Satya Prakash
ଗଳ୍ପ

ସାବିତ୍ରୀର ପ୍ରତିଶୋଧ

ସାବିତ୍ରୀର ପ୍ରତିଶୋଧ

ସାବିତ୍ରୀ ବାପ ମା’ର ଗୋଟିଏ ବୋଲି ଝିଅ, ମଧ୍ୟବିତ୍ତ ପରିବାରର ତା’ର ଜନ୍ମ । ମନରେ ତା’ର ଅନେକ ସ୍ୱପ୍ନ । ସମାଜରେ ଅନ୍ୟ ନାରୀ ପରି ସିଏବି ଘର ବସେଇବ । ସୁଦୂରରୁ ରାଜକୁମାରଟିଏ ଆସିବ । ତେଲିଙ୍ଗି ବାଜା ବାଜିବ । ବନ୍ଧୁ, ଆତ୍ମୀୟ ସ୍ୱଜନ ଆସିବେ । ଭୂରି ଭୋଜନ ପେଟେ ଖାଇ ଖୁସିରେ ଯିବେ । ତାର ଗୋରା ଚମକୁ ନାଲି ଶାଢିଟା ଭାରି ମାନିବ । ସରୁ ଓଢଣା ତଳେ ଦାନ୍ତଚାପି, ସେ ହସୁଥିବ । ପୁଣି ସାଙ୍ଗସାଥୀ ଆସିବେ । ଥଟ୍ଟା ମଜ୍ଜା କରିବେ । ଭାରି ମଜ୍ଜା ହେବ । ତାପରେ ପକ୍ଷୀରାଜ ଘୋଡ଼ାରେ ବସାଇ , ତାକୁ କିଏ ନେଇଯିବ, ତା’ର ମନ ରାଇଜକୁ । ସେଠି ସିଏ ମନଇଛା ନାଚିବ, ଖୁସିରେ ଡ଼େଇଁବ । ସମସ୍ତଙ୍କ ମନ ନେଇ ଚଳିବ । ଶାଶୁ ଶ୍ୱଶରଙ୍କ ସେବା ଯନତ୍ନରେ ଆନନ୍ଦ ପାଇବ । ପତିର ସ୍ନେହ,ସୋହାଗକୁ ପାଥେୟ କରି, ସେ ସଂସାରର ଅସୁମାରି ସୁଖ ସମ୍ଭୋଗ କରିବ । ମଣିଷର ପରିକଳ୍ପନା ଅନେକ । ସ୍ୱପ୍ନ ବି ଅନେକ । ସେଥିରୁ ଗୋଟେ ଅଧେ ସତ ହୋଇଗଲେ, ସେ କୃତକୃତ୍ୟ ହୋଇଯାଏ । ସାବିତ୍ରୀର ସ୍ୱପ୍ନ ସତ ହେଲା । ସୁଦୂରରୁ ରାଜକୁମାରଟିଏ ଆସିଲା । ତା’ର ହାତ ଧରି ନେଇଗଲା । ସେ ସୁଖର ସଂସାର ଗଢିଲା ।
ସେଦିନ ବାବାଜିଟିଏ, ଝୁଲାମୁଣି ଧରି, ଆସି ଛିଡ଼ାହେଲା । ଭିକ୍ଷା ଗଣ୍ଡେ ମିଳୁ ବୋଲି – ଚିଲେଇଲା । ସାବିତ୍ରୀ ଘର କାମରେ ବ୍ୟସ୍ତଥାଏ । ସବୁ ଗୋଟେଇ ପୋଟେଇ ରଖିଦେଲା । ଚାଉଳ ଡ଼ାଲେ ଧରି ଆସି ଉଭାହେଲା । ବାବାଜି ମୁହଁଟାକୁ ଚାହିଁ ରହିଲା । ଝୁଲାମୁଣି କାହିଁ ପତାଇଲା ନାହିଁ ।
ସାବିତ୍ରୀ କହିଲା- ‘କ’ଣ କିଛି ତ୍ରୁଟି ରହିଗଲା କି ମହାରାଜ’? ଏଥର କୁହ୍ଲାରେ ଆଳୁ , ବାଇଗଣ ଆଉଗଣ୍ଡେ ଚାଉଳ ଧରି ଆସି ଉଭା ହେଲା । ସେତେବେଳକୁ ବାବାଜୀ କିନ୍ତୁ, ସେଠୁ ଚାଲିଯାଇଥାଏ । ସାବିତ୍ରୀର ମନ ଦୁଃର୍ଭାବନାରେ ଘାରିଗଲା । କାଳେ କିଛି ଦୁର୍ଘଟଣା ଘଟିବ କି ? ବାବାଜି କାହିଁ କିଛି କହିଲେ ନାହିଁ …??
ସ୍ୱାମୀ ସ୍ନେହ ସୋହାଗରେ ଖୁସି ଅଣ୍ଟେନି କି ଦିନ ସରେନି । ଏମିତି ବେଶ୍ କିଛି ଦିନ ବିତିଗଲା । ହଠାତ୍ ଦିନେ ସ୍ୱାମୀ ତା’ର ଏକ ଦୂରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହେଲେ । ସାବିତ୍ରୀ କେତେ ଦିଅଁ ଦେବତାଙ୍କୁ ମନାସିଲା । ପୂଜାବ୍ରତ କଲା । ଠାକୁରଙ୍କୁ କେତେ କାକୁତି ବିନତି ହେଲା । ‘ମୋ ସ୍ୱାମୀଙ୍କୁ ଭଲ କରିଦିଅ’- କହିଲା । କିନ୍ତୁ ଭଗବାନ ବଡ଼ ନିଷ୍ଠୁର । ସିଏ କୁଆଡ଼େ ଇଚ୍ଛାମୟ । ଯାହା ଇଚ୍ଛା କରନ୍ତି ସେୟା ହୁଏ । କାହାରି କଥା , ତାଙ୍କୁ ଶୁଭେ ନାହିଁ । ସାବିତ୍ରୀର କଥା ମଧ୍ୟ ତାଙ୍କ କର୍ଣ୍ଣ ଗହ୍ୱର ଭେଦ କରି ପାରିଲା ନାହିଁ । ହଠାତ୍ ସ୍ୱାମୀ ଦିନେ ଦୁଃଖ ସାଗରରେ ଭସାଇଦେଇ, ଆର ପାରିକୁ ଚାଲିଗଲେ । ସାବିତ୍ରୀ ଉପରେ, ଏବେ ସବୁ ବୋଝର ଭାରା । ସେ ଏକା ଏକା, ଏ ବିରାଟ ସଂସାରର ବୋଝ ମୁଣ୍ଡାଇବ କିପରି ? ସ୍ୱାମୀଙ୍କ ରୋଜଗାରରେ ପେଟକୁ ଗଣ୍ଡେ ଖାଇ, ଖଣ୍ଡେ ପିନ୍ଧି, ସେ ସିନା ଚଳି ଯାଉଥିଲା । ଏବେ ଏକାଏକା ସଂସାରର ତରୀଟିକୁ, ତାକୁ ବୋହି ନେବାକୁ ହେବ । କିଛି ଦିନ ଦୁଃଖ କଷ୍ଟରେ ଚଳିଗଲା । ଏବେ ଆଉ ଘରେ ଫଟା କଉଡ଼ିଟିଏ ନାହିଁ । କ’ଣ ଖାଇବ ସିଏ ? କେମିତି ଚଳିବ ?? ମନରେ ସାହସ ବାନ୍ଧିଲା । ହିମ୍ମତ ହାରିଲା ନାହିଁ । ଅଣ୍ଟିରେ କାନି ଗୁଡ଼ାଇ, ସେ ବାହାରିଲା ପଦାକୁ । ନିଜର ଚାଷଜମିକୁ, ସିଏ ନିଜେ ଆବାଦ କଲା । ହଳ ବ୍ୟତୀତ ସବୁ କାମ ସେ ନିଜେ କଲା । ‘ଆପଣା ପେଟ ପୋଷ; ନାହିଁ ଦୋଷ’ । ତଥାପି ଏଥିପାଇଁ ସାହି ମାଇପଙ୍କ ଠାରୁ, ସେ କ’ଣ କମତି ଶୁଣିଛି – ‘ଅଣ୍ଡିରା ଚଣ୍ଡୀ, ଲାଜ ସରମ ନାହିଁ, ବିଲରେ ଯାଇ ଖଟୁଛି, ମର୍ଦ୍ଦାଙ୍ଗୀ ଦେଖେଇ ହେଉଛି’- ଇତ୍ୟାଦି ଅନେକ । ସହଜେ ତ ସେ ସୁନ୍ଦରୀ । ପୁଣି ବୟସ ତା’ର କମ୍ । ଯିଏ ଦେଖୁଥାଏ, ସିଏ ଲୋଭ କରୁଥାଏ । ଶରୀରଟା ଉପରେ ଲୋଲୁପ ଦୃଷ୍ଟି ପକାଉଥାଏ । କେତେଲୋକଙ୍କ ଦୃଷ୍ଟି ଆଢୁଆଳରେ – ସେ ବା ଆଉ ରହିବ । ପୁଣି ରାଣ୍ଡ ମାଇପ ତ ସମସ୍ତଙ୍କର ଟାପରା । କେତେ ଲୋକଙ୍କର- ସେ ଆଉ ଶତ୍ରୁ ହେବ । କାହା ସହ- ସେ ଝଗଡ଼ା କରିବ ? କିଏ ବା ତାକୁ ସୁରକ୍ଷା ଦେବ ?? ଏହିପରି ଅନେକ ଭାବନା ମୁଣ୍ଡ ଟେକେ । ପ୍ରତ୍ୟେହ – ନୂଆ କାହାଣୀ ଘଟେ । ହଳ କରିବା ପାଇଁ ମଜୁରିଆ ପକାଇଲା । ମଜୁରିଆ ଚାହେଁ, ସେ ତାକୁ ଦେହଦାନ କରୁ । କାହାକୁ ଛୋଟ ବଡ଼ କଥାରେ ଆଦୃଜା ହେଲା, ସେ ବି ଚାହିଁଲା ତା’ର କଞ୍ଚା ମାଂସଟାକୁ । କେତେ ଯେ, ସିଏ ବଳାତ୍କାରର ଶିକାର ହୁଏ, ତା’ର ହିସାବ କେହି ରଖିନାହିଁ । ପ୍ରଥମେ ପ୍ରଥମେ ସେ ପାଟି କରି, ଲୋକ ଜମା କଲା । ଅନ୍ୟ ଆଗେ, ନାଲିସ୍ କଲା । କିନ୍ତୁ,କିଛି ଲାଭ ହେଲା ନାହିଁ । ପ୍ରତିଥର, ତାକୁ ସେହିଭଲି ବଦ୍ନାମ ହେବାକୁ ହୁଏ । “କୁଳଟ୍ଟା, ବେଶ୍ୟା, ଦୁରାଚାରିଣୀ, ନିଜ ମନର ଭୋକମେଣ୍ଟାଇବା ପାଇଁ ୟା-ତା ନାଁରେ ବଦନାମ ଦେଉଛି । ନିଜର ତ ସଂସାର ନାହିଁ, ଅନ୍ୟର ସଂସାରକୁ ଅଯଥା ଉଛନ୍ନ କରୁଛି ।’ – ଏଭଳି କେତେକଣ …….. ।
ବିଚାରୀର କାନ ଅତଡ଼ା ପଡ଼ିଯାଏ । ଭଗବାନଙ୍କ ଉପରେ ରାଗ ହୁଏ । ‘ଯଦି ମଣିଷକୁ ସୁରକ୍ଷା ଦେଇପାରିବନି, କାହିଁକି ଜନମ ଦେଉଥିଲ’- ବୋଲି ପ୍ରଶ୍ନ ପଚାରେ । କିନ୍ତୁ କିଏ ବା ତା’ କଥା ଶୁଣେ? ପରିସ୍ଥିତି ପରିବେଶ, ତାକୁ ବାଧ୍ୟ କଲା – ସେ ସତକୁ ସତ କୁଳଟ୍ଟା ବେଶ୍ୟାରେ ପରିଣତ ହୋଇଗଲା । ମରିବାକୁ ଚାହିଁଲେ ବି, ସେ ମରି ପାରେନା । ଜୀବନର ମୋହଟା, ତାକୁ ଭିଡ଼ିକି ଧରେ । ଏତେବେଳେ ସମାଜ ଉପରେ – ତା’ର ପ୍ରଚଣ୍ଡ କ୍ରୋଧ ଆସେ । ଦୁନିଆଟା ଉପରେ ପ୍ରତିଶୋଧ ନେବାକୁ ଇଛା ହୁଏ ।
ଏଥର ସେ ଆପଣା ଘରଟାକୁ- ଦାରିବାଡ଼ି କରିଦେଲା । ଯେତେ ଗରାଖ ଆସିଲେ – କାହାକୁ ସେ ମନାକଲା ନାହିଁ । ଓଲଟି ପ୍ରତିଥର, ନିଜକୁ ଆହୁରି ସୁନ୍ଦର ରୂପେ ସଜାଇ , ପୁରୁଷ ମାନଙ୍କୁ ଆକୃଷ୍ଟ କଲା । ପ୍ରତିଟି ପରିବାରକୁ – ଉଚ୍ଛନ୍ନ କଲା । ସେ ପ୍ରତିବାଦ କଲାବେଳେ, ଯେଉଁ ନାରୀମାନେ ତାକୁ କୁଳଟ୍ଟା ବେଶ୍ୟା କହି, ଦୂର୍ ଦୂର୍ କରୁଥିଲେ, ସେହିମାନଙ୍କୁ ସେ ପାଲଟା ପ୍ରଶ୍ନ କଲା – ‘ ଯଦି ପାରୁଛ ନିଜ ସ୍ୱାମୀମାନଙ୍କୁ ନିଜ ପ୍ରେମ ଡ଼ୋରିରେ ବାନ୍ଧିକି ରଖ, ମୋ ଗୋଡ଼ତଳେ ପଡ଼ି, ଗିଡ଼ିଗିଡ଼ି ହେଲେ, ମୁଁ ସାହାଯ୍ୟ କରିପାରିବି ନାହିଁ ।’
ଯେଉଁନାରୀମାନେ, ତାକୁ ଦିନେ ତାଚ୍ଛଲ୍ୟ କରୁଥିଲେ, ସେମାନଙ୍କର ସମସ୍ତ ଗର୍ବ -ଔଦ୍ଧତ୍ୟ ଭାଙ୍ଗି ଚୁରମାର ହୋଇଗଲା । ନିଜ ସ୍ୱାମୀକୁ ନିଜେ ବାନ୍ଧି ରଖିପାରିଲେ ନାହିଁ । ଯେଉଁ ପୁରୁଷମାନଙ୍କୁ, ସେ ଦିନେ କେତେ କାକୁତି ବିନତି ହୋଇଥିଲା, ନିଜ ସତୀତ୍ୱର ରକ୍ଷା କରିବା ପାଇଁ, ଆଜି ତା ପାଦତଳେ ଲୋଟନ୍ତି । ତା ଦୟା ଉପରେ ନିର୍ଭର କରନ୍ତି । ପ୍ରତିକ୍ଷା- ତିତିକ୍ଷାରେ ରାତି ଉଜାଗର ହୁଅନ୍ତି । ବିଲବାଡ଼ି ଅପନ୍ତରା ମାନନ୍ତି ନାହିଁ । ସବୁ ଡ଼େଇଁ ମଶା ଡ଼ାଆଁଶରେ ପଡ଼ିରହନ୍ତି ।
ଆଜି ସେ ପ୍ରତିହିଂସା ପରାୟଣା । କାହାରି କଥା ସେ ମାନିବ ନାହିଁ । ସମସ୍ତଙ୍କୁ ସେ ଧ୍ୱଂସ ସ୍ତୁପ ଭିତରକୁ ଠେଲିଦେବ । ଗାଁ ସାରା ଲୋକେ ଆଜି ନିକମ୍ମା । କାମଧନ୍ଦା ଛାଡ଼ି ଖାଲି ତା’ରି ପଛରେ ପଡ଼ିଛନ୍ତି । ସମସ୍ତଙ୍କ ପରିବାର ଭିତରେ ଅଶାନ୍ତି । ଅସନ୍ତୋଷ…
ମାତ୍ର ଏଥିପାଇଁ ଦାୟୀ କିଏ?
-ସାବିତ୍ରୀ ??
– ନା ଆଉ ଅନ୍ୟମାନେ ???

Related posts

ଶେଷରେ ଶେଷ ସଂଳାପ

satya

ବାଘ the tiger

satya

ଆଲୋକର ଅନ୍ତରାଳେ

satya

Leave a Comment

Login

X

Register