Satya Prakash
Uncategorised

ରିତୁପର୍ଣ୍ଣା

ରିତୁପର୍ଣ୍ଣା
—by Satya Prakash Sethy
ରିତୁପର୍ଣ୍ଣା ଭାରି ସରଳ, ଅମାୟିକ ଝିଅଟା ।ମନରେ ଅସୁମାରି ସ୍ଵପ୍ନ ।ସିଏ ବି ସମାଜରେ ଅନ୍ୟମାନଙ୍କ ପରି ଜଣେ ହୋଇ ଠିଆ ହେବ।
ନିପଟ ମଫସଲରେ ତା ଗାଁ। ଗାଁ ଚାଟଶାଳୀରେ ସେ ପାଠପଢ଼େ। ଭାଇ ପାଠ ପଢୁଛି ଦେଖି ସିଏ ବି ପାଠଗୁଡ଼ାକ ପଢିପକାଏ।ଭାଇ ଅବଧାନ ପାଖରୁ ଢିଙ୍କି ଶାଳ ରେ ପାଠ ପଢ଼େ। ରିତୁ ଏକଲବ୍ଯ ଭଳି ଦୂରୁ ଥାଇ ସବୁ ଶୁଣି ସବୁ ମନେ ରଖିଦିଏ। ଅବଧାନ ଯାଇ ସାରିଲା ପରେ ଘର ସାରା ବୁଲିବୁଲି ଚିଲେଇ ସବୁ କହେ। ଭାରି ବୁଦ୍ଧିମତୀ, ତା ଦିମାଗ ତେଜ୍ ଚାଲେ।
ଗାଁ ତାର ଫତେହପୁର, ଗୋପାଳପୁରଠାରୁ ମାତ୍ର ଅଳ୍ପ ଦୂରବର୍ତ୍ତୀ। ସେଇଠି ତାର ଜୀବନର ଓଁ କାର, ଜନ୍ମର ପ୍ରଥମ ନାଦ, ଶୈଶବର ଲିଳାଖେଳା, ବାଲ୍ଯ ଚପଳାମି ପୁଣି ଯୌବନର ଉଚ୍ଚାଙ୍ଗ ସାହିତ୍ୟ ।ଶିକ୍ଷା, ସଭ୍ୟତା ଓ ଜୀବନର କ୍ରମ ବିକାଶ – ସବୁକିଛି। ସବୁ ସେହି ଗ୍ରାମ୍ୟ ଜୀବନର ମୂକସାକ୍ଷୀ, ଭାଇ ଭଉଣୀର କହ କାହାଣୀ।

ବେଶ୍ ହସ ଖୁସିରେ ତାର ଜୀବନ ବିତୁଥିଲା। ପୁଅ ପରେ ଘରକୁ ଝିଅଟିଏ ଆସିଥିବାରୁ ସମସ୍ତଙ୍କର ଗୋଟେ ଖୁସି। ମନେମନେ ଭାବୁଥାନ୍ତି -” ଯାହାହେଉ ଘରକୁ ଲକ୍ଷ୍ମୀଟିଏ ଆସିଛି”। ଏଥର ବଡ଼ ଜେନାଙ୍କ ପରିବାର ଭିତରେ ଆନନ୍ଦ ନ କହିଲେ ନ ସରେ।
ଛୁଆ ଦୁଇଟି କ୍ରମଶଃ ବଢିବାକୁ ଲାଗିଲେ। ହସିଖେଳି ଘର କମ୍ପାଇଲେ। ନୁଥୁନ ନୁଥୁନ ଚାଲିରେ ଯେତେବେଳେ ଘର ଅଗଣାଯାକ ସେମାନେ ଦରାଣ୍ଡି ଘୂରିଆସନ୍ତି ଭାରି କୌତୁହଳ ସ୍ରୁଷ୍ଟିହୁଏ । ସେମାନଙ୍କ ସ୍ମିତହାସ ଓ ମୁଖ ମଣ୍ଡଳରେ ଅସ୍ପଷ୍ଟ କାକଳି – ସବୁକିଛି ନିଆରା ଅଭିବ୍ୟକ୍ତି, ବାପାମାଆଙ୍କ ପାଇଁ ଆନନ୍ଦ ବିଧାୟକ ବସ୍ତୁ। ଝିଅ ଜନମକୁ କେହି ଆଶୀର୍ବାଦ ମଣୁଥିବା ବେଳେ ଆଉ କେହି ତ ଅଭିଶାପ। କିନ୍ତୁ ବଡ଼ ଜେନା ବାବୁ ପୁଅ ହେଉ କି ଝିଅ ଉଭୟକୁ ବରାବରି ବୋଲି ବିବେଚନା କରୁଥିଲେ। ତାଙ୍କର କେବଳ ଗୋଟିଏ ସ୍ଵପ୍ନ ସେ ତ ନିଜେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ, କିନ୍ତୁ ପୁଅ ଝିଅ ଦୁଇ ଜଣଙ୍କୁ ସେ ମଣିଷ ପରି ମଣିଷ କରି ଗଢ଼ିତୋଳିବେ। ଉଚ୍ଚଶିକ୍ଷା ଦେଇ ନିଜ ଅଧୁରା ସ୍ଵପ୍ନକୁ ପୂରା କରିବେ। ପୁଅଟା ପାଇଁ ତାଙ୍କୁ ଅଧିକ କଷ୍ଟ ସହିବାକୁ ପଡିଛି। ଖେଚରାଟା। ଆଦୌ ପାଠସାଠରେ ମନ ଦେବନି । ତେଣୁ ମାଡଗାଳି ଢେର୍। ମାତ୍ର ଝିଅ ରିତୁକୁ କିଛି କହିବାକୁ ପଡ଼େ ନାହିଁ। ତାକୁ ଖାଲି ବାଦ ଦରକାର। ଭାଇ ଏମିତି କରୁଛି, ସେମିତି ପଢୁଛି। ବାସ୍ ଏତିକି କହିଦେଲେ ସେ ଜିଦ୍ କରି ସବୁ କରିଦେବ। ଭାରି ଜିଦିଆଣି। ଭାଇ ସହ ବାଦ ଲଗାଇ ପାଠପଢ଼େ। ତାକୁ ମାଡଗାଳି ଦରକାର ନାହିଁ କି ଚକଲେଟର ସାବାସି। କେବଳ ଭାଇ ସହ ଟକ୍କର। ତେଣୁ ଯେମିତି ହେଲେ ଭାଇଠାରୁ ଅଧିକ୍ ମାର୍କ ଦରକାର। ଭାଇ ସହ ସେ ଝଟ ଲଗାଏ। ଯେତକ କଳିଝଗଡ଼ା ସବୁ ଭାଇ ସହ କରେ। ପୁଣି ଅଭିମାନ କରି ନାକ ଫୁଲାଏ, ମୁହଁ ହାଣ୍ଡି କରେ। ତେବେ ଯାହା ବି ହେଉ ଭାଇ ସହ ନ ଲାଗିଲେ ତା ଭାତ ହଜମ ହୁଏନାହିଁ। ତେଣୁ ଭାଇ ତାର ବେଷ୍ଟ ଫ୍ରେଣ୍ଡ୍ , ପୁଣି ଚିଡି ଗଲେ ବଡ଼ ଶତୃ। ଭାଇ ହିଁ ଏ ଦୁନିଆରେ ତାର ବଡ଼ ଆଦର୍ଶ। ଭାଇ କଣ କଲା ନ କଲା ସବୁ ହିସାବ ତା ପାଖରେ। ଦରକାର ପଡ଼ିଲେ ଭାଇ ନାଁରେ ନାଲିସ କରି ବାପାଙ୍କ ଠାରୁ ଭଲ ଗାଳି ଖୁଆଏ, ଭାଇ ବି ବଦଲା ନେବା ପାଇଁ ସୁବିଧା ଦେଖି ତା କାନ ରଗଡ଼େ। ରିତୁ ଶକଶକ ହୋଇ ମୁହଁ ହାଣ୍ଡି କରେ। ଭାଇ କିରିକିରି ହୋଇ ହସେ ।”ଠିକ୍ ଠିକା ପୋଇ ନାଡି ଖଣ୍ଡେ ଚୋବାଇ ପକା” କହି ଚିଡ଼ାଏ। ରିତୁ ଖତେଇ ହୋଇ ଘର ସାରା ଗୋଡ଼ାଏ। ପୁଣି ଦୁହେଁ କୁଣ୍ଢାକୁଣ୍ଢି ହୋଇ ରାଗରୁସା ଭୁଲନ୍ତି, ଆଗକୁ ବଢ଼ନ୍ତି।ଜୀବନଟା ବଡ଼ ଗତିଶୀଳ, ତେଣୁ ଏଇମିତି ଏଇମିତି ଖାଲି ଆଗକୁ ଧାଁଆନ୍ତି।

ଭାଇ ଢିଙ୍କିଶାଳରେ ମଦନା ମାଷ୍ଟର ପାଖରେ ଟ୍ୟୁସନ୍ ହୁଏ। ଦୂରରୁ ରିତୁ ପାଠଗୁଡାକୁ ଢୋକି ପକାଏ। ବାପା ଯେତେବେଳେ ରାତିରେ ରାକେଶଠାରୁ ପାଠ ଆଦାୟ କରିବା ପାଇଁ ପାଠ ନିଅନ୍ତି। ରାକେଶ ଥଙ୍ଗଥଙ୍ଗ ହୋଇ କହୁଥିଲା ବେଳେ ରିତୁ କିନ୍ତୁ ଏକା ନିଶ୍ବାସକେ ସବୁ ଓଗାଳି ପକାଏ। ବାପା ମୁଣ୍ଡ ଆଉଁସି ଦିଅନ୍ତି, କହନ୍ତି – “ଆମ ରିତୁଟା କଣ୍ଠରେ ସରସ୍ଵତୀ ବାସ କରୁଛନ୍ତି, ଇଶ୍ୱର କରନ୍ତୁ ସେ ମୋ ନାଁକୁ ରୋଶନ କରୁ”। ଭାଇ ରୁଷ୍ଟ ହୁଏ, କହେ – ସିଙ୍ଘାଣି ନାକୀ ଭାରି ସିଆଣି, ପାଠ ଚୋରଣୀ ଉଙ୍କୁଣୀ ମୁଣ୍ଡି “। ରିତୁ ଦାନ୍ତ ଝିଞ୍ଜାରି କାମୁଡ଼ି ଗୋଡ଼ାଏ। ବାପା କଳି ଭାଙ୍ଗନ୍ତି, ଆଣି କୋଳରେ ବସାନ୍ତି। ରାତିରେ ଖାଇପିଇ ପିଲାଏ ମାଆଙ୍କଠାରୁ ଗପଶୁଣି ନିଘୋଡ ନିଦରେ ଶୋଇ ଯାଆନ୍ତି। ବାପା ଦୀର୍ଘଶ୍ଵାସ ପକାଇ ଈଶ୍ୱରଙ୍କୁ ଆତ୍ମ ନିବେଦନ କରନ୍ତି -” ହେ ଈଶ୍ଵର! କୃପା କରି ମୋ ପିଲା ଦୁଇଟାକୁ ପାଠ ଗଣ୍ଡାକ ଦିଅ, ମୁଁ ବରଂ ଖଟି ଖଟି ନୟାନ୍ତ ହୁଏ”। ରାତି ପାହିଯାଏ ପୁଣି ସ୍ୱାଭାବିକ ଜୀବନଚର୍ଯ୍ୟା ଚାଲେ।
ବାଲ୍ୟଖେଳ ଘଷ, ଧୂଳିଘର ଓ ପ୍ରାଥମିକ ତଥା ମଧ୍ଯ ଇଂରାଜୀ ବିଦ୍ୟାଳୟର ଶିକ୍ଷା ସମାପନ ପରେ ଆରମ୍ଭହେଲା ଉଚ୍ଚବିଦ୍ୟାଳୟରେ ଉଚ୍ଚଶିକ୍ଷା ଆହରଣ। ଯାହାର ଅବସ୍ଥିତି ଘର ପାଖରୁ ତିନି କିଲୋମିଟର ହେବ ।ଆଗରୁ ଭାଇ ରାକେଶ ସେଇଠି ପଢାପଢି କରି ଦୁଇ କ୍ଲାସ୍ ଉପରେ ଥାଏ । ତେଣୁ ବିଶେଷ କିଛି ଅସୁବିଧା ହେଲା ନାହିଁ, ଭାଇଭଉଣୀ ସାଙ୍ଗ ହୋଇ ସ୍କୁଲ ଯିବାଆସିବା କଲେ।
କୋଉ ଛୁଆ କେତେବେଳେ ଆଖିଟେକି ରିତୁକୁ ଟିକିଏ ଚାହିଁଦେଲେ କି ଥଟ୍ଟାମଜ୍ଜା କରିଦେଲେ ଭାଇ ଆଦୌ ସହିପାରେ ନାହିଁ ରାଗିକି ଖଣ୍ଡ ପ୍ରଳୟ କରେ। ଶେଷରେ କହିଲା – ବରଂ ସେ ପାଠ ନ ପଢୁ, କିନ୍ତୁ ଘରୁ ଗୋଡ଼ କାଢି ପଦାକୁ ନ ଯାଉ, ମୁଁ ଆଉ ଏତେ ନଜର ରଖି ପାରିବି ନାହିଁ “। ବାପା ବୁଝାନ୍ତି- ଏମିତି ଛୋଟ ଛୋଟ କଥାରେ ରାଗିବା ଠିକ୍ ନୂହେଁ। ସହଜେ ତ ଝିଅ ଛୁଆ, ସମାଜର କୁଦୃଷ୍ଟି ରହିବା ସ୍ୱାଭାବିକ।ତା ବୋଲି ଗୋଟାପୁଣି ସମାଜଟାକୁ ଆମେ ତ ଆଉ ବଦଳାଇଦେଇ ପାରିବା ନାହିଁ। ତେବେ ସର୍ବଦା ଜଗିରଖି ଚଳିବା ଉଚିତ୍, ଭଉଣୀର ଭଲମନ୍ଦ ଦାୟିତ୍ଵ ନିଶ୍ଚୟ ଭାଇର। ତେଣୁ ତୁ ଦୁଷ୍ଟି ଦେଉଥିବୁ। ଆଉ ରହିଲା ପାଠପଢା କଥା। ତାହା ତ କେବେ ରୋକିହେବ ନାହିଁ। କାରଣ ତୁମ ଦୁଇ ଜଣଙ୍କର ପାଠ, ମୋର ତ ସ୍ଵପ୍ନ “।

ଭାଇ ଥିଲା ବେଳେ ରିତୁର ଅନେକ ସୁବିଧା ହେଉଥିଲା। ଯିବା ଆସିବାଠାରୁ ଆରମ୍ଭକରି ଭଲରେ ମନ୍ଦରେ ସବୁଥିରେ ଭାଇ ସାଥ୍ ଦେଉଥିଲା। ଏପରିକି ଖେଳଛୁଟିରେ ଚେନାଚୁର,ବିସ୍କୁଟ, ଚକଲେଟ ଆଦି ସବୁ ଆଣି ଦେଉଥିଲା। “ମୋ ସୁନାନାକୀ ଭଉଣୀ! ଆଉ କଣ ଖାଇବୁ” ବୋଲି ପଚାରୁଥିଲା। ଭାଇ କିନ୍ତୁ ସ୍କୁଲଛାଡ଼ି ଯେଉଁଦିନରୁ କଲେଜ ଗଲାଣି ପାଠପଢାରେ ରିତୁ ଏକଲା ପଡ଼ିଗଲାଣି। ଘରେ ବି ଏକଲା ସ୍କୁଲରେ ବି ଏକଲା। ତେଣୁ ମନ ବୁଝୁନାହିଁ ।ଭାଇ ପାଖରେ ଥିଲାବେଳେ କଳିଝଗଡ଼ା ହେଉପଛେ କିନ୍ତୁ ମଣିଷ ଶାନ୍ତିରେ ଥିଲା, କାରଣ ରିତୁର ଦାୟିତ୍ଵ ବୋଲି କିଛି ନ ଥିଲା।ସବୁ ଦାୟିତ୍ଵ ସେ ଏକଶିଙ୍ଗା (ରାକେଶ)ର। ଏବେ କିନ୍ତୁ ସବୁକଥା ରିତୁକୁ ଏକଲା କରିବାକୁ ପଡୁଛି। ସେ ତେଣିକି ସ୍କୁଲ ଯିବା ଆସିବା ହେଉ କି ଭଲମନ୍ଦ ଦାୟିତ୍ଵ ସମ୍ଭାଳିବା କଥା ହେଉ। ତେଣୁ ଭାଇ ଘରେ ନ ଥିବାରୁ ରିତୁର ମନ ଖଟକା ଧରିଲାଣି। ସେ ନିଜ ଉପରେ ନିଜେ ରାଗି ବୋଉ ସାଙ୍ଗରେ ଅଝଟ ଲଗାଉଛି। ବୋଉ ଚିଡିକି କହିଲାଣି-” ତୁ ଏତେ ଭାଇ ସୁଆଙ୍ଗ ଦେଖା ନାହିଁ, ନ ହେଲେ ଶ୍ୱଶୁର ଘରକୁ ଗଲେ ଖାଲି ନାକରେ କାନ୍ଦିବୁ। ହେଲେ କେହି ତୋତେ ତୋ ଭାଇ ପାଖକୁ ସବୁବେଳେ ଆସିବାକୁ ଦେବେ ନାହିଁ”। ରିତୁ ଗୋଡ଼ କଚାଡେ, କହେ – “ମୁଁ ବାହା ହେଲେ ସିନା ଶ୍ୱଶୁର ଘରକୁ ଯିବି, ମୁଁ ତ ମୋ ଭାଇ ପାଖରେ ସବୁଦିନେ ରହିବି” । ବୋଉ କହେ – ହଉ ଲୋ ମାଆ! ତୋର ଏ ରଙ୍ଗ ସବୁଦିନେ ରହିଲେ ହେଲା”। ହସର ଜୁଆର ଭାଙ୍ଗେ, ସମସ୍ତେ କୁରୁଳି ଉଠନ୍ତି।
ଅବଶ୍ଯ ଭାଇ ଯେତେବେଳେ ଘରକୁ ଆସେ ରିତୁକୁ ବୁଲେଇ ନିଏ,ମେଳାରୁ ଭଲମନ୍ଦ ଜିନିଷ ସବୁ କିଣିକି ଖୁଆଏ, ସହରରୁ ବି ନୂଆ ଲୁଗା ଆଣି ପିନ୍ଧିବାକୁ ଦିଏ।ଆଗ ଅପେକ୍ଷା ଏଣିକି ଅଧିକ ଭଲ ପାଏ। କଳିଝଗଡା ଓ ଆଉ ଚିଡ଼ାଚିଡି ଉକ୍ତି ସ୍ନେହ ମମତା ଓ ଆଦେଶରେ ରୂପାନ୍ତରିତ ହୋଇଯାଏ। ରିତୁ ର ବି ଭାଇ ପ୍ରତି ଅନୁରାଗ ଓ ଭଲ ପାଇବା ଭକ୍ତିଭାବରେ ପରିଣତ ହୋଇଯାଇ ଥାଏ। ସମୟର ଖେଳ ସବୁ ବଦଳାଇ ରଖିଦିଏ। ମାଆ ବି ଆଗ ଭଳି ଆଉ ବେଶି ଆଟକ କରେ ନାହିଁ କି ଏହି ଭାଇ ଭଉଣୀଙ୍କ କଥାରେ ମୁଣ୍ଡ ପୁରାଏ ନାହିଁ। ଏମାନଙ୍କର କେତେବେଳେ କେଉଁ ରୂପ ତା ସ୍ଵଂ ଦେବଙ୍କୁ ଅଗୋଚର।
ମାତ୍ର ଦୁଇଟା ବର୍ଷପରେ ରିତୁ ବି ଭାଇର ପଦାଙ୍କ ଅନୁସରଣ କରି କଲେଜ ଗଲା। ତାର ପ୍ଲସ୍ ଟୁ ବେଳକୁ ଭାଇର ପ୍ଲସ୍ ଥ୍ରୀ। ସେଠି ବି ଭାଇର ହେପାଜତରେ ତାର ସବୁ ଚାଲିଲା।
କଳେଜ କାଳ, ଯୁବା ବୟସ। ଏତେବେଳେ ସମସ୍ୟା ଦୁଇ ଗୁଣିତ। ସମ୍ବରଣ ରକ୍ଷାକରି ନ ପାରିଲେ ସବୁ ଅସାର, ସବୁ ବେକାର ସାବ୍ୟସ୍ତ ହୁଏ । ଏଠି ଅନେକଙ୍କର ମନ ଚହଲିଯାଏ, ପାଠରୁ ଧ୍ୟାନ ବାଣ୍ଟି ହୋଇଯାଏ। ଭାବିଲା ବେଳକୁ ବାପାମାଆଙ୍କର ସ୍ଵପ୍ନ ସବୁ ଦୁଃସ୍ଵପ୍ନରେ ପରିଣତ ହୋଇଯାଏ। ନେଡି ଗୋଡ଼ କହୁଣିକୁ ବୋହିଗଲା ପରେ ଆଉ ଭାବିଲେ କଣ ଥାଏ। ଆମ ଗଳ୍ପ ନାୟିକା ରିତୁଟା କିନ୍ତୁ ଭାରି ପାଠୋଇ। ତାର ପାଠ ଭଲ ତ ସେ ଭଲ। ଆଉ ସବୁକଥା ଗୌଣ, ଲଘୁହାସ ସ୍ରୁଷ୍ଟି କରିବା ପାଇଁ ଯାହା ଯେତିକି ଓ ଯେମିତି । ସାଙ୍ଗମାନଙ୍କ ସହ ଚବର ଚବର ହୋଇ ସେ ଅଯଥା ବେଶୀ ସମୟ ଅତିବାହିତ କରେ ନାହିଁ।
କ୍ଲାସ୍ ରୁମ୍ ଭିତରେ ଯାହା କିଛି ଘଟଣା ଅଘଟଣା ଘଟିଯାଏ ତାହା ସେ ଏକଲା ସାମ୍ନା କରିଯାଏ। କେହି କିଛି ନଖରାମୀ କଲେ ସେ ଡିମାଡିମା ଆଖିରେ ଚାହେଁ, ଭଡାଭଡ ମୁହଁରେ ଦି’ପଦ ହାଣିଦିଏ, କହେ – “ଏଠିକି ପାଠ ପଢିବାକୁ ଆସିଛ ନା କଣ କରିବାକୁ ଆସିଛ, ଛତରା ଟୋକାଙ୍କର କିଛି କାମ ନାହିଁ ଖାଲି ଝିଅଙ୍କ ପଛରେ ନସରପସର, ଆଗ ପାଠ ପଢା ତା ପରେ ରମ୍ଭା ଉର୍ବଶୀ ଛାଏଁକୁ ମିଳିବେ “। ତା ପାଠୁଆପଣ ପାଇଁ ବି ସାଙ୍ଗସାଥିମାନେ ସାହସ କରି କିଛି କହନ୍ତି ନାହିଁ।ତା ମୁହଁରେ କିଏ ଜବାବ ଦେବ ଲୋ ମାଆ, ସେ ବଡ଼ ହୁରୁଡି ।
କିନ୍ତୁ କଲେଜରୁ ଲେଡିଜ ହଷ୍ଟେଲ୍ ପହଁଞ୍ଚିବା ଯାଏ ଅନେକ ସମସ୍ୟା। କିଏ ପିଛା କଲାଣି ତ କିଏ ଅଶ୍ଳୀଳ ଇଙ୍ଗିତ। ଏହି ରିତୁଟା ବି ଭାରି ସୁନ୍ଦରୀ। ସେ କଳା ହେଲେ କଣ ହେବ, ଲୋକେ ପରା କୁହନ୍ତି -” ବ୍ଲାକ୍ ବିୟୁଟି”। ଆଉ କେହି କେହି ତ” ଶ୍ୟାମଳୀ ଗୌରୀ” ବୋଲି କହନ୍ତି। ତା ଶରୀର ଗଠନ ମଧ୍ୟ ବେଶ୍ ବଳିଷ୍ଠ ଓ ରୂପକାନ୍ତି ଅପରୂପ ଲାବଣ୍ୟରେ ଭରା ।ନ ଦେଖୁଥିଲା ଲୋକ ଦଣ୍ଡେ ଚାହିଁ ରହିବ। ରାସ୍ତାରେ ଚାଲି କି ଯାଉଥିଲା ବେଳେ ସେ ଅନେକ ପ୍ରକାର sledging ର ଶିକାର ହୁଏ। କିଏ ରାସ୍ତାରୁ ଉଠାଇ ଗୋଡିଟିଏ ଫିଙ୍ଗିଲାଣି ତ ପୁଣି କିଏ ବାରବାର ପଶ୍ଚାତ୍ ଅନୁଧାବନ କରି ନାନା ଇଙ୍ଗିତ ଓ ଲଘୁ ମନ୍ତବ୍ୟ ଦେଲାଣି। ଏଗୁଡାକ ସବୁ ରିତୁକୁ କିନ୍ତୁ ଭଲଲାଗେ ନାହିଁ। ହେଲେ ପାଠ ପଢ଼ାରେ ବ୍ୟାଘତ ଘଟିବ ବୋଲି ଏଇ ଛୋଟଛୋଟ କଥାକୁ ସେ ଭାଇକୁ କହିବାକୁ ଚାହେଁ ନାହିଁ। କାରଣ ସେ ଜାଣେ ତା ଭାଇ ଭାରି ଟିଙ୍ଗା। ଏ କଥା ଶୁଣିଲେ ସେ ନିଶ୍ଚୟ ଧୂଲାଇ କରିବ ତେଣିକି ପରିସ୍ଥିତି ଯାହା ହେଉନା କାହିଁକି ।

ଦିନକର କଥା। ଦିନେ ଶ୍ୟାମଳେନ୍ଦୁ ବୋଲି ଗୋଟେ ଉପର କ୍ଲାସ୍ ର ପିଲା ଯିଏ ରିତୁର ଯିବା ଆସିବା ବାଟକୁ ଅହରହ ଅନିସା କରି ରହିଥାଏ। ତା ପଛରେ ଏକ ରକମର ପଡ଼ି ଯାଇଥାଏ। ଯେନେତେନେ ତାକୁ ପଟେଇ ଫସାଇବାକୁ ଚାହୁଁଥାଏ। ବାଟ ଜଗି ବସିଥିଲା। ହଠାତ୍ ଯାଇ ବାଟ ଓଗାଳିଲା। ତାକୁ ଛାଟି ଦେଇ ରିତୁ ଚାଲି ଯାଉଥିବା ବେଳେ ଓର୍ନିଟାକୁ ଟାଣି ନେଇ ଉଡାଇ ଦେଲା। ରିତୁ କିଛି କହି ପାରିଲା ନାହିଁ, ହେଲେ ଗଭୀର ମାନସିକ ଯନ୍ତ୍ରଣାରେ ସେ ଛଟପଟ ହେବାକୁ ଲାଗିଲା। ସରମରେ ସରମରେ ବେଦନା ସହିଲା। ହେଲେ ଆଉ କଲେଜ ଗଲା ନାହିଁ। ସେଇ ହଷ୍ଟେଲର ଜଣେ ଭାଇର କ୍ଲାସମେଟ ମାନି ଅପା ରିତୁ ପାଖରୁ ଏ ଖବର ପାଇ ରାକେଶକୁ କହିଲା। ରାକେଶ ସାଙ୍ଗ ତାକୁ ଖୋଜି ଖୋଜି ବହେ ପିଟିଲେ। କହିଲେ – “ସିନିୟରଙ୍କ ଭଉଣୀକୁ ତୁ ଲାଇନ୍ ମାରିବୁ, ଏ କଲେଜରୁ ସିଧା ତୋତେ rusticated କରି ଦିଆଯିବ। ତୋ ଲାଇଫ୍ ଚିରଦିନ ପାଇଁ ବରବାଦ୍ କରି ଦିଆଦେବ”। ସେ ଗୋଡ଼ ହାତ ତଳେ ପଡ଼ି ଜୀବନ ବଞ୍ଚେଇ ସେଠୁ ଗଲା। ସେଇଦିନଠାରୁ ସିନିୟର୍ ଙ୍କ ଭଉଣୀ ବୋଲି ସବୁ ଜାଣିଗଲେ। ରିତୁର ଆଉ କିଛି ଅସୁବିଧା ହୋଇନାହିଁ।
ପାଠପଢା ଜୀବନ କେଉଁ ବାଟେ କେତେବେଳେ ସରିଗଲା ଜାଣିହେଲା ନାହିଁ। ଅନେକ ଉତ୍ଥାନ ପତ୍ତନ, ଘଟନା ଅଘଟନା ଜୀବନ କାଳେ ଘଟିବା କଥା – ତାହା ମଧ୍ଯ ରିତୁ ଜୀବନରେ ଘଟିଥିଲା। ଏହା ତେଣୁ ଆଉ କେଉଁ ନୂଆ କଥା କି? ତେବେ ପାଠପଢା ପରେ ଆରମ୍ଭ ହେଲା ଚାକିରି ପାଇଁ କସରତ।ବାସ୍ତବ ଜୀବନ ସଂଗ୍ରାମ। ଭାଇ ଆଗ ଚାକିରି ପାଇଗଲା ସେ ଏବେ ଓ. ଏ. ଏସ୍. ଅଫିସର।ବାପା ମାଆଙ୍କ ମନ ଖୁସି। ଅଭାବୀ ସଂସାରରେ ଟିକିଏ ଖୁସିର ଲହରୀ ଖେଳିଲା। ତଥାପି ବାପାଙ୍କ ମନରେ ଏତେଟା ସରାଗ ନାହିଁ। କାରଣ ଝିଅକୁ ନେଇ ସେ ଦେଖିଥିବା ସ୍ଵପ୍ନ ଏ ଯାଏଁ ସତ ହୋଇ ନାହିଁ ଯେ! ସେ ମନ ମାରି ବସିଥାନ୍ତି। ହଠାତ୍ ଖବର ପାଇଲେ ଏସ୍. ପି. ରିତୁପର୍ଣା ଆସୁଛନ୍ତି ।ଧାରଧାର ହୋଇ ଦୁଇ ଆଖିରୁ ଲୁହ ନିଗିଡି ପଡ଼ିଲା। ଭାଇ ଭଉଣୀ ଦୁହେଁ ପରସ୍ପରକୁ କୋଳାଗ୍ରତ କରି କେଯାଏଁ କାନ୍ଦି ଉଠିଲେ କଇଁ କଇଁ ହୋଇ। ସତେ ଯେମିତି ସେମାନେ ପୁଣି ଫେରି ଯାଉଥାନ୍ତି ପିଛିଲା ଦିନକୁ, ଯେଉଁଦିନ ସେମାନେ ଅବୁଝା ମନରେ ଛୋଟିଆ କଥାକୁ ନେଇ କାନ୍ଦି ଉଠୁଥିଲେ ଭେଁ ଭାଁ ହୋଇ। ଏଇ ତ ଅଶ୍ରୁ ଯାହା ଦୁଃଖ ଦିଏ ଆନନ୍ଦ ବି ବାଣ୍ଟେ।
ବାପା ନିଜ ବସିଲା ସ୍ଥାନରୁ ଉଠି ଛିଡ଼ାହେଲେ। ଦୁଇ ଜଣଙ୍କ ପିଠି ଥାପୁଡେଇ ଦେଇ କେବଳ ଏତିକି କହିଲେ – “ଭାଇ ଭଉଣୀ କହ କାହାଣୀ, ଭାରତବାସୀ ବଡ଼ ସାହସୀ”।

Related posts

ଶୂନ୍ଶାନ୍ ରାତି book

satya

ଫଟୋଗ୍ରାଫି ଦିବସ

satya

ଦୟାଳୁ ରୋଷେୟା

satya

Leave a Comment

Login

X

Register