Satya Prakash
  • Home
  • Book
  • ଆତ୍ମ ଜୀବନୀ Auto biography
Book

ଆତ୍ମ ଜୀବନୀ Auto biography

ବ୍ଯକ୍ତିଗତ ତଥ୍ୟ ସବିଶେଷ :

ନାମ – :ସତ୍ୟ ପ୍ରକାଶ ସେଠୀ

ଡାକ ନାଁ – :ବାବୁଲା

ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ

ଥାନା /ତହସିଲ୍ /ଉପଖଣ୍ଡ – ଭଣ୍ଡାରି ପୋଖରୀ

ରାଜ୍ୟ – ଓଡ଼ିଶା, ଦେଶ – ଭାରତ,

ପିନ୍ କୋଡ୍ – 756114

ବର୍ତ୍ତମାନର (ଯୋଗା ଯୋଗ ଠିକଣା – ପୁରୁଷୋତ୍ତମ ଭବନ

ଗଳି – ପୁରୁଷୋତ୍ତମ ବିହାର, ସା – ସମରାଇପୁର

ପୋ-ଗେଲପୁର, ଥାନା /ଜିଲ୍ଲା – ଭଦ୍ରକ

ପିନ୍ କୋଡ଼ – 756181

ୱେବ୍ ସାଇଟ୍ – satyaprakashsethy. com/blog

Email-sethy. satyaprakash1968@gmail.com

2.inf@satyaprakashsethy.com

YouTube channel -Satyaprakash Sethy

Page -Satya Prakash Sethy

Facebook-Sartya Prakash Sethy

LinkedIn -satya prakash sethy

Instagram -@sethysatyaprakash

Google+Satyaprakash Sethy

ଭାଷା – ଓଡ଼ିଆ

ପଢା/ ଲେଖା /କହିବା ଭାଷା – ଓଡ଼ିଆ /ଇଂରାଜୀ /ହିନ୍ଦୀ

ଜାତି ଓ ଜାତୀୟତା – ମାନବ ଜାତି ଓ ଭାରତୀୟତା

ବୈବାହିକ ଜୀବନ – :ବିବାହିତ – ପ୍ରିୟମ୍ବଦାଙ୍କ ସହ ତା 16                                02.1996 ରିଖରେ

ଧର୍ମ – ହିନ୍ଦୁତ୍ୱ, ବାସ୍ତବ ଧର୍ମ – ମାନବିକତା ଓ ମାନବୀୟତା

ପେଶା (proff) – ସରକାରୀ ଚାକିରୀ /ସମାଜ ସେବା /

ସାହିତ୍ୟ ସାଧନା /ବକ୍ତା

ବର୍ତ୍ତମାନର କାର୍ଯ୍ୟ – ଉପ ସହକାରୀ ନିବନ୍ଧକ, ସମବାୟ                                ସମିତି ସମୂହ

ଶିକ୍ଷାଗତ ଯୋଗ୍ୟତା ଓ ଶିକ୍ଷାୟତନ – :

ପ୍ରାଥମିକ ଶିକ୍ଷା – ରାଣୀପଡ଼ା ଊ. ପ୍ରା. ବିଦ୍ୟାଳୟ

ମଧ୍ୟ ଇଂରାଜୀ – ରାଣୀପଡ଼ା ମ. ଇଂ. ବିଦ୍ୟାଳୟ

ଉଚ୍ଚ ବିଦ୍ୟାଳୟ (HSC)- ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାଳୟ

ଓ ତରାଗୋ ଉଚ୍ଚ ବିଦ୍ୟାଳୟ

+2(କଳା) – ରାଜଧାନୀ ମହା ବିଦ୍ୟାଳୟ, ଭୁବନେଶ୍ବର

+3(ଓଡ଼ିଆ ସମ୍ମାନ) – ଫକୀର ମୋହନ ମହା ବିଦ୍ୟାଳୟ

ସ୍ନାତକୋତ୍ତର(ଓଡ଼ିଆ) – ବାଣୀ ବିହାର, ଭୁବନେଶ୍ବର

ଡିପ୍ଲୋମା ଇନ୍ କୋଅପରେଟିଭ ମ୍ଯାନେଜମେଣ୍ଟ – ICM

ସମ୍ମାନ ଓ ପୁରସ୍କାର -ELIGIBILITY FOR LECTURESHIP FROM UGC

2 ମାଟିର ମହକ ସମ୍ମାନ

3 ନାଟ୍ଯାର୍ଚାଯ୍ଯ ରଘୁନାଥ ସ୍ମାରକୀ ପ୍ରତିଭା ସମ୍ମାନ 2014

4 ଭଦ୍ରକ ଜିଲ୍ଲା ମହୋତ୍ସବ ସାମାଜ ସେବୀ ସମ୍ମାନ

5 ଅସ୍ତରାଗ ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପ୍ରତିଭା ସମ୍ମାନ008

ସୃଷ୍ଟି ସମ୍ଭାର ଓ କୃତୀ(Notable works –

1.ଗାଁରୁ ଫେରିଛି ଗାଁ ହଜିଛି (ଗଳ୍ପ ସଂକଳନ)

2.ଆତ୍ମା ଯେଉଁଠି କଥା କହେ (କବିତା ସଂକଳନ)

3.capsule course of English Grammer

(Compilation)

4.Society, Polity and Couture of orissa through ages (Research work)

ମୁଖ୍ୟ ସମ୍ପାଦକ (Chief Editor) ବସନ୍ତ ବାହୁଡ଼ା ପତ୍ରି

ଆଦର୍ଶ ଓ ଅନୁକରଣୀୟ :

ବ୍ୟକ୍ତି ଚରିତ୍ର ଗଠନ- :ମୋ ମାଆ ମୋ ଆଦର୍ଶ

ଜୀବନାଦର୍ଶ – :ବାପୁ ମହାତ୍ମା ଗାନ୍ଧୀ ଓ ରାଜା ହରିଶ୍ଚନ୍ଦ୍ର

ଦର୍ଶନ – :ବିବେକନନ୍ଦ ଓ ଶ୍ରୀ ଅରବିନ୍ଦଙ୍କ

କବିତା-: କବି ରବି ସିଂ ଓ ରମାକାନ୍ତ ରଥ

ଗଳ୍ପ – :ଗାଳ୍ପିକ ମନୋଜ ଦାସ

ନାଟ୍ୟକାର – :ଉଦ୍ଭଟ ନାଟ୍ୟକାର କାର୍ତିକ ରଥ

ପ୍ରବନ୍ଧ – :ପ୍ରାବନ୍ଧିକ ଚନ୍ଦ୍ର ଶେଖର ରଥ

ବକ୍ତବ୍ୟ – :ଡଃ. ବି. ଆର. ଆମ୍ବେଦକର ଓ ଅଟଳଜୀ                        ବାଜପେୟୀଙ୍କ ଭିଡିଓ କ୍ଲିପ

 

 

ପଲ୍ଲୀପ୍ରାଣ ଉତ୍କଳର ରଙ୍ଗ ଶୋଭା ଓ ମୋ ଗାଁ :

ଭାରତ ଏକ ପଲ୍ଲୀ ବହୁଳ ରାଷ୍ଟ୍ର। ପଲ୍ଲୀ ପ୍ରାଣ ଉତ୍କଳର ରଙ୍ଗଶାଳା ଶ୍ୟାମଳ ପଲ୍ଲୀ ଭୂଇଁ ସୁଷମାର ଏକ ମଧୁଚକ୍ର। ତା’ର ଉଷା, ପ୍ରଦୋଷ, ଅମା, ଆଲୋକ, ସବୁଜ ଲତାକୁଞ୍ଜ, ଚଳ ତଟିନୀର ପ୍ରବାହ, ଫୁଲ ଫଳ, ପକ୍ଷୀ କଣ୍ଠର ମଧୁର ନିଃସ୍ୱନ – ଏ ସବୁର ଅପୂର୍ବ ସମାବେଶ ମଧ୍ୟରେ ଉକୁଟି ଉଠେ ନୈସର୍ଗିକ ସୁନ୍ଦରୀ ପ୍ରକୃତି ରାଣୀଙ୍କର ଅପୂର୍ବ ରୂପ ଲାବଣ୍ୟ। ରୁଦ୍ର ସନ୍ୟାସୀ ଗ୍ରୀଷ୍ମ, କଜ୍ଜଳ ରଞ୍ଜନା , ବିଦ୍ୟୁତ୍ ଲୋଚନା, ରସମୟୀ ବର୍ଷା, କାଶ ହାସ୍ୟମୟୀ ଶାନ୍ତ କାନ୍ତ ଶରତ, ହିମ ସ୍ନିଗ୍ଧ ହେମନ୍ତ, ଜରତୀ ଶୀତ ଓ ପୁଣି ଲୀଳା ଚପଳ ରିତୁ ସମ୍ରାଟ ବସନ୍ତ – ଏକ ପରେ ଆନ ପଲ୍ଲୀର କମ୍ର ବୁକୁ ପରେ ରାସ ଲୀଳା ସାରି ବିଦାୟ ନିଅନ୍ତି। ଉପରେ ଶାନ୍ତ ସ୍ନିଗ୍ଧ ସୁଶୀତଳ ଗଗନ, ଚତୁଃପାର୍ଶ୍ୱରେ ଦିଗନ୍ତ ବିସ୍ତାରିତ ଶ୍ୟାମଳ ଶସ୍ୟ କ୍ଷେତ୍ର।ତାହାରି ଭିତରେ ସବୁଜ ଓଢ଼ଣା ଟାଣି ପଲ୍ଲୀ ରାଣୀ କେତବେଳେ ହୁଏ କମ୍ର କୋମଳ, ଚିତ୍ତାକର୍ଷକ ତ ପୁଣି କେତେବେଳେ ହୁଏ ଗୁରୁ ଗମ୍ଭୀର ନିଦାରୁଣ ଆଉ ପ୍ରଳୟଙ୍କାରୀ। ଅପରୂପ ସୌନ୍ଦର୍ଯ୍ୟ ଶାଳିନୀ, ସୌମ୍ଯ ମୁଖ ମଣ୍ଡଳରେ ମନଲୋଭା କାନ୍ତି ପ୍ରଦାୟିନୀ ସୁନ୍ଦର ଷୋହଳ ବୟସୀ ତରୁଣୀର ପ୍ରମତ୍ତ ଯୌବନରେ ଉନ୍ମତ ସୌନ୍ଦର୍ଯ୍ୟ ଲିପ୍ସୁ ଗ୍ରାମ୍ୟ ପ୍ରକୃତି ଦେଖି ଥାଏ ସହର ଠାରୁ ନିଜକୁ ଏହି ଅନ୍ତର।

ଲୋକସଂଖ୍ୟାର ଶତକଡ଼ା ସତୁରି ଭାଗ ଲୋକ ଗ୍ରାମାଞ୍ଚଳରେ ବସ ବାସ କରି ଆସୁଛନ୍ତି। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ପଲ୍ଲୀର ସବୁଜିମା କୋଳରେ କୋଟି କୋଟି ଲୋକ ପ୍ରଚଣ୍ଡ ଖରା, ବର୍ଷ, ଶୀତ କାକର ସହ୍ଯ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି। ପଲ୍ଲୀ ବାସୀ ପାଇଁ ସେହି ମାଟିର ସ୍ଵର୍ଗ  ନୂଆଁଣିଆ ଛଣ ଛପର ଘର ଅମୃତର ସନ୍ଧାନ ଦେଇ ଆସିଛି। ସେଇ ଭିଟାମାଟି ପ୍ରତ୍ୟେକ ପଲ୍ଲୀବାସୀର ପୂତ ପବିତ୍ର ସ୍ଥାନ। ଘରୁ ଗୋଡ କାଢି ସହର ବଜାର ବା ପୁଣ୍ୟ ତୀର୍ଥ ଯିବାର ସୌଭାଗ୍ୟ ଖୁବ୍ ଅଳ୍ପ ଲୋକଙ୍କ ଭାଗ୍ୟରେ ଥାଏ। ନିଜ କର୍ମକୁ ଆଦରି ଜନ୍ମ ସ୍ଥାନର ମୋହ ମାୟା ମଧ୍ୟରେ ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏଁ ପଲ୍ଲିବାସୀ ଗାଁର ସେଇ ଧୂଳି ଧୂସରିତ ଗାଁ ଦାଣ୍ଡକୁ କର୍ମ ମୁଖର କରି ଆତଯାତ ହୁଅନ୍ତି।

ମୋ ଗାଁ ବସତି :

ଜନ୍ମ ପୀଠ ରାଣୀପଡ଼ା ସେହିପରି ଏକ ବିଖ୍ୟାତ୍ ଗ୍ରାମ ଅଖ୍ୟାତ ପଲ୍ଲୀ। ଉତ୍କଳ ମହୋଦଧି ମଧୁ ହିଲ୍ଲୋଳ ସେବିତ ପୁଣ୍ଯ ପୀଠ ଜଗନ୍ନାଥ ଦେଶ ଭାବରେ, ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା, ଓଡିଶା ପ୍ରଦେଶର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରି ପୋଖରୀ ଥାନା ଅଧୀନରେ ରାଣୀପଡ଼ା ଦଣ୍ଡାୟମାନ। ରେବ ନଦୀ କୂଳରେ ପୁରୁଷ ପୁରୁଷ ଧରି ବିରାଜମାନ। ଏହି ରାଣୀପଡ଼ା ଗ୍ରାମର ମାଟି ଓ ଆକାଶ ଗାଁଟିର  ସୁଖ ଓ ଦୁଃଖ, ହର୍ଷ ବିଷାଦର ସ୍ମାରକୀ। କିଏ, କେବେ ଓ କାହିଁକି ଏହି ପଡ଼ା ବସାଇଥିଲେ ତାହାର କୌଣସି ଐତିହାସିକ ବିବରଣୀ ବା ତଥ୍ଯ ଭିତ୍ତିକ ପ୍ରାମଣିକ  ସିଦ୍ଧାନ୍ତ ନାହିଁ। କେବଳ ଜନ ଶ୍ରୁତିକୁ ଆଧାରଶୀଳା  କରି କହି ହୁଏ ଯେ,  କେଉଁଝରରର ରାଣୀ  ଉକ୍ତ ରେବ  ନଦୀ କୂଳରେ   କୁଆଡ଼େ ବହୁ ଦିନ ଧରି   ଅବସ୍ଥାପନ  କରିଥିଲେ। ପ୍ରଜା  ହିତୈଷୀ ରାଣୀ ଲୋକମାନଙ୍କର  ମଙ୍ଗଳ ସାଧନ  କରି, ଏଠାରେ ପାଞ୍ଚ   ଏକର  ପରିମିତ ଜାଗା ଉପରେ  ଏକ ବିରାଟ ପୁଷ୍କରଣୀ ଖନନ କରିଥିଲେ, ଯାହାର  ନାମ ରାଣୀ ପୋଖରୀ। ଏଣୁ ରାଣୀଙ୍କୁ ମନେ ରଖିବା ପାଇଁ ଏହାର ନାମ ରାଣୀପଡ଼ା ରଖାଯାଇଛି କିମ୍ବା ରାଣୀ. ନିଜେ   ଏଠାରେ  ଏକ  ଜନ ବସତି ସ୍ଥାପନ କରି ଥାଇପାରନ୍ତି।

ରାଣୀପଡ଼ାର ଆରାଧ୍ୟା ଦେବୀ ମାଆ ହିଙ୍ଗୁଳାଈ, ମା’ବୁଢୀ ଜାଗୁଳାଇ, ବନ ଦୂର୍ଗା ଓ ମାଆ ମଙ୍ଗଳା। ପୁଣି ଏଠାରେ ପାଳିତ ହୁଏ ହିଙ୍ଗୁଳା ଯଜ୍ଞ ଓ ରାମ ନବମୀ। ସେହିଠାରେ ପୁଣି ଅଛନ୍ତି ସାହି ଠାକୁରାଣୀ ଠାକୁର ଓ କୀର୍ତନ ଗୋସାଇଁ। ବିବାହ ବ୍ରତ, ପୁନେଇଁ ପର୍ବ, ହାଣ୍ଡି ମଙ୍ଗୁଳା, କାହାର ଗଛ ଫଳିଲା ବା କାହାର ଫଳିଲା ନାହିଁ, କାହାର ପିଲା ହେଲା ନାହିଁ, କାହାର ପିଲା ସପନ ଦେଖି ବାଉଳି ହେଉଛି, କାହାର ପିଲା ଦେହ ଭଲ ରହୁ ନାହିଁ – ସବୁ କିଛି ମୋ ଗାଁ ରାଣୀପଡ଼ାର ସରଳ ନିଷ୍ପାପ ଲୋକମାନେ ଦିଅଁ ଦେବତା ଠାରେ ଜଣାନ୍ତି।

ବଂଶ ବୃକ୍ଷ :

ଏହି ଗ୍ରାମରେ କେତେ କେତେ ଲୋକ ଜନ୍ମ ନେଇ ବୁଦ୍ ବୁଦ୍ ପରାଏ କୁଆଡ଼େ ବିଲୀନ ଭଜିଛନ୍ତି ତାହାର ହିସାବ କେହି ରଖି ନାହିଁ। ସେହି ଗାଁରେ ଜନ୍ମ ନିଅନ୍ତି ମୋର ପିତା ପୁରୁଷୋତ୍ତମ ବହୁ ପଥିତ ଯଶା। ତାଙ୍କ ପିତା ଗୋପିନାଥ, ମାତା ଶକି ଓ ବାଲ୍ଯ ବିଧବା ପିଉସୀ ସୁବର୍ଣ୍ଣ ବହୁ ତପ ଜପ, ଦାନ ଧ୍ୟାନ କରି ସନ୍ତାନଟିଏ ପାଇବା ପାଇଁ ଶେଷରେ ବର ଓସ୍ତ ଗଛ ଲଗାଇ ବାହା ଦେଇଛନ୍ତି। ମାତ୍ର ସବୁ ଚେଷ୍ଟା ବିଫଳ ହୋଇଛି। ସନ୍ତାନଟିଏ ପାଇବାର ବ୍ୟାକୁଳତା ସେମାନଙ୍କ ଜୀବନରେ ଭରି ଦେଇଛି ଦୁଃଖ ଓ ନୈରାଶ୍ୟର ବେଦନା। ଶେଷରେ ସେମାନେ ପୁରୁଷୋତ୍ତମ କ୍ଷେତ୍ର ଯାଇଛନ୍ତି। କାନି ପତେଇ ସନ୍ତାନଟିଏ ପାଇଁ ଜଗନ୍ନାଥ ଠାରେ କରନ୍ତି ଆକୁଳ ନିବେଦନ। ଭଗବାନ ଏତେଟା ନିଷ୍ଠୁର ହୋଇପାରନ୍ତି ନାହିଁ। କେବଳ ଭକ୍ତର ମନ ବିଡିବା ପାଇଁ ସେ ସ୍ରୁଷ୍ଟି କରନ୍ତି ଗୋଲକଧନ୍ଦା, ଅନେକ ପ୍ରହେଳିକା ।ପରିଶେଷରେ ବିବାହର ଅଠର ବର୍ଷ ପରେ ଶକି ହେଲେ ଅନ୍ତଃସତ୍ତା। ସନ୍ତାନଟି କେମିତି ଜନ୍ମ ଲାଭ କରି ପୃଥିବୀର ପହିଲୁ  ସୂର୍ଯ୍ୟାଲୋକ ଦେଖିବ, ପିତୃ ମାତୃ କୋଳ ମଣ୍ଡାଙ୍ଗି ସୁଖ ଦେବ, ସେହି ଚିନ୍ତାରେ ସମସ୍ତେ ସ୍ଵପ୍ନ ବିଭୋର।ଶେଷରେ ଜନ୍ମ ନେଲେ ପୁରୁଷୋତ୍ତମ।

ତାଙ୍କର ତିନୋଟି କନ୍ୟା ଦୁଇଟି ପୁତ୍ର। ତେଣୁ ସେଇ ପରିବାରରେ ଅଛନ୍ତି ଗୋବିନ୍ଦ, କମଳା, ବିମଳା ଓ କୁନ୍ତଳା, ମୁଁ ତହୁଁ କନିଷ୍ଠତମ ସନ୍ତାନ ଜୀବନ ଯାହାର ସଂଘାତ ଓ ସଂଘର୍ଷରେ ପରିପୂର୍ଣ୍ଣ। ନାମ ମୋର ସତ୍ୟ ପ୍ରକାଶ। ସତ୍ୟର ଅନୁସନ୍ଧାନ ମୋର ପେଶା ବା ନିଶାରେ କେତେବେଳେ ପରିବର୍ତ୍ତିତ ହୋଇଯାଏ ମୁଁ ଜାଣି ପରେ ନାହିଁ। ମୁଁ କିନ୍ତୁ ସାହିତ୍ୟର ସାଧନା କରେ। ଯେତେବେଳେ ଯାହା ଦେଖେ ବା ଉପଲବ୍ଧି କରେ କାଗଜର କ୍ୟାନ୍ଭାସ ଉପରେ କଲମର ତୂଳୀରେ ଆଙ୍କିଦିଏ। ତେଣୁ ମୁଁ କୁଆଡେ ସାହିତ୍ୟିକ। ଅନେକ ମୋର କୃତି।

ଆତ୍ମ ପରିଚିତି ଓ ଜନ୍ମ ବୃତ୍ତାନ୍ତ :

ରିତୁ ଚକ୍ରରେ ନାନା ପରିବର୍ତ୍ତନ ସଂଘଟିତ ହୁଏ। ପ୍ରତ୍ୟେକ ରିତୁ ନିଜ ନିଜ ରାସ ଲୀଳା ସାରି ଅନ୍ତର ହୁଅନ୍ତି ଧରିତ୍ରୀ ବକ୍ଷରୁ। ରିତୁ ଚକ୍ରରେ ସାମ୍ବତ୍ସରିକ ପରିକ୍ରମଣ ଭିତରେ ରୌଦ୍ର କ୍ଲିଷ୍ଟ ଗ୍ରୀଷ୍ମର ଅବସାନ ପରେ ଆଦ୍ୟ ଆଷାଢ଼ର ସ୍ଵାଗତ ସମ୍ଭାଷଣ ଘେନି ଓହ୍ଲାଇ ଆସେ ବର୍ଷା। ଜଳଦ ଗମ୍ଭିର ନାଦ ମଧ୍ୟରେ ଦିଗାଙ୍ଗନାର ଘନ କୃଷ୍ଣ ଅଞ୍ଚଳ ଉହାଡୁ ବର୍ଷା ଆତ୍ମ ପ୍ରକାଶ କରେ। ବର୍ଷଣ ମୁଖର ଆଦ୍ୟ ଆଷାଢର ଶାନ୍ତ ବାରିଧାରାରେ ଜଗତର ସବୁ କ୍ଲେଶ, ସବୁ ବ୍ୟଥା ଦୂର ହୋଇଯାଏ। ପଲ୍ଲୀର ଶୁଷ୍କ ନିରସ ଧୂସରତା ଉପରେ ଶ୍ୟାମଳିମା ଆଚ୍ଛାଦିତ ହୁଏ। ନୀରବ ବନାନୀ ବରଷାର ମୃଦୁ ଗୁଞ୍ଜନରେ ଗୁଞ୍ଜରିତ ହୋଇଉଠନ୍ତି। ମାଟିର ମଣିଷ ସୃଷ୍ଟିର ନବୀନ ଆଲୋକରେ ଉଦ୍ଭାସିତ ହୋଇ ସ୍ଵପ୍ନ ବିଭୋର ହୋଇ ଉଠନ୍ତି। ନିଦାଘ ପୀଡିତା ନଦୀ ନାଳ ପୁଷ୍କରଣୀର ଅଙ୍ଗେ ଅଙ୍ଗେ ପ୍ରମତ୍ତ ଯୌବନ ଫୁଟିଉଠେ। କଲକଲ୍ଲୋଳରେ ମୁଖରିତ ହୋଇ ଉଠେ ଗ୍ରାମ୍ୟ ତଟିନୀର ବକ୍ଷ। ମେଘର ଗୁରୁ ଗମ୍ଭୀର ଗର୍ଜ୍ଜନ ଶୁଣି କଦମ୍ବ ବିକଶିତ ହୁଏ। ଗନ୍ଧ  ବିହ୍ୱଳିତ ଆନନ୍ଦମତ୍ତ ମନ୍ଦ ସମୀରଣ ପ୍ରାଣରେ ଭରି ଦିଏ ଅସୀମ ଶାନ୍ତି। ସର୍ବତ୍ର ଅଫୁରନ୍ତ ଆନନ୍ଦୋତ୍ସବ ଲାଗିଯାଏ। ପୁଣି ଆଗରେ ସ୍ଵଂୟ ଜଗନ୍ନାଥଙ୍କର ରଥଯାତ୍ରା। କ୍ରମଶଃ ବର୍ଷା ପରେ ଧରାପୃଷ୍ଠକୁ ଓହ୍ଲାଇ ଆସେ ପ୍ରଚଣ୍ଡ ଶୈତ୍ଯର ଶୀତରାଣୀ। ଥୁରୁଥୁରୁ ଶୀତରେ ଥରୁଥାନ୍ତି ଅସରନ୍ତି ଗ୍ରାମ୍ୟ ନରନାରୀ। ଶୀତର ପ୍ରକମ୍ଫ ଚାରିଆଡ଼େ ଅନୁଭୁତ ହୁଏ। ସେପଟେ ବସନ୍ତର ଆଗମନୀ ବାର୍ତ୍ତା କହିବା ପାଇଁ ସେ ଶୁଭାଯାଏ କୋଇଲିର ଘନ ଘନ କୁହୁତାନ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପିତା ପୁରୁଷୋତ୍ତମଙ୍କ ଔରଷରୁ ଓ ମାତା ଲକ୍ଷ୍ମୀ ପ୍ରିୟାଙ୍କ ଗର୍ଭରୁ ମୁଁ ଜନ୍ମ ଲାଭ କରେ ପଞ୍ଚମ ସନ୍ତାନ ରୂପେ 1968 ମସିହା ଜାନୁୟାରୀ 31 ତାରିଖରେ ଏକ ଗ୍ରାମ୍ୟ ପରିବେଶ ଭିତରେ। ଯେଉଁଠି ଲେଖାଯାଏ ମୋ ଜନ୍ମ ଜାତକ, ସେହି ରାଣୀପଡ଼ା ଗ୍ରାମ ମୋର ଅତିପ୍ରିୟ ଜନ୍ମ ଭୂଇଁଟି।

ସ୍ୱଭାବରେ ମୁଁ ଟିକିଏ ଦୁଷ୍ଟ ବୋଲି କେହି କେହି ମୋତେ ବାରବୁଲା କହି କଟାକ୍ଷ କରନ୍ତି। ହେଲେ ଗେହ୍ଲାବସରର ନାଁଟି ମୋର ବାବୁଲା। ଯାହା ସ୍ନେହ ଶ୍ରଦ୍ଧାର ନାଁଟି ଭାବେ ବେଶ୍ ପରିଚିତ। ମୁଁ ପୁଣି ପିଲାବେଳେ କୁଆଡ଼େ ଟିକିଏ ଟେରା ଥିଲି ବୋଲି କେହି କେମିତି ଟେରା ବୋଲି ଏବେବି ଡାକି ପକାନ୍ତି, ସେମାନଙ୍କ ମଧ୍ୟରୁ ପୁରୁଖାମାନଙ୍କ   ସଂଖ୍ୟା ଟିକିଏ ଅଧିକା। ପିଲାଦିନଟା ଭାରି ଗେହ୍ଲାବସରରେ କଟିଥିଲା। ଗପ ଶୁଣିବାକୁ ଭାରି ଭଲ ପାଉଥିଲି। ବିନା କାହାଣୀ ନଶୁଣି ବୋଧହୁଏ ମୋତେ ନିଦ ଆସୁ ନଥିଲା। ସେଥିପାଇଁ ମହାପୁରୁଷଙ୍କ ଜୀବନୀ ବୃତ୍ତାନ୍ତ ଠାରୁ ବୁଢୀ ଅସୁରୁଣୀ, ସାହାଡ଼ା ସୁନ୍ଦରୀ, କୁହୁକ ରାଇଜର କୁହୁକ କାହାଣୀ, ଅଗନା ଅଗିନୀ ବନସ୍ତ, ସାତତାଳ ପଙ୍କ, ସିନ୍ଦୁକ ଭିତରେ ଫରୁଆ ତା’ଭିତରେ କାହାର ଜୀବନ ନାଟିକା ଆଦି ସବୁ ଗପ ମୁଁ ଶୁଣି ସାରିଥିଲି। ମୋ ବୋଉଟା ଭାରି ପାଠୁଆ। ସବୁ କାହାଣୀ ଯେମିତି ତା ମୁହଁରେ ମୁଖସ୍ଥ। ବାପା, ନାନୀ ସମସ୍ତେ ବି ଗୋଟେ ଅଧେ ଶୁଣାନ୍ତି, ନହେଲେ ଅଝଟ କରି ତଳେ ଗଡ଼ି ଯାଉଥିଲି। ପୁଣି ପୁଣି ଗାଁର ନଇକ୍ଷଣ ମଉସା ବା ମଣିଆ ବୁଢା ପାଖରେ ବସି ପଡ଼ିଲେ ଖୋଲି ଯାଉଥିଲା କାହାଣୀ ପେଡ଼ି, ଯାହାର ଉପାଦେୟତା ମୁଁ ହୁଏତ ଆଜି ଅଙ୍ଗେ ଅଙ୍ଗେ ଉପଲବ୍ଧି କରୁଛି।

ଆଜି କାଲି ଆମେ ସମସ୍ତେ ସହରୀ। କେବେ କେବେ ସୁବିଧା ସୁଯୋଗ ଉଣ୍ଡି ଗାଁକୁ ଥରେ ଅଧେ ଯା’ନ୍ତି। ପୁଣି ସେହି ଗାଁରେ ବେଳେ ଓଉତେ ରହି ସହରକୁ ଫେରି ଆସନ୍ତି କର୍ମ ବ୍ୟସ୍ତତା ଯୋଗୁଁ ହେଉ କି ଗାଁ ପ୍ରତି ରୁଚି ରଖୁ ନଥିବା ସହରୀ ବାବୁମାନଙ୍କ ଠାଣି ଯୋଗୁଁ ହେଉ । କିନ୍ତୁ ଗାଁର ଯେଉଁ ଗୋଟେ ଅଧେ ରୀତି ନୀତି ମନେପଡ଼େ ତାହା ବେଶ୍ କୌତୁହଳପ୍ରଦ, ଆମ ସହର ପରିକା ଆଦୌ ନୂହେଁ। ଗାଁର ରୀତି ନୀତି, ଚାଲି ଚଳନୀ, ପୁନେଇଁ ପର୍ବ ପିଠାପଣା, ଦିଅଁ ମଙ୍ଗୁଳା, ଶାଗ ଖରଡ଼ା, ବାଡ଼ି କାନିସିରି, ନଦୀ ମାଛ, ପତ୍ର ପୋଡ଼ା ଛତୁ ତରକାରୀ, ବେସର ଦିଆ ସୁଆଦିଆ ତିଅଣ, ବାଡ଼ି ମାରିସ ଖଡ଼ା ଶାଗ- ସବୁ କିଛି ଭିନ୍ନ୍ ଏକ ଭିନ୍ ସ୍ଵାଦର ଆସ୍ବାଦନ ଯେଉଁଟା କି ଆଜି ମୋ ମନର ଭ୍ରାନ୍ତି ଅବା ଦୁଷ୍ପ୍ରାପ୍ୟପ୍ରାୟ। ସେହି ପରି ମୋର ଏକ ଗାଁ ମୋ ଗାଁ ବେଶ୍ ମଫସଲ ଅଞ୍ଚଳ ଅପରୂପା କାନ୍ତି ବେଶ୍ ମନୋଲୋଭା ତା’ର ଠାଣି।

ସହରୀ ସୁବିଧା ସୁଯୋଗର ଅଭାବବୋଧ ବେଶ୍ ସହେ-ମୋ ଗାଁ । ତଥାପି ମୋର ବାଲ୍ୟକାଳ, ବିଦ୍ୟା ଅଭ୍ୟାସ ଓ ସ୍କୁଲ୍ ଶିକ୍ଷା ସେହିଠାରେ ସମ୍ପୂର୍ଣ୍ଣ ହୁଏ। ସେଇଠିକି ମୋ ଟିକି ହାସ, ମୋ ପିଲାଳିଆମୀ, ମୋ ପିଲାବେଳର ଚପଳତା? ସେଥିପାଇଁ ବୋଧେ ମୁଁ ବେଶ୍ କୃତଜ୍ଞ, ଜନ୍ମ ମାଟି ପାଈଁ କିଛିଟା ଆକର୍ଷିତ। କାରଣ ମୋ ଶୈଶବ, ବାଲ୍ୟ ଓ କୈଶୋରର ପ୍ରତ୍ୟେକଟି ସ୍ମୃତି ସେହି ଗାଁ ମାଟିରେ ବେଶ୍ ଭାଷ୍ବର। ସେଇଠି ଅଛି ମୋ ପିଲାବେଳ  ଧୂଳି ଖେଳ,ମୋ ସ୍ବପ୍ନର ବାଲିଘର, ଡୁଡୁ ଖପରା ଡିଆଁ, ବୋଉ ବୋଉକା, ଗୁଳା ଡିଆଁ ବାଗୁଡ଼ି ଖେଳ ପୁଣି ମିଛି ମିଛିକା କଣ୍ଢେଇ ବାହାଘର ଆଉ କେତେ କେତେ ମୋ ସ୍ମୃତିର ଗନ୍ତାଘର ଓ ମୋ ଅନୁଭୁତିର ଚାଟଶାଳା। ସେଇଠି ଯେ ମୋ ସାଙ୍ଗସାଥୀ, ଖେଳ ପଡିଆ, ମୋ ବିଦ୍ୟାଳୟ ସ୍କୁଲ୍ ଶିକ୍ଷକ। ସବୁ କିଛି ମୋ ସ୍ମୃତି ଭାଲ ପଟେ ଯେମିତି ଉଇଁକି ଉଠେ, ମୋ ଚେତନାଟା ହଜାଇ ଖୋଜି କି ବୁଲେ? ମନେ ପଡ଼ିଯାଏ ସ୍ମୃତି ବିଜଡ଼ିତ ପ୍ରତିଟି ମୁହୂର୍ତ୍ତ। ଇଚ୍ଛା ହୁଏ ଆଉ ଥରେ ଏମିତି ହଟକି ଯାଆନ୍ତି କି  ପୁଣି ଥରେ ସେଇଟି ଲଟକି। ଗୋଟି ଗୋଟି ହୋଇ ସବୁ ସ୍ମୃତି ଖାଲି ମନେ ପଡ଼ି ଯାଉଥାନ୍ତା, ଭାରି ଭଲ ଲାଗନ୍ତା ।

ହେଲେ ଆମ ବ୍ୟସ୍ତ ବହୁଳ ଜୀବନର ବାସ୍ତବତା ସେ ସ୍ମୃତି ଠାରୁ ବହୁ ଦୂରେ। ମୁଁ ଆଜି ସହରୀ ଶିକ୍ଷିତ ବାବୁ।ନିଜର କାର୍ଯ୍ୟ ଭାରା ଓ ସରକାରୀ ଚାକିରିରେ ଯୋଗଦାନ ହେତୁ ସେଇ ଗାଁକୁ ଫେରିବା ମୋ ପକ୍ଷେ ଅସମ୍ଭବ। ଏବେ ମୁଁ ଓଡିଶା ସଭରକରଙ୍କ ଅଧୀନରେ ସମବାୟ ବିଭାଗରେ ଅବସ୍ଥାପିତ। ଉପ ସହକାରୀ ନିବନ୍ଧକ ରୂପେ କାର୍ଯ୍ୟରତ। ଚାକିରୀର ବୋଝ ସମ୍ଭାଳି ସମ୍ଭାଳି ଗାଁ କଥା ଭୁଲି ଗଲାଣି। ଏପଟେ ସାହିତ୍ୟ ସାଧନା ପଇଁ ବେଳ ଟିକିଏ ବା ତର ଟିକିଏ ହେଉ ନାହିଁ

ଯାହା ବି ହେଉ ମୋ ଗାଁ ମୋ ପାଇଁ ନମସ୍ୟା। ସେହି ଗାଁରେ ଅଛିନ୍ତି ମାତା ହିଙ୍ଗୁଳାଈ, ଗ୍ରାମ ଦେବତୀ ବୁଢୀ ଜାଗୁଳାଇ, ପ୍ରଭୁ ଶ୍ରୀ ରାମ, କୀର୍ତ୍ତନ ଗୋସାଇଁ, ମାଆ ମଙ୍ଗଳା, ବାବା ହନୁମାନ ବନ ଦୁର୍ଗ ପୁଣି ପ୍ରତି ସାହିରେ ସାହି ଠାକୁରାଣୀ ଓ ଠାକୁର ବାକୁର। ସେଇଟି ଅଛି ଗୋଟିଏ ପଶୁ ଡାକ୍ତରଖାନା ଓ କ୍ଲବ ଘର। ଏବେ ତ ଗାଁରୁ ପୁରୁଖା ମାନେ ହଟି ଗଲେଣି, ଯୁବକ ମାନଙ୍କ ହାତରେ ଏବାର ଗାଁ ମାମଲତି। ହେଲେ ଗ୍ରାମ୍ୟ ରାଜନୀତି ସବୁ ଖାଇଲାଣି। ଆଉ ସେ ତା ‘ବାଡି ଦେଇ ନଦୀ ତୁଠ ଯାଏ ନାହିଁ କି ରମୁ କକା ୟା’ ଜମି ଦେଇ ହଳ ବଳଦ ଆଣେ ନାହିଁ। ତରକାରୀ ପତ୍ର ଦିଆ ନିଆ ତ କେବେ ଠାରୁ ବନ୍ଧ। ସମ୍ପ୍ରତି ସବୁ କିଛି ଭିନ୍ନ୍ ଏକ ମୋଡ଼ ଭିନ୍ନ୍ ଏକ ପରିସ୍ଥିତି, ଗ୍ରାମ୍ୟ ସଂସ୍କୃତି ଭୁଶୁଡ଼ିଲା ପ୍ରାୟ। ହେଲେ ବି ଗାଁରେ ରାସ୍ତା ଘାଟ ଟି ଭି, କମ୍ପୁଟର, ଗାଡ଼ି ମୋଟର ଚଳାଚଲ ଏବେ ଉପଲବ୍ଧ। ସହରୀ ସଭ୍ୟତା ପ୍ରତି ଯୁବ ସମ୍ପ୍ରଦାୟ ଆକୃଷ୍ଟ। ଗ୍ରାମ୍ୟ ସଂସ୍କୃତି ଓ ସଭ୍ୟତା କିଛିଟା ବିପର୍ଯ୍ୟସ୍ତ। ତେବେବି ମୋ ଗାଁ ସୁନ୍ଦର।

ଶିକ୍ଷା ଆହରଣ ଓ ଜୀବନର କ୍ରମ ବିକାଶ ପର୍ବ :

ସେହି ରାଣୀପଡ଼ା ଉ. ପ୍ରା. ଓ ମ. ଇଂ. ବିଦ୍ୟାଳୟରେ ମୋର ପାଠ ପଢ଼ା, ଶୈକ୍ଷିଣିକ ଜୀବନର ପ୍ରଥମ ପାହାଚ। ସେଦିନର ଝାଟିମାଟି ଘର ଅବଶ୍ୟ ଏବେ ପକ୍କା ଘରରେ ପରିଣତ। ପରେ 4/5 କି. ମି. ଦୂରରେ ସ୍ଥିତ ମଞ୍ଜୁରୀ ରୋଡ଼ ଠାରେ ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠରେ ଅଧ୍ୟୟନ। ମାତ୍ର୍ ଦୂରତା ଦୃଷ୍ଟିକୋଣରୁ ପରେ ନିକଟସ୍ଥ ତରାଗୋ ହାଇ ସ୍କୁଲ୍ ରେ ପଢି ମ୍ୟାଟ୍ରିକ ପାସ୍ କଲି। ଯିବା ବାଟରେ ଏକ ନଦୀ ପ୍ରତିବନ୍ଧକ ସାଜିଥିବାରୁ ଦୁଇ ଖଣ୍ଡ ମାତ୍ର ବାଉଁଶ ପଡ଼ି ବନ୍ଧା ଯାଉଥିବା ଚାର ଉପରେ ପାରି ହୋଇ ଶିକ୍ଷା ଅଧ୍ୟୟନ ପାଇଁ ଯିବା ବେଶ୍ କୌତୁହଳପୂର୍ଣ୍ଣ ତଥା ଭିତ୍ତି ସଂଚାରକାରୀ ଥିଲା।

ତହିଁ ଉତ୍ତାରୁ ଆସିଗଲି ସହର ଆରମ୍ଭି ସହରୀ ଜୀବନ। ବେଶ୍ କୋଳାହଳମୟ ଚାକଚକ୍ୟର ସହରୀ ଜୀବନ।ଭୁବନେଶ୍ଵରସ୍ଥ ରାଜଧାନୀ କଲେଜରେ ଯୁକ୍ତ ଦୁଇ ପାଠ୍ଯ କ୍ରମରେ ନାଁ ଲେଖିଲି। କୃତିତ୍ଵ ସହ ଉତ୍ତୀର୍ଣ୍ଣ ହେଲା ପରେ ବାଲେଶ୍ଵରଠାରେ ଫକୀର ମୋହନ ମହାବିଦ୍ୟାଳୟରେ ଯୁକ୍ତ ଟିନ ଓଡ଼ିଆ ସମ୍ମାନ ରଖି ପାଠ ପଢିଲି।ପୁନଶ୍ଚ ଆସିଗଲି ସ୍ନାତୋକୋତ୍ତର ଡିଗ୍ରୀ ହାସଲ ପାଇଁ ଉତ୍କଲ ଇଉନିଭର୍ସିଟି, ବାଣୀବିହାର, ଯେଉଁଠି ଅଧ୍ୟୟନ କରି ସଫଳକୃତ ହୋଇ ପ୍ରଥମ ଶ୍ରେଣୀରେ ଡିଗ୍ରୀ ମୁହିଁ ହାସଲ କଲି। 1995 ମସିହାରେ U. G. C. ଠାରୁ eligibility for lectureship certificate ହାସଲ କଲି। ହେଲେ 1996 ମସିହା Aug 06 ତାରିଖରେ ପ୍ରତିଯୋଗୀତା ମୂଳକ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମବାୟ ବିଭାଗରେ ନିରୀକ୍ଷକ ଭାବେ ଆନନ୍ଦପୁର ଠାରେ ଯୋଗଦାନ କରିବା ଫଳରେ ପ୍ରୟତଃ ଶିକ୍ଷା, ଶିକ୍ଷାୟତନ ଓ ସାହିତ୍ୟାଧ୍ୟାବସାୟ ସହିତ ନିବିଡ଼ ସମ୍ପର୍କ ତୁଟିଥିଲା ପୁଣି ଦୁଇ ଦୁଇ ଥର ସିଭିଲ ସର୍ଭିସ୍ କ୍ଷେତ୍ରରେ ଅନ୍ତିମ ଚରଣରେ ଅକୃତକାର୍ଯ୍ୟ ହେବା ଫଳରେ ମୁଁ ଟିକିଏ ହତୋତ୍ସାହିତ ହୋଇପଡ଼ିଥିଲି। ପରେ higher diplama in cooperative management ରେ ପ୍ରଥମ ଶ୍ରେଣୀରେ କୃତିତ୍ଵ ଅର୍ଜନ କରି ପାରିଥିଲି।

ଇତି ମଧ୍ୟରେ ମୋର ବିବାହ ସମ୍ପନ୍ନ ହୋଇଯାଇଥାଏ। ବଡ଼ମ୍ବା ଗୋପିନାଥପୁରର ପ୍ରିୟମ୍ବଦାଙ୍କ ସହ। ଏବେ ମୁଁ ଦୁଇଟି ପୁତ୍ର ସନ୍ତାନର ଜନକ, ହୁଏତ ମୋ ବାର୍ଦ୍ଧକ୍ୟ ଜୀବନରେ ପାଲଟି ପାରନ୍ତି ସାହାରା।

ସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍ (ଏକ ବିଶେଷ ମୁହୂର୍ତ୍ତରେ) – :

————————————————

ବିଦାୟ ସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍। ମୋ ତରାଗୋ ଉଚ୍ଚ ବିଦ୍ୟାପୀଠ-ଏକ ନିଆରା ପରମ୍ପରାର ଭିନ୍ନ ଏକ ଆସ୍ବାଦନ। ଅନେକ ଉତ୍ତମ ଛାତ୍ର/ଛାତ୍ରୀ ସୃଷ୍ଟି କରିବାରେ ସକ୍ଷମ। ତହିଁ ଉତ୍ତାରୁ ଆମ ପରି କିଛି କୃତୀ ଛାତ୍ରଛାତ୍ରୀ, ଯେଉଁମାନେ କି ଦୂର ଦୂରାନ୍ତରେ ରହିଛୁ ସେଇ ସ୍କୁଲର ସ୍ମୃତି ମନେ ପକାଇ ବେଶ୍ କିଛି ଭାବ ବିହ୍ଵଳ ହୋଇଥାଉ। ବେଶ୍ କିଛି ଭଲ ଖରାପ, ମିଠା ପିତା, ତିକ୍ତ ସତୃପ୍ତ ବା ଉଭୟ ମୋଡ଼- ମଣିଷ ଜୀବନରେ ଆସିଥାଏ। ମାତ୍ର ସ୍କୁଲ୍ ଜୀବନ ଓ ପିଛିଲା ଦିନର ସ୍ମୃତିଗୁଡ଼ାକ ମନକୁ ଆସି ଭାରି ଆନ୍ଦୋଳିତ କରିଥାଏ। ତେଣୁ ମୁଁ ଗାଏ –

ଇଚ୍ଛା ହୁଏ କାହିଁ ବେଳେ ବେଳେ ମୋର
ପଛକୁ ଯିବାକୁ ଫେରି
ଜୀଇବାକୁ ପୁଣି ଆଉ ଥରେ ସେଇ
ପିଛିଲା ଦିନକୁ ଭରି ।। 1
ବେଳେ ବେଳେ ଚାହେଁ ଶିଶୁଟେ ହେବାକୁ
ଖେଳିବାକୁ ନୁହଁ ମନ
ଦେଖିବାକୁ ପରା ମୋ ମା’ର ଓଠରେ
ଆମ ସେ ହସିଲା ଦିନ ।। 2
ବେଳେ ଭାବୁଥାଏ ଫେରିବାକୁ ଦିନେ
ସେଇ ସ୍କୁଲ୍ ପିଲା ହୋଇ
ପଢିବାକୁ ନୁହଁ ଭେଟିବାକୁ ସାଥୀ
ଭେଟୁନି ଯାହାଙ୍କୁ ମୁଇଁ ।। 3
ବେଳେ ଭାବେ ବସି ଫେରନ୍ତାନି ସେଇ
ବିବାହ ଉତ୍ସବ ବେଳ
ନୂଆ ସାଥୀ ନୁହଁ ମନ ଭରି ଭୋଗ
କରନ୍ତି ବିବାହ କାଳ ।। 4
ଆଉ ବେଳେ ପୁଣି ଛୁଆପିଲା ମୋର
ହୋଇ ଯାଆନ୍ତେକି ଟିକି
ତାଙ୍କ ସଙ୍ଗେ ପୁଣି ଖେଳନ୍ତି ଯେ ବସି
ଖେଳୁନି ଯାହା ସେମିତି ।। 5
ବେଳେ ଇଚ୍ଛା ହୁଏ ପ୍ରଥମ ଚାକିରୀ
ଦିନ ଆସନ୍ତା କି ଫେରି
ନୁହଁ ଅଳ୍ପ କାମ ବରଂ ସେ ପ୍ରଥମ
ଦରମାର ଖୁସି ଭାରି ।। 6
ବେଳେ ଚାହେଁ ମୁଇଁ ଫେରିବାକୁ ପୁଣି
ସମୟର ଆର ପାରି
ଯେଉଁଠି ନଥିବ  ପାର୍ଥିବ ଶରୀର

ଥିବ ବିଭୂ ପ୍ରେମ ଭାରି ।। 7
ମୋର ବୋଲି ହୋଇ ଅଛି ଯାହା ରହି

ନଥିବ ମୋହର କିଛି
ସମୟର ଏହି ଶୁଖିଲା ବାଲିରେ
ଯାଇଥିବ ସବୁ ଲୁଚି।8

ଚାଲି ଚାଲି ମୁଇଁ ଥକି ପଡ଼ିଲାଣି

ତଥାପି ସରୁନି ବାଟ
ଦେହ ହାତ ମୋର ଅବଶ ଲାଗୁଛି
ନିତି ହୁଏ ଛଟପଟ ।। 0
ଆଜି କାହିଁକି କେଜାଣି ମୁଁ ଟିକିଏ ବୋଧେ ବେଶୀ ଭାବ ପ୍ରବଣ ହୋଇ ପଡୁଛି ।ସବୁ କଥା ଗୁଡ଼ାକ ରୋମନ୍ଥନ କରିବାକୁ  ଭାରି  ଇଚ୍ଛା  ହେଉଛି। ବାକି କଥା ଗୁଡ଼ାକ ମାଡ଼ି ବସୁଛି।ସାଙ୍ଗ ସାଥୀ, ଶ୍ରେଣୀ ଶିକ୍ଷକ – ସବୁକିଛି। ସେମାନଙ୍କ ମଧ୍ୟରୁ ଆଜି ଅନେକ ସମୟର ଗର୍ଭରେ ଲୀନ ହୋଇ ଯାଇଛନ୍ତି । ତଥାପି ତ ଆହୁରି ଅନେକ ଅଛନ୍ତି, ଯେଉମାନଙ୍କ ଭିତରୁ କେତକ ଝାପ୍ସା ମନେ ପଡ଼ୁଛନ୍ତି। ହେଇ ଯେମିତି ବବୀ, ଅଲେଖ, ବାପି, କୂଳ, ବିନାୟକ, ପ୍ରଶାନ୍ତ( ଦାସ) ଶ୍ରୀ ଧର, କିଶୋର  ଓ ଆଉ  ଅନ୍ୟମାନେ। ସେଇ ସ୍କୁଲ୍ ଅଛି, ଯେଉଁଠି ସେଦିନ ମୁଁ ଏମିତି ପାଠ ପଢୁଥିଲି। ସାଙ୍ଗମାନଙ୍କ ସହ  ବେଶ୍ କିଛି ଆତ୍ମୀୟତା ବାଣ୍ଟୁଥିିିିଲି ବା  ହସାହସି ହୋଇ  କମ୍ପାଉଥିଲି। ଖେଳ ଛୁଟିରେ ଅନନ୍ତ ହାଜିରା ଘୁଗୁନିବାଲା ବା କୁରୁପା ଭାଇ ଗୁଲଗୁଲା ଦୋକାନ ଆଗରେ ଲାଇନ୍ ହୋଇ ଛିଡା ହେଉଥିଲୁ , ନତୁବା ମାଲଡିହ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ସଂଗ୍ରହ କରି,     ଚେନାଚୁର ଲୁଣ ସହିତ   ଖାଇ   ଟାକରା ଫୁଟାଉଥିଲୁ।
ସାଥୀମାନେ ପାଟିରୁ ଲାଳ ଗଡ଼ାଇ ଖଣ୍ଡେ ଦେ ବୋଲି ମାଗି ହେଉଥା’ନ୍ତି। ଏଇ ରାଜୁଟା ଭାରି ଗୋଟେ, ସବୁ କଥାରେ ପ୍ରତିବାଦ କରିବ। ମୋତେ ଖାଲି ଚିଡ଼େଇବ।ମୁଁ ତା ‘ଉପରେ ରାଗିକି ହୂତାସନ। ଚିଡ଼ିକି ବାଇଶି କୁଟା ହେଉଥାଏ। କିନ୍ତୁ ସେ ରାଜୁଟା ଭାରି ପାଠୁଆ, ସମସ୍ତେ ତାକୁ ଭଲ ପାଆନ୍ତି। ମୋର ବି ସେ ଭାରି ପ୍ରିୟ। ପୁଣି ସାଙ୍ଗ ହୋଇ ବାଣୀବିହାରରେ ପଢୁଥିବା ଯୋଗୁଁ ଆତ୍ମୀୟତା ଟିକିଏ ଅଧିକା। ତା’ ମାନେ ନୂହେଁ ଯେ ଆଶିଷ, ଚିତ୍ତ, ରବି କୈଳାସ, ଯଶୋବନ୍ତ, ଚୈତନ, ରଞ୍ଜନ ହରିଆ, ସୁରେଶ, ଅଭି, କୈଳାଶ , ସାଗର, ରମା, ଅନିରୁଦ୍ଧ, ଅକ୍ଷୟ, କୃତ୍ତିବାସ, ସହିତ ମୋର ଭଲ ସମ୍ପର୍କ ନୁହଁ – ଖୁବ୍ ଭଲ ସମ୍ପର୍କ।

ପୁଣି ଜୀବନର ଆଉ ଗୋଟେ ଦିଗ ଭାଗ କଥା ଏଠାରେ ଉଲ୍ଲେଖ ନକଲେ ଲେଖାଟି ଅଧୁରା ରହିଯିବ। ସେହି ହିଁ ଆମ ଜୀବନର କେତୋଟି ବିଶେଷ ମୁହୂର୍ତ୍ତ। ସ୍କୁଲ୍ ଟାଇମର ଯଥେଷ୍ଟ ପୂର୍ବରୁ ଆମେ ପହଂଚି ଯାଉଥିଲୁ ସ୍କୁଲ୍ ପାଖ ଠାକୁରାଣୀ ମନ୍ଦିର ଆଗରେ। ସେଇଠି ତେନ୍ତୁଲି ଗଛ ମୂଳରେ ଠାକୁରାଣୀଙ୍କ ଆଗରେ ବେଶ୍ ଦି ବାଜି ବାଟି ନହେଲେ ନାହିଁ ବାଳୀ ଖେଳ ହୋଇଯାଉଥିଲା। ସେପଟେ ପାର୍ଥନା ଆରମ୍ଭ ହୋଇଯାଇଥାଏ, ଆମ ବାଜିଟା ଛିଡି ନଥାଏ। ସାର୍ କିନ୍ତୁ ଠିକ୍ ନଜର ରଖିଥାନ୍ତି, ସକାଳୁ ସକାଳୁ ଗଣି ଗଣି ଜଣକା ଦି ଦି ପାହାର ହୋଇଯାଉଥାଏ। ତେଣିକି ମନଟା ଖେଳ କୁଦରୁ ହଟି ପାଠ ଆଡକୁ ଚାଲି ଯାଉଥାଏ। ପୁଣି ସ୍କୁଲ୍ ଛୁଟି ହେଲା କ୍ଷଣି ଚାଲି ଯାଉଥିଲୁ – ଝାଟିଆ ବଣକୁ, ଫୁଟବଲ୍ ଖେଳିବାକୁ। ବେଶ୍ କିଛି ପେଣ୍ଡୁ ସହିତ କସରତ ହୋଇଗଲା ପରେ ଥକ୍କା ହୋଇ ଫେରି ଆସୁଥିଲୁ ଘରକୁ। ତା’ପର ଦିନ ପୁଣି ସେଇ ସମାନ ଅଭ୍ୟାସ। ପାଠଟା ଯେତିକି ନୁହଁ ଖେଳଟାର ନିଶାଟା ସେତେ ଅଧିକା। ଏଥିପାଇଁ ଗୁରୁଜୀଙ୍କ ଠାରୁ କ’ଣ କମ୍ ତି ଶୁଣିଛୁ ନା କମ୍ ତି ମାଡ ଖାଇଛୁ। ଆହା! କି ସୁନ୍ଦର ସେ ପିଲାବେଳ ଆଉ ତା’ର ସ୍ମୃତି ବିଜଡ଼ିତ ପ୍ରତିଟି ମୁହୂର୍ତ୍ତ। ଆଉ ଥରେ ଏଇମିତି ହଟକି ପୁଣି ଥରେ ଯାଆନ୍ତୁ କି ସେଇଠି ଲଟକି।

ଆଉ ଆମ ସ୍କୁଲ୍ ଘରଟା ବି ଭାରି ବଢିଆ ଥିଲା। ସେତେବେଳକାର ଛଣ ଛପର ଘର ଯାହା ଦିନରେ ଚାନ୍ଦ ଓ ରାତିରେ ତାରା ଗଣୁଥିଲା। ତାହା ଏବେକାର ସୁଉଚ୍ଚ କୋଠା ନୁହଁ ବା ଆଲୋକ ମାଳିନୀ ଶୀତ ତାପ ନିୟନ୍ତ୍ରିତ ଜ୍ୟୋତ୍ସ୍ନା ବିଧୌତ ଆଧୁନିକ ସଫେଦ ଗୃହ ନୁହଁ। ବେଳେବେଳେ ମଧ୍ୟ ଗୋବର ଆଦାୟ କରି ଘର ଲିପା ହେଉଥିଲା। ସେଦିନଟା ଭାରି ମଜା ଲାଗୁଥିଲା, କାହିଁକିନା ଗୁଲି ଗପ କରିବା ପାଇଁ ବେଶ୍ ଗୋଟେ ଅବସର ମିଳି ଯାଉଥିଲା ଆଉ ପାଠ ପଢ଼ାରୁ ବି ଟିକିଏ ତ୍ରାହି ମିଳି ଯାଉଥିଲା। ଥାଉ ଆଉ କହିବା ନାହିଁ – ଅଧିକ କଥନ ହୋଇଯିବ। ଆହୁରି ଅନେକ କଥା ବାକି ଅଛି।
ପୁଣି ସବୁ ସାର୍ ମାନଙ୍କ କଥା ଗୋଟି ଗୋଟି ହୋଇ ମନେ ପଡିଯାଉଛି। ହେଡ୍ ମାଷ୍ଟ୍ରେ ଲେଙ୍କା ସାର୍  ଭାରି ଭଲ       ମଣିଷ। ପାଠ ସହ ଯେତକ ଉପଦେଶ   ପରାମର୍ଶ ଶୁଣାଇଥାନ୍ତି।ସାଇ ବାବା, ମହାତ୍ମା ଗାନ୍ଧୀ ଆଦି ମହାପୁରୁଷଙ୍କ କାହାଣୀ ଶୁଣାଇ ପ୍ରାଭାବିତ କରିଥାନ୍ତି। ପଢ଼ା ସହ ହସର ଫରୁଆ କଥା ଆସିଲେ ଶିଅଳ ସାରଙ୍କ କଥା ମନେ  ପଡିଯାଏ। ତା ଛଡ଼ା ଅଗଷ୍ଟ  ପନ୍ଦର ଓ   ଜାନୁଆରୀ ଛବିିଶରେ ତାଙ୍କ ଭୂମିକାଟି ଟିକିଏ ଅଧିକାଥାଏ। ସବୁ ବେଳେ ହସୁ ଥିବା ହସହସ ମୁଖ କିଶୋର ସାର୍ ବେଶ୍ ହସେଇ ମଜ୍ଜେଇ ପାଠ ପଢାନ୍ତି। ଚନ୍ଦ୍ରମଣି ସାର ମଧ୍ଯ ବହୁତ ମଜ୍ଜା କଥା କହି  ପଢାଇଥାନ୍ତି। ଏବର ହେଡ୍ ମାଷ୍ଟର ସେବର ଆମ ଅଭିମନ୍ୟୁ ସାର୍ – ସେ ତ ପିଲାଙ୍କ ସହ ପିଲା ହୋଇଯାଆନ୍ତି, ଆଦୌ ରାଗନ୍ତି ନାହିଁ। ଭାରି ଭଲ ଲୋକ। କୃଷ୍ଣ ସାର୍ ସ୍ୱାଭାବିକ  ଭାବେ   ଟିକିଏ  ଗୁରୁ  ଗମ୍ଭିର।    ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଖ ମଣ୍ଡଳ। ମନେ   ହୁଅନ୍ତି   ଭାରି କଠୋର। ମାତ୍ର ବାସ୍ତବରେ ଭାରି ଛାତ୍ର ବତ୍ସଳ, ଅନୁଶାସନ   ପ୍ରିୟ, ସମୟାନୁବର୍ତ୍ତିତା, punctual. ତାଙ୍କୁୁ ଆମେ ବିଶେଷ ଭାବେ ମନେ ରଖିଛୁ ସିଲଭର୍ ଜୁବିଲିର ସଫଳତା ପାଇଁ। ପୂର୍ଣ୍ଣ ସାହୁ ସାର୍   ମଧ୍ଯ ଜଣେ ଭଲ ମଣିଷ। ଜଗନ୍ନାଥ ସାର୍ ଭାରି ପ୍ରିୟ ।ସାଂଗଠନିକ ଦକ୍ଷତା, ଯୋଗାଯୋଗ, ସ୍କୁଲର ବିକାଶ, ଅନ୍ଯାନ୍ଯ କ୍ଷେତ୍ରରେ ତାଙ୍କର ଦକ୍ଷତା ଟିକିଏ ଅଧିକ।

ସ୍ଵର୍ଗତଃ ମୋହିନୀ ସାର୍ ଉଚ୍ଚକିତ ଚିନ୍ତା ଚେତନା ପ୍ରସୂନ ସୁଗୁଣାବଳୀର ବ୍ୟକ୍ତିତ୍ଵ। ଯିଏ କି ଆଜି ଆମ ନିକଟରେ ନଥିଲେ ହେଁ ତାଙ୍କରି ସ୍ମୃତିଟି ବେଶ୍ ତାଜା ହୋଇ ରହିଛି। ସେହି କାରଣରୁ ଏହି ଉତ୍ସବ ଅବସରରେ ତାଙ୍କର ଅମର ଆତ୍ମାର ସଦ୍ଗତିଃ ନିମନ୍ତେ ଓ ତଥା ସ୍କୁଲର ଛାତ୍ର ବା ସ୍କୁଲ୍ ସହ ସମ୍ପର୍କ ରଖିଥିବା – – – – – ଙ୍କ ଆତ୍ମାର ସଦ୍ ଗତି ପାଇଁ ଏକ ମିନିଟ୍ ପ୍ରାର୍ଥନା କରିବାକୁ ଅନୁରୋଧ…

ଆଜି ଗୋଟେ ବଡ଼ ଖୁସିର ମାହୋଲ। ଚାରିଆଡ଼େ ବୁଣି ହୋଇପଡିଛନ୍ତି ସାଙ୍ଗସାଥୀ ଓ ସାନ ବଡ଼ ଭାଇ ଭଉଣୀମାନେ। ସବୁ ଚିହ୍ନିଲା ଚିହ୍ନିଲା ଲାଗୁଛନ୍ତି । ଆଉ ସବୁ ଗୁରୁଜୀମାନଙ୍କ ଉପସ୍ଥିତି ମଧ୍ଯ ମନରେ ଅଧିକ କୌତୁହଳ ସୃଷ୍ଟି କରିଛି।

ପଣ୍ଡିତ ସାର୍ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ। ପରିବେଶଟା ଉତ୍ସବ ମୁଖର। ମନ ଭିତରେ ଅନେକ ଆଗ୍ରହ। ସେ ଏଭଳି ଏକ ବ୍ୟକ୍ତିତ୍ଵ ଯେଉଁ ବ୍ୟକ୍ତିତ୍ଵ ନିକଟରେ ଆମେ ସମସ୍ତେ ପ୍ରାୟ ନତମସ୍ତକ।ଆଜକୁ ଠିକ୍ କିଛି ଦିନ ତଳେ ଏଇଠି ଏଇ ସ୍କୁଲରେ ବ୍ୟୟିତ ମୋର ପ୍ରତିଟି ମୁହୂର୍ତ୍ତ ମୋ ସ୍ମୃତି ଭାଲ ପଟେ ଆଜି ଉଇଁକି ଉଠେ। ସେଦିନ ମୁଁ ଠିକ୍ ତୁମ ଭଳି ବା ତୁମେ ଠିକ୍ ମୋ ଭଳି ଏଇମିତି ସ୍କୁଲ ଗୋଇଁଙ୍ଗ ବୟ। my school time – ସ୍କୁଲ ଟାଇମ ଆସିଗଲେ, ଦୌଡ଼ି ଦୌଡ଼ି ଶ୍ରେଣୀ ଗୃହକୁ ପଶି ଯାଉଥିଲି। ମନରେ କିଛିଟା ସମ୍ଭାବନା, ଦୁର୍ବାଭାବନା। ଅନେକ ଡର – ପଣ୍ଡିତ ସାର୍ ଙ୍କ କ୍ଲାସ ଅଛି। ସଂସ୍କୃତରେ ଯଦି ଭଲ କି ଦି ପଦ କହି ନ ପାରିଲି – ମଲି। ମାଡ଼ ଭୟରେ ପାଠ ଗୁଡ଼ାକ ମନେ ପଡ଼ି ଯାଉଥାଏ। ଏଇ ଯେଉଁ ପଣ୍ଡିତ ସାର୍ ଙ୍କୁ ଆମେ ଦେଖୁଛେ ବା ଆଗରୁ ଦେଖିଛେ, ସେ ଶ୍ରେଣୀ ଗୃହ ଭିତରେ ବେଶ୍ କଠୋର ଅନୁଶାସନ ଭିତରେ ଛାତ୍ରଛାତ୍ରୀଙ୍କୁ ଗଢିବାର ସଙ୍କଳ୍ପ ନେଇ ଟିକିଏ କଠୋର ହୋଇଥାନ୍ତି। ଏବେ ବି ମୋର ମନେ ଅଛି ସେଇ ଝାଉଁ ଡାଳର ପାହାର। ମାତ୍ର ଟିକିଏ ଶ୍ରେଣୀରୁ ବାହାରି ଆସିଲା ପରେ ବେଶ୍ ଶାନ୍ତ ସରଳ ମଣିଷଟିଏ। ସାଥୀ ସହକର୍ମୀ ହୁଅନ୍ତୁ ବା ଗ୍ରାମବାସୀ ଅଥବା ପୁରାତନ ଓ ଏବର ଛାତ୍ରଛାତ୍ରୀ ସମସ୍ତେ ଉପଲବ୍ଧି କରିଥିବେ ଅବା ଏଭଳି ଏକ ସରଳ ଅମାୟିକ ଅଥଚ ଛାତ୍ର ବତ୍ସଳ ଗୁରୁଜୀଙ୍କର ସଂସର୍ଗ ତଥା ସାହଚର୍ଯ୍ୟ ନିଶ୍ଚୟ ପାଇଥିବେ। ଆଜି ସେ ବିଦାୟ ନେଉଛନ୍ତି ବା ତାଙ୍କ ଉଦ୍ଦେଶ୍ଯରେ ଏହି ଉତ୍ସବଟି ଅୟୋଜିତ ହେଉଛି। ସେଥିପାଇଁ ଟେକା ଟେକି କରି ତାଙ୍କ ବିଷୟରେ କହିବା- ମୋର କହିବା ନୁହଁ। ଯାହା ହୁଏତ ଅନ୍ୟ କ୍ଷେତ୍ରରେ ଓ ଅନେକ କ୍ଷେତ୍ରରେ ଘଟିଥାଏ। ମୁଁ ସତ୍ୟ ପ୍ରିୟ, ଯାହା କହେ ସତ କୁହେ। ବାସ୍ତବରେ ସେ ଜଣେ ସରଳ ନିଷ୍କପଟ ମଣିଷ। କାରଣ କାହିଁ କେବେ ମୁଁ ଦେଖି ନାହିଁ ବା ଶୁଣି ନାହିଁ – ତାଙ୍କ ଠାରୁ କୌଣସି ଉଚ୍ଚବାଚ କଥା। ଶୁଣି ନାହିଁ ସାଥୀ ସହକର୍ମୀ ହେଉ ବା ବାହାରବାଲା ସହ ଝଗଡ଼ା ଝାଣ୍ଟିର କଥା। ତେଣୁ ସେ ବେଶ୍ ସାମାଜିକ ଓ ସାମାଜିକ ମର୍ଯ୍ୟଦାବନ୍ତ ମଣିଷ।

ବାକି ରହିଗଲା ଛାତ୍ରଛାତ୍ରୀମାନଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ। ଏହା ନିର୍ବିବାଦରେ କୁହାଯାଇପାରିବ ଯେ, ସେ ଜଣେ ଛାତ୍ର ବତ୍ସଳ, ସଂସ୍କୃତରେ ଉଚ୍ଚକୋଟୀର ଜ୍ଞାନ ରଖିଥିବା ଜଣେ ଅଭିଜ୍ଞ ଶିକ୍ଷକ, ଜୀବନଚର୍ଯ୍ୟା ଓ ଜୀବନ ଶୈଳୀ ବେଶ୍ ଲଘୁ ଭାବେ କହିଲେ ଅତି ସରଳ ଓ ନିରାଡାମ୍ବର, ମିଷ୍ଟ ଭାଷୀ, ଅଳ୍ପ କଥନ ଅଥଚ ରୁଚିବନ୍ତ । ସ୍ମିତ ହସନ୍ତି। ସମସ୍ତଙ୍କ ମନରେ ଥାଆନ୍ତି ବା ସମସ୍ତଙ୍କୁ ନିର୍ବିକାର ଚିତ୍ତରେ ଭଲ ପାଆନ୍ତି। ଆମ ମାନଙ୍କୁ ରାସ୍ତା ଘାଟରେ ଦେଖିଲେ ବଡ଼ ଖୁସିଟାଏ ହୁଅନ୍ତି। ଭଲ ମନ୍ଦ ପଚାରି ବୁଝନ୍ତି। ସବୁଠାରୁ ଭଲ ଲାଗେ ସେ ଆମ ମାନଙ୍କ ସମ୍ଵନ୍ଧରେ ଯେତେବେଳେ possessive feelings ରଖି ବା thought ରଖି ‘ମୋ ‘ଲଗାଇ କଥା ହୁଅନ୍ତି।

ଦିନକର ଘଟଣା – ମୁଁ ଭଦ୍ରକରୁ ଗାଁକୁ ଆସୁଥାଏ। ସାର୍ ଛକ ପାଖରେ ଆମ୍ବ ଗଢିଆ ବଜାରରେ ଛିଡା ହୋଇଥାନ୍ତି। ଅସ୍ପଷ୍ଟ ଭାବେ ମୋ ନଜର ଟିକିଏ ତାଙ୍କ ଉପରେ ପଡ଼ିଥାଏ ଅଥଚ ମୋ ଗାଡି ତାଙ୍କୁ ଅତିକ୍ରମ କରି ସାରିଥାଏ। ସାର୍ କହୁଥାନ୍ତି ପ୍ରତିପକ୍ଷ ଲୋକକୁ ମୋ କାନରେ ଝାପ୍ସା ବାଜୁଥାଏ – ସତ୍ୟ ଗଲା ବୋଧେ, ମୋ ଛାତ୍ର, ଭଲ ପିଲାଟିଏ। ସେଦିନ ମନେ ମନେ ମୋତେ ଦୋଷୀ ଲାଗୁଥାଏ। ଭାବୁଥାଏ – ଯେଉଁ ଗୁରୁଜୀ ବାପା ମାଆଙ୍କ ପରିକା ଏତେଦିନ ପରେ ମଧ୍ଯ ‘ମୋ ଛାତ୍ର’ କହି ମୋ ପ୍ରତି ଶ୍ରଦ୍ଧା ଭାବ ରଖି ଆଲୋଚନା କରୁଛନ୍ତି, ମୁଁ ଟିକିଏ ଗାଡିରୁ ଓହ୍ଲାଇ ପଡ଼ି ନମସ୍କାର କରି ଚାଲି ଆସିଥିଲେ କ’ଣ ହୋଇନଥାନ୍ତା? ଏହିଭଳି ଆମେ ଛାତ୍ରଛାତ୍ରୀମାନେ ବେଳେ ବେଳେ ଅଭଦ୍ରାମି କରିଥିଲେ ମଧ୍ୟ ଆମ ଗୁରୁଜୀମାନେ ଆମକୁ ଭୁଲି ନଥାନ୍ତି। ଆମ ପ୍ରତି ତାଙ୍କର ସ୍ନେହ ଭାବ କିଛି କମି ନଥାଏ। ସେହି ଗୁରୁଜୀଙ୍କୁ ଆମେ ଭଲ ପାଇବା ସ୍ୱାଭାବିକ। ତାଙ୍କ ବିଦାୟ ବେଳାରେ ତାଙ୍କ ସହ ସାମିଲ ହୋଇ ଟିକିଏ ସୁଖ ଦୁଃଖ ବାଣ୍ଟିବା ପାଇଁ ମନରେ ଗୋଟାଏ ବଡ଼ ଆବେଗ।

ଈଶ୍ଵର କରନ୍ତୁ ତାଙ୍କର ଚଲାପଥ କୁସୁମିତ ହେଉ। ଜୀବନ ରାସ୍ତାରୁ କଣ୍ଟା ଖୁଞ୍ଚ ସବୁ ହଟି ଯାଉ। ଅବସରମୟ ଜୀବନ ସୁଖ ସମୃଦ୍ଧିରେ ଭରପୂର  ହୋଇଯାଉ। ଅଥଚ ଆମ ପ୍ରତି ତାଙ୍କର ଭଲ ପାଇବାର ଶ୍ରଦ୍ଧା ସୁମନରୁ କାଣିଚାଏ ବି କମ୍ ନହେଉ। ଆମ ଭଲ ପାଇବା ମଧ୍ୟ ତାଙ୍କ ଠାରେ ସଦା ସର୍ବଦା ରହୁ।

ଶେଷରେ ମୋର ସୁଭାଷଣ – ଜୟ ତରାଗ ହାଇ ସ୍କୁଲ୍, ଜୟ ପଣ୍ଡିତ ସାର୍, ଜୟ ତୁ ପୁରାତନ ଛାତ୍ର ସଂସଦ, ଜୟ ହୋ

ମୋ ସାହିତ୍ୟାକାଶ ଓ ସୃଷ୍ଟି ପ୍ରକରଣ :

ଏବେ ମୋର ପାଠକ ମାନଙ୍କୁ ମୋର ସାହିତ୍ୟାକାଶ ଓ ସୃଷ୍ଟି ପ୍ରକରଣ ସମ୍ପର୍କରେ କିଛିଟା ଅବଗତ କରିବା ଉଚିତ୍ ମନେ ହୁଏ, ଯାହା ମୋ ଜୀବନରେ ସବୁଠାରୁ ବଡ଼ ହିସା ଓ ମୋର ଶ୍ରେଷ୍ଠ ପରିଚାୟକ, ଅଭିଳଷିତ କର୍ମଯୋଗ ତଥା ବାସ୍ତବ କ୍ଷେତ୍ରରେ ମୋ ଜୀବନର ପେଶା ବା ନିଶା।

ମୁଁ  ମୋ ଜୀବନରେ ପ୍ରଥମେ ଇଂରାଜୀ esay competitionରେ “Teachers and student’s relationship” ଶୀର୍ଷକ ଉପରେ ଭାଗ ନେଇ(ଯାହାର introductory lines ଏବେ ବି ମୋ ସ୍ମୃତିରେ – In the flow of  western education our gurus and shishya’s relationship has been vanished and a new kind of relationship has been established i. e. teachers and student’s relationship. With this certain change, everything is now changed affulently.) +2 ରେ ରାଜଧାନୀ କଲେଜରୁ  ୨ୟ ସ୍ଥାନ ଅଧିକାର କରି ସାଟିର୍ଫିକେଟ ଖଣ୍ଡେ ଅର୍ଜନ କରିଥିଲି, ଯାହା ମୋ ପାଇଁ ଆନେକ ପ୍ରେରଣାଦାୟକ ଓ ଆଗକୁ ବଢିବାରେ ଯଥେଷ୍ଠ ସହାୟକ ହୋଇପାରିଛି। ଫଳରେ ମୋ ଭିତରେ ଗଭୀର ଆତ୍ମ ବିଶ୍ବାସ ଓ ବିଶ୍ବାସବୋଧ ଜାଗ୍ରତ ହେଲା। ମୁଁ ଲେଖି ବସିଲି ମୋ ସାହିତ୍ୟିକ ଜୀବନର ପ୍ରଥମ କୃତି ପ୍ରଥମ କବିତା, ସେଇଟି ପୁଣି ଇଂରାଜୀରେ – “Oh my Theo! Oh my Theo!! Oh my Theo/Help me, I’m a helpless charm.” ଯାହା ଫକୀର ମୋହନ କଲେଜ ମାଗାଜିନରେ ବାହାରିଥିଲା।

ଥରେ ମୋର ମୋ ସ୍କୁଲ୍ ଶିକ୍ଷକ ପଦ୍ମ ଲୋଚନ ଦାସ ସାରଙ୍କ ସହ ଦେଖା ହୋଇଗଲା। ସେ କହିଲେ – “ତୁ ତ ଓଡ଼ିଆ ସମ୍ମାନ ରଖି ପାଠ ପଢୁଛୁ, ଓଡ଼ିଆ ସାହିତ୍ୟର ସେବା ପାଇଁ ଲେଖା ଲେଖି କର “। ମୁଁ କହିଲି କେମିତି ଲେଖିବି, ମୁଁ ତ କାହିଁ କିଛି ଜାଣି ପାରୁ ନାହିଁ। ପୁଣି ସେ କହିଲେ – “ଗୋଟିଏ କ୍ଷୁଦ୍ରାଦି କ୍ଷୁଦ୍ର ବସ୍ତୁ ବା ପ୍ରକୃତିର ସୌନ୍ଦର୍ଜ୍ୟକୁ ତୁ ନିରେଖି ଦେଖ, ତାକୁ ମାନବ ଜୀବନ ସହ ତର୍କଣା କରି ବା ଯୋଡ଼ି, ତହିଁରେ ଦାର୍ଶନିକ ଭାବ ଫୁଟା, ଦେଖିବୁ ବେଶ୍ ସୁନ୍ଦର ସାହିତ୍ୟ ହୋଇପାରିବ। “ତେଣୁ ମୁଁ ପ୍ରୟାସ କଲି ଆକାଶକୁ ଚାହିଁ ବା ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅକୁ ଦେଖି, ତେବେ କବିତା ଦ୍ୱୟ ପୂର୍ଣାଙ୍ଗ ବା ରୁଚି ସଂପନ୍ନ ହୋଇପାରିଲା ନାହିଁ। ହଠାତ୍ ମୁଁ ଦିନେ ଖଟ ଉପରେ ଗାଁ ଘରେ ବସିଥାଏ, ମୋର ନଜର ପଡିଗଲା ଗୋଲାପ ଗଚ୍ଛ ଓ ତା’ର ନାଲି ନାଲି ଟହଟହ ପ୍ରଷ୍ପୁଟିତ ଫୁଲଟି ଉପରେ, ମୁଁ ତତ୍କ୍ଷଣାତ୍ ଭାବୁକଟିଏ ପାଲଟି ଗଲି। ଲେଖି ବସିଲି। ଗଛଟିକୁ ମଣିଷ ଜୀବନ ସହ ଯୋଡି ଜୀବନ ଦର୍ଶନ ଫୁଟାଇଲି। ଏବେ ବି ସେହି କବିତାଟି ମୋତେ ବେଶ୍ ଆନନ୍ଦ ଦିଏ। ସେହି କବିତାଟିରୁ ପଙ୍ଙ୍କ୍ତିଟିଏ-

“ଚାରା ଗଛଟିଏ ବାଡ଼ି ବଗିଚାରେ

ରୋପିଲି ନେଇ ଯତନେ

ପବନର ସାଥେ ହୋଇ ଏକ ମେଳ

ଥାଏ ହରଷିତ ମନେ।।

ସେହିପରି ମୋ ଜୀବନର ପ୍ରଥମ ପ୍ରବନ୍ଧ” ସମ୍ପର୍କର୍ ଇସ୍ତାହାର “ଯେଉଁଥିରେ ସମ୍ପର୍କକୁ ନେଇ ଅନେକ ଆଲୋଚନା। ସାବିତ୍ରୀ ମୋର ପ୍ରଥମ ଗଳ୍ପ, ଯାହା ନିରାଶ୍ରୟା ନାରୀ ଚରିତ୍ରକୁ ନେଇ ବେଶ୍ ଗତିଶୀଳ ଓ ଜୀବନର ଦୁଃଖ ବଖାଣେ।

ଏବେ ମୋ ପାଖରେ ଅନେକ କୃତି। ସହସ୍ର କବିତା, ଗଳ୍ପ, ପ୍ରବନ୍ଧ ମୁଁ ରଚନା କରି ପାରିଛି। ଇଂଲିଶରେ capsule course of English Grammer ପ୍ରକାଶ ପାଇଛି। ବେଳେ ଇଂରାଜୀରେ ରିସର୍ଚ ୱର୍କଟିଏ ମଧ୍ୟ ଲେଖି ବସେ। ତନ୍ମଧ୍ୟରୁ “The society, polity and  culture  of Odisha through ages” ଅନ୍ୟତମ । ଗାଁରୁ ଫେରିଛି ଗାଁ ହଜିଛି” ଗଳ୍ପ ସଂକଳନ ଓ ‘ଆତ୍ମା ଯେଉଁଠି କଥା କହେ’ କବିତା ସଙ୍କଳନ – ପ୍ରକାଶିତ। ଆହୁରି ଅନେକ ମୋର ସୃଷ୍ଟି ଓ କୃତି – ଯାହା ଏବେ ବି ପ୍ରକାଶନ ଅପେକ୍ଷାରେ। ପାଠକୀୟ ସ୍ଵୀକୃତି ଓ ପ୍ରକାଶକଙ୍କ ଆଗ୍ରହ ପ୍ରକାଶ ପାଇଲେ – ଆଗାମୀ ଦିନରେ ନିଶ୍ଚୟ ପ୍ରକାଶ ପାଇବ। ଏବେ “ବସନ୍ତ ବାହୁଡା “ପତ୍ରିକାର ସମ୍ପାଦନା ଦାୟିତ୍ୱ – ମୋ ଉପରେ ନ୍ୟସ୍ତ। ‘ଅମୃତାୟନ’ ଠାରୁ ଆରମ୍ଭ କରି ଅନେକ ପତ୍ର ପତ୍ରିକାରେ ମୋ ଲେଖା ପ୍ରକାଶିତ। ଚାକିରୀ ଜୀବନର କାର୍ଯ୍ୟବ୍ୟସ୍ତତା, ସାମାଜିକ କାର୍ଯ୍ୟକ୍ରମ ତଥା ବ୍ୟକ୍ତି ଜୀବନର ମୋହ ମାୟା ଗ୍ରସ୍ତ ସାଂସାରିକ ଜଞ୍ଜାଳ ହେତୁ, ସାହିତ୍ୟରେ କେବେ କେବେ ସିନା ଶୀଥିଳତା  ଦେଖାଦିଏ, ହେଲେ ସମ୍ପୂଣ୍ଣ ବନ୍ଦ ହୋଇଯାଇନି। କାରଣ ସାହିତ୍ୟ ମୋର ରକ୍ତ ମଜ୍ଜାଗତ ହୋଇ ଯାଇଛି ।social media ର ଆବିର୍ଭାବ ଫଳରେ. ଏବେ ସାହିତ୍ୟରେ ବ୍ୟାପକ ପ୍ରଚାର ଓ ପ୍ରସାର । ଏ ଦିଗରେ social media ଓ face book ବନ୍ଧୁ ମାନଙ୍କର ପ୍ରେରଣା, ମତ ଓ ମନ୍ତବ୍ୟ ଯଥେଷ୍ଠ ସହାୟକ ହୋଇପାରିଛି!। ପ୍ରତିଦିନ ଗୋଟିଏ ପୋଷ୍ଟ କରିବା ଓ ମତ ସଂଗ୍ରହ କରିବା ମୋ ପାଇଁ ଏକ ବଡ଼ ଆହ୍ଵାନ।
ମୋ ଜୀବନର ଅନ୍ୟ ବିଭାବ:

ସାହିତ୍ୟ ସାଧନା, ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ଓ ସରକାରୀ ଚାକିରୀ ବ୍ୟତିରେକ ମଧ୍ୟ ମୋର ଆଉ ଗୋଟିଏ ଜୀବନ ଅଛି, ଯାହାକୁ ନେଇ ମୁଁ ବେଶ୍ ପ୍ରସନ୍ନ, କିଛିଟା ଆତ୍ମ ସନ୍ତୋଷ। ସେଇଟି ହେଉଛି ସାମାଜିକତା ଓ ସାମାଜିକ କର୍ତ୍ତବ୍ୟବୋଧ। ସାମାଜିକ ଅନୁଷ୍ଠାନ ପ୍ରତି ଅନୁରକ୍ତି। ସମାଜ ସେବା ମୋ ଜୀବନର ବ୍ରତ। ଦୁଃଖୀ ରଙ୍କି ଚରିତ୍ର ପ୍ରତି ସମ୍ବେଦନଶୀଳ ହେବା ମୋର ଆଭିମୁଖ୍ୟ। ପାରୁ ପର୍ଯ୍ୟନ୍ତ ଯଥା ଶକ୍ତି, କାହାକୁ ଟିକିଏ ସାହାଯ୍ଯ ବା ସହଯୋଗ  ଯୋଗାଇଦେଲେ, ଆତ୍ମ ତୃପ୍ତିରେ ଭରି ଉଠେ ହୃଦୟ। ସେଥିପାଇଁ 19 90 ରୁ 1996 ମସିହା( ଚାକିରୀ ପାଇବା ଯାଏଁ) ପର୍ଯ୍ୟନ୍ତ ଗୋପବନ୍ଧୁ ସେବା ସଦନ ଗଢ଼ି ସେଇ ସେବାନୁଷ୍ଠାନ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶିରେ ଅନେକ କାର୍ଯ୍ୟକ୍ରମ ଓ ପ୍ରୋଜେକ୍ଟମାନ କରିପାରିଥିଲି। ପରେ ବେଶ୍ କିଛି ବର୍ଷ ମୋ ପତ୍ନୀ ଓ ପିତାଙ୍କ ସହଯୋଗ ଓ ମୋର ପରୋକ୍ଷ ତତ୍ତ୍ୱାବଧାନରେ ମଧ୍ୟ କିଛିଟା କାର୍ଯ୍ୟକ୍ରମ ହାତକୁ ନେଇ ସୂଚାରୁ ପରିଚାଳନା କରିଥିଲି। ହେଲେ ଚାକିରୀ ପ୍ରତିବନ୍ଧକ ସାଜିବାରୁ ଏବେ ସେ ସବୁ ଠପ୍। ତଥାପି ସମାଜ ସେବା ଲକ୍ଷ୍ୟ ସମ୍ପୂର୍ଣ୍ଣ ସେ ନିରୁଦ୍ଦିଷ୍ଟ ହୋଇଯାଇ ନାହିଁ। ଯାହା ମୋ ସାହିତ୍ୟ ଭିତରେ ଆତ୍ମ ପ୍ରକାଶ କରେ ଓ ସାହିତ୍ୟର ଅନ୍ତଃ ସ୍ଵରକୁ ଲୋକାଭିମୁଖୀ କରି ଗଢି ତୋଳେ।

ମୋ ଭିତରେ କିଛିଟା ସାଙ୍ଗଠନିକ ଦକ୍ଷତା ଓ ନେତୃତ୍ୱ ନେବାର କଳା ବୋଧହୁଏ ପରିସ୍ପୁଟ, ଯେଉଥି ପାଇଁକି କଲେଜ ଓ ବିଶ୍ଵ ବିଦ୍ୟାଳୟ ୟୁନିଅନ ଠାରୁ ଚାକିରୀ ଜୀବନରେ  ରାଜ୍ୟ ସ୍ତରୀୟ ୟୁନିଅନ ହେଉ ସବୁଥିରେ ମୁଁ କର୍ମକର୍ତ୍ତା ଥାଏ। ତେବେ ରାଜନୀତି ପ୍ରତି ଅନାଗ୍ରହ କାରଣରୁ ମୁଁ ନେତା ହୋଇ ପାରିଲିନି। ହେଲେ ବକ୍ତୃତା ଦେବାର କଳାଟା ମୋ ଠେଇଁ ଟିକିଏ ଅଛି। ମୁଁ କୁଆଡ଼େ ଭଲ ବକ୍ତା। ଉପସ୍ଥାପନା ଶୈଳୀ ଟିକେ ନିଆରା। କବିତା ଆବୃତ୍ତି କଥା ଛାଡ଼ନ୍ତୁ, ଗପଟିଏ ପଢ଼ି ବସିଲେ ଶ୍ରୋତା କୁହନ୍ତି – “କବିତାଟି ସୁନ୍ଦର ହୋଇଛି”। ମୋ youtube channel, website facebook ଓ social media ରେ vedeo ବନେଇ ଗଳ୍ପ ଛାଡିଥିବା କ୍ଷେତ୍ରରେ ମଧ୍ୟ ବାରବାର ଦେଖାଯାଇଛି। ବୋଧହୁଏ କବ୍ୟିକ ଭାବାବେଗ ଓ ପଠନରେ ନୀରବଛିନ୍ନ କ୍ରମିକ ଧାରା ଅବଲମ୍ବନ ଯୋଗୁଁ ହେଉ କି ଉଚ୍ଚାରଣରେ ଦୃଢ଼ତା ଓ ସ୍ପଷ୍ଟତା ବା କଥନ ଭଙ୍ଗୀରେ ପରିସ୍ଫୁଟନତା ସହ ଆତ୍ମିକ ଭାବର ଫେଣ୍ଟାଫେଣ୍ଟି ଅଭିବ୍ୟକ୍ତି ପାଇଁ ତାହା ଶ୍ରୋତା ଠାରେ ଭ୍ରମ ସୃଷ୍ଟି କରୁ ଥାଇ ପାରେ। ତେବେ ଯାହା ହେଉ ଅନେକ ସଭା ସମିତିରେ ମୁଁ ଅତିଥୀ। ବକ୍ତବ୍ୟ ରଖିବା ମୋ ପାଇଁ ଏକ ଆହ୍ଵାନ।

ମୋ ସୃଷ୍ଟି ସମ୍ଭାରର ଉଦ୍ଦେଶ୍ଯ :

ଯେଉଁମାନେ ସମାଜରେ କର୍ମାକ୍ଷମ, ଦିନ ସାରା ବୁଲି ବୁଲି ବାର ଦୁଆରେ ହାତ ପତାନ୍ତି, ଖାଇବାକୁ ମୁଠେ ନପାଇ ମାଟି ମା ‘ପେଟରେ ସଢି ଯାଆନ୍ତି, ଭୋକ ଉପବାସରେ ଡହଳ ବିକଳ ଆଉଟି ପାଉଟି ହୁଅନ୍ତି, ପିନ୍ଧିବାକୁ ଖଣ୍ଡେ ନପାଇ ଶ୍ମସାନର ଚିରା ଲୁଗା ଖୋଜି ବୁଲନ୍ତି, ରହିବାକୁ ଛପର ଖଣ୍ଡେ ନପାଇ ବାର ପିଣ୍ଡା ଉଣ୍ଡି ମୁଣ୍ଡ ଗୁଞନ୍ତି, ଦୁଃଖ ତାପରେ ଝଳି ହୋଇ ଆଖିରୁ ଅହରହ ଲୁହ ଝରାନ୍ତି – ସେହି ମାନଙ୍କ ଉଦ୍ଦେଶ୍ୟରେ।

ମୋ ଗଳ୍ପର ଭାବ ସତ୍ତା:

ଏଇମିତି ସମାଜରେ ଅହରହ ଆତଯାତ ହେଉଥିବା ଚରିତ୍ରଟିଏ ବା ପ୍ରତ୍ୟେହ ଘଟୁଥିବା ଘଟଣା ଅବା କାହାଣୀଟିଏ ମୋତେ ଖୁବ୍ ବ୍ୟଥିତ କରିଥାଏ, ଯାହାକୁ ରୂପ ଦେବା ପାଇଁ ମୁଁ ଖୁବ୍ ବ୍ୟସ୍ତ ହୋଇଉଠେ । ସଙ୍ଗେ ସଙ୍ଗେ ଟିପା ଖାତା ଖୋଲି ସାଇତି ରଖେ। ସେ ସବୁ ମୋ କାହାଣୀର ଉପାଦାନ ହୋଇଯାଏ । ପ୍ରଥମେ ଭାବନା ଗୁଡିକ କେମିତି ସବୁ ଇତଃସ୍ତତଃ ହୋଇ ମୁଣ୍ଡରେ ବସା ବାନ୍ଧେ। କାହାରି ସହ କାହାରି କିଛି ତାଳମେଳ ନଥାଏ। ଯେମିତି ଇଚ୍ଛା ସେମିତି ମନକୁ ଆସିଯାଏ। ନା ଘଟଣାର ତାଳମେଳ ନା କୌଣସି କ୍ରମ। କିନ୍ତୁ ସଜାଡି ବସିଲେ କାହାଣୀଟିଏ ହୋଇଯାଏ।  ପାଠକ ନିକଟରେ ପହଁଞ୍ଚେଇବା ପାଇଁ ମନ ବ୍ୟଗ୍ର ହୁଏ। ତହୁଁ ଉତ୍ତାରେ ଛାପି ଦିଏ ବା social media ରେ ପୋଷ୍ଟ କରିଦିଏ। ପାଠକ ତା’ର ମୂଲ ବୁଝୁ ବା ନ ବୁଝୁ, ମୁଁ କିନ୍ତୁ ଖୁସି ହୁଏ। କେହି ଟିକିଏ ଉତ୍ସାହିତ କଲେ ଆହୁରି ଲେଖି ବସେ। ଏଇମିତି ବୋଧେ ଲେଖୁଥିବି ଯେ ପର୍ଯ୍ୟନ୍ତ ଲେଖନୀ ମୋ ନଥକିଛି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ପଞ୍ଚାବନଟି ଗଳ୍ପ୍ ଲେଖା ସରିଲାଣି। ଆହୁରି ଅନେକ ବାଟ ବାକି। ମୋର ପ୍ରତ୍ୟେକ ଗଳ୍ପ ପରସ୍ପର ଠାରୁ ଏତେ ଭିନ୍ନ୍ ଯେ ସ୍ୱକୀୟ ସ୍ଵତନ୍ତ୍ରତା ଜାହିର୍ କରିବାକୁ ବାଧ୍ୟ। ଏଥିରେ ସାମାଜିକ ପରିବର୍ତ୍ତନର ସ୍ଵର ଟିକିଏ ଭାସ୍ଵର। ମଣିଷର ସାମାଜିକ ବିଧି ବ୍ୟବସ୍ଥା, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଆଜି ଭୁଶୁଡ଼ି ପଡ଼ୁଥିବା ବେଳେ, ଏତେବେଳେ ମଣିଷ ପଥହରା ଅଶାନ୍ତ ଗ୍ରହ ଭଳି ଘୂରି ବୁଲୁଛି। ବ୍ୟକ୍ତି ସଂଘାତ ଓ ସଂଘର୍ଷରେ ପାରିବାରିକ ଜୀବନ ଆଜି ଅସ୍ତବ୍ୟସ୍ତ। ଶାନ୍ତି ପରାହତ। ଅଶାନ୍ତି ଘରେ ଘରେ। ମନ ତା’ର ବିଷର୍ଣ୍ଣ, ଦେହ ମୁଣ୍ଡରେ ବିସର୍ପର ଜ୍ଵଳନ। ଏତେବେଳେ ନିଜେ ନିଜର ସନ୍ତୁଳନ ହରାଇ ସେ ତୀବ୍ର ମାନସିକ ଉତ୍ପୀଡ଼ନର ଶୀକାର ହେଉଛି। ତା’ର ନାନା ଅସଙ୍ଗତି ଭାବ ପରିଲକ୍ଷିତ ହେଉଛି। ସମସ୍ୟା ଘେରରେ ଧନ୍ଦି ଧୁନ୍ଦି ହୋଇ ତ୍ରାହି ତ୍ରାହି ଡାକ ଛାଡ଼ୁଛି । ତା’ର ଅନ୍ତରାତ୍ମା କାନ୍ଦି ଉଠୁଛି ।ସେ ବିଳାପ କରିବାକୁ ଲାଗୁଛି । ଏହିଭଳି ସମସ୍ୟାବଳୀ ଓ ଚରିତ୍ରକୁ ନେଇ କାହାଣୀ ଗୁଡିକର ସ୍ରୁଷ୍ଟି ପ୍ରକରଣ କରାଯାଇଛି, ଯାହା ପାଠକୀୟ ଆଦୃତି ଲାଭ କଲେ ବେଶ୍ ଶ୍ରମ ସାର୍ଥକ ହେବ।

ଗଳ୍ପ କୃତି ମଧ୍ୟରୁ ଅଳ୍ପ କେତୋଟିର ପରିଚୟ :

ସାବିତ୍ରୀର ପ୍ରତିଶୋଧ,ନୀଳିମା, କାଳିସୀ, ଜୁଳୁକା, ନୂତନ ପିଢିର ଉତ୍ତର ଦାୟିତ୍ଵ, କଏଦୀ ମୁହଁରୁ…, ଅନାଇଁ ମନାଇଁ, ସବୁତ ବାନୁଆ, ଚକ୍ରବତ୍, କୁନା ବାପା ତୁମେ କିଛି ଜାଣିନ, ପାଗଳ, ନିଶିକାନ୍ତ, ବଳି, ଆତ୍ମ ଗ୍ଲାନିର ଶିକାର, ବାଘ, ଗଡ଼ ଫାଦର୍, ଗାଁରୁ ଫେରିଛି ଗାଁ ହଜିଛି, ଶୀତଳ ତୁଣ୍ଡି,, ଆଲୋକର, ଅନ୍ତରାଳେ, ଭାଗ୍ୟ, କୃତି, ଆମ ସ୍ଵଂୟ ସହାୟିକା ଗୋଷ୍ଠୀ, ବିଜିତା ଆରୋହିଣୀ, ନୀଳ ଗଗନର ପଥିକ, ସରଗ ତଳେ, ଅସ୍ତାଚଳର ସୂର୍ଯ୍ୟ, ଶେଷ କେଇପଦ କଥା, ଦୁର୍ଘଟଣା, ନାସ୍ତି ବାଣୀ ମାଟି ମା ‘, ବୋଉଲୋ ମୁଁ କାଗଜ ଖାଉଛି,ଭୋଦେଇ ଖରା……. ଇତ୍ୟାଦି।

ମୋ କବିତାର ଅନ୍ତଃ ସ୍ଵର :

ମୋ କବିତାର ଅନ୍ତଃ ସ୍ଵର ପୀଡିତ ଜନର ବୁକୁ ଫଟା ଚିତ୍କାର। ସାମାଜିକ ଦୋଷ ଦୁର୍ବଳତାକୁ ପଦାରେ ପକେଇବା ମୋ କବିତାର ଲକ୍ଷ୍ୟ। ତହିଁରେ ସାମାଜିକ ପରିବର୍ତ୍ତନର ରୁଣୁ ଝୁଣୁ ରଣ ନିନାଦିତ। ସଂସ୍କାରଧର୍ମୀ, ମନନଶୀଳତା, ଦାର୍ଶନିକ ଭାବାପନ୍ନ, ଚିନ୍ତା ଓ ଚେତନା ସମ୍ଭୂତ କବିତା ରାଜି।

ଆବେଗିକ ଆତ୍ମାନୁଭୁତିର ସାରସ୍ଵତ କବ୍ୟିକ ରୂପାନ୍ତରଣ ହେଉଛି କବିତା। ଏଥିରେ ମୋର ସ୍ଵାନୁଭୂତି କବ୍ୟିକ ରୂପ ପରିଗ୍ରହଣ କରିଛି। ଆତ୍ମ କୈନ୍ଦ୍ରିକ ନହୋଇ ସାର୍ବଜନୀନ ଅନୁଭୂତି ସମ୍ପନ୍ନ ହୋଇ ପଡିବା ଏହାର ବିଲକ୍ଷଣ। କବିତା ଗୁଡିକ ସରଳ ଅଥଚ ମର୍ମସ୍ପର୍ଶୀ ଓ ହୃଦଗ୍ରାହୀ ହେବା ପାଇଁ ଶତତଃ ପ୍ରୟାସୀ। ମୃତ୍ୟ ଚେତନା, ଧର୍ମ ଅଧର୍ମ, ସତ୍ୟ ଅସତ୍ୟ, ସାମାଜିକ ବ୍ୟଥା ଯାତନା, ସଂସ୍କାରବାଦୀ ଚିନ୍ତାଧାରା ଓ ମନନଶୀଳତା, ଦାର୍ଶନିକ ଦୃଷ୍ଟିଭଙ୍ଗୀ ବିଭୂ ପ୍ରେମ ଆଦି ବିଭିନ୍ନ ପ୍ରସଙ୍ଗ ଏଥିରେ ଉପସ୍ଥାପିତ!।

ପ୍ରବନ୍ଧ ଓ ପ୍ରାବନ୍ଧିକ କୃତି ଓ ଆକୃତି :

ପ୍ରବନ୍ଧ ଏକ ଭିନ୍ନ ସୃଷ୍ଟି, ଯେଉଁଠି ପ୍ରାବନ୍ଧିକକୁ ବିଷୟ ବସ୍ତୁର ଚାରିପଟେ ଭ୍ରମଣ କରିବା ବ୍ୟତିରେକେ କାହାଣୀ ପରି ଯଥେଚ୍ଛାଚାରତା ବା ସ୍ୱଚ୍ଛନ୍ଦ ବିହାର ନଥାଏ। ପ୍ରବନ୍ଧ ଏକ ପ୍ରୟୋଗିକଶାଳା ଯେଉଁଠି ବିଚାର ବୁଦ୍ଧିର ପ୍ରଚଣ୍ଡ ପ୍ରୟୋଗ ହୋଇଥାଏ। ଆବେଗିକ ଭାବକୁ ନେଇ କବିତା ଓ କଥାବସ୍ତୁର ଗତିଶୀଳତାକୁ ନେଇ କାହାଣୀ ରଚିତ ହେଉଥିବା ବେଳେ ପ୍ରବନ୍ଧ ବାସ୍ତବଧର୍ମୀ ହୋଇଥାଏ। ଚିନ୍ତା ଚେତନା ପ୍ରସୂନ ଶାସ୍ତ୍ର ସମ୍ମତ, ଦାର୍ଶନିକ ଦୃଷ୍ଟିକୋଣ ଓ ଗଭୀର ବିଚାର ଶକ୍ତି ସମ୍ବଳିତ, ତର୍କ ଶାସ୍ତ୍ରକୁ ନେଇ ବେଶ୍ ତାତ୍ୱିକ ଓ ବୌଦ୍ଧିକ ଶକ୍ତି ସମ୍ପନ୍ନ ହୋଇଥାଏ। ଏହା ପ୍ରଚଣ୍ଡ ଅନୁଭବ ଓ ଅନୁଭୂତି ପ୍ରବଣ ହୋଇଥିବାରୁ ବୌଦ୍ଧିକ ସ୍ତରରେ ଖୁବ୍ ବିକାଶ ନଘଟିଲେ ପ୍ରବନ୍ଧ ରଚନା କରିବା ପ୍ରୟତଃ ଅସମ୍ଭବ ହୋଇପଡେ। ତଥାପି ମୋର ପ୍ରୟାସ କିଛି ପରିମାଣରେ ସାଫଲ୍ଯ। ବ୍ୟକ୍ତିଗତ ଜୀବନ ଦର୍ଶନ ଓ ସମାଜ ପ୍ରତି ମନରେ ଉଙ୍କି ଉଠୁଥିବା ଆଭିମୁଖ୍ୟ ଏଥିରେ ପରିସ୍ପୁଟ ବା ପ୍ରତିଫଳିତ। ଏହା କେତେବେଳେ ବ୍ୟକ୍ତିନିଷ୍ଠ ବା ବସ୍ତୁନିଷ୍ଠ ଓ ଭାବକୈନ୍ଦ୍ରିକ ହୋଇଥାଏ।

ମୋ କୃତ ପ୍ରବନ୍ଧ ମଧ୍ୟରୁ ସମ୍ପର୍କର ଇସ୍ତାହାର, ଅଶ୍ଳୀଳତା, ଦୁଃଖ ଓ ସୁଖ, ଆତ୍ମ ପ୍ରତ୍ୟୟ ନା ଆତ୍ମ ଶ୍ଲାଘା, ଲକ୍ଷ୍ୟ, ମୁଁ ଏକ ଖୋଜ୍, ସମସ୍ୟା ପ୍ରଭୃତି ଅନ୍ୟତମ।
ସବୁଠିଁ ଖାଲି ବନ୍ଧନ-ବନ୍ଧନରେ ନିଗୂଢ ଫାଶ – କାରାଗାରର ଭୟ-:
ସେଦିନ ଦିପହର ଉଦୁଉଦିଆ ଖରାବେଳ । ଅଗଣାରେ ଚୌକିଟାଏ ପକାଇ, ମୁଁ ବେଶ୍ ଏକୁଟିଆ ବସି ପଡ଼ିଥାନ୍ତି । ହଠାତ୍ କଳରବ କରି, ଦଳେ ପକ୍ଷୀ ଆକାଶରେ ଉଡ଼ିଗଲେ । ଆକାଶଟାକୁ ଚାହିଁ ଦେଇ, କ’ଣ ଏମିତି ଭାବି ପକାଇଲି କେଜାଣି;ହଠାତ୍ ଗମ୍ଭୀର ହୋଇ ଉଠିଲି । ମନଟା ଯେମିତି ଅଶାନ୍ତ ହୋଇଗଲା ।ମୋଟରୁ ବୋଲ ମାନିଲା ନାହିଁ।

କ୍ରମଶଃ ! ଦିବସ ପରେ ରଜନୀ ଆସିଲା । ଦିବସର ପ୍ରଚଣ୍ଡ ରୌଦ୍ର କ୍ଳିଷ୍ଟ କ୍ଲାନ୍ତି ପରେ , ତନ୍ଦ୍ରାର ଆଳସ୍ୟ; ମେଘମୁକ୍ତ ଆକାଶ; ଚନ୍ଦ୍ରସ୍ନାତା ରଜନୀ; ପୁଷ୍ପର ସୁବାସିତ ସୁଶୀତଳ ସମୀରଣ; ଆଖିରେ ପରଳ ପରଳ ନିଦର ଛାଇ । ଯିଏ ଯୁଆଡ଼େ ଯେମିତି ଶୋଇପଡ଼ିଲେଣି । ଏଥର ମୁଁ ମୋ ନିଜ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କଲି । ଝରକା ଖୋଲି ଦେଇ, ପଙ୍ଖାର ଗତିଟା ଟିକିଏ ବଢାଇ ଦେଲି । ଲାଇଟଟା ଲିଭାଇ ଦେଇ ବିଛଣାରେ ଲପଟି ଗଲି ।

ଦିବସର ଅଶାନ୍ତ ମନଟା ବୋଧହୁଏ ଏଯାଏଁ ପ୍ରଶମିତ ହୋଇନଥାଏ । ବିଛଣାରେ ପଡ଼ି ଖାଲି ଛଟପଟ ହେବାକୁ ଲାଗିଲି । ସ୍ଥିର ନିଶ୍ଚେତ ଆଦୌ ହୋଇପାରୁନଥାଏ । ତେଣୁ କେତେ ଭାବନା ଆସି ମୁଣ୍ଡ ଟେକୁଥାଏ ।ତହୁଁ ଅତୀତକୁ ଯୋଡ଼ି ବସୁଥାଏ। ଜୀବନ ଦୁର୍ବିସହ ହୋଇଉଠୁଥାଏ – “ମଣିଷ କାହିଁକି ବନ୍ଧନରେ ବାନ୍ଧିହୋଇ ଏମିତି ଛଟପଟ ହୁଏ । ସବୁଠି କାରାଗାରର ନିବୁଜ କୋଠାରୀ; ଯେଉଁଠି ଜୀବନର ସମସ୍ତ ସ୍ୱାଧୀନତା ବିଲୁପ୍ତ ପ୍ରାୟ । ଜୀବନର ସ୍ୱାଭାବିକ ବିକାଶରେ ବ୍ୟାହାତ ଘଟେ, ତା’ଠାରୁ ବରଂ ଭଲ ଆକାଶରେ ବିହଙ୍ଗଟିଏ । କି ସୁନ୍ଦର ତା’ର ଡ଼େଣା ଦୁଇଟି । ଯେଉଁଠିକି ଇଛା କରେ ସେଇଠିକି ସେ ଉଡ଼ିଯାଏ । ଖୁମ୍ପେ ଖାଇ, ପୁଣି ସେଠାରୁ ଉଡ଼ିଯାଏ । କିଏ ବା ତା’କୁ ଅଟକାଇ ରଖିପାରେ ? କିନ୍ତୁ ମଣିଷ ? ମଣିଷ କାହିଁକି ଏମିତି ବନ୍ଧନରେ ବାନ୍ଧି ହୋଇ ରହେ । ପରାଧୀନତାର ବେଡ଼ି ମାଡ଼ି ମାଡ଼ି ଯାଏ । ଜୀବନଟା ସ୍ୱର୍ଣ୍ଣ ପଞୁରୀରେ କଏଦୀ ସାଜେ । ପରାଧୀନ ରହି ସେ ଜୀବନ ଜୀଏଁ ।

ଏଥର ପୁଣି ସବୁ ଭୁଲି, ଶୋଇବାକୁ ପ୍ରଯନ୍ନ କଲି । କିନ୍ତୁ ଆଖି ସାମ୍ନାରେ ଭାସି ଉଠୁଥାଏ – କେତେ ଯେ ବର୍ଣ୍ଣିଳ ଛବି । ସ୍ୱପ୍ନରେ ମୁଁ ଖାଲି ବିଳ ବିଳି ହେଉଥାଏ। ଦେଖିଲି ……..

ହଠାତ୍ ସକାଳର ଶିଶୁଟିଏ ଧାଇଁ ଆସିଲା । ଆଇନାଟା ଟାଣି ଆଣି ତଳେ ପକାଇ ଭାଙ୍ଗିଦେଲା । ମା’ ନେଇ ଖଟରେ ଖଟେଇ ଦେଲା । ସେ ବିକଳରେ ରାହା ଛାଡ଼ି କାନ୍ଦି ଉଠିଲା । ମୁଁ ପିଲାଟାକୁ ଡ଼ାକିଲି- ‘ଏ ପିଲା ମୋ କୋଳକୁ ଆ’ । ସେ ଆସିଲା ନାହିଁ, ସେଇଠି ଶୋଇ ପଡ଼ିଲା । ଉଠିଲା ବେଳକୁ ଦିପହର ।

ମୋର ତୁହାଇ ତୁହାଇ ମନେ ପଡ଼ିଯାଉଥାଏ – ସେଦିନ ମା’ କହୁଥିଲା- “ମୁଁ ମା’ ପେଟରୁ ଭୂମିଷ୍ଠ ହୋଇ, ଯେତେବେଳେ ସୃଷ୍ଟିର ପହିଲୁ ସୂର୍ଯ୍ୟ କିରଣ ଦେଖିଲି; କେମିତି ଚିରାଡ଼ି ଛାଡ଼ି କାନ୍ଦି ଉଠୁଥିଲି; ଆଉ ମନେ ମନେ କହୁଥିଲି- “ମୋତେ କାହିଁକି ଜନମ ଦେଉଥିଲ?” ସତେକି ଭଗବାନ ଠାରେ ପ୍ରତିବାଦର ସ୍ୱର ହାଣି ରା ରା କାନ୍ଦୁଥିଲା, ଆଉ ପଚାରୁଥିଲା ମୋତେ କାହିଁକି ବନ୍ଧନରେ ନିଗୂଢ ଫାଶରେ ଅହରହ ଏମିତି ବାନ୍ଧୁଛ? ଦୁଃଖ-ସୁଖର ସଂସାର ପ୍ରତି ମୋର ଆସକ୍ତି ନାହିଁ । ମୁଁ ଗୋଟାଏ ସୁନ୍ଦର ଆତ୍ମା । ମୁକ୍ତ ରହିବାକୁ ଚାହେଁ, ଶରୀରର ଗମ୍ବୁଜ ଭିତରେ ମୁଁ ଅଣନିଶ୍ୱାସୀ ହୋଇଯିବି ପରା?

କ୍ରମଶଃ ଦିନ ପରେ ଦିନ ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା, ମୁଁ ବଢିବାକୁ ଲାଗିଲି । ଯେତେ ଯେତେ ମୋର ବୟଃ ବୃଦ୍ଧି ହେଉଥାଏ, ସମସ୍ତେ ଅଙ୍କୁଶର ଲଗାମଟାକୁ ଆଉ ଟିକିଏ ଜୋହର କରି ଭିଡ଼ି ଦେଉଥାନ୍ତି । ମୋର ଶିଶୁମନ ଚାହୁଥାଁଏ – “ସେ ସବୁ ଟାଣି ଆଣନ୍ତା କି ? ଘରସାରା ଜିନିଷ ଗଦେଇ ଖେଳନ୍ତା ।” ମା’ ପାଟି କରି ଉଠେ-” ଧର’ନା, ଭାଙ୍ଗିଯିବ ।” କାନ୍ଦିଲେ- “ଚୁପ୍ ପାଟି କରନା”- ଧମକାଏ । ବେଶି ନଟଖଟ କଲେ ହାତଗୋଡ଼ ବାନ୍ଧି ଝୁଲିଲେ ପକେଇ ଦିଏ । ଏଥର ମୁଁ ଆଉ ଟିକିଏ ବଡ଼ ହୋଇଗଲି । ଚାଲି ଶିଖିଲି । ସବୁ ପାରିଲି । ମନ ଜିଜ୍ଞାସୁ ହୋଇ ଉଠିଲା । ସବୁ ଜାଣିବାକୁ ଇଚ୍ଛା କଲି । ବାପା ମିଛ କହି ଠକି ଦେଲେ । ଆକାଶର ଚନ୍ଦ୍ରକୁ – “ଜହ୍ନ ମାମୁଁ”, ତାରାକୁ – ‘ତାରାରାଣୀ’ କହିଲେ । ମନ ଜମାରୁ ବୁଝିଲା ନାହିଁ’ ।

ଏଥର ମୁକ୍ତ ଭାବେ ଦରାଣ୍ଡି ଘରସାରା ଖେଳିବାକୁ ଇଚ୍ଛା ହେଲା । ପୁଣି କେତେବେଳେ ଦାଣ୍ଡରେ ଖେଳିବାକୁ ମନ ଚାହେଁ । ପରିବାରର ଲୋକ ସତର୍କ ହୋଇ ଯାଆନ୍ତି । ଜଗି ଯାଆନ୍ତି, ଆରମ୍ଭ ହୋଇଯାଏ “ଏଟା କରନା, ସେଟା କରନା, ଆମକୁ ନପଚାରି କୁଆଡ଼େ ଯାଅନା” । ସଦର ଫାଟକ ମୋ’ପାଇଁ ବନ୍ଦ ରହେ । ପୁଣି ଦାଣ୍ଡ ଦରଜା କେତେବେଳେ ପଡ଼ିଯାଏ । ଇଚ୍ଛା ହେଉଥାଏ- ଉଚ୍ଚତା ପାଇ ଯାଆନ୍ତା କି; ଖିଡ଼ିକୀଟା ଖୋଲି ଚାଲି ଯାଆନ୍ତି , ଦୁନିଆଟାକୁ ଭଲ ଭାବେ ଦେଖନ୍ତି । କିନ୍ତୁ ଏମିତି ହୁଏ ନାହିଁ । ମୋର ପିଲାମନ ବିଦ୍ରୋହ କରି ଉଠେ । ହେଲେ ପ୍ରତିବାଦ କରିପାରେ ନାହିଁ । ତେଣୁ ଶୈଶବେ ପିତା-ମାତା- ଗୁରୁଜନଙ୍କର କଠୋର ଅନୁଶାସନ ଭିତରେ ଜୀବନ ଅସହ୍ୟ ଯନ୍ତ୍ରଣାରେ ଭରିଯାଏ ।

ଏଥର ମୁଁ ପରିବାରର କାରାଗାର ଛାଡ଼ି ଗୁରୁକୁଳ ଆଶ୍ରମର କାରାଗାରକୁ ଚାଲିଗଲି । ସେଠି ମଧ୍ୟ ଗୁରୁଜୀ ଅଙ୍କୁଶର ଲଗାମ ଲଗାନ୍ତି । ଧରାବନ୍ଧା ଗୁଳାରେ ଚାଲିବାକୁ କହନ୍ତି । ବେତ ଦେଖାଇ ଶାସନ କରନ୍ତି । ଟିକିଏ ବିଗିଡ଼ି ଗଲେ ପଟାସ୍ କିନା ଗାଲରେ କଷି ଦିଅନ୍ତି । “ସେମିିତି ନୁହେଁ ଏମିତି ନୁହେଁ” କାହାଣୀ ଶୁଣାନ୍ତି । ମନେ ମନେ ଭାବେ – “ଏ ବୁଢା ମାଷ୍ଟ୍ରଟାକୁ କ’ଣ ସବୁ ନିୟମ କାନୁନ ଜଣା ନା? ତା’ହେଲେ ଇଏ କ’ଣ ବୃହସ୍ପତି ?” ସେଦିନ ସ୍ଲେଟଟା ଭାଙ୍ଗିଗଲା । ଗୁରୁଜୀ ଏକ ଗୋଡ଼ିଆ କରି ଛିଡ଼ା କରେଇ ଦେଲେ । ଘରକୁ ଫେରି ବହିପତର ଫିଙ୍ଗି ଦେଇ, ତରତରରେ କ’ଣ ଦି’ଟା ଖାଇ ଦେଇ; ସିଧା ଚାଲିଲି ବ୍ୟାଟ୍ ଧରି । ବାପା ଧନ୍ଦାରୁ ଫେରି ଗାଳି କଲେ, କହିଲେ – “ସିଧା ଯାଇ ପଢା ଟେବୁଲ ପାଖେ ବସ୍” । ହୋମୱାର୍କ ସାରି, ରେଡିଓରୁ ଗୀତ ଶୁଣିବାକୁ ଖୋଲିଲି । ମା କହିଲା – “ଖାଇ ପିଇ ଧିରିକି ଶୋ”, ସକାଳୁ ସ୍କୁଲ ଯିବୁ” । ଭୋର୍ ଭୋର୍ ସମୟର ନିଦଟା ଭାରି ମିଠା କି କ’ଣ ନିଦଟା ଖାଲି ଘୋଟି ଆସୁଥାଏ । ଅପା ବିଛଣାରୁ ଘୋସାରି ପକାଇଲା । କହିଲା – “ଝଅଟ ଉଠ୍, ସ୍କୁଲ ଟାଇମ୍ ହୋଇଗଲାଣି” । ଏମିତି ଧରାବନ୍ଧା ଗୁଳା ଭିତରେ ଜୀବନ ବେଶ୍ କିଛି ଦିନ ଧାଇଁଲା । ନୀତି ନିୟମର ଶୃଙ୍ଖଳ ଭିତରେ ଜୀବନ କେମିତି ଦୁର୍ବିସହ ହୋଇ ଉଠୁଥାଏ ।

ଏଥର ନିଦଟା ଭାଙ୍ଗି ଗଲା, କଡ଼ ଲେଉଟାଇ ମୁଁ ବୁଲି ପଡ଼ିଲା ବେଳକୁ, ଦେଖିଲି-ଆଖି ସାମ୍ନାରେ ଦିପହରର ଯୁବକଟିଏ; ପଥର ମୁଣ୍ଡିଆଟେ ପରି ବସିପଡ଼ିଛି । ଯେମିତି ତା’ଭିତରେ ଯୁଗ ଯୁଗର ବ୍ୟଥା- କିଏ ଭରି ଦେଇଛି। ପଚାରିଲି – “ଏ ଯୁବକ ଏଠି କାହିଁକି ବସିଛ? ତୁମର କ’ଣ ହୋଇଛି?? ଏଥର ଯୁବକ କହିଲା- “ମୁଁ ଆଉ ପାରୁ ନାହିଁ ଆଜ୍ଞା । ଥକ୍କା ହୋଇ ବିଶ୍ରାମ ନେଉଛି । ଯନ୍ତ୍ରଣା ଢେର ହେଲାଣି, ଜୀବନ ଅସହ୍ୟ ହୋଇ ଉଠିଲାଣି । ମୋ ଭିତରେ ଅନେକ ଦୁଃଖ । କାହାକୁ ମୁଁ କହିପାରୁ ନାହିଁ । ମୁଁ ଭରସା ଦେଇ କହିଲି-“ମୋତେ କୁହ ମୁଁ କାହାକୁ କହିବି ନାହିଁ” । ଏଥର ଯୁବକ କହିଲେ – “ହେଉ ତା’ ହେଲେ ଶୁଣନ୍ତୁ ….

“କ୍ରମେ ମୋର ବୟସ ବୃଦ୍ଧି ହେଲା ଉତ୍ତାରୁ, ଯୌବନ ମୁଣ୍ଡ ଟୁଙ୍ଗାରିଲା । ବନ୍ଧୁ ବାନ୍ଧବ ଭିଡ଼ି ଆସିଲେ । ସାଥୀଟିଏ ଖୋଜି ବେକରେ ରଶି ପକାଇ ଦେଲେ । ଏଥର ଜୀବନର ଅସଲି ମଜା ଆସିଗଲା । ସ୍ତ୍ରୀ’ର ତାଗିଦ୍ ଶୁଣି ଶୁଣି ମୁଁ ଏକଦମ୍ ତାଜୁବ୍ ହୋଇଗଲି । ଦିନକର କଥା – “ମୁଁ ଟିକିଏ କ’ଣ ରାଗି କରି କହିଦେଲି; ପତ୍ନୀର ତୋଡ଼ ଆଉ କିଏ ସମ୍ଭାଳେ? ସମସ୍ତେ ଖାଇପିଇ ଭାତ ପଖାଳି ଦେଲେ । ଡ଼ାକିଲେ ନାହିଁ; ଶୋଇ ପଡ଼ିଲେ । ମୁଁ ଭୋକରେ ଛଟପଟ ହୋଇ ରହିଲି” । ଯୌବନରେ ସଂସାର ଜଂଜାଳର ନିର୍ମମ ପ୍ରହାର ସହେ । କର୍ମମୟ ଜୀବନ ଭିତରେ ଜୀବନ ହଜେ, ପରାଧୀନତାର ବେଢି ମାଡ଼ି ମାଡ଼ି ଆସେ । କର୍ମ କ୍ଷେତ୍ରରେ କର୍ମାଧିପତି ଓ ପରିବାରରେ ପିଲା ଛୁଆଙ୍କର ଦାବି ବଢିବଢି ଯାଏ । ଅନ୍ୟର ଇସାରାରେ ମୁଁ ଧାଇଁବାକୁ ବାଧ୍ୟ ହୁଏ । ସେଦିନ ଅଫିସରର କଥା ଶୁଣିଲି ନାହିଁ; ସଙ୍ଗେ ସଙ୍ଗେ ଆକ୍ସନ।

“ଟିକିଏ ଫୁରୁଷତ ପାଇଲାରୁ ମୁଁ ସମାଜରେ ମିଶିଲି, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ଯୋଗଦେଲି । ସେଠି ମଧ୍ୟ କର୍ତ୍ତବ୍ୟର ଦ୍ୱାହିଦେଇ, ବଳଦିଆ ରଥ ଦଉଡ଼ିରେ, ଗୁଡ଼ାଇ ତୁଡ଼ାଇ ବାନ୍ଧି ଦେଲେ । ସେଥିରୁ ବିଚ୍ୟୁତ ହେଲେ ରକ୍ଷା ନାହିଁ। ସେଦିନ ସମାଜର ନୀତି ନିୟମ ଭାଙ୍ଗିବା ଦଣ୍ଡାଦେଶ ଶୁଣାଇ ପକାଇବେ । ଏଠି ଯେଣୁ ନିଜ ଇଚ୍ଛାରେ ମରିହୁଏ ନାହିଁ; ବଂଚିବା ବି ବଡ଼ କଷ୍ଟଦାୟକ । ହସିବା, କାନ୍ଦିବା ସବୁ ବନ୍ଦ । କୌଣସି କଥା ନ ପଚାରି କିଛି ହୁଏ ନାହିଁ; ଅନୁମତିଟା ଅତି ପ୍ରୟୋଜନ ।”
ନିଦରେ ସ୍ଵପ୍ନ ଦେଖୁ ଦେଖୁ ନିଜ ଭାବନା ଭିତରେ ମୁଁ ବୁଡ଼ି ଯାଇଥାଏ । ଦେଖିଲା ବେଳକୁ ଯୁବକ ସେଠୁ ଉଠି କୁଆଡ଼େ ଚାଲି ଯାଇଥାଏ । ଆଖି ବୁଜିବୁଜି ମୁଁ ଦରାଣ୍ଡି ହେଉଥାଏ । ହଠାତ୍ ଆଖି ଯାଇ ସଂନ୍ଧ୍ୟାର ଗୋଟାଏ ବୃଦ୍ଧଠିଁ ଲାଖିଗଲା । ନି ମନେ ପକାଉଥାନ୍ତି- “ୟା’ଙ୍କୁ ବୋଧେ କେଉଁଠି ଦେଖିଛି” । ବୃଦ୍ଧଙ୍କୁ ପଚାରିଲି – “ମୁଁ ତୁମକୁ ଆଗରୁ ବୋଧେ କେଉଁଠି ଦେଖିଛି”? “ଦେଖିଥିବେ ମୁଁ ଆଉ ଏବେ ସେଠି ରହୁନାହିଁ, ଛୁଆପିଲା ତଡ଼ି ଦେଲେ ଯେ ନିର୍ବାସନ ଦଣ୍ଡ ଭୋଗୁଛି । ସେମାନେ ଏ ବୁଢାଟାର ଭାରବହନ କରିବାକୁ ଅସମର୍ଥ ହେବାରୁ ମନ୍ଦିରରେ ରହୁଛି । ଫୁଲ ତୋଳି ହାର ଗୁନ୍ଥେ । ପୂଜା ସାମଗ୍ରୀ ସଜାଡ଼ି ଡ଼ାଲାରେ ରଖେ । ଚନ୍ଦନ ଘୋରିକି ମୂର୍ତ୍ତିରେ ଲଗାଏ, ମନ୍ଦିରକୁ ଯିଏ ଆସେ ପାଦୁକା ଚଖାଏ । ଭୋଗ ବାଣ୍ଟେ । ମନ୍ଦିରରୁ ଖାଇ ପିଇ ପେଟେ କୁଟୀରକୁ ଫେରେ, ରାତିଟା ଉପରକୁ ଚାହିଁ ଚାହିଁ କଟିଯାଏ । ପୁଣି ସକାଳ ହେଲେ ସେଇଠିକି ଚାଲିଯାଏ । ଲୋକ କହନ୍ତି “ଠାକୁବାପା”, ତାହାରି ଭିତରେ ମୁଁ ହଜି ଯାଏ । ଏଥର ଚମ ଧୁଡ଼ୁ ଧୁଡ଼ୁ ହେଲାଣି, ମୁଖ ମଣ୍ଡଳରୁ କାନ୍ତି ତ କେବେ ଠାରୁ ଉଭାନ୍ ଥର ଥର ହୋଇ ବାଡ଼ି ଧରି ବାଟ ଚାଲେ । ଆଉ କୌଣସି କାମକୁ ପାରୁନାହିଁ । ହଠାତ୍ ମନ୍ଦିର ମହନ୍ତ ଡ଼ାକି କହିଲେ- “କିଛି କାମକୁ ତୁମେ ପାରୁ ନାହଁ। ଆଗରେ ବସି ଭିକ୍ଷା ମାଗି , ଆମକୁ ଦିଅ; ଖାଇବାକୁ ଗଣ୍ଡେ ମିଳିବ । ନୋହିଲେ ଏଠୁ ଚାଳିଯାଅ ।” ସଂଧ୍ୟା ହେଲାଣି ଏଇଠି ବସି ପଡ଼ିଛି । ‘କଣ କରିବି’ – ଭାବୁଛି । ନିଶିକାନ୍ତ ବାକୁ ପଚାରିଲେ – ‘କଣ ଭାବିଲେ?

– “ହଁ”

– “କଣ ?”

– “ମୋର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳୀ ଗଢିବି । ଟ୍ରଷ୍ଟ ଗଢିବି, କେତେ ବୃଦ୍ଧ ବୃଦ୍ଧା ଆଶ୍ରୟ ନେଇ, ଶାନ୍ତିରେ ନିଶ୍ୱାସ ନେବେ ।”ମୁଁ ବି ତା’ଭାବନା ଭିତରେ ଅବଗାହନ କରୁଥାଏ…..

ହଠାତ୍ ସାଙ୍ଗ ସାଥିମାନେ ମର୍ଣ୍ଣିଂଙ୍ଗ ୱାକରେ ଯିବା ପାଇଁ କବାଟ ବାଡ଼େଇଲେ । ଧଡ଼ ପଡ଼ ହୋଇ ମୁଁ ବିଛଣାରୁ ଉଠି ପଡ଼ିଲି । ଆଖି ମଳି ମଳି ନିଦରୁ ଉଠିଲି । କିନ୍ତୁ ଏତେବେଳକୁ ସେମାନେ ଅପେକ୍ଷା ନକରି ସମସ୍ତେ ଚାଲିଯାଇଥା’ନ୍ତି ।

ଜୀବନଟା ଏଇମିତି ଧାଏଁ। ଆମେ ବି ସମସ୍ତେ ଧାଆଁନ୍ତି ସୀମାହୀନ ଅସୀମ ଯାତ୍ରା ପଥେ। ଅସୀମ ଅନନ୍ତ ସେ ଯାତ୍ରା।

ଲକ୍ଷ୍ଯ

        ଜୀବନର  ନିର୍ଦ୍ଧିଷ୍ଟ ଲକ୍ଷ୍ଯ ଖୋଜି ପାଉନଥିବା, ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା, ବନ୍ଧନରେ ବାନ୍ଧି ହୋଇ ଛଟପଟ ହେଉଥିବା, ମୁଁ ଏକ ଭିନ୍ନ ଅଥଚ ସେଇ ଏକ ବ୍ୟକ୍ତି ।ମୋତେ ଏଠି ଖୋଜିଲେ ମୁଁ ନିରୁଦ୍ଦିଷ୍ଟ ।ମୁଁ ଏକ ଅଭିନ୍ନ ମାନବ ସତ୍ତା ଅଥଚ ଭିନ୍ନ ଏକ ବ୍ୟକ୍ତିତ୍ଵ । ମୁଁ ଏଠି ମୁଁ ନୂହେଁ, ମୋର ବୋଲି କେହି ନାହିଁ ।ସମସ୍ତେ ଅଜଣା ଅଶୁଣା, ସବୁକିଛି ମୋ ପାଇଁ ଅପହଁଞ୍ଚ, ଅଗମ୍ଯ, ଦୁର୍ଗମ ।ତଥାପି ପିପାସା ମଣ୍ଟେନା, କାମନାର ପରିସମାପ୍ତି ଘଟେନା, ମୋ ଖୋଜିବାରେ ଅନ୍ତ ହୁଏନା। କ’ଣ ଯେ କେଉଁଠାରେ ଖୋଜୁଛି, କିନ୍ତୁ ଖୋଜିବାଟା ଖୋଜିବାରେ ଯାଉଛି। ହରେଇବାଟା  ସାର ହେଉଛି। ହେଲେ ଖୋଜିବାରେ କାହିଁ ସେ ଆତ୍ମତୃପ୍ତି କାହିଁ ବା ପରିସମାପ୍ତି_ଆସେନା। ଯନ୍ତ୍ରଣାରେ ଜର୍ଜରିତ ଅନ୍ତରାତ୍ମା, ବିଳପିତ ନେତ୍ର ଯୁଗଳ, ଶାନ୍ତିର ସ୍ତୁପ ଭିତରେ ଅଶାନ୍ତିର ଝଡ଼।ସାମୁଦ୍ରିକ ତୋଫାନ, ଶାନ୍ତିର ନିଦ୍ରା ଭାଜିଲେ ଘୋଟିଯାଏ ସର୍ବରୀରେ ଅଶାନ୍ତିର ଝଡ଼। ଚତୁର୍ଦ୍ଦିଗେ ଅନ୍ଧକାର, ହା ହୁତାଶନ।ପଛକୁ  ଫେରିବାର ବାଟ ନାହିଁ, କି ଆଗକୁ ଆଗେଇବାର ଶକ୍ତି ନାହିଁ। ସେଦିନର ଗିରି ଲଂଘିବାର ଦୁଃସାହସ, ଏକା ଲମ୍ଫକେ ସମୁଦ୍ର ଅତିକ୍ରମ କରି ଯିବାର  ହନୁମାନୀ ଶକ୍ତି, ଆଉ ଯେତକ ପାରିବାର ପଣ-ମୋଠୁଁ ଏବେ କେବେଠୁଁ ଉଭାନ। ତଥାପି ଏତେମତେ ଦାରୁଣ୍ଯ, କାରୁଣ୍ୟ ମୋ ମନୁ ପାରିନି ସେ ଲିଭାଇ, ମୋ ଜୀବନର ଘଟଣ ଅଘଟଣ, ସଞ୍ଚିତ ଯହିଁ ମୋ ଜୀବନର ସକଳ ଅନୁଭବ ଓ ଅନୁଭୁତିର ଲମ୍ବା ଲମ୍ବା ପୃଷ୍ଠା ନିଚୟ, ଯାହାକି ରୁଦ୍ଧିମନ୍ତ ଓ ରୁଚିବନ୍ତ କରି ଗଢି ତୋଳିପାରେ   କାହା ଜୀବନ ପୁସ୍ତିକାର କଳେବର।

ମଣିଷ ଏକ ଅଜବ ପ୍ରାଣୀ। ସେହି ଏକ ପଶୁ ଅଥଚ ଭିନ୍ନ ଏକ ଜୀବନ ।ବଞ୍ଚିବାର ଓ ଜୀବନଧାରଣ କରିବାର ଶୈଳୀ ଟିକେ ଅଲଗା। ସିଏ ବି ପ୍ରକୃତର ନିୟମରେ ଜୀବନର ବିଭିନ୍ନ୍ ସୋପାନ ଦେଇ ଗତି କରେ। ଶୈଶବ, ବାଲ୍ଯ, କୈଶୋର, ପୌଗଣ୍ଡ, ଯୌବନ, ପ୍ରୌଢ, ବାର୍ଦ୍ଧକ୍ୟ ଓ ଜରା ଅତିକ୍ରମ କରି ଶେଷରେ ମୃତ୍ୟୁର ନିକଟବର୍ତ୍ତୀ ହୁଏ।ଅନ୍ୟ ପ୍ରାଣୀ ପରି ତା’ର ବି ଅଛି ପାଞ୍ଚ ମନ ପଚିଶି ପ୍ରକୃତି, ସିଏ ବି ଅନ୍ୟ ଭଳି ହିଂସା, ଦ୍ଵେଷ ଆନନ୍ଦ, ଦୁଃଖ  ପ୍ରକାଶ କରେ। କେବଳ  ସେ ପ୍ରକାଶ କରିବାର ଭିନ୍ନ୍ ଶୈଳୀଟା  ଯା’ ଅବଲମ୍ବନ କରେ। ଭାବ ବହନ କ୍ଷମ ଶବ୍ଦରାଜିକୁ ସଜାଇ କେତେବେଳେ  ସେ ଜୀବନ ସୌଧର ଏକ ନୂତନ କୋଣାର୍କ ବା ତାଜ ନିର୍ମାଣ କରେ, ଯାହିଁର କଳାତ୍ମକ ପରିପ୍ରକାଶ ହୁଏତ ଭାବୋଦ୍ଦୀପକ,ଦର୍ଶନଶାସ୍ତ୍ର ସମ୍ଭୂତ, ମନନଶୀଳ ଓ ଚିନ୍ତା ଚେତନା ପ୍ରସୂନ ହୋଇପାରେ । ମଣିଷ କୌଣସି ଗୁଣରେ ନ୍ୟୁନ ବା ଗୌଣ ହୋଇପାରେନା। ନ୍ୟୁନ ଯା ମଣିଷ ପଣିଆ। ମୁଁ କି ସେହୁ ସେଇ ଭାତ ହାଣ୍ଡିର ଗୋଟେ ଚାଉଳ ବା ମଣିଷସମାଜଟା ମୋ ପରି ମଣିଷ ମାନଙ୍କର ଗୋଟେ ବିଶାଳ ସମୁଦାୟ ? ମଣିଷ କୂଳରେ ମୋର ଜନ୍ମ। ମଣିଷକୁ ବୁଝି ନହେଲେ କୁଆଡ଼େ ଜୀବନକୁ ବୁଝି ହୁଏନା। ମୁଁ ତ ଗୋଟେ ଉଦଭ୍ରାନ୍ତ ମଣିଷ।ପଥହରା ଅଶାନ୍ତ ଗ୍ରହ। ମନ ମୋ ବିଷାଦିତ। କ୍ଲାନ୍ତ, ଅବସନ୍ନ ଯେ ଶରୀର। ବିଷର୍ଣ୍ଣ ମୁଖମଣ୍ଡଳ। ନିଷ୍ପ୍ରଭ ଭାବଭଙ୍ଗୀ। କେମିତି ବୁଝାଇବି ଜୀବନର ଏଡ଼େ ବଡ଼ ବେଦ, ନିଜକୁ ତ  ପାରୁନି ମୁଁ ବୁଝି। ମୁଁ କିନ୍ତୁ ମୋ ଜୀବନର ସମସ୍ତ ପୃଷ୍ଠା ତୁମ ଆଗେ ଉନ୍ମୋଚନ କରିବାକୁ ଚାହେଁ।ଆୟୁଧ କରେ ଭାଷା ସାହିତ୍ୟକୁ, ଗଢି ବସେ କବିତାର କୋଣାର୍କ ବା ତାଜ।

କ୍ରମଶଃ ଦିନ ପରେ ଦିନ  ବିତି ଚାଲେ। ଜୀବନର ଲକ୍ଷ୍ୟ ମୁଁ ଖୋଜି ବୁଲେ । ମନରେ ସ୍ୱତଃ ପ୍ରଶ୍ନ ଉଠେ _ଜୀବନ ମରଣ ଯଦି ସତ୍ୟ ତେବେ ମଣିଷ କାହିଁକି ବୃଥା ପରିଶ୍ରମ କରିବ, କାହିଁକି ଅର୍ଥୋପାର୍ଜନ କରିବ, ପାଠ ପଢିବ, ଏତେ ସବୁ କଷ୍ଟ ସହିବ, ଜୀବନ ଯନ୍ତ୍ରଣା ନେଇ ବଞ୍ଚିରହିବ, କାହିଁକି ଭଲା ଏତେ ନାଟ, ଏତେ ଆୟୋଜନ,  ତା ଭିତରେ ପୁଣି ନିଜକୁ ଅହରହ ହଜାଇ ଏମିତି  ଖୋଜିବ,  ପୁଣି କେତେବେଳେ ଖାଲି ନିଖୋଜ ହେଉଥିବ। ସେହି” କାହିଁକି”ଟା ଏମିତି ଗୁଡେଇ ତୁଡ଼େଇ ମୋ ଜୀବନ ପରିବୃତ ଭିତରେ ଘୂରି ବୁଲିବାକୁ ଲାଗିଲା ଯେ, ମୁଁ ଏକଦମ୍ ଅଣନିଶ୍ଵାସୀ ହୋଇପଡ଼ିଲି, ଲକ୍ଷ୍ଯ ମୋର ହଜିବାକୁ ଲାଗିଲା। ମନ ସଦା ସର୍ବଦା ଅଶାନ୍ତ। ମୁଖ ମଣ୍ଡଳ ଗମ୍ଭୀର । ଏହି ଅସମାହିତ ପ୍ରଶ୍ନର ହେତୁ ନିର୍ଦ୍ଧାରଣ ମୋ ପକ୍ଷେ ସତେ ଅବା ଅସମ୍ଭବ। କ୍ରମଶଃ ଆଧ୍ୟାତ୍ମିକ ଚିନ୍ତା ଚେତନାର ଦ୍ୟୋତନା ପରିଲକ୍ଷିତ ହେଲା। ଇଶ୍ୱରଙ୍କ ଠାରେ ସମର୍ପଣ ଭାବ ଆସିଲା ମନେ ମନେ ପ୍ରାର୍ଥନା କଲି, ହେ ଅଦୃଷ୍ଟ ଶକ୍ତି, ପ୍ରେରଣାର ଉତ୍ସ, ଏ ଘନ ଘୋର ଅନ୍ଧକାରେ ମୋତେ ଆଲୋକ ଦେଖାଅ, ହେ ଆଲୋକ ବର୍ତ୍ତିକା! ମୁଁ ଆଉ ଆଗକୁ ପାରୁନି ଚାଲି, କଷ୍ଟ ହେଲାଣି ଅସୁମାରି। ମୋର ଲକ୍ଷ୍ୟ ଏଣିକି ନିର୍ଦ୍ଧିଷ୍ଟ ହେଉ। ହଠାତ୍  ଏକ ଦିବ୍ୟ ଆନନ୍ଦ ଯେପରି ଅନୁଭବ ହେଲା  , ମନ କ୍ରମଶଃ ହାଲୁକା ଲାଗିଲା। ସତେ ଯେମିତି କେହି ନିର୍ଦ୍ଦେଶ ଦେବା ଠାଣିରେ କହୁଛି _”ଅଧ୍ୟୟନ ଓ ଅଧିତବ୍ଯ  ବିଷୟକ ଅଭିଜ୍ଞତା ଓ ଅନୁଭୂତି ଅର୍ଜ୍ଜନ ତୁମ ଜୀବନର ଶ୍ରେୟ ଆଉ ଧେୟ ହେଉ। ଏଥୁ ଅନ୍ତେ ତୁମକୁ ମିଳିଯାଇପାରେ, ତୁମ କାହିଁକିର ସବୁତକ ଉତ୍ତର। “ତହିଁ  ଉତ୍ତାରେ  ମୋତେ ବା ମିଳିଗଲା ମୋର ଲକ୍ଷ୍ଯ?  ମୁଁ ପାଠ ପଢିଲି। ସମାଜର ଅନ୍ୟ ମଣିଷ ପରି ମୋ ଜୀବନର ଲକ୍ଷ୍ଯ ମଧ୍ଯ ସାମାଜିକ ବିଧି ବ୍ୟବସ୍ଥା ଦେଇ ଆଗକୁ ଆଗକୁ ବଢି ଚାଲିଲା। ପାଠ ପଢିଲା ପରେ ଓ ଜୀବନର ବେଶ୍ କିଛି ବାଟ ଆଗେଇ ସାରିବା ପରେ ପୁଣି ମୋର ପାଗଳାମି ଆରମ୍ଭ ହୋଇଗଲା। ମୁଁ ମୋର ଲକ୍ଷ୍ୟ ଖୋଜିବା ବ୍ୟାପାର ପୁନଶ୍ଚ ଆରମ୍ଭ କରିଦେଲି। ମୋ ଜୀବନର ଅନେକ ଆଶା, ଅନେକ ଆକାଙ୍କ୍ଷା, କିଛି ବ୍ୟଗ୍ରତା ଆଉ ଯେତକ ଉତ୍କଣ୍ଠା। ଏତେବେଳେ ମୁଁ ମୋ ଜୀବନର ଲକ୍ଷ୍ୟ ଖୋଜି ବା ପାଅନ୍ତି କିପରି? ପୁଣି ସବୁ ଭୁଲ, ସବୁ ମିଛ, ମିଥ୍ୟା ପ୍ରତିଶୃତି ଆଉ ପ୍ରତାରଣା। ମୋର ସମସ୍ତ ପରିକଳ୍ପନା ଉଦ୍ଭଟ, ପରବର୍ତ୍ତୀ ଲକ୍ଷ୍ଯ କ’ଣ ହେବା ଦରକାର ମୁଁ ଠିକ୍ କରିପାରୁ ନଥାଏ। ଠିକ୍ସେ ଚିହ୍ନଟ(spot out) କରିପାରୁ ନଥାଏ। ସତେ କି ମୋ ମସ୍ତିଷ୍କ (mind) ପୂରାପୂରି ଫାଙ୍କା (vaccum)। ମୁଁ କିଛି ଜାଣି ପାରୁ ନଥାଏ, କି ବୁଝି ପାରୁ ନଥାଏ, ସ୍ଥିର ବି କରି ପାରୁ ନଥାଏ, ମୋ ଭିତରେ ସେଇ ପୁରୁଣା ଆର୍ତ୍ତ ହେ ଭଗବାନ ମୋତେ ତୁମେ ପଥ ଦେଖାଅ! ମୋର ଲକ୍ଷ୍ଯ ମୋତେ କହି ଦିଅ!! ଆଗକୁ ଯିବାକୁ ଇଙ୍ଗିତ କର!!! କାହିଁ କିଛି ଇଙ୍ଗିତ ତ ମିଳୁନାହିଁ। ତେବେ କି ସେ  ସବୁ ନିଷ୍ଫଳ ପ୍ରୟାସ, ବୃଥା ଅପଚେଷ୍ଟା? କ’ଣ ଏ ସଂସାରରେ. ଖାଲି ଦୁଃଖଦ ଅନୁଭବ ମୋର ପୁଞ୍ଜି? ଏତେ ବର୍ଷର ତପସ୍ୟା ପରେ ବି ଆଉ କିଛି ସାଉଁଟି ପାରିଲିନି ଯେ ଏହି ମୋର ତପସ୍ୟାରେ ସିଦ୍ଧି, ନିଷ୍ଫଳ କର୍ମଯୋଗ? ହେ ତୁମେ(ପାଠକେ) ! ତୁମକୁ ମୁଁ କିଛି ପରାମର୍ଶ ଅବା ପରାଭବ ଦେବାକୁ ଚାହୁଁ ନାହିଁ। ତେବେ ମୋ ଜୀବନର ଲକ୍ଷ୍ୟ ଖୋଜି ମୁଁ ପାଉ ନଥିବା ବେଳେ, ମୁଁ ବୁଝିଛି, ମଣିଷ କାହିଁକି ଜୀବନରେ ଏମିତି କ୍ଷଣ କ୍ଷଣକେ ଅଟକେ ଆଉ ଭଟକେ ।ତେଣୁ ସେହି ତାଙ୍କୁ (Him) ପ୍ରାର୍ଥନା କରୁଛି ସେ ତୁମ ଜୀବନର ଲକ୍ଷ୍ଯ ନିର୍ଦ୍ଧିଷ୍ଟ କରନ୍ତୁ। ତୁମେ ଆହୁରି ଚଟୂଳ ଅନୁଭୂତି ଆଉ ଅନୁଭବରେ ପରିପୁଷ୍ଟ ହୁଅ।ଜୀବନ ତୁମର ନିରର୍ଥକ ନହୋଇ ସାର୍ଥକତାରେ ଭରି ଉଠୁ। ଏ ବିଶାଳ ମାନବ ଜୀବନକୁ ସକୁଶଳେ ଜୀଇବାର କଳା ତୁମକୁ ତୁମଠିଁ ମିଳୁ । ମାନବରେ ବୃହତ୍ତର ଉଦ୍ଦେଶ୍ୟଟି  ହେଉ ଚରିତ୍ରାର୍ଥ। ତହିଁରେ ତୁମେ ସାଜ ଅଗ୍ରଦୂତ, ଅଗ୍ର ସାରଥୀ ।

ନିଶା ଓ ପେଶା :-

ମଣିଷ ଜୀବନରେ ଅନେକ ସଂଘାତ ଓ ସଂଘର୍ଷ। ମୋ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ। ମୋ ଗାଁ ପାଠ ପଢ଼ା ପର୍ଯ୍ୟନ୍ତ ମୁଁ ବେଶ୍ ଖୁସି ଥିଲି। ହସି ଖେଳି ଜୀବନ ବିତାଉଥିରି। ଜୀବନ କ’ଣ ବୁଝୁ ନଥିଲି ବା ବୁଝିବା ଦରକାର ନଥିଲା। ଏକ ନମ୍ବର ବାଳୁଙ୍ଗା। ଖରା ତରା ମାନେ ନାହିଁ। ଖେଳ କୁଦରେ ମାତିଥାଏ, ଚବିଶ ଘଣ୍ଟା ମୋତେ କିଛି କରିବାକୁ ଥାଏ। ନହେଲେ ମୁଁ ବୋର ହୋଇ ଯାଉଥାଏ। ତେଣୁ ଯେତେ ଖେଳ କୁଦ, ଗପ ଶୁଣିବା, ପିଲାଙ୍କ ସହିତ ବୁଲିବା, ଆମ୍ବ ଗଛକୁ ଖାପଡ଼ ମାରିବା,  ମୋଉଛୁକ କରିବା, ଲୁଚିକି ଖରାବେଳେ ନଈ ପହଁରିବା ଆଦି କାମରେ ମାତି ଯାଏଁ। କାରଣ ମୋତେ କିଛି କାମ ଦରକାର। ଓଃ! ଏଡ଼ୁଟେ ସେ ଚଗଲା ବାବୁଲା ମୁଁ କାହିଁ କୋଉଠି ଦେଖି ନାହିଁ। ଭାରି ନିଶାଡ଼ି ।ଯେଉଁଥିରେ ମାତିଥିବ, ସେଇଥିରେ ଲାଗିଥିବ।

ହେଲେ ପାଠ ପଢିବା ପାଇଁ ସହର ଗଲାଠୁଁ ଖେଳ ନିଶାଟା ସିନା କଟି ଗଲା, କିନ୍ତୁ ପାଠ ପଢା ନିଶାଟା ଭାରି ଝାଙ୍କିଲା। କ, ଣ କମତି ପଢିଛି,ପାଠ୍ଯ ପୁସ୍ତକ ବ୍ୟତୀତ ହିନ୍ଦୀ, ଇଂରାଜୀ ଓ ଓଡିଆ ମ୍ୟାଗାଜିନ୍ ଠାରୁ ଆରମ୍ଭ କରି ଶସ୍ତା ଉପନ୍ୟାସ ଓ ପୁଣି ନାମୀ ଦାମୀ ବଛା ବଚ୍ଛା ଲେଖକଙ୍କର କୃତି ଓ ମହା ପୁରୁଷଙ୍କ କାହାଣୀ। ଏସବୁ ଭିତରେ ମଧ୍ୟ ସେଇ ନିଶା, ନିଶାର ପ୍ରଭାବ। କାମ ଦରକାର କାମ, ନହେଲେ ବୋର ହୋଇ ଯିବା ଭୟ ? ପୁଣି ପାଠ ପଢା ସରିଲା – “କ’ଣ କରିବା”ର ଭୂତ। ସେ ଭୂତ କବଳରୁ ନିସ୍ତାର ନାହିଁ। ଗାଁରେ ପଶି ଆଧୁନିକ ପ୍ରଣାଳୀରେ ଚାଷରେ ମାତିଗଲି।ବାଡ଼ିରେ ସରକାରୀ ପ୍ରୋତ୍ସାହନରେ ବୋର ୱେଲ ଖୋଳିଲି। ଟ54000 ଙ୍କା   ଲୋନ୍ ଆଣି, ପୋଖରୀ ଖୋଳି, ମାଛ ଚାଷରେ ମାତିଗଲି। ପହଣା ଚାଷ ହେଲା। ସେଥିରୁ ବେଶ୍ ଦି ପଇସା ଲାଭ ହେଲା, କଦଳୀ ଚାଷ ହେଲା, ଆଡ଼ିରେ ଯେତେ ପ୍ରକାର ଫଳ ଅଛି ଲାଗିଲା, ଘର ପାଖରେ ଫୁଲ ଲାଗିଲା, ଅପନ୍ତରା ଓ ଅବ୍ୟବହୃତ ଜମିରେ ୱେଷ୍ଟଲ୍ୟାଣ୍ଡ ଡେଭେଲପମେଣ୍ଟ ଯୋଜନାରେ ବାଉଁଶ ଓ ଶାଗୁଆନ୍ ଗଚ୍ଛ ଲାଗିଲା, ଯାହା ଏବେ ବିରାଟ ଦ୍ରୁମ। ନିଜ ଅଣ୍ଟିରେ ଗାମୁଛା ଗୁଡ଼ାଇ ମୁଁ କାମରେ ମାତି ଯାଏଁ। ସହସ୍ର ଗଛ ମୁଁ ଲାଗି କରା କରିଛି, ହେଲେ ମୋ ହାତ ଗଛ ଲଗାଇବାରେ ଓ ଜତ୍ନ ନେବାରେ ନ ଲାଗିଲେ, ମନ ମୋ ବୁଝେ ନା।

ମଝିରେ ମଝିରେ ପାଠ ପଢୁଥାଏ, ଚାକିରୀ ମିଳି ଗଲା 1996 ଅଗଷ୍ଟ 6 ତାରିଖରେ। ଚାଷ ନିଶା ଛାଡ଼ିଗଲା। ଖାଲି ଧାଇଁଲି। ଏବେ ଚାକିରୀ ନିଶା। ବେଶ୍ କର୍ମ ତତ୍ପର ଚାକିରିଆଙ୍କ ଜୀବନ ଶୈଳୀ। ଏହାପରେ ନାଇଁ ନାଇଁ ହେଉଥିଲି ପରିବାର ଲୋକେ ବେକରେ ଗୋଟେ ଛନ୍ଦି ଦେଲେ। ବିବାହ ସମ୍ପନ୍ନ ହୋଇଗଲା। ଏବେ ଗୋଟିଏ ଯୋଡ଼ିଏ ପିଲା ଛୁଆର ଜନକ। ସନ୍ତାନ ସୁଖରେ ମାତିଗଲି। ଜୀବନରେ ଟିକିଏ ଶୀଥିଳତା ଆସିଗଲା, ଅନ୍ୟ ନିଶା ସବୁ କମି ଗଲା। ସମସ୍ତଙ୍କ ପରି ମୁଁ ବି ସଂସାର ନିଶାରେ ବେଶ୍ ମଜଗୁଲ । ପୁଣି ଚେତନାଟା ଚିହିଁଙ୍କି ଉଠିଲା, ଭାବିଲି ବଡ଼ ଚାକିରୀଟେ କରିବି। ବେଶ୍ ପଢ଼ିଲି। ସଭିଲ ସର୍ଭିସ୍ ପାଇଁ ଲାଗିଲି। ହେଲା ନାହିଁ। ଏଥର ହାତରେ ନୂଆ କିଛି କାମ ନାହିଁ। ମୋତେ ତ କିନ୍ତୁ କାମ ଦରକାର, ନ ହେଲେ ବୋର ହୋଇ ଯିବି ନାହିଁ? ଲେଖା ଲେଖିରେ ମାତିଗଲି। ଏକା ବେଲକେ ଦି ତିନିଟା ବହି ଛାପି ଦେଲି(2009-10)। ତା ‘ପରେ କାହିଁକି କେଜାଣି ହତୋତ୍ସାହିତ ହୋଇପଡ଼ିଲି। ସେପଟେ ଚାକିରୀ ସମସ୍ୟା, ଘରୋଇ ଜଞାଳ, ବିଭିନ୍ନ୍ ବିବାଦୀୟ ପରିସ୍ଥିତି ଓ ପିଲାମାନଙ୍କର ପାଠ ପଢାର ଗୁରୁଦାୟିତ୍ଵ ଯୋଗୁଁ କି କ’ ଣ। ପୁଣି ଏବେ ସୋସିଆଲ୍ ମିଡିଆ ନିଶାଟା ଘାରିଲାଠୁଁ ବେଶ୍ ତତ୍ପର ଥିଲା ପରି ମନେ ହେଉଛି। ତେଣୁ ପୁନଃରାୟ ଲେଖାଲେଖି ଯାହା। କିନ୍ତୁ ସେଇ ପୁଣି ନିଶା। ପ୍ରତ୍ୟେହ ଗୋଟେ ଯୋଡ଼େ ନ ଲେଖିଲେ ନିଦ ଆସେନା। ଘରେ ସ୍ତ୍ରୀ ପିଲା ଛୁଆ ସମସ୍ତେ  ବ୍ୟସ୍ତ ସମସ୍ତେ କେଟେକେଟେ, ଘରର କୋଉ କାମଟା, କାହିଁ ଆଉ  ହେଉନି ସିଧା । ମୁଁ କିନ୍ତୁ ମୋ କାମରେ ବ୍ୟସ୍ତ,। ସୁଯୋଗ ଉଣ୍ଡି, ଚୋର ଭଳି ସମସ୍ତେ ଶୋଇ ପଡ଼ିଲା ପରେ, ପଢ଼ା ଟେବୁଲ୍ ପାଖକୁ ଖସିଯାଏ। ବେଶ୍ କିଛି ଲେଖା ଲେଖି ହୋଇଯାଏ, ସକାଳୁ ଉଠି ଅଫିସ୍ କାମରେ ଚାଲିଯାଏ। ଜୀବନଟା ବେଶ୍ ଧାଏଁ।

ଏବେ ବ୍ୟକ୍ତିଗତ ସମସ୍ୟା ଅନେକ। ସେ ସବୁକୁ କହି ପକେଇବାକୁ ପାଟି ଖଲଖଲ ହେଉଛି। କିନ୍ତୁ କହି ପାରୁ ନାହିଁ। ଯଦିଚ ମୁଁ ସତ୍ୟବାଦୀ, ମୋ ପାଠକକୁ ମୋ ଜୀବନର କୌଣସି ରହସ୍ୟ ମୁଁ ଲୁଚେଇବାକୁ ଚାହେଁ ନାହିଁ, ତଥାପି ପରିସ୍ଥିତି ଏବର ଭିନ୍ନ୍, ଥାଉ ଆର ବେଳାକୁ। ସୁବିଧା ହେଲେ ଦୁଃଖ ସୁଖ ବାଣ୍ଟିବା।

ଅସଲ ନିଶା – :

ଛାଡ଼  ଏସବୁ କଥା, ଆମେ ଏପର୍ଯ୍ୟନ୍ତ ଅସଲ ନିଶାଟାକୁ ଆସି ନାହୁଁ, ଅସଲ ନିଶାଟା ହେଉଛି,” ଜୀବନକୁ ଖୋଜିବା”। ବୟସର ଅପରାହ୍ନରେ ମୋର ଏହି ନିଶାଟା ବୋଧହୁଏ ଖୋଜିବାରେ ଯାଇପାରେ । ମୁଁ କିନ୍ତୁ ଏକକାନ ।ନିଶାଟା ମୋହର ଜୋହର। ଯେଉଁଥିରେ ଲାଗିଥିବି ସେଇଥିରେ। ଦେଖାଯାଉ ଜୀବନର ଗତି କେଉଁଆଡ଼େ ଯାଉଛି। ପରିସ୍ଥିତିର ଆହ୍ଵାନରେ ଆମେ ସଦା କ୍ରିୟାଶୀ ଳ।

ମୋ ଜାଣିବାରେ ଭୁଲ କରୁଥିବା ଲୋକ ଖାଲି ଲୁଚେ। ସମସ୍ତଙ୍କ ପାଖରୁ ଦୂରତ୍ୱ ଅବଲମ୍ବନ କରେ। ମୋର ଅନେକ ଭୁଲ, ଅନେକ ଦୋଷ ତ୍ରୁଟି, ଯେତକ ସବୁ ବଦଗୁଣ – ଯାହା ଲୋକେ କହନ୍ତି। ମୋ ଜାଣିବାକୁ କାହିଁ ସେମିତି କିଛି ନାହିଁ, ମୁଁ ତେଣୁ ନିର୍ଭୀକ। ଟିକିଏ ଅପରିଣାମଦର୍ଶୀ। ପରିଣତି ପ୍ରତି ଖାତର ନଥାଏ। ଯାହା କୁହେ ମୁହେଁ କୁହେ, କିନ୍ତୁ ସତ କହେ। ସେଥିପାଇଁ ହୁଏତ ମୁଁ ବେଳେବେଳେ ପୀଡିତ। ବ୍ୟକ୍ତି ଜୀବନରେ କ’ଣ ପାଇଁ କି ଏମିତି ଭୁଲ କରିବ, ସମସ୍ତଙ୍କ ପାଖରୁ ଖାଲି ଲୁଚିବାକୁ ମନ କହିବ ?  ଯିଏ ଲୁଚୁଛି ଲୁଚୁ। ମୋର ଲୁଚିବାର ନାହିଁ। ଛୋଟ ବଡ଼ ଟିକିଏ ଅଧେ ଛାଡିଦେଲେ ସେମିତି କିଛି ବଡ଼ ଭୁଲ ମୋର କାହିଁ ମନେ ପଡ଼ୁ ନାହିଁ। ମୁଁ ତେଣୁ ସତ କହିବି। ନିଜକୁ ପ୍ରକାଶ୍ୟ କରିବି ତେଣିକି ଯାହା…. ।

ସତ କହିବି ବୋଲି କଣଟେ କହିବି ଯେ? ମୋ ଜୀବନଟା ଏମିତି କି ଇତିହାସ ନା କେଉଁ ବୈଭବଶାଳୀର ବୈଭବ ଯେ କାହାର କି କାମରେ ଆସିବ? ଖାଲି ଅଙ୍ଗେ ଲିଭେଇବାଟା ଯାହା – ସେଥିରୁ  କାହାକୁ ବା ହୁଏତ ଅନୁଭୂତିଟିଏ ଅଥବା ଅଭିଜ୍ଞତାଟିଏ, ମିଳିଲେ ମିଳିପାରେ। ସେୟା ହେଉ –

ନିର୍ଘାତ ନିର୍ଘୋଷ – :

 

ଦିନେ ମୁଁ ଅତି ଛୋଟ ହୋଇଥିଲି, ଯେତେବେଳେ ସ୍କୁଲ ଯିବା ଯିବା ହେଉଥିଲି। ଗପ ଶୁଣି ଶୁଣି ଭଗବାନଙ୍କୁ ଖୋଜିବାକୁ ଭାରି ଇଚ୍ଛା ହେଉଥାଏ । ବୋଉକୁ ପଚାରିଲି, ବୋଉ କହୁଥିଲା – “ଭଗବାନ ଗାଁ ମୁଣ୍ଡରେ ପଳାଶ ବଣରେ ଅଛନ୍ତି। ସମସ୍ତଙ୍କୁ ଦେଖା ଦିଅନ୍ତି ନାହିଁ, କେବଳ ଭଲ ମଣିଷ ଓ ସତ୍ୟନିଷ୍ଠ ମଣିଷକୁ ଦେଖା ଦିଅନ୍ତି। ପୁଣି ଏକୁଟିଆ, ଏକାନ୍ତରେ ବା ନିରୋଳାରେ” । ମୁଁ ତେଣୁ ରାତି ଅଧାରୁ ଉଠି ଚାଲି ଯାଉଥିଲି ଗାଁ ମୁଣ୍ଡ ବଣ ଭିତରକୁ। ଇଚ୍ଛା ହେଉଥିଲା – ଠାକୁରଙ୍କୁ ଭେଟିବ। ମନ ଡାକୁଥିଲା – ଭେଟ ହୁଅନ୍ତା କି। ପରିବାର ଲୋକ କିଛି ବୁଝି ପାରନ୍ତି ନାହିଁ-” ବାୟାଟା ଏମିତି କାହିଁକି ହେଉଛୁ, ରାତିରେ କେଉଁଆଡ଼େ ଯାଉଛୁ “- କହି ପଛେ ପଛେ ଧାଆଁନ୍ତି। କାନ୍ଦି କାଟି ପ୍ରତିବାଦ କରେ, ହେଲେ କାହାକୁ କହେ ନାହିଁ, କିଛି ସୁବିଧା ନଦେଖି ଫେରି ଆସେ। ଦିଅଁ ଖୋଜା ଅଧା ରହିଯାଏ। ଆଉ ଫୁରୁସତ୍ ପାଇନି ଖୋଜିବାକୁ। ସେଇ କାମ, କାମର ପ୍ରଭାବ, ପାଠ ପଢାର ବୋଝ।

ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଏମ୍. ଏ. ପରୀକ୍ଷା ପରେ ଛୁଟି ଓ ଟିକେ ଅବସର ମିଳୁ ଥିବାରୁ – ପୁଣି ଠାକୁର ଖୋଜା ବେପାର। କାହିଁ କିଛି ଲାଭ ନାହିଁ। ସାଧୁ ସନ୍ଥଙ୍କୁ ପଚାରେ – ସେମିତି କେହି କିଛି ସନ୍ତୋଷଜନକ ଉତ୍ତର ଦେଇ ପାରନ୍ତି ନାହିଁ। ଦିନେ ଭାବିବାକୁ ଲାଗିଲି, “ଯଦି ଠାକୁର ଅଛିନ୍ତି, ତେବେ ନିଶ୍ଚୟ ଆତ୍ମା ଅଛି’ ଭୂତ ପ୍ରେତ ଅଛନ୍ତି” । ତେଣୁ ଗୋଟେ କେହି ମିଳିଗଲେ, ମୁଁ ସ୍ଥିର ନିଶ୍ଚୟ ହୋଇଯା’ନ୍ତି, ଅନ୍ୟର ସ୍ଥିତି ଗ୍ରହଣ କରିନିଅନ୍ତି। ତେଣୁ ମନରେ କୌତୁହଳ ଜାଗିଲା। ଦିନେ ନିଶାର୍ଦ୍ଧରେ ଶୁଖୁଆ ନେଇ (କାଳେ ଆଇଁଷ ବାସନରେ ଭୂତ ଆସନ୍ତି ବୋଲି) ଶ୍ମଶାନ ଗଲି, ଗୋଟେ ସମାଧୀ ଉପରେ ବସି ପଡ଼ିଲି – ବେଶ୍ କିଛି ସମୟ ଅତିବାହିତ ହୋଇଗଲା। କାହିଁ କିଛି ମିଳିଲା ନାହିଁ। ନିରାଶ ହୋଇ ଫେରି ଆସିଲି। ଦିଅଁ ଖୋଜା ବେପାର ସେଇଟି ରହିଗଲା, ସେ ବେପାର ଛାଡ଼ିଦେଲି , ଆଉ ଏପର୍ଯ୍ୟନ୍ତ ବିଶେଷ ଖୋଜି ନାହିଁ।

ହେଲେ ମନ ଭିତରେ ବାରମ୍ବାର ସେଇ ଏକ ପ୍ରଶ୍ନ-” ସତରେ କ’ଣ  ଦେବତା ଅଛନ୍ତି”? ମୁଁ ଏତେ ପରୀକ୍ଷା ନିରୀକ୍ଷା ପରେ ଅସ୍ୱୀକାର କରି ଦେଇ ପାରନ୍ତି, କିନ୍ତୁ ପାରୁନାହିଁ। କାହିଁକିନା ବାସ୍ତବ ଜୀବନରେ ଦେଖୁଛି, ମଣିଷ ଯେତେ ପାରିବାରପଣ ଜାହିର୍ କରୁ ନା କାହିଁକି-ସେ ବେଳେବେଳେ ଆଣ୍ଠେଇ ପଡ଼ୁଛି। ସବୁ କିଛି ତା’ ହାତ ମୁଠାରେ ନାହିଁ। ଚାହିଁଲେ ବି ସେ ସବୁ କିଛି ଆୟତ୍ତ କରି ପାରେନା, ଖାଲି ଆୟତ୍ତ କରିବାର ମିଛ ନାଟକ କରୁଛି। ଆଜିର ସଭ୍ଯ ଶିକ୍ଷିତ ନବ୍ଯ ସମାଜ ବେଶ୍ଭି ଡରକୂଳା, ଭିତରେ ଡରୁଥାଉ ପଛେ , ଉପରେ “ଠାକୁର ନାହାଁନ୍ତି “ବୋଲି କହି ବେଶ୍ ଫୁଟାଣି ମାରି କଥା କୁହେ। କାରଣ ସେ ଭାବୁଚି ଠାକୁର ଅଛନ୍ତି ବୋଲି କହିଦେଲେ – ଆର ଦଳକ ତାକୁ ଅପାଠୁଆ କହି ତଡ଼ି ଗୋଡ଼ାଇବେ। ପୁଣି ଠାକୁର ନାହାଁନ୍ତି ବୋଲି କହିଦେଲେ – ସେ ଅଧିକ ବିଜ୍ଞାନୀ ଓ ପଣ୍ଡିତ ବୋଲି ଲୋକେ ତାଙ୍କୁ କାଳେ ମଣିବେ। ତେଣୁ ସେ ଗର୍ବର ସହ କୁହେ-” I’m practical, no God is there”. ମୁଁ କିଛି ଉତ୍ତର ନରଖି ସବୁ ବୁଝେ, ସବୁ ଶୁଣେ । ହେଲେ ଏଗୁଡାକ ମୋତେ ସବୁ ବାଚାଳାମୀ ଲାଗେ। ଭାବେ – ଠାକୁରଙ୍କୁ ତ କେହି ଦେଖି ନାହିଁ, ଆଉ କେହି ଦେଖିବାର ଦାବୀ କରୁଥିଲେ ହେଁ ସେ ପରେ ଭଣ୍ଡ ସିଦ୍ଧ ହୋଇଛି । ଆଉ ଯିଏ ମୋଟେ ଦାବୀ କରି ନାହିଁ ଆମେ ତାକୁ କେବେ ପଚାରି ବୁଝି ନାହିଁ। ‘ଏହି ଥିବା ନଥିବା’ – ବଡ଼   ଦ୍ଵନ୍ଦାତ୍ମକ ବସ୍ତୁ। ତେବେ ମୋ ଭିତରେ ସ୍ୱତଃ ପ୍ରଶ୍ନ ଉଠେ – ଠାକୁର ଥିବା ନଥିବା ସବୁ ଠିକ୍। ଭିନ୍ନ୍ ଭିନ୍ନ୍ ଦୃଷ୍ଟିକୋଣରୁ ବିଚାର କଲେ – ସବୁ ଠିକ୍, ସବୁ ପୁଣି ଭୁଲ ପ୍ରତୀୟମାନ ହୁଏ। ତେବେ ଆଧୁନିକ ମଣିଷ ଯେତେ ସହଜ ଭାବରେ, ଏହାର ଉତ୍ତର ରଖେ – ସେଇଟା ମୁଁ ଆଦୌ ବୁଝି ପାରେ ନାହିଁ, ମୋତେ ଆଶ୍ଚର୍ଯ୍ୟ ଲାଗେ । ଟିକେ ବେଶୀ ଉତ୍ସୁକତା ହୋଇ ଏ ସମ୍ବନ୍ଧରେ ପଚାରିଲେ – ସେ ଆହୁରି ଜ୍ଞାନୀ ପଣ୍ଡିତ ବୋଲି ନିଜକୁ ମନେ କରି, ଖାଲି ଭାଷଣ ଝାଡେ। ନିଜେ ପଣ୍ଡିତରେ ଗଣା ହେବ ବୋଲି, ସେ ଅନ୍ୟକୁ ସହଜରେ ଅଗ୍ରାହ୍ୟ କରେ। ସବୁ ମତକୁ ବିନା ଯୁକ୍ତିରେ ଖଣ୍ଡନ କରେ।

ଠିକ୍ ଅଛି ଯେ, “ଠାକୁର ନାହାଁନ୍ତି “। ହେଲେ ମୋତେ ଆଶ୍ଚର୍ଯ୍ୟ କରେ ଏ ବିରାଟ ବିଶ୍ଵ, ତହିଁରେ ଏ ପୃଥିବୀ, ତା’ର ପୁଣି ଜୀବ ଜଗତ ଓ ଏ ସ୍ରୁଷ୍ଟି ସମୂହ। ମୋଟାମୋଟି କହିବାକୁ ଗଲେ ଏସବୁ ସମ୍ଭବ ହେଲା କିପରି? ଯଦି ବା ମଣିଷ ଏଥିରୁ କିଛିଟା ସମ୍ଭବ କରି ପାରେ, ତେବେ ସେ ନିଜ ମୃତ୍ୟୁ ଓ କର୍ମକୁ ଆୟତ୍ତ କରି ପାରୁ ନାହିଁ କାହିଁକି? ତେଣୁ ନିଶ୍ଚୟ ଏହା ଭିତରେ କିଛି ନା କିଛି ରହସ୍ୟ ନିଶ୍ଚୟ ଅଛି – ଯାହା ଏବେବି ଅନାବିଷ୍କୃତ, ଅନାବରଣ। ଏହି ଚିନ୍ତାଟା ମୋ ମୁଣ୍ଡରୁ କାଲି ଛାଡ଼ି ନଥିଲା, ଆଜି ବି ଛାଡ଼ି ନାହିଁ, ଆଗକୁ ବି ମୋ ମୁଣ୍ଡରୁ ଯାଇ ନପାରେ। ହେଲେ ତୁମେ ତା ‘ ସିଦ୍ଧାନ୍ତଟା ପାଇଲେ -‘ ମୋତେ ଟିକିଏ ଦେବନା’? ମୋର କିନ୍ତୁ ଭାରି ଅନିଷା, ଭାରି ଗୋଟେ ଜିଜ୍ଞାସା। ଜାଣିବାର ଇଚ୍ଛା ପିଲାଦିନୁ ଜାଗିଛି ଯେ ଏପର୍ଯ୍ୟନ୍ତ ଥମୁ ନାହିଁ
ଜୀବନ ଏକ ସଂଘାତ ଓ ସଂଘର୍ଷ-:


ସବୁଠାରୁ ଅବୁଝା ବେଦ ହେଉଛି ଏ ଜୀବନ, ଯାହା ନାନା ସଂଘାତ ଓ ସଂଘର୍ଷରେ ପରିପୂର୍ଣ୍ଣ। ବେଶ୍ ସରଳ ତରଳ ଥିଲା ମୋ ଶିଶୁ ମନ ଓ ଶୈଶବର ଚପଳାମି।ସଦା ସର୍ବଦା ଖେଳ କୁଦରେ ମାତିଥାଏ। ସେହି ଥିଲା ମୋର ହର୍ଷ ବିଶାଦ ଭରା ଆନନ୍ଦିତ ମୁହୂର୍ତ୍ତ। ଗୋଟିଏ ଚିନ୍ତା ମୁଣ୍ଡରେ ମୁଁ କେଉଁ ଦିନ ମରଦ ହେବି। ମରଦ। ମୋର ବି ବପୁ ବିଶାଳ ହୁଅନ୍ତା। ନିଶ ଦାଢି ଉଠନ୍ତା ।ବଡ଼ ମଣିଷର ସାମର୍ଥ୍ୟ ମୋ ଭିତରେ ଆସନ୍ତା। ମୁଁ ବି ଭରସି କଥା ଜାହିର୍ କରି କହନ୍ତି। ମୋ କଥାକୁ ସମସ୍ତେ ଗୁରୁତ୍ଵ ଦିଅନ୍ତେ। କେହି ମନା କରି ପାରୁ ନଥାନ୍ତେ, ସମସ୍ତେ ମାନି ଯାଉଥାନ୍ତେ। ଭାରି ଭଲ ଲାଗୁଥାନ୍ତା, ଗର୍ବରେ ଛାତି ଫାଟି ପଡ଼ୁଥାନ୍ତା। ମୁଁ ମରଦ। ବଡ଼ ମଣିଷ। ମୋ କଥାର ଓଜନ ସମସ୍ତେ ମାପନ୍ତେ। ସମାଜରେ ମୋର ପ୍ରତିପତ୍ତି ଓ ମର୍ଯ୍ୟାଦା ବୃଦ୍ଧି ଘଟନ୍ତା।

ହେଲେ ମୁଁ ତ ଏବେ ଛୋଟ ପିଲା। ମୋ କଥା କେହି ଗ୍ରହଣ କରୁ ନାହାଁନ୍ତି। ଯାହା କହିଲେ ହେଟ୍ ହାଟ୍ କରି ସମସ୍ତେ ମୋତେ ଚାପି ଦିଅନ୍ତି। ମୋ କଥାର କିଛି ଗୁରୁତ୍ଵ ରହେ ନାହିଁ। ଯାହା କଲେ ଏଟା କରନା ସେଟା କରନା’ର ବାଣୀ। ଧୀର ଚାଲ, ଏମିତି ଚାଲ, ସେମିତି ଚାଲ, ରହ ପଡ଼ି ଯିବୁ, ଝୁଣ୍ଟି ପଡ଼ିବୁ, ଧରନା ଭାଙ୍ଗିଯିବ, ଚୁପ୍ କରି ବସ, ପାଠ ପଢ ।ଦୁଷ୍ଟ ହଅନା, ତଣ୍ଟିରେ ଲାଖିବ, ପାଣି ପିଇ, ଏବେ ଶୋଇ ପଡ଼, ସେବେ ଖେଳିବୁ ଏବେ ନୁହଁ, ଇତ୍ୟାଦି କେତେ କ’ଣ ଭାଷଣ, କେତେ ଉପଦେଶ ଓ ପରାମର୍ଶ। ମୋ ଶିଶୁ ମନ ବିଦ୍ରୋହ କରି ଉଠେ, ହେଲେ କିଛି କହି ପାରେ ନାହିଁ। ଖାଲି ଭାବେ କେଉଁଦିନ ବଡ଼ ହେବି, ଏମାନଙ୍କ ଠାରୁ ମୁଁ ମୁକ୍ତି ପାଇଯିବି। ଟିକିଏ ସ୍ଵତନ୍ତ୍ର ହୋଇ ଆଚରଣ ଓ ବିଚରଣ କରିବି। ଅଙ୍କୁଶର ଲଗାମ ଗୁଡ଼ାକ ସହି ହେଉ ନାହିଁ। ମୁଁ ଏକଦମ୍ ଅଣନିଶ୍ଵାସୀ ହୋଇ ଗଲାଣି।

ଦିନେ ସତ ହେଲା। ମୁଁ ବଡ଼ ହୋଇଗଲି। ଶୈଶବର ସରସତା ଓ ବାଲ୍ଯ ଚପଳାମି ଦେଇ ଏବେ କିଶୋରରେ ପଦାର୍ପଣ କରୁ କରୁ ଗ୍ରାମ୍ୟ ସାଥୀମାନଙ୍କ ସହ ଓ ପୌଗଣ୍ଡେ ସହପାଠୀ ସହପାଠିନୀଙ୍କ ସହ ଦେଖାଦେଲା ମୋ ଜୀବନରେ ସଂଘାତ। ଟିକିଏ କଥାରେ ମତାନୈକ୍ୟ ମତାନ୍ତର। ଖେଳ କୁଦକୁ ନେଇ ସଂଘର୍ଷ। ପୁଣି ପାଠ ପଢାକୁ ନେଇ ଇର୍ଷା, ଦ୍ଵନ୍ଦ ନାନା ଚୁଗୁଲାମି ।ପ୍ରତିଟି କଥାରେ ବଡ଼ ପଣ ଜାହିର୍ କରିବାର ତଥା ସର୍ବଜ୍ଞାତା ସାଜିବାର ସଂଘର୍ଷ। କେହି କାହା ଠାରୁ ନ୍ୟୁନ ନୁହଁ ବୋଲି ଯେମିତି ଗୋଟେ ପ୍ରତିଯୋଗୀତା, ପ୍ରତିଦ୍ୱନ୍ଦିତା ଲାଗିଥାଏ। ସୁନ୍ଦର ସେ କଳି ତକରାଳ ।

କ୍ରମଶଃ ମୁଁ ହେଲି ଯୁବକ। ମୋ ଭିତରେ ଦେଖାଦେଲା ଯୁବ ସୁଲଭ ଉଦ୍ଦାମତା। ସମସ୍ତ ପାରିବାର ପଣିଆ ମୋ ଭିତରେ ଏକୀଭୁତ, ରୁଣ୍ଡିଭୂତ। ଠୁଳ ।ମୋର ଏବେ ଗିରି ଲଂଘିବାର ଧୃଷ୍ଟତା। ଅନତିକ୍ରମଣୀୟ ସମୁଦ୍ର ଅତିକ୍ରମ କରିଯିବାର ଦୁଃସାହସ। ଏ ସମସ୍ତ ଦୁର୍ଦ୍ଦମନୀୟ ଶକ୍ତି ସାମର୍ଥ୍ୟ ନେଇ ଆଗକୁ ବଢିଲି। କୌଣସି କଥାକୁ ନା କହିଲି ନାହିଁ, ସବୁ ଖାଲି ହଁ। ସବୁ କରି ପକେଇବାର ତ ଟାଣପଣ। ଅନେକ ମୋର ସ୍ଵପ୍ନ, ସବୁ ସାକାର ହେବାର ସ୍ଵପ୍ନରେ କିଛିଟା ଉଲ୍ଲସିତ। ଗାନ୍ଧୀ ଗୋପବନ୍ଧୁ ହେବାର ପ୍ରୟାସ। କ୍ଲବ ଗଢିବା, ସାମାଜିକ ଅନୁଷ୍ଠାନକୁ କ୍ରିୟାଶୀଳ କରିବା, ସାମୂହିକ କାର୍ଯ୍ୟରେ ହାତ ଦେବା। ବିକାଶର ନାରା ଦେଇ ବିକାଶୋନ୍ମୁଖୀ ଚିନ୍ତାଧାରାରେ ଅବଗାହନ କରୁ କରୁ, ଦେଖାଦେଲା ସଂଘାତ। ତା’ପରେ ବିବାଦ, କଳି ତକରାଳ, ଗ୍ରାମ୍ୟ ଅନୁଷ୍ଠାନ ଭାଙ୍ଗି ଯାଉଥିବାର ଭୟ, ମାଡ଼ଗୋଳ, ବାଡ଼ି ଠେଙ୍ଗା, ପୁଲିସ କେସ୍, କୋର୍ଟ କଚେରୀ, ସବୁ ପରେ ସ୍ଵପ୍ନ ଭୁଶୁଡ଼ି ପଡ଼ିବାରୁ ମନ ବିଷର୍ଣ୍ଣ। ହତାଶାର କାଳିମା, ପୁଣି ସେଇ ହାର୍। ହାର୍ ଓ ପରାଜୟ। ପରାଭାବର ଗ୍ଲାନି।ବ୍ଯର୍ଥତାର ହୁତାଶନ। ବେଶ୍ ଅଥୟ କରି ପକାଉଥାଏ ପ୍ରତିଟି ଅଙ୍ଗର ଶିରା ପ୍ରଶିରାକୁ ।ଆଜି କାଲି ସଫଳତାର ହାର ଠାରୁ ବିଫଳତାର ଜୟଗାନ ଅଧିକା। ତେଣୁ ମୋ ବ୍ୟସ୍ତତାର କାରଣ ସ୍ୱାଭାବିକ,ସେଇ ଏକ ହେତୁର ନିର୍ଦ୍ଦେଶ।

ଏଥର ପୁଣି ପରିବାର, ପରିବାର ଆଡ଼କୁ ଦୃଷ୍ଟି ନିବଦ୍ଧ। ପାଠ। ପାଠ ପରେ ଚାକିରୀ ପାଇଁ ତୀବ୍ର ସଙ୍ଘର୍ଷ, ବେଶ୍ କିଛି ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ। ଚାକିରୀ ପରେ ପରିବାରର ଆକ୍ରମଣ, ଆତ୍ମୀୟଙ୍କ କଟାକ୍ଷ। ବିବାହ। ବିବାହ ବନ୍ଧନରେ ଆବଦ୍ଧ। ପୁଣି ସେହି ଫାଶ, ନିଗୂଢ ଫାଶରେ ବାନ୍ଧି ହେବାର ଯନ୍ତ୍ରଣା। ପୁଣି ଦେଖାଦେଲା ସଂଘାତ- ପତ୍ନୀର ଇଚ୍ଛା ବିରୁଦ୍ଧରେ ଲଢ଼ିବା ବା ତା’ର ସମସ୍ତ ଇଚ୍ଛା ପରିପୂର୍ଣ୍ଣ ନ କରି ପରିବାର ଅସମର୍ଥତା ଯୋଗୁଁ ହେଉ। ଜୀବନ ପାଲଟେ ସଂଘାତପୂର୍ଣ୍ଣ ଓ ଯନ୍ତ୍ରଣା ଜର୍ଜରିତ। ଆଉ କେତେବେଳେ ପୁଣି ପତ୍ନୀର ସ୍ୱାର୍ଥ ପାଇଁ ପରିବାର ଲୋକଙ୍କ ସହିତ ଲଢ଼ିବା – ହେଲେ ଲଢିବାଟା ଖାଲି ଲଢ଼ିବାରେ ଯାଏ କ’ଣଟେ ଯେ ସୁଫଳ ମିଳେ ମୁଁ ଜାଣେନା। ଜାଣିଲେ ବି ସେମିତି କିଛି କହିବାକୁ ମୋ ପାଖରେ ଏତେ ବେଶି କିଛି ନାହିଁ।

ଏଥକୁ ଉପାୟଶୂନ୍ୟ ହୋଇ ଭଗବାନଙ୍କୁ ଡାକେ। ମୁଁ ଜୀବନର ଗୋଟାଏ ପରେ ଗୋଟାଏ ପାହାଚ ଅତିକ୍ରମ କରିବାର ଠିକ୍ ସନ୍ଧିକ୍ଷଣରେ ଅନନ୍ୟୋପାୟ ହୋଇ ତ୍ରାହି ମାଂ ତ୍ରାହି ମାଂ ଡାକ ଛାଡ଼େ। ସେଥିରୁ ଟିକିଏ ବିରତି ନେଇ ନୂତନ ଆଶା ଓ ସମ୍ଭାବନାର ଜୀବନ ଜୀଇବାକୁ ମୁଁ ଆଗକୁ ବଢେ।କହିଲି – ଏଥର ଆଉ ସାଙ୍ଗ ସାଥି, ବାହାରବାଲା ଓ ନିଜ ପତ୍ନୀ ଠାରୁ ହାରି ପାରିବିନି। କହିଲେ – ତଥାସ୍ତୁ। ଜୀବନ ଧାଇଁଲା ଆଗକୁ। ହେଲେ କର୍ମ କ୍ଷେତ୍ରରେ ସଂଘାତ। ହାକିମଙ୍କ ହାକିମଗିରି, ସାଥି ସହକର୍ମୀଙ୍କ ପ୍ରତିଯୋଗୀତାମୟ ଭାବ ପୋଷଣ। ପ୍ରତିଟି କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ହାତେଇବାର କଳକୌଶଳ, ତହୁଁ କୋଣଠେସା ଦେଇ ଆଗକୁ ଯିବାର ପ୍ରତିଯୋଗୀତା।ଯେଣୁ ନେଣ ଦେଣ କାରବାରକୁ ଆମେ କୁଶଳୀ କାରିଗର ନୋହୁଁ, ତେଣୁ ଆମେ କିଛି ଲୋକ ପଛରେ ପଡୁ। ପ୍ରତିବାଦ କଲେ କେହି ଶୁଣନ୍ତି ନି।
ଦୁନିଆଟା ଭାରି ସୁବିଧାବାଦୀ, ତେଣୁ ନିସ୍ୱାର୍ଥପରଙ୍କର ଦୁର୍ଦ୍ଦଶା। ହତାଶା କେବଳ ପୁଞ୍ଜି। ଅଶ୍ରୁ ସାଥି। ମାନସିକ ଅଶାନ୍ତି ଓ ଅସନ୍ତୋଷରେ ହୃଦୟ ହୁଏ ଶିକ୍ତ।

ଏଥର ଏଥିରୁ ଚାହିଁବାରୁ ମୁକ୍ତି ଭଗବାନ କହିଲେ ତଥାସ୍ତୁ। ହେଲେ ଏକ ରକମର ପୁଣି ନୂଆ ସମସ୍ୟା, ନୂଆ ଯନ୍ତ୍ରଣା।ମୁଁ ଏବେ ପ୍ରୌଢ଼ରେ ପଦାର୍ପଣ କଲିଣି। ପରିବାର ଲୋକଙ୍କ ଭିତରେ ଦେଖାଦେଲାଣି ଲମ୍ବ ଲମ୍ବ ବ୍ୟବଚ୍ଛେଦ, ବ୍ୟବଧାନ ବଢିବାକୁ ଲାଗିଲାଣି। ମୋତେ ଆଉ ଆଗ ଭଳି କେହି ଏତେ ଭଲ ପାଉ ନାହାଁନ୍ତି। ମୁଁ ବି ଆଉ କାହାରି କାମରେ ସେତେ ଆସୁ ନାହିଁ। କିଛିଟା ଅଲୋଡ଼ା ଅଦରକାରୀ ମନେ ହେଲିଣି। ସମସ୍ତଙ୍କର ପିଲା ଝିଲା ବଢି ଗଲେଣି।ଚାକିରୀ ବାକିରି କରି କେତେକ ବି ଘର ସଂସାର ବସେଇ ସାରିଲେଣି। ସେମାନେ ଏବେ ବେଶ୍ କିଛି ଆତ୍ମ ନିର୍ଭରଶୀଳ। ଆମେ ଆଉ ଖୋଜା ପଡ଼ୁନା ବା ଆମ ପାଇଁ କାହା ପାଖରେ ସମୟ ନାହିଁ। ସାହାଯ୍ଯ ସହଯୋଗ କଥା ତ ଛାଡ, ହେଲେ କଥା କଥାକେ ତାନା ମାରିବାକୁ ସେମାନେ ଭୂଲନ୍ତି ନାହିଁ – ତାହା ସେମାନଙ୍କର ଅସ୍ଥି ମଜ୍ଜାଗତ ଅଭ୍ୟାସରେ ପରିଣତ ହୋଇ ଗଲାଣି। ପୈତୃକ ସମ୍ପତ୍ତିରୁ ଅଧିକ ଲାଭ ଉଠେଇବା ପାଇଁ ସମସ୍ତେ ବ୍ୟସ୍ତ। ଫାଇଦା ନେବା ଚକରରେ ନିତି ଏଠି ନାନା ଚକ୍ର ବ୍ୟୁହ ରଚନା ହୁଏ। ନିଜ ନିଜ ଭିତରେ ଦଳ ଗଢି ସାରିଲେଣି। ଜଣେ ଅନ୍ୟ ଜଣଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରତିଯୋଗୀତା।
ଅଶାନ୍ତି ଅସନ୍ତୋଷ କୁହେଳି କୁହେଳି ବିରାଟ ରୂପ ନେବାକୁ ବସିଲାଣି, ପାରିବାରିକ ସମ୍ପର୍କ ହେଲାଣି ବିଭାଜିତ। ସଂଘାତ ଓ ସଂଘର୍ଷ ଗୋଟାଏ ବଡ଼ କାଣ୍ଡ ସୃଷ୍ଟି କରିବା ଅପେକ୍ଷାରେ। ଏଇମିତି ମଣିଷ ଶାନ୍ତିକୁ ଖୋଜୁଥାଏ, ଗୋଟାଏ ପରେ ଗୋଟାଏ ସମସ୍ୟାରୁ ନିସ୍କୃତି କାମନା କରିଥାଏ। ତହିଁରୁ ମୁକୁଳି ଆସିଲା ପରେ ପୁଣି ନିତ୍ୟ ନୈମିତ୍ତିକ ନୂତନ ସମସ୍ୟା ମୁଣ୍ଡ ଟେକେ। ସେ ସମସ୍ତ ସମସ୍ୟାକୁ ସମାଧାନ କରୁ କରୁ ବଳ ବୟସ ହଟି ଯାଇଥାଏ। ସେ ମୃତ୍ୟୁର ନିକଟବର୍ତ୍ତୀ ହେବାକୁ ଲାଗେ। ହେଲେ ମୃତ୍ୟୁର ନିକଟବର୍ତ୍ତୀ ହେଉ ହେଉ ସେ କ’ଣ ଏମିତି ସାଉଁଟି ପାରିଥାଏ କି ଯାହାକୁ ବା କାହାକୁ ଭେଟି ଦେବ ଅବା ଜୀବନର ଶେଷେ ବୋହିନେବ ଆରପାରିକୁ ପର ଜନ୍ମର ପୁଞ୍ଜି କରି?
ଆହୁରି ବାକି ରହିଯାଏ ଜୀବନର ଅନ୍ତିମ ସୋପାନ – ବାର୍ଦ୍ଧକ୍ୟ ଓ ଜରା ସେଠି ବିପର୍ଯ୍ୟୟ ନିଶ୍ଚୟତା ସମ୍ଭାବନା ତୋଳେ। ଆଜିର ବିଜ୍ଞାନୀ ମଣିଷ ଯେତେ ଯେତେ ସଭ୍ୟ ଶିକ୍ଷିତ ହେଉଛି, ସେ ସେତେ ସେତେ ଆଧ୍ୟାତ୍ମିକ ଓ ଆଧିଭୌତିକ ଚେତନାଠାରୁ ଦୁରେଇ ଯାଉଛି । କ୍ରମଶଃ ସେ ଯନ୍ତ୍ରବତ୍ ମଣିଷର ମନୀଷା ବହନ କରୁଛି। ପ୍ରତିଯୋଗିତାମୂଳକ ମନୋବୃତ୍ତିର ଦିନକୁ ଦିନ ଘୋର ବିକାଶ ଘଟୁଛି। ଆଗକୁ ବଢ଼ିବାର ପ୍ରୟାସରେ ସେ ଅତୀତକୁ ଭୂଲୁଛି। ତେଣୁ ଅତୀତ ଅବହେଳିତ ହେବା ସ୍ୱାଭାବିକ। ଭବିଷ୍ୟତ ଠାରୁ କିଛି ଆଶା କରିବା ନିରର୍ଥକ। ଅବାଞ୍ଛିତ, ଅବହେଳିତ ହୋଇ ପଡ଼ିବା ନିହାତି ଅସ୍ୱାଭାବିକ ନୁହଁ। ନିଜର ଏକଲା ପଣକୁ ନେଇ ଜୀଇବାଟା ସତ୍ୟ।
ତେଣୁ ମୁଁ ଭାବେ ସମ୍ପର୍କଟା ଅଧିକତର କାର୍ଯ୍ୟ କାରଣଗତ। ଯାହାର ଯେତିକି ଦିନ ଆବଶ୍ୟକତା ଥାଏ ସେ ସମ୍ପର୍କ ଯୋଡ଼ି ରଖିଥାଏ। ସ୍ୱାର୍ଥ ହାସଲ ହୋଇଗଲା ପରେ ଆପଣା ଛାଏଁ ସମ୍ପର୍କଟା ଭାଙ୍ଗିଯାଏ। ଏମିତି କେତେ ଯେ ସମ୍ପର୍କ ମୋ ସହ ତୁଟାଇ ଚାଲିଯାଇଛନ୍ତି ମୁଁ ସେ ସବୁର ହିସାବ ରଖି ପାରିନାହିଁ। ମତଲବିବାଜ୍ ଦୁନିଆରେ ଆମେ ସମସ୍ତେ ଖାଲି ମତଲବୀ ହେଉଛନ୍ତି। କେଉଁଠୁ ଗୋଟେ ନିସ୍ୱାର୍ଥପର ସମ୍ପର୍କଟାଏ ମିଳି ଗଲେ ଆମେ କୃତ୍ୟ କୃତ୍ୟ ହୋଇଥାଏ। ବେଶ୍ କିଛି ଦିନ ଆତ୍ମୀୟତା ବାଣ୍ଟିଲା ପରେ ତାହା ବି ତୁଟିଯାଏ, ଯଦିଚ କାରଣଟା ନିହାତି ଅସ୍ପଷ୍ଟ। ତେବେ ଏପରି କାହିଁକି ହୋଇଥାଏ? ତେବେ ଏହି କ’ଣ ଜୀବନ? ଯେଉଁଠି ନାନା ଘାତ ପ୍ରତିଘାତ ସତ୍ତ୍ୱେ ବିଭିନ୍ନ ବିଭିଧତା ଭିତରେ ଜୀବନ ବୈଚିତ୍ରମୟ ହୋଇଥାଏ, ଅଥଚ ବେଶ୍ ଆଗକୁ ଧାଉଁଥାଏ।
ତେଣୁ ବେଳେବେଳେ ମୁଁ ସ୍ୱତଃ ନିଜକୁ ପ୍ରଶ୍ନ ପଚାରେ – ମୁଁ କାହିଁକି ଭଲ ଲୋକି ଦେଖେଇ ହୁଏ ବା ଭଲ ଲୋକ ହେବାକୁ ପ୍ରୟାସ କରେ? ସମସ୍ତ ଭଲ ଲୋକ କି କେବଳ ପୂରା ଜୀବନ ଜୀଅନ୍ତି? ସେମାନଙ୍କ ଭିତରୁ ତ ଆହୁରି ଏମିତି ଥୋକେ ଅଛନ୍ତି, ଯେଉଁମାନେ କି ସମସ୍ତ କୁକର୍ମ ଓ ଅପକର୍ମରେ ଲିପ୍ତ ରହି, ଭଲ ଲୋକକୁ ଅସୁବିଧାରେ ପକାଇ, ତାଙ୍କ ମୁଣ୍ଡ ଉପରେ ଗୋଡ ଥୋଇ ଉପରକୁ ଉଠିଛନ୍ତି। ସେମାନଙ୍କର କାହିଁ କିଛି ଅସୁବିଧା ହୋଇନାହିଁ, ଶାନ୍ତିରେ ଜୀବନଟା ଜୀଇ ପାରିଛନ୍ତି। ତେବେ ଆମ ଭଲ ଲୋକ ଓ ଭଲ ଲୋକି ପଣିଆର ମହତ୍ତ୍ୱ କ’ଣ? କେହି ଭଲା ବୁଝନ୍ତା ଅବା ଭଲ ସାଟିର୍ଫିକେଟ ଖଣ୍ଡେ ଦିଅନ୍ତା? କିନ୍ତୁ ଏପରି ହୁଏ ନାହିଁ, ଦୁର୍ଦ୍ଦଶା ବରଂ ବଢିଯାଏ। ତଥାପି ବି ପ୍ରବୃତ୍ତି। ସମସ୍ତ କ୍ଲେଶ ସତ୍ତ୍ୱେ ଗୁଡ଼ାଏ ଅବାସ୍ତବ ଭଲର ପରିକଳ୍ପନା ଭିତରେ ଜୀଇଁବା। ସେଇଥିରେ ଜୀବନ, ସେହି ହିଁ ଶାନ୍ତି। ଦୁଃଖ ସୁଖକୁ ସବୁଟାକୁ ଆପଣାର କରି ବଞ୍ଚିବାର ଅଭିଳାଷା। ଜୀବନକୁ ବୁଝିବାର ଅପଚେଷ୍ଟା। ସବୁ ପୁଣି ବ୍ୟର୍ଥ, ଅପୂରଣୀୟ ମନୋବାଞ୍ଛା।
ଏକଧାରେ ଲୁହ, ଅନ୍ୟ ଧାରେ ହର୍ଷିତା ଭାବ। ଏକ ପଟେ ଅଭିଶାପ, ଅନ୍ୟପଟୁ ଆଶୀର୍ବାଦର କ୍ଷୀଣପ୍ରଭା ଆଲୋକରେଖା ।ଜୀବନ ଏହି ପରି ଅବିରତ ଚାଲେ, ମୁଁ ତେଣୁ ଗାଏ-
ମୁଁ କେବେ ଡରି ନାହିଁ ମୃତ୍ୟୁ ଭୟେ
ମୃତ୍ୟୁ ଯେଣୁ ଶ୍ରେୟସ୍କର
ସେ ଯେ ଚିର ଶାନ୍ତି
ସେ ଯେ ଶେଷ ଆଶ୍ରୟ ସ୍ଥଳ
ଆଶ୍ରୟ ମୁଁ ଲୋଡ଼ିବି କାହିଁରେ?
ସେଦିନ ସିନା ଦୁଷ୍ମନ୍ତ ସମ
ଭୂଲି ଥିଲି ଶକୁନ୍ତଳେ
ଆଜ କିନ୍ତୁ ହେଜେ ଦେଖି
ତୁମ ସ୍ମୃତିର ଅଭିଜ୍ଞାନ
ସୃଷ୍ଟିର ଚିର ରହସ୍ୟରେ
ପାରୁନି ଯେ ଆଉ
ଯନ୍ତ୍ରଣା ହେଲାଣି ଢେର
ପ୍ରାଣ ପ୍ରିୟା ସଖୀ ମୋର
ଆଉ ଦଣ୍ଡେ ରହ
ମୁଁ ଟିକିଏ ସଜବଜ ହୋଇପଡେ
ଜାଣୁଛି ବେଳ ଯେ ହେଲାଣି ଉଛୁର
ମୋର ବି ବିଶ୍ରାମ ଦରକାର।।
ମଣିଷ ଖାଲି ହାରେ,କେତେବେଳେ ସାମାଜଠାରୁ ବା କର୍ମ କ୍ଷେତ୍ରରେ। ନିଜ ପତ୍ନୀ /ସ୍ଵାମୀଠାରୁ ତ ପୁଣି ପରିବାରର ଲୋକଙ୍କଠାରୁ ନତୁବା ନିଜ ପିଲାମାନଙ୍କଠାରୁ। କିଛି ନହେଲେ ନିଜେ ନିଜଠାରେ ଖାଲି ହାରିବା ସାର ହୁଏ, କିନ୍ତୁ ଜିତିବାର ବାହାସ୍ପୋଟ ଥାଏ। ହାରି ହାରି ଶେଷରେ ନିଜ ଜୀବନକୁ ତୁଚ୍ଛ ମଣେ। ପ୍ରକୃତିର କୋଳରେ ଆତ୍ମଗୋପନ କରିବାକୁ ଇଚ୍ଛା ହୁଏ। ଯମର ଡାକରା ଆସେ,ଲେଉଟାଣି ପର୍ବ ପାଳେ। ମାଟି ମା ‘କୋଳରେ ଶେଷ ଆଶ୍ରୟ ଖୋଜେ । ସେଇ କି ଶେଷ ଆଶ୍ରୟ ସ୍ଥଳୀ? ଜୀବନର ଇତି ହୁଏ। ଏଇତ ଜୀବନ, ଯାହାକୁ ବୃଥା ଅହମିକାରେ ଆମେ ଜୀଇ ଥାଉ । ପଡ଼ି ଉଠି ଉଠି ପଡ଼ି ଖାଲି ଧାଇଁଥାଏ। କ’ଣ ତା’ର ମାନେ ହୁଏ, ତଥାପି ସମସ୍ତେ ଜୀଉଛନ୍ତି ଦେଖି ମୁଁ ବି ଜୀଏ। ଏଷଣା ଗଣିତାଦି ପ୍ରୟୋଗ କରି ମୁଁ ଜୀବନକୁ ଅନ୍ୱେଷଣ କରେ। ହେଲେ ଗବେଷଣା ଲବ୍ଧ ଜ୍ଞାନକୁ ବଖାଣିବା ପାଇଁ ମୋ ପାଖରେ ବିଶେଷ କିଛି ଉତ୍ତର ନଥାଏ। କାରଣ ଉତ୍ତରଟି ମୋତେ ବୋଧ କରି ପାରେ ନାହିଁ କି କାହାକୁ ବୁଝେଇଲେ ଏଥିରୁ ତାହାର ଅର୍ଥ ଠିକ୍ ରେ ବୋଧ୍ୟ ହୋଇ ପାରେ ନାହିଁ। ଏଇତ ଜୀବନ, ଯାହା ଅନ୍ୟ ଭାବରେ ସଂଘାତ ଓ ସଂଘର୍ଷପୂର୍ଣ୍ଣ
ପ୍ରେମ ଓ ପ୍ରେମ ଭାବ – :
—————————

 

ମଣିଷ ଭିତରେ ଅନେକ ଭାବ ଓ ଭାବନା ଥାଏ। ତହୁଁ ପ୍ରେମ ଭାବ ଓ ଭାବନାଟା ଟିକିଏ ଶକ୍ତିଶାଳୀ ମନେହୁଏ। ମୋ ଜୀବନରେ ମଧ୍ୟ ଏମିତି ଭାବ ଓ ବିଚାରଧାରା କେତେବେଳେ କେମିତି ଆସି ବେଳେବେଳେ ଆତ୍ମପ୍ରକାଶ କରିଥିବ। ଆସନ୍ତୁନା ତେବେ ଜୀବନର ଆରପାରି ସନ୍ଦର୍ଶନରେ ଟିକିଏ ବୁଲି ବାହାରିବା।
ଗାଁରେ ବା ସ୍କୁଲରେ ପଢୁଥିବା ବେଳେ ମୁଁ କାହା ପ୍ରତି ବା କେହି ମୋ ପ୍ରତି ଯେ ଆକର୍ଷିତ ହୋଇ ନଥିବେ – ଏ କଥାଟା ନୁହଁ। ତେବେ ସେଭଳି କୌଣସି ବଡ଼ ଘଟଣା ବା ମନେ ରହିଲା ପରି କାହାଣୀ କାହିଁ ମୋର ଦୃଷ୍ଟିଗୋଚର ହୁଏ ନାହିଁ ବା ସେମିତି କିଛି ନଜରରେ ନାହିଁ। ଏମିତି ବି ହୋଇପାରେ ସେତେବେଳର ବିଧି ବ୍ୟବସ୍ଥା ଓ ମାନସିକ ସ୍ଥରର ବିକାଶ ବା ବୟସର ପିଲାଳିଆମୀ ସ୍ଵଭାବ ସହିତ ଏଗୁଡାକର ପ୍ରଭାବ ବୋଧେ ବିଶେଷ କିଛି ମାନେ ରଖି ନଥିବ।
ସ୍କୁଲ୍ ଜୀବନରେ ମୋର କିଛିଟା ଦରିଦ୍ରତା ବା ଦାରିଦ୍ର୍ୟ ଥିଲେ ହେଁ କଲେଜ ଜୀବନ ବେଶ୍ ସ୍ଵଚ୍ଛଳ ଥିଲା। ବିଶେଷ ଦାରିଦ୍ର୍ଯ ବା ଦରିଦ୍ରତାର ଅଭାବବୋଧ ମୋତେ ଗ୍ରାସି ପାରିନଥିଲା। ଯଦିଓ ବେଶ ପରିପାଟି ପ୍ରତି ମୋର ସେତେ କିଛି ଧ୍ୟାନ ନଥିଲା, ତେବେ ବି ଘରର ସ୍ଵଚ୍ଛଳତା ପାଇଁ ମୋତେ ବେଶ୍ ଭଲ ଡ୍ରେସ୍ ପିନ୍ଧିବାକୁ ପଡ଼ୁଥିଲା। ନିଜର ରୁଚି ଥାଉ ବା ନଥାଉ ବଂଶର ଆଭିଜାତ୍ୟ ପାଇଁ ସୁନା ଚେନ୍ ଓ ସୁନା ମୁଦି ମଧ୍ୟ ପିନ୍ଧିବାକୁ ପଡ଼ୁଥିଲା। ଆବଶ୍ୟକ ପଡ଼ିଲେ ସାଙ୍ଗମାନଙ୍କୁ ବେଶ୍ ଅପ୍ୟାୟିତ କରି ପାରୁଥିଲି। କ୍ୟାଣ୍ଟିନ୍ ରେ ବସି ବେଶ୍ କିଛି ଖିଆ ଯାଉଥିଲା ବା ଗୁପଚୁପ ଦହିବରା ଖାଇଲା ବେଳେ ଅନାୟାସରେ ପକେଟରୁ ପର୍ସ ଖୋଲି ପେମେଣ୍ଟ ମୁଁ କରି ପାରୁଥିଲି। ଏହି ସବୁ କାରଣରୁ ହେଉ ବା ଅନ୍ୟ କିଛି କାରଣ ଥାଇପାରେ କିନ୍ତୁ ସାଥୀ ସହପାଠିନୀମାନେ ମୋ ପ୍ରତି କିଛିଟା ଆକର୍ଷିତ ହୋଇଥାନ୍ତି। ବେଳେବେଳେ ମୋତେ ଚାହୁଁ ଥିବାର ବା ବେଶ୍ କିଛି ଇଙ୍ଗିତ କରୁଥିବାର ମୁଁ ଲକ୍ଷ୍ୟ କରିଛି। ହେଲେ କାହିଁକି କେଜାଣି ସେପରି ଭାବ ବା ଭାବନା ପ୍ରତି ମୁଁ ବିଶେଷ କିଛି ଆକୃଷ୍ଟ ହୋଇପାରୁ ନଥିଲି। ଏହା ସହଜରେ ମିଥ୍ୟା ପ୍ରତୀତ ହେଉଥିଲେ ମଧ୍ୟ କିଛିଟା ସତ୍ୟ। କାରଣ ପ୍ରେମ ବେପାରରେ ମୁଁ ନିହାତି ମଫଟାଏ। ସବୁ କଥାରେ ନିରୁଦବେଗ, କିଛିଟା ନିଷ୍ପୃହ ମଧ୍ୟ।
ମୋତେ ପ୍ରେମ କରିବା ପାଇଁ ଅନେକ ହୁଏତ ଚେଷ୍ଟା କରିଥିବେ ଓ ସେଥିରେ ଅସଫଳ ହୋଇଥିବା ଯୋଗୁଁ ମନେ ମନେ ମୋ ଉପରେ ରାଗିଥିବେ ତଥା ମୋ ପୌରଷତ୍ବକୁ ଦୋଷାରୋପ କରିଥିବେ ଅଥବା ଗାଳି ବର୍ଷିଥିବେ – ଏ କଥାଟା ନିଶ୍ଚୟ ସତ ।ମୋ ଦ୍ୱାରା ପ୍ରେମ ନହେଲା ନାହିଁ କିନ୍ତୁ ସେତେବେଳେ ପ୍ରେମର ଭାଷା ଭଲା ମୁଁ ଠିକ୍ସେ ବୁଝୁଥାନ୍ତି। ପ୍ରେମର ଆହ୍ଵାନ ପ୍ରତି ପ୍ରତିଆହ୍ଵାନ ନଦେଲି ନାହିଁ ଟିକିଏ ସହମତି ପୂର୍ବକ ମିଠାସ ଭରି କଥା ପଦେ ଭଲା ହୋଇଥାନ୍ତି। ଓଲଟା ଝିଅମାନଙ୍କର ପ୍ରେମାଳାପକୁ ମୁଁ ଖତେଇ ଛିଗୁଲାଇ କଥା ହୁଏ।, ଦରକାର ପଡ଼ିଲେ ଗାଳି ଓ ଝଗଡ଼ାଟି ସ୍ରୁଷ୍ଟି କରେ। ସମସ୍ତ ବେରସିକ ଲୋକ କି ଏମିତି ହୋଇଥାଆନ୍ତି? ଏ କଥାଟା ମନେ ପଡ଼ିଲେ ଖୁବ୍ ହସଟାଏ ଲାଗେ।
ଠିକ୍ସେ ମନେ ନପଡ଼ିଲେ ମଧ୍ଯ ଅସ୍ପଷ୍ଟ ହୋଇ କେଇ ଗୋଟି କଥା ମନେପଡ଼େ। ସେଦିନ ପଞ୍ଚଲିଙ୍ଗେଶ୍ୱରଠାରେ କଲେଜ ପିକନିକ୍ ବେଳେ ଜଣେ ପ୍ରେମର ପରିଭାଷା ଦେବାକୁ ଯାଇ ଚୁପିଚୁପି ମୋ ପିଠିରେ ଚକ୍ ଖଡିରେ ଛକି ପକାଇଦେଲା। ଏ କଥା ମୋ ଦୃଷ୍ଟିକୁ ଆସିବା କ୍ଷଣି ମୁଁ ଯେସାକୁ ତେସା ନିୟମରେ ତା ବ୍ଲାଉଜ୍ ପଛପଟେ ସମସ୍ତଙ୍କ ଉପସ୍ଥିତିରେ ଛକି ଦେଇଥିଲି, ବିଚାରୀ କେତେ ଲଜ୍ଜିତ ହୋଇ ନଥିବ- ସତେ। ପୁଣି ଆଉ ଜଣେ ସାଥୀ ବସରେ ମୋ ସାମ୍ନା ସିଟ୍ ରେ ବସି ଜାଣି ଜାଣି ମୋ ଉପରକୁ ବେଣୀ ବାରବାର ଛାଟୁଥାଏ। ସିଟ୍ ର ଉପରି ଭାଗରେ ଥିବା ସେତେବେଳର ରେଲିଂରେ ମୁଁ ତା ଚୁଟି ବାନ୍ଧି ଦେଇଥିଲି।
ଏହିପରି ଝିଅମାନଙ୍କର ପ୍ରେମ ଓ ପ୍ରେମର ପ୍ରତ୍ୟୁତ୍ତର ମୁଁ ଠିକ୍ସେ ଦେଇ ପାରୁ ନଥିଲି ବା ପ୍ରେମ ବ୍ୟାପାରରେ ବାରମ୍ବାର ଅକୃତକାର୍ଯ୍ୟ ହେଉଥିଲି। ଝିଅମାନଙ୍କ ସହିତ ଆଚାର ବ୍ୟବହାର କରିବା ମୋ ପକ୍ଷରେ ଏତେଟା ସହଜ ହେଉ ନଥିଲା। ତା’ମାନେ ନୁହଁ ମୁଁ ସେମାନଙ୍କ ସହ ମିଶେ ନାହିଁ।ତା’ନୁହଁ ମୁଁ ବେଶ୍ ଫ୍ରେଣ୍ଡଲି। ସମସ୍ତଙ୍କ ସହ ଭଲ ଭାବେ ମିଶେ।, ଭଦ୍ର ଭାବେ କଥା ହୁଏ। ହେଲେ ଟିକିଏ ବୋଧେ ତେଢା ।ପାନରୁ ଚୂନ ଖସିଲେ ବେଶ୍ ଦୁଇ ପଦ ଝାଡ଼ି ଦେଇଥାଏ। କାରଣ କଲେଜ କ୍ୟାରିୟରରେ ମୁଁ ପ୍ରାୟତଃ ଶ୍ରେଣୀ ପ୍ରତିନିଧି ବା
ଡିପାର୍ଟମେଣ୍ଟାଲ୍ ସେକ୍ରେଟାରୀ। ଏହି ତେଢାପଣ ପାଇଁ କେହି କେହି ବିରକ୍ତ ହୁଅନ୍ତି ସିନା କିନ୍ତୁ ମନେ ମନେ ଭାରି ଭଲ ପାଆନ୍ତି। କାରଣ ସୁବିଧା ଅସୁବିଧାକୁ ମୁଁ ଥିଲି ଆଗଭର। କାହାରି କିଛି ଭଲମନ୍ଦ ହୋଇଗଲେ ଆଗ ମୁଁ ବାହାରି ପଡୁଥିଲି। ନେତୃତ୍ୱ ନେଇ ଅଥରିଟି ବିରୋଧରେ ଲଢ଼ି ଯାଉଥିଲି। କେତେବେଳ ବି ବଦମାସିଆଙ୍କୁ ବେଶ୍ ପାନେ ଚଖାଇ ପାରୁଥିଲି ।ମୁଁ ଯେହେତୁ ବନ୍ଧୁ ପ୍ରିୟ ଆଚ୍ଛା ଖାସା କିଛି ବନ୍ଧୁ ମୋ ଚାରିପଟେ ସୁରକ୍ଷା ବଳୟ ହୋଇ ସବୁବେଳେ ଥାଆନ୍ତି। ସେହି ହେତୁ ଶାରୀରିକ ଦୃଷ୍ଟିକୋଣରୁ ମୁଁ କିଛିଟା ଦୁଗଲା ପତଳା ହେଲେ ମଧ୍ଯ ବେଶ୍ ଶକ୍ତିଶାଳୀ। ତେଣୁ କୌଣସି କାରଣରୁ ଝିଅମାନଙ୍କର ସୁରକ୍ଷା ପ୍ରଶ୍ନ ଆସିଲେ ମୁଁ ଆଗ ଆଗଭର ହୋଇ ଯାଉଥାଏ। ତେଣୁ ମୋର ଲୋକ ପ୍ରିୟତା ଓ ମୋତେ ଭଲ ପାଇବାଟା କିଛି କମ୍ ନଥିଲା। ତେବେ ଏହିପରି କିଛିଟା ସଫଳତା ଓ ବିଫଳତା ନେଇ ମୋର କଲେଜ ଜୀବନ ସରିଗଲା।
ଯାଇ କଲେଜ ଜୀବନରେ ଟିକିଏ ପ୍ରେମ ହୋଇଥାନ୍ତା, ସେପଟେ କଲେଜ ଯିବା ଆଗରୁ ବୋଉ କହିଥିଲା-“ଧନରେ! କଲେଜ ଯାଉଛୁ ସବୁ କରିବୁ ହେଲେ ଝିଅଙ୍କ ପଛରେ ପଡ଼ିବୁ ନାହିଁ, କାହାକୁ ଖରାପ ନଜରରେ ଦେଖିବୁ ନାହିଁ, ଭଗବାନ ଅସନ୍ତୋଷ ହେବେ, କାରଣ ତୋର ବି ମାଆ ଭଉଣୀ ଅଛନ୍ତି, ଚରିତ୍ରଟା ଥରେ ଗଲେ ଆଉ ଫେରେ ନାହିଁ, ସମସ୍ତଙ୍କର ଘୃଣାର ପାତ୍ର ହେବାକୁ ପଡ଼େ, ତୋତେ ମୋର ରାଣ ରହିଲା। “ଏଥିଯୋଗୁଁ ମୁଁ କିଛିଟା ସଚେତନ ଥିଲି ଓ ଟିକିଏ ହୁସିଆର ବି।
ତେବେ ଯାହା ହେଉ ଏମିତି ଗୋଟେ ନିଆରା ଜୀବନ ଓ ପରମ୍ପରା, ତା’ରି ଭିତରେ ସରି ଯାଇଥିଲା କଲେଜ ଜୀବନ, ଯେଉଁଦିନ ମୁଁ କଲେଜ ଛାଡିଥିଲି। ତା’ ପରେ ଆରମ୍ଭ ହେଲା ବାସ୍ତବ ଜୀବନ, ଜୀବିକା ଓ ଜୀବନ। ଚାକିରୀ ଖୋଜା ଓ ଚାକିରୀ ପରେ ଜୀବନ ସଙ୍ଗିନୀ ଚୟନ।
ବୈବାହିକ ଜୀବନ-:

——————–

ମୁଁ ଜୀବନରେ ଦୁଇଟି ଝିଅ ଦେଖିଛି। ଯାହାକୁ ଦେଖିଛି ତାକୁ ହଁ ମାରିଛି। ପ୍ରଥମଟି ଦେଖି ହଁ କରିଥିଲେ ମଧ୍ୟ ଗୋଟାଏ ବିରାଟ ପ୍ରଚ୍ଛଦପଟ କାହାଣୀ ଓ ଚକ୍ରାନ୍ତର ଶୀକାର ହୋଇ ସିଏ ମୋତେ ବିବାହ କରି ପାରିଲେ ନାହିଁ। ପ୍ରସ୍ତାବଟି ଭାଙ୍ଗି ଗଲା। ଦ୍ୱିତୀୟରେ ଯାହାକୁ ଦେଖିଲି ତାକୁ ଏବେ ପତ୍ନୀ ରୂପେ ମୁଁ ପାଇ ବେଶ୍ ଖୁସି ଅଛି।

ବିବାହର ଆରମ୍ଭରୁ ଯେ ମୁଁ ଖୁବ୍ ଖୁସି ଥିଲି ବା ଆମ ଭିତରେ ବିବାଦ ହୋଇ ନାହିଁ – ଏ କଥା ନୁହଁ। ଏହି କଥାଟା କହିଲେ ମିଛ ହେବ। କାରଣ, ପ୍ରତିଟି ସ୍ଵାମୀ ଓ ସ୍ତ୍ରୀ ଜୀବନରେ କେତୋଟି ମୁହୂର୍ତ୍ତ ଲଢ଼ିଥାନ୍ତି। ପୁଣି ନିଜ ଭିତରେ ବନ୍ଧୁତା ସ୍ରୁଷ୍ଟି ହୋଇଗଲା ପରେ ବା ଆତ୍ମୀୟତା ବୃଦ୍ଧି ପାଇଲା ପରେ, ଏକ ବିଶ୍ୱସନୀୟତା ବା ଆତ୍ମପ୍ରତ୍ୟୟ ସୃଷ୍ଟି ହଏ, ଯାହା ପରସ୍ପରକୁ ବାନ୍ଧି ରଖେ। ଆମ କ୍ଷେତ୍ରରେ ମଧ୍ଯ ଠିକ୍ ସେୟା। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶ୍ କିଛି ଲଢିବାକୁ ପଡ଼ିଛି ବା ଲଢିବାର ଅବସର ସୃଷ୍ଟି ହୋଇଛି। ଉଭୟ ଉଚ୍ଚ ଶିକ୍ଷିତ ଓ ଶିକ୍ଷିତା ହୋଇଥିବା କାରଣରୁ ମଧ୍ୟ ego ବେଳେବେଳେ crash ହୋଇଛି ।
ନାରୀଟିଏ ତା’ର ଇଚ୍ଛାର ପରିପୂର୍ତ୍ତି ପାଇଁ ଲଢିଥାଏ।। ତା’ର ସବୁ ଗୁଡ଼ାକ ଇଚ୍ଛା ଯେ ପୁରୁଷ ପୂରଣ କରିବ ବା ପୂରଣ କରି ପାରିବ – ତାହା ସମ୍ଭବ ନୁହଁ। ତେଣୁ ସ୍ୱାଭାବିକ ବିବାଦ ଉପୁଜିଥାଏ। ଯାହା ଆମ ଭିତରେ ମଧ୍ଯ ଦେଖା ଦେଇଥାଏ। ଆମ ଜୀବନଟା ଯେ କିଛି ନୂଆ ତାହା ନୁହଁ, ସମସ୍ତଙ୍କ ଜୀବନ ପରି ମଧ୍ଯ ଆମ ଜୀବନ ସେହି ସମାନ ଅଥଚ ଏକା ଘଟଣାକ୍ରମ ଦେଇ ଆଗକୁ ଆଗେଇଥାଏ-ଆମ ବୈବାହିକ ଜୀବନର କାହାଣୀ।
ବିବାହର ପ୍ରଥମ କେତୋଟି ବର୍ଷ ମୁଁ ମୋ ପରିବାର ଓ ସେ ତାଙ୍କ ପରିବାର ଚିନ୍ତା ନେଇ ଖୁବ୍ ବ୍ୟସ୍ତ। ବାପା ଘରକୁ ଯିବା ପାଇଁ ବ୍ୟଗ୍ର। ତହୁଁ କିଛିଟା ଅଶାନ୍ତି, ଅସନ୍ତୋଷ ଓ ମନୋମାଳିନ୍ୟ ମଧ୍ୟ। ସହଜେ ତ ସେ ବାଣୀ ବିହାରର ଛାତ୍ରୀ। ବେଶ୍ କିଛି କରିବାର ସ୍ଵପ୍ନ ତାଙ୍କ ଭିତରେ ଯୁଝି ହେଉଥିଲା। ଚାକିରୀ କରିବାର ବା ଅଧିକ କିଛି ପଢିବାର ନିଶାଟା ତାଙ୍କ ଭିତରେ ଜୋହର୍ ଧରିଥିଲା। ହେଲେ ପରିବାରର ଅନିଚ୍ଛା, ପରିସ୍ଥିତି ଓ ପରିବେଶର ପ୍ରତିକୂଳ ପ୍ରଭାବ ତଥା ଶୀଘ୍ର ସନ୍ତାନ ପ୍ରାପ୍ତି ହୋଇଯିବାର ସମସ୍ୟା ମଣିଷକୁ ନାଚାର କରି ଗଢି ତୋଳି ଥାଏ। ଫଳରେ ମଣିଷର ସ୍ଵପ୍ନ ଭଙ୍ଗ ହୁଏ। ମାତ୍ର୍ ନିଜର ଉଚ୍ଚ ଅଭିଳାଷ ତଥା ଅଭିଲିପ୍ଷିତ କର୍ମଯୋଗରେ ବିଫଳ ହେବାରୁ ଦୁଃଖରେ ମଣିଷର ମନ ଘାରି ଯାଏ। ତୀବ୍ର ମାନସିକ ଦ୍ଵନ୍ଦ, ଅଶାନ୍ତି, ଅସନ୍ତୋଷ ଭିତରେ ପରିସ୍ଥିତି ଓ ପରିବେଶ ସହିତ ମଣିଷ ଖାପ୍ ଖୁଆଇ ଚାଲି ପାରେ ନାହିଁ। ଯାହା ମଧ୍ଯ ଆମ ଜୀବନରେ ଘଟିଥିଲା।
କ୍ରମଶଃ ପିଲା ବଡ଼ ହେବାରୁ ପାଠପଢ଼ା ଚିନ୍ତା ଘାରିଲା। ପରିବାରର ଲୋକଙ୍କର ଇଚ୍ଛା ଗାଁରେ ରହି ପଢିବେ।ଅନ୍ୟ ଶିକ୍ଷିତା ନାରୀ ପରି ପତ୍ନୀର ଇଚ୍ଛା ସହରରେ ରହି ଭଲ ସ୍କୁଲ୍ ରେ ପାଠ ପଢ଼ାଇବେ। ମଝିରେ ମୁଁ ହଁ ନାହିଁ ସ୍ଥିତିରେ। ଶେଷରେ ପିଲାଙ୍କ ଭବିଷ୍ୟତ ପାଇଁ ସହର ଆସିଲି।
ଏଣିକି ସଂସାର ବିବାଦ କ୍ରମେ କ୍ରମେ ପତଳେଇ ଆସିଲା। ପିଲାଙ୍କୁ ପାଠ ପଢ଼ାଇବାର ଓ ମଣିଷ ପରି ମଣିଷ କରି ଗଢି ତୋଳିବାର ଝୁଙ୍କଟା ଅଧିକ ହେଲା। ଏହା ମାନେ ନୁହଁ ଯେ ପତି ପତ୍ନୀ ମଧ୍ୟରେ ଆମର ଆଉ କଲି ହୋଇନାହିଁ ବା ହୁଏ ନାହିଁ। ମଝିରେ ମଝିରେ ଝଗଡ଼ା ହୁଏ। ମନ ଅମନ ହୁଏ। ବିଭିନ୍ନ୍ ଘଟଣା ନେଇ ବାକ୍ ବିତଣ୍ଡା, କଳି ତକରାଳ ଓ ମାନ ଅଭିମାନ। ମାତ୍ର୍ ଝଗଡାଟା ବେଶୀ ସମୟ ତିଷ୍ଟି ରହି ପାରେ ନାହିଁ। ତାଙ୍କର ମଧ୍ୟ ବାପ ଘର ପ୍ରତି ନଜରଟା କ୍ରମଶଃ ହଟି ଗଲାଣି। ଏବେ ଛୁଆଙ୍କ ଉପରେ ବେଶି ନଜର। ସେମାନଙ୍କର ଭବିଷ୍ୟତ ନେଇ ବେଶ୍ କିଛିଟା ଚିନ୍ତା ଓ ବ୍ୟାକୁଳିତଭାବ।
ଏବେ ଉଚ୍ଚ ଶିକ୍ଷା ପାଇଁ ପିଲାମାନେ ପାଖଛଡା ଧରିଲେଣି। ଆହୁରି ବଡ଼ ସହରରେ ଦୂର ଦୂରାନ୍ତରେ ରହି ପାଠ ପଢୁଛନ୍ତି। କେବେ କେବେ ଥରେ ଅଧେ ଘରକୁ ଆସୁଛନ୍ତି। ତେଣୁ ଘରେ ସ୍ଵାମୀ ସ୍ତ୍ରୀ ଆମେ ଦୁଇଜଣ। ଟୁଆଁ ଟୁଇଁ ପରିକା ଜଣେ ଆଉ ଜଣଙ୍କ ମୁହଁକୁ ଚାହିଁ ସମୟ ବିତାଇବାକୁ ହୋଇଥାଏ। କାର୍ଯ୍ୟ କାରଣଗତ ସମସ୍ୟା ହେତୁ ବାହାରକୁ ମୁଁ ଚାଲି ଗଲା ପରେ, ଘରେ ଏକୁଟିଆ ସିଏ ରହନ୍ତି। ତେଣୁ ଟିକିଏ ବ୍ୟସ୍ତ ହୋଇ ଉଠନ୍ତି। ଏକୁଟିଆ ବୋର ବା ନିଃସଙ୍ଗତାର କରାଳ ଛାୟାରେ ପୀଡିତା ହେବା ସ୍ୱାଭାବିକ। ଘରକୁ ଫେରିଲା ପରେ ଉଭୟ ଉଭୟଙ୍କୁ ସମୟ ଦେଇଥାଉ । ଜଣେ ଅନ୍ୟ ଜଣଙ୍କ ଭରସାରେ ଜୀଇବାର ସଂକଳ୍ପ। ଜୀବନଟା ଏଇମିତି ଗୋଟାଏ ଘଡିସନ୍ଧି ମୁହୂର୍ତ୍ତରେ ଆଣି ପହଁଞ୍ଚାଇ ଦେଇଛି। ତେଣିକି ଭବିଷ୍ୟତ କହିବ ଭବିଷ୍ୟତ ଜୀବନର କାହାଣୀ।

ମୋ ରାଜନୈତିକ ଆକାଶ ଓ ଆଜିର ରାଜନୀତି – :

ମୋର ଜନ୍ମ ହୁଏ ଏକ ରାଜନେତାଙ୍କ ପରିବାରରେ। ତେଣୁ ରାଜନୀତି ପ୍ରତି ମୋର ବେଳେ ବେଳେ ଆଗ୍ରହ ଥାଏ ବା  ପରିସ୍ଥିତି ବାଧ୍ୟ କରିଥାଏ । କେତେବେଳେ କେମିତି ମଧ୍ୟ ଓଡ଼ିଶାର ଦଳୀୟ ରାଜନୀତିରେ ନେତାଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କ ଠାରୁ ମଧ୍ଯ ଆହ୍ଵାନଟିଏ ଆସିଥାଏ।, ଯାହାକୁ ହୁଏତ ଅଣଦେଖା କରି ହୁଏ ନାହିଁ। ମୋ ଜେଜେ ଗୋପିନାଥ ଅନେକ ବାର ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗାଁ ଓ୍ବାର୍ଡ ମେମ୍ବର ଓ ପଞ୍ଚାୟତ ସମିତିର କର୍ମକର୍ତ୍ତା ରୂପେ ଏକାଧିକବାର ନିର୍ବାଚିତ ହୋଇଥିଲେ। ତେଣୁ ମୋ ବାପା ପୁରୁଷୋତ୍ତମ ରାଜନୀତି ପ୍ରତି ବେଶ୍ ଆକୃଷ୍ଟ। ତହୁଁ ଅନେକ ବିଫଳତା ଓ କିଛିଟା ସଫଳତା ଭାଗ୍ୟରେ ଜୁଟିଥିଲା। ସେ depressed league inspector ଚାକିରୀ ଛାଡ଼ି ରାଜନୀତି ପ୍ରତି ଅଧିକ ମନ ବଳାନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ନେତୃବୃନ୍ଦଙ୍କ ସହ ତାଙ୍କର ସମ୍ପର୍କ। ଏ ଦିଗରେ ବହୁ ବାର ଅକୃତକାର୍ଯ୍ୟ ହେଲା ହେଁ ଶେଷରେ 1980 ମସିହାରେ ସେ M. L.A. ଭାବେ ନିର୍ବାଚିତ ହୋଇଥିଲେ। ପରେ ଓଡ଼ିଶା ଭୂଦାନ ବୋର୍ଡ, ଖଦୀ ବୋର୍ଡ଼, ହରିଜନ ଆଦିବାସୀ କର୍ପୋରେସନ ଆଦିରେ ବିଭିନ୍ନ କର୍ମକର୍ତ୍ତା ଓ ଦଳୀୟ ସାଂଗଠନିକ କର୍ମକର୍ତ୍ତା ରୂପେ ମଧ୍ୟ ବେଶ୍ କିଛି ଦିନ ଅବସ୍ଥାପିତ ଥିଲେ।ଦୀର୍ଘ ଦିନ ବାଲେଶ୍ଵର ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ।ଉତ୍କଳର ବର ପୁତ୍ର ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ରୂପେ ସେ ମଧ୍ଯ ବେଶ୍ସେ ସକ୍ରିୟ ଥିଲେ। ଏତଦ୍ହି ବ୍ୟତୀତ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ସହିତ ମଧ୍ଯ ତାଙ୍କର ଉତ୍ତମ ସମ୍ପର୍କ ଥିଲା। ଏହି କାରଣରୁ ବା ମୋର ବ୍ୟକ୍ତିଗତ ସାଙ୍ଗଠନିକ ଦକ୍ଷତା ହେତୁ ଓ ଲୋକପ୍ରିୟତା ଦୃଷ୍ଟିକୋଣରୁ ମୋ ପାଇଁ କଲେଜ କ୍ୟାରିଅରଠାରୁ ରାଜନୈତିକ ପଦ ପଦବୀରେ ଲଢ଼ିବା ପାଇଁ ଅଫର୍ ଆସିଥାଏ। କିନ୍ତୁ ମୁଁ ମୋ ବୋଉ କଥା ଭାରି ମାନେ। ମୋ ବୋଉ କହିଥିଲା -” ବାପରେ! ତୁ ତୋ ବାପାଙ୍କ ଭଳିଆ ପାଠ  ପଢିଲା ବେଳେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିବୁ ନାହିଁ। କାରଣ ଏଥିରେ ଥାଏ ନାହିଁ ନଥିବା ବାଧା ଓ ସବୁବେଳେ ଗଣ୍ଡଗୋଳିଆ ପରିସ୍ଥିତି। ତା ‘ଛଡା ମୁଁ ଚାହେଁ ତୋ ପାଠ ପଢ଼ାରେ କୌଣସି ବାଧା ନଉପୁଜୁ। ତୁ ମଣିଷ ପରି ମଣିଷ ହଅ। ଶିକ୍ଷାଲାଭ କରି ସମାଜରେ ଅନ୍ୟମାନଙ୍କ ପରି ଜଣେ ହୋଇ ଛିଡ଼ା ହଅ। କେହି ନଭାବୁ ତୁ ପଛରେ ରହିଗଲୁ ବୋଲି। ”

ମୋ ବୋଉ କଥା ମୁଁ ଅକ୍ଷରେ ଅକ୍ଷରେ ପାଳିଛି। ଯେତେ ଅଫର୍ ଆସିଛି ସବୁ ପ୍ରତ୍ୟାଖ୍ୟାନ କରିଦେଇଛି। ପ୍ରତିଦ୍ୱନ୍ଦିତାମୂଳକ ନିର୍ବାଚନରେ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ କରି ନାହିଁ। ମାତ୍ର ନିର୍ବାଚିତ ପ୍ରତିନିଧିମାନଙ୍କୁ ଜିତିବାରେ ମୋର ଗୋଟେ ପ୍ରଚ୍ଛନ୍ନ ହାତ ଥାଏ। ତା’ଛଡା ଲୋକପ୍ରିୟତା, ବନ୍ଧୁ ବତ୍ସଳତା ଓ ନେତୃତ୍ୱ ନେବାର ଦକ୍ଷତା ହେତୁ ବିନା ନିର୍ବାଚନରେ କେତେ ଗୁଡ଼ିଏ ପଦବୀ ମୋତେ ମିଳିଯାଏ। ତେଣୁ କଲେଜ ୟୁନିଅନ ଓ ହଷ୍ଟେଲ ୟୁନିଅନରେ ମୁଁ ପ୍ରାୟତଃ ମୋ ପାଇଁ ଗୋଟେ ସ୍ଥାନ ବଜାୟ ରଖିଥାଏ। କେତେବେଳେ ଶ୍ରେଣୀ ପ୍ରତିନିଧି ବା ଡିପାର୍ଟମେଣ୍ଟ ସେକ୍ରେଟାରୀ ଓ ହଷ୍ଟେଲରେ କୌଣସି ଗୋଟେ ସମ୍ପାଦକ ବା ସହ ସମ୍ପାଦକ ପଦବୀ ମୋ ପାଇଁ ବ୍ୟବସ୍ଥିତ ହୋଇଯାଏ। ଏହା ଦ୍ଵାରା ବୋଉ ବାକ୍ଯ ପାଳନରେ ଅବମାନନା ହୁଏନାହିଁ। ସେପଟେ ରାଜନୀତିରେ ମୋର କିଛିଟା ଭାଗୀଦାରୀ ଓ ଗୁରୁତ୍ଵ ମଧ୍ଯ ବଜାୟ ରହେ। ତେଣୁ କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ମୋର ସକ୍ରିୟତା ସବୁବେଳେ ରହିଥାଏ। ସେଥିଯୋଗୁଁ ଥରେ ହଷ୍ଟେଲରେ ଜଣେ (ରତିକାନ୍ତ ନାୟକ ) ସେକ୍ରେଟାରୀ ଥିବା ସତ୍ତ୍ୱେ ଆନୁଆଲ function ରେ ରେଡିଓ ଓ ନ୍ୟୁଜ୍ ପେପର୍ ଆଦି ମିଡିଆରେ ସତ୍ୟ ପ୍ରକାଶ ସେଠୀ ସମ୍ପାଦକ ବୋଲି ବାହାରିପଡ଼େ। ମିଡିଆ ହୁଏତ ଜାଣି ପାରେନାହିଁ ବା ମୋ ଆକ୍ଟିଭ୍ participation ଯୋଗୁଁ ଏପରି ବ୍ୟତିକ୍ରମ ଘଟିଥାଇପାରେ, ଯାହା ମୋତେ ଭଲ ଲାଗେ ନାହିଁ। SSG CAMP ହେଉ ବା NSG CAMP ବା picnic ଓ excursionରେ ମଧ୍ଯ ମୋର ମୁଖ୍ୟ ଭୂମିକା ଥାଏ। ଚାକିରୀ ଜୀବନରେ ମଧ୍ଯ ଆମ deptର ରାଜ୍ଯ ସ୍ତରୀୟ unionରେ ଅନେକ ଦିନ ଧରି କର୍ମକର୍ତ୍ତା ରହିଛି। ପ୍ରାୟ ଆଠ ବର୍ଷ ଉପ ସଭାପତି ରୂପେ ମଧ୍ଯ କାର୍ଯ୍ୟ ତୁଲାଇଛି।ଏତଦ୍ ବ୍ୟତୀତ ମୋ ସ୍କୁଲ୍ ର ପୁରାତନ ଛାତ୍ର ସଂସଦର ସଭାପତି ରୂପେ 2003 ରୁ ଏଯାଏଁ ଦାୟିତ୍ଵ ତୁଲାଇ ଆସୁଛି। ଗୋପବନ୍ଧୁ ସେବା ସଦନ, ଗଙ୍ଗାଧର ସେବା ସଦନ, ଆମ୍ବେଦକର ଉନ୍ନୟନ ପରିଷଦ, ନାରାୟଣ ଚନ୍ଦ୍ର  କଳା ପରିଷଦ ଆଦି କେତେକ ସେବା, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହିତ ମଧ୍ଯ ନିଜର ସମ୍ପୃକ୍ତି ରହିଛି। ଏହିପରି ଜୀବନରେ ଅନେକ ବିଭିଦତା ଓ ବୈଲକ୍ଷଣ ଲକ୍ଷ୍ୟଣୀୟ।

ବାପାଙ୍କୁ ତାଙ୍କ ରାଜନୈତିକ ଜୀବନରେ ଅନେକ ସାହାଯ୍ଯ ସହଯୋଗ କରିଛି ଓ ନିର୍ବାଚନ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଛି ଓ ସେହି ଦୃଷ୍ଟିରୁ ଅନେକ ତିକ୍ତ ଅଭିଜ୍ଞତା ମଧ୍ୟ ରହିଛି।

ଏହି ରାଜନୀତିଟା ଆଜି ବଡ଼ କଳୁଷିତ। ଧୋକାଦାରୀ ବେଶୀ। ନୀତି, ଆଦର୍ଶବୋଧ ଓ ସଚ୍ଚୋଟତା କିଛିଟା କମ୍। ଜଣେ ଅନ୍ୟ ଜଣଙ୍କ କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିବାର ପ୍ରତିଯୋଗୀତା ଟିକିଏ ଅଧିକ। ବିଶ୍ବାସନିୟତା ଓ ବିଶ୍ବାସପଣିଆ ଅତି ନଗନ୍ୟ। ଭଲ ଲୋକଙ୍କର ଏଠି ସ୍ଥାନ ନାହିଁ। କୂଟନୀତି ଓ ଚାଣକ୍ଯ ଶାସ୍ତ୍ରର ପ୍ରୟୋଗ ଅଧିକ। ତେଣୁ କାହାକୁ ଭରସା କରାଯାଇ ପାରେ ନାହିଁ। ସବୁଠାରୁ ବିଶ୍ବାସଯୋଗ୍ୟ ଓ ଭରସାମନ୍ଦ ବ୍ୟକ୍ତିଟି ହିଁ ସବୁଠାରୁ ବଡ଼ ଶତୃ ହୋଇ ଛିଡ଼ା ହୁଏ।ଗୁପ୍ତ ରହସ୍ୟ ଉନ୍ମୋଚନ ଓ ଗୁପ୍ତ ତଥ୍ଯ ପ୍ରଘଟ କରେ। ଚାଟୁକାରଙ୍କ ସଂଖ୍ୟା ବେଶୀ। ନିଜର ଫାଇଦା ପାଇଁ ଅଯଥା ଚାଟୁକ୍ତି କରି ଘଟଣାର ମୋଡ଼ ବଦଳାଇ ଦିଅନ୍ତି, ଅଥଚ ଘଟଣାଟିକୁ ଅଧିକ ଜଟିଳ କରି ଗଢି ତୋଳି ଥା’ନ୍ତି। ଏମାନଙ୍କୁ ଭଗବାନଙ୍କ ଛାଟ ଟିକିଏ କମ୍ ହୋଇଥାଏ। ମାତ୍ର୍ double standard maintain କରିବା ଦ୍ୱାରା ଏ ଘର ପିଉସୀ ସେ ଘର ମାଉସୀ ହୋଇ ଏମାନେ ସହଜରେ କଳି ଲଗାଇ ଦେଇ ନାଟ ତାମସା ଦେଖିବାକୁ ଭଲ ପାଆନ୍ତି। ଭଗବାନଙ୍କ ଦ୍ୱାହି – ଏମାନଙ୍କ ଠାରୁ ଟିକିଏ ହାତେ ମାପି ଚାଖଣ୍ଡେ ଦୂରରେ ରୁହନ୍ତୁ, ନହେଲେ କେତେବେଳେ ପାଣିରେ ବୁଡ଼ାଇ ମାରିଦେବେ। ପୂର୍ବର ସ୍ଵଚ୍ଛ ରାଜନୀତି ଆଜି ଦୁଷ୍ପ୍ରାପ୍ୟ  ପ୍ରାୟ। ଭଲ କଲେ ଭେଲ ହେଉଛି। ରାଜନୈତିକ ଜଟିଳ ପରିସ୍ଥିତି ସବୁ ବିଗାଡ଼ି ବସିଛି। ସବୁ ଆଡ଼େ ଖାଲି ଚକ୍ରାନ୍ତ। କୁଚକ୍ରୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇଛି। ଜନ ସେବା, ଜନ ଜାଗରଣ ନାଁରେ ବ୍ୟଭିଚାର ଓ ସଠତା ବଢିଛି। ଖାଲି ଗୁଡ଼ାଏ ମିଥ୍ୟା, ଦୁରାଚାର, ମିଥ୍ୟା ପ୍ରତିଶୃତି। ଏତେ ବେଳେ ଭଲ ଲୋକଙ୍କର ରାଜନୀତିରେ ପଶିବା ନିଷେଧ। କୁଟ, କପଟ ଓ କୂଟନୀତିରେ ଆଜିର ରାଜନୈତିକ ଆକାଶ ବେଶ୍ କଳୁଷିତ। ଶାନ୍ତି ବ୍ୟାହତ। ସ୍ବାର୍ଥପରତା ଓ ସ୍ୱାର୍ଥ ଲୋଲୁପତାର କରାଳ ଛାୟା ଚାରିଆଡ଼େ ଗ୍ରାସ କରିଛି। ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇଛି। ମଦ, ଅର୍ଥ ଓ ବାହୁବଳ ସର୍ବସ୍ଵ ରାଜନୀତିରେ ଭୋଟର କିଣା ବିକା ଚାଲିଛି। ଅର୍ଥର ବ୍ୟାପକ ପ୍ଳାବନ ଫଳରେ ସାଧାରଣ ସଚ୍ଚୋଟ ଲୋକ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଉଛି। ଏଠି ଅସାମାଜିକ ଓ ଗୁଣ୍ଡାଙ୍କର ଆଧିପତ୍ୟ ଅଧିକ। ସେଇମାନେ ଭୋଟ କରେଇବେ ଓ ଜିତେଇବେ। ତେଣୁ ରାଜନୈତିକ ସଂସର୍ଗ ବଡ଼ ବିଷପିତା।

ମୁଁ ମୋ ଜୀବନରେ ଦେଖିଛି ରାଜନୀତିରେ କେତେ ଘମାଘୋଟ ଲଢେଇ। ଦେଖିଛି ରାଜନୈତିକ ଦଳର ଓ ନେତାଙ୍କ ଦ୍ୱାରା ହେଉଥିବା  ଗାଁରେ ବାରମ୍ବାର ଗ୍ରାମ୍ୟ ଗଣ୍ଡଗୋଳ, ଅଶାନ୍ତି ଓ ଅସନ୍ତୋଷର ଦାବାନଳ। ବିଭିନ୍ନ ସଭା ସମିତିରେ ଠେଲାପେଲା। ମାଡ଼ଗୋଳ ପ୍ରହସନ। ଏହି ତ ରାଜନୀତି ଓ ସାମାଜ ସେବା। କ୍ଷମତା ଲୋଭରେ ଯେଉଁଠି ମୋହାଚ୍ଛନ୍ନ ନେତା।

ଏମାନଙ୍କର ଆହୁରି ଗୋଟାଏ ଚମତ୍କାରିତା ଅଛି-ଦଳାଦଳି ଫଟାମଫଟି, ଭଙ୍ଗାଭଙ୍ଗି।କିଛି ନ ପାରିଲେ ବାପ ପୁଅଙ୍କ ଭିତରେ ବା ଭାଇ ଭାଇ ମଧ୍ୟରେ ଖଚ୍ଛ ମିଛ କହି ଝଗଡାଟି ଲଗେଇ ଦେଇଥିବେ। ଘଟଣାଟିକୁ ଏମିତି ମୋଡ଼ ଦେଇ ଦେଇଥିବେ ଯେ ଆଉ ସମାଧାନର ବାଟ ଫିଟେନା। କଥାଟାକୁ ମାଜି ଘସି ଚିକ୍କଣ କରି ତୂଳୀରେ ରଙ୍ଗ ବୋଳି ଦେଲା ପରେ ନିହାତି ଅମୂଳକ କାହାଣୀଟା ସତ ସତିକା ନାଟକ ପରିକା ଖ ପ୍ରତୀତ ହେଉହଥିବ। ଭୁଲ୍ ଭୁଲିଆରେ ପଡ଼ି ମୁଣ୍ଡ ସିନା ଟାଇଁ ଟାଇଁ ହୁଏ, ହେଲେ ପରାଭବର ଗ୍ଲାନି ମାନଟାକୁ ଅଥୟ କରି ଦେଇ ଥିବ। ବୁଝିଲା ବେଳକୁ ଫଳ ନା ଚୋପା ଥାଏ। ନେଡି ଗୋଡ କହୁଣୀ କି ବୋହି ଯାଇଥାଏ। ଫାଇଦାବାଜଙ୍କର ସିନା ଫାଇଦା ହୋଇଥାଏ, ହେଲେ ସାଧାରଣ ଜନତାର କି ଲାଭ ହୁଏ? ରାଜନୀତିର କୁତ୍ସିତ କଦାକାର ରୂପ ମନରେ ଭିତ୍ତି ସଂଚାର କରେ। ଶଙ୍କା ଆଶଙ୍କାରେ ମନ ବିଶୋଇ ହୋଇ ଉଠେ। ଏହି ଆମ ଭୋଟର ସର୍ବସ୍ଵ ରାଜନୀତି ଓ ରାଜନେତାଙ୍କ କରିସ୍ମା।

ଏହି ରାଜନୀତି ପାଇଁ ଅନେକ କିଛି ମୋତେ ତ୍ୟାଗ କରିବାକୁ ପଡ଼ିଛି। ସେଦିନ ବାଣୀବିହାରରୁ ପାଠପଢା ସାରିଲା ପରେ 1991-92 ମସିହାରେ ପି. ସି. ସି. ସଭାପତି ଡାକି କହିଲେ – “father or son, ଯିଏ ହେଲେ ଜଣେ ଭଣ୍ଡାରି ପୋଖରୀରୁ ପ୍ରାଥୀ ହେବ। ତେଣୁ ସଂଗଠନ କର। ଜିତିବା ତୁମର ଲକ୍ଷ୍ଯ ।”ଅକ୍ଲାନ୍ତ ପରିଶ୍ରମ କଲି, ଚାରିଆଡ଼େ ବୁଲି ସଭା ସମିତି କରି ବୁଥ କମିଟିଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ କମିଟି ଯାଏଁ ସବୁ ସଂଗଠନ କରାଗଲା। ଘୋ ଘୋ ହୋଇ ଲୋକ ପ୍ରିୟତା ବୃଦ୍ଧି ପାଇଲା। ପି. ସି. ସି. ସଭାପତିଙ୍କୁ ଆଣି ନିର୍ବାଚନର ଠିକ୍ ଅବ୍ୟବହିତ ପୂର୍ବରୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରି ପୋଖରୀ ଓ ବନ୍ତ ବ୍ଲକରେ ଦୁଇଟି ବଡ଼ ଧରଣର ସଭାର ଆୟୋଜନ କରାଗଲା। ବହୁ ଲୋକ ସମାଗମ ହେଲେ। ସମସ୍ତେ ପ୍ରୀତ। ସେଇ ହେଲା ମୋ ଟିକଟ ନପାଇବାର ମୁଖ୍ୟ କାରଣ। କାହିଁକିନା ଏହି ଦୁଇଟି ସଭାରୁ ସ୍ପଷ୍ଟ ହୋଇଗଲା ଯେ, ଏଠୁ ଦଳୀୟ ପ୍ରାର୍ଥୀ ଜିତିବା ନିହାତି ସହଜ। ତେଣୁ ବାହାରୁ ପି. ସି. ସି ସଭାପତିଙ୍କ ନିହାତି ଅନୁଗତକୁ ଥଇଥାନ କରିବା ପାଇଁ ଏ ସ୍ଥାନରୁ ଟିକଟ ଦେଇ ଦେଲେ। 3/4 ବର୍ଷ ସଂଗଠନ କରି ମୁଁ ମୋ କ୍ୟାରିୟର୍ କୁ ସଙ୍କଟରେ ପକେଇ ସାରିଥିଲି। ଆର୍ଥିକ ପରିସ୍ଥିତି ମଧ୍ଯ ସାଙ୍ଘାତିକ ହୋଇ ଉଠିଥିଲା। ପାଠ ପ୍ରତି ଧ୍ୟାନ ଦେଉ ନଥିଲି। ଏହି ରାଜନୀତି ପାଇଁ ଏମ୍. ଫିଲ୍. Admission ରେଭେନସାରେ ପାଇଥିଲେ ମଧ୍ଯ କରିପାରିଲି ନାହିଁ କି ମଧୁ ସୁଦନ ଲ କଲେଜରେ ଲ complete ହୋଇ ପାରିଲାନାହିଁ ।

ହେଲେ ମଝିରେ ମଝିରେ ଗୋଟେ ଅଧେ ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହେଉଥାଏ। ତହୁଁ U. G. C. ଠାରୁ eligibility for lecturship ପାଇଥାଏ। ସେତେବେଳେ ଯେଉଁମାନେ eligibility for lecturship ପାଇଥା’ନ୍ତି ତାଙ୍କୁ ଦିଲ୍ଲୀ ଠାରେ ଏକ ମୌଖିକ ପରୀକ୍ଷାରେ ଅବତୀର୍ଣ କରାଇ research fellowship award ଦେବାର ବ୍ୟବସ୍ଥା ଥିଲା। ଯାହାକି ମୋର ଡିସେମ୍ବର 22/1995 ମସିହାକୁ ନିର୍ଘଣ୍ଟ ହୋଇଥିଲା। ମାତ୍ର୍ 27th ଡିସେମ୍ବର 1995 ମସିହାରେ ଦଳୀୟ ଟିକଟ ଚୂଡାନ୍ତ ହେବାକୁ ଥିବାରୁ ଉଚ୍ଚ ନେତୃବୃନ୍ଦଙ୍କ ପ୍ରରୋଚନା ଓ ଦୃଢ ପ୍ରତିଶୃତି କାରଣରୁ ମୁଁ ଦିଲ୍ଲୀ ଯାଇ ପାରିଲି ନାହିଁ । ଏପଟେ ମଧ୍ଯ ଦଳୀୟ ଟିକଟ ହରେଇଲି। ଫଳରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାନସିକ ଉତ୍ପୀଡନର ଶିକାର ହେବା ଫଳରେ ଭାରସାମ୍ୟ ହରେଇବାକୁ ଲାଗୁଥାଏ। ଅନେକ ଅନୁଶୋଚନା, ମନସ୍ତାପ ଓ ଭୟ ମନ ଭିତରେ ଉଙ୍କି ମାରୁଥାଏ। ଯୋଗକୁ ଠିକ୍ ଏତିକି ବେଳକୁ ଏତେ ବ୍ୟସ୍ତତା ମଧ୍ୟରେ ବି ପୂର୍ବରୁ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମବାୟ ନିରୀକ୍ଷକ ଚାକିରୀ ପାଇଁ ଡାକରା ଆସିଗଲା। 6th ଅଗଷ୍ଟ 1996 ମସିହାରେ ପ୍ରଥମେ ଆନନ୍ଦପୁରରେ ଚାକିରୀରେ ଯୋଗଦାନ କଲି।

କିଛି ଦିନ ବିରାମ ନେଇଗଲି। ପୁନଃ 2008 ମସିହାରେ ଲେଖା ଲେଖି କରି କେତେଖଣ୍ଡ ବହି ପ୍ରକାଶ କରିଥାଏ। ତାହାକୁ ଭେଟି ଦେବା ପାଇଁ ନେତାଙ୍କ ପାଖକୁ ଯିବାରୁ, ତାଙ୍କର ମୋ କଥା ମନେ ପଡିଗଲା, ନେତାଏ କହିଲେ – ତୁମେ ରାଜନୈତିକ ପରିବାରର ପିଲା। ତେଣୁ ବଂଶ ପରମ୍ପରା ରକ୍ଷା କରି ଏଥର M. L. A ପାଇଁ ଛିଡ଼ା ହୁଅ। ଭାବିଲି ଓ. ଏ. ସ. ମେନ୍ ପରିକ୍ଷା ତ ଦେଇଛି, ଭଲ ହୋଇଛି, result ବାହାରି ନାହିଁ, ଦେଖା ଯାଉ କ’ଣ ହେଉଛି, ଟିକିଏ ମାତି ଗଲି। ଗୋଟାଏ ପଟେ ଚାକିରୀ, ଅଧ୍ୟୟନ ଓ ଲେଖାଲେଖି ଅନ୍ୟପଟେ ରାଜନେତା ଓ ଜନସେବା କରିବାର ଭିତିରି ଇଚ୍ଛା। ହରଡ଼ ଘଣାରେ, ଦୋ ଘାଇ ରାସ୍ତାରେ।

ନେତା ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗରେ ରହିଲି। ମାତ୍ର୍ ପୁଣି ପ୍ରତାରଣାର ଶୀକାର। ନେତୃ ମଣ୍ଡଳୀର ଧୋକାଦାରୀ। ଶେଷ ମୁହୂର୍ତ୍ତରେ – ନା। ଏପଟେ ଚାକିରୀ ପ୍ରତି ବିଭିନ୍ନ୍ ଗୁଜବ, ମିଥ୍ୟା ଅପପ୍ରଚାର ଓ ରାଜନୈତିକ ଷଡଜନ୍ତ୍ର ଯୋଗୁ କିଛିଟା ବିପର୍ଯ୍ୟୟ ଓ ବିପତ୍ତି। ଅନ୍ୟ ଦିଗରେ legal dispute ହେତୁ ଓ. ଏ. ସ. Result ବାତିଲ ଓ ପୁନଃ ମେନ୍ ପରୀକ୍ଷା ଘୋଷଣା, ବ୍ୟବଧାନ ସ୍ଵଳ୍ପ, ଏତେ ପରିସ୍ଥିତି ଭିତରେ ପ୍ରସ୍ତୁତି ହୋଇପାରିଲାନି। ଅକୃତକାର୍ଯ୍ୟ। ସନ୍ତାପିତ ଚିତ୍ତ। ହତାଶା ଓ ଅଶ୍ରୁ। ସବୁଥିରେ ଅସଫଳ ଓ ତହିଁରୁ ସ୍ଵପ୍ନ ଭଙ୍ଗ। ବ୍ୟର୍ଥତା।ପୁଣି 20 14 ମସିହାରେ  ଧାମନଗରରୁ ଏଥର M. L. A ପାଇଁ ପ୍ରତିଦ୍ୱନ୍ଦିତା କର ବୋଲି ଏକା ରକମର ଆହ୍ବାନ

ବାର  ବାର ନୁହଁ, ଓଡ଼ିଆ ତ୍ରିବାର ଠକିଲା ପରେ ଏକଦମ୍ ନିଶ୍ଚୁପ। ତେଣିକି ରାଜନୀତି ପ୍ରତି ବଡ଼ ନିଷ୍ପ୍ରୃହ। ଏବେ କେହି ଆହ୍ଵାନ ତୋଳି ଧରିଲେ ମଧ୍ଯ ଆମେ ଅନିଚ୍ଛୁକ। ନାହିଁ କହିବାକୁ ବାଧ୍ୟ। ସାହିତ୍ୟ ଓ ସମାଜର ସେବା ସେହି ବରଂ ଭଲ। କର୍ମ ସଂସ୍ଥାନଟେ ଅଛି – ଅନ୍ନ ଗଣ୍ଡେ ମିଳି ଯାଉଛି। ସେଇ ସନ୍ତୁଷ୍ଟି। ପିଲା  ପାରି ଗଲା ପରେ – ସେବା ଅନୁଷ୍ଠାନଟିଏ ଗଢି ଆତ୍ମ ତୃପ୍ତି ପାଇବା ଲକ୍ଷ୍ୟରେ। ସମୟର ନିବୁଜ କୋଠରୀ ହୁଏତ ଦେଇପାରେ କୌଣସି ଆଲୋକର ସନ୍ଧାନ। ଜୀବନର କେଇଗୋଟି କ୍ଷୀଣପ୍ରଭ ଆଲୋକ ରେଖା କଦବା ଜାଳି ପାରେ ଆଲୋକର ବର୍ତ୍ତିକା। ଏଥିରେ ଆମେ ସିନା ଟିକିଏ ସନ୍ଦିହାନ ତଥାପି ନୂତନ ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନ ପାରେ।

ଏହିପରି ଜୀବନରେ ଅନେକ ମୋଡ। ସିଦ୍ଧାନ୍ତଟା ବାରମ୍ବାର ପରିବର୍ତ୍ତିତ। ସମ୍ପ୍ରତି ପରିସ୍ଥିତି ଭିନ୍ନ। ଗୋଟିଏ ଦ୍ଵାର ଖୋଲିଲା କ୍ଷଣି ଅନ୍ୟ ଦ୍ଵାରଟି ବନ୍ଧ। ଜୀବନର ଗତିପଥ ବଦଳିବାକୁ ବାଧ୍ୟ। କୁଆଡ଼କୁ କେତେବେଳେ କେଉଁ ଗତି କିଛି ନିଶ୍ଚୟତା ସ୍ରୁଷ୍ଟି କରେ ନାହିଁ। ଜୀବନଟା ସତେ ଅବା ଅଙ୍କା ବଙ୍କା ରାସ୍ତା।

ଏଥୁଁ ଆତ୍ମ ନିବେଦନ – ଯାହା ଜୀବନର ଶ୍ରେୟ ଆଉ ଧେୟ ହେବା ଉଚିତ୍, ତାହା ହିଁ  ବାଞ୍ଛନୀୟ। ତହିଁ କି କାମ୍ୟ – ଆଦର୍ଶ ଜୀବନ ଯାପନ, ସରଳ ସୌକର୍ଯ୍ଯ ଜୀବନ ଶୈଳୀ, ଆଧ୍ୟତ୍ମିକ ଓ ଆଧିଭୌତିକ ଚେତନା, ଦାର୍ଶନିକ ସୁଲଭ ଚିନ୍ତା ଓ ଚେତନା ପ୍ରସୂନ ଜୀବନାଦର୍ଶ, ମଣିଷ ସମାଜକୁ ନିରେଖି ଦେଖିବାର କଳା ପାଟବତା, ଅଧ୍ୟୟନ ଓ ଅଧିତବ୍ଯ ବିଷୟରୁ ପ୍ରଗାଢ ଜ୍ଞାନାରୋହଣ। ଅଭିପ୍ରାୟ – ଚେତନାର ଅଳି କନ୍ଦିରେ ନିନାଦିତ ହେଉ ମାନବତାର ଜୟ ଗାନ

ଶେଷରେ ଶେଷ କଥା ଅନ୍ତିମ ଚରଣ :

ଜୀବନ ଏକ ଲମ୍ବା ରାସ୍ତା, ସେଇ ରାସ୍ତାରେ ଆମେ ତୁମେ ସମସ୍ତେ ପଥିକ। କେତେବେଳେ ଠିକଣା ରାସ୍ତା ହୁଡ଼ି, ଗନ୍ତବ୍ୟ ସ୍ଥଳ ଭୂଲି ପଛକୁ ପାଦେ ହଟେ ତ ପୁଣି କେତେବେଳେ ଆଗକୁ ଚାଖଣ୍ଡେ ମାଡ଼ି ଯାଇ ଟିକିଏ ଦମ୍ ମାରେ, ପୁଣି ଚାଲେ , ପଡ଼ି ଉଠି, ଉଠି ପଡ଼ି ଧାଏଁ, ଧାଇଁବାରେ ନଦେଇ ବିରାମ। କାରଣ ଦୌଡ଼ ପ୍ରତିଯୋଗୀତାରେ ସେ କାହାରି ପଛରେ ରହିଯିବାକୁ ଚାହେଁନା। ମୁଁ ବା କେମିତି ବାଦ ପଡ଼ନ୍ତି। ମୋ ଭିତରେ ବି ସେଇ ପ୍ରତିଯୋଗିତାର ମନୋବୃତ୍ତି, ଆଗକୁ ଧାଇଁବାର ସୀମାହୀନ ଅସୀମ ପ୍ରଚେଷ୍ଟା। ଏବେ ଜୀବନରେ ଏଇଠି ପହଁଚି ସବୁ କିଛି ଶେଷ ହୋଇ ଯାଇ ନାହିଁ, ଆହୁରି ଅନେକ କିଛି ବାକି।

ସମସ୍ତଙ୍କୁ ମୋର ପ୍ରଣାମ, ସ୍ନେହ ଶ୍ରଦ୍ଧାରୁ ଝୁଡ଼ିଏ। ଯଦି ମୋ ଜୀବନର ଇତି ବୃତ୍ତି କାହାକୁ ଟିକେ ପ୍ରେରଣା ଦେଇପାରିଲା ଖୁସି ତ ନିଶ୍ଚେ ହେବି, ମତାମତଟିଏ ପାଇଲେ ଆହୁରି ଖୁସି ହେବି।କ୍ଲାନ୍ତ ବାଟୋଇର ଅସରନ୍ତି ପଥେ, ଯଦି କେବେ ପୁଣି ଭେଟ ହୁଏ, ହସି ପଦେ କହିବାର ନିର୍ଭର ପ୍ରତିଶ୍ରୁତି..ରହୁଛି..ଧନ୍ୟବାଦ..

Related posts

ପରିତ୍ୟକ୍ତ କୋଠି

satya

ଶୂନ୍ଶାନ୍ ରାତି ଗଳ୍ପ ସମ୍ଭାର

satya

ମାନପତ୍ର

satya

3 comments

Sumati roul 29th August 2018 at 5:19 pm

ବହୁତସୁନ୍ଦର ।

Reply
Priyambada sethi 5th September 2018 at 8:33 am

Great work and adorable6

Reply
Rxyanqurike 2nd October 2019 at 5:15 pm

Instanter this is some goods you homelessness to know: slot

Reply

Leave a Comment

Login

X

Register