ଦୁଃଖ ଓ ସୁଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଏକେ ଛାଡ଼ି ଆରକର ସ୍ଥିତି ଅସ୍ପଷ୍ଟ। ଜୀବନ ପରିବୃତ୍ତ ଚାରିକଡ଼େ ଉଭୟ ଘୂରି ବୁଲନ୍ତି। ସମୟର କେନ୍ଦ୍ରବିନ୍ଦୁ ଉଭୟକୁ ଝୁଲେଇ ରଖିଥାଏ। ସେଇମିତି ଲଟକି ଥାନ୍ତି। କେତେବେଳେ କାହାର ପାଳି ପଡ଼ିଲେ, ସମୟର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ଟାଣି ହୋଇ ଜୀବନ ପରିଧିର ପରିସରଭୁକ୍ତ ହୁଅନ୍ତି ବା କେତେବେଳେ ମନ ଇଚ୍ଛା, କକ୍ଷ ଚ୍ୟୁତ ହୋଇ କକ୍ଷହରା ଧୂମକେତୁ ସମ ଧସେଇ ପଶି ଆସି, ବ୍ୟବସ୍ଥାପକର ସୃଷ୍ଟି ବ୍ୟବସ୍ଥା ନିୟମକୁ ଭାଙ୍ଗି ପକାନ୍ତି। ଜୀବନର ସ୍ଥିତି ବଡ଼ ଅସ୍ପଷ୍ଟ। ସବୁ ଅବୁଝା, ନିର୍ବିବେଦ। ଜୀବନ ଅନୁସନ୍ଧିତ୍ସୁ ଜୀବନ ଖୋଜିବାରେ – କେତେ କେତେ ମୁନି ରିଷି ଅସଫଳ, ତହୁଁ ଆମେ କି ବିଫଳ। ତଥାପି ତା’ର ସଂଜ୍ଞା ନିରୂପଣ ଓ ହେତୁ ନିର୍ଦେଶ ପାଇଁ ସେ ଶତତଃ ପ୍ରୟାସଶୀଳ। ସେଇଥିରେ ସୁଖ ଓ ଦୁଃଖ ଦୁଇଟି ଜଡ଼ ନିର୍ବେଦ ଚେହେରା ଯାହା ଦୃଶ୍ୟପଟ୍ଟେ ଅଦୃଶ୍ୟମାନ ଭାବସତ୍ତା। ଯାହା ହୁଏତ ଅନାବଶ୍ୟକ ପ୍ରୟୋଜନତା।
ଦୁଃଖ ଓ ସୁଖ ଦୁଇ ଯାଆଁଳା ଭାଇ। ଉଭୟ ଆପଣା ସ୍ଥିତି ଜାହିର କରିପାରିଥିବାରୁ, ଉଭୟର ସ୍ଥିତି ନେଇ ମତାନୈକ୍ୟ ଥିଲେ ହେଁ ସ୍ୱୀକାର୍ଯ୍ୟ। ଯେପରି ଆଲୋକର ମଧୁର ସ୍ନିଗ୍ଧ ଭାବକୁ ଅନୁଭବ କରିବାକୁ ହେଲେ, ଅନ୍ଧକାରର ଅନବଦ୍ୟ ଭୂମିକା ଉଲ୍ଲେଖନୀୟ, ସେହିପରି ସୁଖର ମଧୁର ପୀୟୂଷ ପାନ କରିବା ପାଇଁ ସ୍ଥିତି ଅନସ୍ୱୀକାର୍ଯ୍ୟ ନୂହେଁ। ସାଧାରଣ ଭାବେ କୁହଯାଏ-“ସୁଖ ନ ଥିଲେ, ଦୁଃଖ ନାହିଁ କି ଦୁଃଖ ନଥିଲେ ସୁଖ ନାହିଁ। ଏଥିରୁ ଗୋଟିଏ କଥା ସହଜେ ଅବଧାରଣା କରିହୁଏ ଯେ, ଜୀବନ ପରିସର ଭିତରେ ସୁଖ ଓ ଦୁଃଖ ଉଭୟ ଥାଏ। କେତେବେଳେ କେଉଁଟା ଟିକିଏ ଭାରି ହୋଇଗଲା ବେଳେ ଅନ୍ୟଟି ଲଘୁ ଭାବେ ଥାଏ – କିନ୍ତୁ ଜୀବନ ପରିବୃତ୍ତ ଭିତରେ ଏ ଉଭୟ ରହିବ ହିଁ ରହିବ।ଜୀବନରେ ଯେପରି ଜୀବନ ଦୁଃଖ ଥିଲେ ” ବୃଥା ହୋଇଗଲା” ବୋଲି ଲୋକେ କହନ୍ତି ସେହିପରି ଜୀବନରେ ଖାଲି ଦୁଃଖ ଥିଲେ ଜୀବନର ଅର୍ଥ ଠିକ୍ ଭାବେ ବୁଝା ପଡ଼େ ନାହିଁ। ଜୀବନର ଏଡ଼େ ଅର୍ଥ ବୁଝିବାକୁ ହେଲେ, ଜୀବନର ବଡ଼ ସଂଜ୍ଞା ଖୋଜିବାକୁ
ହେଲେ ଏହି ସୁଖ ଦୁଃଖର ସ୍ଵରୂପ, ତା’ର ସ୍ରୁଷ୍ଟି ସଂସ୍ତୁତି କ୍ରିୟାଶୀ ଳତା ରୂପ ରେଖକୁ ପ୍ରଥମେ ବୁଝିବାକୁ ପଡ଼ିବ। ଏକଥା ସତ ଯେ ଜୀବନର ମାନେ କିଛି ହୁଏନା, କେବଳ ଜୀବନରେ ଚିରାଡ଼ି ଛାଡ଼ି ରାହା ଡାକ ଠାରୁ ରାମ ନାମ ପର୍ଯ୍ୟନ୍ତ ଏହି ସୁଦୀର୍ଘ ପଥ ଅତିକ୍ରମ କରିବା ପାଇଁ ଗୋଟାଏ ଲମ୍ବ ଡିଆଁ ଦୌଡ଼। ଆଉ ଏହି ଦୌଡ଼ ଖାଲି ମାନବ ସାମାଜ ଭିତରେ ନୂହେଁ ସୃଷ୍ଟିର ସକଳ ପଦାର୍ଥ ଭିତରେ ଓ କେବଳ ଆଜି ନୂଆ ନୂହେଁ, ସୃଷ୍ଟିର ଓଂକାର୍ ଠାରୁ ଆଜି ଯାଏଁ ଚାଲିଛି ଯେ ଚାଲିଛି, ବିରାମ ନେବାକୁ ନାହିଁ। ଏଇ ଦୌଡ଼ ପାଇଁ ମନିଷ ସ୍ରୁଷ୍ଟି କରେ ନିତ୍ଯ ନୈମିତ୍ତିକ କେତେ ନୂଆ ସମସ୍ୟା। ତାହାରି ଭିତରେ ଧୁନ୍ଦି ଧାନ୍ଦି ହୋଇ ଶେଷରେ ସେ ଯାଇ ପହଁଚେ ସେହି ଚିରନ୍ତନ ସତ୍ୟ ନିକଟରେ, ଯାହାର ଅନ୍ୟ ନାମ ମୁକ୍ତି ବା ରାମ ନାମ।
ଏହି ଦୌଡ଼ ପାଇଁ ସେ ଉପାଦାନ ରୂପେ ଗ୍ରହଣ କରି ନିଏ ସୁଖ ଓ ଦୁଃଖ ଉଭୟକୁ। ଦୁଃଖରୁ ମୁକ୍ତି ଓ ସୁଖ ପ୍ରାପ୍ତି ପାଇଁ ତା ‘ର ଏ ଦୌଡ଼। କିନ୍ତୁ ଯେତେବେଳେ ସେ ବୟପ୍ରାପ୍ତ ହୋଇଯାଏ, ତା’ର ଚେତନା ଚଟୂଳ ଅନୁଭବ ଓ ଅନୁଭୂତିରେ ପରିପୃଷ୍ଟ ହୋଇସାରିଥାଏ, ଏଇ ଦୌଡ଼ ଅତିକ୍ରମ କରିବା ପାଇଁ ଆଉ ଲେଶ ମାତ୍ର୍ ବାକି ଥାଏ, ତା’କୁ ଯଦି ପଚରା ଯାଏ-” ଏତେ ବେଶୀ ଦୌଡ଼ ଭିତରେ, ଏତେ ବର୍ଷର ତପସ୍ୟା ପରେ, ତୁମେ ପାଇଲ କ’ ଣ? “ସେ ବେଶ୍ ସହଜ ଉତ୍ତର ଦିଏ-“କିଛିନା” ।ଖାଲି କିଛି ଅନୁଭୂତି, କେତକ ବ୍ୟର୍ଥତା, ଗୋଟେ ଦୀର୍ଘ ନିଶ୍ଵାସ, କେଇ ଠୋପା ଲୁହ – ଯାହା ତା’ର ପୁଞ୍ଜି। ତା’ ଜୀବନଯାକର ଏହିତକ ସାଧନା ଓ ସିଦ୍ଧିର ମହାର୍ଘ ଆମ ହାତରେ ଟେକି ଦେଇ ସେଠୁ ସେ ଆରମ୍ଭିବ ତା’ ଜୀବନର ଅନ୍ତିମ ଯାତ୍ରା। ଆହୁରି ବେଳେ ଅଧେ ତା ‘ ପ୍ରଜ୍ଞା ପ୍ରଣୋଦିତ ଚେତନାରୁ ବୟସ୍କ ପ୍ରାଣର ଉଶ୍ୱାସରୁ ନିଗିଡି ଆସେ ଦୁଃଖ ସୁଖ ଉପରେ କେତେ କ’ଣ ଅନୁଭବ ଅନୁଭୂତି, ମତ ଓ ମନ୍ତବ୍ୟ ଏବଂ ଲମ୍ବାଚଉଡ଼ା ଭାଷଣରୁ ଚେନାଏ ଫଳ-ନିହାତି ଅବାସ୍ତବ, ନିରର୍ଥକ ମନେ ହୁଏ। ଯାହକୁ ବୁଝି ବୁଝେଇବା ମୋ ପକ୍ଷେ ବା କଷ୍ଟକର।
ସୁଖ ଦୁଃଖ ଜୀବନରେ ସମ ପରିମାଣରେ ଥାଏ। ମାତ୍ର୍ ମଣିଷ ଖୋଜେ ସୁଖକୁ। ଏଇ ସୁଖ ପଛରେ ଧାଇଁବାରେ ବେଶୀ ଦୁଃଖ ମିଳେ। ଯଦି ସୁଖ ଦୁଃଖ ଜୀବନ ପରି ରୁତ୍ତ ଭିତରେ ଉଭୟ ରହିବ, ତେବେ ଉଭୟକୁ ଆଦରି ନେଇ ସହ୍ଯ କରିଗଲେ କ୍ଷତି କ’ଣ? କିନ୍ତୁ ମଣିଷ ସେ କଥା ବୁଝେ ନାହିଁ, ଫଳରେ ସେ ଅଧିକ୍ ଦୁଃଖୀ ହୁଏ। ମାନବ ଶିଶୁ ଜନ୍ମ ହେଲା କ୍ଷଣି ଚିରାଡ଼ି ଛାଡ଼ି କାନ୍ଦି ଉଠେ, ସତେ ଯେପରି ଭାଗବାନଙ୍କ ଠାରେ ସେ ପ୍ରତିବାଦର ସ୍ୱରଟିଏ ହାଣି ଦିଏ-“ମୋତେ କାହିଁକି ଏ ଜନ୍ମ ଦେଲ” ?ଅଥଚ ଦୁଃଖର ସ୍ଥିତିକୁ ସେ ସ୍ୱୀକାର କରିନିଏ। ମାନବ ଜୀବନକୁ ସେ ସୁଖ ନମଣି ଦୁଃଖ ମଣେ।
ସୁଖ ପଛେ ଧାଇଁବାରେ ତା’ର ଅନ୍ତଃ ନାହିଁ। ସୁଖ କିନ୍ତୁ ମିଳିବାର ସମ୍ଭାବନା ନାହିଁ। ଯେଉଁଠିସୁଖ ମିଳେ, ସେଇଠି ଥାଏ ଦୁଖଃ ଫେଣ୍ଟାଫେଣ୍ଟି ହୋଇ। ସୁଖ ସହ ଦୁଃଖ ଛାୟା ପରି ଲାଗିରହିଥାଏ। ଲବ କୁଶ ଥିଲେ ଦୁଇ ଯାଆଁଳା ଭାଇ, ଏକକୁ ଛାଡ଼ି ଆରକୁ କୁଆଡ଼େ ଦଣ୍ଡେ ରହିପାରେ ନାହିଁ। ପୁଣି ଲବ ଥିଲା ଅଗ୍ରଜ। କୁଶ ତୁଳନାରେ ଲବ ଥିଲା ବଳିୟାର। ସେହି କାରଣରୁ ସୁଖ ଠାରୁ ଦୁଃଖ ଥିଲା ବଳବାନ। ଗୋଟିଏ ଦୁଃଖର ସୀମା ଶେଷ ହୋଇଗଲା ବେଳକୁ ଆଉ ଗୋଟିଏ ଦୁଃଖର ସୀମା ପ୍ରାରବ୍ଧ ହୋଇଯାଏ। ମଝିରେ ସାମୂହିକ ବିରତି ଟାଣି ପାରେ ସୁଖ ସିନା ହେଲେ ଚିରନ୍ତନୀ ଆନନ୍ଦ ଦେଇପାରେନା।ଦୁଃଖ ମାରିପାରେନା। ତାହା ଶୋଇରହେ କୁମ୍ଭ କର୍ଣ୍ଣି ନିଦ୍ରାରେ ପରବର୍ତ୍ତୀ ସମୟରେ ବେଶ୍ କିଛି ଦିନ ଜାଗ୍ରତ ରହିବା ପାଇଁ। ମଣିଷ ଜନ୍ମରୁ ଦୁଃଖୀ ଆଉ ଏଇ ଦୁଃଖ ତା ‘ସହିତ ଆସିଥିଲା ଜାଆଁଳା ଭାଇ ହୋଇ ସେ ଯେଉଁଦିନ ମାଆ ପେଟରୁ ପହିଲେ ଭୂମିଷ୍ଠ ହୋଇ ଦେଖିଲା ପୃଥିବୀର ପହିଲୁ ସୂର୍ଯ୍ୟ କିରଣ। ସେଇ ଦିନ ଠାରୁ ଏ ଦୁଃଖ ଘେରି ରହିଛି ତା’ର ଜୀବନ ସମଗ୍ର୍ଆ ଜୀବନାକାଶ ଚାରିପଟେ କଳା ମେଘ ପରି-ଏଥିରୁ ନିସ୍ତାର ନାହିଁ। ସୁଖକୁ ଖୋଜୁଛି ଯେ ଖୋଜୁଛି, କେତେ ଆୟାସ କରି, କାହିଁ ଭେଟଣା ହେବାର ନାହିଁ। ଏଣେ ପଛେ ପଡ଼ି ଉଠି ଆଣ୍ଠୁ ଗଣ୍ଠି ଖଣ୍ଡିଆ ଖାବଡ଼ା ହୋଇଯାଉ ତେବେବି ସୁଖକୁ ଖୋଜିବାରେ ପରାସ୍ତ ହୋଇନାହିଁ। କାହିଁ ବା ସୁଖ କେମିତିକା ତା’ ରୂପ, ଦେଖିବାକୁ ଭାରି ଗୋଟେ ଇଚ୍ଛା ଜାଗିଛି ଜନ୍ମରୁ। ଯେତେବେଳେ ସୁଖକୁ ନପାଇ ହତାଶ ହେଲା, ସେତେବେଳେ ଭାବିଲା ଏ ଦୁଃଖକୁ ଚିହ୍ନିବ, ତା’ ବହୁବିଧ ସ୍ୱରୂପକୁ ଚିହ୍ନଟ କରି, ତା’ର ପାର୍ଶ୍ଵ ସହଚରମାନଙ୍କୁ ଏକାବେଳେକେ ହତ୍ୟା କରି ଦେବ ଯେ, ଏକାଥରେକେ ସୁଖ ପ୍ରାପ୍ତି ହେବ। ଆଉ ତାକୁ ଦୁଃଖର ଭୟରେ ଆତ୍ମଗୋପନ କରିବାକୁ ପଡ଼ିବନି। ସେବେଠୁଁ ଆରମ୍ଭ ହୋଇଗଲା କି ତା’ର ଦୌଡ଼ ଦୁଃଖ ପଛରେ। ଅନ୍ବେଷଣ କଲା, ଭାବିଲା କେଉଁଠି ଅଛି ଗଦାଏ ଦୁଃଖ-ତା’ର ସଙ୍ଗେ ହେବ ଭେଟ। ଦୁଃଖକୁ ଚିହ୍ନବାର, ଜାଣିବାର କୌତୁହଳ ନେଇ ସେ ଖୋଜିଛି ପ୍ରତିଟି ସ୍ଥାନ। ସନ୍ଧାନ କରିଛି ଉପଯୁକ୍ତ ସ୍ଥାନର, ଯେଉଁଠି ମିଳିଯିବ, ଯେଉଁଠି ମିଳିଯିବ ତାକୁ ତା’ ପ୍ରଶ୍ନର ବା ସବୁତକ ସମାଧାନ ? ଗବେଷଣାରୁ ଯେଉଁ ଜ୍ଞାନୋପମ ଅନୁଭୂତି ମିଳିଲା-ତାହାକୁ ବୁଝିବା ବା ବୁଝେଇବା ସେତେ କିଛି କାହିଁ ସହଜ ବୋଧଗମ୍ୟ ହେଲା ନୂହେଁ।
ତେଣୁ ସର୍ବଶେଷରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ, ଦୁଃଖ ଅଛି ରହିବ, ତା ପାଇଁ ବିଶେଷ ବ୍ୟସ୍ତତା ଆଦୌ ଶୋଭନୀୟ ନୂହେଁ। ମାତ୍ର ଅଭିନିବେଶ ପୂର୍ବକ ଧ୍ୟାନ ଦେଲେ ହୁଏତ ଏହା ଯଥେଷ୍ଟ ଉପଶମ ହୋଇପାରେ। ଏତଦ୍ ବ୍ୟତୀତ ନିଜ ଜ୍ଞାତସାରରେ ଅଯଥା ସ୍ରୁଷ୍ଟି କରୁଥିବା ଦୁଃଖ ଓ ତଦ୍ସମ୍ପର୍କିତ ସମସ୍ୟା ଠାରୁ ଯଥା ସମ୍ଭବ ଦୁରତ୍ଵ ରଖିବାକୁ ପଡ଼ିବ। ଦୁଃଖ ତା’ର ହିସା ନେବ ହିଁ ନେବ, ଅଧିକ ବ୍ୟସ୍ତ ହେଲେ ସମାଧାନର ରାହା ଫିଟେନା। ପରନ୍ତୁ ସମସ୍ୟା ଘେରରେ ମୁଣ୍ଡ ଖାଲି ଚକ୍କର କାଟିବା ସାର ହେବ। ଦୁଃଖ ସୁଖ ସମଭାବାପନ୍ନ ଓ ସମ ସ୍ଥିତ। ଅବଶ୍ୟ ସ୍ଥଳ ବିଶେଷରେ ଏହା ଟିକିଏ ଲଘୁ ବା ଭାରି ଭାବେ ଥାଏ। ପୁଣି ସ୍ଥାନ କାଳ ପାତ୍ର ଭେଦରେ ଏହାର ସ୍ଵରୂପ ଭିନ୍ନ ହୋଇପାରେ-ଏଥିପାଇଁ ବ୍ୟସ୍ତ ବା ବିବ୍ରତ ଭାବ ସୁଲକ୍ଷଣ ନୂହେଁ, ପରନ୍ତୁ ବୈଲକ୍ଷଣ ।
ହଁ ଗବେଷଣା ଲବ୍ଧ ଜ୍ଞାନ କଥା ଉଲ୍ଲେଖ କରାଯାଇଥିଲା ପରା? ସେ ଅନୁଭୂତିଟା କ’ଣ? ସେ ଅନୁଭୂତି ହେଉଛି, ଦୁଃଖ ଓ ସୁଖର ।ଭାରତୀୟ ଆର୍ଯ୍ୟ ରୁଷିମାନଙ୍କୁ ଦୁଃଖ ବା ସୁଖ ସ୍ପର୍ଶ କରିପାରେନା। ସବୁଥିରେ ତାଙ୍କର କେମିତିକା ଗୋଟେ ଉଦାସୀନ ଭାବ। କୌଣସି କଥାରେ ବିଚଳିତ ନୁହଁନ୍ତି – ସେମାନେ। ଦୁଃଖ ହେଉ ଅବା ସୁଖ ସବୁକୁ ଏକା ମଣନ୍ତି। ସେମାନେ ଦୁଃଖରେ ଅତିଶୟ ମ୍ରିୟମାଣ ନୁହଁନ୍ତି କି ସୁଖରେ ଆତ୍ମବିଭୋର ନୁହଁନ୍ତି। ଦୁଃଖ ପ୍ରତି ଉଦାସୀନ। ସୁଖ ପ୍ରତି ବିତଃସ୍ପୃହ। ଲୋଭ, ମୋହ, କାମ, କ୍ରୋଧ, ଇର୍ଷା, ହିଂସା ଠାରୁ ବହୁଦୂରେ। ତେଣୁ ସେମାନେ ପ୍ରସନ୍ନ, ଉଦାତ୍ତ ଚିତ୍ତ , ନିରୁଦବେଗ, ଉଦାସୀନ, ସ୍ଥିତପ୍ରଜ୍ଞ ।ଦୁଃଖ ହେଉ ବା ସୁଖ ସବୁ ଏକ, ଭିନ୍ନ ଅନୁଭବ ଓ ଅନୁଭୁତିର ମହକ।
3 comments
You are a very intelligent individual!
Thank you for another magnificent post. Where else could anyone get that type of information in such a perfect way of writing? I’ve a presentation next week, and I am on the look for such information.
so much great information on here, : D.