Satya Prakash
Uncategorised

ସ୍ଵର୍ଗତଃ ଭୈରବ ଚନ୍ଦ୍ର

ସ୍ଵର୍ଗତଃ ଭୈରବ ଚନ୍ଦ୍ର ମହାପାତ୍ର
—–by ସତ୍ୟ ପ୍ରକାଶ ସେଠୀ
ଶୋଭା ସୁଷମାରେ ସୁଶୋଭିତ ଗାଁ, ବ୍ରାହ୍ମଣୀ ଗାଁ।ଭାରି ମନୋଲୋଭା ତାର କାନ୍ତି, ଦୀପ୍ତିମୟୀ ତାର ଆଭା । ପ୍ରକୃତିର ରଙ୍ଗଶାଳା, ନାନା ରଙ୍ଗେ ରଙ୍ଗାୟିତ ଏଇ ଗାଁ।ମଧୁମକ୍ଷୀର ମଧୁଶାଳା ପରି ସବୁ ମିଠାସ ଭରି ରହିଥାଏ ଏହି ଗାଁର ମଧୁଚକ୍ରରେ।।
ଭାରତ ଏକ ଗ୍ରାମ୍ୟ ବହୁଳ ରାଷ୍ଟ୍ର, ଯେଉଁଠି ଅଧିକଂଶ ଲୋକ ଗାଁରେ ବସବାସ କରନ୍ତି। ବାହାର ଦୁନିଆ ଦେଖିବାର ବା ଚିହ୍ନବାର ସୌଭାଗ୍ୟ ଏଠି ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ।ତଥାପି ଧୂଳି ଧୂସରିତ ଗ୍ରାମ୍ୟ ଭୂଇଁରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଏମାନେ ନିଜ ଗୁଜୁରାଣ ନିଜେ ମେଣ୍ଟନ୍ତି। ବେଳେ କଦବାଏ ଏମାନେ ବା କାହା ଉପରେ ନିର୍ଭର କରନ୍ତି। ନହେଲେ ସେଇ ଗାଁରେ ଗାଁରେ ଏମାନଙ୍କର ଜୀବନ ନାଟିକା ପ୍ରାୟତଃ ଶେଷ ହୋଇଥାଏ।ଅବଶ୍ୟ ପାରସ୍ପରିକ ସେବା, ସହୋଯାଗ ଓ ସହାନୁଭୂତିରେ ଏମାନଙ୍କ ପାଖରେ କିଛି କମ୍ ନଥଏ । ତେଣୁ ବାସ୍ତବରେ ଏମାନେ ଖୁବ୍ ଆତ୍ମନିର୍ଭରଶୀଳ ।ଡାଲି ଚାଉଳ ଅଦଳା ବଦଳି ବା ପରିବା ପତ୍ର ଦେଣନେଣ ଭିତରେ ଏମାନେ ନିଜ ଆବଶ୍ୟକତାକୁ ପୂରଣ କରି ପାରିଥାନ୍ତି। ସେହିପରି ଗୋଟେ ଗାଁ ଏଇ ଗାଁ।
କଥାରେ ନାହିଁ ଯାହା ନାହିଁ ଭାରତେ ତାହା ନାହିଁ ଭାରତେ, ଠିକ୍ ସେଇ ପରି ଯାହା ନାହିଁ ବ୍ରାହ୍ମଣୀ ଗାଁରେ ତାହା ନାହଁ ବ୍ରହ୍ମାଣ୍ଡେ। ଅର୍ଥାତ୍ ବ୍ରହ୍ମାଣ୍ଡ ଯାକ ଗାଁରେ ଯାହା ଅଛି ତାହା ମଧ୍ୟ ଏହି ଗାଁରେ ଅଛି। ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରାର ଏହା ଏକ ଉଚ୍ଛ୍ବଳ ଜଳଧି। ଗ୍ରାମ୍ୟ ପ୍ରକୃତି ରାଣୀ ଯେଉଁ ବେଶ ପରିପାଟି ପିନ୍ଧି ଏତେ ସୌନ୍ଦର୍ଯ୍ୟଶାଳିନୀ ଓ ସୌଭାଗ୍ୟଶାଳିନୀ ହୋଇଥାଏ ସେଇ ସାଜ ସଜ୍ଜା ସଜେଇ ବ୍ରାହ୍ମଣୀ ଗାଁ ମଧ୍ଯ ବେଶ୍ ସୁସଜ୍ଜିତା।
ଓଡ଼ିଶାର କଳା, ସଂସ୍କୃତି ଭାସ୍କର୍ଯ୍ଯ ସବୁକିଛି ନିଆରା ପରମ୍ପରାର ଭିନ୍ନ୍ ଆସ୍ବାଦନ। ଏହାର ଅମା ଅନ୍ଧକାର, ପ୍ରଦୋଷ ଓ ପ୍ରତ୍ୟୁଷ ସବୁକିଛି ଆନନ୍ଦ ଦାୟକ। ନିଜର ଆଧ୍ୟାତ୍ମିକ ଚିତ୍ତ ବୃତ୍ତିର ଉତ୍ତରଣ ନିମନ୍ତେ ଏଠି ପୁଣି ପାଳିତ ହୁଏ ବାର ମାସରେ ତେର ଯାତ। ପୁଣି ଭଲମନ୍ଦ ଓ ସୁବିଧା ଅସୁବିଧାକୁ ବ୍ରାହ୍ମଣୀ ଗାଁକୁ ଜଗି ରହିଛନ୍ତି ପାତାଳୀ ଶିବ, ଭୋଳା ମହାଦେବ, ରାଧା ମାଧବ, ଦାମୋଦର ଜୀଉ, ମାଆ ମଙ୍ଗଳା ଆଦି ଦେବା ଦେବୀ ଓ ଗ୍ରାମ ଦେବତୀ। ଏଠି ପୁଣି ପାଳିତ ହୁଏ ଦୁର୍ଗାପୂଜା। ଦଶହରା ଦିନ ବଡ଼ ଧୁମଧାମରେ ପାଳିତ ହୁଏ ବସୁଆ ବଳଦ ପୂଜନ ଉତ୍ସବ।
ପଣା ସଂକ୍ରାନ୍ତି ଦିନ ଘଣ୍ଟ ପାଟୁଆଙ୍କ ଦ୍ଵାରା କଣ୍ଟା ଫୋଡ଼ା ମଧ୍ୟ କମ୍ ଧୁମଧାମରେ ପାଳିତ ହୁଏ ନାହିଁ। ଏଠି ଗ୍ରାମ୍ୟ ତଟିନୀର ନିର୍ଝରଣୀ ବା ଝରଣା ର କୁଳୁକୁଳୁ ନାଦ ଶୁଭେ ନାହିଁ ସତ ହେଲେ ପୁଷ୍କରଣୀରୁ ନବ ପଲ୍ଲବ ରେ ପଲ୍ଲବିତ କମଳୀନୀ ଓ କଇଁ ଫୁଲ ମଧ୍ୟରେ ଭାସି ଉଠେ ନାନା ଜାତି ପକ୍ଷୀ କଲ୍ଲୋଳର କଳରବ, ଯାହାକି ଅତୀବ ମନୋରମ ଓ ମନୋଲୋଭା କରି ଗଢିତୋଳେ ଗ୍ରାମ୍ୟ ପ୍ରକୃତିକୁ। ବ୍ରାହ୍ମଣୀ ଗାଁର ଯତ୍ରତତ୍ର ସବୁଠୁ ଏହି ପୋଖରୀର ଅଭାସ। ପୋଖରିମୟ ଏହି ଗାଁ।
ଏହା ଏପରି ଏକ ଗାଁ ଯେଉଁ ଗାଁରେ ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏକାବେଳେକେ ଅନେକ ଲୋକ ଶାନ୍ତି ରେ ସହାବସ୍ଥାନ କରନ୍ତି। ଏଠି ବର୍ଣ୍ଣ ବିଦ୍ୱେଷ ବା ଜାତିଆଣ ଭେଦଭାବର ଝଲକ ଦେଖିବାକୁ ମିଳେ ନାହିଁ, ମିଳେ ନାହିଁ ଦେଖିବାକୁ ଧର୍ମକୁ ନେଇ ସଂଘର୍ଷ। ସେଇଥିପାଇଁ ତ ସେଇଠି ଅଛନ୍ତି ଧୋବା, ପାଣ, କମାର, କୁମ୍ଭାର, ଢୋଲିଆ, କଣ୍ଡରା, ତନ୍ତୀ, ପଠାଣ ବ୍ରାହ୍ମଣ, ଖଣ୍ଡାୟତ ଆଦି ଭଳିକି ଭଳି ଜାତି। ଏମାନଙ୍କର ଭାରି ଏକତା ।ବାହ୍ୟ ଶତୃ ଆକ୍ରମଣ ବେଳେ ଶୁଭେ ଏକତାର ଜୟଗାନ।
ଏହି ଗାଁ ପୁଣି ଜମିଦାରଙ୍କ ହୁକୁମ୍ ରେ ଚାଲେ। ଶେଷ ଜମିଦାର ଥିଲେ ମାନଗୋବିନ୍ଦ ବେହେରା। ତାଙ୍କର ଦମନ ଲୀଳା ଓ ଅତ୍ୟାଚାର କଥା ନକହିଲେ ଭଲ। କୁଆଡ଼େ ତାଙ୍କର ଇସାରାରେ ସୂର୍ଯ୍ୟ ଚନ୍ଦ୍ର ସବୁ ଆତଯାତ ହୁଅନ୍ତି। ଦିନ ଥିଲା ତାଙ୍କ ବିନା ଅନୁମତିରେ ଏଠି କିଛି ସମ୍ଭବପର ନଥିଲା। ଗାଁର ସରଳ ନିଷ୍କପଟ ଲୋକ ତାଙ୍କୁ ଭାରି ମାନୁ ଥିଲେ ଓ ଭୟ ବି କରୁଥିଲେ। ଏପରିକି ଘଣ୍ଟା ଓ ଜୋତା ପିନ୍ଧି ବା ଛତା ମୁଣ୍ଡାଇ ଜମିଦାରଙ୍କ ଦାଣ୍ଡ ସାମ୍ନାରେ କେହି ଯାଇ ପାରୁ ନଥିଲେ। କାରଣ ଏକଥାରେ ଜମିଦାର ବେଶ୍ ଉତକ୍ଷୀପ୍ତ ହୋଇ ଉଠି ଗର୍ଜି ଉଠନ୍ତି। ଅବଶ୍ଯ ଜମିଦାରଙ୍କ ଗୋଟେ ଦୟା ଥିଲା ଯେ ରଜ ସଂକ୍ରାନ୍ତିରେ ସେ ଗୋଟେ ଦିନ ପାଇଁ ତାଙ୍କ ଏକ ତାଲା ଛାତ ଉପରକୁ ମାଡ଼ିବା ପାଇଁ ଗ୍ରାମ ବାସୀ ପାଇଁ ଖୋଲା ରଖିଥାନ୍ତି। ସେଦିନ ସେଠି ଭାରି ଭିଡ଼ ହୁଏ। ଯିଏ ଥରେ ଜମିଦାରଙ୍କ କୋଠା ଛାତ ଉପରକୁ ଉଠିବାର ସୁଯୋଗ ପାଇଲା ସେଦିନ ସେ ନିଜକୁ ଧନ୍ୟ ମନେ କରେ ଓ ଚାରିଆଡ଼େ ଗର୍ବର ସହ କାହିଁ ବୁଲେ ଯେ ସେ ଜମିଦାରଙ୍କ କୋଠା ମାଡି କି ଆସିଛି।
ଏହିଭଳି ଏକ ସ୍ଵତନ୍ତ୍ର ପରିଚୟ ରଖୁଥିବା ଗାଁ ହେଉଛି ବ୍ରାହ୍ମଣୀ ଗାଁ।
ଏଠି ତ ଅନେକ ପ୍ରତିଭାବାନ ବ୍ୟକ୍ତି ଜନ୍ମ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଖ୍ୟାତ୍ ବୈଜ୍ଞାନିକ ଡଃ ଗୋପିନାଥ ପାଣିଗ୍ରାହୀ ଅନ୍ୟତମ। ପୁଣି ତାଙ୍କ ପତ୍ନୀ ଶାନ୍ତିଲତା ମହାପାତ୍ର ମଧ୍ଯ ବିଶ୍ଵ ପ୍ରଶିଦ୍ଧ ଓଡିଶୀ ନୃତ୍ୟ ଶୀଳ୍ପି। ଏଇଠି ମଧ୍ଯ ସେଦିନ ଜନ୍ମଲାଭ କରିଥିଲେ ପ୍ରଖ୍ୟାତ ଯଶା ଭୈରବାନନ୍ଦ ମହାପାତ୍ର।
ପ୍ରଚଣ୍ଡ ରୌଦ୍ର କ୍ଲିଷ୍ଟ ଗ୍ରୀଷ୍ମର ଆବାହନରେ ଧରିତ୍ରୀ ଯେତେବେଳେ ରୁଦ୍ର ରୂପ ଧାରଣ କରୁଥିଲା ଠିକ୍ ସେତିକି ବେଳେ ପ୍ରଚଣ୍ଡ ଉର୍ଜା ନେଇ ଅତି ଓଜଃ ଶିଳ ହୋଇ ପିତା ମୋହନ ମହାପାତ୍ର ଔରସରୁ ଓ ମାତା ଯଶୋଦାଙ୍କ ଗର୍ଭସ୍ଥ ହୋଇ ଭୂମିଷ୍ଠ ହୋଇଥିଲ ଭୈରବ ଚନ୍ଦ୍ର। ସେ ଥିଲେ ପିଲାବେଳୁ ଅଦମ୍ୟ ସାହସୀ ଓ ପ୍ରତ୍ୟୁତ୍ପନ୍ନା ମତି।ଭାଇ – ମାଧବ, ଜଗନ୍ନାଥ ଓ ଭୋଳାନାଥ ତଥା ଭଗ୍ନୀ – ଚମ୍ପା, ମଲ୍ଲୀ ଓ ମାଳତୀକୁ ନେଇ ତାଙ୍କ ବାଲ୍ୟ ଜୀବନ ବେଶ୍ ହସ ଖୁସିରେ କଟିଥିଲା। ପରିବାରରେ ଅନ୍ନକଷ୍ଟରେ ଦିନ କଟୁଥିଲେ ହେଁ ମନ ଲେଖୁଥିଲା ସୁଖ ସ୍ୱାଛନ୍ଦ୍ଯର କାହାଣୀ। ଗ୍ରାମ୍ୟ ଚାଟଶାଳୀ ଓ ବାଲ୍ୟ ଧୂଳି ଖେଳରୁ ଜୀବନ ଆରମ୍ଭି ଥିଲେ ହେଁ ବେଶ୍ ଗତିଶୀଳ ଥିଲା ତାଙ୍କ ଜୀବନ। ଏହା ଭିତରେ ବିବାହ ବୟସ ଉପନୀତ ହୋଇ ଯାଇଥିବାରୁ ସେ ଶାନ୍ତିଲତା ନାମ୍ନୀ ଏକ କନ୍ୟାର ପାଣିଗ୍ରହଣ କରିଥିଲେ, ଯାହାଙ୍କୁ ନେଇ ତାଙ୍କ ସୁଖ ସମୃଦ୍ଧି ଦୁଇ ଗୁଣିତ ହୋଇ ପାରିଥିଲା। ହେଲେ ସେ ପରାଧୀନ ଭାରତର ଜଣେ ଅଗ୍ରଣି ଯୁବକ। ତେଣୁ ଦେଶ ମାତୃକାର ପୁକାର କି ତାଙ୍କ କର୍ଣ୍ଣ ଗହ୍ଵର ଭେଦି ନୀରବି ଯାଇଥାନ୍ତା? ତେଣୁ ସେ ଗାଇଲେ ଜାତୀୟତାର ଉଦ୍ଦାମ ସଙ୍ଗୀତ। ସେତେବେଳକୁ ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ଭାରତ ଛାଡ଼ ଆନ୍ଦୋଳନ ରଣ ହୁଙ୍କାର ଚତୁର୍ଦ୍ଦିଗକୁ ଆଚ୍ଛାଦିତ କରି ରଖିଥିଲା। ଉତ୍କଳରେ ମଧ୍ଯ ଗୋପବନ୍ଧୁ ଆଦି କେତେକ ଜାତୀୟବାଦୀ ନେତାଙ୍କର ଉଦଘୋଷଣ ତୁହାଇ ତୁହାଇ ଶୁଭୁଥିଲା। ଭୈରବ ଚନ୍ଦ୍ର ମଧ୍ଯ ନିଜକୁ ଏଥିରୁ ନିବୃତ୍ତ ରଖି ପାରିଲେ ନାହିଁ। ସଂଗ୍ରାମରେ ଯୋଗ ଦେଇଦେଲେ। ଆଉ କେତକ ଯୁବକଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳରେ ନେତୃତ୍ୱ ନେବାକୁ ଅଣ୍ଟା ଭିଡିଲେ। ଫଳ ସ୍ଵରୂପ ବିଶ୍ଵ ପ୍ରସିଦ୍ଧ ଇରମ ଗୁଳିକାଣ୍ଡ ହେଲା, ଯେଉଁଥିରେ କି ନିଜେ ଭୈରବ ଚନ୍ଦ୍ର ଭୁକ୍ତଭୋଗୀ ଥିଲେ।
ଇରମ ଗୁଳି କାଣ୍ଡରେ ଯେ ତାଙ୍କ ଭୂମିକା ଥିଲା ଅନବଦ୍ୟ ଏହା କଥା ସ୍ୱୀକାର୍ଯ୍ୟ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ଉତ୍କଳମଣି ଗୋପବନ୍ଧୁଙ୍କ ଆହ୍ୱାନରେ ଇଂରେଜ ମାନଙ୍କ ବିରୋଧରେ ଲଢ଼ିବା ପାଇଁ ତତ୍କାଳୀନ ଯୁବକ ଯଥା ପାଗଳ ଓଝା, ଉପେନ୍ଦ୍ର ସାହୁ, ଆନନ୍ଦବଲ୍ଲଭ୍ ଜେନା, କ୍ଷେତ୍ରମୋହନ ମହାପାତ୍ର ଆଦି ମାନଙ୍କୁ ବ୍ରାହ୍ମଣ ଗାଁରୁ ଏକତ୍ରିତ କରି ସେମାନଙ୍କୁ ନେଇ ବାସୁଦେବ ପୁରରେ ଗୌରାଙ୍ଗ ମହାନ୍ତି, ଅନିରୁଦ୍ଧ ମହାନ୍ତିଙ୍କ ସହିତ ମିଳିତ ହୋଇ ଇଂରେଜ ବିରୋଧରେ ଲଢିବା ପାଇଁ ନିଜକୁ ସମର୍ପି ଦେଇଥିଲେ। 1942 ମସିହାରେ ଇଂରେଜ ମାନଙ୍କ ଠାରୁ ମାଡ଼ ଖାଇ କିଛି ଧରା ପଡି ଜେଲ୍ ଗଲେ କିଛି ଲୁଚି ଛପି ପଳାଇ ଗଲେ। ସେମାନଙ୍କ ମଧ୍ୟରୁ ଭୈରବ ଚନ୍ଦ୍ର ମହାପାତ୍ର ଥିଲେ ଅନ୍ୟତମ।
ଶ୍ରୀ ମହାପାତ୍ର ଥିଲେ ଏକାଧାରରେ ସଫଳ ଚାଷୀ, ସମାଜସେବୀ, ସାରସ୍ଵତ ସାଧକ, ଈଶ୍ଵର ବିଶ୍ବାସୀ, ଯାତ୍ରା ମଞ୍ଚ ଅଭିନେତା, ନାଟ୍ୟକାର, ଗୀତିନାଟ୍ୟ ପ୍ରଣେତା, ତାଙ୍କ ରଚିତ ଗୀତିନାଟ୍ୟ ସେତେବେଳେ ଗାଁ ଗହଳିର ବିଭିନ୍ନ ମଞ୍ଚରେ ଅଭିନୀତ ହେଉଥିଲା। ଜଣେ ସାଧକ ଭାବରେ ତାଙ୍କର ସୁନାମ ଥିଲା। ସାଧନା ବଳରେ ସେ ଅନ୍ୟର ଉପକାର କରୁଥିଲେ। ଏମିତିକି ଭୂତ, ପ୍ରେତଙ୍କ ସହିତ ଖେଳି ତାଙ୍କୁ ରାତିରେ ବିଲରେ ଖଟାଉ ଥିବା ଲୋକ ମୁଖରେ ଏବେବି କଥିତ ହୋଇଥାଏ । ସେ ଥିଲେ ପରୋପକାରୀ।ନିଜର ନୂହେଁ ଗଣଙ୍କ ସେବା ଥିଲା ତାଙ୍କର ସେବା ଧର୍ମ।
ଶେଷରେ ଭାରତ ସ୍ଵାଧୀନ ହେଲା ସ୍ୱାଧୀନତାର ନବ ରବି ଦେଖିବାକୁ ସେ ଚାତକ ପରି ଚାହିଁ ରହିଥିଲେ ତାହା ଦିନେ ସତ ହେଲେ। ମାତ୍ର ସୁଧୁରି ନଥିଲା ଭୈରବ ଚନ୍ଦ୍ରଙ୍କ ଆର୍ଥିକ ଅନାଟନ ଓ ଦରିଦ୍ର ଜୀବନ। ନିଜର କୌଳିକ ବୃତ୍ତି ଓ ନିଜର ନାଟୁଆ ଗୁଣ ତଥା କୃଷିକୁ ନେଇ ସେ ଏକା ଏକା ଏତେବଡ଼ ପରିବାରର ବୋଝ ନିଜେ ମୁଣ୍ଡାଇ ଥିଲେ। ତାଙ୍କର ପରିବାର କହିଲେ ଦୁଇ ଝିଅ – ଜୟନ୍ତୀ ଓ ସରସ୍ଵତୀ, ଚାରି ପୁତ୍ର ସନ୍ତାନ ବଂଶୀଧର, ମାନଗୋବିନ୍ଦ, ଜଗବନ୍ଧୁ ଓରଫ ଦୈତାରୀ ଓ ଗୋପାଳ ତଥା ପତ୍ନୀ ଶାନ୍ତି ଲତା। ସେଇ ସେତକ ହିଁ ତାଙ୍କ ସୁଖ ଓ ଦୁଃଖର ଦୁନିଆ। କିନ୍ତୁ ଏଡ଼େ ବଡ଼ ସ୍ଵାଧୀନତା ସଂଗ୍ରାମୀ ହୋଇ ମଧ୍ୟ ସେ ବିଶେଷ ସରକାରୀ ସାହାଯ୍ଯ ଓ ସହଯୋଗ ପାଇ ପରିନଥିଲେ। ଶେଷରେ ସମସ୍ତଙ୍କୁ ଗଭୀର ଦୁଃଖ ଓ ଅଶ୍ରୁରେ ମ୍ରିୟମାଣ କରି 7/8/1996 ମସିହାରେ ଆରପାରିକୁ ଟିକଟ କାଟିଲେ। ହେଲେ ତାଙ୍କରି ସ୍ମୃତିଟି ସବୁଦିନ ପାଇଁ ରହିଥିବ ଅଲିଭା ଗାର ଟି ହୋଇ।
ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ
ଭଦ୍ରକ
ମୋବାଇଲ :9937181846

Related posts

ନାନୀ

satya

ଶୂନ୍ଶାନ୍ ରାତି book

satya

ଲବି

satya

Leave a Comment

Login

X

Register