Satya Prakash
  • Home
  • Uncategorised
  • ଗଳ୍ପ ପହଞ୍ଚିଲା ଚାରି ଧାଡ଼ିରେ
Uncategorised

ଗଳ୍ପ ପହଞ୍ଚିଲା ଚାରି ଧାଡ଼ିରେ

ଗଳ୍ପ… ସେଇ ଏକା ଯିଏ ଏକା ଆତ୍ମବିଶ୍ଵାସରେ ଭରା
—-////—-
ଯେତେବେଳେ ଅତିରିକ୍ତ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟାର ଉତ୍ପୀଡ଼ନରେ ଉତ୍ପୀଡ଼ିତ ହୋଇ ଜନତା ତ୍ରାହି ତ୍ରାହି ଡାକୁଥିଲେ ସେତେବେଳେ କିଏ ଉତ୍ପୀଡ଼କ ଶାସାକଙ୍କର ବିକଳ୍ପ ହେବ ବୋଲି ଚିନ୍ତା ଜୋର୍ ଧରିଥାଏ। ତେଣୁ ଛୋଟ ଛୋଟ ବିରୋଧୀ ଦଳ ଗୁଡିକ ଏକାଠି ହୋଇ ବଳ ସଂଗ୍ରହରେ ଲାଗି ପଡିଥାନ୍ତି ହେଲେ ବିକଳ୍ପ ନେତାଙ୍କର ନାମ ସାବ୍ୟସ୍ତ କରି ପାରୁ ନ ଥାନ୍ତି। ଏତେବେଳେ ନୂତନ ଏକ ସମ୍ଭାବନା ତୋଳି ଗୋଟିଏ ମାତ୍ର ଲୋକ ଏବଂ କେଞ୍ଚୁଆ ବୋଲି ଛୋଟ ଏକ ଦଳର ନେତା ସାମ୍ନାକୁ ଆସନ୍ତି।ଏ କଥାଟା ପାଣି ପବନରେ ମିଶି ଯେପରି ଅଦ୍ଭୁତ ସ୍ଵର ଝଙ୍କାର ସ୍ରୁଷ୍ଟି କଲା ତାହା ତ ପରିଣତିରୁ ସ୍ପଷ୍ଟ ପ୍ରମାଣ ମିଳିଲା। ସେଦିନ ପରା ଆମ ଗାଁରେ ବର୍ଷା ହେବା ପାଇଁ ଗ୍ରାମ ଦେବତୀଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବା ପାଇଁ ଦିନ ଧାର୍ଯ୍ୟ ହେଲା ଯେଉଁଦିନ କି କେହି ଛତା ଆଣି ନଥିଲେ ହେଲେ ମଦନ ବଡପା ଏକା ଛତା ଆଣିଥିଲେ।ସେଇ ଏକା ଯିଏ ଏକା ଆତ୍ମବିଶ୍ଵାସରେ ଭରା।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଚୁଗୁଲି

ଅଫିସରେ ଚୁଗୁଲାମି ।ମୀନ କେତନ ସାର୍ ଙ୍କର କିଛି କାମ ନାହିଁ, ୟା ତା ଟେବୁଲ ପାଖରେ ଛିଡା ହୋଇ ଖାଲି ଗପିବା ବ୍ୟତୀତ। ହେଲେ ଭଲ କଥା କିଛି ଗୋଟେ କହନ୍ତେ କି ଭଲା। ଖାଲି ଛିଦ୍ର। ପରଛିଦ୍ର ପରନିନ୍ଦା ଓ ପରଚର୍ଚ୍ଚା। ନୋହିଲେ ତାଙ୍କର ପରା ଭାତ ହଜମ ହୁଏ ନାହିଁ। ଧନ୍ୟ କହିବା ୟାଙ୍କୁ। ନିଜ ସମ୍ପର୍କରେ ପଚାରି ବସିଲେ ଭ୍ରୁକୁଞ୍ଚିତ କରନ୍ତି ମସ୍ତକ। ସମୁଜ୍ଜଳ ହୋଇ ଦିଶିଯାଏ ତାଙ୍କ ଜୀବନ ଜ୍ୟୋତି ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ… Iwritemedia

ଗଳ୍ପ… ମାନି, ଜାମିନୀ ଓ ମଧ୍ୟସ୍ଥି
—-///——-((((…. ////….
ମାନି, ଜାମିନୀ ଓ ମଧ୍ୟସ୍ଥି। ପତି ବାବୁଙ୍କର ଗୋଟେ ଖରାପ ଅଭ୍ୟାସ-ସବୁ କଥାରେ ମୁଣ୍ଡ ପୂରାଇବା। କିଏ କଣ କଲା, କେମିତି କଲା ତୁମର କଣ ଯାଏଆସେ ଏତେ – ମୁଣ୍ଡ ଖେଳାଉଛ ଅତି । ପ୍ରଥମ ପକ୍ଷ ରାମ ବାବୁ, ଦ୍ଵିତୀୟ ପକ୍ଷ ମନା ବାବୁ। ଜଣେ ଜମି ବିକିବେ – ବାୟା, ଆଉ ଜଣେ ଜମି ନେବେ – କ୍ରେତା। ତୁମେ କାହିଁକି ପଇସା ନେଣଦେଣ ଦାୟିତ୍ଵ ମୁଣ୍ଡ ଉପରକୁ ନେଉଥିଲ? ତୁମେ କଣ ଜମି ଦଲାଲ? ତେବେ ଭଦ୍ରଲୋକୀ ଦେଖେଇ ହେଉଥିଲ, ଏ ଲାଗେ କେସ୍ ଯାଇ କୋର୍ଟରେ ପହଞ୍ଚିଲାଣି, ସମ୍ଭାଳୁଣ? ଭାଇ ପର ପାଇଁ ନଖବାଳ ଦେଇ ହୀନସ୍ଥା ହେବା ଅପେକ୍ଷା ନିଜ କଥା ନିଜେ ଟିକିଏ ଚିନ୍ତା କର। ଅନ୍ୟକୁ ସାହାଯ୍ୟ କର ମନା ନାହିଁ, ହେଲେ ଯେତିକି କରି ହେବ ସେତିକି ନା ତାଠୁଁ ଅଧିକା? ନୋହିଲେ ନିଜ ବସ୍ତ୍ର ପରକୁ ଦେଇ ଶିବ ପଳାଇଲେ ଲଙ୍ଗଳା ହୋଇ – ଏପରି ଅବସ୍ଥା ସାର ହେବ। ସାହାଯ୍ଯ କରିବାର ଅର୍ଥ ନୂହେଁ ଅନ୍ୟର ଦାୟିତ୍ଵକୁ ନିଜେ ମୁଣ୍ଡାଇବା। ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ଯ ଅଛି, ତେବେ ହିସାବ କିତାବ ବରାବରି ହେବା ଦରକାର। ସେଦିନ ବିଚ୍ ରାସ୍ତାରେ ଘୋଷରା ଟଣା କରି ଜମି ମାଲିକଟା କଣ ପତି ବାବୁଙ୍କୁ କମତି ହଇରାଣ ହରକତ କଲା, ଖାଲି ମୁଁ ସେଠି ଥିଲି ବୋଲି ପରିସ୍ଥିତିଟା କୌଣସି ପ୍ରକାର ଆୟତ୍ତ ହେଲା। ଏ ପରା କଳି କାଳ। ବେଳ ଉଚ୍ଛୁଣା ଯାହା ହେଲାଣି ନ କହିଲେ ଭଲ।
By ସତ୍ୟ ପ୍ରକାଶ ସେଠୀ

ଗଳ୍ପ ପହଞ୍ଚିଲା ଚାରି ଧାଡ଼ିରେ.. “ଛାଡ଼ପତ୍ର “
———///ଛାଡ଼ପତ୍ର ପାଇଁ ଦିନ, ସମୟ ଓ ତାରିଖ ଧାର୍ଯ୍ୟ । ବାକି ରହିଲା କୋର୍ଟ କଚେରୀରେ ଯାଇ ମାମଲାଟିକୁ ଚୂଡାନ୍ତ ରୂପ ଦେବା। ଉଭୟ କଚେରୀ ଫାଟକ ସମ୍ମୁଖ ଭାଗରେ। ଅନ୍ଵେଷା କେଉଁଠି ଥିଲା କେଜାଣି ଦୌଡ଼ି ଦୌଡ଼ି ଯାଇ ବାପା ମାଆଙ୍କ ମୁହଁକୁ ଚାହିଁ କାନ୍ଦି ଉଠିଲା ଭୋ ଭୋ। ଝିଅର କୋହ ଦେଖି ଉଭୟ ପରସ୍ପର ମୁହଁକୁ ଚାହିଁ ରହିଥାନ୍ତି ଏକ ବିରାଟ ସମ୍ଭାଷଣ ନେଇ। ହଠାତ୍ ପାଟିରୁ ଝଡ଼ି ପଡ଼ୁଥିଲା ଅନୁତାପ ଝୁଲରେ ଝଲସିତ ହୋଇ କେଇଗୋଟି ଆକସ୍ମିକ ଶବ୍ଦ। ଛାଡପତ୍ର କାଗଜ ଗୁଡ଼ାକ ହାତରୁ ଖସି ଯାଇ କୋର୍ଟ ବାରଣ୍ଡାରେ ଲହଡ଼ି ଖେଳୁଥିଲା ।
By ସତ୍ୟ ପ୍ରକାଶ ସେଠୀ

ଗଳ୍ପ… ଚୋର
ରାମ ହରି ବାବୁ ହଠାତ୍ ଦେଖା ହେଲେ। ଆଳାପ ଆଲୋଚନା ଚାଲିଲା। ସେ କହିଲେ – “ଦୁନିଆଟା ଚୋର। ସମସ୍ତେ ଚୋର” । ମୁଁ କହିଲି – “ଏହା କିପରି? ସମସ୍ତେ ବା କେମିତି ଚୋର ହୋଇପାରିବେ। ଯଦି ଦୁନିଆଟା ଚୋର, ତେବେ ଆପଣ ବି କଣ…” ।ସେ କହିଲେ – ସେଇଥିପାଇଁ ତ କହିଲି ଦୁନିଆଟା ଚୋର। ଅର୍ଥାତ୍ ଦୁନିଆରେ ସମସ୍ତେ ସିନା ଚୋର ବୋଲି ଗଣା ହେଲେ ନିଜେ ସାଧୁ ବୋଲି ପରିଚିତ ହେବ। କିନ୍ତୁ ଦୁନିଆଟା ସାଧୁ ହେଲେ ନିଜ ଚୋରି ଧରାପଡ଼ି ଯିବ ଯେ”! ମୁଁ ମୌନ ରହିଲି। ନୀରବରେ ମୁଣ୍ଡ ଟୁଙ୍ଗାରି ତାଙ୍କ କଥାରେ ହଁ ଭରିଲି। ସେ ଆହୁରି ଉତ୍ସୁକତା ଭରି କହିଲେ – ସେ କେମିତି ନିଜେ ଚୋରି କରି ଅନ୍ୟମାନଙ୍କୁ ଅତି ସହଜରେ ଫସାଇଛନ୍ତୀ।ହେଲେ ତାଙ୍କର ଏହି କୁଶଳୀ ପଣିଆ ପାଇଁ ସାଧୁ ସାଧୁ ବୋଲି ଚାରିଆଡ଼େ ଡିଣ୍ଡିମ ବାଜିଛି। ମୁଁ ବି ସାଧୁ ସାଧୁ କହି ମୁଣ୍ଡିଆ ମାରିଲି।। ସେ ସ୍ଥାନ ଛାଡ଼ି ତୁରନ୍ତ ହଟିଲି। ୟାହାପ ୟାଙ୍କ ଚାରି ଖୁରାକୁ ଜୁହାର୍।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :iwritemedia

ଗଳ୍ପ… କ୍ଷମତାର ଦୂରୁପଯୋଗ
——((((——
ଧୃତରାଷ୍ଟ୍ରଙ୍କ ଦୁର୍ଯ୍ଯୋଧନ ପୁତ୍ର। ସେଦିନ ମୁଁ ଅଫିସ କାର୍ଯ୍ୟରେ ଟିକିଏ ଅଧିକ ବ୍ୟସ୍ତ ଥିଲି। ଅଳ୍ପ ବୟସ୍କ ପିଲାଟିଏ ଆସିଲା। କହିଲା ମୁଁ ଅମୁକ ସମିତିର ସମୁକ ସଭାପତି। ସନ୍ଦେହ ହେଲା ସମ୍ପାଦକ ଙ୍କୁ ଫୋନ୍ କଲି। କହିଲେ ଇଏ ଆଜ୍ଞା ସଭାପତିଙ୍କ ପୁଅ। ତାଙ୍କ ବାପା ଅତି ଭଦ୍ର ସରଳ ଓ ଅମାୟିକ। ଇଏ କିନ୍ତୁ ବାପାଙ୍କର କ୍ଷମତା ପ୍ରୟୋଗ କରି ବଡ଼ ଜୁଲୁମ କରୁଛି। ନୀରିହ କର୍ମଚାରୀ ହନ୍ତସନ୍ତ । ପଚାରିଲେ କହୁଛି ତାଙ୍କ ବାପା ମୂର୍ଖ ଓ ଅପାରଗ। ତେଣୁ ସେ ସମ୍ପୂର୍ଣ୍ଣ ଦାୟିତ୍ଵ ନିଜେ ନେଉଛନ୍ତି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :iwritemedia

ବାର୍ଦ୍ଧକ୍ୟର ସ୍ଵର

ସନ୍ଧ୍ୟା ହେଲେ ଆମେ ନିଶୁଆ ନଇକ୍ଷଣ ବୁଢ଼ା ପାଖରେ ବସିପଡ଼ୁ ଆଉ ସେ ଗଳ୍ପ ପେଡ଼ିରୁ ଗୋଟେ ପରେ ଗୋଟେ ଗଳ୍ପ ଖୋଲେ। ଗଳ୍ପର ଡୋର ଲମ୍ବି ଯାଏ କୁହୁକ ରାଇଜର କୁହୁକ କାହାଣୀଠାରୁ ଆରମ୍ଭ କରି ଅଗନା ଅଗିନି ବନସ୍ତର ଅସୁରୁଣୀ ବୁଢୀଯାଏ। ବୋଉ ଡାକେ – “ଖାଇବୁ ଆସେ”। କେତେବେଳେ ଯେ ନିଦ ଘୋଟି ଆସି ଆଖିର ପରଳ ପଡ଼ିଯାଏ ଜାଣିହୁଏ ନାହିଁ। ନିଦରେ ତା କଥା ଗୁଡ଼ାକ କିନ୍ତୁ ସ୍ପଷ୍ଟ ମନେ ପଡିଯାଏ, ଭୟରେ ଦେହ ହାତ ଘାରିଯାଏ। ସକାଳୁ ବିଛଣା ଛାଡିଲେ ନିତ୍ୟ ନୈମିତ୍ତିକ କାମ । ସନ୍ଧ୍ୟା ହେଲେ ପୁଣି ସେଇ ପୁରୁଣା ଅଭ୍ୟାସ, ଗଳ୍ପର ସମ୍ଭାର ।
ଗଳ୍ପ କହୁ କହୁ ବୁଢ଼ା ହୁଡ଼ି ପକାଏ – “ପାକିଲି ବୋଉ ନାଶ କରାଟଟା ଟିକିଏ ପାଖକୁ ଆଣେନି”। ପାକିଲି ବୋଉ ଚିଡି କି ହୁତାଶନ ହୁଏ। ବୁଢ଼ାର ପାଟି ଆମ୍ବିଳା ହୋଇ ରହେ। ତା ପରଠାରୁ ଆମେ ଛୁଆ ସବୁ ପାଳି କରି ବୁଢା ପାଇଁ ଦୋକ୍ତା ଆଣିଦେଉ। ବୁଢ଼ା ଦଳି ନାଶ କରି ଖାଏ। ପିଲାଏ ପହଂଚି ଗଲେ ବୃଦ୍ଧଙ୍କର ବଡ଼ ଖୁସି, ନିଜର ଏକଲାପଣ ଦୂରହୁଏ। ନୋହିଲେ କୁଆଡେ ଯାଇ ଆସି ପାରୁନଥିବା ବୁଢ଼ା ଲୋକଟି ସେଇଠି ସେମିତି କେତେ ବସିବ ଯେ! ପାଣି ମୁନ୍ଦେ ପାଇଁ ଡାକିଲେ ତ କେହି ଦିନେ କାଳେ ଶୁଣନ୍ତି ନି। ଏଇ ପିଲାମାନେ ବରଂ ତା ସାହା ଭରସା। ଦିନେ ଶୁଣିଲୁ ହେପାଜତ ଅଭାବରୁ ବୁଢ଼ାଟା ଆର ପାରିକୁ ଚାଲିଗଲା, ସେଇ ପିଣ୍ଡଟାରେ ସେମିତି ପଡ଼ି ପଡ଼ି କି।।
by ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଚା ଖଟି

ଭାରି ଭୋକ। ଅଣ୍ଡାଳି ଅଣ୍ଡାଳି ପହଞ୍ଚିଲି ଚା ଭାଟିରେ। ସେଠି ଅନେକ ଲୋକ। ମୋ ପାଳି ପଡୁ ପଡୁ ଟିକିଏ ବିଳମ୍ବିତ। ଚାରେ ବିସ୍କୁଟ ବୁଡାଇ ଖାଉ ଖାଉ ଦୁଇ ଢୋକ ମାରି ଦେଲି। ଚା ଚାଟଶାଳୀରେ ପଢା ହେଉଥିଲା ରାଜନୀତି ବିଷୟକ ଏକ ପାଠ । ଜଣେ କହିଲେ “ଏଥର ମୋଦୀ”, ଆଉ ଜଣ କହିଲେ – “ରାହୁଲ “। ତୃତୀୟ ଜଣକ ଆମ୍ ଆଦମୀର ପ୍ରଶଂସକ। କଥା କଟାକଟି ଓ ଯୁକ୍ତିତର୍କର ନାଦ ନିନାଦିତ । ମଝିରେ ମଝିରେ ହୁଙ୍କାର ଓ ହୁଁ ହାଁର ଫୁତ୍କାର। ତେଣିକି ହାତାହାତି, ମୁଥ ମରାମରି। ନୀରବରେ ବସି ଚା ପିଉଥିବା ଭଦ୍ର ଲୋକଟି କେବଳ ଏତିକି କହିଲେ – ଆଉ କେତେଦିନ…
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ସହକର୍ମୀ

ମହିଳା ସହକର୍ମୀ ପ୍ରତି ସୋମେଶ ବେଶ୍ ସମ୍ବେଦନଶୀଳ। ତାଙ୍କର ହାନିଲାଭଠାରୁ କେମିତି ଦିନଚର୍ଯ୍ୟା ଚାଲିଛି ସବୁ କିଛି ପଚାରି ବୁଝନ୍ତି । ଆଉ ରୀତା ମଧ୍ୟ ନିଜ ଭଲମନ୍ଦକୁ ନେଇ ସୋମେଶଙ୍କ ସହ ଆଲୋଚନା କରିବାକୁ କେବେ ବି ସଙ୍କୋଚ କରନ୍ତିନି। କାରଣ ଯାହା ହେଲେ ବି ସୋମେଶ ବୟସ୍କ, ପିଲାଛୁଆଙ୍କୁ ନେଇ ତାଙ୍କର ସଂସାର । ହେଲେ ରୀତା ତାପସଙ୍କ ସହ ନିଜକୁ ଅଧିକ ସହଜ ମଣନ୍ତି। ନିଜ ମନ କଥା ଖୋଲି କହନ୍ତି। କାରଣ ଟିକିଏ ସମ ବୟସ୍କ ନା, ଖାସ୍ କରି ସେଇଥିପାଇଁ। ବେଳେବେଳେ ଖୁବ୍ ହସାହସି ହୁଅନ୍ତି ।ଉଭୟ ଉଭୟଙ୍କୁ ଦଣ୍ଡେ ଖଣ୍ଡ ଏକାଠି ପାଇଲେ ଯେମିତି ଯୁଗଯୁଗର କଥା ବଖାଣି ବସନ୍ତି। ଏଗୁଡାକ କିନ୍ତୁ ସୋମେଶଙ୍କୁ ଆଦୌ ଭଲ ଲାଗେ ନାହିଁ। ସେ ଆକଟ କରିବା ବାହାନାରେ ରଡି ଛାଡନ୍ତି। ନିଜ ସିଟ୍ ରେ ନିଜେ ବସି ରହି ନଚାକୁଦା କରନ୍ତି। ନିଜକୁ ନିଜେ ହଜାଇ ନିଜର ଠିକଣା ଖୋଜନ୍ତି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଅପାହିଜ

ହଟାକଟା ସଳଖ ସୁନ୍ଦର ଚଉଡା ଲୋକଟିଏ। ବସରେ ବସିଥିଲେ। ଏଇ ସମୟରେ ସ୍ତ୍ରୀ ଲୋକଟିଏ ଆସିଲେ, କହିଲେ – ମୋତେ ଟିକିଏ ସିଟ୍ ଟି ଛାଡିବେ, କାରଣ ମୁଁ ମହିଳା, ଏତିକି ଅନ୍ତତଃ ଆପଣ ତ କରି ପାରିବେ ନା! ଲୋକଟି ମନା କରିବାରୁ ସ୍ତ୍ରୀ ଲୋକଟି ଓଲଟା ଷୋଲଟା କି ଭଲ କି ଦି ପଦ ଶୁଣାଇଦେଲେ। କିଛି ସମୟ ଉପରାନ୍ତେ ଆଉ ଜଣେ ଗର୍ଭବତୀ ଆସିଲେ। ସେ ମଧ୍ଯ ସିଟ୍ ଟା ତାଙ୍କୁ ଦେବାକୁ କହିଲେ। ଯୁକ୍ତି କଲେ – “କଣ ମାନବତା ନଷ୍ଟ ହୋଇଗଲାଣି ନା କଣ, ଜଣେ ଗର୍ଭବତୀ ମହିଳାକୁ ଏ ଜଣକ ସିଟ୍ ଛାଡିବାକୁ ନାରାଜ”। ପୁଣି କିଛି ସମୟର ନୀରବତା ଆଉ ବ୍ୟବଧାନରେ ପରେ ଆଉ ଜଣେ ବୟସ୍କ ବୃଦ୍ଧ ଆସିଲେ। ସେ ମଧ୍ଯ ଯୁକ୍ତିର ଉପହାରକୁ ନେଇ ଘଟଣାକ୍ରମକୁ ଦୋହରାଇଲେ। ଲୋକଟି କିନ୍ତୁ ବୁଝିପାରୁ ନଥାଏ ତାକୁ ନେଇ କାହିଁକି ଏତେ ଷଣ୍ଢୁଆସୀ ଆକ୍ରମଣ। କଥାରେ ନଥାଏ ନା ଯିଏ ଲଙ୍କା ଆଦୌ ଖାଏ ନାହିଁ ଭୋଜି ଭାତରେ ତାହାରି ଭାଗରେ ବେଶୀ ଲଙ୍କା ପଡ଼େ। ସେହିପରି ଯିଏ ସାହାଯ୍ଯ କରିବାକୁ ଅକ୍ଷମ ତାହାରି ପାଖରୁ ସାହାଯ୍ୟ ପାଇଁ ବେଶି ଅପେକ୍ଷା ରଖାଯାଏ। ଶେଷରେ ଆସିଲେ ଦୁଇଟି ଗୋଡ ନଥିବା ଜଣେ ଅକ୍ଷମ ବ୍ୟକ୍ତି ଯାହାଙ୍କୁ ନିଜ ସିଟ୍ ଦେବା ପାଇଁ କେହି ଆଗଭର ନ ଥିଲେ। ହେଲେ ସେଇ ଲୋକଟି ଏଥର ନିଜ ସିଟ୍ ରୁ ଉଠି ଛିଡ଼ା ହେଲେ ଆଉ ଅକ୍ଳେଶରେ ସେଇ ସିଟ୍ ରେ ବସିବାକୁ ଅକ୍ଷମ ବ୍ୟକ୍ତି ଜଣଙ୍କୁ ଇଙ୍ଗିତ କଲେ। ଏତେବେଳେ ସମସ୍ତେ ଦେଖିଥିଲେ ଯେ ସେଇ ସିଟ୍ ଦେଇଥିବା ଲୋକଟି ଅପାହିଜ, ତା’ର ଗୋଟେ ଗୋଡ଼ ନାହିଁ ସଳଖି ଛିଡା ହେବା ପାଇଁ। ଏତେବେଳେ ତାଙ୍କୁ ପୂର୍ବରୁ ଆକ୍ଷେପ କରୁଥିବା ସେଇ ସହହୃଦୟ ବ୍ୟକ୍ତିବୃନ୍ଦ ମଧ୍ୟରୁ କେହି ତ ତାଙ୍କୁ ନିଜ ତରଫରୁ ସିଟ୍ ଟେ ଯାଚିଲେ ନାହିଁ। ହେଲେ ପରିସ୍ଥିତିକୁ ନ ବୁଝି ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଆମ ସଭ୍ୟତାର ମାପକାଠି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଟୁଆଁ ଟୁଇଁ

ଗୋଟେ ଟୁଆଁ ଥିଲା, ଆଉ ଗୋଟେ ଟୁଇଁ । ଜଣେ ଯାହା କହେ ଆଉ ଜଣେ ତା’କଥାରେ ହଁ ମାରେ। ଜଣେ ପାଳିଆ ଆଉ ଜଣେ ଶ୍ରୀପାଳିଆ। ଏହି କ୍ରମରେ ଜଣକର ଅନ୍ୟ ଜଣଙ୍କ ପ୍ରତି ଖୁବ୍ ଆନୁଗତ୍ୟ। ରୋଷେଇ ପତ୍ର ହେଉ ବା ଅନ୍ୟ କେଉଁ କାମରେ ପ୍ରତ୍ୟେକ ପରସ୍ପରର ବେଶ୍ ସହଯୋଗୀ।ମରଣ ଯନ୍ତାକୁ ଜଣେ ଅନ୍ୟ ଜଣଙ୍କ ପାଇଁ ଡେଇଁପଡ଼ିବ ସିନା ହେଲେ ବାଘ ମୁହଁକୁ ତାକୁ ଠେଲି ଦେଇ ନିଜ ରକ୍ଷଣ କଥା ସେ କେବେ ବି ଭାବି ପାରେ ନାହିଁ। ବୁଦ୍ଧି ତ ଅନୁକୋଟି। ତେଣୁ ମିଳିମିଶି ଉପାୟ ଚିନ୍ତନ୍ତି,ତହୁଁ ନିସ୍କୃତିର ମାର୍ଗ ଆପଣାଛାଏଁ ବାହାରି ଆସେ। ବନ୍ଧୁତା ଏକା ସିନା ଜାଣେ ବନ୍ଧୁତ୍ୱର ମହତ୍ତ୍ଵ, ଆଉ କିଏ କାହୁଁ ବୁଝିବ, ବୁଝିବା ବା କ’ଣ ଦରକାର । ସେଇ ଏକା ବନ୍ଧୁ ସବୁଠାରୁ ପ୍ରିୟ ବନ୍ଧୁ ।
ଏ କଥା ମୋ ପାଟିରୁ ଝରି ପଡୁଥିଲା ଯେତେବେଳେ ମୃତ୍ୟୁଞ୍ଜୟ ଓ ଅଭିଳାଷ ପରସ୍ପର ଲଢୁଥିଲେ ନିଜ ହକ୍ ଓ ଅଧିକାରକୁ ନେଇ ଯହିଁରୁ ଉତ୍ପନ୍ନ ବିରାଟ ବାକ୍ ବିତଣ୍ଡା । ଏତେବେଳକୁ ଦୁଇ ଜଣଙ୍କ ମୁହଁ ତଳକୁ ହୋଇଗଲା। ପରଷ୍ପରକୁ କୋଳାଗ୍ରତ କରି କେଯାଏଁ କାନ୍ଦି ଉଠିଲେ କଇଁ କଇଁ ହୋଇ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଝରକା ସେପାରିର ଝିଅଟା

ମୁଁ ଥରେ ରାସ୍ତା କଡ଼ ଚା ଦୋକାନରେ ଚା ପିଉଥାଏ। ହଠାତ୍ ଦେଖିଲି ଝରକା ସେପାରିରେ ଝିଅଟିଏ ବାରମ୍ବାର ରାସ୍ତାକୁ ଚାହୁଁଥାଏ। ରାସ୍ତାର ଗାଡି ମୋଟର ଶବ୍ଦକୁ କାନଉ ଥାଏ। ଭେଁ ଭାଁ ରଡିରେ ବେଳେବେଳେ ଶିହରୀ ଉଠୁଥାଏ। ବେଳେ ବି ଉନ୍ମାଦିତ ହୋଇଯାଉଥାଏ। ପୁଣି ମୁଚୁମୁଚୁ ହସୁଥାଏ।ସେଇଦିନୁ ତା ପ୍ରତି କଣ ଏମିତି ଆକର୍ଷଣ ହେଲା କେଜାଣି ମୁଁ ପ୍ରତ୍ୟହ ସେଇ ଏକା ସମୟରେ ସେଇଠି ସେମିତି ଚା ପିଏ ଆଉ ସେ ମୋତେ ଦେଖେ। ମୋତେ ଲାଗେ ତାହାର ବି ମୋ ପ୍ରତି ଆକର୍ଷଣ ଆସି ଯାଇଥିବ ଆଉ ସେ ମୋତେ ଦେଖି ଖୁସି ହୁଏ। ମୁଁ ତାକୁ ଆଖିରେ ଆଖିରେ କେତେ ଇସାରା କରେ ଆଉ ସେ ଫିସିଫିସି ହସିଦିଏ। ମୁଁ ଖୁବ୍ ଉଲ୍ଲସିତ ହୁଏ। ଭାବେ କେବେ ସୁବିଧା ସୁଯୋଗ ପାଇଲେ ମୋ ପ୍ରେମ ତାକୁ ଖୋଲି କି କହନ୍ତି। ହେଲେ ମୋ ପ୍ରତୀକ୍ଷାର ଅନ୍ତ ଘଟୁ ନଥାଏ କି ସେ କେବେ ତଳକୁ ଓହ୍ଲେଇ ଆସୁ ନଥାଏ। ମୁଁ କିନ୍ତୁ ପ୍ରଣ କରିଥାଏ ମୋ ମନ କଥା ଯେମିତି ହେଲେ ତାକୁ ଦିନେ ନିଶ୍ଚେ କହିବି। ତେଣୁ ତ ସବୁଦିନେ ଏଇଠିକୁ ଆସେ। ଦିନେ ମୋ ଭାଗ୍ୟରେ ସୁଯୋଗ ଜୁଟିଲା। ସେ ତା ମାଆର ହାତ ଧରି ତଳକୁ ଓହ୍ଲେଇଲା ଓ ନିମିଷକେ ଗାଡିରେ ବସି କେଉଁଆଡ଼େ ଉଭାନ ହୋଇଗଲା। ହେଲେ ସେ ଖୁବ୍ ରୂପବତୀ ଓ ପୂର୍ଣ୍ଣ ଯୌବନା। ପୋଷାକ ପରିଚ୍ଛେଦ ଭିତରେ ବି ତାର ଅଙ୍ଗ ସୌଷ୍ଠବ ବେଶ୍ ପରିସ୍ଫୁଟ ହୋଇ ଉଦ୍ଭାସିତ ହେଉଥାଏ। ମୁଁ ବିମୋହିତ ହୋଇ ଭାବନାରେ ବହରି ଯାଉଥିଲି। ମୋତେ ତ ଲାଗିଲା ସେ ଚାଲିଗଲା ବେଳେ ମୋରି ଆଡକୁ ଚାହିଁ ରହି ଯେମିତି କିଛି ଇଙ୍ଗିତ କରି ଚାଲିଗଲା। ମୋ ବ୍ୟସ୍ତତା ଓ ଆନମନା ଦେଖି ଚା ଦୋକାନୀ କହିଲା – ବାବୁ! ତୁମେ କାହାକୁ ଦେଖି ଏମିତି ବାୟା ହେଉଛ? ସେ ଝିଅ କେବେ ବି ତୁମକୁ ଦେଖି ନାହିଁ କି ଆଖିରେ କିଛି ଇସାରା କରି ନାହିଁ। ଏ ସବୁ ତୁମ ମନର ଭ୍ରମ। ସେ ତ ରାସ୍ତାକୁ ନିଇତି ଦେଖେ ଓ ଏ କୋଳାହଳ ପୂର୍ଣ୍ଣ ମଣିଷକୁ କେବଳ ଶୁଣେ। କାରଣ ଦୃଷ୍ଟି ଶକ୍ତି ହରେଇ ଥିବା ସେ ଜଣେ ଅନ୍ଧୁଣୀ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଇଏ ବି ଗୋଟେ ସଭାପତି

ସେଦିନ ମୁଁ ଅଫିସ କାର୍ଯ୍ୟରେ ଟିକିଏ ଅଧିକ ବ୍ୟସ୍ତ ଥିଲି। ଅଳ୍ପ ବୟସ୍କ ପିଲାଟିଏ ଆସିଲା। କହିଲା ମୁଁ ଅମୁକ ସମିତିର ସମୁକ ସଭାପତି। ସନ୍ଦେହ ହେଲା ସମ୍ପାଦକ ଙ୍କୁ ଫୋନ୍ କଲି। କହିଲେ ଇଏ ଆଜ୍ଞା ସଭାପତିଙ୍କ ପୁଅ। ତାଙ୍କ ବାପା ଅତି ଭଦ୍ର ସରଳ ଓ ଅମାୟିକ। ଇଏ କିନ୍ତୁ ବାପାଙ୍କର କ୍ଷମତା ପ୍ରୟୋଗ କରି ବଡ଼ ଜୁଲୁମ କରୁଛି। ନୀରିହ କର୍ମଚାରୀ ହନ୍ତସନ୍ତ । ପଚାରିଲେ କହୁଛି ତାଙ୍କ ବାପା ମୂର୍ଖ ଓ ଅପାରଗ। ତେଣୁ ସେ ସମ୍ପୂର୍ଣ୍ଣ ଦାୟିତ୍ଵ ନିଜେ ନେଉଛନ୍ତି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଏକା ଠିକଣାର ଦୁଇଟା ଅଲଗା ମଣିଷ

ଟ୍ରେନରେ ଦୂର ଜାଗାକୁ ଯାତ୍ରା କରୁଥାନ୍ତି ମନ ମୋହନ ସିଂହ। ସେଇ ଟ୍ରେନରେ ଆହୁରି ଅନେକ ସହଯାତ୍ରୀ ମଧ୍ୟ ଯାତ୍ରା କରୁଥାନ୍ତି, ହେଲେ ସମସ୍ତେ ନୀରବ। ନୀରବ ରହିବେ ବୋଲି ଆଉ କେତେ ଯେ ନୀରବ ରହିବେ। ଏଥର ମନ ମୋହନ ପାଟି ଖୋଲିଲେ। ସେ ସାମ୍ନା ସିଟ୍ ରେ ବସିଥିବା ସହଯାତ୍ରୀଙ୍କୁ ପ୍ରଶ୍ନ ବାଢିଲେ -” ଆପଣଙ୍କ ନାଁ କଣ? ଆପଣଙ୍କ ଘର କେଉଁଠି “? ସହ ଯାତ୍ରୀଜଣଙ୍କ କହିଲେ – “ମୋ ନାଁ ମଦନ ମୋହନ ସିଂହ। ମୋ ଘର ଓଡ଼ିଶାର ଭୁବନେଶ୍ଵର ସହରରେ” । “ଭୁବନେଶ୍ବର ସହରରେ” କଥା ଶୁଣି ମନ ମୋହନ ଯେମିତି ଅଧିକ ଉତ୍ସାହିତ ହୋଇ ପଡିଲେ। କହିଲେ-“ମୋ ଘର ବି ଭୁବନେଶ୍ବର ସହରରେ। ହେଲେ ଭୁବନେଶ୍ବର ସହରର ଆପଣଙ୍କ ଘର କେଉଁଠି କହୁ ନାହାନ୍ତି? ମଦନ ମୋହନ କହିଲେ – ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳରେ ଲେନ ନ-୫।ମନ ମୋହନ କହିଲେ-” ଆରେ! ମୁଁ ବି ତ ସେଇ ଲେନ ନ-୫ରେ ରହୁଛି। ହେଲେ ପ୍ଲଟ ନ – କେତେ କହିଲେ” ? ମଦନମୋହନ କହିଲେ – ମୁଁ ତ ପ୍ଲଟ ନ – 154 ରେ ରହୁଛି, ହେଲେ ଆପଣ ଆଉ ଆପଣଙ୍କ ପୁଅ ନାଁ କଣ ” ?ମନ ମୋହନ କହିଲେ ମୁଁ ବି ଆଜ୍ଞା ସେଇ 154 no ପ୍ଲଟ ଉପରେ ଗଢା ହୋଇଥିବା ଫ୍ଲାଟ୍ ରେ ରହୁଛି, ମୋ ପୁଅ ନାଁ ମାନିକ। ପାଖ ସିଟ୍ ରେ ବସିଥିବା ତୃତୀୟ ସହ ଯାତ୍ରୀଟି ଏ ସବୁ କଥୋପକଥନ ଶୁଣି ଯେପରି ଉତ୍କ୍ଷିପ୍ତ ହୋଇ ଉଠୁଥାନ୍ତି ଆଉ ତାଚ୍ଛଲ୍ୟ ଭରା କଣ୍ଠରେ ଏଣୁତେଣୁ ଗପି ଯାଉଥାନ୍ତି। କାରଣ ସେ ଜଣେ ସମାଜ ତତ୍ତ୍ଵବିତ ପ୍ରୋଫେସର ଚୌଧୁରୀ ନା ଖାସ୍ ସେଇଥିପାଇଁ। ତାଙ୍କର କହିବା କଥା ହେଉଛି – “ଏମାନେ ଦୁଇ ଜଣଯାକ ଏକା କଲୋନୀରେ ଓ ଏକା ଲେନରେ ରହୁଛନ୍ତି ହେଲେ କେହି କାହାକୁ ଚିହ୍ନୁ ନାହାନ୍ତି କିପରି? ତେଣୁ ତାଙ୍କର ଲମ୍ବା ଭାଷଣ – ଏମାନବ ସମାଜ ସତେ କଣ ନହେଲା, ପଡ଼ିଶା ପଣିଆ ବୁଡ଼ାଇ ଖାଇଲା। ମନମୋହନ ଦଣ୍ଡେ ସହଯାତ୍ରୀଙ୍କୁ ଚାହିଁଲେ ଆଉ ହସ ଚାପି ନ ପାରି କୁରୁଳି ଉଠିଲେ। ଏଥର ଉଭୟ ଠୋ ଠୋ ହୋଇ ହସି ଉଠିଲେ ଆଉ ପାଳି ଧରିଲେ ଅନ୍ୟ ସମସ୍ତେ ଉପସ୍ଥିତ ଜନତା। ଏକ ସୁନ୍ଦର ହାସ୍ୟରୋଳ ସ୍ରୁଷ୍ଟି ହୋଇ ପରିବେଶକୁ ସୁନ୍ଦର ସୁଠାମ କରି ଗଢି ତୋଳିଲା।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ତଣ୍ଟି କଟା ଚୋର

ଧନୀ ହେବା ପାଇଁ ଗୋଟେ ପ୍ରତିଯୋଗୀତା। କିଏ ବା ନ ଚାହେଁ ଧନୀ ହେବାକୁ। କାରଣ ଧନୀ ହେଲେ ପରା ସବୁ ଜିନିଷ ଅନାୟାସରେ ମିଳିପାରେ। କିନ୍ତୁ ଏଥିପାଇ ଆୟସସାଧ୍ଯ କଷ୍ଟ ଉଠେଇବା ଦରକାର। ନିଷ୍ଠାପର ଉଦ୍ୟମ ଓ ପ୍ରୟାସଶୀଳ ପ୍ରଯତ୍ନ ଆବଶ୍ୟକ। ହେଲେ ଧନୀ ହେବା ଚକ୍କରରେ ଅନ୍ୟର ଛାତି ଉପରେ ଗୋଡ଼ ଥୋଇ ଉପରକୁ ଉଠିବା ତ ଉପରକୁ ଉଠିବା ନୂହେଁ ନା!
ହେଲେ ତଣ୍ଟି କଟା ଚୋର କଣ ଏ କଥା କେବେ ଭାବେ? ସେ ତ ଧନୀ ହେବା ପାଇଁ ଲୋକଙ୍କର ଗଳା ବି ଅକ୍ଳେଶରେ କାଟି ଦେଇପାରେ।ସେଦିନ ରାବଣା, ମଣ୍ଟୁ ଓ ଚେମା ସାଙ୍ଗରେ ମିଶି କେତନ ବାବୁଙ୍କ ଘରେ କଳାକନା ବୁଲାଇଦେଲେ। ଅନେକ ଧନ ସମ୍ପତ୍ତି ସହିତ ପୁଳା ପୁଳା ଟଙ୍କା ଓ କେଜି କେଜି ସୁନାରୂପା – ସବୁ ଲୁଟିଲେ। ମାତ୍ର ସେୟାକୁ ନେଇ ଭାଗ ବଣ୍ଟାରୁ କଳି ଉତ୍ପନ୍ନ ହେଲା। ଫଳରେ ରାବଣା ମଣ୍ଟୁର ତଣ୍ଟି କାଟିଦେଲା। ଏଥିରେ ଡରି ଯାଇ ଚେମା ଦୌଡ଼ି ପଳାଇଲା। ଶେଷରେ ପୋଲିସ୍ ରେ ଯାଇ ସବୁ ସତ କଥା କହିଦେଲା। ରାବଣା ପାନେ ପାଇଲା, ଜେଲରେ ଯାଇ ଚକ୍କି ପେଶିଲା। ଭଲମନ୍ଦର ବିଚାର ନ ରହିଲେ ଏମିତି ପରିଣତି କି ହୁଏ?
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ସୁର ଭାଇଙ୍କ ତେଜରାତି ଦୋକାନ
—–///—–
ସୁର ଭାଇଙ୍କ ତେଜରାତି ଦୋକାନ ଆଗେ ସନ୍ଧ୍ୟା ହେଲେ ଖଟି। ପାଞ୍ଚ ସାତୋଟି ଯୁବକ ଅଛନ୍ତି ସେମାନେ ଯେମିତି ହେଲେ ସେ ଖଟିକୁ ଆସନ୍ତି। ତା ଭିତରେ ଆମ କଲୋନୀ ପିଲା ମଙ୍ଗୁ, ଟୁଙ୍ଗୁରୁ ମଧ୍ୟ ଦେଖାଯାଆନ୍ତି। ଦୋକାନଟି ଅହରହ ଭିଡ଼ ରହେ। ବହୁ ଲୋକ ସେଠୁ ସୌଦା ଖାଆନ୍ତି।ସମସ୍ତଙ୍କର ଗୋଟେ ଭରସା ସୁର ଭାଇ ଉଚିତ୍ ଦାମ୍ ନିଅନ୍ତି। ତେଣୁ ଲୋକ ସମାଗମ ବଢ଼େ। ହେଲେ ମୁଁ ବୁଝିପାରେ ନାହିଁ ଏଇ ଦଳକ ଟୋକା ସେଠି ସବୁବେଳେ କ’ଣ କରନ୍ତି। ମୁଁ ବେଳେବେଳେ ସେମାନଙ୍କୁ ଅନୁଧ୍ୟାନ କରେ। ସେମାନେ ଦୋକାନଠାରୁ ସାମାନ୍ୟ ବ୍ୟବଧାନ ଗଢି ଟିକିଏ ଆଢୁଆଳରେ ଖଟି ଜମାନ୍ତି ଯେମିତି ଗରାଖ ପାଇଁ କିଛି ଅସୁବିଧା ନ ହୁଏ, ନୋହିଲେ ସୁର ଭାଇ ରାଗିଯିବେ ବୋଲି ତାଙ୍କର ମଧ୍ୟ ଭୟ ରହୁଥାଏ। ସେଠି ସେମାନେ ମୋଟର ସାଇକେଲ ଗୋଟେ ଦୁଇଟାକୁ ପାଖାପାଖି ରଖି ଏକ ରକମର ଗୋଟେ ଅସ୍ଥାୟୀ ଟେବୁଲ ବନେଇ ଥାଆନ୍ତି। ତା ଉପରେ ବଡ଼ ମୋବାଇଲ୍ ଫୋନ୍ ବା ଟ୍ୟାବ ରଖି ସେମାନେ ଅନଲାଇନ୍ ରେ ଲୁଡୋ ଖେଳନ୍ତି। ମଝିରେ ମଝିରେ ଦୌଡ଼ି ଆସି ଦୋକାନରୁ ସିଗାରେଟ୍ ଗୁଟଖା ଖାଆନ୍ତି। ପୁଣି କେତେବେଳେ ପାଣି ବୋତଲ କିଣି ନେଇ ପିଅନ୍ତି ନ ହେଲେ କିଛି ନୁଡୁଲସ ବା ସ୍ନାକ୍ସ । ଫୋନ୍ ପେ ରେ ଖୁଚୁରୁ ଖୁଚୁରୁ କରି ଦଶ ଥରକି ଗୋଟେ ଷ୍ଟାଇଲରେ ପାଉଣା ଭରନ୍ତି, ସତେ ଯେମିତି ଭାରି ରୋଜଗାରିଆ ବୋଲି ଅନ୍ୟ ମାନଙ୍କୁ ପ୍ରତୀତ ହୁଏ । ହେଲେ ବୁଝୁ ବୁଝୁ ଏଗୁଡ଼ାକ ସବୁ ବେକାରୀ। କର୍ମସଂସ୍ଥାନ ଅଭାବରୁ ଏମାନେ ବାପ ପଇସାକୁ ଏମିତି ତୁଷାରପାତ କରୁଛନ୍ତି। ଏମାନଙ୍କର ଆରଟା ମଧ୍ୟ ଚଳେ। ମାନେ ଧଳା ଜହର ମ! ବେରୋଜଗାରୀ ମଣିଷକୁ ଖାଇଲା। ବେକାରୀ ସମସ୍ୟାର ଉତ୍ପୀଡ଼ନରେ ଅତିଷ୍ଠ ଆଜି ପଥହରା ବେପଥରେ ଯୁବ ସମାଜ।ହେଲେ ଏ ମାନବ ସମାଜ ସୁରକ୍ଷିତ ହୋଇ ରହିବ ତ?ବିଗିଡ଼ି ଯାଇଥିବା ଆମ କଲୋନୀର ମଣ୍ଟୁ ଆଉ ଟୁଙ୍ଗୁରୁ ପୁଣି ମୁଖ୍ୟ ସ୍ରୋତକୁ ଫେରିବେ ତ? ସାମାଜିକ କୁପ୍ରଭାବରେ ବଶବର୍ତ୍ତୀ ହୋଇ ଜୀବନରେ ଏମାନେ ଆଉ କିଛି ବଡ଼ ଭୁଲ କରିବେ ନାହିଁ ତ? ଯଦି ଚୋରି, ରାହାଜନୀ ଗୁଣ୍ଡାମି ପରି ଆଉ କିଛି ଆଦତ (ଅଭ୍ୟାସ)ଏମାନଙ୍କର ବଢି ଗଲା ତେବେ କ’ଣ ହେବ ସଂହତିପୂର୍ଣ୍ଣ ଆମ ଭାଇଚାରା ସମାଜର? ଏମିତି କିଛି ଭାବାନ୍ତର ନେଇ ସେଦିନ ଘରକୁ ଫେରିଲି । ଭାରି ମନସ୍ତାପରେ ହେଲା ।
By ସତ୍ୟ ପ୍ରକାଶ ସେଠୀ

ଛକ ଜାଗା

ଆମ କଲୋନୀରେ ଗୋଟେ ଛକ ଜାଗା ଅଛି ଯେଉଁଠି ଏକମାତ୍ର ଦୋକାନଟିଏ ଥାଏ । ଯାହା ଥ୍ରୀ ଇନ୍ ୱାନ୍ ଅର୍ଥାତ୍ ତେଜରାତି ଜିନିଷଠାରୁ ଆରମ୍ଭ କରି ଚା ଓ ପାନ ଗୁଟଖା ବି ମିଳେ।ଯେହେତୁ ଦୋକାନଟି କଲୋନୀ ଭିତରେ ସ୍ତ୍ରୀ ଛୁଆପିଲା ଯାଇ ସୌଦା ଧରି ଆସନ୍ତି। ସନ୍ଧ୍ୟା ହେଲେ ଏଠି କିନ୍ତୁ ଖଟି ଜମେ। ଖଟିର ସଦସ୍ୟ କିଏ କି, ସଦସ୍ୟ ହେଲେ କର୍ମଜିବୀ ଯେଉଁମାନେ କି ଅଫିସ ଜଞ୍ଜାଳ ସାରି ଘରକୁ ଫେରିଥାନ୍ତି ଓ ଆଉ କିଛି ଚାକିରିରୁ ଅବସର ନେଇଥିବା ଅବସରପ୍ରାପ୍ତ କର୍ମଚାରୀ। ଏମାନଙ୍କ ଭିତରେ ଜେ. ଇ. ବେହେରା ବାବୁ, ଅବସରପ୍ରାପ୍ତ ସୈନିକ ଜେନା ବାବୁ ଫାର୍ମାସିଷ୍ଟ ନାଥ ବାବୁ ଇଲେକ୍ଟ୍ରିସିଆନ ଦାସ ବାବୁ, ଭୋଇ ମଉସା, ଗ୍ରାମ ସେବକ ଶ୍ରୀକାନ୍ତ ବାବୁ, ଶିକ୍ଷକ ବିଦ୍ୟାଧର ବାବୁ ତଥା ପଣ୍ଡା ବାବୁ ଏମିତି ଅନେକ ଥାଆନ୍ତି। ଏଠି ଟିକିଏ ଗପସପ ମାହୋଲ ଅଲଗା। ଯେହେତୁ ଅଧିକାଂଶ ବୟସ୍କ ଓ ଶିକ୍ଷିତ ତେଣୁ ଭାରି ବୌଦ୍ଧିକ ବିଚାର ହୁଏ। ରାଜନୀତିଠାରୁ ଆରମ୍ଭ କରି ସମାଜ ନୀତି, ଅର୍ଥନୀତି ଯାଏ ପୁଣି ସଂସାରର ନୀତିଗତି ଓ ନୈତିକ ମୂଲ୍ୟବୋଧ- ସବୁ ଆଲୋଚନା ଏଠି ହୁଏ। ଜଣେ ଦୁଇ ଜଣ ପ୍ରବଚନ ଦିଅନ୍ତି ଓ ଅନ୍ୟମାନେ ପାଳି ଧରନ୍ତି। ଅନେକ ଯୁକ୍ତିତର୍କ ଓ କଥା କଟାକଟି ପରେ ଶେଷରେ ଗୋଟେ ନିଷ୍କର୍ଷ ବାହାରେ। ତେଣିକି ସମସ୍ତେ ଘରକୁ ଫେରନ୍ତି ପୁଣି ପରଦିନ ସେଇ ସମାନ ଘଟଣାକ୍ରମ।
ଏଥିରେ କାହାରି କିଛି କ୍ଷତି ହୁଏ ନାହିଁ। ନିରୋଳା ଓ ବଳକା ସମୟତକ ଅତିବାହିତ କରିବା ପାଇଁ ବୟସ୍କମାନଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ। ହେଲେ ସରକାର ଯଦି ପ୍ରତି କଲୋନୀରେ recreational club ଟିଏ ଗଢନ୍ତେ ଅତି କମରେ ଗୋଡ଼ଥାପି ଓ ଗାଣ୍ଡି ମାଡ଼ି ବସିବା ପାଇଁ ଏମାନେ ତ ଜାଗା ଖଣ୍ଡେ ପାଇଯାଆନ୍ତେ। ବୟସ୍କ ମାନଙ୍କର ଅବସର ବିନୋଦନ ପାଇଁ କ’ଣ ଆମର କିଛି ବୋଲି କିଛି କର୍ତ୍ତବ୍ଯ ନାହିଁ?
By ସତ୍ୟ ପ୍ରକାଶ ସେଠୀ

ସୁବୁଦ୍ଧି ଦିଅନ୍ତେ ନି

ନିରୁଟା ଭାରି ଅଡୁଆ ପିଲା। ସମସ୍ତଙ୍କର କ୍ଷୁଣ ବାହାର କରିବା ତା କାମ। ମଣିଷର ଭଲମନ୍ଦ ଉଭୟ ଗୁଣ ରହିବ ହିଁ ରହିବ, କାରଣ ସେ ତ ଆଉ ଭଗବାନ ନୁହଁ ନା! ତେବେ ତା’ର ଖରାପଟା ନ ଦେଖି ଭଲଟା ଦେଖିଲେ କ୍ଷତି କ’ଣ? ହେଲେ ନିରୁ ବାବୁ ଦ୍ଵାରା ସେ କଥା ହେବ ନାହିଁ। ସେ ପରା ଦ୍ଵେଷଦର୍ଶୀ ଏକା ଆଖିଆ ଅସୁର ଗୁରୁ କଣା ଶୁକ୍ରାଚାର୍ଯ୍ୟ। ସେ ତ ଆଉ ଦେବଗୁରୁ ବୃହସ୍ପତି ନୁହଁନ୍ତି ନା ଯିଏକି ପ୍ରାଣୀର ଭଲମନ୍ଦ ଉଭୟ ବିଚାରି ସଠିକ୍ ନିର୍ଣ୍ଣୟ ନେବେ। ଇଏ ବା ବୌଦ୍ଧିକ ବିଚାର ଓ ଜ୍ଞାନରେ ଗରୀୟସି ମହାମହିମ ଆମ ନିରୁ ବାବୁ ଯିଏ କି ଅନ୍ୟର ଖାମିଆ ଦେଖି ଭଲ ଭାଷଣ ଝାଡ଼ନ୍ତି।
ସତରେ ଇର୍ଷା ପରାୟଣ ମଣିଷ କାଠର ଚଷମା ପିନ୍ଧି ଦୁନିଆକୁ ଦେଖେ। ଏତେବେଳେ ଭଲ ଜିନିଷ ତାକୁ ଭେଲ ଦେଖାଯିବା ସ୍ୱାଭାବିକ। ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ କି ପ୍ରତିଷ୍ଠିତ ଓ ନିଜକୁ ସ୍ଥାପନ କରି ପାରିଛନ୍ତି। ହେଲେ ଇର୍ଷା ପରାୟଣ ମଣିଷ ସେମାନଙ୍କୁ ଦେଖେ ନାହିଁ, କାହିଁକି ନା ତା ଦୁନିଆ ବହୁତ ଛୋଟ। ସଂକୀର୍ଣ୍ଣତା ଭିତରେ ସେ ଫସିଥାଏ। ବାହାର ଦୁନିଆକୁ ଦେଖିବାର ସୌଭାଗ୍ୟ ତା ଜୀବନରେ ଜୁଟୁଥିଲେ ମଧ୍ୟ ସେ ତାହାକୁ ଅଣଦେଖା କରେ ବା ପ୍ରସାରିତ ଦୃଷ୍ଟିଭଙ୍ଗୀ ନେଇ ସେ ସବୁକୁ ଦେଖିବାର କଳା ପାଟବତା ସେ ହରେଇ ବସିଥାଏ। ସେ କେବଳ ଦେଖେ ତା ଚାରିପଟେ ଅହରହ ଘୂରି ବୁଲୁଥିବା ଚରିତ୍ରମାନଙ୍କୁ ଯେଉଁମାନଙ୍କ ସହ ସେ ସଦା ସର୍ବଦା ମିଶୁଥାଏ ଓ ଘନିଷ୍ଠତା ବଢାଇଥାଏ। ନିଜର ପଡ଼ିଶା, ସହକର୍ମୀ ତଥା ବନ୍ଧୁ ବାନ୍ଧବ। ଏମାନଙ୍କ ସହ ସେ ଅହରହ ନିଜକୁ ନେଇ ତଉଲି ଥାଏ। କାହାରି ଭଲ ବା ବଡ଼ପଣକୁ ସେ ସହଜରେ ସହ୍ୟ କରିପାରେ ନାହିଁ। କାରଣ ଠେକୁଆ ଦୌଡ଼ିଦୌଡ଼ି କୋଉଠିକି, ସେଇ ସିଝୁମୁଣ୍ଡାକୁ। ଅସୂୟା ପରୋପବେଶ ହୋଇ ସେ ଅନ୍ୟକୁ କଟାକ୍ଷ କରେ।
ନିରୁ ବାବୁଟା ବଡ଼ ଘମଣ୍ଡ ଲୋକଟା। ନା ତା’ର ପଡ଼ିଶାଙ୍କ ସଙ୍ଗେ କାହା ସହ ଭଲ ଅଛି ନା ଅଫିସରେ। କେହି ତା ଦୃଷ୍ଟିରେ ଭଲ ନୁହଁନ୍ତି, ତା ଈଶ୍ୱରଙ୍କ ଦୃଷ୍ଟିରେ କେବଳ ସେଇ ଏକା ଉତ୍କୃଷ୍ଟ ଜନ।
ସେଦିନ ତାଙ୍କ ଅଫିସର ଜଣେ ସହକର୍ମୀ ଦେଖା ହୋଇଗଲେ। ସେ ଏମିତି ତାଙ୍କ ଗୁଣଗ୍ରାମ ଗାନ କଲେ ଯେ ସେଗୁଡିକ ନ କହିଲେ ଭଲ। ସହଜେ ତ ମୁଁ ତାଙ୍କ ପଡ଼ିଶା, ନିଇତି ତାଙ୍କ କଷଣ ସହେ। ଲୋକଟାକୁ ଭଗବାନ ଟିକିଏ ସୁବୁଦ୍ଧି ଦିଅନ୍ତେ ନି, ଯେମନ୍ତ ସେ କେବଳ ନିଜ କଥା ଚିନ୍ତା କରନ୍ତେ
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ଠିକା ନିଯୁକ୍ତି ଆଉ କେତେଦିନ

ବାବୁ ରାଣାଙ୍କ ପାଠପଢା ସରିଗଲା। ଏବେ ଚାକିରି ଖୋଜା ଓ ଜୀବନ ସଙ୍ଗିନୀ ଚୟନ । ଚାକିରି ପାଇଁ ବି ଖୁବ୍ ପଢ଼ିବାକୁ ହେଲା। ଦିନରାତି ଏକାକାର ହୋଇଗଲା। ଅନ୍ୟ ସାଙ୍ଗମାନେ ଯେତେବେଳେ ଆଗକୁ ବଢ଼ିଗଲେଣି। ନିଜକୁ ସେମାନଙ୍କ ପିଛା କରିବାକୁ ପଡିବ ନା! ନୋହିଲେ ବହୁ ପଛରେ ରହିଯିବାକୁ ହେବ ଯେ! ସେଇ ବନ୍ଧୁମାନଙ୍କ ସହ ଆଉ ମୁହଁ ମେଳେଇ କଥା ହୋଇ ହେବ ନାହିଁ। ଏମିତି ଭାବ ଓ ଭାବାନ୍ତର ଭିତରେ ବାବୁ ରାଣାଙ୍କୁ ଖୁବ୍ ପରିଶ୍ରମ କରିବାକୁ ହେଲା। ଫଳ ଆଶାନୁରୂପ ନହେଲେ ବି ଟେକ୍ସଟାଇଲ ଇନସପେକ୍ଟର ଚାକିରି ଖଣ୍ଡେ ମିଳିଲା। ଏଣିକି ମନରେ ଟିକିଏ ଶୁକୁନ – “ଯାହାହେଉ ସାଙ୍ଗସାଥି ଆଉ କେହି କହିପାରିବେ ନାହିଁ ଯେ ମୁଁ ଜଣେ ବେକାରୀ “। ବାପା ମାଆଙ୍କ ମନରେ ଗୋଟେ ଖୁସି ଯେ – “ପୁଅ ଆମର ଚାକିରି ଖୋଜୁଖୋଜୁ ତିରିଶ ବର୍ଷ ଧରିଲା” । ଏଣିକି ତା ପାଇଁ କନ୍ୟାଘର ଖୋଜିବେ। ହେଲେ ପୁଅର ଦରମା ମିଳିଲା ବେଳକୁ ମାତ୍ର ଷୋହଳ ହଜାର, ଯେଉଁଠି କି ତାହାରି ବୟସ୍କ ସହକର୍ମୀ (colleagues) ମାନେ ପାଉଛନ୍ତି ୮୦୦୦୦। ବାବୁ ରାଣାଙ୍କ ଅନ୍ୟ ସାଙ୍ଗମାନେ ଯେଉଁମାନେ ସଫ୍ଟୱେୟାର୍ କ୍ଷେତ୍ରରେ ଚାକିରି କରିଛନ୍ତି ସେମାନଙ୍କ ମଧ୍ଯ ଦରମା ଆକାଶ ଛୁଆଁ।ପଚାରିଲେ କହନ୍ତି – “ମୋର ଦରମା ୧୨.୫,୨୦ଏଲ୍” ଏମିତି କିଛି। ତେଣୁ ସେମାନଙ୍କ ପାଇଁ କିଛି ଅଡ଼ୁଆ ନାହିଁ। ହେଲେ ଏ ଦଳିଆଙ୍କ ବିବାହ ପ୍ରସ୍ତାବ ପକାଇବାକୁ ଟିକିଏ ଅଡ଼ୁଆ ଲାଗୁଥିଲା। ଇଆ ମାନେ ନୂହେଁ ଯେ ରାଣାଙ୍କ ପାଇଁ ଆଦୌ ପ୍ରସ୍ତାବ ଆସି ନାହିଁ, ତେବେ ଦରମା କେତେ ବୋଲି କନ୍ୟାପକ୍ଷ ପଚାରି ଦେଲା କ୍ଷଣି ବାବୁ ରାଣାଙ୍କ ତଣ୍ଟି ଶୁଖିଯାଏ। ସେ କିଛି କହିପାରନ୍ତି ନାହିଁ। ଏହାକୁ ସେ ନିଜ ଆତ୍ମସମ୍ମାନର କ୍ଷୁର୍ଣ୍ଣ ବୋଲି ମନେକରନ୍ତି। ଗୋଟେଆଡୁ ବିଚାର କଲେ ସରକାରୀ ଚାକିରି ପୁଣି ପଦବୀ ଇନସପେକ୍ଟର। ହେଲେ ଦରମା ଯେ ଏତେ କମ୍, ଅଧିକାଂଶ କନ୍ୟା କର୍ତ୍ତୃପକ୍ଷ ଏ କଥା ବୁଝିପାରନ୍ତି ନାହିଁ ବା ବୁଝିବାକୁ ପ୍ରସ୍ତୁତ ନୁହନ୍ତି ।ଏଥିରେ ବାବୁ ରାଣାଙ୍କ ମନ ଭାଙ୍ଗିଯାଏ। ସେ ମନେମନେ ନିଷ୍ପତ୍ତି ନିଅନ୍ତି – “ବରଂ ଛଅ ବର୍ଷ ପୂରିଯାଉ, ମାତ୍ର ଠିକା ନିଯୁକ୍ତି (contractual) ଅବଧି କାଳ ପୂରି ଚାକିରିରେ ସ୍ଥାୟୀ କର୍ମଚାରୀ ହେଲା ପରେ ସେ ଯାଇ ବାହା ହେବେ”। ତାଙ୍କ ନିଷ୍ପତ୍ତି ଗୋଟେ ଦୃଷ୍ଟିରୁ ଠିକ୍ ଯେ, ହେଲେ ଚାହୁଁଚାହୁଁ ତାଙ୍କୁ ଛତିଶ ବର୍ଷ ଧରିଲାଣି, ତଥାପି କଣ୍ଟ୍ରାଚୁଆଲ ଅବଧି ବା କଣ୍ଟ ମିଆଦି ସରୁନାହିଁ କି ଚାକିରିକୁ ସ୍ଥାୟୀ କରିବା ପାଇଁ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି । ବାପାମାଆ ମଧ୍ଯ ବଡ଼ ବ୍ୟସ୍ତ ହୋଇ ମନ ଖରାପ କରି ବସିଛନ୍ତି। ବୟସ ଏତେ ବଢ଼ିଗଲାଣି ଯେ ଆଉ ଭଲ ପ୍ରସ୍ତାବ ମିଳିବା ସମ୍ଭବପର ହେଉ ନାହିଁ। ଏତେବେଳେ ବାବୁ ରାଣା କଣ୍ଟ୍ରାଚୁଆଲ୍ ଚାକିରିର କୁପରିଣାମ ଓ କୁବ୍ୟବସ୍ଥାକୁ ଦାୟୀ କରି ନିଜ ଭାଗ୍ୟକୁ ନିନ୍ଦିବା ବ୍ୟତୀତ ଆଉ କ’ଣ ଅଛି ଯେ ସେ କରିପାରିବେ।ଭଲ ଏ କଣ୍ଟ ମିଆଦି ଓ କଣ୍ଟ ଚାକିରିର କଣ୍ଟକିତ ଜୀବନ। ହେଲେ ବାବୁ ରାଣା ଆଦୌ ମନ ଦୁଃଖ କର ନାହିଁମ! ଗର୍ବର ସହିତ ଏତିକି ତ କହି ପାରୁଛ – “ମୁଁ ଟେକ୍ସଟାଇଲ ଇନସପେକ୍ଟର, ମୋର ସରକାରୀ ଚାକିରି, ଘର ସରକାରୀ ଦପ୍ତର” ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia

ନୀତିନିଷ୍ଠ ସାହିତ୍ୟ ସଂସଦ

ନୀତିନିଷ୍ଠ ସାହିତ୍ୟ ସଂସଦ ବୋଲି ଗୋଟେ ସାହିତ୍ୟାନୁଷ୍ଠାନ ଥାଏ, ଯେଉଁଠି କି ସାହିତ୍ୟ ଆଲୋଚନା କମ୍ କିନ୍ତୁ ସାହିତ୍ୟ ସଭା ଅଧିକ ହୁଏ। କାରଣ ଏହାର ପ୍ରତିଷ୍ଠାତା ଆମ ନିତେଇ ଭାଇ ଚାହାଁନ୍ତି – ପ୍ରତିଦିନ କିପରି ତାଙ୍କ ନାଁ ଖବର କାଗଜର ପୃଷ୍ଠା ମଣ୍ଡନ କରୁ। ସେଇଥିରେ ତାଙ୍କର ଗୋଟେ ନାଁ। ଯେତେବେଳେ ଖବର କାଗଜରେ ବାହାରେ ଅମକେଇ ଦିନ ସମୁକ ଜାଗାରେ ଅମୁକଙ୍କ ପରିଚାଳନାରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇ ଅମୁକ ସମୁକ ଆଦି କେତେ କଥା ହେଲା, ସେତେବେଳେ ନିତେଇ ଭାଇଙ୍କ ଛାତି କୁଣ୍ଢେମୋଟ ହୋଇଯାଏ। ସେ ଆଗ ପେପର cutting କରି (କାଟି) ପେପର କ୍ଲିପଗୁଡିକୁ ସଜାଇ ରଖନ୍ତି। ତା’ପରେ ବିଭିନ୍ନ ଗଣ ମାଧ୍ୟମ ଗୁଡିକରେ ପୋଷ୍ଟ କରି ‘ like’ ଓ ‘comment’ ଗୁଡିକୁ ଗଣତି କରନ୍ତି ।ସେଇଟା ତାଙ୍କର ଗୋଟେ ଭିନ୍ନ ଖୁସି। ବଡ଼ ବଡ଼ ସାହିତ୍ୟିକ ମାନଙ୍କର ସାହିତ୍ୟ ତାଙ୍କ ନିକଟରେ ତୁଚ୍ଛ। କାରଣ ସେ କହନ୍ତି ଏମିତିକା କେତେ କେତେ ସାହିତ୍ୟ ତାଙ୍କ ମଞ୍ଚରେ ଆଲୋଚନା ହୁଏ ଆଉ ଏମିତିକା କେତେ ବଡ଼ ବଡ଼ ସାହିତ୍ୟିକଙ୍କୁ ସେ ଦୟାରେ ଡାକି ମଞ୍ଚରେ ବସାନ୍ତି। ଇଏ ଆଉ କି ସାହିତ୍ୟ ବା? ତେଣୁ ତାଙ୍କୁ କିଛି ବଡ଼ ଲାଗେ ନାହିଁ କି କାହା ସାହିତ୍ୟ ଏତେ ଭଲ। ତାଙ୍କ କହିବା ଅନୁସାରେ ଏ ସହରରେ ସବୁ ସାହିତ୍ୟ ଅନୁଷ୍ଠାନ ବୁଡ଼ି ଯାଉଥିବା ବେଳେ ଏବଂ ସାହିତ୍ୟିକଙ୍କର ମରୁଡ଼ି ପଡ଼ିଥିବା ବେଳେ ତାଙ୍କର ଏ ଅନୁଷ୍ଠାନ ସାହିତ୍ୟକୁ ଦିଗଦିଶା ଦେଇଛି ଓ ତାଙ୍କର ସାହିତ୍ୟ ସାଧନା ବଳବତ୍ତର ରହିଛି। ତେଣୁ ଅନ୍ୟ କାହାକୁ ସେ ଏତେଟା ସହ୍ୟ କରି ପାରନ୍ତି ନାହିଁ ବା ମୋଟେ ଖାତିର କରନ୍ତି ନାହିଁ।
ହେଲା ବାବା ସବୁ ଠିକ୍, ତୁମେ ଠିକ୍ ଆଉ ତୁମର ସବୁ ଠିକ୍। ହେଲେ ଅନ୍ୟମାନେ ଯେଉଁ ଜୀବନବ୍ୟାପୀ ଏତେ ସାଧନା କରି ଆସୁଛନ୍ତି ଆଉ ନିତି ପ୍ରତିଦିନ ଯେଉଁ ନୂଆ ନୂଆ ଭେଟି ଦେଇ ଉତ୍କଳୀୟ ବାଣୀ ଭଣ୍ଡାରକୁ ସମୃଦ୍ଧ କରି ଆସୁଛନ୍ତି ସେଗୁଡ଼ିକ ସବୁ କ’ଣ ମୂଲ୍ୟହୀନ ଏବଂ ଅପାଂକ୍ତେୟ ? ଏ କଥା ଶୁଣି ନିତେଇ ଭାଇଙ୍କୁ ବିଷପିତା ଲାଗେ। ସେ ଖାଲି ରାଗରେ ଗରଗର ହୁଅନ୍ତି। କହନ୍ତି – “ମୋତେ କହ ନାହିଁମ କାହା କଥା, ମୁଁ ଜାଣିଛି କିଏ କେତେ ମତେ”। ଇଏ ଅସହିଷ୍ଣୁ ପଣିଆ ନୂହେଁ ତ ଆଉ କ’ଣ? ତଥାପି ସାହିତ୍ୟ ବଞ୍ଚିଛି।
By ସତ୍ୟ ପ୍ରକାଶ ସେଠୀ

Related posts

ଦରମା

satya

Collect my book

satya

ଅଟଳଜୀ

satya

Leave a Comment

Login

X

Register