ ଅଞ୍ଚଳ
ନ ମିଶି ରହିଲା କେଣେ? 2
ଠକି ଦେଲେ ଆମେ ଠକିଲେ ଓଡ଼ିଆ
ଏବେବି ବେଦନା ସହେ
ଫେରି ଆସନ୍ତେ କି ମଧୁ ବାରିଷ୍ଟର
ଚେଷ୍ଟା ତ କରନ୍ତେ ବହେ।। 0
4.ହୋଲିରେ ହୋଲି
ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି
ବ୍ରଜ ରାଜ୍ୟେ ଖେଳି ଥାଏ
ମହାଭାରତର କାଳୁ କାଳ ଯାଏଁ
ଏ ପର୍ବ ପାଳିତ ହୁଏ।। 1
ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା
ଭାଇର ଆଦେଶ ପାଳି
ଖେଳି ଥିଲା ଦିନେ ପ୍ରହଲ୍ଲାଦ ସଙ୍ଗେ
ନିଆଁରେ ହେଲା ସେ ବୋଳି।। 2
ବସନ୍ତ ରୁତର ଆଗମନୀ ବାର୍ତ୍ତା
କହିବା ପାଇଁ ତ ହୋଲି
ପର୍ବ ଯେ ପାଳିତ ସଚରାଚରେ
ରଙ୍ଗୋଲୀ ଆସିଛି ବୋଲି।। 3
ନୂଆ ଆଶା ଆଉ ଉଦ୍ଦୀପନା ଧରି
ଏହି ପର୍ବ ଆସିଥାଏ
ମହାସମାରୋହେ ସର୍ବେ ପାଳି ଥାଏ
ଏକାକାର ହୋଇଯାଏ।। 4
ଖରାପ ଉପରେ ଭଲର ବିଜୟ
ଅଟେ ପର୍ବର ମହତ୍ତ୍ୱ
ଭଲ ପାଇବାର ଅମନ୍ଦ ମନ୍ତ୍ରଟି
ହୋଲି ପର୍ବ ବିଶେଷତଃ ।। 5
ଆସିଛିରେ ଭାଇ ଆସିଛି ହୋଲି ଯେ
ସର୍ବେ ଆମୋଦିତ ହେବେ
ରଙ୍ଗ ବୋଳାବୋଳି ହେବେ ପରସ୍ପରେ
ସର୍ବେ ଖୁସି ବାଣ୍ଟୁ ଥିବେ।। 0
ରଙ୍ଗ ବେରଙ୍ଗର ରଙ୍ଗେ ରଙ୍ଗୀ ହୋଇ
ଜିଣିବା ସକଳ ମନ
ଭୂଲି ଯିବା ଆଜି ଦିନକ ପାଇଁ ତ
କିଏ ବଡ଼ କିଏ ସାନ। ।
ଆସିଛିରେ ଯେଣୁ ଆସିଛି ହୋଲି ଯେ
ରଙ୍ଗ ମୁଁ ହୋଇଛି ବୋଳି
ସକଳ ବଦନେ ରଙ୍ଗ ମୁଁ ବୋଳୁଛି
ରଙ୍ଗିଲା ଦିଶୁଛି ଭାରି।।
ଭୁଲିବାନି କେବେ ଦେଶ ପରମ୍ପରା
ଓଡ଼ିଆଣୀ ଘର ସଂସ୍କୃତି
ରଖିବା ଯେ ଟେକ ଏ ଦେଶ ମାଟିର
ଅତୀତ ସ୍ମୃତିକୁ ସ୍ମରି। ।
5.ନୂଆ ବରଷ
ବିଗତକୁ ବାଏ ଆଗତକୁ ହାଏ
ଦୁଃଖ କିନ୍ତୁ ସଦା ହଟୁ
ସୁଖ ସମୃଦ୍ଧିରେ ଦିନ କଟି ଯାଉ
ଶାନ୍ତି ଅହରହ ଜୁଟୁ।।1
ନୂଆ ବରଷରେ ସୁଖ ମନାସୁଛି
ସବୁ ହେଉ ଶୁଭଙ୍କର
ଦୁଃଖ ତାପ ଯେତେ ସବୁ ଯାଉ ହଟି
ଲଭ ସୁଖ ପାରାବାର।।2
ନୂଆ ବରଷଟି ନୂଆ ରୂପ ଧରି
ଆସିଛି ଏ ଧାମେ ଯେବେ
ନୂଆ କଥା ମାନ ସବୁ ସେ ହୋଇଛି
ହୋଇ ନାହିଁ ଯାହା କେବେ।।3
ମଣିଷ ମନରୁ ସ୍ୱାର୍ଥ ଲୋଲୁପତା
ସବୁ ଯାଏ କେଣେ ଛାଡ଼ି
ଆତ୍ମୀୟତା ଆଉ ଆନ୍ତରିକତାର
ଯେବେ ସେ ପଡ଼ିଛି ହୁଡ଼ି ।।4
ପ୍ରେମ ଆଉ ଭଲ ପାଇବାର ରଙ୍ଗେ
ରଙ୍ଗୀ ହେଉ ନୂଆ ବର୍ଷ
ମନରେ ଜାଗୁ ସେ ସ୍ନେହ ମମତାର
ଉଚ୍ଛ୍ୱଳ ଜଳ ତରଙ୍ଗ ।। 0
6.ଭଲ ପାଇବାଟି ବଳୀ
ଭଲ ପାଇବା ଯେ ଅମାପ ତା’ ଶକ୍ତି
କେ ଅଛି ପାରିବ କଳି
ଭଲ ପାଇବାଟି ଥିଲେ ପରା ଦିନେ
ନିଶ୍ଚୟ ତୁଟିବ କଳି।। 1
ଅନ୍ଧ ପରା କେବେ ଲଭଇ ଶକତି
ଆଖିର ରୋଷଣୀ ଫେରି
ଛୋଟା ପୁଣି କେବେ ଲଂଘି ପାରେ ଗିରି
ପ୍ରେମକୁ ଆୟୁଧ କରି।। 2
ପ୍ରେମ ଆଉ ଭଲ ପାଇବାକୁ ଛାଡ଼ି
ଜୀବନ ହୋଇବ ନଳୀ
ଯେତେ ଯିଏ ଯାହା କହୁଥାଉ ପଛେ
ଭଲ ପାଇବାଟି ବଳୀ।। 9
7.ଗୋଲାପ ଦିବସ
ଗୋଲାପ ଦିବସ ଭଲ ପାଇବାର
ବାର୍ତ୍ତାଟି ଧାରଣ କରି
ବରଷକେ ଥରେ ଆସିଥାଏ ପରା
ହୃଦେ ପ୍ରେମ ଭାବ ଭାରି।।1
ହେଲେ ପ୍ରେମ ଆଉ ଭଲ ପାଇବାଟା
ସେତେ ଯେ କରୁନି କାମ
ଛଳନା ଆଉ ସେ ପ୍ରତାରଣା ଯେଣୁ
କରିଛି ସଭିଙ୍କୁ ଗ୍ରାସ।।2
ଗୋଲାପ ସୁନ୍ଦର କଣ୍ଟା ବାଜି ତା’ର
ହୋଇପାରେ କେବେ କ୍ଷତ
ଭଲ ପାଇବାଟି ତାହା ଠାରୁ ଭଲ
ହୃଦେ ହାଣି ପାରେ ଘାତ।।3
ତେବେ ବି ଚାଲ ହେ ସଖା ପରିଜନ
ଆତ୍ମୀୟ ସ୍ଵଜନ ମୋର
ଭଲ ପାଇବାର ମନ୍ତ୍ର ଉଚ୍ଚାରିଣ
ଲଭିବା ସୁଖ ସାଗର।। 0
8.ବିଶ୍ଵ ମହିଳା ଦିବସ
ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ
ହଟିବନି ଅନ୍ଧକାର
ନାରୀ ଜାଗରଣ ନାରୀ ଜାଗୃତିଟି
ତହୁଁ ବଳି ଶ୍ରେୟସ୍କର ।।1
ଅର୍ଦ୍ଧାଧିକ ଯେଣୁ ମାନବ ସମ୍ବଳ
ଅଟଇ ମହିଳା ବଳ
ସେ ମହିଳାଙ୍କର ନୋହିଲେ ବିକାଶ
ସବୁ ହେବ ଅସଫଳ।। 2
ନାରୀ ଅବା ନର ସମସ୍ତେ ସମାନ
ନାଆଁକୁ ଭିନ୍ନ୍ ଯେ ଖାଲି
ସମସ୍ତଙ୍କୁ ଦେବା ସମ ଅଧିକାର
ଲିଙ୍ଗ ଭେଦ ଭାବ ଭୁଲି।।0
9.ବନୀକରଣ
ଜଳବାୟୁର ତ ପରିବର୍ତ୍ତନରେ
ଗ୍ରୀଷ୍ମ ପ୍ରବାହ ବଢୁଛି
ବରଫ ଚଟାଣ ହ୍ରାସ ପାଏ ବେଗେ ସମୁଦ୍ର ସ୍ଥର କମୁଛି।
ସମୁଦ୍ର ପତ୍ତନ ଉପରି ଭାଗର
ଜଳବାୟୁ ବଦଳୁଛି
ସାମୁଦ୍ରିକ ଝଡ଼ ଉତ୍ପତ୍ତି ତହିଁରୁ
କ୍ଷୟକ୍ଷତି ସାଧୁଅଛି।।
ଏଥିରୁ ନିସ୍ତାର ମିଳିବନି କେବେ
ବନୀକରଣଟି ବାକି
ନୋହିଲେ ସ୍ରୁଷ୍ଟି ତ ବିନାଶ ହୋଇବ
ପାରିବନି କେହି ରୋକି।
ଆସ ମିଳିମିଶି ଲଗାଇବା ଚାରା
ହସିଉଠି ପରା ଧରା
ଖରା ବର୍ଷା ସବୁ ଶୃଙ୍ଖଳିତ ହେଉ
ବର୍ଷି ଯାଉ ବର୍ଷା ଧାରା।।
10.ମେ ଦିବସ
ହରତାଳ ଆମ ନ୍ୟାର୍ଯ୍ୟ ଅଧିକାର
ମିଳୁ ସବେତନ ଛୁଟି
ନିର୍ଘଣ୍ଟ ହେଉ ସେ ସମୟ ଅବଧି
ଆଠ ଘଣ୍ଟା ଆମ ଡ୍ୟୁଟି।। 1
ଦିଅ ସର୍ବ ନିମ୍ନ୍ ମଜୁରୀ ହାର ଯେ
ମୂଲ ସ୍ଥିରୀକୃତ ହେଉ
ପେଟକୁ ଦାନା ତ ଗାଣ୍ଡିକୁ ଯେ କନା
ଗଣ୍ଡେ ଖାଇ ଦଣ୍ଡେ ଜୀଉ। 2
ବେଠି ଖଟେଇବା ଛାଡ଼ି ଦିଅ ତୁମେ
ହକ୍ ମାଗେ ଆଜି କଣ୍ଟି
ଲାଭାଂଶରୁ ଦିଅ ପଚାଶ ଶତାଂଶ
ଶ୍ରମିକ କୂଳରେ ବାଣ୍ଟି।। 3
ତୁମରି ପ୍ରାସାଦ ଆମରି ଶ୍ରମରେ
ଗଢା ହେଉଥାଏ ନିତି
ଝୁମ୍ପୁଡ଼ି ବସ୍ତିରେ ଆମ ଦିନ କଟେ
ତୁମକୁ ଯେ ହାତ ପାତି।। 4
ଶ୍ରମିକର ଶ୍ରମ ନିର୍ଭରଶୀଳ ହେ
ପରାଙ୍ଗପୃଷ୍ଠ ପ୍ରାଣୀ
ଶୁଣିଛ କି କେବେ ଦୁଃଖ ଭାଗ କେତେ
ଦେଉ ଅଛ ଖାଲି ବାଣୀ ।। 0
11.ଶ୍ରମିକ ଦିବସ
ଶ୍ରମିକ ଦିବସେ ଶ୍ରମିକର ଲାଗି
ନେତାଙ୍କ ଭାଳେଣି ପଡ଼େ
ସଭାରେ କହନ୍ତି ବଡ଼ କଥା ହେଲେ
ଶ୍ରମିକର ମୁଣ୍ଡ ଗଡେ।। 1
କିଏ ସେ ଦରଦୀ ପାରୁନି ଯେ ବୁଝି
ସମସ୍ତେ ରହନ୍ତି ସୁଖେ
କିନ୍ତୁ କାହିଁ କଷ୍ଟ ହେଉନି ଲାଘବ
ଶ୍ରମିକ ସଢ଼ୁଛି ଦୁଃଖେ।। 2
ସୁନାର ଫସଲ ଉଗୁଳାଏ ଯିଏ
ଶ୍ରମିକ ଭାଇ ଯେ ସିଏ
ସବୁରି ମୁଖରେ ଦେଇ ସେ ହରସ
ଲହୁଲୁହ ପିଇ ଯାଏ।। 3
ଆଜିର ପରାଏ ଦିବସରେ ଯଦି
ନ କରିବା ଆମେ ଚିନ୍ତା
ଆଉ କେଉଁ ବେଳେ କରି ବସିବ ହେ
ଏମିତିକା ଅନୁଚିନ୍ତା। ।0
12.ଶିଶୁ ଶ୍ରମିକ
ଶିଶୁ ଶ୍ରମିକକୁ ଗୋତି ଖଟାଇଣ
ଲାଭ ନେଉ ଅଛ କେତେ
ସ୍ଵଳ୍ପ ପରିମାଣ ପାରିଶ୍ରମିକରେ
ଜୀବନ ଲୁଟୁଛ ସତେ।। 1
ଶିଶୁ ସନ୍ତାନଟି ସେ ତ ଦେବୋପମ
ଉଜ୍ଜ୍ଵଳ ଭବିଷ୍ୟ ତା’ର
ଶିକ୍ଷା ସିନା ତା’ ର ଏକା ଅଧିକାର
କାହିଁକି ବଞ୍ଚିତ କର? 2
ଶିଶୁ ଅଧିକାର ସୁରକ୍ଷା ସକାଶେ
ହେଉଛି ଆଇନ୍ କେତେ
ସବୁ ସେ ଯାଉଛି ଫସର ଫାଟିଣ
ଇଛା ଶକ୍ତି ନହିଁ ଏତେ।। 3
ମାନସିକ ଅବା ଶାରୀରିକ କ୍ଷେତ୍ରେ
ନୋହିଲେ ବିକାଶ ତା’ର
ଘୋଟି ଯିବ ପରା ଅନ୍ଧକାର ରାଶି
ସୃଷ୍ଟିର ସଚରାଚର।। 4
ଆଜିର ଦିବସେ ଚେତାଇ ଦେବାର
କାମଟି କେବଳ ଆମ
ତେଣିକି ଯେ ଭଲ ମନ୍ଦର ବିଚାର
ହିସାବ କରିବ ଯମ।। 0
13.ଆୟୁଷ୍ମାନ ଭାରତ ଦିବସ
ଆଜି ପରା ଦିନେ ଆସ ଆମେ ନେବା
ଜନ ହିତ କାର୍ଯ୍ୟକ୍ରମ
ସରକାରୀ ଅବା ଘରୋଇ ଚିକିତ୍ସା
ଯୋଗାଇ ଦେବାର କାମ।। 1
ଆର୍ଥିକ କ୍ଷେତ୍ରରେ ଅନଗ୍ରସରଙ୍କୁ
ଚିକିତ୍ସାର ସେବା ଦେବା
ରୋଗ କୂପେ ପଡ଼ି ନମରନ୍ତୁ କେହି
ଯୋଗାଇ ଚାଲିବା ସେବା।। 2
ଜନ ଅଭିମୁଖୀ ସରକାର ହେଉ
ଜନ ମଙ୍ଗଳ ରାଷ୍ଟ୍ରରେ
ସ୍ଵାସ୍ଥ୍ୟର ସୁରକ୍ଷା ସବୁ ଠାରୁ ବଳି
ତହୁଁ ଅନୁଚିନ୍ତା କରେ। 0
14.ବିଶ୍ଵ ଶିଶୁ ଦିବସ
15.ବୌଦ୍ଧିକ ସମ୍ପଦ ଦିବସ
ବୌଦ୍ଧିକ ସମ୍ପଦ ସୁରକ୍ଷା କାରଣ
ଭାଳେଣି ପଡ଼ିଛି ଆଜି
ଚୋରେଇ ନେଉଛି କିଏ କା ସମ୍ପତି
ହିସାବ ଦେଉନି ପାଜି।। 1
ଏ ସବୁ କ୍ଷେତ୍ରରେ ଫେସ୍ ବୁକ୍ ପାଲା
କରୁଛି ଜଘନ୍ଯ କାଣ୍ଡ
ନିତି କରୁଛନ୍ତି ଅନ୍ୟର ଲେଖାକୁ
ନିଜର ବୋଲିଣ ପୋଷ୍ଟ।। 2
ବେଲଜ୍ଜା ଦଳକୁ ସରମ ନାହିଁକି
ଚୋର ଚୋର ପଡ଼େ ହୁଡ଼ି
ତଥାପି ଗରବେ ଟାଣପଣେ କହେ
ଏ କି ଭୁଲ୍ ଦିଅ ରଡି।। 3
ଆସ ଆଜି ଆମେ ଶପଥ କରିବା
ଗୁଣୀ ଜନେ ମାନ ଦେବା
ଯାହା କୃତ କୃତି ପ୍ରତିଭା ଚିହ୍ନି କି
ତାକୁ ଆମେ ଶ୍ରେୟ ଦେବା।।
16.ବିଶ୍ଵ ଧରିତ୍ରୀ ଦିବସ
ଧରିତ୍ରୀ ପୂରଣ କରେ ମାନବର
ସର୍ବନିମ୍ନ ଆବଶ୍ୟକତା
ପାରିବନି କିନ୍ତୁ ପୂରଣ କରିଣ
ତା’ର ଲୋଭ ଲୋଲୁପତା।।1
ପୃଥିବୀ ସାରା ଯେ ପାଳିତ ହେଉଛି
ବିଶ୍ଵ ଧରିତ୍ରୀ ଦିବସ
ସକଳ ପ୍ରାଣୀଙ୍କ ସୁରକ୍ଷା ଚିନ୍ତାଟି
ଘାରିଛି ଜନ ମାନସ।। 2
ଆସ ବିଶ୍ଵବାସୀ ମିଳିମିଶି ଆଜି
ସଜାଡ଼ିବା ପରିବେଶ
ଯହିଁ ରହିଥାଉ ଜୀବ ଜଗତଟି
ଶାନ୍ତିରେ ବିଶ୍ଵାସୀ ନିଶ୍ଵାସ।। 0
17.ବିଶ୍ଵ ଅଗ୍ନିଶମ ଦିବସ
ଅଗ୍ନି ଦେବତାର କୋପ ଶକ୍ତି ଭାରି
କ୍ରୋଧିତ ଯେବେ ସେ ହୁଏ
ସବୁ ଭସ୍ମୀଭୂତ ପାଉଁଶ ଗଦାଏ
ମୂକ ସାକ୍ଷୀ ରହିଯାଏ।। 1
ଅଗ୍ନି ନିର୍ବାପକ ଅଗ୍ନିଶମ ଦଳ
ବିଭାଗଟି ଆମେ କରେ
ଯେଉଁଠି ଥାଆନ୍ତୁ ନିଆଁ ଲିଭାଳୀ ଯେ
ଅଗ୍ନିକୁ ଆୟତ୍ତ କରେ।। 2
ଧନ ଜୀବନର ସୁରକ୍ଷା କାରଣେ
ନିଆଁ ହୁଳା ସଙ୍ଗେ ଖେଳ
ଏ କି ଯେ ଅଦ୍ଭୁତ ଅଦମ୍ଯ ସାହସ
ସାବାସୀ ତାହାର ଫଳ।। 3
ଦୁଃଖୀ ଜନଙ୍କର ଦୁଃଖ ଭାଗ ହର
ଧନ୍ଯ ତୁମେ ଆଜି କହେ
ପୁଣ୍ୟ କର୍ମ ପାଇଁ ସେବା ନିଧି ଫଳେ
କେତେ ଯେ କଷଣ ସହେ।।4
ତ୍ୟାଗପୂତ ତୁମ ମହିମା ମଣ୍ଡିତ
ଧନ୍ଯ ସେ ଜୀବନ କିବା
ନାଲି ଆଉ ବ୍ଲୁ ପ୍ରତୀକଟି ପରା
ଜରୁରୀ କାଳୀନ ସେବା । 0