ଉତ୍ସର୍ଗ
ବାପା ପୁରୁଷୋତ୍ତମ ସ୍ୱାଧୀନତା ପୂର୍ବର ଜଣେ ଭଲ ମଣିଷ। “ଆଦର୍ଶ ଗୋ ଚିକିତ୍ସା” ଓ ଆର୍. ଇ. ତଥା ଅମିନଙ୍କ ପାଇଁ ସର୍ଭେ ଟ୍ରେନିଂ ପାଠ୍ଯ ପୁସ୍ତକ ତଥା “ଆଦର୍ଶ ଗୋ ମାନବ ଚିକିତ୍ସା” ତାଙ୍କର କେତୋଟି ସାରସ୍ଵତ କୃତି। ଶେଷ ପୁସ୍ତକଟି ରାଜା ରାମ ମୋହନ ରାୟ ଟ୍ରଷ୍ଟ ଦ୍ଵାରା ସରକାରଙ୍କ ଜରିଆରେ ବିଭିନ୍ନ ଅନୁଷ୍ଠାନକୁ ଯୋଗାଇ ଦିଆଯାଇଅଛି। ପିଲାଟି ଦିନରୁ ନ୍ୟାୟ ପାଇଁ ଜମିଦାର ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଲଢ଼ିବା ତାଙ୍କର ଅଭ୍ୟାସ। ମହାତ୍ମା ଗାନ୍ଧିଜୀଙ୍କ ସ୍ଵାଧୀନତା ସଂଗ୍ରାମ ଓ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସମ୍ପୃକ୍ତ ଓ ବିଶେଷ ଭାବେ ପ୍ରାଭାବିତ। ସେ ଅନୁଭବ ଓ ଅନୁଭୂତିରେ ଏକ ପରିପୃଷ୍ଠ ବ୍ୟକ୍ତିତ୍ୱ। ଯିଏକି ଜୀବନସାରା ବେଶ୍ କ୍ରିୟାଶୀଳ ଓ କାର୍ଯ୍ୟକ୍ଷମ ରହି ଆସିଛନ୍ତି। ବିଶ୍ରାମ କ’ଣ ଜାଣନ୍ତି ନାହିଁ। ଅହରହ କାମ। କାମ କରିବାର ନିଶା ତାଙ୍କୁ ବେଶ୍ ଉଲ୍ଲାସିତ କରିଥାଏ। ଅହରହ ଅବିଶ୍ରାନ୍ତ ରହି ସେ ବେଶ୍ କିଛି ସାମାଜିକ ଉନ୍ନୟନମୂଳକ ଜନ ମଙ୍ଗଳକାରୀ ଓ ଜନ ହିତକାରୀ କାର୍ଯୟକ୍ରମ ମାନଙ୍କରେ ମଜି ରହି ଭୋକ ଶୋଷ ପର୍ଯ୍ଯନ୍ତ ସବୁ ଭୁଲି ଯାଇଥାନ୍ତି। ସେହି ସେତିକିରେ ତାଙ୍କର ଆନନ୍ଦ ଓ ସୁଖ ଶାନ୍ତି। ସେ ଅଧିକତର ଅନୁଷ୍ଠାନପ୍ରେମୀ। ତେଣୁ ବହୁ ଅନୁଷ୍ଠାନ ସହ ତାଙ୍କର ସମ୍ପୃକ୍ତି। ପ୍ରାୟତଃ ଆଖାପାଖ ଅଞ୍ଚଳର ସମସ୍ତ ସାଂସ୍କୃତିକ ଓ ସାମାଜିକ କ୍ରିୟାକ୍ରମରେ ସେ ନିଜର ସମ୍ପୃକ୍ତି ଓ ଉପସ୍ଥିତି ଜାହିର କରିଥାନ୍ତି। ନିଜ ନାମରେ ଗୋଟେ ପୁରୁଷୋତ୍ତମ ସେଠୀ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ପ୍ରାୟ ଶତାଧିକ ସ୍କୁଲ କଲେଜ ସ୍ଥାପନ କରିବାରେ ସେ ସହାୟକ ହୋଇପାରିଛନ୍ତି। ତନ୍ମଧ୍ୟରୁ ଭଣ୍ଡାରି ପୋଖରୀ ଓ ବନ୍ତ ବ୍ଲକରେ ପ୍ରାୟ 11 ଟି ଉଚ୍ଚବିଦ୍ୟାଳୟ ଓ ଆଗରପଡା ବି. ଇଡି. କଲେଜ ସମେତେ ତିନି ଗୋଟି କଲେଜ ଅନ୍ୟତମ। ଅବଶ୍ୟ ଥରୁଟିଏ ସେ ବିଧାୟକ ହେବାକୁ ସକ୍ଷମ ହୋଇଥିଲେ ହେଁ କୂଟନୀତି ଓ ଗୁଣ୍ଡାଗିରି ଗୁଣର ଅଭାବବୋଧ ଯୋଗୁଁ ତାଙ୍କୁ ଏକାଧିକ ବାର ହାରର ସାମନା କରିବାକୁ ପଡ଼ିଛି। ତାଙ୍କର ଦୃଢ଼ ସଙ୍କଳ୍ପ ଓ ଜିଦ୍ଖୋର ମନୋବୃତ୍ତି ପାଇଁ ତାଙ୍କୁ ଅନେକବାର ଅବଶ୍ୟ ସମାଲୋଚନାର ଶିକାର ହେବାକୁ ପଡିଛି, ତଥାପି ସେ ଜଣେ କର୍ମଠ, ଚଳଚଞ୍ଚଳ, ନୀତିନିଷ୍ଠ, କର୍ତ୍ତବ୍ୟ ପରାୟାଣ ଓ ଆଦର୍ଶ ମଣିଷ। କର୍ମ ହିଁ ଭଗବାନ – ଏହା ହିଁ ତାଙ୍କର ନୀତି ଓ ଆଦର୍ଶ। ସେବା ଜୀବନର ବ୍ରତ। ତେଣୁ ପୁସ୍ତକ” ଶୂନ୍ଶାନ୍ ରାତି” ତାଙ୍କୁ ସମର୍ପଣ କରି ମୁଁ ଚିର କୃତଜ୍ଞ।
(ଇତି)
ତାଙ୍କରି ପୁଅ
ସାନ ପୁଅ ବାବୁଲା
ସୂଚୀପତ୍ର
1.ଶୂନ୍ଶାନ୍ ରାତି
2.ଚନ୍ଦକାରେ ଗୋଟେ ରାତି
3.ଭୂତୁଣୀ ସାହିତ୍ୟିକ
4. ଲାବୋରଟୋରୀରେ ଉଜାଗର
1.ଶୂନ୍ଶାନ୍ ରାତି
ବହୁ ବର୍ଷ ତଳର କଥା, ଓଡ଼ିଶାର କଟକ ସହର। ଯାହା ଏବେକାର ଏପରି ନଥିଲା, ଆଗ କାଳର ଅଳ୍ପ ଲାଇଟ୍ ପୋଷ୍ଟ, ଚାରିଆଡ଼େ ଝାଉଁ ବଣ। ବୃକ୍ଷାଦି ମଧ୍ୟ ଅନେକ। ୱାନ୍ ଵେ ଟ୍ରାଫିକ, ଅଳ୍ପ ଉନ୍ନତ। ଆଜିର ଗାଁ ଗହଳି ପରି ମଧ୍ୟ ଠାଏଂ ଠାଏଁ ଡରାବନ (ଭୟଙ୍କର) ଦୃଶ୍ୟ। ରାତି ହେଲେ ଡର ଲାଗେ, ଚୋର ତସ୍କରଙ୍କ ପ୍ରାଦୁର୍ଭାବ ବେଶୀ। ନଈ କୂଳ ଓ କାଠଯୋଡ଼ି ପଠା ଭାରି ଜଙ୍ଗଲିଆ, ଅନ୍ଧାରୁଆ ସ୍ଥାନମାନଙ୍କରେ ସାପ ବେଙ୍ଗ ମାନଙ୍କର ଭାରି ବସା। ଦିନ ଦ୍ଵିପ୍ରହରରେ ଡର ଲାଗୁଥିଲାଟି! ଠିକ୍ ସେଇ ସମୟର କଥା।
ଶିଶିର କୁମାର ଘୋଷ ବୋଲି ଜଣେ ଭଲ ଇଂରାଜୀ ଶିକ୍ଷକ ଥାଆନ୍ତି।ଭାରି ସାହସୀ। ପେଶା ତାଙ୍କର ଟ୍ୟୁସନ। ସରକାରୀ ଚାକିରୀ ନଥିଲେ କ’ଣ ହେଲା, ଟ୍ୟୁସନ୍ କରି ଭଲ ଦି’ ପଇସା କମାନ୍ତି। ସେଇ କମାସ୍ତୁକରେ ପରା ଘର ଚଳେ ।ଘରେ କ’ଣ କମ ପ୍ରାଣୀ କି? ମାଇକିନା ଛୁଆ ପିଲା କି ମିଶିକି ଦି /ଚାରି ପ୍ରାଣୀ କୁଟୁମ୍ବ ହେବେ। ଜଣଙ୍କ ରୋଜଗାରକୁ ସମସ୍ତେ ଚାହିଁଥାନ୍ତି। ତେଣୁ ସକାଳୁ ସଞ୍ଜ ଯାଏଁ ନ ଖଟିଲେ, କିଏ ଆଣି ଦେବ କହୁ ନାହିଁନ୍ତି? ଟ୍ୟୁସନ ବୋଲି କ’ଣ ଗୋଟେ କି? ବାର ଆଡ଼େ ତେର ଟ୍ୟୁସନ , ରାତି ପାହିଲାଠାରୁ ରାତି ହେଲା ଯାଏଁ। କେତେ ଆଡ଼େ କେତେ ରକମର ଟ୍ୟୁସନ। ଡବଲ, ସିଙ୍ଗଲ୍ ଓ ଗ୍ରୁପ ଟ୍ୟୁସନ ମଧ୍ୟ ଚାଲିଥାଏ । ପୁଣି ପିଲାଙ୍କ ସ୍କୁଲ ଟାଇମକୁ ଦେଖି ଟ୍ୟୁସନ ଟାଇମ ସ୍ଥିର କରାଯିବ ନା, ନହେଲେ କ’ଣ ଅଭିଭାବକମାନେ ସହଜରେ ରାଜି ହେବେ କି? ସକାଳୁ ସେ କ’ଣ ଗଣ୍ଡେ ଖାଇଦେଇ ସହରକୁ ଚାଲି ଆସନ୍ତି ଯେ, ଫେରିଲା ବେଳକୁ ରାତି। ଦିନରେ ହୋଟେଲରେ ଖାଇଲେ ଖାଇଲେ, ନ ଖାଇଲେ ନାହିଁ, ଟ୍ୟୁସନରେ ଯେଉଁ ଚା ଜଳଖିଆ ଟିକିଏ ମିଳିଯାଏ ସେତିକିରେ କାମ ଚଳିଯାଏ, କାରଣ ପୁଣି ଦୁଇ ପଇସା ଯୋଗାଡ଼ ଯନ୍ତ୍ର କରି ସଞ୍ଚୟ କରିବାକୁ ହେବ ନା, ନହେଲେ ଛୁଆ ପିଲାଙ୍କ ଭବିଷ୍ୟତ କ’ ଣ ହେବ?
ସେଦିନ ଗୋଟେ ବିଳମ୍ବିତ ରାତିରେ ପିଲାମାନଙ୍କୁ ପାଠ ପଢ଼େଇ ସାରି ସେ ଘରକୁ ଫେରୁଥାନ୍ତି। ଘର କଟକ ସହରର ଏକ ଉପାନ୍ତ ଅଞ୍ଚଳରେ। ତ୍ରିଶୁଳିଆ ଦେଇ ପୋଲ ପାରି ହୋଇ ଯିବାକୁ ହୁଏ ଏକ ମଫସଲ ଅଞ୍ଚଳକୁ। ବାଟର ବ୍ୟବଧାନ ପାଞ୍ଚ ମାଇଲ। କାଶ ତଣ୍ଡି ଘେରା ଜଙ୍ଗଲିଆ ରାସ୍ତା। ବୁଦି ବୁଦିକା ବୀଣା ମୂଳୀ ଓ କ୍ଷୀରି କୋଳି ଆଉ ବଇଁଚ କୋଳିର ଲଟାକୁଞ ମଧ୍ୟ ଥାଏ। ବାଟରେ ଆଉ କେତେଟା ବଡ଼ ବଡ଼ ଗଛ ସଣ୍ଢା ଟେକି ଉପରକୁ ମୁଣ୍ଡ ଟେକି ଆଁଟା କରି ଆକାଶକୁ ଚାହିଁଥାଏ। ପାହାଡ଼ ପରିକା କେଇଟା କୁଦ ମଧ୍ୟ ସେଇ ବାଟରେ ପଡେ। କେଉଁଠି କଦବାଏ କିଏ ଫସଲ ଗଣ୍ଡାଏ କରିଥାଏ, ଯେଉଁଠି ନଞୁରିଟେ ବା ପାଣି ନାଳଟିଏ ଥାଏ ପାଣି ମଡେବାକୁ।
ଗରୀବ ବୋଲି ତାଙ୍କର ସାଇକେଲ ଖଣ୍ଡେ ହାତରେ ଥାଏ। ପୁଣି ଟିକି ଟର୍ଚ୍ଚଟେ ପକେଟରେ ପଡିଥାଏ-ସୁବିଧା ଅସୁବିଧାକୁ ସାହାଯ୍ଯ ଓ ନେବା ଆଣିବାକୁ ବି ସୁବିଧା। ସାଇକେଲ ଖଣ୍ଡକ ହାତରେ ଥିଲେ ତାଙ୍କୁ ଯେମିତି ଲାଗେ ତ୍ରିଭୁବନଟା ତିନି ମିନିଟିର ବାଟ।। 9/9.30 ରେ କଟକ ଛାଡିଲେ ,ସେ 10 /10.30 ସୁଦ୍ଧା ଘରେ ପହଂଚିଯାନ୍ତି। ଘରେ ପହଁଞ୍ଚି ଗୋଡହାତ ଧୋଇ କ’ଣ ଦିଟା ଖାଇଦେଇ ଶୋଇ ପଡ଼ନ୍ତି। ରାତି ପାହିଲେ ପୁଣି ସେଇ ସମାନ କାମ। ଇଏ ତାଙ୍କର ଧରାବନ୍ଧା, ନିତି ଦିନିଆ ରୁଟିନିଅସ୍ ଜୀବନ ।
ସେଦିନ ପରୀକ୍ଷା ବେଳ ତ, ପିଲାଙ୍କୁ ପଢାଉ ପଢାଉ ଟିକିଏ ଡେରି ହୋଇଗଲା। ପୁଣି ବାଟରେ ଗୋଟେ ସାଙ୍ଗ ଦେଖା ହୋଇଯିବାରୁ ଅଯାଥା କଥାର ଖିଅ ଗୁନ୍ଥି ହୋଇଗଲା। ସମୟଟା ଅତିକ୍ରାନ୍ତ ହୋଇଯାଉଥାଏ, ଆଦୌ ଜାଣି ହେଉନଥାଏ। ପିଲାଟିକୁ ପଢେଇଥିବା କାହାଣୀଟା ତ ନିଶ୍ଚିତ ପକ୍ଷେ ମନ ଇଲାକାରେ ଜାଗ୍ରତ ଥାଏ। ରସ୍କିନ ବଣ୍ଡଙ୍କ ଗୋଟେ ହରର୍ କାହାଣୀ ସେ ପଢ଼ାଉଥିଲେ। ପିଲାଟି ଡରି ଯିବାରୁ ତା’ ମା’ ପଢ଼ା ଟେବୁଲ୍ ପାଖକୁ ଉଠି ଆସି ଭୂତପ୍ରେତ ଉପରେ କେତେ କ’ଣ ଭାଷଣ ଦେଉଥିଲେ। ସେ ଆହୁରି କହୁଥିଲେ କୋଉ ଗୋଟେ ହିନ୍ଦୀ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିଥିଲେ, ଯିଏ କି କେମିକାଲ ଲୋଚାର ଶୀକାର ହୋଇଥିଲେ। ଏଗୁଡାକ ସେ କ୍ଷଣେ ଭାବୁଥିଲେ ସିନା ହେଲେ ପରମୁହୂର୍ତ୍ତରେ ଭୁଲି ଯାଉଥାନ୍ତି, କାରଣ ଏଗୁଡାକ ସବୁ ଅନ୍ଧ ବିଶ୍ବାସ ବୋଲି ସେ କେବେଠୁଁ ଜାଣିଛନ୍ତି – ପିଲାଦିନୁ ବାପା ଯେଉଁଦିନଠୁଁ କହିଲେଣି।
ତରବର ହୋଇ ଘରକୁ ଫେରିଲେ। ତେଣୁ ବାଟରେ ବେଙ୍ଗ ସାପ କିଛି ଜଣାପଡ଼ୁ ନଥିଲା। ବାଟରେ ସହରର ଆଲୁଅ ରାସ୍ତା ଖାଲି ହୋଇଗଲେ, ଆହୁରି ଦୁଇ /ତିନି କିଲୋ ମିଟର ଅନ୍ଧାରୁଆ ରାସ୍ତା – ଆରମ୍ଭ ହୁଏ। ସେହି ରାସ୍ତାରେ ପହଞ୍ଚିଛନ୍ତି କି ନାହିଁ, ହଠାତ୍ ସାଇକେଲରୁ ଚେନ୍ଟା ଖସିଗଲା। ସେ ଓହ୍ଲାଇ ପଡି ପାଟିରେ ସରୁ ଟର୍ଚ୍ଚଟା ଭର୍ତ୍ତି କରି ଦେଇ ଦୁଇ ହାତରେ କାମରେ ଲାଗିଗଲେ। ଚେନ୍ ଟା ଆଦୌ ଦେଇ ହେଉନଥାଏ କଳଙ୍କି ଲଗା ଚେନ୍ ଟା। ଭାରି ଜାମ୍। ଚଳେଇଲା ବେଳେ ପରା କଁ କାଁ ଡାକେ। ହାତ ମୁହଁ କଳା ହୋଇଗଲାଣି ପଛେ ସଜଡୁ ନାହିଁ, ଓଲଟି ଚେନ୍ଟି ଏକା ବେଲକେ ଛିଡି ଗଲା। ଯା’.. ଏଣିକି ଦୁର୍ଦଶା ।ସାଇକେଲ ଖରାପ ହେଲେ ତାଙ୍କ ସାହସ କମି ଯାଏ।କ’ଣ ବା କରିଥାନ୍ତେ, ନିଜ ସାଇକେଲଟା ପରା ଶାଳକ ମହାଶୟ ନେଇ ସହର ବୁଲିଯିବାକୁ – ପତ୍ନୀ କହିଲେ। ତେଣୁ ତା’ ଭଙ୍ଗା ସାଇକେଲଟା ଧରି ସେ ଚକ୍କର କାଟିବେ ନାହିଁ ତ କିଏ କାଟିବ? ରାତି ବଢି ଯାଉଥିବାରୁ ରାସ୍ତା ନିରୋଳା ହେଉଥାଏ, ସାଇଁ ସାଇଁ ନିଶା ଗର୍ଜୁଥାଏ। ନଦୀପଠା ଅଞ୍ଚଳ, ଘାଇଁ ଘାଇଁ ପବନ ପିଟୁଥାଏ। ଅମାବାସ୍ୟା ପକ୍ଷର ରାତିଟା ଆହୁରି ଘନ ଅନ୍ଧାରିଆ ଦିଶୁଥାଏ। ଶୂନ୍ ଶାନ୍ ରାତି, ମନରେ ଟିକେ କାଳ ପଶୁଥାଏ। ହେଲେ ସେ ଡରୁନଥାନ୍ତି, କାହିଁକିନା ତାଙ୍କର ଭାରି ଦମ୍ଭ। ଏତିକି ବେଳକୁ ଦୃଷ୍ଟି ପଡିଲା ଅନତି ଦୂରରେ ବୁଦା ମୂଳରେ ଗୋଟିଏ ପଥର ଢିପ ଉପରେ ସ୍ତ୍ରୀ ଲୋକଟିଏ ଉଁ… ଉଁ.. ହୋଇ କାନ୍ଦୁଛି। ସେ ତାଙ୍କ ପାଖକୁ ଯାଇ – “କିଏ ସେ ତୁମେ?କାହିଁକି କାନ୍ଦୁଛ”?? ପଚାରିବାକୁ ଲାଗିଲେ ।ସ୍ତ୍ରୀ ଲୋକଟି କିନ୍ତୁ ପାଟି ଖୋଲୁ ନଥାଏ, ମୁହଁ ତଳକୁ କରି ବସିଥାଏ । ହାତ ଦିଟା ମୁହଁ ଉପରେ ଅଧା ଢାଙ୍କି ରଖିଥାଏ। ସ୍ତ୍ରୀ ଲୋକଟା ତ କାଳିଆ ଦିଶୁଥାଏ, କିନ୍ତୁ ପାଗିଳୀ ହୋଇ ନଥିବ। ଅବଶ୍ୟ ଚିରାଫଟା ପିନ୍ଧି ଥାଇପାରେ କିନ୍ତୁ ବସ୍ତି ଅଞ୍ଚଳର କେହି ଗୋଟେ ନିଶ୍ଚୟ ହୋଇଥିବ। ଗରୀବ ଲୋକଙ୍କର ତ ଝଗଡ଼ା ବେଶୀ, ଘରେ ଝଗଡ଼ା ଲାଗି ଏଠିକି ଚାଲି ଆସିଥିବ। ହୁଏତ ଏକଲା ବସି ଆତ୍ମହତ୍ୟା କଥା ବି ଭାବିପାରେ, ନହେଲେ ଏତେ ରାତିରେ ଏକଲାଟା ଏଠି କାହିଁକି ବସିବ?
ଯାହାବି ହେଉ ପଚାରିବେ କି ନାହିଁ ଆଗ ଥୋଡେ ଖଣ୍ଡ ଭାବି ନେଲେ। ପୁଣି ପଚାରିଲେ – “ଏ! କିଏ ତୁମେ? କାହିଁକି ଏଠି ବସିଛ”?? ସେ କିଛି କହିଲା ନାହିଁ।ସେଇମିତି ନିରୁତ୍ତର ଯେମିତି ସେ ପୂର୍ବରୁ ବସିଥିଲା। ଏଥର ଟିକିଏ ଧମକେଇ ପଚାରିଲେ – “ପଚାରୁଛି ପରା! କ’ଣ କହୁ ନାହଁ! କାହିଁକି ଗୁମାନ ମାରି ବସିଛ “?
ଏବେ ମଳୁକୁ କୁନ୍ଥେଇବା କଷ୍ଟ ହେଲା ପରି ପାୱାର କଷ୍ଟିଆ ଟର୍ଚ୍ଚ ଆଲୁଅଟା ତା’ ମୁହଁକୁ ତେରଛା ପକେଇ ପଚାରି ଆସୁଥିଲେ -” ତୁମକୁ କ’ଣ ଶୁଭୁଛି ନା ନାହିଁ “? ହେଲେ ଦେଖିଲା ବେଳକୁ ମୁହଁଟା ପୁରା ଗୋଟା ମାଟି ହାଣ୍ଡି ପରିକା ଗୋଲ। ଆଖି, କାନ, ନାକ ନାହିଁ। ଖାଲି ପାଟିଟା ଟିକେ ପାକୁ ପାକୁ ଜଣା ପଡୁଥିଲା। ଭ୍ରୂଲତା ବି କାହିଁ ଦୃଷ୍ଟିରେ ଆସୁ ନଥିଲା। ସେ ହାଉଳି ଖାଇ ଉଠିଲେ – “ବୋଉଲୋ! “।ଛାନିଆରେ ପାଟି ଖନି ମାରି ଆସୁଥିଲା, ତେଣୁ ସାଇକେଲ, ଟର୍ଚ୍ଚ ଫର୍ଚ୍ଚ ସବୁ ଫିଙ୍ଗି ଦେଇ ବା ହାତରୁ ଖସେଇ ପକେଇ ଖାଲି ଏକ ମୁହାଁ ହୋଇ ଧାଇଁଲେ-ବାଟ ଘାଟ କିଛି ଦିଶୁ ନଥାଏ । ଏଣିକି ମନ ଭିତରେ ଡର ପଶି ଗଲାଣି କି କ’ଣ ବାଟ ସାରା ହାବୁଡି ହାବୁଡି ଦି /ତିନି କଚଡ଼ା ଖାଇଲେଣି। ପଡ଼ି ଉଠି, ଉଠି ପଡ଼ି ପୁଣି ଧାଉଁଥାନ୍ତି, ହେଲେ ପଛକୁ ଭୁଲରେ ଚାହୁଁ ନଥାନ୍ତି। ଖାଲି ଇଚ୍ଛା କେମିତି ଦୂରକୁ ଦୂରକୁ ଚାଲିଯିବେ।ଗୋଡ଼ ହାତ ସବୁ ଛିଡିଛାଡ଼ି ସେତେବେଳକୁ ରକ୍ତ ଲହୁଲୁହାଣ ହୋଇଗଲାଣି। ଏଥରକ ଏଇଠି ଗୋଟେ କ’ଣ ହାବୁଡ଼ି ପଡ଼ି କୁଣ୍ଢେଇ ପକେଇଲେ, ଦେଖିଲା ବେଳକୁ ମଣିଷଟେ, କିନ୍ତୁ ଭାରି ଡେଙ୍ଗା।
ସେ ତ ଦୌଡ଼ି ଦୌଡ଼ି ହାଲିଆ, ଖାଲି ଧଇଁସଇଁ ହେଉଥାନ୍ତି। ଲୋକଟିକୁ ଦେଖି ଆଶ୍ୱସନା- ମନରେ ଟିକେ ଆଶ୍ୱସ୍ତି ଭରୁଥିଲା। କହିଲେ – “ଟିକିଏ ଶୁଣିବ!”
ଲୋକଟି ହାତରେ ବାଡିଟିଏ ଥାଏ ଓ କାନ୍ଧରେ ମୋଟାଳିଆ ବଡ଼ କାଚ ଦିଆ ଫିତା ଲଗା ପ୍ଲାଷ୍ଟିକ ଟର୍ଚ୍ଚଟିଏ ଝୁଲୁଥାଏ। ଉଚ୍ଚାଳିଆ ଲୋକଟେ, ହୃଷ୍ଟପୃଷ୍ଟ ବି ଥାଏ। ମୁଣ୍ଡରେ ଟୋପିଟାଏ ।ମିଲିଟାରୀଆ ବା ପୋଲିସିଆ ଲୋକଟା ବୋଧେ , ନୋହିଲେ ରାତିରେ ପହନ୍ତରା ମାରିଲାବାଲା ନିଶ୍ଚୟ ହୋଇଥିବ।ହାତରେ ତ ହୁଇସିଲ୍ଟାଏ ବି ଥାଏ ।
ବର୍ଷା ପବନ ରାତି। ବିଜୁଳିଟେ ମାରି ଦେବାରୁ ଗଛପତ୍ର ଓ ରାସ୍ତାଘାଟ ଟିକିଏ ଚିକ୍ଚିକ୍ ହୋଇ ଦିଶିଲା। ହେଲେ ଛାନିଆରେ ଆଖି ଜଳକା ମାରି ନେଉଥାଏ। ଘଡ଼ଘଡ଼ି ଶବ୍ଦ ସହିତ ଛାତିରେ ବି ଘଡ଼ଘଡ଼ି ପଶି ଯାଉଥାଏ। ଏତିକି ବେଳକୁ ଘର ଚଟିଆଟେ ଚିଁ’କିନା ରାବି ଦେଇ ଉଡିଗଲା, ପେଚାଟିଏ ମଧ୍ଯ କେଉଁଠି ଥିଲା କେଜାଣି ହୁକା ଟାଣି ବୋବେଇ ଦେଲା। ପାଦମୁଣ୍ଡ ଶନିପାତ ହୋଇଯାଉଥାଏ। ଅଜଣା ଲୋକଟା ଆଡ଼ୁ ପ୍ରଶ୍ନଟିଏ ଆସିଲା – “କ’ ଣ ହେଲା… ” ? ଶିଶିର ସାର୍ କହିଲେ ଧଇଁସଇଁ ହୋଇ – “ହୋଉଛି.. କହିମିନା… ରାସ୍ତା କଡରେ.. ବୁଦା ମୂଳରେ…. ସ୍ତ୍ରୀ ଲୋକଟିଏ ବସିଥିଲା… ବସିଥିଲା.. ଖାଲି ଉଁ ଉଁ ହେଉଥିଲା.. ହେଲେ ନାକ, କାନ, ଆଖି ନାହିଁ.. ମୁହଁଟା ପୁରା ଗୋ.. ଲ..। ଲୋକଟା ନିଜ ମୁହଁକୁ ଲାଇଟଟା ବୋଧେ ପକେଇ କହିଲା -” ଦେଖିଲ! ମୋ ଭଳିଆ କି… “? ହଁ ତ ତା’.. ମୁହଁଟା ବି ପୁରା ଗୋଲ। ଆଖି, କାନ, ନାକ କିଛି ନାହିଁ।
ଶିଶିର ସାର୍ ଅବାକ୍ ହୋଇ ଖାଲି ଚିରାଡି ଛାଡିଛନ୍ତି – “ହେ…ହେ… ଏ.. !!!
2. ଚନ୍ଦକାରେ ଗୋଟେ ରାତି
ଚନ୍ଦକା ଜଙ୍ଗଲରେ ଗୋଟେ ରାତି
——-by ସତ୍ୟ ପ୍ରକାଶ ସେଠୀ
ବିଗତ ଦିନର ଆଗତ ଗୋଟେ କାହାଣୀ।ସତ ସତିକା-ସବୁ ସତ ।ସେତେବେଳ ଭୁବନେଶ୍ବର ସହର ନୂଆ କରି ଗଢି ଉଠିଥାଏ। ଅଳ୍ପ କେଇଦିନ ତଳେ ରାଜଧାନୀର ମାନ୍ୟତା ପାଇଥାଏ। ସହଜେ ତ ମନ୍ଦିର ମାଳିନୀ, ପୁଣି ପାହାଡ଼ ଘେରା ଏଇ ସହର। କଟକରୁ ଭୁବନେଶ୍ବର ଜାତୀୟ ରାଜପଥ ଦେଇ ଯିବାକୁ ହୁଏ। ରାସ୍ତା ଗୁଡ଼ିକ ବଡ଼ ସଂକୀର୍ଣ୍ଣ।କିନ୍ତୁ ଯାନବାହାନ ଭାରି। ନାହିଁ ନଥିବା ଭିଡ଼। ଓଡ଼ିଶାର କୋଣ ଅନୁକୋଣକୁ ଏହି ରାଜଧାନୀରୁ ସଂଯୋଗୀକରଣ କରାଯାଇଛି। ତେଣୁ ଚାରିଆଡୁ ଗାଡି ଘୋଡା ଓ ବସ ମୋଟର ଚଳାଚଳ ଏଠାକୁ କରିଥାଏ। ସେଥିସକାଶେ ରାସ୍ତା ଘାଟ ଜାମ୍ ରହିବା ସ୍ୱାଭାବିକ।
କଟକରୁ ଏ ଜାତୀୟ ରାଜପଥ ଛାଡି ଦେଲେ ଆଉ ଗୋଟିଏ ଅଧା ମୋହରମ ଓ ପିଚ ରାସ୍ତା ଅଛି। ସେଇଟା ହେଉଛି ବାରଙ୍ଗ ଓ ତ୍ରିଶୁଳିଆ ଦେଇ। ବାଟରେ ଚନ୍ଦକା ଜଙ୍ଗଲ ପଡ଼େ। ବାଘ, ଭାଲୁ ଓ ହେଟାମାନଙ୍କର ସେଇଟା ରାଜୁତି। ରାତିରେ ସବୁ ବାହାରନ୍ତି। ହାତୀଗୁଡ଼ାକ ଖେଳେଇ ହୋଇ ବୁଲନ୍ତି। ରାତି 7/8 ଟା ହୋଇଗଲେ ରାସ୍ତା ନିଶୁନ୍ ହୋଇଯାଏ। ଭାରି ନିଛାଟିଆ ଜାଗା। କେହି ତ ଚାଲିକି ଯିବା କଥା ତ କେବେ ବି ଭାବି ପାରିବ ନାହିଁ। ଅବଶ୍ୟ ଗାଡି ମୋଟର ଗୋଟେ ଅଧେ ଭୁସ୍ଭାସ ହୋଇ ମାଡିଯାଏ। ହେଲେ ରାସ୍ତା ମଝିରେ କେହି ରୋକି ହୋଇଯାଆନ୍ତି ନାହିଁ। କାରଣ ମନରେ ଭାରି ଡର । ଘଞ୍ଛ ଜଙ୍ଗଲ ଭିତରେ କିଏ ରୋକିବ ଲୋ ମା! ଭୂତ ପିଶାଚଙ୍କର ତ ସବୁ ଆଡ୍ଡାସ୍ଥାଳୀ ଏଇଠି। କେତେ କେତେ ଅଘଟଣ ସବୁ ପରା ଘଟିଛି। ଦେଖି ନଥିବେ କି ପେପର୍ ଫେପରରେ କେତେ କ’ଣ ଅଘଟଣ – ସତେ ନଘଟିଛି।ପୁଣି ଚୋରି ରାହାଜନୀ ଠାରୁ ଆରମ୍ଭ କରି ଜନାକାରୀ ଯାଏଁ ସବୁ ଅଘଟଣ ଓ ଦୁର୍ଘଟଣା ଏହି ରାସ୍ତାରେ ଘଟେ। ଅଞ୍ଜନା କାହାଣୀ ବି ତ ସେଇଠି ଘଟିଥିଲା। ତେଣୁ କିଏ କାହିଁକି ରାତି ଅଧରେ ଏ ରାସ୍ତା ଦେଇ ଯିବ ଯେ?
ରାମହରି ବାବୁ ମିଲିଟାରୀଆ ଲୋକଟା। ସଦ୍ୟ ଚାକିରୀରୁ ଅବସର ନେଇଥାନ୍ତି। ମନରେ ଟିକିଏ ସାହସ ଓ ଦମ୍ଭ ଭିନ୍ନ୍ ପ୍ରକାରର। ସମସ୍ତଙ୍କର ଯୋଉଟା ନା ତାଙ୍କର ସେଇଟା ହଁ। ଭାରି ହୃଷ୍ଟପୃଷ୍ଟ ଓ ଟିକିଏ ଡେଙ୍ଗାଳିଆ ଜଣାପଡୁଥାନ୍ତି। ସେ ବେଶ୍ କୌତୁହଳପ୍ରିୟ ଓ ରହସ୍ୟବାଦୀ ମଧ୍ଯ (curious & adventurous also ) । ତାଙ୍କୁ ଏ ଜଙ୍ଗଲ ଓ ଶୂନ୍ଶାନ୍ ରାସ୍ତା କୁଆଡେ ଭାରି ଶାନ୍ତିପ୍ରଦ।ତାଙ୍କର ଧାରଣା ନିଶାର୍ଦ୍ଧ ରାତିରେ ଏଭଳି ଯାତ୍ରା ଶରୀରକୁ ଅତି ହାଲକା ଓ ମନକୁ ବେଶ୍ ଶାନ୍ତ କରି ଗଢି ତୋଳେ। ସାଙ୍ଗରେ ଥାଆନ୍ତି ଜଣେ ପୁରୁଣା ଦିନର ସାଥୀ – ବନ୍ଧୁ ନିଶାନ୍ତ ।
ଆଉ ଡର କାହାକୁ? ପୁଣି ଏହି ବାଟ ଦେଇ ଗଲେ ଭୁବନେଶ୍ୱରରୁ କଟକ ରାସ୍ତା 5/7 କିଲୋ ମିଟର କମି ଯାଏ। ଗହଳି ବି ଟିକିଏ କମ୍। ରୋଡ଼ ଆକ୍ସିଡେଣ୍ଟର ଭୟ ତ ଆଦୌ ନଥାଏ କହିଲେ ଚଳେ, ତେଣିକି ଯେତେ ବେପରୱା ହୋଇ ଗାଡି ଚଳାଅ ପଛେ । ତେଣୁ ଏହି ରାସ୍ତା ଦେଇ ଘର ପାଖରେ ଶୀଘ୍ର ପହଁଞ୍ଚି ହେବ। ନହେଲେ ଘରେ ସମସ୍ତେ ବ୍ୟସ୍ତ ହେବେ। କବାଟ କିଳି ନଥିବେ। ରାତି ଉଜାଗର ହୋଇ ବସିଥିବେ। ଖାଲି ଘରୁ ଦାଣ୍ଡ ଓ ଦାଣ୍ଡରୁ ଘର ହେଉଥିବେ। ଏମାନଙ୍କୁ ଅନିଶା କରି କରି ବଉଁଶଟାଯାକ କେହି ଶାନ୍ତିରେ ଶୋଇ ପାରୁ ନଥିବେ। ଉପବାସ ଥିବେ। ତେବେ ଯାହା ହେଉ ସେୟା ହେଲା। ଖଣ୍ଡଗିରି ଦେଇ ଗାଡି ବୁଲିଲା କଟକ ଅଭିମୁଖେ । ବାଟରେ ଅଳ୍ପ ଦୂରରେ ଛୋଟିଆ କାଉଣ୍ଟରଟିଏ। ସେଇଠୁ ଦୁଇ ବନ୍ଧୁ ଦୁଇ ପ୍ୟାକ୍ ଚଢେଇ ଦେଲେ। ଶୀତୁଆ ରାତି। ଏପଟେ ମିଲିଟାରୀଆ ଚାକିରୀ – ପୁରୁଣା ଅଭ୍ୟାସଟା ଥାଏ । ନିଶାଟା ଚଢି ଗଲାରୁ ଭାରି ଭଲ ଲାଗିଲା। ଗାଡି ଛୁଟିଲା ଏକାନ୍ତ ଜଙ୍ଗଲରେ। କେଉଁଠି କେମିତି ବିଲୁଆଟେ କି ଜନ୍ତୁଟାଏ ଦୌଡ଼ି ଦୌଡ଼ି ରାସ୍ତା ପାରି ହେଇ ଯାଉଥାଏ। ପଛରେ ନିଶାରେ ଗୁଣୁଗୁଣୁ ହୋଇ କହୁଥାଏ – “ଦେଖିକି, ଗାଡି ଚଢିଯିବ”। ରାମହରି ବାବୁ କହନ୍ତି-“ଆମ ଗାଡି ଚଳା ପୂରା ପରଫେକ୍ଟ। କେହି ବାଛି ପାରିବେ ନାହିଁ। ମିଲିଟାରୀରେ ଥିଲା ବେଳେ ଆମେ ପରା ପାହାଡ଼ ପର୍ବତ କିଛି ମାନୁନା। ଯେମିତି ପରିସ୍ଥିତି ଆସୁନା କାହିଁକି ଗାଡି ଚାଲେ ଠିକ୍ଠାକ୍, ତେଣିକି ଭୂତ୍ ଆସୁ କି ପ୍ରେତ” ।
ଏତିକି ବେଳକୁ ଗାଡିଟା ହଠାତ୍ ଅଟକି ଗଲା। ଲାଇଟ୍ ଟା ବି ଲିଭିଗଲା। ଯେତେ ଚେଷ୍ଟା କଲେ ବି ରିଷ୍ଟାର୍ଟ ହେଲା ନାହିଁ। ଗାଡିରୁ ଓହ୍ଲାଇବାକୁ ଇଚ୍ଛା ହେଉନଥାଏ। କାରଣ ସାପ ବେଙ୍ଗ ଓ ବନ୍ୟ ଜନ୍ତୁଙ୍କୁ ଟିକେ ଡର ଲାଗୁଥାଏ। ଶୀତର ପ୍ରକମ୍ପ ବି ବଢି ବଢି ଆସୁଥାଏ । ଜାଡୁଆ ରାତି। କୁହୁଡ଼ି ଗୁଡ଼ାକ ଝାପ୍ସା ଜହ୍ନ ଆଲୁଅରେ ଫିକଫିକ ହୋଇ ହସୁଥାଏ ସିନା କିନ୍ତୁ ଭାରି ଅନ୍ଧାରିଆ ଦିଶୁଥାଏ ।ସ୍ପଷ୍ଟ କିଛି ଜଣା ପଡ଼ୁ ନଥାଏ। ଠିକ୍ ଏତିକି ବେଳକୁ ଗୋଟେ ବିରାଟକାୟ ଲୋକ ବର ଓହଳ ଆଡ଼େଇ ଓ ପଥର ଖୋଲ ଠେଲି ରାସ୍ତା ଉପରକୁ ଉଠି ଆସୁଥିଲା। ବେଶ୍ ଡେଙ୍ଗା ଓ ହୃଷ୍ଟପୃଷ୍ଟ। ରୁମ ଗୁଡ଼ାକ ଭାଲୁ ରୁମ ଭଳିଆ ଲମ୍ବା। ଦାଢି ଗୁଡ଼ାକ ଖେର ହୋଇନଥାଏ କି କ’ଣ ଖୁଣ୍ଟି ଉଠିଲା ପରିକା ଖାଡା ଦିଶୁଥାଏ। କିନ୍ତୁ ଜୁଙ୍ଘା ଟୋକା ପରିକା ତ ପ୍ରତୀୟମାନ ହେଉଥାଏ। ଅତି ଉଚ୍ଚ ଅର୍ଘାସୁରର ପରିକଳ୍ପନା ତୋଳୁଥିଲା-ମନ ମଧ୍ୟରେ । ବଡ଼ ଅଜବ ତା’ର ଆକୃତି। ଭୟଙ୍କର ଚେହେରା। ତାକୁ ଦେଖିଲେ ଯେକୌଣସି ଲୋକର ପାଟି ଶୁଖି ଅଠା ଅଠା ହୋଇଯିବ। ଡରରେ ପେଟ ଭିତରେ ଛନକା ପଶି ଯାଇ କେତେବେଳୁ ଯେ ହୃଦ୍ଘାତରେ କମ୍ପନ ସ୍ରୁଷ୍ଟି ହେଉଥାଏ , ତାହା କହି ହେବ ନାହିଁ। ନିଶାନ୍ତ ବାବୁ ତ ପୂରା ଡରି କି ସିଟ୍କୁ କାମୁଡ଼ି ପକେଇଲା ପରିକା ଚିମୁଟି ଧରିଥାନ୍ତି। ରାମହରି ବାବୁ କହିଲେ – “ସାହସ ଧର ବନ୍ଧୁ! ଡର ନାହିଁ। ମୁଁ ଏମିତି ତ କେତେ ଦେଖିଛି। ସେ ଆମର ଏମିତି କ’ଣଟେ କରି ପକେଇବ” ? – ଏୟା କହି ପକେଟରୁ ରିଭଲଭରଟା ଖୋଲି ହାତରେ ଧରିଲେ। “କିଏ ସେ, କିଏ ସେ” ପାଟି କଲେ। ଲୋକଟା କିଛି ନକହି ଓଲଟା ତାଙ୍କ ଆଡ଼କୁ ଧୀରେ ବଢୁଥିଲା। ବନ୍ଧୁ- “ହେଇ.. ହେଇ.. ଆଇଲା, ଏଥର ଆମକୁ ଖାଇବ”। ଏ କଥା ଅତି ଅଧୈର୍ଯ୍ୟ ହୋଇ କହିଲାରୁ ସେ ବାଧ୍ୟ ହୋଇ -” ସେଇଠି ଛିଡା ହଅ! ନହେଲେ ଗୁଳି କରିଦେବି “କହି ଗୋଟେ ରାଉଣ୍ଡ ଗୁଳି ଚଳେଇବା ପାଇଁ ଟ୍ରିଗର୍ ରେ ଜୋହର୍ କରି ଟିପଟା ଦବେଇ ଧରିଲେ।ଲକ୍ଷ୍ୟ ଗୋଡକୁ ଥିଲେ ହେଁ ଏହି ସମୟରେ ବନ୍ଧୁ ରୋକିବାକୁ ଚେଷ୍ଟା କରି ହଲେଇ ଦେବାରୁ ଗୁଳିଟା ଲୋକଟାର ଛାତି ପଟେ ଦେଇ ଚାଲି ଗଲା ବେଳେ ପୁଚ୍କିନା ପୁଳାଏ ଖଣ୍ଡ ରକ୍ତ ଛିଟିକି ଉଠିଲା ପିଚକାରୀ ଭଳି। କିନ୍ତୁ ଲୋକଟା କାହିଁ କୁଆଡ଼େ କ୍ଷଣିକେ ଉଭାନ୍ ହୋଇ ପୁଣି ପ୍ରତୀୟମାନ ହେଲା। ଦେଖିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଶରୀରଟା ଚାରିଆଡ଼େ ବିଛେଇ ହୋଇ ପଡ଼ିଛି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ାକ ଯେମିତି ସବୁ ଖଣ୍ଡ ବିଖଣ୍ଡିତ ହୋଇ ରହିଛି। ଗଣ୍ଡି ଠାରୁ ଗୋଡ ହାତ ଓ କଟା ମୁଣ୍ଡ- ସବୁ ଅଲଗା। ପାଖରେ ଗୋଟେ ବଡ଼ ଅଖା ପଟ ପଡିଥାଏ। ସେଥିରେ ସବୁ ସଟାସଟ ପଶି ହୋଇଗଲା। ସବୁ କିଛି ଆଖି ପିଛୁଳାକେ ହୋଇ ଯାଉଥିଲା। ଭାବିବାକୁ ତର ନଥାଏ। ବନ୍ଧୁ ଡରରେ ଏକଦମ୍ ହାଲିଆ। ସେ ତାଙ୍କ ପଛ ପଟରୁ ସିଟ୍ ସହ ରାମହରି ବାବୁଙ୍କୁ କୁଣ୍ଢେଇ ପକେଇ ଏକରକମର ଝୁଲି ରହିଥାନ୍ତି ଯେପରି ରାଜା ବିକ୍ରମାଦିତ୍ୟ କାନ୍ଧରେ ବେତାଳର ଶବ ଝୁଲି ରହିଥିଲା। ନିଜର ତ ପାଟି ଆଫାଆଫା ତାଙ୍କୁ ଆଉ ବଳ ଦେବ କ’ଣ ନା ବୋଧ?
ଏଥର ଅଖା ପଟଟାର ମୁହଁଟା ବାନ୍ଧି ଆପେ ଆପେ ବାନ୍ଧି ହୋଇଗଲା। ସେଇଟା ପୁଣି ହଲିବାକୁ ଲାଗିଲା। ଏବେ ପଟଟା ଉଦଣ୍ଡ ନାଚ କଲା ପରି ଥେଇ ଥେଇ ନାଚିଲା ଓ ଡେଇଁ ଡେଇଁକା ଗାଡି ପାଖକୁ ଆସିଗଲା। ଶରୀରର ତ ବଳ ନଥଏ ମନରେ ବି ସାହସ। ଖାଲି ବନ୍ଧୁଙ୍କୁ ସମ୍ଭାଳିବା ପାଇଁ ମୁହଁ ଭୁରୁଡ଼ି ଟିକିଏ ଯାହା। ତେଣୁ “ରହିଯା’! ନହେଲେ ଭଲ ହେବ ନାହିଁ “କହି ପୁଣି ଗୋଟେ ରାଉଣ୍ଡ ଗୁଳି ଚଳେଇବା ପାଇଁ ମନେ ମନେ ପ୍ରସ୍ତୁତ ହେଉଥାନ୍ତି। ଏବେ ପଟଟି ଭିତରୁ ଅଚାନକ ମଧ୍ୟମ ବୟସ୍କ ଯୁବକଟିଏ ବାହାରି ଆସିଲା। ସଧୀରେ ଆସି ଗାଡି ପାଖରେ ଛିଡ଼ା ହେଲା। ତା ମୁଖ ମଣ୍ଡଳରେ କୌଣସି କ୍ଷତ ନଥିଲା ବରଂ ମଳିନତା ଛାଇ ହୋଇଯାଇଥିଲା। ବେଶ୍ କଷ୍ଟ ସେ ଅନୁଭବ କରୁଥିଲା ପରି ମନେ ହେଉଥିଲା। ତା’ର ସବୁତକ ବେଦନା ଅଭିବ୍ୟକ୍ତି ଲାଭ କରିବା ପାଇଁ ଯେମିତି ବ୍ୟଗ୍ର ହୋଇଉଠୁଥିଲେ। ଭୟ ଓ ବିସ୍ମୟର ସୀମା ରହୁ ନଥାଏ। ଏଥର ତା’ ଆଡୁ ଉତ୍ତର ଆସିଲା – “ମୋତେ ଗୁଳି କଲେ, ମୋର କିଛି ହେବ ନାହିଁ। ହେଲେ ମୋତେ ଡରନ୍ତୁ ନାହିଁ। ମୁଁ କେବଳ ମୋ କଥା ପଦକ କହି ଏଠୁ ଚାଲିଯିବି। ଏହା ପୂର୍ବରୁ ଯେ କହିବାକୁ ଚେଷ୍ଟା କରି ନାହିଁ ତାହା ନୂହେଁ, ଅନେକଙ୍କୁ କହିବାର ପ୍ରଯତ୍ନ କରିଛି। ହେଲେ ମୁଁ କିଛି କହିବା ପୂର୍ବରୁ କିଏ ବେହୋସ୍ ହୋଇଯାଇଛି ତ କିଏ ପୁଣି ଦୌଡ଼ି ଦୌଡ଼ି ପଳେଇଛି। ମୁଁ ଯେତେ ପଶ୍ଚାତ୍ ଧାବନ କରି ଡାକେ – “ଏ ଟିକେ ଶୁଣ!” କେହି ହେଲେ ଶୁଣନ୍ତିନି। ଡରରେ କାହାରି କାହାରି ବି ମୃତ୍ୟୁ ହୋଇଥାଇ ପାରେ, ମୁଁ କିନ୍ତୁ କାହାରି କିଛି କ୍ଷତି କରିବାକୁ ଚାହିଁ ନାହିଁ। ମୁଁ କେବଳ ମୋ କଥା କହିବାକୁ ଚାହିଁଛି – ମୋ ଆତ୍ମାର ସଦ୍ଗତିଃ ପାଇଁ। ତେଣୁ ମୋ କଥା କାହାକୁ କହି ନପାରି ଥିବାର ଦୁଃଖ ଏବେ ବି ମୋ ମନ ଇଲାକାରୁ ହଟି ନାହିଁ, ଯାହା ମୋତେ ଶୋକାଭିଭୂତ କରିଦେଇଛି। ଆପଣ ମାନଙ୍କର ହିମ୍ମତ ଅଛି – କଥାଟା ଶୁଣିବା ପାଇଁ। ସେଥିପାଇଁ ବଡ଼ ଭରସା କରି କହିବାକୁ ଚାହୁଁଛି। ଦୟାକରି ଟିକିଏ ଶୁଣିଲେ ମୋ ଆତ୍ମାକୁ ଶାନ୍ତି ମିଳନ୍ତା”।
ଡରରେ ବନ୍ଧୁ” ନାଇଁ.. ନାଇଁ.. ତୁ.. ଏଠୁ.. ଯା.. ଯା.. ପଳା “ଆଖି ବୁଜି କେବଳ ଶୁଣି କହି ଆସୁଥିଲେ। ରାମହରି ବାବୁ ବୁଝେଇ ଦେଲାଠୁଁ ସେ ଶାନ୍ତ ପଡିଗଲେ। ଯୁବକ ଆରମ୍ଭ କଲେ। ରାମହରି ବାବୁ କାଚଟାକୁ ତଳକୁ ଆଉ ଟିକେ ଖସାଇ ଦେଲେ।
-କ୍ରମଶଃ..
ଚନ୍ଦକା ଜଙ୍ଗଲରେ ଗୋଟେ ରାତି
.. By ସତ୍ୟ ପ୍ରକାଶ ସେଠୀ
-ଆମ ଘର ଢେଙ୍କନାଳ ବଡ଼ ଖୁମ୍ବା। ଆମେ ଦୁଇ ଭାଇ ।ବୟସର ବ୍ୟବଧାନ ଖୁବ୍ କମ୍, କିନ୍ତୁ ସମ୍ପର୍କରେ ଅନ୍ତରାୟ ରଣ ଚଣ୍ଡୀ ଭାଉଜ। ସବୁ ବେଳେ କୁମନ୍ତ୍ରଣା ଦେଇ ମୁଣ୍ଡଟାକୁ ବିଗାଡି ରଖି ଥୋଇଥାଏ ଗାଁରେ ଜମିଜମା କିଛି କମ୍ ନୁହେଁ ।ତେଣୁ ସମ୍ଭ୍ରାନ୍ତ ଘର ପରି ଚଳନୀ। ଜେଜେ ମାଆ ଚାଲିଯାଇଥିଲେ-ଆଗରୁ । ଏଥର ମାଆ ବି ଚାଲିଗଲେ। ବୁଢ଼ା ବାପାଟାକୁ ଧରି ଗାଁ ରେ ମୁଁ ଏକଲା ରହେ। ଭାଇ ମୋର ଭୁବନେଶ୍ବରରେ ଗୋଟେ ଚାକିରୀ କରିଛି। ଟିକିଏ ପଇସାବାଲା। ଭାଉଜ ଓ ପିଲାଙ୍କୁ ଧରି ଏହି ସହରରେ ରହୁଛି, ହେଲେ ଭାରି ପଇସା ପ୍ୟାରା। ନିଜ ପଇସାରୁ କାହାକୁ ଟଙ୍କାଟିଏ ଦିଏ ନାହିଁ, ବରଂ ପର ଧନ ହଡ଼ପ ଚିନ୍ତା ତାକୁ ଅହରହ ଘାରେ। ନିଜେ ବଞ୍ଚିଲେ ବାପାର ନାଁ, ଆଉ କିଏ ମଲେ ଅବା ଗଲେ ତା’ର କ’ଣ ଯାଉଛି – ଏହି ନ୍ୟାୟରେ ସେ ସଦା ସର୍ବଦା ଜୀଏଁ। ମୋତେ କି ବାପାଙ୍କୁ କେବେ ଟଙ୍କାଟିଏ ତ ଦେଇ ନାହିଁ, କିନ୍ତୁ ଘରୁ ଧନ ଚାଉଳ ଓ ବିରି ମୁଗ ସବୁ ନେବ। ଭାରି ଲୋଭୀ, ସ୍ଵାର୍ଥପର ମଣିଷଟେ। ଗାଡି ମୋଟର କାର୍ ସବୁ କରିଛି, ତଥାପି ଲୋଭ ସହରରେ କୋଠା କରିବ। ସେଥିପାଇଁ ଗାଁ ଜମିଜମା ବିକ୍ରି କରିବା କୁଆଡ଼େ ଏକାନ୍ତ ଜରୁରୀ। ତେଣୁ ମଘା କାମ ନ ସରୁଣୁ ଗରାଖ ଯୋଗାଡ଼ ବିକ୍ରି ବଟା ପାଇଁ। ମୁଁ ଏଥିରେ ବିରକ୍ତି ହେଲାରୁ ମୋତେ ମାରି ଗୋଡାଇଲା। ପୁଣି ରାଗିରୁଗା କି ସହର ପଳେଇ ଆସିଲା। ବନ୍ଧୁ ବାନ୍ଧବ ସମସ୍ତଙ୍କ ସହ ଅପଡ କରିଦେଲା। ମୋ ମନଟା ଜମାରୁ ବୁଝିଲା ନାହିଁ। ଦିନେ କାହାକୁ କିଛି ନକହି ସହର ଆସିଗଲି। ଭାଉଜକୁ ବୁଝାଶୁଝା କଲି। ଭାଉଜ କହିଲେ – “ତୁମ ଭାଇ ଫେରନ୍ତୁ ରାତିକୁ କଥା ହେବା। ଆଜି ଦିନକ ରହି ଯାଅ”।
ମୁଁ ବି ଅଟକି ଗଲି। ସନ୍ଧ୍ୟା ହେଲା, ଭାଇ ଆସିଲା। ମୋତେ ଦେଖିକି ଚିଡ଼ୁଥିଲା ଝଗଡ଼ା ଝାଣ୍ଟି ଢେର୍ ହେଲା। ଭାଇ କହିଲା – “ଜମିଜମା ସବୁ ବିକ୍ରୀବଟା କରିବା ପାଇଁ ଯିଏ ବି ବାଧକ ହେବ ତାକୁ ହାଣି ଟିକି ଟିକି କରିଦେବି “-ଇତ୍ୟାଦି ଧମକପୂର୍ଣ୍ଣ ଗାଳି। ମୁଁ ବି ସେତେବେଳକୁ ରାଗି ଗଲିଣି। କଥାରେ କଥା କହିଦେଲି -” ମୁଁ ବଞ୍ଚିଥିଲା ଯାଏଁ ସେଥିରୁ ଗୁଣ୍ଠେ ବିଶୁଏ ବି ବିକ୍ରି ହୋଇ ପାରିବ ନାହିଁ। ତେଣିକି ରକ୍ତ ନଦୀ ପଛେ ପଛେ କାହିଁକି ବୋହି ନଯାଉ”। ସେ ଖାଲି ଦାନ୍ତ କଡ଼ମଡ଼ କରୁଥିଲା। ରାଗରେ ଚୂଡ଼ା ଚାଉଳ ଚୋବାଉଥିଲା। ମୁହଁ ହାଣ୍ଡି କରି ରହିଲା। ମୁଁ ତା ଢଙ୍ଗରଙ୍ଗ ଦେଖି ବଡ଼ କ୍ଷୁବ୍ଧ ହେଲିଣି। କହିଲି-” ରାତି ଅଧ ହେଉ ପଛେ ମୁଁ ଘରକୁ ଚାଲିଲି, ତୁମ ପାଖରେ କିଏ ରହିବ ଲୋ ମାଆ! “ଭାଉଜ ଭାଇକୁ ଘର ଭିତରକୁ ଟାଣି ନେଇ କ’ଣ ଫୁସୁଫୁସୁ ହେଲେ। ତା’ପରେ ବାହାରି ଆସି ମୋତେ ବୋଧ ଦେଇ ଅଟକା ଅଟକି କଲେ। ମାଉଁସ ଭାତ ଦେଇ ବିଶ୍ବାସ ଜିତିଲେ। ମୋତେ କିନ୍ତୁ ଆଦୌ ଭଲ ଲାଗୁ ନଥାଏ। ଏମାନଙ୍କ ଠାରଠୁର ଦେଖି ମୋର ଟିକିଏ ସନ୍ଦେହ ହେଉଥିଲା। କ’ଣ କରିବି ରାତିଟା ପାହୁ ତେଣିକି ଯେଉଁ କଥା। ଏଡ଼େ ବଡ଼ ରାତିଟାରେ ଏଇଲାଗେ କୁଆଡ଼େ ଯିବି? ଆଉ ଗଙ୍ଗା ଯିବି ନା ଫଳ ପାଇବି। ଏଥରକ କେମିତି ଏଠୁ ଉଧୁରିକି ଯାଏଁ। ଏମିତି ଶଙ୍କା ଆଶଙ୍କାରେ ନିଦ ହେଉନଥିଲା। ଶେଷରେ ଚାଦରଟା ମୁହଁରେ ଘୋଡାଇ ହୋଇ ଶୋଇ ପଡ଼ିଲି। ଭାଇ ଭାଉଜ ଅର୍ଦ୍ଧ ରାତିରେ ଚୁପିଚୁପି ମୋ ରୁମକୁ ଆସି ମୋ ବେକ ଉପରେ ରଡ଼ ପକେଇ ଖଟ ତଳକୁ ଜୋହରରେ ଚାପି ଧରିଲେ। ଗଁ ଗଁ ଡାକିବାରୁ ମୁହଁରେ ଘୋଡେଇଲା ଚାଦରଟା ଠୁସିକି ପୂରେଇ ବିଣ୍ଡା ଦେଇ ପାଟି ବନ୍ଦ କରିଦେଲେ। ଏଥର ଗୋଟେ ଅଖା ମୁଣିରେ ମୋତେ କାଟି ଖଣ୍ଡଖଣ୍ଡ କରି ପୂରାଇ ଦେଲେ। ମୋ ହାତ ଗୋଡ଼ ସବୁ ମାଡ଼ି ମକଚି ହୋଇ ଚାପି ହୋଇ ରହିଥାଏ। ଭୋର୍ ଭୋର୍ ହେବା ପୂର୍ବରୁ ମୋତେ କାରରେ ଆଣି ଏଇଠି ଗୋଟେ ବୁଦା ମୂଳେ ଗାତ ଖୋଳି ପୋତି ଦେଲେ, ମୋ ଉପରେ ପଥର ଢାଙ୍କି ଦେଇ ଚାଲିଗଲେ। କେହିବି ଟେର ପାଇଲେ ନାହିଁ। ଘରେ ବାପା ଖୋଜି ଖୋଜି ରହିଲେ। ବୁଢ଼ା ଲୋକ ନିଇତି ଆଖିରୁ ଲୁହ ଢାଳୁଛନ୍ତି। ତାଙ୍କ ଦୁଃଖ ଆଉ କିଏ ବୁଝିବ କହିଲେ? ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବ ପତା ନେଲେ, ନ ପାଇବାରୁ ଚୁପ୍ ରହିଲେ। ଏବେ ବି ବୁଢ଼ା ବାପାଟା ଭାବୁଛି – “ପୁଅ ମୋ ନିଶ୍ଚୟ ଫେରିବ” । ମୋ ବାଟକୁ ଚାହିଁ ରହିଛି। ହେଲେ ମୁଁ କ’ଣ ଆଉ ଫେରି ପାରୁଛି?
କିଛି ଦିନ ଅପେକ୍ଷା କରି ଭାଇ ଭାଉଜ ଜମି ଜମା ଓ ଘର ଢିଅ ପର୍ଯ୍ୟନ୍ତ ସବୁ ବିକ୍ରୀ କରି ଦେଇ ସହରରେ ଏବେ ମହା ଆନନ୍ଦରେ ରହୁଛନ୍ତି। ହେଲେ ବାପା ମୋର ଗ୍ୟାରେଜ୍ ଘରେ ମଶା ଡାଉଁଶ ମାରି ହେଉଛନ୍ତି। ତାଙ୍କ ଦୁଃଖ ଆଉ ସହି ହେଉନାହିଁ। ମୁଁ କିନ୍ତୁ ଚାହୁଁଛି ନ୍ୟାୟ, ତେଣୁ ରାତିରେ ନିରୋଳାରେ ଯାହାକୁ ଦେଖେ ତାକୁ ଅଟକାଇ ଏହି କେଇପଦ କଥା କହିବାକୁ ଚାହେଁ। ହେଲେ ଶୁଣିବା ପରି ଧୈର୍ଯ୍ୟ ବା ଶକ୍ତି ଓ ସାମର୍ଥ୍ୟ କାହାରି ପାଖରେ ଭଲା ଥାଆନ୍ତା? ମୋ କଥା ଅକୁହା ହୋଇ ସେଇମିତି ରହିଯାଏ। ମୋ କଥା ଶୁଣିବା ଆଗୁ କିଏ ବେହୋସ୍ ହୋଇଯାଏ ତ କିଏ ପୁଣି ଡିଆଁ ଧମ୍ପଡ଼ା ମାରି ପାର। ମୁଁ କିଛି ସମୟ ପାଇଁ ପଶ୍ଚାତ୍ ଅନୁଧାବନ କରେ, ତା’ପରେ ଅପେକ୍ଷା କରି ରହେ ଆଉ କିଏ ଆସିଲେ କହିବା ପାଇଁ। ମୁଁ କିନ୍ତୁ କାହାରି କିଛି କ୍ଷତି କରିବାକୁ କେବେ ଚାହିଁ ନାହିଁ, କାରଣ ମୁଁ ଚାହେଁ କେବଳ ନ୍ୟାୟ। ନ୍ୟାୟ ନ ପାଇଲା ଯାଏଁ ମୁଁ ସହଜେ ଛାଡ଼ିବି ନାହିଁ। ତୁମେ କ’ଣ ମୋ ପାଇଁ ଏତିକି କରି ପାରିବ ନାହିଁ? ଦୋଷୀକୁ ସଜା ନମିଳିଲେ ମୋ ଆତ୍ମ ଶାନ୍ତି ପାଇ ପାରିବ ନାହିଁ”।
ଏ କଥାଟା କହି ଆସିଲା ବେଳକୁ ରାତି ପାହି ଆସୁଥିଲା ଛାୟା ଚିତ୍ରଟି କୁଆଡ଼େ ଅଦୃଶ୍ୟ ହୋଇଗଲା। ବୁଲି ପଡି ପଛକୁ ଚାହିଁଲା ବେଳକୁ ବନ୍ଧୁ ଏକ ଲୟରେ ଶୁଣି ମଟକା ମାରି ନେଇଛନ୍ତି। କାଣୀ ଆଙ୍ଗୁଠିଟା ଧରି ଟାଣି ଦେଲାଠୁଁ ହଁ ନାହିଁ ବାଉଳି ହୋଇ କହିଲେ -” ହଁ ହଁ ଥାନାରେ ଏଫ୍. ଆଇ. ଆର୍. ଦେବା ।ରାମହରି ବାବୁ କହିଲେ -” ନା, ଆଗ ଘରକୁ ଯାଇ ଫ୍ରେସ୍ ହେବା, ତା’ପରେ ଢେଙ୍କାନାଳ ଯାଇ ସବୁ କଥା ବୁଝି ଆସିଲା ପରେ ତେଣିକି ଯୋଉ କଥା। ସିନ୍ଦୂରା ଫାଟି ଆସୁଥାଏ, ସକାଳ ହୋଇସାରିଥାଏ। ଗାଡିରୁ ଓହ୍ଲାଇ କାରର ଢାଙ୍କୁଣୀ ଖୋଲିଲେ। କ’ଣ ଟିକିଏ ଏଣୁତେଣୁ ଏପଟ ସେପଟ କରି ଦେଖିଲାଠୁଁ ଗାଡି ଷ୍ଟାର୍ଟ ହୋଇଗଲା। ଗାଡିରେ ବସି ଦୁଇବନ୍ଧୁ ହୋସ୍ ନେଲେ, ଗାଡି ଚାଲିଲା ଆଗକୁ।
3. ଭୂତୁଣୀ ସାହିତ୍ୟିକା
ଆମେ ଛୋଟ ମୋଟ ଚାକିରୀ ଖଣ୍ଡେ ଅଧେ କରିଛୁ। ପଢ଼ା ଲେଖା ବି କିଛି କମ୍ ନାହିଁ। ତେଣୁ ସାମାଜିକ ପ୍ରତିପତ୍ତି ଓ ପ୍ରଭାବ ମଧ୍ୟ କିଛିଟା ଅଛି। ସେଥିପାଇଁ କେଉଁଠି କେମିତି ସଭା ସମିତିକୁ ବେଳେ ଅଧେ କେହି କେହି ଆମକୁ ଡାକନ୍ତି। ହେଲେ ରାଜନୈତିକ ସଭାରେ ରାଜନେତା, ସାହିତ୍ୟିକ ସଭାରେ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ପ୍ରବକ୍ତାମାନେ ଭଲ ଭାଷଣ ଦିଅନ୍ତି। କିନ୍ତୁ ଆମେ ବା କି ଭାଷଣ ଦେବୁ? ତେଣୁ ଆମର ନିକୃଷ୍ଠିଆ ଗୁଣ ଦେଖି ବହୁତ ଯାଗାରେ କଣ ଠେସା ଦଶା ଭୋଗିବାକୁ ପଡ଼ିଛି । ଅନ୍ୟାନ୍ୟ ସଭା ସମିତି ଗୋଟେ ପ୍ରକାରର। ହେଲେ ଏହି ସାହିତ୍ୟିକମାନଙ୍କର ସମ୍ମିଳନୀ ଗୁଡାକ ଭାରି ବିପଦଜ୍ଜନକ। ଏଠି ସମସ୍ତେ ଆବୁଡ଼ା ପଡ଼ନ୍ତି, ସାହିତ୍ୟିକର ସ୍ୱୀକୃତି ପାଇବା ପାଇଁ। ଆଉ ଯଦି କେଉଁଠି ଓଳମ ବିଳମ ହୋଇଗଲା ବା କଥା ଓ ଭାବର ତାଳମେଳ ନ ରହିଲା, ତେବେ ମଲ। ଏମାନଙ୍କ ଭିତରୁ ଦଳେ ମାଡ଼ି ଆସିବେ ଆକ୍ରମଣ କରିବାକୁ। ମାତୃଭାଷା ଓ ମାତୃଭୂମିର ଦ୍ୱାହି ଦେଇ ଏମିତି ବହେ ଗପିବେ ଯେ, ମନ ଘର ଧରିଯିବ। ଏମାନେ ସମସ୍ତେ ଦୋଷ ବାଛିବାରେ ପି. ଏଚ୍. ଡି. କରିଛନ୍ତି। ଅନ୍ୟକୁ ସମାଲୋଚନା କରି ସମାଲୋଚକ ହେବାର କୃତି ଓ ଗୌରବ କିଣିବା ପାଇଁ ଏମାନେ ଯତପରୋନାସ୍ତି ତତ୍ପର। ଏମାନେ ଭଲ ସାହିତ୍ୟିକ କି ନୁହେଁ, ମୁଁ କହି ପାରିବି ନାହିଁ, କିନ୍ତୁ ସଭା ସମିତିରେ ବୁଲି ବୁଲି ଭଲ କହି ପୋଛିଲା ବାଲା ହୋଇଛନ୍ତି। ଏମାନେ ଆତ୍ମ ପ୍ରଚାର ପାଇଁ ଚାରିଆଡ଼େ ଧସେଇ ପଶିବେ, ଅନ୍ୟକୁ ଗାଳି ଦେଇ ନିଜେ ସୁସାହିତ୍ୟିକର ଗୌରବ ମୁଣ୍ଡେଇବେ।
ସେଦିନ ପ୍ର. ଅଟ୍ଟକଳଙ୍କ ଘରେ ଗୋଟେ ସାହିତ୍ୟ ଆସର ହେଉଥାଲା । ମୋତେ ସେଠିକି ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି କରିକି ଡାକିଥିଲେ, ହେଲେ କୁହାଇ ଦେଲେ ନାହିଁ । କ’ଣ ଗୋଟେ ମୋ ପାଟିରୁ ପାନରୁ ଚୂନ ଖସିଗଲା ପରି ଗୋଟେ ବାହାରି ଗଲା ଯେ, ଖାଲି ହୋ ହୋ ହୋଇ ପାଟି କରି ଉଠିଲେ-“ସାହିତ୍ୟରେ ସ ଅକ୍ଷର ଜଣା ନାହିଁ କ’ଣନା ଚାଲି ଆସିଲେ ସାହିତ୍ୟ ସଭାରେ ଅତିଥି ହୋଇ” ।ଏତିକିରେ ଲଜ୍ଜା ଓ ଅପମାନରେ ମୋ ମୁହଁ କଳାକାଠ ପଡିଗଲା। ମୁଁ ଆତ୍ମ ଗୋପନ କରି ନ ଖାଇ ପିଇ ଘରକୁ ଫେରି ଆସିଲି। ମନରେ ସରାଗ ନଥିବାରୁ “କ’ଣ ହେଲା କି” ବୋଲି ପତ୍ନୀ ମୋର ପଚାରି ବସିଲେ।, ମୁଁ କିଛି କହିଲି ନାହିଁ। ମନେ ମନେ ଭାବିଲି କିଛି ଲେଖାଲେଖି କରି ମୁଁ ବି ସାହିତ୍ୟିକ ହୁଅନ୍ତି କି? କିନ୍ତୁ କେମିତି? ମୋର ତ ସାହିତ୍ୟ ହୁଏ ନାହିଁ, ତାଛଡା କେବେ ବି ଲେଖା ଲେଖି ନାହିଁ। ମନକୁ ଆସିଲା- “ସାହିତ୍ୟ କୁଆଡେ ସରସ୍ଵତୀଙ୍କ ବାଣୀ ଓ ସାଧନା । ସେ କଣ୍ଠରେ ନ ବସିଲେ ସାହିତ୍ୟ ହେବ ନାହିଁ। ହେଲେ ଏ ଦେବାଦେବୀ କଥା ଆଜ୍ଞା କୁହନ୍ତୁ ନାହିଁ। ଏମାନଙ୍କୁ ଡାକିଲେ ଏମାନେ କୋଉ ସହଜରେ ଦେଖା ଦେବେ କି? ବର ପ୍ରଦାନ କଥା ତ ପଛରେ। ତେଣୁ ଯଦି କୋଉ ଭୂତୁଣୀ ବା ପ୍ରେତିନୀକୁ ସ୍ମରଣ କରାଯାଏ, ସେ ହୁଏତ ସହଜରେ ଦୃଶ୍ୟ ହୋଇପାରନ୍ତି ଓ ତତ୍ କ୍ଷଣାତ୍ ବର ମଧ୍ଯ। ହେଲେ ସରସ୍ଵତୀ, ହିଙ୍ଗୁଳା, ଲକ୍ଷ୍ମୀ, ତାରିଣୀ ପ୍ରଭୂତି ଦେବୀ ଓ ଗଣେଶ, କାର୍ତ୍ତିକ, ବ୍ରହ୍ମା, ବିଷ୍ଠୁ, ମହେଶ୍ୱର ଆଦି ଦେବତାଙ୍କର ଯେପରି ନାଁ ଅଛି ସେହିପରି କୌଣସି ଭୂତ ପ୍ରେତର ତ ନାଁ ନାହିଁ କି ରୂପ ।ତେବେ ମୁଁ କେଉଁ ଭୂତ ଭଉଣୀଙ୍କୁ ଡାକିବି? ମନ ଉପରେ ଟିକିଏ ଜୋହର୍ ଲଗେଇ ଭାବିଲି। ପୁଣି ଯାହାକୁ ନାହିଁ ତାକୁ ତ ଡାକିଲେ ଚଳିବ ନାହିଁ, କାରଣ ଯାହାର ଯେଉଁଥିରେ ପୁଣି ଦଖଲ ଥିବ ନା? ଏଇ ଯେମିତି ଧନ କଥା ହେଲେ ଲକ୍ଷ୍ମୀ ଓ ବିଦ୍ୟା କଥା ହେଲେ ସରସ୍ଵତୀ ବା ଗଣେଶ। ସେହିପରି ସାହିତ୍ୟରେ ଜ୍ଞାନ ଥିବା ଗୋଟେ କେହି ଭୂତ ବା ଭୂତୁଣୀ ଦରକାର। ବହୁତ ଭାବିଲା ପରେ ଆଖି ସାମ୍ନାକୁ ଆସିଲେ ଅନୁଷ୍କା ଦେବୀ, ଯିଏକି ଜଣେ ବଡ଼ ସାହିତ୍ୟିକା ଓ ସୁଲେଖିକା ଏବଂ ଯାହାଙ୍କର ନିକଟ ଅତୀତରେ ଆମ ସହରର ରହୁଥିବା ବେଳେ ଅତି ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ତେଣୁ ସେହି ଅନୁଷ୍କା ରୂପୀ ଭୂତୁଣୀକୁ ଧ୍ୟାନ କରିବାକୁ ମନେ ମନେ ସ୍ଥିର ନିଶ୍ଚୟ କରି ନେଲି।
ଏଥର ଅନୁଷ୍କା ଦେବୀଙ୍କ ମୁଖ ମଣ୍ଡଳଠୁଁ ଶରୀର ଯାଏଁ ସବୁ ଦୃଶ୍ୟମାନ କରି ଗଢି ତୋଳିଲି ଓ ମୋତେ ସାହିତ୍ୟ ଜଗତରେ ଲେଖାଲେଖି କରିବାରେ ସାହାଯ୍ଯ କରିବାକୁ କାକୁସ୍ଥ ହୋଇ ଜଣାଇଲି । ସେ ତଥାସ୍ତୁ କହି ବର ଦେଲେ।
ସେତେବେଳକୁ ମୁଁ ମୋ ଭାବନା ରାଜ୍ୟରେ ବୁଡ଼ି ଯାଇଥାଏ। ପତ୍ନୀ ମୋର ଶୋଇ ପଡ଼ିଥାନ୍ତି। ଅନୁଷ୍କା ଦେବୀଙ୍କର ଛାୟା କାନ୍ଥରେ ଦୃଶ୍ୟମାନ ହେବାକୁ ଲାଗିଲା। ପଢ଼ା ଘରେ ଅନ୍ଧାରଟାରେ ରାତି ଅଧରେ ମୁଁ ଏକୁଟିଆ ବସି ରହି ଛଟପଟ ହେଉଥାଏ। କିଟିମିଟିଆ ଅନ୍ଧାର। ଯୋଗକୁ ବିଦ୍ୟୁତ୍ କାଟ ହୋଇଥାଏ। ଭାରି ଅଣନିଶ୍ଵାସୀ ବୋଧ ଲାଗୁଥାଏ। ସାଇଁ ସାଇଁ ନିଶା ଗର୍ଜୁଥାଏ, ଚାରିଆଡ଼େ ଅଣଚାଶ ପବନ ବହୁଥାଏ। ହଠାତ୍ ଝରକା ଗୁଡ଼ାକ ଖଡଖାଡ ହୋଇ ଖୋଲିଗଲା। ଅମବାସ୍ୟାର ରାତି। କ୍ଷଣିକେ ଭୟରେ ହୃଦୟ ମନ୍ଥିତ ହୋଇଗଲା। କାନ୍ଥରେ ଛାୟାଟିଏ ଉତ୍ତୋଳିତ ହେବାକୁ ଲାଗିଲା।ପ୍ରଥମେ ମୁଖ ମଣ୍ଡଳର ଚିତ୍ର ଓ ପରେ ସମ୍ପୂର୍ଣ୍ଣ ଶାରୀର। ଖୁବ୍ ସୁନ୍ଦର ନାରୀ ମୂର୍ତ୍ତିଟିଏ। ଇଚ୍ଛା ହେଉଥିଲା ତା ରୂପ ଓ ଯୌବନ ଦୁଇଟାଯାକ ଦେଖିବା ପାଇଁ, କିନ୍ତୁ ପରକ୍ଷଣରେ ଏପରି ଅସ୍ୱାଭାବିକ ଘଟଣା ପାଇଁ ମନରେ ଡର ପଶୁଥାଏ। ଏହା ମନର ଧାରଣା ନା ଭ୍ରାନ୍ତି ମୁଁ କିନ୍ତୁ କିଛି ବୁଝି ପାରୁ ନଥାଏ। ଦେହ ହାତ କିନ୍ତୁ ରୋମାଞ୍ଚିତ ହୋଇ ଉଠୁଥାଏ। ମନର ବଳ କମି ଯାଉଥାଏ ଆଉ ଶରୀରର ବି ଶକ୍ତି। ମୁଁ ବଳବୀର୍ଯ୍ୟହୀନ ହୋଇ ପଡୁଥାଏ। ଧୀରେ ଧୀରେ କାନ୍ଥରୁ ଛାୟା ଉଠି ଆସି ମୋ ପାଖରେ ପଡିଥିବା ଅନ୍ୟ ଗୋଟେ ଚେୟାର ଉପରେ ବସିପଡି ଦୋହଲିବାକୁ ଲାଗିଲା। ମୁଁ ହାଉଁ ହାଉଁ ହୋଇ ପାଟି କରି ଆସୁଥିଲି, ଯେମିତି କିଏ ମୋ ମୁହଁ ଉପରେ ବଳ ପୂର୍ବକ ହାତ ରଖି ଚାପିଦେଲା। ମୋର ଗଇଁ ମାରିନେଲା। ମୁଁ ପାଟି ଖୋଲି ପାରିଲି ନାହିଁ। ଏହି ସମୟରେ ବିଜୁଳିଟା ଚକମକ ହୋଇ ଦିଶିବାରୁ ମୁଁ ସ୍ପଷ୍ଟ ଭାବେ ଦେଖି ପାରିଲି ଛାୟା ମୂର୍ତ୍ତିଟି ହେଉଛି ମୋ ପରିକ୍ଲପିିତ ଅନୁଷ୍କା ଦେବୀଙ୍କର। ମୁଁ ଆହୁରି ଡରି ଗଲି ଓ ନିଜକୁ ମନେ ମନେ ଦାୟୀ କରୁଥିଲି ମୋର ଏହି ଅବାସ୍ତବ ପରିକଳ୍ପନା- ପ୍ରେତ ପୂଜା ପାଇଁ। ଏଥର ଛାୟା ମୂର୍ତ୍ତିଟି କିଛି ନିର୍ଦ୍ଦେଶ ଦେବା ଠାଣିରେ ହାତ ହଲାଇଲା। ବୁଝିଗଲି – କିଛି ବୋଧେ ଈଶାରା କରିବାକୁ ଚାହୁଁ ଥାଏ। ଏଥର ଆହୁରି ଡରି ଗଲି। ତଣ୍ଟି ଶୁଖି ଅଠା ଅଠା ହୋଇଯାଉଥାଏ। ଛାତି ଧଡପଡ ହେଉଥାଏ। ଭାବୁଥାଏ – ରକ୍ତ ବଳି କି ଜୀବ ବଳି ବୋଧେ ମାଗି ପାରେ। କାରଣ ଏପରି ମୁଁ ଶୁଣିଛି – ପ୍ରେତାତ୍ମାମାନେ କୁଆଡ଼େ ମାଗନ୍ତି, ନଦେଇ ପାରିଲେ କଞ୍ଚା ଚୋବାଇ ଯିବେ। ମୋର ଧ୍ୟାନ ଭଗ୍ନ ହୋଇଥିଲା ଯେତେବେଳେ ମୋର ସମସ୍ତ ଭାବନାକୁ ବିପର୍ଯ୍ୟସ୍ତ କରି ସେପଟରୁ ଉତ୍ତର ଆସିଲା – “କାଗଜ କଲମ ଧରି ଲେଖ”। “କ’ଣ ଲେଖିବି “ଖନି ମାରି ନେଇଥିବା ପାଟିରେ ପଚାରି ଆସୁଥିଲି, ଆଦେଶ ଦେବା ଠାଣିରେ ଧମକ ଆସିଲା – “ଯାହା କହୁଛି ଚୁପଚାପ ସେୟା କର, ନହେଲେ ଗଳା କାଟି ରକ୍ତ ପିଇ ଯିବି”। ଦେହ ଭୟରେ ଶିହରିତ ହୋଇ ଉଠୁଥାଏ। ଭୟରେ କମ୍ଫୁଥାଏ ।ଥରଥର ହୋଇ କାଗଜ ଉପରେ କଲମ ଥୋଇ ଲେଖିବା ଆରମ୍ଭ କଲି। ସେ ଯାହା କହୁଥାଏ ସେୟା ଲେଖୁଥାଏ। କାରଣ ଦେବାଦେବୀ କଥା ଟିକିଏ ଅଲଗା। ଏମାନେ ସହଜଲଭ୍ଯ ନୁହଁନ୍ତି ସତ ହେଲେ ଡରାଡରି କରନ୍ତି ନାହିଁ। ମାତ୍ର୍ ଏ ପ୍ରେତପୁରୀର ପ୍ରେତାତ୍ମାମାନେ ଭାରି ବେଆଡ଼ା ।ଏମାନେ ଥରେ ଶବାର ହେଲେ ଖାଲି ସବୁବେଳେ ନଚେଇବେ। ଯାହା ଚାହିଁବେ ସେୟା କରିବାକୁ ପଡ଼ିବ। ନଚେତ୍ ମଲ। ଭାରି ଜିଦିଆ।
ଏଇମିତି ପ୍ରତିଦିନ ନିଶାର୍ଦ୍ଧ ରାତିରେ ମୁଁ ଲେଖିଚାଲେ ଓ ସେ କହିଚାଲେ। ବହୁ କୃତି ରାଜି ସୃଷ୍ଟି ହେଲା ପରେ ମୁଁ ଗୋଟେ ଟି . ଭି. ଚ୍ୟାନେଲ ସହ ଅନୁବନ୍ଧିତ ହୋଇଗଲି। ସେ ମୋ ପାଖରୁ ଷ୍ଟୋରୀ ନେଇ ସିରିଏଲ ଓ ଚଳଚ୍ଚିତ୍ର ତିଆରି କରିବା ଆରମ୍ଭ କରିଦେଲେ।ଲୋକମାନଙ୍କର ମୋ ଷ୍ଟୋରୀ ଭାରି ପସନ୍ଦ ଆସିଲା। ଲୋକ ପ୍ରିୟତା ସୁଉଚ୍ଚକୁ ଉଠିଲା। ସେ ବାବଦକୁ ଯାହା ଅର୍ଥ ମିଳେ ମୋ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଲାଗେ। ହେଲେ ଚୁକ୍ତି ଅନୁସାରେ ତାଙ୍କ ଜରୁରତକୁ ପୂରଣ କରିବାକୁ ବାଧ୍ୟ। ନହେଲେ ଦାୟ ଜୋରିମାନା ଦେବାକୁ ପଡିବ। ତେଣୁ ତଦନୁସାରେ ମୋତେ ଲେଖା ଦେବାକୁ ହେଉଥାଏ। ସେଦିନ କହିଲେ ଗୋଟେ ହରର ସିରିଏଲ୍ ପାଇଁ ଗୋଟେ ଭୂତ ବା ଭୂତୁଣୀ ଗପ ଦେବାକୁ। ଚିନ୍ତାରେ ପଡିଗଲି –
ପତ୍ନୀ ଘରେ ନଥାନ୍ତି। ସାଙ୍ଗ ଘରକୁ ଟି. ଟି. ପାର୍ଟି ଆଟେଣ୍ଡ କରିବାକୁ ଯାଇଥାନ୍ତି। ଏହି ଟି.ଟି. ପାର୍ଟିଟା ଭାରି ଭଲ ଯେ, ଖରାପ କିଛି ନାହିଁ। ଖାଲି ଯାହା ପତିମାନଙ୍କର ଧ୍ଵଜିଆ ଟିକିଏ ଉଡେ ।ପୁରୁଷମାନେ ତ ରାତି ପାହିଲା କ୍ଷଣି ମାର୍କେଟଠାରୁ ଆରମ୍ଭ କରି ଅଫିସ ଯାଏଁ ଚାରିଆଡ଼େ ବୁଲି ଆସୁଛନ୍ତି। ହେଲେ ନାରୀ? ନାରୀ ଘର କୋଣରେ ପଶି ଭାରି ବୋର୍ ହେଉଛନ୍ତି। ସେମାନଙ୍କର ପୁଣି ମନ ଅଛି ନା ନାହିଁ, ଆଉ ବାହାର ଦୁନିଆ ଦେଖିବା ପାଇଁ ଅଭିଳାଷା ବି। ପୁଣି ସାଙ୍ଗ ସାଥି ଗହଣରେ ଦୁଇ ପଦ କଥା ନ ହେଲେ ହେବ କି ହେ! ତେଣୁ ସେଇଠି ଥାଏ ନାରୀର ସ୍ୱାଛନ୍ଦ ବିହାର, ନାରୀ ସ୍ଵାଧୀନତା, ନାରୀ ମାନଙ୍କ ଗହଣରେ ପୁରୁଷ ମନସ୍ତତ୍ତ୍ୱର ଆଲୋଚନା, ମନ ଖୋଲା ହସ ଗପର ସୁଅ, ଦୁଇ ପାଲି ତାସ୍ ଖେଳ – ସବୁ। ହେଲେ ପତିମାନଙ୍କର ବଡ଼ ଧୁଲାଇ ହୁଏ। ପତିମାନେଙ୍କୁ କେମିତି ନିଜ କବଜାରେ ରଖିବାକୁ ହେବ, ଅଲଗା ନାରୀ ଚକ୍କରରେ ପଡ଼ିଲେ କେମିତି ସେମାନଙ୍କୁ ସାଇଜ କରାଯିବ ଓ କାବୁକୁ ଅଣା ଯିବ – ସବୁ ସେଇ ମହିଳା ପ୍ରତିନିଧିମାନେ ବୁଝାଇ କହିଥାନ୍ତି, ଆଉ ଗୁରୁ ମନ୍ତ୍ର ବି ଦେଇଥାନ୍ତିି।
ସନ୍ଧ୍ୟା ସମୟ। ଏକୁଟିଆ ବସିଥାଏ। ଟି. ଭି. ଚ୍ୟାନେଲକୁ କମିଟମେଣ୍ଟ ଅନୁସାରେ ଗପଟିଏ ଦେବା ପାଇଁ କାହିଁକି ବି. ପି. ବଢି ଯାଉଥାଏ। ଚିନ୍ତାରେ ଆଲୁଅ ଜାଳିବାକୁ ମଧ୍ୟ ଭୁଲି ଯାଇଥାଏ। ଭାବୁଥାଏ – ଯାହା ତ ଭୂତୁଣୀ କହୁଛି ତାହା ମୁଁ ଲେଖୁଛି। ପୁଣି ଭୂତୁଣୀକୁ କହିବି ଭୂତଭୂତୁଣୀ କାହାଣୀ କହିବାକୁ, ଇଏ କେମିତିକା କଥା? ଯଦି ଭୂତୁଣୀ ରାଗିଗଲା? ଏମିତି ଭାବୁ ଭାବୁ ମୋ ପଢ଼ା ଟେବୁଲ୍ ଉପରେ ଛାୟାଟିଏ ପ୍ରତୀତ ହେଲା। ଆସ୍ଥେ ଆସ୍ଥେ ସେ ମଣିଷ ରୂପ ପରିଗ୍ରହ କରିବାରୁ ଚେହେରାଟି ଅନୁଷ୍କା ଦେବୀଙ୍କର ବୋଲି ଜଣା ପଡୁଥିଲା। ହେଲେ ବେକରେ ହାଡ ମାଳ ଓ ଆଖିରେ ହାଡ଼ର ଚଷମା ଦେଖି ମୁଁ ଡରି ଗଲି। ମୋ ଶରୀରରେ ପ୍ରାଣ ନଥାଏ। ସେ କଥା ହେବାକୁ ଲାଗିଲେ – “ମୁଁ ଜଣେ ବିଶିଷ୍ଟ ସାହିତ୍ୟିକ ଥିଲି। ମୋତେ ପ୍ରତିଷ୍ଠିତ ସାହିତ୍ୟିକ ଓ ଜଣାଶୁଣା ସମାଜପତିମାନେ ସହ୍ୟ କରି ପାରୁ ନଥିଲେ। ଶେଷରେ ଗୋଟେ ସାହିତ୍ୟ ସଭାରୁ ଫେରୁଥିଲା ବେଳେ ମୋତେ ରେପ୍ ଏଣ୍ଡ ମର୍ଡର କରି ଦିଆଗଲା।ଯାହା ଏବେ ମଧ୍ୟ ରହସ୍ୟ ଘେରରେ ଅଛି, ତା’ ଉପରୁ ପରଦା ଏଯାଏଁ ହଟି ନାହିଁ। କାରଣ ମୋ ଲେଖା ଗୁଡ଼ିକ କୁଆଡ଼େ ସେମାନଙ୍କର ଗତାନୁଗତିକ ସମାଜର ଓ ସଂସ୍କୃତିର ବିରୁଦ୍ଧାଚରଣ କରୁଥାଏ। ଧର୍ମ ଯାଜକମାନଙ୍କୁ ମଧ୍ଯ ଗାତ୍ରଦାହ ହେଉଥାଏ। ରାଜ ନେତାମାନଙ୍କୁର ତ ଗଳା କୁଣ୍ଡେଇ ହେଉଥାଏ ମୋତେ ଗାଳି କରିବାକୁ। ମୁଁ କିନ୍ତୁ ଭୂତ ଲୋକରେ ଗୋଟେ ସଙ୍ଗଠନ ଗଢିଛି। ଆମର ଉଦ୍ଦେଶ୍ୟ – ନୂଆ ସାହିତ୍ୟିକମାନଙ୍କୁ ସାହାଯ୍ଯ କରିବା। ସେମାନଙ୍କୁ ପ୍ରେରଣା ଓ ପ୍ରୋସାହନ ଦେଇ ଭାଷା ସାହିତ୍ୟର ବିକାଶ କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିରେ ସଂସ୍କାର ଆଣି ବୈପ୍ଲବିକ ପରିବର୍ତ୍ତନ ଆଣିବା। ତେଣୁ ତୁମକୁ ମୁଁ ସାହାଯ୍ଯ କରୁଛି। ଠିକ୍ ଏତିକି ବେଳେ ମୋ ପତ୍ନୀ ଘରକୁ ଫେରି ଆସୁଥିଲେ।ଆହୁରି କେତେ କ’ଣ କହିଥାନ୍ତେ କି କ’ ଣ କିିନ୍ତୁ ପତ୍ନୀ ଆସି ସବୁ ବିଗାଡି ଦେଲେ। ଏବେ ମନରେ ଶଙ୍କା ଉପୁଜିଲା – ଅନୁଷ୍କା ଦେବୀ ବର୍ତ୍ତମାନ ପ୍ରକୃତ ମଣିଷର ରୂପ ପରିଗ୍ରହ କରିଛନ୍ତି। ଯଦି ପତ୍ନୀ ମୋର ଦେଖି ଦିଅନ୍ତି, ତେବେ ନାରୀ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ। ଆମ ପତି ପତ୍ନୀ ମନରେ ହଟ ଚମଟ ସୃଷ୍ଟି ହେବ। ଘଟଣାକୁ ସ୍ପଷ୍ଟ କରିବା ପୂର୍ବରୁ ଅଣାୟତ୍ତ ହୋଇଯିବ।
ମୋର ଅନ୍ୟମନସ୍କତା ଓ ଅସ୍ପଷ୍ଟ ଆଳାପରୁ ପତ୍ନୀର ସନ୍ଦେହ ହେଲା। କହିଲେ – “କିଏ? କିଏ ଘର ଭିତରେ? କାହା ସହ ଅନ୍ଧାରରେ କଥା ହେଉଥିଲ ? ଗୋଟେ ଝିଅ ସହ ଗପୁଥିବାର ମୁଁ ସ୍ପଷ୍ଟ ଜାଣି ପାରିଛି” । ଲାଇଟଟା ଜଳାଇ ଦେଇ ଚାରିଆଡ଼େ ଦରାଣ୍ଡି ଆସିଲେ ଓ ଜେରା ମଧ୍ଯ ଚାଲିଲା। ମୁଁ ସଫେଇ ଦେଲି -” କାହିଁ କେହି ନାହିଁ। ମୁଁ ଏମିତି ମୋ ଭାବନା ରାଇଜରେ ବୁଲୁବୁଲୁ ମୋ ଗଳ୍ପ ନାୟିକା ସହିତ କଥା ହେଉଥିଲି। ଏଗୁଡ଼ିକ ସବୁ ପରିକଳ୍ପନା ବାସ୍ତବତା ନାହିଁ। ତୁମେ ସନ୍ଦେହ କର ନାହିଁ।”
ପତ୍ନୀ କିନ୍ତୁ ମୋର ବୁଝିଲେ ନାହିଁ। ମହାଭାରତ ସୃଷ୍ଟି କରିଦେଲେ। କହିଲେ ମୋ ସାଙ୍ଗମାନେ ଠିକ୍ କଥା କହୁଥିଲେ- ତୁମେ ସାହିତ୍ୟିକମାନେ ବଡ଼ ରସିକ। ତୁମ୍ଭ ମାନଙ୍କୁ ବିଶ୍ବାସ କରି ହେବ ନାହିଁ। ତୁମମାନଙ୍କୁ ପ୍ରତ୍ୟେହ ନୂଆ ନୂଆ ପ୍ରେମିକ ଦରକାର ।ତାଙ୍କର ରୂପ ଯୌବନକୁ ନେଇ ବର୍ଣ୍ଣନା କରିବା ପାଇଁ ଓ ନୂଆ ନୂଆ ସିଦ୍ଧାନ୍ତ ଦେବା ପାଇଁ । ସତ କୁହ! ମୋ ଅନୁପସ୍ଥିତିର ସୁଯୋଗ ନେଇ କାହା ସହ କି ଗପ ଜମାଇଥିଲ? ତୁମ ପ୍ରେମିକାକୁ ଡାକି ରୋମାନ୍ସ କରୁଥିଲ ନା? କାରଣ ତୁମ ପାଟିରୁ ମୁଁ ସ୍ପଷ୍ଟ ଶୁଣିଛି ତୁମେ କହୁଥିବାର – ‘ହେଇ ମୋ ପତ୍ନୀ ଆସିଲେଣି, ତୁମେ ପଳା। ପଳା।ଜଲଦି ଯାଅ, ପ୍ଲିଜ୍’ । ତା ନାଁଟା ମୋତେ କୁହ, ନହେଲେ ସତ କହୁଛି! ରାତି ପାହିଲା ବେଳକୁ ବାପ ଘରକୁ ଚାଲିଯିବି।
ପତ୍ନୀର କିଳିକିଳା ରାବ ଦେଖି ଅକସ୍ମାତ୍ ମୋ ପାଟିରୁ ବାହାରି ପଡିଲା – “ଅନୁଷ୍କା” ।
ଏଥର ପତ୍ନୀର ରଣଚଣ୍ଡି ରୂପ- “ଆଛା! ତୁମ ପ୍ରେମିକାର ନାମ ତାହେଲେ ଅନୁଷ୍କା, ସେ ମୋର ସଉତୁଣୀ ହେବ। ଏଣିକି ତା ବୋଲବୋଲାରେ ମୁଁ ଚଳିବି। ଏଡ଼େ ବଡ଼ ଧୋକା। ଗୋଟିଏ ଘର ଭିତରେ ରହି ଏକାଠି ଏତେ ଦିନ ରହିଲା ପରେ ଶେଷରେ ତୁମେ ତା ସହ ପ୍ରଣୟ ଲୀଳା ରଚୁଥିଲ । ଏତେ ଦିନ ହେଲା ତୁମେ ତାହେଲେ ମୋତେ ଠକି ଚାଲିଥିଲ। ଏଥର ବୁଝିଗଲି ତୁମ ସାହିତ୍ୟରେ ଯେଉଁ ସବୁ ନାରୀ ଓ ତା’ର ପ୍ରେମ କାହାଣୀ ବର୍ଣ୍ଣିତ ହୋଇଛି ସେ ସବୁ ସେହି ଅନୁଷ୍କାର। ମୁଁ ଭାବୁଥିଲି ତୁମେ ମୋ ରୂପ ଗୁଣ ଓ ଯୌବନର ତାରିଫ୍ କରୁଥିଲ। ହେଲେ ତୁମେ ତ ମିଛୁଆ ରାଧୁଆ, ଠକ, ଚରିତ୍ରହୀନ ସାବ୍ୟସ୍ତ ହେଲ। ହାଇରେ ମୋ କପାଳ! “ଏହିପରି ଅନର୍ଗଳ ଗପି ଚାଲିଲେ। ମୋ କଥା ସିନା କିଛି ଶୁଣିବା ଅବସ୍ଥାରେ ଥିଲେ ମୁଁ କିଛି ବୁଝାଇ ପାରିଥାନ୍ତି। ଇଏ ତ ସବୁ ସେହି ଟି ଟି ପାର୍ଟିର ପ୍ରଭାବ। ପୁଣି କଚଡା ନଚଡା, ଫୋପଡ଼ା ଫୋପାଡ଼ି, ଦୁମ୍ ଦୁମ୍ ଚାଲି, ଗଣ୍ଡ ଭୈରବୀ ରଡି – ସବୁ। ରାତିରେ ଗଣ୍ଡେ ଖାଇବାକୁ ଦେଲେ ନାହିଁ ଯେ, ଭୋକରେ ଆଉଟି ପାଉଟି ହୋଇ ଶୋଇଲି। ରାତିରେ କେତେ ବୁଝେଇଲି – “ସେଇଟା କୋଉ ଅନୁଷ୍କା ରୂପୀ ମାନବୀ ନୂହେଁ ଭୂତୁଣୀଟାଏ। that is secret truth behind the creation of all my literary activities. ମୁଁ ସତ କହୁଛି ତୁମେ ମୋତେ ବିଶ୍ବାସ କର।”
ସିଏ ବା କାହିଁକି ବିଶ୍ବାସ କରନ୍ତେ? ଓଲଟା ମୁହଁ ଛିଞ୍ଚଡା ଓ ତୀର୍ଯ୍ୟକ୍ ଚାହାଣୀ। ରାତିଟା ସାରା ତ ଅନିଦ୍ରା। ସକାଳ ହେଲାଠୁଁ ବ୍ୟାଗରେ ଜିନିଷ ପତ୍ର ସବୁ ପ୍ୟାକ୍ କରି ପତ୍ନୀ ଚାଲିଲେ ବାପ ଘରକୁ। ଯେତେ ବୁଝା ଶୁଝା ସବୁ ବେକାର ଗଲା। ପଛରେ ମୁଁ ରହିଗଲି। ଏକଲା ଏଡ଼େ ବଡ଼ ଘରଟାରେ।
ଥକା ହୋଇ ପଢ଼ା ଟେବୁଲ୍ ପାଖରେ ବସି ପଡ଼ିଲି। ମୋ ମନକୁ ଯାହା ଆସିଲା ଲେଖିଦେଲି। ଟି ଭି. ଚ୍ଯାନେଲ୍ ବାଲା ଆସିବାରୁ କାହାଣୀଟା ଉପରକୁ ତୋଳି ଧରି ହାତକୁ ବଢ଼ାଇ ଦେଲି।
4. ଲାବୋରଟୋରୀର ରାତ୍ରି ଉଜାଗର
ଲାବୋରେଟୋରୀରେ ରାତ୍ରି ଉଜାଗର
—by ସତ୍ୟ ପ୍ରକାଶ ସେଠୀ
ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ ନିଶ୍ଚୟ। ମୁଁ କିନ୍ତୁ କାହିଁକି କହିବି? ଆପଣମାନେ ତ ପଢିଲେ ଘଟଣାଟି କେତେ ଆତ୍ମିକ ଓ ସତ୍ୟ ଅନୁସନ୍ଧିତ୍ସୁର ସତ୍ୟ ଉନ୍ମୋଚନ, ତାହା ଆପଣମାନେ ହିଁ କହିବେ। ମୁଁ କେବଳ ସତ୍ୟର ଉଜାଗର କରିବା କଥା ତାହା ହିଁ ତ କରିଛି।
1968 ମସିହାର କଥା। ଏମ୍. ଏସସି. ପାସ୍ କରି ଲକ୍ଷ୍ମୀକାନ୍ତ ନାୟକ ଗଲେ ଅନୁଗୁଳ କଲେଜକୁ ଅଧ୍ୟାପନା ପାଇଁ। ପ୍ରାଣୀ ବିଜ୍ଞାନରେ ସେ ଅଧ୍ୟାପକ। ନୂଆ ଚାକିରୀ। ମନରେ ଭିନ୍ନ୍ ପ୍ରକାରର ଉତ୍ସାହ ଓ ଉଦ୍ଦୀପନା ଭରି ରହିଥାଏ। ପୁଣି ଟୋକା ଲୋକ ତ, ତେଣୁ ସାତ ସିଂହର ବଳ। ହେଲେ ଖେଚଡଙ୍କର ସେ ଶିରୋମଣୀ। ସବୁ କଥାକୁ ହାଲକା ନିଅନ୍ତି। ଥଟ୍ଟା ମଜ୍ଜା କରି ଯେକୌଣସି ଗମ୍ଭିର ଓ ସମ୍ବେଦନଶୀଳ କଥାକୁ ମଧ୍ୟ ସେ ହସି ଉଡେଇ ଦିଅନ୍ତି। ସହଜେ ତ ବୟସ କମ୍, ଏଇ ବୟସରେ ପ୍ରାୟତଃ ସମସ୍ତେ ଏଇମିତି। ଯେମିତିକି ଏକାବେଳକେ ପାହାଡ଼ଟା ଖୋଳି ଓଲାଟାଇ ପକେଇବେ – ଭାରି ପାରିବାର ପଣିଆ ଦେଖାନ୍ତି ଏମାନେ। ଫୁଟାଣି ଟିପ୍ପଣୀ ସବୁ ମାରନ୍ତି। ଅଭିଜ୍ଞ ଓ ବୟସ୍କ ମାନଙ୍କ କଥାକୁ ବଡ଼ ଅକ୍ଳେଶରେ ବାଏଁ ବାଏଁ ଉଡେଇ ଦିଅନ୍ତି – ଏମାନେ। ହେଲେ ବାସ୍ତବତା ବୁଝିଲା ବେଳକୁ ସବୁ ଶୂନ୍, ସେ ଦମ୍ଭୋକ୍ତି ଓ ମୁହଁ ଭୂରି ଆଉ ବେଳକୁ ନଥାଏ।
ଲକ୍ଷ୍ମୀକାନ୍ତ ନାୟକ ଡାକରା ପାଇ ଗଲେ ଅନୁଗୁଳ କଲେଜ। ସେଠି ନୂଆ ଚାକିରୀରେ ଜଏନ୍ କଲେ। ହାତରେ ଛୋଟ ବେଡିଂଟେ, କିଛି ଲୁଗାପଟା, ସାମାନପତ୍ର କେତୋଟି ଓ କାଗଜପତ୍ର କେଇଖଣ୍ଡ ମାତ୍ର। ହଠାତ୍ କେଉଁଠି ରହିବେ ଭାଳେଣି ପଡ଼ିଥାଏ। ବଡ଼ ବାବୁ କହିଲେ- “ଲାବୋରଟୋରୀରେ ଗୋଟେ ବେଡ୍ ପଡ଼ିଛି, ସେଇଠି ରାତିକ ରହିଯାଅ! ତା ପରେ ଘର ଫର୍ ନେଲେ ଦେଖିବା, ଗେଟ୍ ପାଖରେ ତ ଦରୱାନ୍ ରହୁଛି, କେଉଁଠି କିଛି ଦରକାର ହେଲେ ତା ହାତରେ ମଗେଇ ନେବେ” ।
ସାହସୀ ବିଜ୍ଞାନୀ ମଣିଷ ଜୀବନରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। ରାତିକ ଭଲରେ କଟିଲା, ସେଇଠି କିଛି ଦିନ ବିତିଗଲା। ଭାବିଲେ – “ପି. ଏ. ସି. ତ ଏଯାଏଁ ଦୃଢ଼ୀକରଣ (confirm) ହୋଇ ନାହିଁ, ଆଗ ହୋଇଯାଉ ତା’ପରେ ଦେଖିବା, ନହେଲେ ଅଯଥାରେ ଘର ନେଉଥିବେ, ଦେଖିଲା ବେଳକୁ ପୁଣି ବଦଳି ଫଳ ଭୋଗିବାକୁ ପଡିପାରେ। ତେଣୁ କନଫାର୍ମ ପରେ ଯାଇ ଘର ଦ୍ଵାର ଯୋଗାଡ଼ କରିବାକୁ ମନସ୍ଥ କଲେ। ସେ ଯାଏଁ ମାଡ଼ି ମକଚି ହୋଇ ଏଇଠି ଏଡଯଷ୍ଟ କରିନେଲେ କାମ ଶେଷ ।
ସେଦିନ ଭାରି ବର୍ଷା ପବନର ରାତି। ବିଜୁଳି ଓ ଘଡଘଡି ଖାଲି ଚମକୁଥାଏ। ଅନ୍ଧାରିଆ ବାଦଲ ଭରା ଆକାଶ ଦେହରେ ଭିତ୍ତି ସଞ୍ଚାର କରୁଥାଏ। ବର୍ଷଣ ମୁଖର ନିଝୁମ୍ ଶୂନ୍ଶାନ୍ ରାତି ତ ଯେକୌଣସି ବସ୍ତୁର ବି ଭିତ୍ତି ପ୍ରସ୍ତର ଦୋହଲେଇ କି ରଖିଦେଇ ପାରେ, ଏ ତ ଛାର୍ ମଣିଷର କଥା, କିଏ ବା ପଚାରେ। ଆସନ୍ନ ବାତ୍ୟାର ଆଶଙ୍କା କରି ବିଦ୍ୟୁତ୍ ବିଭାଗ ହୁଏତ କରେଣ୍ଟ କାଟି ଦେଇଥାଇପାରେ। ପବନର ବେଗ ତ ଶହେ ଉପରେ ହେବ କି କ’ଣ। ଗଛପତ୍ର ତ ରଡ଼ରାଡ଼ ଡାକି ଭାଙ୍ଗି ଯାଉଥାଏ। ଗଛର ପତ୍ର ସବୁ ପତପତ ହୋଇ ଖସୁଥାଏ। ବରକୋଳିଆ ଟୋପା ସବୁ ଝଡୁଥାଏ। ପତ୍ର ଉପରେ ପାଣି ପଡି ଟପଟପ ଶବ୍ଦ ହୋଇ ଛନକା ପଶୁଥାଏ। ତେଣୁ ତାର ଖୁଣ୍ଟିଗୁଡା ସବୁ ଉପୁଡ଼ି ପଡିଥିବ ଓ ତାର ଗୁଡିକ ସବୁ ରାସ୍ତାରେ ବିଛାଡି ହୋଇ ନିଶ୍ଚୟ ପଡ଼ିଥିବ। ଏତେବେଳେ ଆଉ ଲାଇନ୍ କଥା କିଏ ବା ଚିନ୍ତା କରିବ? ତେଣୁ ରାତିକ ଅନ୍ଧାରରେ କଟିବାଟା ସ୍ଥିର ନିଶ୍ଚୟ ଜାଣ। ଏଭଳି ପାଗରେ ବରଂ ଘୋଡେଇ ଘାଡେଇ ହୋଇ ଶୋଇ ପଡିବା ଭଲ। କିନ୍ତୁ ବାହାରକୁ ବାହାରି କିଛି ଲାଭ ନାହିଁ। ଖାଲି ଦେହ ପୀଡା ଓ ପ୍ରାଣହାନୀ।
ବରଂ ନିଢଳ ନିଦର ନିବିଡ଼ ସ୍ପର୍ଶରେ ରାତିଟା ସ୍ଵପ୍ନ ମହଲରେ ହଜେଇ ଦେଲେ ବହୁତ ଭଲ।ଏଭଳି ଭାବି ବିଛଣାରେ ଲେଟଇ ଶରୀରଟାକୁ ଶୋଇ ଗଲେ। ଲାବୋରଟୋରୀରୁ ଆଉ ବାହାରି ନାହାଁନ୍ତି କି ଖାଇବା ପାଇଁ ମଧ୍ୟ ଯାଇ ପାରିଲେ ନାହିଁ। ରାତିଟା ଆହୁରି ଗାଢରୁ ଗାଢତର ହେଉଥାଏ। ଚାରିଆଡ଼େ ନିଶା ଗର୍ଜିଉଠୁଥାଏ ।ସେ ଟିକିଏ ଉଠି ପଡ଼ି ପୁଣି ସରୁ ବେଡ୍ ସିଟଟା ଘୋଡେଇ ହୋଇ ଶୋଇ ପଡିଲେ। ହଠାତ୍ ଗୋଟେ ଅଜବ ପ୍ରକାର ଖଡଖାଡ ଶବ୍ଦ ହେଲାରୁ ଧଡ଼ଧାଡ୍ ହୋଇ ଉଠିପଡ଼ି ଚାରିଆଡକୁ ଚାହିଁଲେ। କାହିଁ କିଛି ଜଣା ପଡିଲା ନାହିଁ। ଟର୍ଚ୍ଚ ପକେଇ ନିଖାରି ଦେଖିଲା ବେଳକୁ ପାଖରେ କାଚ ବାକ୍ସ ଭିତରେ ଚାବି ପଡି ବନ୍ଦଥିବା କଙ୍କାଳଟି ଭାରି ଯୋହରସେ ଦୋହଲୁଛି ।ସେ ଭୟ ପାଇଗଲେ। ମନରେ ଡର ପଶିଗଲା। ମନେ ମନେ ଭାବୁଥାନ୍ତି, ପଢିଲା ବେଳେ ଜଣେ ଲାବୋରେଟାରୀଆନ୍ କହୁଥାନ୍ତି – “ରାତିରେ ଲାବୋରଟୋରୀରୁ କଙ୍କାଳ ଓ ପ୍ରେତାତ୍ମା ଗୁଡାକ ସବୁ ବାହାରି କୁଆଡ଼େ ନାଚନ୍ତି। ଭାରି ଅଥୟ କରନ୍ତି। ଏକୁଟିଆ ପାଇଲେ ନାନା ହଇରାଣ ଓ ହରକତ ମଧ୍ୟ କରିପାନ୍ତି” । ସେଦିନ ସେ ତାଙ୍କୁ କେତେ ତାଚ୍ଛଲ୍ୟ କରିଥିଲେ। ଆଜି କିନ୍ତୁ କଥାଟି କିଞ୍ଚିତ୍ ସତ୍ୟବୋଧ ହେଉଛି। ସେ ବିଛଣାରୁ ଉଠିଲେ ହାତରେ ଟର୍ଚ୍ଚଟା ଧରି – “ଏ ବାହାଦୁର! ବାହାଦୁର!! ମାତାଲ ସିଂ କୁଆଡ଼େ ଗଲୁ! ହୁଡ଼ି ପକାଇଥାନ୍ତି। ଜବାବ ନମିଳିବାରୁ ଗେଟ୍ ପାଖକୁ ଆସିଗଲେ। ଦେଖିଲେ ଗେଟ୍ ଟା ବାହାରୁ ତାଲା ପଡିଛି, ମାତାଲ ସିଂ ନାହିଁ। ଏଇ ମାତାଲ ସିଂଟା ଭାରି ଠକ। ଯେତେବେଳେ ମନ ହେବ ରାତି ଅଧରୁ ଉଠି ତା’ ସ୍ତ୍ରୀ ବୁଦ୍ଦିନ ପାଖକୁ ଚାଲିଯାଏ। ନହେଲେ ହାଣ୍ଡିଆବାଲି ବୀର୍ ସିଂ ମୁଣ୍ଡା ମାଆ ପାଖକୁ ଯାଇଥିବ। ଏ କଥାଟା ସେ ଦିନେ ତା ମୁହଁରେ ତ କହୁଥାଏ – “ନାଇଁ ବାବୁ! ସବୁ ଦିନେଟା ନୂହେଁମ, ଏମିତି ଥୁରେ ଥୁରେ ମନ ହେଲେ ହଁ ଯିବାଟା” ।
ମନେ ମନେ ଅଧ୍ୟାପକ ରାଗି ଆସୁଥିଲେ। ନିଜକୁ ନିଜେ କହିହେଲେ – ରାତି ପାହି ଆସୁ, ସେ ମାତାଲ ସିଂ କଥାଟା ବିଚାର କରିବେ। ପ୍ରିନ୍ସପାଲଙ୍କୁ କହି ଏମିତି ପାନେ ଦେବେ ଯେ ଏକା ଥରେକେ ମଜ୍ଜା ପାଇବ। ଚାକିରୀ ଖଣ୍ଡକ ଗଲେ ଯାଇ ପୁଅ ବୁଦ୍ଧି ଶିଖିବ”।
ହେଲେ ମୁଣ୍ଡରେ ଚଡକ- ଏକଲା କେମିତି ଏଡେ ବଡ ରାତିଟା ଗୁଜାରିବେ? ରାତିଟା ଆଗ ଜୀବନ ବଞ୍ଚିଲେ ତ ତା’ପରେ ଯାଇ ଯୋଉ କଥା। ବୁଦ୍ଧି ବାଟ କାହିଁ ଦିଶୁ ନାହିଁ, ଉପାୟ ବି ତ ନାହିଁ। ବାହାରେ ତ ଭୀଷଣ ବର୍ଷା, ମୁହଁକୁ ମୁହଁ ଦିଶୁ ନାହିଁ। ଖାଲି ଅଯଥାରେ ବର୍ଷାରେ ଭିଜି ତିନ୍ତି ଗଲେ ସିନା ହେଲେ ମାତାଲ ସିଂର ଦେଖା ଅଛି ନା ଏଠୁ ମୁକୁଳିବାର ଭିନ୍ନ୍ କିଛି ଉପାୟ ଅଛି। ଡର ଭୟ ନଥାଉ ପଛେ ଏକଲାପଣ ଭୂତଟା ପରା ଗୋଡାଇ ଖାଏ।
ଉଚ୍ଚା ବାଉଣ୍ଡ୍ରୀ ସାଙ୍ଗକୁ ଗେଟ୍ ରେ ଭୁଣ୍ଡା ତାଲା। ପୁଣି ବଜାର ଘାଟ ସବୁ ତ ବନ୍ଦ। ଏଠି ସେ ଆଉ କାହାକୁ ଚିହ୍ନିଛନ୍ତି ଯେ, କାହା ଘରକୁ ଯାଇ ରାତିଟା ମୁଣ୍ଡ ଗୁଞ୍ଜିବେ। ଏହିଭଳି କିଛି ଅନାବଶ୍ୟକ ଚିନ୍ତା ମୁଣ୍ଡରେ ଉଙ୍କାରି ଆସୁଥିଲା। ହେଲେ ଫାଇଦା କ’ଣ? ବାହାରେ ତ ଭୀଷଣ ବର୍ଷା, ମୁହଁକୁ ମୁହଁ ଦିଶୁ ନାହିଁ ।ଖାଲି ଅଯଥାରେ ବର୍ଷାରେ ଭିଜି ତିନ୍ତିବା ସାର ହେଲା। ନିଜ ପ୍ରକୋଷ୍ଠକୁ ଫେରି ଆସି ପୋଛିପାଛି ହେଲାଠୁଁ ଜଣାପଡ଼ିଲା ଦେହକୁ ଟିକେ ଜ୍ଵର ଆସିଗଲାଣି। ହେଲେ ମନକୁ ଟିକେ ଦୃଢ଼ କଲେ। ଏଥର ଗୋଟେ ଚାଦର ଓ ବେଡ୍ସିଟ ଏକାବେଳକେ ମୁହଁ ଉପରେ ଢାଙ୍କି ଦେଇ ଘୋଡ଼ାଇ ହୋଇ ଶୋଇ ପଡିଲେ। ଟିକିଏ ଛାଇ ନିଦଟା ଘୋଟି ଆସିଛି। ସେ ଅନୁଭବ କଲେ କଙ୍କାଳଟା କାଚରୁ ବାହାରି ଆସି ତାଙ୍କରି ପାଖରେ ଛିଡ଼ା ହୋଇଛି ମାନେ ଖୁବ୍ ପାଖରେ।ହେଁ ହେଁ…. ହେଁ ହେଁ.. କୁରୁଳି ଉଠି ହସୁଥାଏ ଓ ନାକରେ କଥା କହୁଥିଲା ପରି ମନେହେଲା – “ରହିନ୍ଥାଲେ ପୁଅ… ତୋତେ ମଜ୍ଜା ଚଖଉଁଛି…” ଏବେ ସେ ଦୁଇଟା ଯାକ ହାତ ବଢାଇଲା ତାଙ୍କ ଗଳା ଆଡକୁ ଓ ଦୁଇ ହାତରେ ତଣ୍ଟିଟାକୁ ଚିପି ଧରିଲା, କିନ୍ତୁ ସେ କଣ୍ଢେଇ ନାଚ ନାଚିଲା ପରିକା ଦୁଇ ପାହୁଲ ଗୋଟେ ତାଳରେ ତଳ ଉପର କରି ସେମିତି ହିଁ ହିଁ ହୋଇ ହସୁଥାଏ। ଅଧ୍ଯାପକ ଛାଡ଼ ଛାଡ଼ ବୋଲି ବହୁତ ଜୋହର୍ ଚିତ୍କାର ଛାଡୁଥାନ୍ତି। ଅବଶ୍ୟ କଥାଟା ନିଜ ବ୍ୟତୀତ ଆଉ କାହାକୁ ଶୁଭ ନଥାଏ। ଏଥର ପୂର୍ଣ୍ଣମାତ୍ରାରେ ଶକ୍ତି ଖଟେଇ ସେ ନିଜ ଦୁଇ ହାତରେ ତଣ୍ଟି ପରିବେଷ୍ଟିତ ତା’ ହାତ ଦୁଇଟାକୁ ଛଡ଼େଇବାକୁ ଚେଷ୍ଟା କରୁଥାନ୍ତି। ତଣ୍ଟିଟା ଏଣେ ଚାପି ହୋଇଯାଉଥାଏ। ଶ୍ଵାସରୁଦ୍ଧ ହେଲା ପରି ମନେ ହେଉଥାଏ। ଶରୀରର ବଳ କେଉଁ ଆଡ଼େ ଭୂଶାୟିତ ହୋଇ ଯାଉଥାଏ। ତଥାପି ଆହୁରି ଶକ୍ତି ଲଗାଇ ତାହାର ଶକ୍ତ କବଜାରୁ ସେ ଏଥରକ ମୁକ୍ତି ପାଇବାକୁ ସକ୍ଷମ ହେଲେ। “ଓଃ! କି ଶାନ୍ତି” ପାଟିରୁ ଅଗତ୍ୟା ବାହାରି ପଡ଼ିଲା। ନିଶ୍ବାସ ଓ ପ୍ରଶ୍ୱାସ ଟିକିଏ ଫେରିଲା। ଛାତି କିନ୍ତୁ ଧଡପଡ ହେଉଥାଏ। ମୃଦୁ ଭୂମି କମ୍ଫ ହେଲା କି କ’ଣ, ସେ ଧଡକିନା ଉଠି ପଡ଼ି ଟର୍ଚ୍ଚଟାକୁ ଆଗ ଅଣ୍ଡାଳି ହେଲେ। ଟର୍ଚ୍ଚଟା ପାଇଗଲାଠୁଁ ଆଗ ଜଳାଇ ଦେଖିଲେ। କାହିଁ କିଛି ତ ଜଣାପଡୁ ନଥାଏ। କଙ୍କାଳଟା ବି ତା ଜାଗାରେ ଠିକ୍ ସେମିତି ଅଛି। ହେଲେ ତାଙ୍କ ଆଡ଼କୁ ଦୃଷ୍ଟି ନିବଦ୍ଧ କରି ଚାହିଁ ରହିଥାଏ। ଅଧ୍ୟାପକ ଆଲୁଅଟା ଜାଳି ଦେଇଥିବାରୁ ତେରିମେରି ହୋଇ ତା ଉପରେ କ୍ରୋଧ ପ୍ରକାଶ କରୁଥାନ୍ତି। କଙ୍କାଳଟା ଆଡକୁ ଚାହିଁ କହୁଥାନ୍ତି – “ରହ! ରହ!! କାଲି ତୋତେ ନେଇ ବାହାରେ ଫିଙ୍ଗି ଦେବି ଯେ ଏକାବେଳକେ ସବୁ ନାଟକ ଖତମ” । ହେଲେ ପରକ୍ଷଣରେ ଭାବିଲେ – “ଏହା କଣ ତାଙ୍କର ମନରେ ଭ୍ରମ ନା ପ୍ରେତାତ୍ମାର ଅଦୃଶ୍ୟ କାଣ୍ଡ? କାହିଁ ଆମ ବିଜ୍ଞାନରେ ପ୍ରେତାତ୍ମାର ସ୍ଥିତି ସମ୍ପର୍କରେ କିଛି ତ କୁହାଯାଇ ନାହିଁ, ବରଂ ଅସ୍ୱୀକାର କରାଯାଇଛି। ” ?ଏବେ ବୁଢୀ ମା କଥାଟା ମନେ ପକେଇ ହାତଟାକୁ ନିଜ ନଖରେ ଚିମୁଟିକି ଦେଖିଲେ। ହଁ ତ କାଟୁଛି ତ। ବୁଢୀ ମା ପରା କହିଥିଲା – “ଭୂତ ପ୍ରେତ କଥା ସତ କି ମିଛ ଜାଣିବାକୁ ହେଲେ, ନିଜ ଶରୀରକୁ ଆଗ ଚିମୁଟିକି ଦେଖିବ କାଟୁଛି ନା’ ନାହିଁ। ଯଦି କାଟୁଛି, ତେବେ ଭୂତଟା ମିଛ ନୂହେଁ କି ସ୍ଵପ୍ନ ସବୁ ସତ “। ଏଥର ଅଜଣା ଡରରେ ଶିହରିତ ହୋଇ ଗଲେ। ତେବେ କ’ଣ ବୁଢୀ ମା’ର ଗପ ଗୁଡାକ ବି ସତ ଆଉ ସତ ଏ କଙ୍କାଳର ତାଣ୍ଡବ ନୃତ୍ୟ? ମନେ ମନେ ଭଗବାନଙ୍କୁ ସୁମରଣା କଲେ – “ହେ ମାଆ ବୁଢୀ ଠାକୁରାଣୀ ମୋତେ ତୁ ରକ୍ଷା କର। ତୋ ଦେହୁରିକୁ ଡାକି ତୋତେ ବରଂ ଗୋଟେ କୁକୁଡା ବଳି ଦେବି”। ସେଦିନ ଏମିତି କିଛି ପରା ମାତାଲ ସିଂ କହୁଥିଲା । ତାକୁ ଯେତେବେଳେ ପଚାରିଲେ – “ତୁ ତ ଏଠି ଏକଲା ଏଇମିତି ରହୁଛୁ! ହେଲେ ତୋତେ କେବେ ଡର ଲାଗେ ନାହିଁନା? ସେତେବେଳ ସେ କହିଲା -” ଆମେ ଡରିବୁ କାହେ ବାବୁ କି! ଆମର ପରା ବୁଢୀ ଠାକୁରାଣୀ ଅଛିନା। ସେଇରି ଲାଗି ଆମେ କାହାକୁ ନାହିଁ ଡରେ, ସତ କହିମୁ ବାବୁ! ଆରର ବରଷକେ ଆମେରଟା ପରା ତାହାର ଲାଗେ କୁକୁଡା ବଳି ଦେଇଛନ । ସେ ଆମର କିଛି ନାଇ କରେ “। ଏତେବେଳକୁ ବିଜ୍ଞାନୀ ମଣିଷର ସମସ୍ତ ଟାଣପଣ କୁଆଡ଼େ ମାଟିରେ ମିଶିଗଲାଣି। ସେ ଦମ୍ଭୋକ୍ତି ଆଉ ନଥାଏ। ଦେହ ରାତିରେ ଖଇ ଫୁଟୁଥାଏ।
ଏଥର ସେ ଦେହରୁ ଖୋଲି ଚାଦରଟା ସେ କଙ୍କାଳ ଉପରେ ପକାଇଦେଲେ। ଟିକିଏ ମନକୁ ଆଶ୍ୱସ୍ତି ବୋଧ ହେଲା। କାହିଁକିନା ଆଖି ସାମ୍ନାରେ ଆଉ ସେହି କଙ୍କାଳଟା ପଡ଼ିବ ନାହିଁ। ଗୋଟାପୁଣି ଢାଙ୍କି ହୋଇଯାଇଛି। କିନ୍ତୁ ବାତ୍ୟାରେ ଚଡଚଡ ଓ ରଡରଡ ଗଛ ଭାଙ୍ଗିବାର ଶବ୍ଦ ଓ ବର୍ଷାର ଟୁପୁରୁ ଟାପୁର ଶବ୍ଦ ସହିତ ଝରକା ଗୁଡ଼ାକର କେଉଁଠି ଠୋ ଠା ବାଡ଼େଇ ହେଉଥିବାର ଧୋନୀ ପ୍ରବାହ କଲିଜାକୁ ଥରାଇ ଦେଉଥାଏ। ତଥାପି ସେ ସବୁକୁ ଭୁଲି ଶୋଇବାକୁ ସଂଗ୍ରାମ ଜାରି ରଖିଥାନ୍ତି।ନିଦଟା ଘୋଟି ଆସୁଥାଏ ।ହେଲେ ପାଣି? ପାଣି ତ ମାତାଲ ସିଂ ଆଜି ଦେଇନାହିଁ। ଶୋଷରେ ତଣ୍ଟି ଶୁଖି ଯାଉଛଥାଏ, ଏବେ ସେ କ’ଣ କରିବେ? ଭାବିଲେ ଆଉ ତ କିଛି ବାଟ ନାହିଁ, ଯାଉଛି ଲାବୋରେଟୋରୀ ବ୍ୟବହାର ପାଇଁ ପିଲାଙ୍କ ପାଇଁ ଥିବା ଆଲକୋହୋଲରୁ ଚଳାଏ ପିଇ ଯିବେ। ତେଣିକି ପ୍ରିନ୍ସିପାଲ ଯାହା କୁହନ୍ତୁ। ଶେଷରେ ସେୟା କଲେ, ଶୋଷ ମେଣ୍ଟିଗଲା। ହେଲେ ନିଶାଟା ଘାରିଲା ଖଟ ଉପରେ ବେଶ୍ କିଛି ସମୟ ଶାନ୍ତିରେ ଶୋଇଗଲେ।
ବେଶ୍ କିଛି ସମୟର ବଡ ବ୍ୟବଧାନ ପରେ ସେହି ସମାନ ଘଟଣାକ୍ରମର ପୁନରାବୃତ୍ତି । କଙ୍କାଳର ଉପଦ୍ରବ, ଉତ୍ପୀଡକର ଉତ୍ପୀଡ଼ନ, ଅଟ୍ଟହାସ୍ୟରେ ପୁରି ଉଠୁଥାଏ ସମଗ୍ର୍ ନିଭୃତ କୋଠରୀଟି ।ଅସ୍ପଷ୍ଟ କୋଳାହଳ ଓ ଅଶରୀରୀ ପ୍ରେତାତ୍ମା ମାନଙ୍କର କଳରବ କର୍ଣ୍ଣ ଗୁହା ଭେଦି ଅଣନିଶ୍ଵାସୀବୋଧ ହେଉଥାଏ।ସତେ କି ସେମାନଙ୍କର ବୈଠକ ବସିଛି।ସେମାନଙ୍କ ଭିତରୁ କେହି ଜଣେ ଯେମିତି ଉଠି ଆସି ତାଙ୍କୁ ଜଗି ରହିଛି, ଯେପରି ସେ ଭୂତ ରାଇଜର କଥାଟା ନ ଜାଣି ପାରନ୍ତି। ଯେମିତି ସେ ଟିକିଏ ହାତ ଗୋଡ଼ ହଲେଇ କଡ଼ ଲେଉଟାଇବାକୁ ଚେଷ୍ଟା କଲେ, କେହି ଜଣେ ତାଙ୍କ ଗଳାଟାକୁ ଜୋହରରେ ଦବାଇ ଧରିଲା। ନିଶ୍ଵାସ ଓ ପ୍ରଶ୍ୱାସର ଚଳପ୍ରଚଳ ଥମି ଯାଉଥାଏ। ଯେମିତି ତଣ୍ଟିଟାକୁ କିଏ ଆକଟ କରି ରଖିଛି। ଦୁଇ ହାତର ଦଶଟା ଆଙ୍ଗୁଠି ମାଂସ ନଲଗା ହାଡ଼ରେ ତଣ୍ଟିଟାକୁ ଚିପି ଧରିଥାଏ ଯେ, ଅଧ୍ୟାପକ ଆଉ ହଲି ଚଳି ପାରୁନଥାନ୍ତି। ଆଃ.. ଆଃ.. ଖାଲି ଅସ୍ପଷ୍ଟ ଗୁଞ୍ଜରଣ। ନାକ ବାଟେ ଦେଇ ସିଂଘାଣି ଗୁଡାକ ବାହାରି ଆସୁଥାଏ। ରୀତିମତ କସରତ। ଭୂତ ଛଡେଇବାର ପ୍ରଚେଷ୍ଟା। “ହେ.. ତ.. ତୁ.. କିଏ.. ? – କହି ଜୋହର୍ ଲଗେଇ ହାତଟାକୁ ଛିଞ୍ଚାଡି ଦେଲେ। କ’ଣ ସବୁ ହାତ ବାଜି ଘରରଘରର ଝଣର ଝଣର ଶବ୍ଦ ହୋଇ ଭାଙ୍ଗି ତଳେ ପଡି ଯାଉଥାଏ । କାନକୁ କିନ୍ତୁ ଜୋହର୍ ଶୁଭ ଥାଏ। ହୋସ୍ ଟିକିଏ ଆସିବାରୁ ଅତରଛିଆ ଟର୍ଚ୍ଚଟା ଜାଳି ଦେଇ କିଛି ସମୟ ଉଠିକି ବସିଲେ । ରେଜେଇ ତକିଆ ଯାହା ଥିଲା ସବୁ ସେହି କଙ୍କାଳ ଉପରେ ପକେଇ ଢାଙ୍କି ପକେଇଲେ।
ମନକୁ ଆସୁଥାଏ – ଏଥର ଜୀବନ ବଞ୍ଚେଇ ରଖିବା ବୋଧହୁଏ ଆଉ ସମ୍ଭବପର ନ ଥାଏ । ତେବେବି ତ ଆଉ କିଛି ବାଟ ନାହିଁ। ରାତି ପାହିଲା ଯାଏଁ ଯଦି ଜୀବନ ବଞ୍ଚି ରହେ ତେବେ ଲାବୋରେଟୋରୀ କାହିଁକି ଏ କଲେଜ ଛାଡ଼ି ସିଧା ଘରକୁ ଧାଇଁବେ। ମାଆକୁ ସବୁ କଥା କହିଲା ପରେ ଯାହା, ନହେଲେ ମନ ଥୟ ଧରୁ ନଥାଏ। ମାଆ ତ ଆଇଲା ବେଳେ ଠିକ୍ କଥା କହୁଥିଲା – “ବାବୁରେ! ଜଙ୍ଗଲିଆ ଜାଗା ଦେଖିକି ଚଳିବୁ ,ସେଠି ତ ଭୁତପ୍ରେତ ଓ ଗୁଣୀଗାରେଡ଼ି ଭାରି। ଯେତେବେଳେ କିଛି ଡର ଲାଗିବ ହନୁମାନ ଚାଳିଶା ଖଣ୍ଡକ ପଢ଼ିନେବୁ ” । ସେ କିନ୍ତୁ ତାଙ୍କ କଥାକୁ ସେଦିନ ଗିରାଜ କରି ନଥିଲେ। ମାଆ କଥା ମନେ ପଡିବାରୁ ବ୍ୟାଗରୁ ବହି ଖଣ୍ଡକ ଖୋଲି ଗୂଣୁଗୁଣୁ ହୋଇ ଗାଇଲେ । କେତେବେଳେ ଯେ ନିଦ ଖଣ୍ଡକ ଆଖିରେ ପହଳ ପକାଇ ମାଡି ଆସିଛି ସେ ଆଦୌ ଜାଣି ପାରି ନାହାଁନ୍ତି।
ଉଠିଲା ବେଳକୁ ସକାଳେ ବିଛଣାଟା ଉପରେ ପଡ଼ିଛନ୍ତି। ରାତ୍ରିର ଘନ ଅନ୍ଧକାରର ପଟଳ ଦୂରୀଭୂତ ହୋଇସାରିଥାଏ, ଦିବସର ପ୍ରଖର ସୂର୍ଯ୍ୟ କିରଣ ମଧ୍ଯ ଚାରିଆଡ଼େ ବିଚ୍ଛୁରି ହୋଇ ପଡ଼ିଥାଏ । ବର୍ଷା ପବନ ବି ଏକଦମ୍ ଥପ୍। ପିଲାମାନେ ବୋଧହୁଏ କଲେଜ ଆସିଗଲେଣି ବେଶ୍ କୋଳାହଳମୟ ପରିବେଶ ଜଣାପଡ଼ୁଥିଲା।ଏଥର ଝାଡ଼ିଝୁଡ଼ି ହୋଇ ସେ ବିଛଣାରୁ ଉଠିଲେ।