ଉତ୍ସର୍ଗ
——–
ମୋତେ ସାହିତ୍ୟର ସାଧନା ଓ ମାତୃଭାଷାର ପୂଜା କରିବା ପାଇଁ ପ୍ରେରଣା ଟିକକ ମିଳିଥିଲା ଠିକ୍ ଯେଉଁଦିନ ସରଳ ଶିଶୁର ତରଳ ମନ ନେଇ ମୁଁ ଆମ ପରିବାରର ପରମ ଆରାଧ୍ୟା ଦେବୀ ମା ହିଙ୍ଗୁଳାଈଙ୍କ ନିକଟରେ ଆତ୍ମ ନିବେଦନ କରିଥିଲି। ଉକ୍ତ ପୁସ୍ତକର ଅୟମାରମ୍ଭ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇ ମହାମାୟୀ ଯୋଗମାୟା ମାଆ ହିଙ୍ଗୁଳାଈଙ୍କ ବନ୍ଦାପନାରେ ଶେଷ ହୋଇଛି , ଯାହଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଆମ ଗ୍ରାମରେ ପାଳିତ ହୁଏ ଯାଗଯଜ୍ଞ ଆଦି ହୋମକାଣ୍ଡ। ସେହି ଶକ୍ତିରୂପା ମାତୃ ଶକ୍ତିର ଆରାଧନା ଓ ସ୍ମରଣ ମାତ୍ରକେ ମୋ ଭିତରେ କବିତ୍ଵର ଭାବ ଉଜାଗର ହୋଇଉଠେ – ଏ କଥା ମୁଁ ମର୍ମେ ମର୍ମେ ଉପଲବ୍ଧି କରିଛି। ସେଇ ଐଶୀ ଶକ୍ତିସମ୍ପର୍ଣ୍ଣା ଦେବୀ ମାଆଙ୍କ ଉଦ୍ଦେଶ୍ୟରେ ‘ମନପାରା’ ପୁସ୍ତକ ଉତ୍ସର୍ଗ କରି ମୁଁ ନିଜକୁ କୃତାର୍ଥ ମନେ କରୁଛି।
ଜୟ ଜୟ ମାଆ ହିଙ୍ଗୁଳା ତୁହିଲୋ
ମାଆ ଦୁର୍ଗତନାଶିନୀ
ସଙ୍କଟହାରିଣୀ ବିପଦତାରିଣୀ
ସର୍ବ କଷ୍ଟ ନିବାରିଣୀ।।
ଇତି
ତୋହରି ସନ୍ତାନ
(ସତ୍ୟ ପ୍ରକାଶ ସେଠୀ)
ନିଜସ୍ୱ ମୁହଁରୁ ପଦେ…
—————————-
ଐଶୀ ଶକ୍ତିର ଆରାଧନା ଓ ଉପାସନା ଓଡ଼ିଶା ତଥା ଭାରତୀୟ ସଂସ୍କୃତିର ପରମ୍ପରା। ତେଣୁ ଉକ୍ତ ଭାବଧାରା ଓ ବିଚାରଧାରା ପ୍ରତି କିଛିଟା ଅନୁରକ୍ତ ହୋଇପଡିବା ମୋ ପକ୍ଷେ ଆଦୌ ଅସ୍ୱାଭାବିକ ନୂହେଁ। ପୃଥିବୀରେ କିଛି ଥାଉ ବା ନଥାଉ ହେଲେ ଐଶୀ ଶକ୍ତି ବୋଲି କିଛି ଗୋଟାଏ ତ ନିଶ୍ଚୟ ଅଛି। ତାହା ନହୋଇଥିଲେ ପୃଥିବୀ ଆତଯାତ ହେଉଥାନ୍ତା କିପରି? ଆଧୁନିକ ବିଜ୍ଞାନୀ ମଣିଷ ଏହି ଆଧ୍ୟତ୍ମିକ ଓ ଆଧିଭୌତିକ ଚେତନାରୁ ଆଜି ଯେତେ ଦୂରକୁ ଗଲେ ମଧ୍ୟ, ସେ ପୁଣି ସେହି ମୂଳକୁ ଫେରିବାକୁ ବାଧ୍ୟ। ଆଜିର ଯୁଗରେ ନିରାଶା ଓ ହତାଶାର କାଳିମା ଯେପରି ଭାବରେ ମଣିଷ ଜୀବନକୁ ସାମଗ୍ରିକ ଭାବେ ଆଚ୍ଛାଦିତ କରୁଛି। ତହିଁରୁ ନିବୃତ୍ତି ତଥା ମାନସିକ ଶାନ୍ତି ନିମନ୍ତେ ତାକୁ ଈଶ୍ବରୀୟ ଚିନ୍ତା ଓ ଅନୁଚିନ୍ତା ଭିତରେ ଅବଗାହନ କରିବାକୁ ହେବ। ଭଗବାନ ଅଛନ୍ତି ପୁଣି ନାହାଁନ୍ତି-ଏହିଭଲି ଏକ ‘ହଁ – ନାହିଁ’ ସ୍ଥିତି ଭିତରେ ମଣିଷ ଅହରହ ଯୁଝୁଛି। କେତେବେଳେ ସେ ତା’ର ସ୍ଥିତିକୁ ସ୍ଵୀକାର କରୁଛି ତ ପୁଣି କ୍ଷଣକେ ଅସ୍ୱୀକାର କରି ବସୁଛି। ଏକ ଦ୍ୱନ୍ଦ ଦେହେଳୀ ଦେଇ ବର୍ତ୍ତମାନ ମାନବ ସମାଜ ଗତି କରୁଛି। ତା’ର ମାନସିକ ଶାନ୍ତିର ବ୍ୟାହତ ଘଟୁଛି। ଶାନ୍ତିକୁ ଖୋଜିବା ପାଇଁ ସେ ପାଗଳଙ୍କ ପରି ଏଣେତେଣେ ଘୂରିବୁଲୁଛି। ହେଲେ ଶାନ୍ତି ସୁଦୂର ପରାହତ। ଏତେବେଳେ ତା’ର ମାନସିକ ଶାନ୍ତି ଓ ଆଧ୍ୟତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ତା’ର ଅଧ୍ୟୟନ ପିପାସା ବଢୁଛି। ବିଭିନ୍ନ୍ ଶାସ୍ତ୍ର ମାଧ୍ୟମରେ ସେ ତା’ର ସମାଧାନର ପନ୍ଥା ନିରୂପଣ କରିବାକୁ ଚେଷ୍ଟା କରୁଛି। ଶାସ୍ତ୍ରକାରଙ୍କ ନିର୍ଦ୍ଦେଶିତ ମାର୍ଗ ଅନୁସରଣ କରିବା ଫଳରେ ହୁଏତ ଏ ଦିଗରେ ତାକୁ କିଛିଟା ସହାୟତା ମିଳି ପାରୁଛି। ଏହିଭଳି ଅନେକ ସମସ୍ୟା ଓ ତହିଁର ଦାର୍ଶନିକ ଦୃଷ୍ଟିଭଙ୍ଗୀକୁ ନେଇ ଉକ୍ତ ପୁସ୍ତକଟି ପୁଷ୍କଳ ହୋଇଛି। ଏଥିରେ ଈଶ୍ୱରଙ୍କ ପ୍ରତି ଭିନ୍ନ୍ ଦୃଷ୍ଟିକୋଣ ପ୍ରତିଫଳିତ। କେତେକ କବିତାରେ ଐତିହାସକ ଓ ଆଧ୍ୟତ୍ମିକ ପୀଠସ୍ଥଳୀ ଗୁଡିକର ଐତିହାସିକତା ଓ ମହତ୍ତ୍ୱ ପ୍ରତିପାଦନ କରାଯାଇଛି। ଅନେକ କବିତାରେ ଦାର୍ଶନିକ ସୁଲଭ ମନନଶୀଳତାର ପରିପ୍ରକାଶ ଘଟିଛି। ଅନେକାଂଶରେ କବିତା ଗୁଡ଼ିକ କ୍ଷୁଦ୍ର ହୋଇଥିଲେ ହେଁ ଭାବଧାରା ଓ ବିଚାରଧାରାର ମହତ୍ତ୍ୱ ପ୍ରତିପାଦନ ପାଇଁ ସଚେତ ଚେଷ୍ଟା କରାଯାଇଛି। ଉକ୍ତ କବିତା ଗୁଡିକ ବିଭିନ୍ନ ପତ୍ରପତ୍ରିକା, ସୋସିଆଲ୍ ମିଡିଆ ତଥା ଷ୍ଟୋରୀ ମିରର ଆହ୍ଵାନ, ବଣମଲ୍ଲୀ ପ୍ରଭୁତି ଇ – ପତ୍ରିକା, ୱେବ୍ ସାଇଟ୍ ଓ ୱେବ୍ ପୋର୍ଟାଲରେ ପ୍ରକାଶ ପାଇ ବହୁ ପ୍ରଶଂସିତ ଓ ପୁରସ୍କୃତ ହେବା ପରେ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇବାକୁ ଯାଉଛି। ଏଣୁ ଆଶା ଓ ଆକାଂକ୍ଷା ଏହା ପାଠକୀୟ ସ୍ଵୀକୃତି ଓ ଆଦର ଲାଭ କରିବ। ତେବେ ପୁସ୍ତକଟି ପଠନ କରି ମତାମତ ନିଶ୍ଚୟ ରଖିବାକୁ ଅନୁରୋଧ।
ଶେଷରେ ପୁସ୍ତକ ପ୍ରକାଶନ ପାଇଁ ପ୍ରକାଶକ ଶ୍ରୀଯୁକ୍ତ ଜଗନ୍ନାଥ ରଥ ମହୋଦୟ ସହମତି ଓ ସହଯୋଗୀ ମତ ପୋଷଣ କରିଥିବାରୁ ତଥା ପ୍ରଖ୍ୟାତ ସାହିତ୍ୟିକ ପଣ୍ଡିତ ଦୈତ୍ଯାରୀ ମହାପାତ୍ର ଏହାର ମୁଖବନ୍ଧ ଲେଖି ବହିଟିର ଉତ୍କର୍ଷତା ସାଧିତ କରିଥିବାରୁ କୃତଜ୍ଞତାପୁଟେ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।
ପରିଶେଷରେ ସବିନୟ ଅନୁରୋଧ କରିବି ମୋର ଅଧିକ ଲେଖା ଗୁଡ଼ିକ ପଢିବା ପାଇଁ ଦୟାକରି ନିମ୍ନୋକ୍ତ ୱେବସାଇଟ ଓ ୱେବ୍ ପୋଟାଲ୍ ଅନୁସରଣ କରନ୍ତୁ। 1.www.satyaprakashsethy.com
2.Satyaprakash Sethy blog at storymirror.com & banamalli.org
3.username – Satya Prakash Sethy at fb time line and page, Linkedin, Instagram, Twitter, Google plus and Pinterest.
ଜୟ ମା’ହିଙ୍ଗୁଳାଈ ନମଃ ।
-ଲେଖକ –
(ସତ୍ୟ ପ୍ରକାଶ ସେଠୀ)
ଅଭିମତ
କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।
“ମନପାରା” ତାଙ୍କର ଅନନ୍ୟ କୃତି। ଏଥିରେ ଆଧ୍ୟତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ଯେପରି ଧର୍ମ, ଦର୍ଶନ ଓ ହେତୁ ଉପଦେଶ ପ୍ରକାଶ ପାଇଛି ସେହିପରି ଆଧ୍ୟତ୍ମିକ ଓ ଐତିହାସିକ ପୀଠଭୂମିର ମାହାତ୍ମ୍ୟ ମଧ୍ଯ ପ୍ରକାଶ ପାଇଛି। କବିତା ଗୁଡ଼ିକରେ ଗୀତିମୟତା ଉଛୁଳି ଉଠିଛି। ଏଥିରେ ପାଠକୀୟ ଆବେଦନ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ
ସୂଚୀପତ୍ର
———–
1.ମନ ପାରା
2.ଅକଲ ମୁଣ୍ଡା
3.ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ
4.ମନ ପରା ଗଙ୍ଗା ଜଳ
5.ଯମଜ ଭ୍ରାତା
6.କରନି ମୋତେ ତୁ ନିସ୍ଵ
7.ଦଇନୀ
8.ମୁଁ ଯଦି ଯାଆନ୍ତି ଦେବତାଟି ହୋଇ
9.ପୀଡା ହୟାନ୍ତକ
10.ବିଦାୟ ବେଳାରେ ମାଗୁଛି ମେଲାଣି
11.ଚାରା ଗଛଟିଏ
12.ବନ୍ୟା ବିଭୀଷିକା
13.ନବରାତ୍ରି
14.ସମୟର୍ ଆରପାରି
15.କଲମ
16.ଦୁର୍ଗତ ନାଶିନୀ
17.ଆରଡ଼ି ଅଧୀଶ୍ଵର
18. ଘଟଗାଁ ତାରିଣୀ
19.କାକଟପୁର ବାସିନୀ
20.ତେବେ ବି ମିଳଇ ହରି
21.ମହିମା ଧର୍ମ
22.ମୋ ଗାଆଁ ତମାଳ ବନ
23.ଐକାନ୍ତିକ ଇଚ୍ଛା
24.ଜୀବନ ଗଣିତ ବହି
25 ତପ୍ତ ଧାରା
26. ହସ ଖୁସି ପରିବାର
27.ସେଦିନ ତୁମକୁ କହୁ ନଥିଲି ନା
28କିଛି ଜାଣ ନାହିଁ ତାତ
29. ଆହେ ଦୟାବହ
30ବର୍ଷା ଆହ୍ଵାନ
31.ପ୍ରେରଣା
32 ପ୍ରେମ
33. ଏମିତି କେମିତି ହୁଏ
34.ମୋ ଦୋଷେ ମୁଁ ଯେ କାରଣ
35. ଅବୁଝା ଶିଶୁ
36. ଅହରହ ହଁ – ନା ସ୍ଥିତି
37. ହେ ଭକ୍ତ ବଂଶବାଦ
38.ମନ କାତି
39. କରିଦେ ଲାଘବ
40. ବିଘ୍ନନାଶକ ମହାବିନାୟକ
41. ନିଗୂଢ ରହସ୍ୟ
42 ହଂସାରୁଢ ଆହେ
43. ଏଡ଼େ ଦାମ୍ଭିକତା
44. କୋଣାର୍କ
45.ଦୟାନଦୀ କୂଳେ
46. ପ୍ରାଚୀନ ଜୈନପୀଠ
47. ମାଆ ସରସ୍ଵତୀ
48. କେଉଁଠି ଖୋଜିବି ତୋତେ
49. ହେ ଆସୁନ! ଆସ!!
50.ହେ!
51.ତୁମ ବିନା
52.ଦୁର୍ବାର ଲାଳସା
53.ଭଗ୍ନାଂଶ
54. ବିକଳେ ଡାକଇ ମଲି
55. ଆହେ ମହାବାହୁ
56 ବିଡମ୍ବନା
57.ଆଲୋକ ଦିଅ ହେ ଜାଳି
58.ଭୂଲ ଭୂଲିଆ
59.ମଜାଟି ଚାଖିବୁ ଚୋଖା
60 ହୃଦୟ
61 ସହଜ ନିୟମ
62 ରେବ ନଦୀ
63. ଶାନ୍ତି
64.ଶାନ୍ତିର ଠିକଣା
65.ଗୁପ୍ତ ଗାଥା
66.ବାଘ
67.ମୁଁ କିଏ ଏକ ପ୍ରଶ୍ନବାଚୀ
68.କୃତଜ୍ଞଟି ମୁହିଁ
69.ମୁଁ ଯଦି ଏବେଠୁଁ ଯାଆନ୍ତି ଯେ ମରି
70.ମୁକ୍ତି ଗଙ୍ଗା
71.କେମନ୍ତେ ଲୋ ବହି
72. କେଉଁଠି ଖୋଜିବି ତୋତେ
73. ରଣ ଭୂଇଁ
74 . ତିନୋଟି ଜିନିଷ
75.ନିସର୍ତ୍ତ ବନ୍ଧୁତା
76.ଜୀବନଟା ସାରା
7 7 ଅପଣାର କିଏ
78.ମାତ ହିଙ୍ଗୁଳାଈ
1.ମନ ପାରା
ଜଗତର ନାଥ ଆହେ ଜଗନ୍ନାଥ
ତୋତେ ନେଇ କାବ୍ୟ ଲୀଳା
କେତେ ରୂପେ କବି ନାନା ଭାବେ ଗୁନ୍ଥେ
ଭଜନ ଜଣାଣ ମାଳା ।0
ତୋ କଥାଟା କିନ୍ତୁ ପଡିଲେ ମୋ ମନେ
ଅଭିମାନେ ହୁଏ ଗୁଣି
କୋହ ଉଠେ ଭାରି ଦୁଃଖ ତାପେ ଝଳି
ପାରେନି ମୁଁ କିଛି ଭଣି ।1
କି କହିବି ପୁଣ ଗୁପତ କୋଉଟା
ସବୁ ପରା ତୋତେ ଜଣା
ଯାହା ତୁ ଚାହିଁଛୁ ତାହା ମୁଁ କରିଛି
ବାଟ ଚାଲି ଚାଲି ବଣା।2
ମୋର କାହିଁ ଇଚ୍ଛା? ତୋତେ ଦେଖିଦେଲେ
ଥରେରେ କାଳିଆ ପରା
ସବୁ ଇଚ୍ଛା ମୋର ତୋଠିଁ ସମାପିତ
ଆତ୍ମତୃପ୍ତ ମନ ପାରା ।3
2. ଅକଲ ମୁଣ୍ଡା
ସମସ୍ତେ ଧାଆଁନ୍ତି ଆତ୍ମ ପରିଚିତି
ଅର୍ଥ ଯୌବନ ଲାଳସେ
ପଦ ପଦବୀରେ ସୁଉଚ୍ଚ ସୋପାନ
ନଥାଉ ମାନବତା ସେ ।।
ହେଲେ ସବୁଠାରୁ ଖୁସିର ମଣିଷ
ଭୂ’ରେ ସେହୁ ଏକ ଜନ
ଯିଏ ବୁଝେ ନାହିଁ ଏସବୁର ମୂଲ୍ୟ
ବୁଝିଛି ସେ ଭଗବାନ।।
ଧନ ଦଉଲତେ ନାହିଁ ପ୍ରୟୋଜନ
ସର୍ବେ ଯିବେ ଏକା ପରି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।।
ସବୁତ ବୁଝୁଛି ନବୁଝି ସିଝୁଛି
ବୁଝିବାର ଢଙ୍ଗ କରି
କେତେ ଯେ ନାଟକ ନିତି ଭିଆଉଛି
ମିଛେ ମାୟା ମୋହେ ପଡ଼ି।।
ଏଥକୁ କାଳିଆ ତୁ ଏକା ଭରସା
ଦେ’ ଟିକେ ଅକଲ ମୁଣ୍ଡା
ବଙ୍କା ତେଢା ତକ ହୁଅନ୍ତୁ ଯେ ସିଧା
ସୁଧୁରି ଯାଆନ୍ତେ ହୁଣ୍ଡା।।
3 ଅଦୃଶ୍ୟ ତୁ ଅପ୍ରତ୍ଯେକ୍ଷ
କାଳିଆ ତୁ ଅଛୁ ନା ପୁଣି ନାହୁଁ
ଅନାସ୍ଥାଟା ମୋ ଭିତରେ
କେବଳ ଯେ ମୋଠିଁ ନରହି ସୀମିତ
ଅନେକ ମଧ୍ୟରେ ଉଙ୍କେ।0
ତୁ ତୋ ଉପସ୍ଥିତି ନା କେବେ କରିଛୁ
ଜାହିର୍ ନା ସେ ପ୍ରତ୍ୟେକ୍ଷ
ଭକ୍ତ ତେଣୁ ବୁଝେ ପାରେନା କାଁ ବୁଝି
ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ।1
ତୁ ସବୁରି ହୃଦେ ମୂଳରେ ସବୁରି
ବୁଝିବା ତୋରେ ଯେ କଷ୍ଟ
ମୋତେ ତେବେ କିଆଁ ହେବନି ଦୁର୍ବୋଧ
ହେଲେ ମୁଁ ଶରଣାଗତ।2
ବୁଝି ଲାଭ ନାହିଁ ବୁଝିଲେ ଅଡୁଆ
ଅଦ୍ଭୁତ ତୋ ସୃଷ୍ଟି ଲୀଳା
କେତେ କେତେ ମୁନି ଅସଫଳ ରୁଷି
ତହିଁକି ଆମେ ବିଫଳ।3
ହେଲେରେ କାଳିଆ ଥାଆ ତୁ ନଥାଆ
ରଖିଥା’ ମୋ ପଣ ହେଜେ
ମରିବାର ଆଗୁ ଦେଖିବିରେ ଦିନେ
ନୟନ ପୂରାଇ ତୋତେ।4
4ମନ ପରା ଗଙ୍ଗା ଜଳ
ବହୁ ଦରକାରୀ ଜାଣି ରଖିଥାଅ
ହେଲେ ହେଉ ତ୍ରୁଟି ଜନେ
ଆଚରଣେ ଅବା କ୍ରିୟା କ୍ରମେ କିନ୍ତୁ
ହୃଦ ଥାଉ ଠିକ୍ ସ୍ଥାନେ।।0
ହୃଦୟ ଯାହାର ଅଟଇ ନିର୍ମଳ
ମନ ପରା ଗଙ୍ଗା ଜଳ
ତହୁଁ ପାପ ପୁଣ୍ୟ ବିଚାରି କି ଲାଭ
ସେଇଟି ତ ପୁଣ୍ୟ ବଳ ।।1
ବିପଦେ କାତର ସମ୍ପଦେ ଚାତର
ଉଚିତ କର୍ମ ସେ କେତେ
ନିଜକୁ ରଖିବା ଶାନ୍ତ ବା ଆୟତ୍ତେ
ଝଡ଼ଝଞା ଆସୁ ଯେତେ ।।2
ରଖିଥିବା ସଦା ଦେଇଥିବା କଥା
ପରିସ୍ଥିତି ପଛେ ଭ୍ରଷ୍ଟ
ଚିତ୍ତ ସ୍ଥିତପ୍ରଜ୍ଞ ହେବା ଯେ ଜରୁରୀ
କାହାରେ ନଦେଇ କଷ୍ଟ ।। 3
ଫାଇଦା ନିଅନି ଅସୁବିଧା ବେଳେ
ନିରାଶ୍ରୟଠୁଁ ତ କେବେ
ସନ୍ତୁଷ୍ଟ ପରା ସେ ହୁଏନି ଈଶ୍ଵର
ନୀଚ୍ଚ କର୍ମ ହୁଏ ଯେବେ।।4
ବରଂ ନିରାଶ୍ରୟେ ଦୁର୍ବଳ ଅକ୍ଷମେ
ଆଶ୍ରୟଟି ଆମେ ଦେବା
ବିପଦୁ ଉଦ୍ଧାରି ସାହସ ଯୋଗାଇ
ପୁଣ୍ୟ କର୍ମ ସେ କରିବା ।।5
ପଦ ପଦବୀ ବା ଅର୍ଥଟି କେବା ସେ
ମାନଦଣ୍ଡ ଯୋଗ୍ୟତାର
ସର୍ବେ ସମ ଭାବ ବହି କର ତେବେ
ଭଦ୍ରୋଚିତ ବ୍ୟବହାର।।6
ଏଡ଼ିକି କୃପଣ ରଖିଥାଅ ସଞ୍ଚି
ଧନ ତୁଲ୍ୟ ଭଲପଣ
କି ଲାଭେ ନ ଲାଗେ ଯେବେ ଭଲା କର୍ମେ
ଅଟେ ସେହୁ ମନ୍ଦ ଗୁଣ।।7
ବିଭୂ ପାଦପଦ୍ମେ ଥିଲେ ସଦା ଲୟ
ଯମ କଷ୍ଟ ଯାଏ ଫେରି
ଆତ୍ମ ସମର୍ପଣ ଭାବଟି ଥିଲେ ତ
ବିପଦୁ ଯିବାଟି ତରି ।।8
5.ଯମଜ ଭ୍ରାତା
ଦୁଃଖ ଯେଣୁ ମୋର ଯମଜ ଭ୍ରାତା ସେ
ପାରୁନି ମୋତେ ତ ଛାଡ଼ି
ମୋର ଏ ଜୀବନ ପରିବୃତ୍ତ ଭିତରେ
ଅହରହ ବୁଲେ ଘୂରି ।।0
ତେଣୁ ମୁଁ ରଖିନି ସୁଖଟି ଆଦର
ଭ୍ରାତୃ ଧର୍ମ ପରା ପାଳି
ହେଲେ ଭାଇ ବାଦ ହେଲାଣି ଅସହ୍ୟ
ତା’ଜାଳା ଗଲାଣି ବଳି ।।1
ତହୁଁ ବିଭୂ ପ୍ରେମେ ରଖେ ସଦା ଲୟ
ରଖିଲେ ରଖିବ ହରି
ତାରିଲେ ତାରିବ ଫେଡ଼ି ଯମ କଷ୍ଟ
ନାହିଁ ଯେଣୁ ଅନ୍ୟ ଗତି।।2
6.କରନି ମୋତେ ତୁ ନି ସ୍ଵ
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ
ପରିବାର ବୋଲି କେତେ ଘୂରିସାରି
ଦେଖା ଦେଲେ ନାହିଁ କେହି। ।0
ସାଙ୍ଗ ସାଥୀ କଥା ପଚାରି କି ଲାଭ
ଦୁନିଆଟା ବେଇମାନି
ସଖା ପରିଜନ ବନ୍ଧୁ ବାନ୍ଧବ ତ
ସବୁ ହେଲେ ଧୋକା ବାଜି। ।1
କାହାକୁ ନେଇ ଯେ କରିବି ସଂସାର
ପୃଥିବୀଟା ବିଷପିତା
ବୁଦ୍ଧିବାଟ କାହିଁ ନାହିଁ ଦିଶୁ ଅଛି
କେଣେ ଯେ ପାତିବି ମଥା ।।2
ଏକଲା ଚାଲରେ ମନ୍ତ୍ରରେ ଦିକ୍ଷିତ
ହେଲେ ପାଉ ନାହିଁ ମୁକ୍ତି
ଦେହ ହାତ ସବୁ ଅବଶ ହେଲାଣି
କେଣେ ପାଉ ନାହିଁ ଶକ୍ତି।।3
ଏଥକୁ କାଳିଆ ତୁହି ମୋର ଶେଷ
ତୋତେ ମୁଁ କରିଛି ବିଶ୍ଵ
ଯେଣିକି ମୋଡ଼ିବୁ ତେଣିକି ଚାଲିବି
କରନି ମୋତେ ତୁ ନି ସ୍ବ।।4
7 ଦଇନୀ
ଜୀବନର ଚିରନ୍ତନ ସତ୍ୟ ଯେତେ
ସବୁ ସେ ମର୍ମେ ଭେଦିଛି
ହେଲେ ଗୋଟେ ସତ୍ୟ ହେଲାନି ବୋଲି ତ
ଅସତ୍ୟ ମୁଁ ପାଲଟିଛି।।0
କାହିଁକି ଜୀବନେ ମୋର ସେ ତ ଭରିଲ
ହତାଶେ ଚନ୍ଦ୍ର କାଳିମା
ପାରୁନି ଯେ ଉଠି ଚଟାଣେ ଲୋଟିଛି
ସଳଖି ହେଉନି ଜମା।।1
ତୁମଠୁଁ ଏମିତି ଜୀବନଟା କେବେ
ଚାହିଁଥିଲି ଭିକ୍ଷା ମୁଁ କି
ଦିଆଳିଆ ବୋଲି ଦେଇଛ କି ଟେକି
ମୁଫତରେ ସବୁ କିଛି? 2
ଜୀବେ ପରା ଦୟା ଦୟାର ପାଉଣା
ସବୁ ଦୁଃଖ ଅବସାଦ
କେମିତି ବା ଏତେ ପାରନ୍ତି ମୁଣ୍ଡାଇ
ସବୁତକ ଅପବାଦ? 3
ପାରୁନି ଯେ ଆଉ ଶରଣାପନ୍ନ ମୁଁ
ଯନ୍ତ୍ରଣା ମରଣ ଭ୍ରାନ୍ତି
ଥାଉନା ସେତିକି ଥକି ପଡ଼ିଲାଣି
ଦେଇଦେ ଏବେଠୁଁ ମୁକ୍ତି ।।4
8.ମୁଁ ଯଦି ଯାଆନ୍ତି ଦେବତାଟି ହୋଇ
ମୁଁ ଯଦି ଯାଆନ୍ତି ଦେବତାଟି ହୋଇ
ସବୁ କିଛି ଦେଖୁଥାନ୍ତି
ନିରବରେ ରହି ହେଲେ କାହାରିକୁ
କହନ୍ତିନି ସେତେ କିଛି।। 1
ସମସ୍ତଙ୍କୁ ମୁଁ ତ ପାଆନ୍ତି ଯେ ଭଲ
ନଦେଇ କାହାକୁ ଦଣ୍ଡ
କେବଳ ଦେଖନ୍ତି ଆଖି ଯେ ତରାଟି
କେଉଁଠି ହେଉଛି କ’ଣ।। 2
ମୋର ନାହିଁ ଚିନ୍ତା ତୁମେ କଲ କ’ଣ
ଭଲ କି ମନ୍ଦ ସେ କେତେ
କାରଣ ମୋ ଜୁରୀ ବିଚାରଟି ଦେବେ
ଜୀବନର ଶେଷ ବେଳେ।। 3
ତୁମ ପାଳି ଏବେ ତୁମେ ସ୍ଥିର କର
ଭଲ କି ଖରାପ କର୍ମ
ମୋ ପାଳି ଆସିଲେ ଶୁଣାଇବି ଦଣ୍ଡ
କର୍ମେ ଭୋଗାଭୋଗ ଫଳ।। 4
ତୁମେ ଭାବୁଥିବ ଦୋଷୀ କାହିଁ ଆଜି
ପାଉନାହିଁ ଦଣ୍ଡାଦେଶ
ଜୀବ ଜଗତରେ ସେ ଗୂଢ଼ ରହସ୍ୟ
ତୁମଠିଁ ବୁଝିବା କଷ୍ଟ।। 5
ମୋତେ ହସ ଲାଗେ ସବୁ ଦେଖି ଶୁଣି
ନିରବେ ନିରବୀ ଯାଏ
ଅସଲ ଉଦ୍ଦେଶ୍ଯ ତୁମ ମାନବରେ
ବୁଝିବା ସହଜ ନୁହେଁ।। 0
9.ପୀଡ଼ା ହୟାନ୍ତକ
ଫର୍ମାଲିନ୍ ଖାଇ ମଲେଣି ଥୋକେ ତ
ମରିବେ ଆହୁରି କେତେ
ନିଦୁଆ ରାଇଜେ ନିଦ ତ ଭାଜେନି
ସରକାର ଭାରୀ ଚେତେ।।0
ଫର୍ମାଲିନ୍ ବିକା ଆନ୍ଧ୍ର କାରବାର
ଛଳ ପଣ ଆସାମେ ନା
ହେଲେ ଶସ୍ତେ ଖିଆ ଆମେ ଶସ୍ତା ଅତି
ନାହିଁ ରୋଗ କିଣା ମନା। ।1
ତଟକା ଦିଶଇ ଫର୍ମାଲିନ୍ ବୋଳା
ମାଛ ପରିବାକୁ ଫଳ
ଗ୍ରାହକ ବୋକାଏ ରୋଗଟା ସାଉଁଟେ
ବୈଦ୍ୟ କି ଆମର ବଳ?2
ଗ୍ୟାସିଟିକକୁ ସିରୋସିସ୍ ଆଦି
ଉପଚିତ ନାନା ବ୍ୟାଧି
ଆନେମିଆ ଜାତ ଲିକୋମିଆ ରୋଗ
ରକ୍ତ କର୍କଟ ଅବଧି।।3
ହୃଦ ମୂତ୍ରାଶୟ ହାଡ଼ଶସ ପୁଣ
ଯକୃତ ହୁଏ ପ୍ରଭାବିତ
ପ୍ରତିକାର ନାହିଁ ପୀଡ଼ା ହୟାନ୍ତକ
ଚେଷ୍ଟା ବିଫଳ ସତତ ।।4
ଡାକ୍ତର ବୋଲନ୍ତି ଲୁଣର ପାଣିରେ
ଘଣ୍ଟେ ଦେଢ ଘଣ୍ଟା କାଳେ
ବତୁରାଇ ରଖେ ନବେ ଶତାଂଶ ବା
ରୋଗ ଦାଉ ମୁକ୍ତି ମିଳେ।।5
ହେଲେ ସରକାର କରନ୍ତେ କି ନୀତି
ମୂଳୁ ଯା’ନ୍ତା କଷ୍ଟ ଫେରି
ନୋହିଲେ ମରିବା ଫର୍ମାଲିନ୍ ଗିଳି
ମାର୍କେଟେ ତା ଭାଉ ଭାରି।।6
10. ବିଦାୟ ବେଳାରେ ମାଗୁଛି ମେଲାଣି
ସଭିଏଁ ଯାଆନ୍ତି ଏଠି ଏକାପରି
ନୟନରୁ ଅଶ୍ରୁ ଢାଳି
ପାରିବେନି ଯେଣୁ ରହି କେହି ପୁଣି
ସବୁକାଳ ସାଥୀ ହୋଇ। ।0
ତଥାପି ପାଲଟେ ନୟନାଶ୍ରୁ ତବ
ଶତ ବୃଶ୍ଚିକ ଯନ୍ତ୍ରଣା
କେମନ୍ତ ସହିବି କହି ଯା’ନ୍ତ ବାରେ
ଉପାୟଟା ଯେବେ ଜଣା ।।1
ହସି ହସି ଦିଅ ମାଗୁଛି ମେଲାଣି
ରହିଥାଉ ମୋର ପଣ
କଥା ଦିଅ ବନ୍ଧୁ ବିଦାୟ ବେଳାରେ
ଦେଉଛି ଗୋ! ତୁମ ରାଣ।।2
ଭିଡ଼ାଭିଡ଼ି କେବେ ଭେଟାଭେଟି ଅବା
ହୁଏ ପୁଣ ଛଡ଼ାଛଡ଼ି
ଚାଲିଥାଏ ସଦା ସେ ତ ଏହିଭଳି
ସୃଷ୍ଟି ନିୟମାନୁବର୍ତ୍ତୀ।।3
କ୍ରନ୍ଦନ ରୋଳରେ ନାହିଁ ପ୍ରୟୋଜନ
ନାହିଁ ହୋ ହଲ୍ଲାରେ ଲାଭ
ହସି ହସି ଏଥୁଁ ଗାଇଯାଅ ତେଣୁ
ଜୀବନର ମହାବେଦ।।4
ତେବେ କଥା ଦିଅ ପୁଣି ଯେବେ ହେବ
ତୁମ-ଆମ ଭେଟାଭେଟି
କ୍ଲାନ୍ତ ବାଟୋଇର ଅସରନ୍ତି ପଥେ
ହସି ପଦେ କହିବଟି ।।5
ଆଉ କିଛି ମୋର ନାହିଁ ପ୍ରୟୋଜନ
ନା ଥିଲା ତୁମଠି କେବେ
ଖାଲି ହସି କୁହ ମନୁ ମୋ ପାଶୋରୁ
ଦୁଃଖ ଅବସାଦ ଯେତେ।।6
11.ଚାରା ଗଛଟିଏ
ଚାରା ଗଛଟିଏ ଯତନେ ରୋପିଲି
ନେଇ ବଗିଚାରେ ବେଳେ
ପବନର ସାଥେ ହରଷିତ ମନେ
ଥାଏ ସଦା ଏକ ମେଳେ।। 0
ମନ ମତାଣିଆ ଗାଇଣ ସେ ଗୀତ
ଖେଳଇ ଯେ ଦୋଳି ନିତି
ମନ ଉଚ୍ଚାଟିତ ଦେଖିବାର ଲାଗି
ବଢଇ ଯେ କେତେ ଭାତି ।।1
ଦେଖିଲି ତ ଗୋଟେ ଫୁଟିଲା ଯେ ତହିଁ
ସୁନ୍ଦର ସେ ଫୁଲ ଦିନେ
ଘରକୁ କରିଣ ଅତୀବ ସୁନ୍ଦର
ଉତ୍ସାହ ଭରିଲା ମନେ।।2
କହିବା ପାଇଁ ସେ ଆଗମନୀ ବାର୍ତ୍ତା
ସୁନା ଝର ଡେଣା ଝାଡ଼ି
ପ୍ରଜାପତି ଦଳ ନାଚିଲେ ସତ୍ବରେ
ପ୍ରୀତି ଭରା ତାନେ ରଡ଼ି। ।3
ଗୁଣୁଗୁଣୁ ସ୍ଵନେ ସ୍ଵାଗତିକା ଗାଏ
ଭ୍ରମର ମଧୁର କଣ୍ଠେ
ଆନନ୍ଦ ବିଭୋର ଦେଖି ତା’ର ହସ
ନାଲି ଟହ ଟହ ଓଷ୍ଠେ। ।4
ଖୁସି ଅନୁକ୍ଷଣ ପାରିଲାନି ରହି
କ୍ଷୀଣ ଭଙ୍ଗୁର ସଂସାରେ
ହଠାତ୍ ଫୁଲଟି ପଡ଼ିଲା ଯେ ଝରି
କେଉଁ ଅଜ୍ଞାତ ଦୁଃଖରେ।। 5
ମନରେ ଭରିଲା ବାର୍ଦ୍ଧକ୍ଯ ଯନ୍ତ୍ରଣା
ପାଣ୍ଡୁର ମଳିନ ଶୁଷ୍କ
ଆହା କି ବିଭତ୍ସ କି ସୁନ୍ଦର ଥିଲା
କଅଁଳିଆ ପତ୍ର ପୁଷ୍ପ ।। 6
ପ୍ରସ୍ଫୁଟିତ ପୁଣି ଯୌବନ ତାହାର
ଗଜାଳିଆ ଟୋକା ପରି
ଏ କି ଅବା ହେଲା ଅକାଳରେ କେବା
ଝରିଗଲା ଗୋଟା ସରି।। 7
କିଏ ବା ରଖିଲା ହିସାବ ଯେ ତା’ର
ଅବ୍ୟକ୍ତ ଯନ୍ତ୍ରଣା ଅତି
କାହିଁକି ଭଲା ସେ ଏତେ ଆୟୋଜନ
ଏହି ଶେଷ ପରିଣତି।। 8
12 ବନ୍ୟା ବିଭୀଷିକା
ବନ୍ୟା ସତେ କେତେ ଦାରୁଣ ହୁଏଟି
କେରଳ ତା ‘ମୂକ ସାକ୍ଷୀ
ନିରନ୍ନ ଜନତା ବାସହରା ଆଜି
ଶରଣାପନ୍ନ ଯେ ଭୂକ୍ଷି।।0
ପ୍ରକୃତି ବେଭାର ଦୁରୂହ ବେପାର
ଅଦ୍ଭୁତ ସୃଷ୍ଟି ରହସ୍ୟ
ଛାର ମାନବରେ ସେ କଥା କାହିଁ ଯେ
ହୁଏନା ସହଜେ ବୋଧ୍ୟ।।1
ସୃଷ୍ଟି ଲୀଳା କିଏ ପାରିବ ସେ କଳି
କେତେବେଳେ କେଉଁ ରୂପ
ମଣିଷ ପାରେନା ସହଜେ ସେ ଜାଣି
ଏହିକି ସେ ମୀନ ରୂପ?2
ହୃଦ ବିଦାରିତ ଦେଖି ବନ୍ୟା କଷ୍ଟ
ଜର୍ଜରିତ ଯନ୍ତ୍ରଣାରେ
ଏ କି ହେଲା କେହ୍ନେ ପ୍ରକୃତି ଏମନ୍ତ
ନିଷ୍ଠୁର କି କାରଣରେ ?3
କେମିତି ବର୍ଣ୍ଣିବି ବାକ୍ ରୁଦ୍ଧ ପରା
ଓଷ୍ଠେ ଏତେ ଭାଷା ନାହିଁ
ଦେଖି ଦେଖି ଦୁଃଖ କଷଣ ଯାତନା
ହୃଦ ମୋର ଯାଏ ଫାଟି।।4
ଆଗେଇ ଆସ ହେ ସ୍ଵେଚ୍ଛାସେବୀଗଣ
କେରଳର ତ ଆଶୟ
ତୁମ ସହଯୋଗ ହାତ ଲମ୍ବା ହେଲେ
ଲାଘବ ଯେ ଦୁଃଖ ଭୟ।।5
13.ନବରାତ୍ରି
ଦୁର୍ଗତିନାଶିନୀ ଜଗତଜନନୀ
ବିଶ୍ୱେଶ୍ୱରୀ ପରା ମାଆ
ଯେବେ କଳିକାଳ ଘୋର ଉପସ୍ଥିତ
ବିପଦୁ ଉଦ୍ଧାରୁ ଥାଆ। ।0
ନବମୀ ପୂଜାରେ ନବ ମାତା ପୂଜା
କରେ ଶକ୍ତି ଆରାଧନା
ଗୋଟି ଗୋଟି କରି ସେ କଥା ସମୂହ
କରେ ଏଠି ଆଲୋଚନା।।1
ଦକ୍ଷ ପ୍ରଜାପତି ନନ୍ଦିନୀ ତୁହିଲୋ
ଶିବଙ୍କ ଘରଣୀ ସତୀ
ସ୍ଵାମୀ ଅପମାନ ପାରିଲୁନି ସହି
ଯଜ୍ଞେ ଦେଲୁ ମୁଣ୍ଡ ପାତି।। 2
ଯେଣୁ ଶୈଳରାଜ ହିମାଳୟଠାରୁ
ଜନମିଲୁ ତୁହି ମାତ
‘ଶୈଳପୁତ୍ରୀ’ନାମ ବହି ତୁ ସଂସାରେ
ହେଲୁ ପୁନଃ ଆତଯାତ।।3
ଦ୍ଵିତୀୟେ କଲୁ ଯେ ଘୋର ସେ ତପସ୍ୟା
ଶିବଙ୍କୁ ପାଇବା ପାଇଁ
ତପସ୍ୟାଚାରିଣୀ ବ୍ରତ ତୁ ପାଳିଲୁ
‘ବ୍ରହ୍ମଚାରିଣୀ’ ଯେ ହୋଇ।। 4
ତୃତୀୟେ ଶିବଙ୍କୁ କଲାଠୁଁ ବିବାହ
ଶିର ଅର୍ଦ୍ଧଚନ୍ଦ୍ର ହେଲା
ଘଣ୍ଟା ପରି ଯାହା ପ୍ରତୀତଟି ହୁଏ
ତେଣୁ ‘ଚନ୍ଦ୍ରଘଣ୍ଟା’ ମାତା।।5
ଚତୁର୍ଥରେ ତୋତେ କହେ କୁଷ୍ମାଣ୍ଡା
ଯେଣୁ ସୃଷ୍ଟି ସଂରଚନା
କୁ ଉଷୁମ ଅଣ୍ଡା ଯାହାର ଅର୍ଥଟି
ଛୋଟ ଅଣ୍ଡାକୃତି ଊର୍ଜା।। 6
ଦେବାସୁର ଯୁଦ୍ଧେ ନେତୃତ୍ୱ ସକାଶେ
ଦେଲୁ ଜନ୍ମ୍ ସ୍କନ୍ଦ ଯେଣୁ
ସ୍କନ୍ଦ ବା କାର୍ତ୍ତିକ ମାତା ହେବା ଯୋଗୁଁ
‘ସ୍କନ୍ଦମାତା’ ରୂପେ ଯାଣୁ।। 7
କାତ୍ୟାୟନୀ ରୁଷି ତପସ୍ୟା କଲାଠୁଁ
କନ୍ୟା ରୂପେ ନେଲୁ ଜନ୍ମ
ତେଣୁ ‘କାତ୍ୟାୟନୀ’ ରୂପେ ଯେ ବନ୍ଦିତା
ଏହି ତ ଜନ୍ମ ବୃତ୍ତାନ୍ତ।। 8
ଅନ୍ୟ ସିଦ୍ଧାନ୍ତଟି ମହିଷା ନିଧନେ
ନେଲ ପ୍ରଥମରୁ ଯେଣୁ
କାତ୍ୟାୟନୀ ରୂପ ତେଣୁ ଯେ ବନ୍ଦନା
ମାତା ‘କାତ୍ୟାୟନୀ’ ଭଣୁ ।।9
ରକ୍ତ ବୀର୍ଯ୍ୟ ରକ୍ତ ନିବାରଣ ଲାଗି
ସ୍ଵ ସ୍ଵର୍ଣ୍ଣ ଛାୟାରୁ ଜାତ
‘କାଳରାତ୍ରି’ ମାତା କରେ ଉପାସନା
ସପ୍ତ ଦିବସେ ଭକତ।। 10
ଅସୁର ସଂହାରୀ ମଳିନଟି କାନ୍ତି
ତହୁଁ ଗଙ୍ଗାସ୍ନାନ କରି
ସ୍ଵ କାନ୍ତି ପାଇଲ ଗୌରବର୍ଣ୍ଣ ଫେରି
ହେଲ ତେଣୁ ମହାଗୌରୀ।। 1 1
ଅଷ୍ଟ ସିଦ୍ଧି ସ୍ଵାମୀ ତୁ ସିଦ୍ଧି ଦାୟୀକା
ସର୍ବ ଫଳ ସିଦ୍ଧିଦାତ୍ରୀ
ନବମୀ ପୂଜାରେ ଶେଷେଟି ପୂଜନ
ତୁମ ଠାରେ ହୁଏ ବ୍ରତୀ।। 12
ସ୍ଵୟଂ ଶିବ ଦିନେ ଅଷ୍ଟସିଦ୍ଧି ଲାଗି
କାମନା ରଖିଣ ମା’ଠିଁ
କରନ୍ତେ ପୂଜନ ସିଦ୍ଧି ଲଭି ହେଲେ
ଅର୍ଦ୍ଧେକ ନାରୀଶ୍ୱରଟି।। 13
ଏହି ପ୍ରକାରର କେତେ ରୂପେ ମାତ
କରୁ ଯେ ଲୀଳା ପ୍ରକଟ
ମୁଁ କାହୁଁ ବୁଝିବି କରି ଦେ ଖାଲି ମୋ
ଅଭୀଷ୍ଟ ସିଦ୍ଧିର ଯୋଗ। ।14
ଏହି ରୂପେ ଆମେ ନବ ମାତା ପୂଜା
କରି ଥାଉ ନବ ଦିନ
ନବରାତ୍ରି ପୂଜା ରୂପେ ସେ ଯେ ଖ୍ୟାତ
କେତେ ଯେ କହିବା ମନ।।15
14.ସମୟର ଆରପାରି
ଇଚ୍ଛା ହୁଏ କାହିଁ ବେଳେବେଳେ ମୋର
ପଛକୁ ଯିବାକୁ ଫେରି
ଜୀଇବାକୁ ପୁଣି ଆଉ ଥରେ ସେଇ
ପିଛିଲା ଦିନକୁ ଭରି ।। ୧
ବେଳେବେଳେ ଚାହେଁ ଶିଶୁଟେ ହେବାକୁ
ଖେଳିବାକୁ ନୁହଁ ମନ
ଦେଖିବାକୁ ପରା ମୋ ମାଆ ଓଠରେ
ଆମ ସେ ହସିଲା ଦିନ ।। ୨
ବେଳେ ଭାବୁଥାଏ ଫେରିବାକୁ ଦିନେ
ସେଇ ସ୍କୁଲ୍ ପିଲା ହୋଇ
ପଢିବାକୁ ନୁହଁ ଭେଟିବାକୁ ସାଥୀ
ଭେଟୁନି ଯାହାଙ୍କୁ ମୁଇଁ ।। ୩
ବେଳେ ଭାବେ ବସି ଫେରନ୍ତା କି ଦିନେ
ବିବାହ ଉତ୍ସବ ବେଳ
ନୂଆ ସାଥୀ ନୁହଁ ମନ ଭରି ଭୋଗ
କରନ୍ତି ବିବାହ କାଳ ।। ୪
ଆଉ ବେଳେ ପୁଣି ଛୁଆପିଲା ମୋର
ହୋଇ ଯାଆନ୍ତେ କି ଟିକି
ତାଙ୍କ ସଙ୍ଗେ ପୁଣି ଖେଳନ୍ତି ଯେ ବସି
ରହିଛି ଯାହା ସେ ବାକି ।। ୫
ବେଳେ ଇଚ୍ଛା ହୁଏ ପ୍ରଥମ ଚାକିରୀ
ଦିନ ଆସନ୍ତା କି ଫେରି
ନୁହଁ ଅଳ୍ପ କାମ ବରଂ ସେ ପ୍ରଥମ
ଦରମାର ଖୁସି ଭାରି ।। ୬
ବେଳେ ଚାହେଁ ମୁଇଁ ଫେରିବାକୁ ପୁଣି
ସମୟର ଆର ପାରି
ଯେଉଁଠି ନଥିବ ମୋର ଏଇ ସେଇ
ଗୋଟିକ ପାର୍ଥିବ ଶରୀ ।। ୭
ନଥିବ ମୋହର ହୋଇ ଆଉ କିଛି
ମୋର ବୋଲି ଯାହା ଅଛି
ସମୟର ଏହି ଶୁଖିଲା ବାଲିରେ
ଯାଇଥିବ ସବୁ ଲୁଚି।। ୮
ଚାଲି ଚାଲି ମୁଇଁ ଥକି ପଡିଲାଣି
ତଥାପି ସରୁନି ବାଟ
ଦେହ ହାତ ମୋର ଅବଶ ଲାଗୁଛି
ନିତି ହୁଏ ଛଟପଟ ।। ୯
15 .କଲମ ବଲମ
କଲମର ଶକ୍ତି କେ ପାରିବ କଳି
ଅଶୀ ଠାରୁ ମହାବଳୀ
ଅଚିରେ ଲଭଇ ପରାଜୟ ପରା
ହେଉ ଯେତେ ଶକ୍ତିଶାଳୀ।।
ଯେତେ କୁହ କଥା ନାହିଁ ତା’ର ଦାମ୍
ମୂଲ୍ୟବାନ୍ କିନ୍ତୁ ଲେଖା
ତେଣୁ କୁହଯାଏ ବଙ୍ଗାଳୀ ଭାଷାରେ
ଶୋ ବକା ଏକଟା ଲେଖା।।
କେତେ ମହାରାଜା ରାଜା ଯାଇଛନ୍ତି
କଲମ ମୁନରେ ଟଳି
ଗର୍ବ ଅହମିକା ସବୁ ଯାଏ ସିଏ
ମାଟିରେ ପରା ମଉଳି।।
ଲେଖନୀ ମୁନର ବଳ ଅପ୍ରମିତ
କରୀ ସମ ବଳ ଭାରି
ପାରି ନାହିଁ କେହି ପାରିବ ନାହିଁଟି
ତା’ର ବଳ କ୍ଷୂର୍ଣ୍ଣ କରି।।
ଯେବେ ସମାଜର ବିପର୍ଯ୍ୟୟ ଅତି
କଲମ ବଲମ ଆସେ
ଘୋର ବିପତ୍ତିରୁ ଉଦ୍ଧାର କରିଣ
ଶତୃ ବିନାଶିନ ହସେ ।।
ଯିଏ ଧରିଥାଏ କଲମଟି ଜାଣ
ସେହି ଏକା ଜ୍ଞାନୀ ଜନ
ଖଣ୍ଡା ଧରିଥିବା ଲୋକ ଟାଣ ପଣ
ଏଥୁଁ ଅସଫଳ ମନ ।।
ବିସ୍ମୃତ ଲଭଇ ସମୟ ଗରଭେ
ନାହିଁ ଯା ‘ଲେଖନୀ କରେ
କଲମ ଧାରୀଟି ସର୍ବ କାଳ ଜୟୀ
ଆଜି ବି ତା ନାମ ଝୁରେ।।
16. ଦୁର୍ଗତିନାଶିନୀ
ଜୟ ଜୟ ମାଆ ଦୁର୍ଗତିନାଶିନୀ
ଦଶଭୁଜା ପରା ତୁଇ
ଦୁଷ୍ଟ ବିନାଶିନୀ ଶିଷ୍ଟ ପାଳି ଥାଉ
ପରାଭବ ଦୃଷ୍ଟେ ଦେଇ।। 1
କଳି କାଳ ଏହି ଘୋର ବିପର୍ଯ୍ୟୟ
ବିପଥଗାମୀ ଜନ
ଇନ୍ଦ୍ର ଚନ୍ଦ୍ର କିଛି ମାନୁ ନାହିଁ ଆଉ
ଲୁଟୁ ଅଛି ପର ଧନ।। 2
ବିଚାରଟି ଭ୍ରଷ୍ଟ କହୁଅଛି ଗର୍ବେ
ସ୍ଵର୍ଗ ଆଉ ଏକ ପାଦ
ଏଡିକି ନିର୍ବୋଧ ଫୁଟାଣିଆ ଭାରି
ଶୁଣୁ ନାହଁ ଧର୍ମ ପଦ।।3
ଧର୍ମର ଛାଟଟା ଆଚ୍ଛା କରି ଗୋଟେ
ଦିଅନ୍ତୁ କି ତା’ପିଠିରେ
ପାଆନ୍ତା ଚେଙ୍କାଟି ସୁଧୁରି ଯାଆନ୍ତା
ପଛକୁ ଆସନ୍ତା ଭେରେ।। 4
କାହିଁକି ଲୋ ତୁହି କହୁ ନାହୁଁ କିଛି
ପୀଡ଼ା ଦେଉ ଅଛି ଭାରି
ପାରୁନି କେହି ତ ଲଢି ତା’ର ସଙ୍ଗେ
ଦେହ ଯାଉ ଅଛି ଘାରି।। 5
ତୁ ଚାହିଁଲେ ଏକା ଶାନ୍ତି ଯେ ପ୍ରତିଷ୍ଠା
ହୁଅନ୍ତା ଏ ମହୀ ଧାମେ
ପାପୀ ତାପି ଯା’ନ୍ତେ ନିଶ୍ଚିହ୍ନ ହୋଇଣ
ଧର୍ମ ଦେ’ଲୋ ତା’କରମେ।6
17 ଆରଡ଼ି ଅଧୀଶ୍ଵର
ଆହେ ଭୋଳା ବାବା ଆଖଣ୍ଡଳମଣି
ଅଧୀଶ୍ୱର ଆରଡ଼ିର
ତୁମ ଉପାଖ୍ୟାନ କେଡ଼େ ଯେ ମହାନ
କେମିତି କହିବି ଡର ।। 1
ତୁମେ ବିରାଜିତ ଆରଡ଼ି ଗ୍ରାମରେ
ବୈତରଣୀ ନଦୀ କୂଳେ
ଏଥୁଁ ତିନି ଶହ ପଚାଶ ବରଷ
ତଳର କାହାଣୀ ମୂଳେ ।। 2
ରାଜାଙ୍କ ହଳିଆ ହଳ କରିବାକୁ
ଯାଇଥିଲା ଦିନେ କ୍ଷେତେ
ଲଙ୍ଗଳ ମୁନଟି ବାଜିଲା ଯାଇ ସେ
ଆରଡ଼ି ଅଧୀଶ ମୁଣ୍ଡେ।। 3
ଆ’ ଆ’ ବୋଲି ସେ ତ ଚିତ୍କାର ଶୁଣିଣ
ଛାନିଆଁରେ ଧାଏଁ କେଣେ
ତହୁଁ ତ ଗ୍ରାମର ନାମ ରଖାଗଲା
ଆରଡ଼ି ବୋଲିଣ ଜାଣେ।। 4
ଖଣ୍ଡିତ ହେବାରୁ ମୂର୍ତ୍ତିଟି ତାଙ୍କର
ଆଖଣ୍ଡଳମଣି ଭାଳେ
କଳା ମଚମଚ ମୁଗୁନି ପଥର
ମଣି ସଦୃଶ୍ୟଟି ଜଳେ।। 5
ଝିରି ଝିରି ହୋଇ ବୋହି ଗଲା ରକ୍ତ
ବୈତରଣୀ ନଦୀ ଆଡ଼େ
ତୁରନ୍ତ ଯାଇଣ କହିଲା ରାଜନେ
ଦେଖିଲେ ସେ ଯାଇ ବେଗେ ।। 6
ରକ୍ତର ସ୍ଥାନେଟି ବୋହୁଥିଲା ସେଠି
ଦୁଗ୍ଧର ବନ୍ୟାଟି ଖାଲି
ଜଗି ରହିଥିଲେ ନାଗ ସାପ ବହୁ
ମୁଗୁନି ପ୍ରସ୍ତର ମୂର୍ତ୍ତି।। 7
ରାଜା ଶ୍ରୀ ନିଳାଦ୍ରୀ ସମରସିଂହ
ମହାପାତ୍ରେ ବିସ୍ମୟ କଲ
ରାତ୍ରିରେ ତୁମେ ତ ସ୍ଵପ୍ନାଦେଶ କଲ
ରାଜା ହେଲେ ବିଚଳିତ।। 8
ତୁରିତେ କାଷ୍ଠରେ ନିର୍ମାଣ କଲେଟି
ସେ ସ୍ଥାନେ ମନ୍ଦିର ଏକ
ନହର ଗ୍ରାମରୁ ବ୍ରାହ୍ମଣ ପାଞ୍ଚୋଟି
ଡକାଇ ଆଣିଲେ ପୂଜ।। 9
କନିକା ରାଜନ ହରି ହର ଭଞ୍ଜ
କୁଷ୍ଠ ରୋଗୁ ମୁକ୍ତ ହେଲେ
ପାଟରାଣୀ ପାଟଦେଇ ସତ୍ୟଭାମା
ଅଧିଆ ପଡ଼ିଲେ ଯେବେ।। 10
ତହୁଁ ଅଠର ଶହ ତିରିଶି ଦଶକେ (1830-1840)
ନିର୍ମିତ ହୋଇଲା ପରା
ପଚାଶ ଫୁଟର ଏବର ମନ୍ଦିର
କନିକା ରାଜନ ଦ୍ଵାରା।। 11
ସନ୍ଥ ରାଜ ଶ୍ରୀ ନରସିଂହ ପ୍ରତାପ
ତୋଳି ଗଢ଼େ ମୁଖ ଶାଳା
ପୁନଶ୍ଚ ଶ୍ରୀ ଦର୍ଶନ ଶେଖର ଦାସ
ଗଢି ତୋଳି ଦେଲେ ବେଢା।। 12
ପରେ ଆଜିକାର ଭୋଗ ମଣ୍ଡପଟି
ଗଢିଲେ ଏ ସରକାର
ଯାହା ଭଦ୍ରକଠୁଁ ସ୍ଥିତ ଅଳ୍ପ ଦୂରେ
ଚୌତ୍ରିଶ କିଲୋ ମିଟର।। 13
ହେ ଆରଡ଼ିଶ୍ୱର ଓମ୍ ଓମ୍ ଭୋଳେ
ଭୋଳା ନାଥ କହେ ତୋତେ
ଦୁଃଖ ଦରିଆରେ ମୁଁ ଯେ ଉବୁଟୁବୁ
ସେଥୁଁ ପାରି କର ମୋତେ।। 0
18.ଘଟଗାଁ ତାରିଣୀ
ଇତିହାସ ସାକ୍ଷୀ ଘଟଗାଁ ତାରିଣୀ
ଯେ ଚଉଦ ଶହ ଅଶୀ
ସ୍ଥାପିତ ହୋଇଲେ ଇଚ୍ଛାମୟୀ ମାଆ
ଏକାନ୍ତେ ଜଙ୍ଗଲେ ପଶି ।। ୧
କାଞ୍ଚି ଅଭିଯାନେ ପୁରୀ ଗଜପତି
ସେ ପୁରୁଷୋତ୍ତମ ଦେବ
କେଉଁଝର ରାଜା ଗୋବିନ୍ଦ ଭଞ୍ଜଠିଁ
ଲୋଡ଼ିଲେଟି ସହଯୋଗ।। ୨
ଉଡାଇଲେ ଧ୍ଵଜା ବିଜୟର ବାନା
ଉଡେ ଫରଫର ଗର୍ବେ
ଗଜପତି ଦେଲେ ଭେଟି ଗୋବିନ୍ଦରେ
ତାରିଣୀ ମାଆଙ୍କୁ କରେ।। ୩
ମାଆ କିନ୍ତୁ କଲେ ସର୍ତ୍ତ ଆରୋପଣ
ପଛକୁ ଚାହିଁବ ନାହିଁ
ତୁମେ ଯିବ ଆଗେ ପଛେ ପଛେ ମୁହିଁ
ରୁଣୁ ଝୁଣୁ ଶବ୍ଦ କରି।। ୪
ଏକଥା ନୋହିଲା ସର୍ତ୍ତ ପାରିଲେନି
ରଖିଣ ଗୋବିନ୍ଦ ଭଞ୍ଜ
କାଦୁଅରେ ଅବା ମାତା ଗୋଡ ପଶି
ଶୁଭିଲାନି କ୍ଷଣେ ଶବ୍ଦ।। ୫
ବ୍ୟସ୍ତେ ଭଞ୍ଜ ଦେଓ ଚିତ୍ତ ଉଦବେଗେ
ପଛକୁ ଦେଲେଟି ଚାହିଁ
ତତ୍କ୍ଷଣାତ୍ ମା’ ପାଲଟି ଗଲେଟି
ପାଷାଣ ମୂରତି ସେଠି।। ୬
ସେହି ଦିନଠାରୁ ଘଟଗାଁ ପୀଠରେ
ରହିଲେ ଭକତ ଲାଗି
ଭକତ ଜନଙ୍କ ଦୁଃଖ ହାରିଣୀ ମା’
ନଡ଼ିଆ ଖାଇ ତାରିଣୀ।। ୭
ଘଟଗାଁ ବାସିନୀ ସଙ୍କଟ ମୋଚନୀ
ଭକତ ରଙ୍କୁଣୀ ମାଆ
ମୁହିଁ ଦୀନ ହୀନ ଅକିଞ୍ଚନ ପରା
ମୋତେ ତୁ ହେବୁ ଲୋ ସାହା ।୮
19 କାକଟପୁର ବାସିନୀ
କାକଟପୁରେ ମା’ ମଙ୍ଗଳା ମନ୍ଦିର
ପଞ୍ଚଦଶ ଶତାବ୍ଦୀର
ଯାହା ଉତ୍କଳୀୟ ଐତିହ୍ୟ ସମ୍ପନ୍ନ
ପ୍ରାଚୀନ ଚାରୁ ଭାସ୍କର୍ଯ୍ଯ।। 1
ତୁମେ ବୌଦ୍ଧ ତାରା ହିନ୍ଦୁ ଶକ୍ତି ରୂପା
ତୁମକୁ ସ୍ଥାପନା କରେ
ଭକତ ଚରଣ ରାୟ ଚୂଡ଼ାମଣି
ନିମାପଡ଼ା ଜମିଦାର।। 2
ବିମାନ ଉପରେ କର ଅଧିଷ୍ଠାନ
ପ୍ରାଚୀ ନଦୀ ପୂର୍ବ ତଟେ
ପୂର୍ବେ ଅବସ୍ଥିତ ବଙ୍ଗୋପ ସାଗର
ମନଲୋଭା ଦୃଶ୍ୟପଟ୍ଟ।। 3
ମା’ ଦୁଃଖ ହାରିଣୀ ମଙ୍ଗଲ କାରିଣୀ
କାକଟପୁର ବାସିନୀ
ଭକ୍ତର ସନ୍ତାପ କର ଦୂରୀଭୂତ
ନିମିଷକେ ଦୁଃଖ ଫେଡ଼ି। ।4
ହେଲାଣି ଅସହ୍ଯ ସଂସାର ଜଞ୍ଜାଳ
ପାରୁନି ଯେ ଅତିଶୟ
ତୋ ଚରଣେ ମୁହିଁ ଶରଣାଗତ ଯେ
ଶରଣେ ପଶିଛି ପ୍ରାୟ।। 5
କରିଦେ ଲାଘବ ମୋ ଦୁଃଖ କଷଣ
ଦେବି ଲୋ ଗୋଟା ନଡ଼ିଆ
ନାଲି କପଡାରେ ବାନ୍ଧି ରଖିଛି ମୁଁ
ମୁଣ୍ଡେ ମାରି ଗୁଆ ଟଙ୍କା।। 6
ଆଉ ମୋର କିଛି ସମ୍ବଳ ନାହିଁ ଲୋ
ଏତିକି ସମ୍ବଳ ବୋଲି
ସେତିକି ପାଇଣ ସନ୍ତୁଷ୍ଟ ହେବୁ ଲୋ
ମୋର ପାଉ ନାହିଁ ଶକ୍ତି।। 0
20ତେବେ ବି ମିଳଇ ହରି
ଦେବଙ୍କଠିଁ ଯେହୁ ରଖେ ସଦା ଲୟ
ଆସ୍ତିକଟି ତା’କୁ ମଣେ
ଯଦି କେହି ଆସ୍ଥା ପ୍ରକଟ ନ କରେ
ନାସ୍ତିକ ବୋଲିଣ ଜାଣେ।।
ଯେବେ କେହି କାୟ ପୂଜନେ ବିଶ୍ଵାସୀ
କୌଣସି ବି ମୂର୍ତ୍ତି ପୂଜ
ଯଦି ନାହିଁ ମୂର୍ତ୍ତି ପୂଜନେ ଆସ୍ଥାଟି
ନିର୍ଗୁଣ ବ୍ରହ୍ମଠିଁ ପୂଜ।।
ଅଧ୍ୟୟନ ଲିପ୍ସୁ ଦେବଙ୍କ ଜିଜ୍ଞାସୁ
ଜ୍ଞାନ ମାର୍ଗଟି ଆପଣା
ତହିଁ ଯଦି ନାହିଁ ତେବେ ମୀରା ପରି
ଭକ୍ତି ମାର୍ଗଟି ଆପଣା।।
ତର୍କ ବିତର୍କରେ ପ୍ରୟୋଜନ ଯଦି
ତର୍କଟି ନିଅ ଆଦରି
ନ୍ୟାୟ ତର୍କ ଶାସ୍ତ୍ରେ ହୁଅ ଆଗୁସାର
ତେବେ ବି ମିଳଇ ହରି। ।
ଯଦି ନାହିଁ ମନେ ଭକ୍ତି ଅବା ଜ୍ଞାନ
ପାଲଟ ନିର୍ଗୁଣ ଯୋଗୀ
ଉଚିତ୍ କର୍ମଟି କେବଣ ଯେ କର
ହେବ ତୁମେ କର୍ମ ଯୋଗୀ।।
21ମହିମା ଧର୍ମ
ତିନୋଟି ଗାଁର ମିଳନ ସ୍ଥଳୀରେ
ଯୋରନ୍ଦା ଗଦି ଯେ ସ୍ଥିତ
ଯାହାକି ଅଟଇ ସମାଧୀ ପୀଠଟି
ମହିମା ଗୋସ୍ଵାମୀ ରୁତ।। 1
ଦୂରତା ଯାହାର ଢେଙ୍କାନାଳଠାରୁ
ତିରିଶ କିଲୋ ମିଟର
ଜୋରନ୍ଦା ନଟିମା ପାଟଣା ମଧ୍ୟସ୍ଥ
ଅବସ୍ଥିତି ଯେ ତାହାର!।। 2
ଏହି ମନ୍ଦିରଟି ଉତ୍ସର୍ଗୀକୃତ ଯେ
ଶୂନ୍ୟବ୍ରହ୍ମ ଲୀଳାକର
କୌଣସି ମୂର୍ତ୍ତିର ପୂଜନରେ ପରା
ବିଶ୍ବାସ ନାହିଁ ତାଙ୍କର।। 3
ବ୍ରାହ୍ମଣ ବାଦର ମୂର୍ତ୍ତି ଉପାସନା
ମନ୍ତ୍ର ତନ୍ତ୍ର ବିରୋଧରେ
ପ୍ରତିବାଦ କରି କପିଳାସ ଆସି
ସିଦ୍ଧି ଲାଭ ସେ ଯେ କରେ। ।4
ଅଠର ଛବିଶ ମସିହାରେ ପୁରୀ
ସହର ଛାଡିଣ ସନ୍ଥ
ଅଠର ଛସ୍ତରୀ ମହାପ୍ରୟାଣଟି
ଲଭିଲେ ପ୍ରମାଣ ଗ୍ରନ୍ଥ।। 5
ସେମାନେ କହନ୍ତି କେତେ ଯେ ପବିତ୍ର
ଭାଗବତ ପୁରଣଟି
ସର୍ବ ଦେବାଦେବୀ ସମ୍ମାନ କରିବା
ତାଙ୍କ ଆଦର୍ଶବୋଧଟି।। 6
ପଞ୍ଚସଖା ଜୈନ ତନ୍ତ୍ର ବୌଦ୍ଧ ଧର୍ମ
ସହ ରଖେ ସମାନତା
ସନ୍ଥ ମାନଙ୍କର ଅଟେ ଏହା ଗୋଷ୍ଠୀ
ଧର୍ମ ଅଟେ ମହାନତା।। 7
ଦର୍ଶନ ତତ୍ତ୍ଵଟି ନିଆରା ତାଙ୍କର
ଗେରୁଆଟି ଭେକଭାକ
ଅଲେଖ ଧର୍ମ ବା ମହିମା ଧର୍ମଟି (1862sidhi attained)
ରୂପେ ହେଲା ଯେ ବିଦିତ।। 8
ଗୋବିନ୍ଦ ବାବାକୁ କବି ଭୀମ ଭୋଇ (1850 – 1895)
ଶିଷ୍ୟଗଣ ବେଶ୍ ଆଦୃତ
ଅନ୍ଧ କବିଙ୍କର ମହାନ କୃତି ତ
ବିଶ୍ଵ ଦରବାରେ ଗୃହୀତ।। 9
22ମୋ ଗାଆଁ ତମାଳ ବନ
କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ
ଘେରା ମୋ ଗାଆଁ ଉଦ୍ୟାନ
ଭାରି ମନଲୋଭା ଦୀପ୍ତିମୟୀ କାନ୍ତି
ମୋ ଗାଆଁ ତମାଳ ବନ।। 1
ସେଠି ବର ଲିମ୍ବ ଡାଳ ନଇଁ ପଡ଼େ
ମାଟି ଉପରକୁ କେତେ
ତାହାରି ତଳେ ଅଣନିଶ୍ଵାସୀ ହୋଇ
ଲୁଚି ଯାଏ ରାସ୍ତା ସତେ।। 2
ଅବା ଅନ୍ଧକାର ଚକ୍ରାଲୋକର
ତାଡ଼ନାରେ ଭୟ କାତର
ଧୂଳି ଧୂସରିତ ଗ୍ରାମ୍ୟ ରାସ୍ତା ଯାଏ
ଲୁଚିଣ ସେ ତ ସତ୍ବର।। 3
ମୋ ଗାଆଁରେ ଥିବା ମଶାଣି ପଦରେ
ଚିରଗୁଣୀ ବସା କରେ
ରଡ଼ ରଡ଼ ନିଆଁ ହାଡ଼ର ଚର୍ବଣ
ମନରେ ଭିତ୍ତି ସଂଚାରେ।। 4
ସେଇଠି ବି ଗୃଧ୍ର ପକ୍ଷୀ ସାମ୍ରାଜ୍ୟର
ଅତି ବିଭତ୍ସ ଚିତ୍କାର
ଚାତକ ପକ୍ଷୀର ଦରଦୀ କାକଳି
ହୃଦଶିକ୍ତ ଲୋତକର ।।5
ମେଘର ରାଇଜେ ବୁଣି ହୋଇପଡ଼େ
ଶୋରିଷ ଫୁଲିଆ ମୁରୁଜ
ସତେକି ସୁନ୍ଦର ମନମୁଗ୍ଧକର
ସୁନେଲି କିରଣ ସୂରୁଜ।। 6
ରାତ୍ରିର ଆକାଶେ ବଉଦ ମେଳରେ
ଜହ୍ନି ଫୁଲିଆଟି ଜ୍ୟୋସ୍ନା
ଯୁଇ ଯାଇ ହେନା ଗଙ୍ଗ ଶିଉଳିର
ମହ ମହ ହୁଏ ବାସ୍ନା।। 7
ନୀଳ ଗଗନର ଶ୍ରେଷ୍ଠ ଅତିଥୀ ଯେ
ଚାନ୍ଦକୁ ଖୋଜେ ବାଦଲ
ଯେଉଁ ଜହ୍ନ ରାତି ପରଦା ତଳେ ଯେ
ଫୁଲି ଉଠେ ଶସ୍ୟମାଳ ।।8
ଚାଳ ଘର ଦେଇ ତେରଛା ଆଲୁଅ
ବିଛୁରି ପଡ଼େଟି ଦାଣ୍ଡ
ପଥର ସିଆଁଟି ଆମ ନଦୀ ତୁଠ
ଯେଉଁଠି ସମସ୍ତେ ରୁଣ୍ଡ।। 9
ଯାନି ଯାତ୍ରା ବେଳେ ମହୋତ୍ସବ ଭାରି
ବୁଢ଼ାଠୁଁ ଭେଣ୍ଡିଆ ଯାଏ
ସବୁ ହୁଏ ମେଳ ମନୁ କରି ଦୂର
ରାଗ ରୁଷା ଯେତେ ଥାଏ।। 10
ମୋ ଗାଆଁ ତୁଲେ କି କେଉଁ ରାଇଜର
ବେଶ ଭୂଷା ପରିପାଟି
ଏଡିକି ସୁନ୍ଦର କାହିଁ ମୋ ନଜର
ପାଉ ନାହିଁ କେଉଁଠିକି।। 11
23.ଐକାନ୍ତିକ ଇଚ୍ଛା
ମୋର ଗୋଟେ କାହିଁ ଐକାନ୍ତିକ ଇଚ୍ଛା
ତୁମକୁ ପାରୁନି କହି
କି ଲାଭେ ଜୀବନେ ନ ପାଇଲି ଯେବେ
ଦରଶନ ଗୋଟେ ସେହି।। 1
ତୁମ ଇସାରାରେ ସୃଷ୍ଟି ସଂରଚନା
ମୁଁ ତହିଁ ଯେ କୀଟଟିଏ
ମନରେ ପୋଷଣ କରିଛି ଲଭିବି
ତୁମ ସାନ୍ନିଧ୍ୟ ପରାଏ।। 2
କାହିଁ ତହୁଁ ମୋତେ କର ଏତେ ଊଣା
ପାରୁନି ସଂକଳ୍ପ ପୂରା
ତୁମରି ପ୍ରତ୍ୟେକ୍ଷ ସହଯୋଗ ବିନା
ସମ୍ଭବ ସାକ୍ଷାତ୍ କିବା? 3
କରି ଦେ ତୁ ଦୟା ଏ ଜୀବନେ ସିଦ୍ଧି
ମିଳି ଯାଉ ପରା ମୋତେ
ଆଉ କେବେ କିଛି କରିବିନି ଏଥୁଁ
ତୋ ଠାରେ ଅଳି ମୁଁ ଏତେ।। 4
ମାନବ ଜୀବନ ନରକର ଭୋଗ
ଭୋଗାଭୋଗୁ କର ପାର
ଆଉ ନାହିଁ ମୋର ଏ ଜୀବନେ ଆଶ
ମୋହ ମାୟା କର ଦୂର।। 0
24.ଜୀବନ ଗଣିତ ବହି
ଜୀବନଟା ମୋର ଅସାର ହେଲାଣି
ପାଉ ନାହିଁ କାହିଁ ତତ୍ତ୍ଵ
ବାକି ଜୀବନଟା ନିଷ୍ଫଳ ହେବ କି
ଜଣା ନାହିଁ ବିଶେଷତ୍ବ।। 1
ଧରମ ଦୁଆରେ କଷଣ ରହିଛି
ସରିଛି ଯାତନା ଦୁଃଖ
ପାପୀ ଜନେ କିନ୍ତୁ ସାତ ଖୁଣ ମାଫ୍
ଜୀବନେ ଭରଇ ସୁଖ ।।2
ପୁଣ୍ୟ ଜନ ତହୁଁ ପୁଣ୍ଯ ଫଳେ ଆଶେ
ଦେଇଛି ସେ ମାରି ମନ
ଅର୍ଧମୀ ବିଧର୍ମୀ ତେଣୁ ବଳିୟାର
ମାଲାମାଲ ତା’ର ଧନ।। 3
କେଉଁ ଦୁଆରଟି ବାଛିବ ମଣିଷ
ଏ କଥା ଆଗୁ ବିଚାର
ସରଗ ସୁଖ କି ନର୍କ ପୁରୀ କଷ୍ଟ
ଭାବି ହୁଅ ଅଗ୍ରରସ ।। 4
ଏକ ଦୁଆର ତ ସରଗ ପୁରକୁ
ଜଟିଳ ତା’ ରାସ୍ତା ଜାଣ
ଅନ୍ୟ ଦୁଆରଟି ଯମ ଦଣ୍ଡ କଷ୍ଟ
ଭୋଗାଭୋଗ ପରିମାଣ।। 5
ଜୀବନ ବେଦ କି ବିଚିତ୍ର ଦୁରୂହ
ବୁଝା ପଡ଼ୁ ନାହିଁ କିଛି
ବୁଝୁ ବୁଝୁ ଗଲା ସେରକ ପୂରିଣ
କେଉଁ କାଳକ ବା ଅଛି।। 6
ସାରସ୍ଵତଗଣ ବିଚାରକରିବେ
ମୂଢ ମନେ ଦେଲି ଗାଇ
ହେଲେ କେଉଁ ମନ୍ତେ ସମାଧାନ ହେବ
ଜୀବନ ଗଣିତ ବହି? 0
25.ତପ୍ତ ଧାରା
ଅତୀତ କଥା ତ ଗଲାଣି ସଙ୍ଗାତ
ବର୍ତ୍ତମାନ ସ୍ଥିତି ଭିନ୍ନ୍
ଭବିଷ୍ୟତ ତେଣୁ ଅନ୍ଧକାର ହେବ
ସ୍ଥିତି ସମ୍ଭାଳିବା କଷ୍ଟ।।
ଗ୍ରୀଷ୍ମର ପ୍ରକୋପ ସହି ହେଉ ନାହିଁ
ଖରା ବେଳେ ତାପ ଭାରି
ଉତ୍ତପ୍ତ ଧରିତ୍ରୀ ଅଗ୍ନି ବର୍ଷା ଖାଲି
ଦେହ ମୁଣ୍ଡ ଯାଏ ଘାରି।।
ଥଣ୍ଡା ପାନୀୟର ଆଦର ବଢୁଛି
ଶୀତଳ ପଦାର୍ଥେ ମନ
ଘୋର ଅଶାନ୍ତିରେ କାଳ ଯେ ବିତୁଛି
ଝାଇଁ ମାରି ଯାଏ କାନ
ଏହି ପ୍ରକାରରେ ଗଲାଣି ଏ ସନ
ଦେଖିବା ଆଇଲା ସନ।।
ବାୟୁ ମଣ୍ଡଳର ସୁରକ୍ଷା ଚିନ୍ତାଟି
ଯେବେ ନକରିବା ଆମ୍ଭେ
ପ୍ରାଣୀକୂଳ ଦିନେ ଧ୍ଵଂସ ହୋଇଯିବେ
ଏ କଥାଟି ସ୍ଥିର ନିଶ୍ଚେ।।
26.ହସ ଖୁସି ପରିବାର
ପରିବାର ଏକ ସୁରକ୍ଷିତ ନୀଡ
ଯେ ସ୍ଥାନେ ମିଳଇ ସୁଖ
ସେ ନୀଡ ନୁହଇଁ ସୁରକ୍ଷିତ ଆଜି
ହେଲେଣି ସର୍ବେ ବିମୁଖ।। 1
ପରିବାର ସଙ୍ଗେ ଖୁସି ବାଣ୍ଟିବାକୁ
ହେଉ ନାହିଁ ଆଉ ମନ
କିଏ ତ ନିଜର କିଏସେ ଯେ ପର
ଜାଣୁ ନାହିଁ ବ୍ୟବଧାନ।। 2
ସ୍ୱାର୍ଥ ଲୋଲୁପତା ଗ୍ରାସ କରୁଅଛି
ସ୍ୱାର୍ଥର କାରତି ପାଇଁ
କହି ହେଉ ନାହିଁ ସହି ହେଉ ନାହିଁ
କାହିଁକି ଯେ ହାଇଁପାଇଁ।। 3
ଅର୍ଥର ଲାଳସା ଭୋଗର ବିଳାସୀ
ହେଉ ଅଛି ଅସ୍ତ ବ୍ୟସ୍ତ
କିଏ ସେ କରିବ ଶୁଭ ମନାସିବ
ଆମ ପାଇଁ ହେବ ବ୍ୟସ୍ତ।। 4
ପରିବାର ଆଜି ବିଭାଜିତ ହୁଏ
ସଂମ୍ପର୍କ ବନ୍ଧା ପଡ଼େ
ସ୍ନେହ ମମତାର ଦ୍ୱାହି ଦେଇ ଖାଲି
ଶୋଷିବାରେ ଲାଗିପଡେ। ।5
ତଥାପି ତ ଆଶା ଉଦ୍ଦୀପନା ମନେ
ପରସ୍ପରେ “ଲାଗି ଆସ”
ବ୍ୟବଧାନର ତ ପ୍ରାଚୀର ନଗଢ଼ି
ଆତ୍ମୀୟତା “ବାଣ୍ଟି ବସ” ।। 6
ଦେଖିବ ଛାଏଁକୁ ଛାଏଁ ଯେ କେମିତି
ହେଉ ଅଛି ସମାଧାନ
ଚେତାଇ ଦେଉଛି ହେଜି ରଖିଥାଅ
ଅଳିକ ଯେ ଧନ ଜନ।। 0
27.ସେଦିନ ମୁଁ ତୁମକୁ କହୁ ନ ଥିଲି ନା
ସେଦିନ ତୁମକୁ ମୁଁ କହୁଥିଲି ନା
ଜୀବନଟା ନିରର୍ଥକ ବୋଲି
ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ
ସେମିତି କହିବନି ବୋଲି।।
ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ
କିନ୍ତୁ ଦେଖୁନ କିଏ ଅଛି ଯେ
ପରିବାର ସାରା ଆଜି ସ୍ଵକର୍ମରେ
ତୁମେ ଆଉ ମୁଁ ଏ ଘରଟାରେ।।
ରାତି ହେଲେ ଅନ୍ଧକାର ଘୋଟି ଆସେ
ଚାରିଆଡ଼େ ଖାଲି ଶୂନ୍ ଶାନ
ଗୋଟେ ବିରାଟ ସନାଟା ଛାଇ ଯାଏ
କଣ କରିବା ନିଜେ କହୁନ?
ନଭକୁ ଚାହିଁ ଚାହିଁ ତାରା ଗଣିବା
ନା ପିଲାଙ୍କୁ ଝୁରି ପ୍ରାଣ ଦେବା
ଏମିତି ଜୀବନ ପାଲଟିବ ବୋଲି
କ’ଣ କେହି କେବେ ଭାବିଥିଲା?
28.ଛି ଜାଣି ନାହଁ ତାତ
ବାପା ଦିନେ ପରା ପଚାନାଉ କରି
ବୁଲାଉ ଥିଲା ଗାଁ ଦାଣ୍ଡ
ହାତ ଧରି ପୁଣି ଚଲାଇ ଶିଖାଏ
କହୁଥାଏ ଭେଦ ଦଣ୍ଡ।। 0
ଯେଉଁ ଦିନ ପୁଅ ସଳଖି ଚାଲିଲା
ମୁଣ୍ଡକୁ ପାଇଲା ହାତ
ଭୁଲିଗଲା ସବୁ କହି ପକାଇଲା
କିଛି ଜାଣି ନାହଁ ତାତ।। 1
ଟିକିଏ ଆକଟ କରି କେତେବେଳେ
କହିଦେଲେ ପଦେ ଅଧେ
ଲଙ୍କାକାଣ୍ଡ ହେଲା ରାଗ ଗରଗର
ମୁହଁ ଛିଞ୍ଚାଡିଲା ବୋଧେ।। 2
ଏମିତି ସନ୍ତାନ ଥାଇ କି ନ ଥାଇ
ବୁଝୁ ନାହିଁ ପିତୃ କଷ୍ଟ
ନିଜକୁ ମଣଇ ସର୍ବଜ୍ଞାତା ଯେଣୁ
ବୁଦ୍ଧି ହେଉ ଅଛି ଭ୍ରଷ୍ଟ।। 3
ଅଛନ୍ତି ଯେ ତା’ର ଭବିଷ୍ୟତଗଣ
କହିବେ ଯେ’ ଦିନ ମୁହେଁ
ସେଦିନ ତ ପୁଅ ବୁଝିଯିବ ବଳେ
ଶୁଣିବ ତାଙ୍କଠୁଁ ବହେ।। 4
29.ଆହେ ଦୟାମୟ
ଆହେ ମହାବାହୁ କାଳିଆର ଭୁଜ
କାହିଁକି ଏମିତି ହେଉ
ଭଲମନ୍ଦେ ମୋର ହେଉ ନାହୁଁ ସାହା
ଦେଖାଉଛୁ ଭାରି ଭାଉ।।
ମୁଁ କିନ୍ତୁ ବିପଦେ ପଡ଼ିଛି ବୋଲିଣ
ଡାକୁଛି ତୋତେ ତ ସାଇଁ
ତୋର କିନ୍ତୁ ଦେଖେ ଗୁମାନ ଭାରି ସେ
ଘାଲେଇ ପଡୁଛୁ ଶୋଇ।।
ଏ କି ବନ୍ଧୁ ପ୍ରୀତି ଦେଖି ନାହିଁ କାହିଁ
ଦେଖୁଛି ତୋଠେଇଁ ଭାରି
ବନ୍ଧୁ ହୋଇଥିଲେ ବନ୍ଧୁ ପାଇଁ କେହି
ଏମିତି ନଥା’ନ୍ତା କରି।।
ତୁଇ ଦଗାଦିଆ ମୁରଲୀ ବାଦକ
ମୁଁ ସେ କଥାଟି ତ ଜାଣି
ତଥାପି କାହିଁକି ଭରସି ତୋତେ ମୁଁ
ଚାହିଁ ରହିଛି କେଜାଣି ।।
ଡାକୁଛି ଶତତଃ ଉପାୟ ନପାଇ
କଷଣ ସହୁଛି ବୋଲି
ତୁ କିନ୍ତୁ ଲମ୍ବେଇ ଦେଉଛ ଗୋଡ଼ ଯେ
ଦୁଃଖ ଭାଗ ଦେଖି ଅତି।।
ଗରୀବକୁ ସାହା ଦୁଃଖୀ ଜନେ ଆହା
ଏ କି ନୂହେଁ ତୋର ନୀତି
ପାରୁନି ତୋତେ ମୁଁ ଯମାରୁ ବୁଝି ତ
କେମିତି ପଶିବି କତି?
30.ଆହ୍ଵାନ
ବର୍ଷା ଗୋ ତୁମେ କି ସତେ ଅଭିମାନୀ
ସାଜିଲଣି ପୁଣି ଆଜି
ଆଗରୁ କାହିଁ ତ ନଥିଲ ଏମିତି
ବର୍ଷୁ ଥିଲ ଦେଲେ ଡାକି।।
ଠିକଣା ସମୟେ ହେଉଥିଲା କ୍ଷେତି
ପଡ଼ୁ ନଥିଲା ଭାଳେଣି
ସଂସାର ପାଳନ ଚିନ୍ତା ଘାରେ ଆଜି
ବସେ ମୁଣ୍ଡେ ହାତ ଦେଇ।।
ମଣିଷ ପାଲଟେ ବେଇମାନ୍ ଅବା
ଗଛ କାଟି କରେ ସଫା
ସେଥିପାଇଁ ବୋଧେ ତୁମେ ହେଲ ଖପ୍ପା
କି କରେ ବାଳୁତ ପରା।।
ହେଲେ କୋପ କଲେ ସଂସାର ଡୁବିବ
ପ୍ରାଣୀ କୂଳ ଯେ ଆତୁର
ବରଂ ଚଟକଣି ଗୋଟେ ବୁଦ୍ଧି ଶିଖେ
କିନ୍ତୁ ନୁହଁ ପୂରା ଠପ୍।।
ଦେଖୁନ କେମିତି କାନ୍ଦୁରା ତା ‘ମନ
ଭୋକେ ଡହଳ ବିକଳ
ତୁ ତା’ ଉପରେ କରନା ଯେ ରାଗ
ବିଚରାଟା ଗଡ଼ିଯିବ।।
ଘୋଟୁ ପୁଣି ନଭେ ମେଘ ମାଳ ଖଣ୍ଡେ
ରାଗ ରୁଷା ତେଜ ବାରେ
ଧରଣୀ ରାଣୀ ଯେ ମନ ଊଣା କରେ
ନୟନରୁ ଅଶ୍ରୁ ନିଗାଡ଼େ। ।
31.ପ୍ରେରଣା
କୃତଜ୍ଞଟି ମୁହିଁ ପିତାମାତା ପାଇଁ
ଯତ୍ନଶୀଳ ହେବା ବୁଝି
ତାଙ୍କ ହାତ ଧରି ଚାଲଇ ଯେ ବାଟ
ପାରୁନି ସେ ରୁଣ ସୁଝି।।
କୃତଜ୍ଞଟି ମୁହିଁ ସାଧୁ ସନ୍ଥ ପ୍ରତି
ଉଦାସୀନ ଯା’ର ଭାବ
ନାହିଁ ତା’ ଆବେଗ ନିରୁଦ୍ବେଗ ସେହୁ
ସୁଖ ଦୁଃଖ ସମଭାବ।।
କୃତଜ୍ଞଟି ମୁହିଁ ମୋ ଗୁରୁଜୀ ପାଇଁ
ଶକ୍ତି ସାମର୍ଥ୍ୟଟି ପାଇ
ଦୁନିଆର ଆଗେ ଭରସି କହିବା
ଯାହାଠୁଁ ଶିଖିଲି ମୁଇଁ ।।
କୃତଜ୍ଞଟି ମୁହିଁ ବନ୍ଧୁଟିର ପାଇଁ
ସୁଖ ଦୁଃଖ ଫେଣ୍ଟା ଫେଣ୍ଟି
ଦେଇନି ଦୁଃଖ ସେ ଭୋଗିବାକୁ ମୋତେ
ସବୁ ସେ ନେଇଛି ବାଣ୍ଟି।।
କୃତଜ୍ଞଟି ମୁହିଁ ବୃଦ୍ଧ ବୃଦ୍ଧା ପାଇଁ
ଶାନ୍ତଶୀଳା ଯା’ ର ଚିତ୍ତ
ତା ‘ର ଲାଗି ମୋର ବଦଳି ପାରିଛି
ଏଥୁ ଜୀବନ ବୃତ୍ତାନ୍ତ।।
କୃତଜ୍ଞଟି ମୁହିଁ ଯୁବକର ପାଇଁ
କି ଶକ୍ତି ବହନ କରେ
“ପାରିବି ମୁଁ କହି” ଲଂଘି ଯାଏ ଗିରି
କେଡ଼େ ଉନ୍ମାଦନା ଭରେ।।
କୃତଜ୍ଞଟି ମୁହିଁ ଶିଶୁଟିର ପାଇଁ
ଶିଶୁ ପରା ଦେବୋପମ
ସରଳ ସୌକର୍ଯ୍ୟ ଯା’ ଜୀବନ ଚର୍ଯ୍ୟା
ସିଏ ନୁହେଁ ମୋର ଭ୍ରମ।।
କୃତଜ୍ଞଟି ମୁହିଁ ସମାଜର ପାଇଁ
ଯାହା ଠାରୁ ପରା ଦିନେ
ଜୀବନର ଶୈଳୀ ବଞ୍ଚିବାର କଳା
ଶିଖିଥିିଲା ଗୋଟାପଣେ।।
କୃତଜ୍ଞଟି ମୁହିଁ ଏ ଦେଶ ମାତୃକା
ଦେଶ ସେବକରେ ଭଲେ
ଯା’ ର ଲାଗିି ପରା ଏ ଦେଶ ଜନତା
ସଣ୍ଢା ଟେକି ବାଟ ଚାଲେ ।।
32.ପ୍ରେମ
ପ୍ରେମ ପାଠ ବୋଲି ଦୁଇଟି ଅକ୍ଷର
ଗୋଟିଏ ହେଲାନି ଶିକ୍ଷା
ମୂରୁଖ ପହ୍ଲରେ ମୂରୁଖ ମୁଁ ହେଲି
କାହାଠୁଁ ନେବି ଯେ ଦିକ୍ଷା।।
ଜୀବନ ଯୌବନେ ପ୍ରେମ ମୁଁ ଯେ କଲି
ପ୍ରେମକ ପ୍ରବର ସାଜି
ପ୍ରେମ ବିପଣନେ ଅସଫଳ ହେଲି
ସମସ୍ତେ କହିଲେ ପାଜି ।।
ପତ୍ନୀ ସଙ୍ଗେ ରଖିଲି ଭାବ ଯେ
ପତ୍ନୀ ମୋର ହେଲା ନାହିଁ
ଦୂର ଦୂର କରି ଗୋଡ଼ାଇ ଖାଉଛି
ଭିଣି ଭିଣି ସଦା କାହିଁ।।
ଛୁଆ ପିଲାଙ୍କୁ ତ ସ୍ନେହ ଶ୍ରଦ୍ଧା ଦେଲି
ମୋ ପଟିଆ କେହି କୁହେ?
ମାଆ ମାଆ ବୋଲି ଗୋଡ଼ାନ୍ତି ସମସ୍ତେ
ମାଆ କଥା ସଦା ରହେ।।
କାହାକୁ ନେଇ ଯେ କରିବି ମୁଁ ଘର
ଭ୍ରମୁ ଅଛି ଖାଲି ଭ୍ରମେ
ତୁମକୁ କଲି ଯେ ଏତେ ଅନ୍ତରଙ୍ଗ
ତୁମ ହିସାବରେ ତୁମେ।।
ଭଲ ପାଇବାରେ ରହିଲା କି ଭୁଲ
ଭଲ ପାଇ ଯାଏ ଠକି
ବାଉଳି ହେଉଛି ବିଶ୍ବାସ ପାଉନି
ଯାଉଛି ମୁଁ ଖାଲି ବକି।।
3 3.ଏମିତି କେମିତି ହୁଏ
ଏମିତି କେମିତି ହୁଏ?
ଏମିତି କେମିତି ବିପରୀତ ହୁଏ
ଥିଲେ ହାତ ଛଡ଼ା କରେ
ନଥିଲେ ମଣିଷ ଘୂରି ସାରି ହୁଏ
ପାଇବା ଆଶାରେ ଘୂରେ।। 1
ଏମିତି କେମିତି ହୁଏ?
ମଧ୍ୟାହ୍ନର ଜାଳ ଥମୁ କି ନଥମୁ
ଲୋଡେ ଛାୟା ସୁଶୀତଳ
କିନ୍ତୁ ବୟସର ଅପରାହ୍ଣରେ
ଖୋଜେ ସେ ବାଲ୍ଯ ସକାଳ।।2
ଏମିତି କେମିତି ହୁଏ?
ଜୀବନଟା ସତେ ସୁଖ ପାରାବାର
ନା ଦୁଃଖର ଅମା ନଦୀ
ପାରୁନି ମୁଁ କିଛି ସତରେ ସେ କଳି
କାହିଁ ଶୁଖେ ଦୟା ନଦୀ।। 3
ଏମିତି କେମିତି ହୁଏ?
ମରିଗଲା ପରେ ସରି ଯାଏ ସବୁ
ଭୁଲି ଯାଏ ଭୋକ ଶୋଷ
ନା ରହେ ଶରୀର ନା ରହେ ଜୀବନ
ଛାଡ଼ିଯାଏ ଅବଶେଷ।। 4
ଏମିତି କେମିତି ହୁଏ?
ଜୀବନଟା ଏକ ଅସାର ବେପାର
ସାକାର ହେଉନି କିଛି
ପ୍ରାପ୍ତିରେ ଆଶାରେ ନିରାଶାର ଛାୟା
ଦଣ୍ଡକେ ଘୋଟି ଯାଉଛି।। 5
ଏମିତି କେମିତି ହୁଏ?
ଏମିତି ଅନ୍ଧାର ଆଲୁଅର ଖେଳ
ସବୁବେଳେ ଚାଲିଥାଏ
ବେଳେ ଖରା ହେଲେ ଆଉ ବେଳେ ଛାଇ
ଜୀବନ ନଇଁ କି ଯାଏ।।
ଏମିତି କେମିତି ହୁଏ?
34.ମୋ ଦୋଷେ ମୁଁ ଯେ କାରଣ
ଜଗତର ନାଥ ଆହେ ଜଗନ୍ନାଥ
ହାତ ଗୋଡ଼ ତୋର ନାହିଁ
ଗଣ୍ଡିଟା ଧରିଛୁ ଡିମା ଡିମା କରି
ଆଖିରେ ରହିଛୁ ଚାହିଁ।।1
ଦୁର୍ନୀତି ଅନୀତି ରୋଧୀବାକୁ ବଳ
କେଣେ ଗଲା କି ତୋହର
ଦେଖୁ ଦେଖୁ କେବା ସବୁ ଯାଉ ସହି
ପାପୀ ତାପି ବଳିୟାର।।2
କାଳିଆ କୃଷ୍ଣର କଳା ବିଲିବିଲା
ରୂପଟି ପରା ତୋହର
ଏଡିକି ବିଚିତ୍ର ଚାହିଁବାକୁ ତୋତେ
ହେଉନି ଇଚ୍ଛା କାହର।। 3
ଖାଲି ମୋର ଯୁଗ ନଗଲାଠୁଁ ସିନା
ତୋ ଶରଣେ ମୁଁ ପଶେ
ନୋହିଲେ ତୋ ଠାରେ ନାହିଁ ପ୍ରୟୋଜନ
କାହିଁ ଯିବି ତୋର ପାଶେ।। 4
ଗଲେ ବା ଏମିତି କ’ଣଟେ ଯେ ତୁହି
ଦେଇ ପକେଇବୁ ମୋତେ
ଜାଣି ନାହିଁ କି ମୁଁ ଦିଆଳିଆ କେତେ
କାହାକୁ ଦେଇଛୁ ଏତେ।। 5
ତଥାପି ପାରୁନି ମୋର ଦୁଃଖ ମୁଇଁ
ଏକା ସିନା ଦୂର କରି
ସେ ଲଗି ତୋତେ ମୁଁ କାକୁସ୍ଥ ହୋଇଣ
କରୁଛି ଏଡେ ଗୁହାରୀ।। 6
ତୁ କାହୁଁ ବୁଝିବୁ ମୋ ମନର ବ୍ୟଥା
ମନରେ ଯାଉଛି ମରି
ଦୁନିଆଟା ଠାରୁ ତୁଟିଲାଣି ଆଶା
ଷୋଳପଣ ଗଲା ସରି।। 7
ନାହିଁ ମୋର ଆଉ ଏ ଜୀବନେ ପ୍ରୀତି
ଦେଇଦେ ଖାଲି ସେ ମୁକ୍ତି
ଲଭିବି ଯାଇ ମୁଁ ସେ ପୁରେ ସେ ଗତି
ସେତିକି ନାହିଁ କି ଶକ୍ତି? 9
ତଥାପି ଦେଉନି ସବୁ ଦୋଷ ତୋତେ
ମୋ ଦୋଷେ ମୁଁ ଯେ କାରଣ
ତୋତେ ଯେଣୁ ଦେଲି ଏତେ କରି ଗାଳି
ଦେଉନୁ କାହିଁ ମରଣ? 10
ସତ କଥା ଗୋଟେ କହିବାକୁ ଗଲେ
ତୋତେ କରେ ମୁଁ ଜୁହାର
ଗାଳିଟା ଦେବାକୁ ନୂହେଁ ଏତେ ମନ
ଯେତେ ଗୁଣ ଗାଏ ତୋର।। 11
ଜାଣିଛି ତୁ ମୋର ସ୍ରୁଷ୍ଟି ତ୍ରାଣକର୍ତ୍ତା
ତୋତେ ମୁଁ ପାରୁନି ଭୂଲି
ରହିଥିବା ଯାଏଁ ଏ ଜୀବନେ ପ୍ରାଣ
ତୋ ଗୁଣ ଗାଇବି ବୁଲି।। 0
35.ଅବୁଝା ଶିଶୁ
ଆସିଛୁରେ ଏକା ଯିବୁ ତୁ ଏକା
କାହାକୁ ତୋର ଅପେକ୍ଷା
ଜୀବନଟା ସାରା ଯାହାବି ପାଇଛୁ
ସବୁ ସିନା ପ୍ରତାରଣା।। 1
ଖୋଜିଛୁ କେତେ ତ ଖୋଜି ଖୋଜି କାହିଁ
ପଡି ଅଛୁ ପୁଣି ଶୋଇ
ଅଗମ୍ୟ ବନସ୍ତୁ ଜନାକୀର୍ଣ୍ଣ ଯାଏଁ
ଅପଣାର ଗୋଟେ ପାଇଁ।। 2
ଜୀବନଟା ସାରା ସପନ ଦେଖିଲୁ
ଗୋଟାଏ ହେଲା କି ସତ
ନିଜ ନିଜ ସ୍ୱାର୍ଥେ ସଭିଏଁ ମାତନ୍ତି
କିଏ କାହା ପାଇଁ ବ୍ୟସ୍ତ।। 3
ଦୁନିଆ ବୁକୁରେ ନାହିଁ କେହି ପଦେ
ଆହାଃ କହିବାକୁ ଅନା
ନାହିଁ କେହି ସାଥୀ ଅବା ପରିଜନ
ସବୁ ଖାଲି ପ୍ରବଞ୍ଚନା।। 4
ସବୁ ଦେଇ କେହି ଆଶ୍ରା ହେବେନି ତ
ବରଂଚ ଚାଳିବେ ଛୁରୀ
ଜୀବନ ସାହାରା ମରୁଭୂମିଟାରେ
ପାଲଟିବ ଚୋରା ବାଲି।। 5
ଏଠି ନେଇ ଯିବା ମାରି ନେବା ଛକେ
ଅପେକ୍ଷାମାଣ ସଭିଏଁ
ସବୁଜ ବତୀ ତ ଜଳିବା ପାଇଁକି
ଆତ୍ମା ଅବା ହେବ କିଏ।। 6
ନିଜ ସାହାରାରେ ପାଦ ଥାପି ଦେଇ
ଧୀରେ ଧୀରେ ବାବୁ ଚାଲ
ମନ ଦୃଢ଼ କରି ଛାଡ଼ି ଆଶା ବାଡ଼ି
ଅଣ୍ଟା ସଳଖି ତୁ ଚାଲ।। 7
ଆଉ ପାରିବିନି ତୋତେ ମୁଁ ବୁଝାଇ
ଥକି ପଡ଼ିଲାଣି କେତେ
ଏତିକି ଅଛି ମୋ ଅବୁଝା ଶିଶୁରେ
କହିବା ପାଇଁକି ତୋତେ।। 0
36.ଅହରହ ହଁ ନା ସ୍ଥିତି
ଭଗବାନଙ୍କର ସ୍ଥିତିକୁ ତ ନେଇ
ଅହରହ ହଁ ନା ସ୍ଥିତି
ମନରେ ଆଶଙ୍କା ଶଙ୍କା ଉପୁଜଇ
ହୁଏ ନାହିଁ ସ୍ଥିର ମତି।। 1
ମୁଁ ବି ସେଇ ପଥେ ପଥିକଟେ ସାଜି
ଖୋଜିଛି କେଣେ ଯେ କେତେ
ଖୋଜି ଖୋଜି ପୁଣି ପଡ଼ିଛି ଘୁମେଇ
କାହିଁ ସେ ମିଳିନି ମୋତେ।।2
ଏଡିକି ଭାଗ୍ୟଟି ମୋର ସେ କି ହେବ
ପାଇବି ତା’କୁ ମୁଁ ଖୋଜି
ମୋର କାହିଁ ମନେ ପରତେ ଯାଉନି
ପାଇନି ଯେଣୁ ସେ ମୁନି।। 3
ସତେ ତୁମେ ଅଛ ଅବା ପୁଣି ନାହଁ
ପଚାରି ବୁଝିନି କାହେ
କିଏ ସେହୁ ଅବା ଏଡ଼େ ପୁଣ୍ୟ ଜନ
ସଂଶୟ ଫେଡ଼ିଟି କହେ।। 4
କେମିତି ପାଇବି ଉପାୟଟା ବାରେ
କହି ଦିଅନ୍ତ କି ଭଲେ
ନୋହିଲେ କି ଲାଭ ସାଧାନାର ସିଦ୍ଧି
ଖାଲି ଅସଫଳ ହେଲେ। ।5
37ହେ ଭକ୍ତ ବଂଶବଦ
ହେ ରାଧା ରମଣ ରସ ରାଜ କୃଷ୍ନ
ତୁମେ କି ସେହୁ ବିରାଟ
କଟକ ଟଗର ମଥୁରା ନରେଶ
ରହସ୍ୟ ସିନ୍ଧୁ ସମ୍ରାଟ।। 1
ସୃଷ୍ଟି ମୂଳାଧାର ନିୟତି ନିୟନ୍ତା
ସକଳ ହେତୁ କାରଣ
ଭକ୍ତର ଆତୁର ଶୁଣି ଦୁଃଖ ଶୋକ
କର ପରା ନିବାରଣ।। 2
ସୃଷ୍ଟି ରଚୟିତା ବ୍ରହ୍ମାଣ୍ଡ କରତା
ହେ ନଟଖଟି ନାରଦ
କର କିମ୍ପା ହଟ ମୋତେ ପରା ଜ୍ଞାତ
ତୁମେ ଭକ୍ତ ବଂଶବଦ।। 3
ତୁମକୁ ଭେଟିବା ମୋ ଜୀବନ ଆଶ
ରଖନ୍ତ କି ମୋ ଗୁହାରୀ
ପାରୁନି ଯେ ଭେଦୀ ରହସ୍ୟର ଘେରା
ତୁମ ସୁଉଚ୍ଚ ପାଚେରୀ।। 4
ତୁମ ସଙ୍ଗେ ମୋର ଏକାନ୍ତରେ ଦିନେ
ହୁଅନ୍ତା କି ଭାବ ବାଣ୍ଟି
ସକଳ ଯାତନା ଦିଅନ୍ତି ପାଶୋରି
ମନସ୍କାମ ଯା’ନ୍ତା ମେଣ୍ଟି।। 5
ହେ ବରଦାୟକ ମୁଁ ଯେ ସଦାଚାରୀ
ତୁମେ କରୁଣା ସାଗର
କରନି କାଁ ଉଣା ଭାବର ଅଭାବ
ମୁଁ ଯେ ପଥିକ ମୁକ୍ତିର।। 0
38.ମନ କାତି
ତୋ ପଦାରବିନ୍ଦେ ମୁଁ ପରା ଶରଣାଗତ
ମୋର କାହିଁ ଚିନ୍ତା ଏତେ
ତୋର ଯେଣେ ଇଚ୍ଛା ତେଣେ ନେଉ ଭିଡ଼ି
ନାହିଁ ମନା ମୋର ତୋତେ।। 1
ତୁ ପରା ଭକତ ରଙ୍କ ଭାଗବାନ
ତୋତେ ଛାଡି କାହିଁ ମୁକ୍ତି
ମୁଁ ତେଣୁ କରିଛି ତୋତେ ଯେ ଆଶୟ
ତୁହି ଦେଲେ ଦେବୁ ଶକ୍ତି।। 2
ଦୁଃଖୀର ପସରା ନୟନ ପିତୁଳା
ତୁହି ଏକା ଭାଗବାନ
ଜନତା ପାରେନି ବୁଝି କେବା ପୁଣି
ମୋହ ମାୟାରେ କି ମନ।। 3
ମୁଁ କିନ୍ତୁ ବୁଝିଛି ଭିଡ଼ିକି ଧରିଛି
ଯେତେ ଝାଞ୍ଜି ଝଡ଼ ବହୁ
ଲଭିବି ଦିନେଟି ନିଶ୍ଚେ ଗତି ମୁକ୍ତି
ଦୃଢୋକ୍ତି ପୋଷଣ ସେହୁ!। ।4
ତୋର ହୀନିମାନେ ମନେ ନାହିଁ ଉଣା
ତୋଠିଁ ପରା ସଦା ମତି
ସବୁ ସେ ସହିବି ଦୁଃଖ କଷ୍ଟ ଭୋଗୀ
ଭାଙ୍ଗିବ ତୋ ମନ କାତି। ।0
39 .କରିଦେ ଲାଘବ
ଜୀବନ ତମାମ କେତେ ଯେ କଷଣ
ସବୁ ପରା ସେ ସହିଛି
କାହାକୁ ଦେଇନି ଦୁଃଖ ମୁଁ କହିନି
ସୁଖ ବାଣ୍ଟି ଯେ ଥକିଛି।। 1
ତଥାପି ମେଣ୍ଟିନି ମୋଠୁଁ ପ୍ରାପ୍ତି ଆଶା
ପଳ ପଳ କରି ଝୁଣେ
ଏଡ଼େ ସ୍ୱାର୍ଥ ଅନ୍ଧ ଆତ୍ମୀୟ ସ୍ଵଜନ
ନାହିଁ ତା’ର ଦୟା କେଣେ।। 2
ପ୍ରତିବାଦ କେବେ ନା ଥିଲା ନା ଅଛି
ତା’ ବୋଲି ସେ ନେବ ଲୁଟି
ଗୋଟା ପୁଣି ମୋତେ ନିଶେଷି ଶୋଷିବ
ବାଟର କରିଣ ମାଟି ।। 3
ତେବେବି ସନ୍ତୁଷ୍ଟି ନାହିଁ ତା’ର ମନେ
ଅସନ୍ତୁଷ୍ଟଟି ଏଡ଼ିକି
ମାନବର ଗୁଣ ଏଡ଼େ ନିମ୍ନ ଅତି
କେମିତି ପାରନ୍ତି ରୋକି? 4
ରୋଧୀବାକୁ ବଳ ତୋର ଏକା ସିନା
ତୁ ସିନା ଚାହିଁଲେ ହେଲା
ତୋର ନାହିଁ ଚିନ୍ତା ମାନବରେ ପରା
ବସିଲେ ଶାନ୍ତିରେ ଗଲା।। 5
ପାରୁନି ଆଉ ମୁଁ ଚାଲି ଚାଲି ଥକି
ଦେଇଦେ ମୋତେ ତୁ ମୁକ୍ତି
ଯାତନାର ଭାରା କରିଦେ ଲାଘବ
ମିଳିଯାଉ ଟିକେ ଶାନ୍ତି।। 0
40.ବିଘ୍ନନାଶକ ମହାବିନାୟକ
ଜୟ ବିଦ୍ୟାଦାତା ଗଣପତି ବାବା
ବିଦ୍ୟାର ଭଣ୍ଡାର ତୁମେ
ପେଟଟା ଥନ୍ତଲା ବୋଲି ତ ଭୋକରା
ବୁଦ୍ଧି କିନ୍ତୁ ଥାଏ ବାଟେ।। 1
ଏଡ଼େ ଅବାଗିଆ ମୁହଁଟା ହେଲେ ହେଁ
ବିଦ୍ୟା ବୁଦ୍ଧି ସବୁ ଠୁଳ
ତୁମେ ବିଘ୍ନରାଜ ସକଳ ବିଘ୍ନକୁ
ଅଚିରେ ବିନାଶ କର।। 2
ତୁମଠୁଁ ଅରଜି ବିଦ୍ୟା ବୁଦ୍ଧି ମୁହିଁ
ଜ୍ଞାନୀ ଗୁଣୀ ହେବା ଚାହେଁ
କେତେବେଳେ ତୁମେ ଏତେ ପାଠ ପଢ଼
ମୋତେ କହନ୍ତନି ଭଲେ। ।3
ସର୍ବଗିଳା ବୋଲି ପେଟ ପୂରେ ନାହିଁ
ଖାଦ୍ୟେ ପରା ଲୋଭ ରଖ
ହେଲେ କେମିତି ଯେ ଏଷଣା ଗଣିତ
ତର୍କାଦି ଶାସ୍ତ୍ରେ ନିପୁଣ।। 4
ପାର୍ବତୀ ଦୁଲାଳ ଆହେ ଗଜାନନ
ମାତୃ ଆଜ୍ଞା ଶିରୋଧାର୍ଯ୍ୟ
ସତ୍ୟର ପୂଜାରୀ ବଚନ ପ୍ରେୟସୀ
ମନୋବାଞ୍ଛା ପୂରା କର।।0
41.ନିଗୂଢ ରହସ୍ୟ
ଏହି ମହାକାଳ ସମୁଦ୍ର ବକ୍ଷରେ
ଜୀବନ ତରୀ ମୁଁ ବାହି
ସବୁ ଅନୁଭୂତି ଅନୁଭବ ହେଲା
ବ୍ୟକ୍ତ ବା ଅବ୍ୟକ୍ତ କିଛି।। 1
ଏଠି ଉତ୍ସର୍ଗୀକୃତ ଚରିତ୍ର ପରା ସେ
ଦଣ୍ଡ ଭୋଗାଭୋଗ କରେ
ସାଧୁ ସନ୍ଥ ଜନ ପରାଭାବ ପାଏ
ପାପୀ ବରଦାନ ଲଭେ।। 2
ପର ସେବା କର୍ମେ ଯାପିନ ଜୀବନ
କଷଣ ସହେଟି ନରେ
ପାପୀ ଜନ ଏଠି ସୁଖ ସମ୍ଭୋଗରେ
ଜୀବନ ବ୍ୟଥିତ କରେ।। 3
ଯେତେ କଲା କର୍ମେ ଅବା ଅପକର୍ମେ
ଥାଉ ପଛେ ସେହୁ ଜନେ
ସେ ତ ହୁ ହୁ ବଢେ ଧନ ସମ୍ପଦରେ
ନଥାଏ ଊଣାଟି ତିଳେ।। 4
ଭଗବାନ କିଛି କହେ ନାହିଁ କିଆଁ
ସବୁ ଦେଖି ଶୁଣି ରହେ
ଜୀବନର ଶେଷେ ଅପେକ୍ଷା କି ତା’ର
ଫଳାଫଳ ଶୁଣାଇବେ।। 5
ଏ ଗୂଢ ରହସ୍ୟ ବୁଝିବା ସହଜ
ହେଉ ନାହିଁ ମୋର ପକ୍ଷେ
ମୁଁ ଛାର ମାନବ କାହୁଁ ବୁଝିବାକୁ
ସୃଷ୍ଟି ରହସ୍ୟଟି ଏତେ।। 6
42.ହଂସାରୂଢ ଆହେ ବିଶ୍ୱକର୍ମା
ଅଦିତି ଗର୍ଭସ୍ଥ କଶ୍ୟପ ଔରସୁ
ହେଲ ପରା ତୁମେ ଜାତ
କଳା ଭାସ୍କର୍ଯ୍ଯ ଶିଳ୍ପରେ ନିପୁଣ
ତୁମେ ଅଟ କାରିଗର।। 1
କେତେ ଯେ ସହର କେତେ ଯେ ପ୍ରାସାଦ
ଦେବତାଙ୍କ ପାଇଁ ଗଢ
ସତ୍ୟ ଯୁଗେ ଗଢ ଦେବତାର ଲାଗି
ନିବାସ ସ୍ଥଳଟି ସ୍ଵର୍ଗ।। 2
ତ୍ରେତା ଯୁଗେ ଗଢ଼ ରାବଣର ଲାଗି
ଭବ୍ଯ ଲଙ୍କା ସ୍ଵର୍ଣ୍ଣପୁରୀ
ଦ୍ଵାପର ଯୁଗରେ ଗଢିଲ ପୁଣି ଯେ
ଦ୍ୱାରିକା ରମ୍ୟ ନଗରୀ।। 3
ଶେଷେ ଜଗନ୍ନାଥ ସୁଦର୍ଶନ ଚକ୍ର
ବଳଭଦ୍ର ଓ ସୁଭଦ୍ରା
ପ୍ରତିକୃତି ଆଙ୍କି ସୁନ୍ଦର ସୁଠାମ
ଠାଣିର ଗଢିଲ କିବା।। 4
ଯେତେବେଳେ ସେତେ ଉନ୍ନତ ନଥିଲା
ଏ ଦେଶ ମାତୃକା ମାଟି
ସେତେବେଳେ ତୁମେ କେମିତି ରଚିଲ
ଏଡିକି ଭବ୍ଯ ନଗରୀ।। 5
ତୁମଠୁଁ ଶିକ୍ଷଣ ସ୍ଥାପତ୍ୟ ଭାସ୍କର୍ଯ୍ଯ
ଚାରୁ ଶିଳ୍ପ କଳା ଗୁଣ
ଆମେ ପରା ଆଜି ସଭ୍ୟ ଶିକ୍ଷିତ
ନବ୍ଯ ଯୁବ ଇଞ୍ଜିନିୟର।। 6
ଆହେ ବିଶ୍ୱକର୍ମା ହଂସେ ଅଧିରୂଢ
ସବୁ କ୍ଷେତ୍ରେ ପାରଙ୍ଗମ
ତୁମ ହସ୍ତେ ଥିଲେ ସ୍କେଲ୍ ପଟା ଅସ୍ତ୍ର
ସବୁ ଶିଳ୍ପୀ ପରାଜିତ।। 0
43.ଏଡ଼େ ଦାମ୍ଭିକତା
ଏଡ଼େ ଦାମ୍ଭିକତା ବଡ଼ ପଣିଆଟି
କେମିତି ପାଟିରୁ ଝଡ଼େ
କେଉଁ ବଡ଼ ପଣେ ଏଡ଼େ ବଡ଼ କଥା
ନ ଆଣି ସଂଶୟ କହେ।। 1
ତୁମେ କି ଉପରେ ସବୁରି ଉପରେ
କାହାରିକୁ ଡର ନାହିଁ
ନିଜ ଭାଗ୍ୟକୁ କି ନିଜେ ନିଅ ତୁମେ
ନିଜ ଇଚ୍ଛା ମତେ ଟାଣି।। 2
ଟିକିଏ ପଡ଼ିଲେ ଆଣ୍ଠେଇଟି ବେଳେ
ସବୁ କଥା ଯିବ ଭୁଲି
ଫୁଟାଣି ଟିପ୍ପଣୀ ସବୁ ଯିବ ଛାଡ଼ି
ଫୁଟାଣିଆ ତୁମେ ଭାରି ।।3
କେଡ଼େ କେଡ଼େ ରଥୀ କେଡ଼େ ମହାରଥୀ
ଜୀବନେ ଦେଖିଛି ମୁହିଁ
କ୍ଷଣିକେ ହୁଅନ୍ତି ଧରାଶାୟୀ ପରା
ଆଶ୍ରୟ ମିଳେନି ଖୋଜି।। 4
ନିଜ ବିବେକକୁ ନିଜେଟି ପଚାର
ସଚେତନ ହୁଅ ବାବୁ
ନୋହିଲେ ଘଡ଼ିକେ ଛୁଟିବଟି ଘୋଡ଼ା
ରଖି ପାରିବନି କାବୁ।। 0
44.କୋଣାର୍କ
କିମ୍ବଦନ୍ତୀ କହେ କୃଷ୍ଣ ପୁତ୍ର ଶାମ୍ବ
ଆରୋଗ୍ୟ କାମନା କରି
ସୂର୍ଯ୍ୟଙ୍କ ମନ୍ଦିର ଚନ୍ଦ୍ରଭାଗା କୂଳେ
କଲେ ନିର୍ମାଣଟି ସ୍ମରି।। 1
କୃଷ୍ଣ ପତ୍ନୀ ସ୍ନାନ ଗୃହେ ଭ୍ରମେ ଶାମ୍ବ
ପ୍ରବେଶିଣ ବିଚଳିତ
ଅଭିଶପ୍ତ ହୋଇ କୁଷ୍ଠେ ଯେ ଆକ୍ରନ୍ତ
କାଳେ ହେଲେ କବଳିତ। ।2
ରୁଷି ଦେଲେ ଆଜ୍ଞା ଚନ୍ଦ୍ରଭାଗା କୂଳେ
ସୂର୍ଯ୍ୟ ସ୍ନାନ ଯୋଗ କର
ଆଜ୍ଞା ପାଳି ଶାମ୍ବ ହେଲେ ବ୍ୟାଧି ମୁକ୍ତ
ତହୁଁ ଗଢିଲେ ମନ୍ଦିର।। 3
ଇତିହାସ କହେ ନରସିଂହ ଦେବ
ତ୍ରୟୋଦଶ ଶତାବ୍ଦୀର
ସୂର୍ଯ୍ୟ ରଥ ସମ କୋଣାର୍କ ମନ୍ଦିର
ଗଢି ତୋଳି ଥିଲେ ବୀର ।। 4
ଯାହା ଇଉରୋପ ଜଳଯାତ୍ରୀ ଜାଣେ
ବ୍ଲାକ୍ ପାଗୋଡ଼ା ନାମରେ
ସ୍ଥାପତ୍ୟ ଭାସ୍କର୍ଯ୍ଯ ଚାରୁ କଳା ପାଇଁ
ପ୍ରସିଦ୍ଧି ତା’ର ବିଶ୍ୱରେ।। 5
ଚବିଶଟି ଚକ ଆଠ ଗୋଟି ଅଖ
ସାତ ଗୋଟି ଘୋଡ଼ା ପୁଣ
ଏହି ରୂପେ ଭବ୍ଯ ଯାହା ଓଡ଼ିଆର
ଗରବ ଗୌରବ ଜାଣ।। 6
ବାର ଶହ ଜଣ ବଢେଇଙ୍କ ଦାୟ
ଆଉ ରାଜାଙ୍କର ଆୟ
ସବୁ ମିଶି ହେଲା ମନ୍ଦିରଟି ପ୍ରାୟ
ହେଲେ ଧରମାର ଶ୍ରେୟ।। 0
45.ଦୟା ନଦୀ କୂଳେ
ଦୟା ନଦୀ କୂଳେ ଧଉଳି ପାହାଡ଼
ଶାନ୍ତି ସ୍ତୁପ ରୂପେ ଖ୍ୟାତ
ବୌଦ୍ଧ କିର୍ତ୍ତୀମାନ ବୌଦ୍ଧ ମୂର୍ତ୍ତିମାନ
ଯହିଁ ଅଛି ବିରାଜିତ।। 1
ଚଣ୍ଡାଶୋକ ଦିନେ ଭାବ ଭାବାନ୍ତରେ
ହୋଇଥିଲେ ପରିବର୍ତ୍ତିତ
ଧର୍ମାଶୋକ ନାମେ ହେଲେ ସେ ବିଖ୍ୟାତ
ବୌଦ୍ଧ ଧର୍ମ ପ୍ରସାରିତ ।।2
କାରୁବାକୀ ପାଇଁ କଳିଙ୍ଗ ସହିତ
କଳିଙ୍ଗ ମହା ସମର
ରଣାଙ୍ଗନେ ଯୁଝି ପ୍ରାଣ ଦେଲେ ବଳି
ଲକ୍ଷେ ଓଡ଼ିଆର ବୀର ।।3
ଏମିତି ବୋହିଲା ରକ୍ତ ନଦୀ ହେଲା
ରକ୍ତର ସୁଅ ଛୁଟିଲା
ମଗଧ ରାଜନ ଟାଣ ପଣ ଗଲା
ହୃଦୟ ବତୁରି ଗଲା ।।4
ଧଉଳି ସ୍ତୁପଟି ଶାନ୍ତିର ପ୍ରତୀକ
ଯୁଦ୍ଧର ବିରତି ପରେ
ଅଶୋକ ପରାଏ ନିର୍ମମ ନିଷ୍ଠୁର
ଲାଗେ ଧର୍ମ ପ୍ରଚାରରେ।। 5
ତଲୱାର ନୁହଁ ଜୟ ହୃଦୟର
ଏ ମାଟିର ମହା ମୋତି
ଉଦ୍ଘୋଷ୍ ହୁଏ ବିଶ୍ଵ ଦରବାରେ
ଗର୍ବେ ଫୁଲି ଉଠେ ଛାତି ।।6
ଏହି ଆମ ଦେଶ ଶିଖାଇଲା ବିଶ୍ଵ
ଅହିଂସା ପରମ ଧର୍ମ
ଆହାକି ସୁନ୍ଦର ଅପୂର୍ବ ସେ ବାଣୀ
ପ୍ରାଭାବିତ କଲା କର୍ମ।। 0
46.ଜୈନ ପୀଠ
କଳିଙ୍ଗ ସମ୍ରାଟ ଖାରବେଳ କୃତି
ଉଦୟ ଓ ଖଣ୍ଡଗିରି
କୁମାର କୁମାରୀ ପର୍ବତ ଉପରେ
ଯାହା ଗୁଣି ହୁଏ ସ୍ମର
ଅଠରଟି ଗୁମ୍ଫା ଉଦୟ ଗିରିରେ
ଯାହା ହୋଇଥିଲା ସୃଷ୍ଟି
ପନ୍ଦରଟି ପୁଣି ଖଣ୍ଡଗିରି ଗୁହେ
ରହିଅଛି ଅବଶିଷ୍ଟ
ତହିଁ ଯେ ଖୋଦିତ ଖାରବେଳ ଆଉ
ଉତ୍ତରାଧିକାରୀ ଦ୍ଵାରା
ତୀର୍ଥଙ୍କର ଲାଗି ଯାହା ପ୍ରମାଣିତ
କରେ ଇତିହାସ ପରା
ଅନନ୍ତ, ତେନ୍ତୁଲି, ଖଣ୍ଡଗିରି, ଧ୍ୟାନ
ତତ୍ତ୍ଵ, ତ୍ରିଶୂଳ, ଅମ୍ବିକା
ତତ୍ତ୍ଵ, ବାରଭୂଜି, ନବମୂନି ଆଦି
ଏକାଦଶୀ ପୁଣି ଗୁମ୍ଫା
ଗୁମ୍ଫା ବାର ତେର ପନ୍ଦର ବେନାମୀ
ଲଲାଟେନ୍ଦୁ କେଶରୀ
ଏ ସବୁ ଗୁମ୍ଫାର ସଂଖ୍ୟା ବିଶେଷକ
ନାମ କରଣଟି ଭାରି
ରାଣୀ, ବାଜପୁର, ଛୋଟ ହାତୀ, ସର୍ପ
ଅଳକାପୁରୀ, ଗଣେଶ
ଠାକୁରାଣୀ, ବ୍ୟାଘ୍ର ପାତାଳୀ ପୁରୀ
ଜୟା ବିଜୟା, ପଣସ
ଯାମ୍ବେଶ୍ୱରୀ, ହାତୀ ଜଗନ୍ନାଥ, ରୋଷେଇ
ମଞ୍ଚପୁରୀ /ସ୍ଵର୍ଗପୁରୀ (ଗୋଟାକର 2ଟା ନାଁ)
ହରିଦାସ ପୁଣି ଏହି ରୂପେ ପରା
ଗୁମ୍ଫାମୟ ଉଦୟ ଗିରି
ରାଣୀ ଗୁମ୍ଫା ପରା ଅପରୂପ କଳା
ଚାରୁ ଭାସ୍କର୍ଯ୍ଯ ଭାରି
ହାତୀ ଗୁମ୍ଫା ପୁଣି ବଖାଣେ ଐତିହ୍ୟ
ଲିପି ଲିପିବଦ୍ଧ କରି
ରହିଅଛି ତହିଁ ଜୈନ ତୀର୍ଥଙ୍କର
ଚବିଶ ଜଣଙ୍କ ଗାଥା
ଜୈନ କିର୍ତ୍ତୀ ସ୍ଥଳୀ ଭାରି ଆକର୍ଷଣ
କହିଥାଏ ସବୁ କଥା
ମହା ମେଘ ବାହାନ ଐର ଖାରବେଳ
କଳିଙ୍ଗର ଅଧୀଶ୍ୱର
ଗଢେ ଜୈନପୀଠ ପ୍ରଥମ ଶତାବ୍ଦୀ
ପ୍ରମାଣଟି ଅଟେ ତା’ର
ମାତ୍ର ସତରଟି ଧାଡ଼ିରେ ଖୋଦିତ
ଖାରବେଳ କିର୍ତ୍ତୀ ମଧ୍ୟ
ସବୁଠୁଁ ଗୁରୁତ୍ଵ ଯାହା ଉତ୍କଳୀୟ
ପରମ୍ପରା ମୂଲ୍ୟବୋଧ
47.ମାଆ ସରସ୍ଵତୀ
ଆହେ ହଂସାରୁଢା ବିଦ୍ୟା ପ୍ରଦାୟିନୀ
ବିଦ୍ୟାର ଭଣ୍ଡାର ପରା
ଜ୍ଞାନ ବିଦ୍ୟା ବୁଦ୍ଧି ନଦେଲେ ଟିକିଏ
ମୁଁ ଯେ ମୂର୍ଖ ମଧ୍ୟେ ଗଣା।। 1
ମାଆ ସରସ୍ଵତୀ ତ୍ରିଦେବୀ ମଧ୍ୟରୁ
ଅଟୁ ତୁ ଯେ ଅନ୍ୟତମା
ରୂପ ଅବା ଧନ ନଥାଉ ପଛକେ
ସବୁଠାରେ ବନ୍ଦନୀୟା।। 2
ମୁଁ ସତେ ପାରୁନି ତୋ ଠାରୁ କିଛି ଯେ
ବିଦ୍ୟା ବୁଦ୍ଧି ପରା ଶିଖି
ତଥାପି ତୋ ପାଦ କରି ସୁମରଣ
ଲେଖନୀ ମୁଁ ଧରି ଅଛି।। 0
48.କେଉଁଠି ଖୋଜିବି ତୋତେ
ହେ ଈଶ୍ଵର ତୁମେ ପରା ଦୟାନନ୍ଦ
ସବୁରି ମୂଳ କାରଣ
କାହିଁକି ଏମିତି ହୁଅ ନିଷ୍କରୁଣ
ଯାଉ ନାହିଁ ମୋ କଷଣ।। 1
ଦୁଃଖ ଯାତନା ଯେ ଦଣ୍ଡକେ ସେ ହଟେ
ତୁମେ ହେଲେ ପରା ତୁଷ୍ଟ
ହେଲେ କାହିଁ ମୋର ଲାଘବ ହେଉନି
ଭୋଗୁଛି ଯେ ଯମ କଷ୍ଟ।। 2
ଥକି ପଡ଼ିଲିଣି ପାରୁନି ଯେ ଚାଲି
କେମିତି ଚାଲିବି ବାଟ
ବୁଦ୍ଧି ବାଟ କିଛି ଦିଶୁ ନାହିଁ ମୋତେ
ଲଗାଇଛ କି ଯେ ହଟ।। 3
ପଥ ତୋର ଚାହିଁ ରହିଛି ଅନାଇ
ପାଇବି ବୋଲିଣ ମୁକ୍ତି
ହେଲେ ଯେ ଦର୍ଶନ ପାଉନି ତ ମୋଟେ
କରେ ପଛେ ଯେତେ ଭକ୍ତି।। 4
କେଉଁଠି ଅଛ ହେ ଈଶ୍ଵର ବୋଲିଣ
ପୂଜୁଛି ଯାହାକୁ ଏତେ
ବିଶ୍ଵ ବ୍ରହ୍ମାଣ୍ଡରେ ନା ମର୍ତ୍ତ୍ୟ ଭୂଇଁରେ
କେଉଁଠି ଖୋଜିବି ତୋତେ।। 0
49.ହେ ଆସୁନ! ଆସ!!
ଆସୁନ ବୋଲିତ ଡାକୁଛି ଶତତଃ
ହାତ ଠାରି ଡାକେ କେହି
ପ୍ରତାରଣା କର ପ୍ରତ୍ୟାଖ୍ୟାନ ପୁଣି
ପାରୁନି ଯେ ଆଉ ସହି।।
ମୁଁ ପରା କାହାର ଦର୍ଶନାଭିଳାଷୀ
ଦର୍ଶନ ଇଛା କରିଛି
ମନରେ ତୁମର ପ୍ରୀତି ପରଶଟି
ସାଇତି ମୁଁ ରଖି ଅଛି।।
କାହିଁକି ଏମିତି ନିଷ୍କରୁଣ ହେଲ
ଜୀବନ ଯେ କଲବଲ
ହତାଶେ ସଢୁଛି ଜୀବନ ଖୋଜୁଛି
ଜୀବନ ନିଶେଷି ଦେଲ।।
ଅଜବ ହେଲାଣି ଦୁନିଆଟା ପରା
ମଣିଷ ପଣିଆ ନାହିଁ
ଯେଣିକି ଚାହିଁବ ତେଣିକି ଖରା
ଅନ୍ଧାରିଆ ଲାଗେ କାହିଁ।।
50.ହେ!
ଦେଖିଛି ମଣିଷ ଦେଖିଛି ଦୁନିଆ
ହେଲେ ଦେଖି ନାହିଁ ଏତେ
ତୁମ ପରି ଗୋଟେ ନିଆରା ମଣିଷ
କେମିତି ମିଳିବ ମୋତେ।। 1
ତୁମକୁ ପାଇ ମୁଁ ଖୁସି ନୁହେଁ ଯେତେ
ସୁଖ ପାଇ ଅଛି ସେତେ
ମୋ ପରି ମଣିଷ ତୁମକୁ ନମିଳୁ
ତୁମେ କିନ୍ତୁ ମିଳ ମୋତେ।। 2
ନ ଝୁର ପଛକେ ଝୁରି ଲାଭ ନାହିଁ
ମୁଁ କିନ୍ତୁ ଝୁରୁଛି ନିତି
ତୁମ ବାଟ ଚାହିଁ ରହିଛି ଅନାଇ
କେବେ ଆସିବ ଯେ କତି?