କେଡ଼େ ମନ ଖୁସି କୁଳୁକୁଳୁ ହୋଇ
ରେବ ନଦୀ ବହି ଯାଏ
ସତେ ତା’ର ଜଳ କାଚ ବେଣୀଟାଏ
ଅସ୍ତ ବ୍ୟସ୍ତ ହୋଇ ଧାଏଁ।। 1
ଭୂଜଙ୍ଗୀ ପରାଏ ପର୍ବତ ଶିଖରୁ
ହସି ହସି ଗଡ଼ି ଆସେ
ମନ ତଳେ କେତେ ଭବିଷ୍ୟତ ଆଶା
ସ୍ବପ୍ନିଳ ବଉଦ ଭାସେ।। 2
କେତେବେଳ ପୁଣି ସମୁଦ୍ର ବକ୍ଷରେ
ନାଚି ନାଚି ଯିବ ଭ୍ରମି
ଡେଇଁ ଡେଇଁ ପୁଣି ସ୍ପର୍ଶ କରିବ ଯେ
ସମୁଦ୍ରର ବେଳାଭୂମି।। 4
ଅନୁଭବ ପରା କରିବ ଅନନ୍ତ
ପ୍ରକୃତିର ଶୋଭା ରାଜି
ଜନ୍ମି ଥିଲା ଦିନେ କୋଳରେ ଯାହାର
ସତୃପ୍ତେ ହୋଇବ ମଜ୍ଜି।। 5
ସେଥି ଲାଗି ହୋଇ ବିଶ୍ରାମ ରହିତା
ଆଗକୁ ଚାଲିଛି ଛୁଟି
ପଥରେ କେଉଁଠି ପଥରଟାଏ କି
ପଟାଳ ମାଟିରେ ଝୁଣ୍ଟି।। 6
କେତେବେଳେ ପୁଣି ଏହି ରେବ ନଦୀ
ଶୂନ୍ୟଗର୍ଭା ପରା ହୁଏ
ସମୟର ବାହୁ ଛାୟା ତଳେ ରହି
ହସି ହସି ଶୁଖି ଯାଏ।। 7
ଆଉ ବେଳେ ପୁଣି ପୂର୍ଣ୍ଣଗର୍ଭା ହୋଇ
ନାଚି ନାଚି ଲୋଟି ଯାଏ
କାନ୍ଦି କାନ୍ଦି କୂଳ ଉଲ୍ଲଂଘନ କରେ
ଭିତ୍ତି ସଞ୍ଚାରିତ ହୁଏ।। 8
ବେଳେବେଳେ ମନେ ଜମି ଆସେ ଦୁଃଖ
ପଡ଼ି ଉଠି ଧାଏଁ ଖାଲି
ପାରୁନି ଆୟତ୍ତ ସମୟ ଯେକରି
କେଉଁ ବାଟେ ଯାଏ ଚାଲି।। 0