Satya Prakash
କବିତା

ବାର୍ଷିକୋତ୍ସବ

ମୁଁ ଦିନେ ତୁମ ପରି ଛୋଟ ଥିଲି

ଏଇ ଗାଁଆଁରେ ପାଠ ପଢୁଥିଲି

ଆଜି ଅତିଥି ଆସନରେ ବସିଛି

ତୁମକୁ ବା ଦୁଇ ପଦ କହୁଛି ।

କେତେ ଅତୀତ ସ୍ମୃତି ଯୋଡ଼ି ବସେ

ପିଛିଲା କଥାଗୁଡ଼ା ମାଡ଼ି ବସେ

 

ଶ୍ରେଣୀ ଶିକ୍ଷକ ଗାଆଁ ସାଙ୍ଗ ସାଥି

ସବୁ କିଛି କେମିତି ପ୍ରିୟ ଥିଲେ  ।

ସେମାନଙ୍କ ମଧ୍ୟରୁ ଅନେକ ଆଜି

ସମୟର ଗର୍ଭେ ବିସ୍ମୃତ ପ୍ରାୟ

ପୁଣି ଆଉ କେତେକ ତ ଅଛନ୍ତି

ଏଇ ଯେମିତିକି ଶିଆଳ ସାର୍

ନନ୍ଦ ସାର୍ ଓ ଆଉ ଅନ୍ୟମାନେ

ସେଇ ଗାଆଁ ବି ଅଛି ଯେଉଁଠି ମୁଁ

ସେ ଦିନ ପରା ବାର୍ଷିକୋତ୍ସବରେ

ଏମିତି ଲଣ୍ଡଭଣ୍ଡ ହେଉଥିଲି

ହୋ-ହାହ୍ଲା କରି ସ୍ୱର ମଚାଉଥିଲି

କାହାରିକୁ କିଛି, ଶୁଣୁ ନଥିଲି

ମୋତେ ନଶୁଣ, ତାଙ୍କୁ ବି ନଶୁଣ

କାହାକୁ ନଶୁଣ, ଆପତ୍ତି  ନାହିଁ

ଏ ଗାଁ ପରମ୍ପରା କିନ୍ତୁ ସ୍ୱତନ୍ତ୍ର

ଏଭଳି ଅନେକ ଉତ୍ତମ ଛାତ୍ର

ସୃଷ୍ଟି କରିବାରେ ଅତି ସକ୍ଷମ

ହେଇ ଯେମିତି ପର୍ଶୁ, କୂଳ, ଚିନ୍ତା !

ଆଉ କେତେ କେ ଝାପ୍ସା ମନେପଡ଼େ

ତୁମେ ବି ତ ଉପରକୁ ଉଠିବ

ଏ ଦେଶର ସର୍ବୋଚ୍ଚ କର୍ତ୍ତା ହେବ

ଖାଲି ମନ ଦେଇ ପଢିଲେ ହେଲା

ତୁମେମାନେ ତ ଖୁବ୍ ଭଲ ପିଲା

ଆମଭଳି ଏତେ ଚଗଲା ନୁହେଁ

ଖାସ୍ କରି ମୋ ପରି ଆଦୌ ନୁହଁ

ମୁଁ ସିନା ଚଗଲାଟା ବାରବୁଲା

ତୁମେ କିନ୍ତୁ ମୋତେ ପାଠୁଆ ଲାଗ

କହ କିଆଁ ତୁମେ ପାରିବ ନାହିଁ ?

ମୁଁ ତୁମ ପାଖେ କାହିଁକି କେଜାଣି

ଏମିତି ଆତ୍ମହରା ହୋଇଉଠେ

ଅତୀତ ରୋମନ୍ଥନ କରି ବସେ

ମଞ୍ଚ ଉପରେ ଛିଡ଼ା ହୁଏ ସତ

ହେଲେ ଇଛା ହେଉଛି କ’ଣ ଜାଣ ?

ତଳକୁ କୁଦ ମାରି ଦିଅନ୍ତି କି?

ତୁମ ମାନଙ୍କ ସହ ଦମେ ନାଚନ୍ତି

ଖୁସିରେ ଡିଅଁନ୍ତି, ପଦୁ ମାଷ୍ଟ୍ରଙ୍କ

ଘରେ ପୁଡ଼ିଆ ସଜଡ଼ା ଗଲାଣି

ଖିରି ଲୁଚି ସିଙ୍ଗଡ଼ା ପେଟେ ଖାଇ

ଖୁସିରେ ଘରକୁ ଆସନ୍ତି ଫେରି

ନିଘୋଡ଼ ନିଦରେ ଯାଆନ୍ତି ଶୋଇ

ପିଛିଲା କଥା ଗୁଡ଼ାକ ସପନେ

ଦୋହରାଇ ମନେପଡ଼ନ୍ତା ଖାଲି

ଶୋଇ ଶୋଇ ସେ ନିଦ ଅନ୍ଧାରେ

ମୁରୁକି ମୁରୁକି ଯେ ହସୁଥାନ୍ତି

ଆଜି ପ୍ରଗଳଭ ହୋଇ ଉଠୁଛି

ତୁଚ୍ଛାଟାରେ ଏଣୁ ତେଣୁ ଗପୁଛି

ସତ କହୁଛି ଏଠି ଆସି ନାହିଁ

ନିଜର ନିଜେ ବଡ଼ିମା କରିବାକୁ

ମୁଁ ତ ଆସିଛି ତୁମ ଗହଣରେ

ଟିକିଏ ଆତ୍ମୀୟତା ବାଣ୍ଟିବାକୁ

ତୁମଠୁଁ ତୁମର ହୋଇ ତୁମର

ସେଇ ଆପଣାର ପଣିଆଟାକୁ

ଖାଲି ଟିକେ ଆପଣେଇ ନେବାକୁ

ହେଲେ ତୁମଠୁଁ ତୁମର ସେଇ

ଆପଣାର ପଣିଆଟା କେମିତି

ଖାଲି ଟିକେ ମୋତେ ମିଳିଲେ ହେଲା

Related posts

କୂଅ ଓ ବେଙ୍ଗ

satya

ଦମା

satya

ସହଜ ନିୟମ easy principles of life

satya

Leave a Comment

Login

X

Register