Satya Prakash
ଗଳ୍ପ

ନିଶିକାନ୍ତ

ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳ । ପରିବେଶ ଏକାନ୍ତ ମନୋରମ । ସର୍ବତ୍ର ଶାନ୍ତି ବିରାଜମାନ । ଏଠି କଠୋର ଅନୁଶାସନର ଅଙ୍କୁଶ ନାହିଁ । ନିର୍ଦ୍ଦିଷ୍ଟ ଧରବନ୍ଧା କାମ ନାହିଁ । ଯାହା ବି ଯେତିକି କାମ ଥାଏ, ପରସ୍ପରେ ହାତ ବାଣ୍ଟି ନିଅନ୍ତି, ନିଜ ଇଚ୍ଛାରେ ସମସ୍ତେ ସବୁ କାମ କରନ୍ତି । ନିଜ ପାଇଁ ନିଜେ କାମ ବାଣ୍ଟନ୍ତି । କେହି କାହାକୁ କିଛି କହନ୍ତି ନାହିଁ  କି ବାଧ୍ୟ କରନ୍ତି ନାହିଁ । ନିଜ ଜୀବନ ନିଜ ଉପରେ ବୋଝ ହୁଏ ନାହିଁ; କି କେହି କାହା ଉପରେ ବୋଝ ହୁଅନ୍ତି ନାହିଁ । କାହାରି କିଛି ଆପତ୍ତି ଅଭିଯୋଗ ନଥାଏ, ପ୍ରତ୍ୟେକ ପରସ୍ପରକୁ ଅକୁଣ୍ଠ ଚିତ୍ତରେ ସେବା ଯତ୍ନ ଯୋଗାଇ ଦିଅନ୍ତି । ବାକି ସମୟଟା ବେଶ୍  ଉପଭୋଗ କରନ୍ତି । ସାଙ୍ଗାସାଥୀ ଗହଣରେ ସୁଖ ଦୁଃଖ ହୁଅନ୍ତି । ସମୟଟା କେଉଁବାଟେ ବିତିଯାଏ, ଜଣାପଡ଼େ ନାହିଁ । ଲାଇବ୍ରେରୀ, ଖେଳ ଓ ମନୋରଂଜନ ସାମଗ୍ରୀ ସବୁ କିଛି ଉପଲବ୍ଧ । ମ୍ୟାଗାଜିନ୍ ସମ୍ବାଦପତ୍ର ପୁଣି ଟେଲିଭିଜନ ଇଣ୍ଟାନେଟ୍ର ବ୍ୟବସ୍ଥା, କାହାରି କିଛି ଅସୁବିଧା ରହେ ନାହିଁ ।

ଦିପହର ଉଦୁଉଦିଆ ଖରାବେଳ । ଅଗଣାରେ ଚୌକିଟାଏ ପକାଇ, ନିଶିକାନ୍ତ ବାବୁ ଏକୁଟିଆ ବସି ପଡ଼ିଥାନ୍ତି । ହଠାତ୍ କଳରବ କରି, ଦଳେ ପକ୍ଷୀ ଆକାଶରେ ଉଡ଼ିଗଲେ । ଆକାଶଟାକୁ ଚାହିଁ ଦେଇ, ନିଶିକାନ୍ତ ବାବୁ କ’ଣ ଭାବିଲେ କେଜାଣି;ହଠାତ୍  ଗମ୍ଭୀର ହୋଇ ଉଠିଲେ । ମନଟା ଯେମିତି ଅଶାନ୍ତ ହୋଇଗଲା ।

କ୍ରମଶଃ ! ଦିବସ ପରେ ରଜନୀ ଆସିଲା । ଦିବସର ପ୍ରଚଣ୍ଡ ରୌଦ୍ର କ୍ଳିଷ୍ଟ କ୍ଲାନ୍ତି ପରେ , ତନ୍ଦ୍ରାର ଆଳସ୍ୟ;  ମେଘମୁକ୍ତ ଆକାଶ; ଚନ୍ଦ୍ରସ୍ନାତା ରଜନୀ; ପୁଷ୍ପର ସୁବାସିତ ସୁଶୀତଳ ସମୀରଣ; ଆଖିରେ ପରଳ ପରଳ ନିଦର ଛାଇ । ସାଥୀ ସହଯୋଗୀମାନେ ଯିଏ ଯୁଆଡ଼େ ଶୋଇପଡ଼ିଲେ । ଏଥର ନିଶିକାନ୍ତ ବାବୁ ନିଜ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କଲେ । ଝରକା ଖୋଲି ଦେଇ, ପଙ୍ଖାର ଗତିଟା ଟିକିଏ ବଢାଇ ଦେଲେ । ଲାଇଟଟା ଲିଭାଇ ଦେଇ ବିଛଣାରେ ପଡ଼ିଗଲେ ।

ଦିବସର ଅଶାନ୍ତ ମନ ଏଯାଏଁ ପ୍ରଶମିତ ହୋଇନଥାଏ । ବିଛଣାରେ ପଡ଼ି ସେ ଖାଲି ଛଟପଟ ହେବାକୁ ଲାଗିଲେ । ସ୍ଥିର ନିଶ୍ଚେତ ଆଦୌ ହୋଇପାରୁନଥାଏ । ତେଣୁ କେତେ ଭାବନା ଆସି ମୁଣ୍ଡ ଟେକୁଥାଏ । ଜୀବନ ଦୁର୍ବିସହ ହୋଇଉଠୁଥାଏ – “ମଣିଷ କାହିଁକି ବନ୍ଧନରେ ବାନ୍ଧିହୋଇ ଏମିତି ଛଟପଟ ହୁଏ । ସବୁଠି କାରାଗାରର ନିବୁଜ କୋଠାରୀ; ଯେଉଁଠି ଜୀବନର ସମସ୍ତ ସ୍ୱାଧୀନତା ବିଲୁପ୍ତ ପ୍ରାୟ । ଜୀବନର ସ୍ୱାଭାବିକ ବିକାଶରେ ବ୍ୟାହାତ ଘଟେ, ତା’ଠାରୁ ବରଂ ଭଲ ଆକାଶରେ ବିହଙ୍ଗଟିଏ । କି ସୁନ୍ଦର ତା’ର ଡ଼େଣା ଦୁଇଟି । ଯେଉଁଠିକି ଇଛା କରେ ସେଇଠିକି ସେ ଉଡ଼ିଯାଏ । ଖୁମ୍ପେ ଖାଇ, ପୁଣି ସେଠାରୁ ଉଡ଼ିଯାଏ । କିଏ ବା ତା’କୁ ଅଟକାଇ ରଖିପାରେ ? କିନ୍ତୁ ମଣିଷ ? ମଣିଷ କାହିଁକି ଏମିତି ବନ୍ଧନରେ ବାନ୍ଧି ହୋଇ ରହେ । ପରାଧୀନତାର ବେଡ଼ି ମାଡ଼ି ମାଡ଼ି ଯାଏ । ଜୀବନଟା ସ୍ୱର୍ଣ୍ଣ ପଞୁରୀରେ କଏଦୀ ସାଜେ । ପରାଧୀନ ରହି ସେ ଜୀବନ ଜୀଏଁ ।

ଏଥର ନିଶିକାନ୍ତ ବାବୁ ସବୁ ଭୁଲି, ଶୋଇବାକୁ ପ୍ରଯନ୍ନ କଲେ । କିନ୍ତୁ ଆଖି ସାମ୍ନାରେ ଭାସି ଉଠୁଥାଏ – କେତେ ଯେ ବର୍ଣ୍ଣିଳ ଛବି । ସ୍ୱପ୍ନରେ ସେ ଖାଲି ବିଳ ବିଳି ହେଉଥାନ୍ତି……..

ହଠାତ୍ ସକାଳର ଶିଶୁଟିଏ ଧାଇଁ ଆସିଲା । ଆଇନାଟା ଟାଣି ଆଣି ତଳେ ପକାଇ ଭାଙ୍ଗିଦେଲା । ମା’ ନେଇ ଖଟରେ ଖଟେଇ ଦେଲା । ସେ ବିକଳରେ ରାହା ଛାଡ଼ି କାନ୍ଦି ଉଠିଲା । ନିଶିକାନ୍ତ ବାବୁ ପିଲାଟାକୁ ଡ଼ାକିଲେ- ‘ଏ ପିଲା ମୋ କୋଳକୁ ଆ’ । ସେ ଆସିଲା ନାହିଁ, ସେଇଠି ଶୋଇ ପଡ଼ିଲା । ଉଠିଲା ବେଳକୁ ଦିପହର ।

ନିଶିକାନ୍ତ ବାବୁଙ୍କର ମନେ ପଡ଼ିଗଲା – ସେଦିନ ମା’ କହୁଥିଲା- “ସେ ମା’ ପେଟରୁ ଭୂମିଷ୍ଠ ହୋଇ, ଯେତେବେଳେ ସୃଷ୍ଟିର ପହିଲୁ ସୂର୍ଯ୍ୟ କିରଣ ଦେଖିଲା; କେମିତି ସେ ଚିରାଡ଼ି ଛାଡ଼ି କାନ୍ଦି ଉଠୁଥିଲା; ଆଉ ମନେ ମନେ କହୁଥିଲା- “ମୋତେ କାହିଁକି ଜନମ ଦେଉଥିଲ?” ସତେକି ଭଗବାନ ଠାରେ ପ୍ରତିବାଦର ସ୍ୱର ହାଣି ସେ ତୁହାଇ ତୁହାଇ କାନ୍ଦୁଥିଲା, ଆଉ ପଚାରୁଥିଲା ମୋତେ କାହିଁକି ବନ୍ଧନରେ ନିଗୂଢ ଫାଶରେ ଅହରହ ଏମିତି ବାନ୍ଧୁଛ? ଦୁଃଖ-ସୁଖର ସଂସାର ପ୍ରତି ମୋର ଆସକ୍ତି ନାହିଁ । ମୁଁ ଗୋଟାଏ ସୁନ୍ଦର ଆତ୍ମା । ମୁକ୍ତ ରହିବାକୁ ଚାହେଁ, ଶରୀରର ଗମ୍ବୁଜ ଭିତରେ ମୁଁ ଅଣନିଶ୍ୱାସୀ ହୋଇଯିବି ପରା?

କ୍ରମଶଃ ସେ ବଢିବାକୁ ଲାଗିଲା । ଯେତେ ଯେତେ ତା’ର ବୟଃ ବୃଦ୍ଧି ହେଉଥାଏ, ସମସ୍ତେ ଅଙ୍କୁଶର ଲଗାମଟାକୁ ଆଉ ଟିକିଏ ଜୋହର କରି ଭିଡ଼ି ଦେଉଥାନ୍ତି । ତା’ର ଶିଶୁମନ ଚାହୁଥାଁଏ – “ସେ ସବୁ ଟାଣି ଆଣନ୍ତା କି ? ଘରସାରା ଜିନିଷ ଗଦେଇ ଖେଳନ୍ତା ।” ମା’ ପାଟି କରି ଉଠେ-” ଧର’ନା, ଭାଙ୍ଗିଯିବ ।” କାନ୍ଦିଲେ- “ଚୁପ୍ ପାଟି କରନା”- ଧମକାଏ । ବେଶି ନଟଖଟ କଲେ ହାତଗୋଡ଼ ବାନ୍ଧି ଝୁଲିଲେ ପକେଇ ଦିଏ । ଏଥର ସେ ଆଉ ଟିକିଏ ବଡ଼ ହୋଇଗଲା । ଚାଲି ଶିଖିଲା । ସବୁ ପାରିଲା । ମନ ଜିଜ୍ଞାସୁ ହୋଇ ଉଠିଲା । ସବୁ ଜାଣିବାକୁ ଇଚ୍ଛା କଲା । ବାପା ମିଛ କହି  ଠକି ଦେଲେ । ଆକାଶର ଚନ୍ଦ୍ରକୁ – “ଜହ୍ନ ମାମୁଁ”, ତାରାକୁ – ‘ତାରାରାଣୀ’ କହିଲେ  । ମନ ଜମାରୁ ବୁଝିଲା ନାହିଁ’ ।

ଏଥର ମୁକ୍ତ ଭାବେ ଦରାଣ୍ଡି ଘରସାରା ଖେଳିବାକୁ ଇଚ୍ଛା ହେଲା । ପୁଣି କେତେବେଳେ ଦାଣ୍ଡରେ ଖେଳିବାକୁ ମନ ଚାହେଁ । ପରିବାରର ଲୋକ ସତର୍କ ହୋଇ ଯାଆନ୍ତି । ଜଗି ଯାଆନ୍ତି, ଆରମ୍ଭ ହୋଇଯାଏ “ଏଟା କରନା, ସେଟା କରନା, ଆମକୁ ନପଚାରି କୁଆଡ଼େ ଯାଅନା” । ସଦର ଫାଟକ ତା’ପାଇଁ ବନ୍ଦ ରହେ । ପୁଣି ଦାଣ୍ଡ ଦରଜା କେତେବେଳେ ପଡ଼ିଯାଏ । ଇଚ୍ଛା ହେଉଥାଏ- ଉଚ୍ଚତା ପାଇ ଯାଆନ୍ତା କି; ଖିଡ଼ିକୀଟା ଖୋଲି ଚାଲି ଯାଆନ୍ତା, ଦୁନିଆଟାକୁ ଭଲ ଭାବେ ଦେଖନ୍ତା । କିନ୍ତୁ ଏମିତି ହୁଏ ନାହିଁ । ତା’ର ପିଲାମନ ବିଦ୍ରୋହ କରି ଉଠେ । ହେଲେ ପ୍ରତିବାଦ କରିପାରେ ନାହିଁ । ତେଣୁ ଶୈଶବେ ପିତା-ମାତା- ଗୁରୁଜନଙ୍କର କଠୋର ଅନୁଶାସନ ଭିତରେ ଜୀବନ ତା’ର ଅସହ୍ୟ ଯନ୍ତ୍ରଣାରେ ଭରିଯାଏ ।

ଏଥର ସେ ପରିବାରର କାରାଗାର ଛାଡ଼ି ଗୁରୁକୁଳ ଆଶ୍ରମର କାରାଗାରକୁ ଗଲା । ସେଠି ମଧ୍ୟ ଗୁରୁଜୀ ଅଙ୍କୁଶର ଲଗାମ ଲଗାନ୍ତି । ଧରାବନ୍ଧା ଗୁଳାରେ ଚାଲିବାକୁ କହନ୍ତି । ବେତ ଦେଖାଇ ଶାସନ କରନ୍ତି । ଟିକିଏ ବିଗିଡ଼ି ଗଲେ ପଟାସ୍ କିନା ଗାଲରେ କଷି ଦିଅନ୍ତି । “ସେମିିତି ନୁହେଁ  ଏମିତି ନୁହେଁ” କାହାଣୀ ଶୁଣାନ୍ତି  ।  ସେ ମନେ ମନେ  ଭାବେ – “ଏ ବୁଢା ମାଷ୍ଟ୍ରଟାକୁ କଣ ସବୁ ନିୟମ କାନୁନ ଜଣା ନା? ତା’ହେଲେ ଇଏ କ’ଣ ବୃହସ୍ପତି ?” ସେଦିନ ସେ ସ୍ଲେଟଟା ଭାଙ୍ଗିଦେଲା । ଗୁରୁଜୀ ଏକ ଗୋଡ଼ିଆ କରି ଛିଡ଼ା କରେଇ ଦେଲେ । ଘରକୁ ଫେରି ବହିପତର ଫିଙ୍ଗି ଦେଇ, ତରତରରେ କ’ଣ ଦି’ଟା ଖାଇ ଦେଇ; ସିଧା ଚାଲିଲା ବ୍ୟାଟ୍ ଧରି । ବାପା ଅଫିସରୁ ଫେରି ଗାଳି କଲେ, କହିଲେ – “ସିଧା ଯାଇ ପଢା ଟେବୁଲ ପାଖେ ବସ୍” । ହୋମୱାର୍କ ସାରି, କାର୍ଟୁନ ଚ୍ୟାନେଲ୍ ଦେଖିବାକୁ ଟି.ଭି. ଖୋଲିଲା । ମା କହିଲା – “ଖାଇ ପିଇ ଧିରିକି ଶୋ”, ସକାଳୁ ସ୍କୁଲ ଯିବୁ” । ଭୋର୍ ଭୋର୍ ସମୟର ନିଦଟା ଭାରି ମିଠା କି କ’ଣ ନିଦଟା ଖାଲି ଘୋଟି ଆସୁଥାଏ । ଅପା ବିଛଣାରୁ ଘୋସାରି ପକାଇଲା  । କହିଲା – “ଝଅଟ ଉଠ୍, ସ୍କୁଲ ଟାଇମ୍ ହୋଇଗଲାଣି” । ଏମିତି ଧରାବନ୍ଧା ଗୁଳା ଭିତରେ ଜୀବନ ବେଶ୍ କିଛି ଦିନ ଧାଇଁଲା । ନୀତି ନିୟମର ଶୃଙ୍ଖଳ ଭିତରେ ଜୀବନ କେମିତି ଦୁର୍ବିସହ ହୋଇ ଉଠୁଥାଏ ।

ଏଥର କଡ଼ ଲେଉଟାଇ ନିଶିକାନ୍ତ ବାବୁ ବୁଲି ପଡ଼ିଲେ । ଦେଖିଲା ବେଳକୁ ଆଖି ସାମ୍ନାରେ ଦିପହରର ଯୁବକଟିଏ; ପଥରମୁଣ୍ଡିଆଟେ ପରି ବସିପଡ଼ିଛି । ଯେମିତି ତା’ଭିତରେ ଯୁଗ ଯୁଗର ବ୍ୟଥା- କିଏ ଭରି ଦେଇଛି । ନିଶିକାନ୍ତ ବାବୁ କହିଲେ – “ଏ ଯୁବକ ଏଠି କାହିଁକି ବସିଛ? ତୁମର କ’ଣ ହୋଇଛି?? ଏଥର ଯୁବକ କହିଲେ- “ମୁଁ ଆଉ ପାରୁ ନାହିଁ ଆଜ୍ଞା । ଥକ୍କା ହୋଇ ବିଶ୍ରାମ ନେଉଛି । ଯନ୍ତ୍ରଣା ଢେର ହେଲା, ଜୀବନ ଅସହ୍ୟ ହୋଇ ଉଠିଲାଣି । ମୋ ଭିତରେ ଅନେକ ଦୁଃଖ । କାହାକୁ ମୁଁ କହିପାରୁ ନାହିଁ । ନିଶିକାକ୍ତ କହିଲେ- “ମୋତେ  କୁହ ମୁଁ କାହାକୁ କହିବି ନାହିଁ” । ଏଥର ଯୁବକ କହିଲେ – “ହେଉ ତା ହେଲେ ଶୁଣ…. ।

“କ୍ରମେ ମୋର ବୟସ ବୃଦ୍ଧି ହେଲା ଉତ୍ତାରୁ, ଯୌବନ ମୁଣ୍ଡ ଟୁଙ୍ଗାରିଲା । ବନ୍ଧୁ ବାନ୍ଧବ ଭିଡ଼ି ଆସିଲେ । ସାଥୀଟିଏ ଖୋଜି ବେକରେ ରଶି ପକାଇ ଦେଲେ । ଏଥର ଜୀବନର ଅସଲି ମଜା ଆସିଗଲା । ସ୍ତ୍ରୀ’ର ତାଗିଦ୍ ଶୁଣି ଶୁଣି ମୁଁ ଏକଦମ୍ ତାଜୁବ୍ ହୋଇଗଲି । ଦିନକର କଥା – “ମୁଁ ଟିକିଏ କ’ଣ ରାଗି କରି କହିଦେଲି; ପତ୍ନୀର ତୋଡ଼ ଆଉ କିଏ ସମ୍ଭାଳେ? ସମସ୍ତେ ଖାଇପିଇ ଭାତ ପଖାଳି ଦେଲେ । ଡ଼ାକିଲେ ନାହିଁ; ଶୋଇ ପଡ଼ିଲେ । ମୁଁ ଭୋକରେ ଛଟପଟ ହୋଇ ରହିଲି” । ଯୌବନରେ ସଂସାର ଜଂଜାଳର ନିର୍ମମ ପ୍ରହାର ସହେ । କର୍ମଭୟ ଜୀବନ ଭିତରେ ଜୀବନ ହଜେ, ପରାଧୀନତାର ବେଢି ମାଡ଼ି ମାଡ଼ି ଆସେ । କର୍ମ କ୍ଷେତ୍ରରେ କର୍ମାଧିପତି ଓ ପରିବାରରେ ପିଲା ଛୁଆଙ୍କର ଦାବି ବଢିବଢି ଯାଏ । ଅନ୍ୟର ଇସାରାରେ ମୁଁ ଧାଇଁବାକୁ ବାଧ୍ୟ ହୁଏ । ସେଦିନ  ଅଫିସରର କଥା ଶୁଣିଲି ନାହିଁ; ସଙ୍ଗେ ସଙ୍ଗେ ପ୍ରୋସିଡ଼ିଙ୍ଗ ଓ ତା’ପରେ ସସ୍ପେଣ୍ଡ , ଚାରିରୀରୁ ହାତ ଧୋଇ ଘରେ ବସିଲି” ।

“ଏବେ ଆଉ ଧରାବନ୍ଧା କାମ ହାତରେ ନଥାଏ । ତେଣୁ ମୁଁ ସମାଜରେ ମିଶିଲି, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ଯୋଗଦେଲି । ସେଠି ମଧ୍ୟ କର୍ତ୍ତବ୍ୟର ଦ୍ୱାହିଦେଇ, ବଳଦିଆ ରଥ ଦଉଡ଼ିରେ, ଗୁଡ଼ାଇ ତୁଡ଼ାଇ ବାନ୍ଧି ଦେଲେ । ସେଥିରୁ ବିଚ୍ୟୁତ ହେଲେ ରକ୍ଷା ନାହିଁ। ସେଦିନ ସମାଜର ନୀତି ନିୟମ ଭାଙ୍ଗିବା ଅପରାଧରେ ୩ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଲେ। ଏଠି ଯେଣୁ ନିଜ ଇଚ୍ଛାରେ ମରିହୁଏ ନାହିଁ; ବଂଚିବା ବି ବଡ଼ କଷ୍ଟଦାୟକ । ହସିବା, କାନ୍ଦିବା ସବୁ ବନ୍ଦ । କୌଣସି କଥା ନ ପଚାରି କିଛି ହୁଏ ନାହିଁ; ଅନୁମତିଟା ଅତି ପ୍ରୟୋଜନ ।

ନିଶିକାନ୍ତ ବାବୁ ଏତେବେଳକୁ ନିଜ ଭାବନା ଭିତରେ ବୁଡ଼ି ଯାଇଥାନ୍ତି । ଦେଖିଲା ବେଳକୁ ଯୁବକ ସେଠୁ ଉଠି କୁଆଡ଼େ ଚାଲି ଯାଇଥାଏ । ନିଶିକାନ୍ତ ବାବୁ ଆଖିବୁଜି ଦରାଣ୍ଡି ହେଉଥାନ୍ତି । ହଠାତ୍ ଆଖି ଯାଇ ସଂନ୍ଧ୍ୟାର ଗୋଟାଏ ବୃଦ୍ଧଠିଁ ଲାଖିଗଲା । ନିଶିକାନ୍ତବାବୁ ମନେ ପକାଉଥାନ୍ତି- “ୟା’ଙ୍କୁ ବୋଧେ କେଉଁଠି ଦେଖିଛନ୍ତି” । ବୃଦ୍ଧଙ୍କୁ ପଚାରିଲେ – “ମୁଁ ତୁମକୁ ଆଗରୁ ବୋଧେ କେଉଁଠି ଦେଖିଛି”? “ଦେଖିଥିବେ ମୁଁ ଆଉ ଏବେ ସେଠି ରହୁନାହିଁ, ଛୁଆପିଲା ତଡ଼ି ଦେଲେ ଯେ ନିର୍ବାସନ ଦଣ୍ଡ ଭୋଗୁଛି । ସେମାନେ ଏ ବୁଢାଟାର ଭାରବହନ କରିବାକୁ ଅସମର୍ଥ ହେବାରୁ ମନ୍ଦିରରେ ରହୁଛି । ଫୁଲ ତୋଳି ହାର ଗୁନ୍ଥେ । ପୂଜା ସାମଗ୍ରୀ ସଜାଡ଼ି ଡ଼ାଲାରେ ରଖେ । ଚନ୍ଦନ ଘୋରିକି ମୂର୍ତ୍ତିରେ ଲଗାଏ, ମନ୍ଦିରକୁ ଯିଏ ଆସେ ପାଦୁକା ଚଖାଏ । ଭୋଗ ବାଣ୍ଟେ । ମନ୍ଦିରରୁ ଖାଇ ପିଇ ପେଟେ କୁଟୀରକୁ  ଫେରେ, ରାତିଟା ଉପରକୁ ଚାହିଁ ଚାହିଁ କଟିଯାଏ । ପୁଣି ସକାଳ ହେଲେ ସେଇଠିକି ଚାଲିଯାଏ । ଲୋକ କହନ୍ତି “ଠାକୁବାପା”, ତାହାରି ଭିତରେ ମୁଁ ହଜି ଯାଏ । ଏଥର ଚମ ଧୁଡ଼ୁ ଧୁଡ଼ୁ ହେଲାଣି, ମୁଖ ମଣ୍ଡଳରୁ କାନ୍ତି ତ କେବେ ଠାରୁ ଉଭାନ୍ ଥର ଥର ହୋଇ ବାଡ଼ି ଧରି ବାଟ ଚାଲେ । ଆଉ କୌଣସି କାମକୁ ପାରୁନାହିଁ । ହଠାତ୍ ମନ୍ଦିର ମହନ୍ତ ଡ଼ାକି କହିଲେ- “କିଛି କାମକୁ ତୁମେ ପାରୁ ନାହଁ। ଆଗରେ ବସି ଭିକ୍ଷା ମାଗି , ଆମକୁ ଦିଅ; ଖାଇବାକୁ ଗଣ୍ଡେ ମିଳିବ । ନୋହିଲେ ଏଠୁ ଚାଳିଯାଅ ।” ସଂଧ୍ୟା ହେଲାଣି ଏଇଠି ବସି ପଡ଼ିଛି । ‘କଣ କରିବି’ – ଭାବୁଛି । ନିଶିକାନ୍ତ ବାକୁ ପଚାରିଲେ – ‘କଣ ଭାବିଲେ?

– “ହଁ”

– “କଣ ?”

– “ମୋର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳୀ ଗଢିବି । ଟ୍ରଷ୍ଟ ଗଢିବି, କେତେ ବୃଦ୍ଧ ବୃଦ୍ଧା ଆଶ୍ରୟ ନେଇ, ଶାନ୍ତିରେ ନିଶ୍ୱାସ ନେବେ ।”

ହଠାତ୍ ସାଙ୍ଗ ସାଥିମାନେ ମର୍ଣ୍ଣିଂଙ୍ଗ ୱାର୍କର ଯିବା ପାଇଁ କବାଟ ବାଡ଼େଇଲେ । ଧଡ଼ ପଡ଼ ହୋଇ ନିଶିକାନ୍ତ ବାବୁ ବିଛଣାରୁ ଉଠି ପଡ଼ିଲେ । ଆଖି ମଳି ମଳି ନିଦରୁ ଉଠିଲେ । କିନ୍ତୁ ଏତେବେଳକୁ ସେମାନେ ସମସ୍ତେ ଚାଲିଯାଇଥା’ନ୍ତି ।

ଜୀବନଟା ଏଇମିତି ଧାଏଁ। ଆମେ ବି ସମସ୍ତେ ଧାଆଁନ୍ତି ସୀମାହୀନ ଅସୀମ ଯାତ୍ରା ପଥେ। ଅସୀମ ଅନନ୍ତ ସେ ଯାତ୍ରା।

Related posts

ନୂତନ ପିଢିର ଉତ୍ତର ଦାୟିତ୍ୱ

satya

ବୈଜ୍ଞାନିକର ଲକ୍ଷ୍ୟ

satya

ଶେଷ କେଇପଦ କଥା

satya

Leave a Comment

Login

X

Register